Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ବନପର୍ବ - ଦ୍ୱିତୀୟ ଖଣ୍ଡ

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

ବିଷୟ

୧।

ସଚଳା ହରଣ

୨।

ଇନ୍ଦ୍ରାଦି ଦୋବଙ୍କ ସହିତ ରାମକୃଷ୍ଣଙ୍କର ଯୁଦ୍ଧ ଓ ସଚଳାର ବିବାହ

୩।

କୀର୍ତ୍ତିବାସ ଦୈତ୍ୟବଧ , ଚନ୍ଦ୍ରଭାଗା ତୀର୍ଥର ମାହାତ୍ମ୍ୟ ଓ ଅର୍କଦୈତ୍ୟ ବଧ

୪।

ଚନ୍ଦ୍ରଭାଗା ତୀର୍ଥେ ଶାମ୍ଵଙ୍କର କୁଷ୍ଠବ୍ୟାଧି ମୋଚନ ଓ ଯୁଧିଷ୍ଠିରଙ୍କ ମହୋଦଧିରେ 
ମାଘସ୍ନାନ ଫଳ ବିବରଣ

୫।

ଗଜ କଚ୍ଛପର ଯୁଦ୍ଧ

୬।

ନୀଳଗିରି ପୂର୍ବ ବୃତ୍ତାନ୍ତ ଏବଂ ଶ୍ରୀକୃଷ୍ଣଙ୍କ ମୃତପିଣ୍ତ ଦହନ ବର୍ଣ୍ଣନ

୭।

ସଂକ୍ଷିପ୍ତ ରାମାୟଣ

୮।

ସତ୍ୟଭାମା ଓ ଦୌପଦୀଙ୍କ କଥୋପକଥନ

୯।

ନଳରାଜା ଉପାଖ୍ୟାନ

୧୦।

ଦମୟନ୍ତୀ ସ୍ଵୟମ୍ଵର, ନଳ ଓ ଦମୟନ୍ତୀଙ୍କ ବନବାସ ଏବଂ ବିଚ୍ଛେଦ

୧୧।

ନଳଙ୍କର ଅଯ୍ୟୋଧ୍ୟା ପ୍ରବେଶ ଓ ବାହୁକ ସାରଥି ନାମ ଧାରଣ

୧୨।

ଦମୟନ୍ତୀଙ୍କ ଦ୍ୱିତୀୟ ସ୍ୱୟମ୍ବର

୧୩।

ଭୀମର ବନରେ ବିହାର ଓ କାଳଞ୍ଚି ରାକ୍ଷସୀ ସହିତ ଗନ୍ଧର୍ବ ବିବାହ

୧୪।

ଦୁର୍ଭାସା ଚରିତ

୧୫।

ନକୁଳର ସତ୍ୟନିଷ୍ଠା ଦର୍ଶନେ ରେବା ଦୈତ୍ୟର ପୁରସ୍କାର ଏବଂ ବତ୍ସାହରଣ
ଦୋଷେ ବ୍ରହ୍ମାଙ୍କ ଅପୂଜ୍ୟ ଅଭିଷାପ

୧୬।

ସତୀସ୍ତ୍ରୀର ଉପାଖ୍ୟାନ

୧୭।

ତ୍ରିପୁରମୋହିନୀ ହରଣ ଓ ମେରୁଶୂଳ ବଧ କଥା

 

Unknown

ସଚଳା ହରଣ

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ଚିତ୍ରସେନ ଗନ୍ଧର୍ବ ଯାଇଥିଲା ମଧ୍ୟ୍ୟ ଯେ ଭୁବନୁ ।୧।

ପୂଜାବିଧି କରି ବଇବସୁତ ମନୁ ଯେ ବୋଇଲା

ବାସବର ପୁତ୍ର କିମ୍ପେ ମୃତୁ ମଣ୍ଡଳେ ଥିଲା ।୨।

ଅଗସ୍ତିୟେ ବୋଇଲେ ଶୁଣ ପୂର୍ବର ଯେ କଥା

କହିବା ସଞ୍ଚପି ତୋତେ ସତ୍ୟଯୁଗର ବାରତା ।୩।

ଆହୋ ସତ୍ୟଯୁଗେ ବଇଶାଖ ମାସ ଶୁକ୍ଳପକ୍ଷ ତୃତୀୟାର ତିଥି

ରୋହିଣୀ ନକ୍ଷତ୍ର ଯେ ବାର ଅଟଇ ବୃହସ୍ପତି ।୪।

ଯୁଗାଦ୍ୟ ତିଥି ଯେ ସେ ବସନ୍ତ ଉତ୍ସବ ଯାତ

ଇନ୍ଦ୍ର ସହ ଦେବତାଦୀ ବିଜୟ ସମସ୍ତ ।୫।

ଚଉଷଠି କୋଟି ଯେ ଅମର ବିଳାସୁଣୀ

ତାଣ୍ଡବ ଭରହରଷେ ଲାଗିଛି ଖଟଣି ।୬।

ତିଳୋତ୍ତମାର ପୁତ୍ର ଚିତ୍ର ଯେ ବାହନ

ଶରଗୁଣା ବାଦ୍ୟ ଘେନିଣ ସେ କରୁଛି ଗାୟନ ।୭।

ଭରହରଷ ତାଣ୍ଡବ ସେ ମହାରସ ଭୋଳେ

ହରଷେ ଇନ୍ଦ୍ରଦେବତା ତାହାଂକଇ ଦିଲେକ ତାମ୍ବୋଳେ ।୮।

ବିଶେଷ ଗ୍ରୀଷମକାଳ ଆଉ ଭରହ ସଂଗୀତା

ଅଧରେ ସୁଖନ୍ତେ ସେ କଲା ତାମ୍ବୋଳ ଭୂକତା ।୯।

ଆହୋ ଚଇତନ ପ୍ରିୟରସ ଭୋଳେ ବିଦ୍ୟାଧର ତାମ୍ବୋଳ ଭୂଞ୍ଜି

ଅବିଶ୍ରାମେ ପ୍ରିୟରସେ ବୃନ୍ଦାଅର୍କେ ଭଜି ।୧୦।

ଗହ ଗହ ଶବଦ ତିମ୍ବୁରୁ ରସ ବାଣୀ

ସୁରସିଦ୍ଧ ମୁନି ଲାଗିଅଛନ୍ତି ଖଟଣି ।୧୧।

ପଦବନ୍ଧ ସାରି ଉଭା ହୋଇଲା ବ୍ରହ୍ମାଂକ ଛାମୁରେ

ତାମୂଳିକ ପଡ଼ିଲା ଯାଇ ବ୍ରହ୍ମାଂକ ଅଂଗରେ ।୧୨।

ଭୟେଣ ବିଦ୍ୟାଧର ରସଭଗ୍ନ କଲା

ଅନୀତ ଦେଖିଣ ପିତାମହ ନ ସହିଲା ।୧୩।

କୋପେଣ ଶାପ ତାକୁ ଦିଲାକ ଜଗଦ୍ଧାତା

ଦେବସ୍ଥାନେ ପିକ ପକାଇ କଲୁ ଅପ୍ରତିଷ୍ଠା।୧୪।

ଆରେ ୟେଡ଼େ ମତ୍ତଗର୍ବ ଅଟୁରେ ମହାଦୁଷ୍ଟ

ୟେ ଦେବ ଆସ୍ତାନେ ମୋତେ ପକାଇଲୁ ଉତିଷ୍ଠ ।୧୫।

ଯାଅ ତୁ ମୃତୁ ମଣ୍ଡଳେ ଜାତ ହିୁଅସି ଶୂକର

ୟେହି ମୁଖରେ ତୁରେ ବିଷ୍ଠା କରସି ଆହାର ।୧୬।

ଶୁଣିଣ ବିସରିଲା ଅମର ରେଖାର ନାତି

କିଞ୍ଚିତ ଦୋଷକୁ ଧାତା ଦିଲୁ ବହୁତ ଶାସ୍ତି ।୧୭।

ତୋହୋର ବଚନେ କରି ମୁଁ ପାଇବି ବହୁତ ଦୁଖ

କାରଣ କହିବା ମୋତେ କେତେ ଦିନେ ହୋଇବି ମୋକ୍ଷ ।୧୮।

ଆରେ ସତ୍ୟଯୁଗ ସତର ଲକ୍ଷ ଅଠାଇଶି ସହସ୍ର ବରଷ

ତ୍ରେତୟା ଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ।୧୯।

ଦ୍ୱାପର ଯୁଗେ ଆଠଲକ୍ଷ ନବସହସ୍ର ପରିଯନ୍ତେ

ମୁକତ ହୋଇବୁ ତୁ ଯୁଝେଷ୍ଠିଂକୁ ଦେଖନ୍ତେ ।୨୦।

ବ୍ରହ୍ମାୟେ ବୋଇଲେ ସେ ବିଦ୍ୟାଧର ପାଶେ

ହୋଇବୁ ମୋକ୍ଷ ତୁହି ଚଉବିଂଶ ଲକ୍ଷ ଚଉତ୍ରିଶ ସହସ୍ର ବରଷେ ।୨୧।

ଶୁଣ ହୋ ମନୁପୁରୁଷ ସତ୍ୟଯୁଗେ ପିତାମହର ଶାପ୍ୟେ

ସେ ଚିତ୍ରବାହାନ ମୃତୁ ମଣ୍ଡଳେ ଉପୁଜିଲା ଶୂକର ରୂପେ ।୨୨।

କାଳନ୍ଦୀ ନାମେ ନଗ୍ରେ କାଳେବର ନାମ ବନ

ତହିଂ ଯାଇଂ ଶୂକର ରୂପେ ବୋଇଲା ଉତପନ୍ନ ।୨୩।

କାଳିନ୍ଦୀ ନଦୀ ତୀରକୁ ସେ ରାତ୍ରେ ନିତ୍ୟେ ଯାଇ ଚରି

ପିତାମହର ଶାପ୍ୟ ସେ ବିଷ୍ଠା ଆପ୍ୟାନ କରି ।୨୪।

ମାଈ ଶୂକରି ତୁଲେ ସେ କଲାକ ଅଭିଳାଷ

ବରେହା ରୂପେ ତାର ହୋଇଲା ଅପାର ବଂଶ ।୨୫।

ଦ୍ୱାପର ଯୁଗେ ମ୍ଳେଚ୍ଛଦେଶର ରାଜା ମଙ୍ଗଳସେନ ନୃପତି

ମୃଗୟା ନିମନ୍ତ୍ରେଣ ଅଇଲା ସେ ପ୍ରତାପ ଚକ୍ରବର୍ତ୍ତୀ ।୨୬।

ଗ୍ରୀଷମ ଋତୁ ଯେ ସେ ବଇଶାଖ ମାସ

ଭୃଗୁବାର ରୋହିଣୀ ନକ୍ଷତ୍ର ତୃତୀୟା ଦିବସ ।୨୭।

ସତ୍ୟଯୁଗରେ ସେ ଦିନେ ପାଇ ଅଭିଶାପ

ଦ୍ୱାପର ଯୁଗରେ ସେ ଦିନରେ ଖଣ୍ଡିଲା ତାହାର ପାପ ।୨୮।

ମଙ୍ଗଳସେନ ନୃପତି ବନେ ବୁଲଇ ବେଣ୍ଟ ପାରିଧି

ନାରାଜ ଘାତ କରି ସେ ଶୂକରକଇଂ ବିନ୍ଧି ।୨୯।

ରାଜାର ନାରାଜେଣ ତୁଟିଲା ତାର ନିଜ ପ୍ରାଣ

ଇନ୍ଦ୍ର ବୋଇଲେ ତୁ ମାତଳି ପୁଷ୍ପେକ ରଥ ଘେନି ଯାଅ ୟେହିକ୍ଷଣ ।୩୦।

ଶାପରୁ ମୁକତ ଯେବେ ହୋଇଲା ମୋହୋର ପୁତ୍ର

ବିମାନେ ବସାଇଣ ଆଣସି ତୁରିତ ଚିତ୍ରରଥ ।୩୧।

ବାସବର ବଚନେ ଚଳଇ ମାତଳି

କାଳେବର ବନେ ଯାଇଣ ତତକ୍ଷଣେ ମିଳି ।୩୨।

ନିକଟେ ବିବାନ ନେଇ କଲା ସନ୍ନିଧାନେ

ଧଇଲେ ପାଛତ୍ର ବିଦ୍ୟାଧରମାନେ ।୩୩।

ସହସ୍ରେ ପାଟଛତ୍ର ବେନିଲକ୍ଷ ଆଲମ୍ବ

ଉଦଣ୍ଡ ଚାରିଲକ୍ଷ ତିନିଲକ୍ଷ ବିଳମ୍ବ ।୩୪।

ଛାମୁର ସୁବର୍ଣ୍ଣ ବନ୍ଧା ଶଙ୍ଖ ଫୁରଇ ୟେକଲକ୍ଷେ

ବିମାନେ ବିଦ୍ୟାଧର ଯାଇ ବିଜୟ କଲା ପ୍ରତକ୍ଷେ ।୩୫।

ଆକାଶେ ବିମାନ ବାହଇ ମାତଳି ସାରଥି

ଅନେକ ରତ୍ନ ଅଳଙ୍କାର ଭୂଷଣ ମହାଛତ୍ରୀ।୩୬।

ଅଜଙ୍ଗମ ସମାନେ ଶ୍ରୀଭୁଜେଣ ଧନୁ

ଦିବ୍ୟ ଅବତାର ହୋଇ ସେ ତିଳୋତ୍ତମାର ତନୁ ।୩୭।

ମାତଳି ବିମାନ ବାହୋଇ ଆକାଶ ମାର୍ଗେ

ଚଳଇ ବିଦ୍ୟାଧର ଗମଇ ଅତିବେଗେ ।୩୮।

ଆହୋ ଚଇତନ କଥାର ରଙ୍ଗରସ

ବିଚିତ୍ର କଥାୟେ ଶୁଣନ୍ତେ ହରଷ ।୩୯।

ୟେମନ୍ତର ସମୟେ ସିନ୍ଧୁକୂଳେ ଜମ୍ବବତୀର ଦୁଲାଳୀ

ସଚଳା ନାମେ କନ୍ୟା ତାହାର ପିଅର ବନମାଳୀ ।୪୦।

ଲକ୍ଷେକ ପରିବାର ଘେନି ସେ ସଚଳା ସୁନ୍ଦରୀ

ଦ୍ୱାରକାଉଂ ବାହାର ହୋଇଲା କ୍ଷୀରୋଦ୍ରେ ସ୍ରାହାନ କରି ।୪୧।

ଜଳକ୍ରୀଡ଼ା ରଙ୍ଗେ ଖେଳନ୍ତେଣ ସେ ଦୁଲାଳୀ

ଚିତ୍ରସେନ ଗନ୍ଧର୍ବ ସନ୍ନିଧ୍ୟ୍ୟେ ଯାଇଂ ମିଳି ।୪୨।

ଯାଆନ୍ତେଣ ସୁନ୍ଦରୀ ଜଳେ ଦେଖିଲା ତାର ଛାୟା

ଉର୍ଦ୍ଧମୁଖ କରି ଆକାଶକୁ ଚାହଂଇ ସେ ଶ୍ରୀକୃଷ୍ଣ ତନୟା।୪୩।

ବିଦ୍ୟାଧରକୁ ଚାହୁଂଅଛଇ ଆକାଶ ଅବଲୋକନେ

ସଚଳାଂହି ଚାଂହିଲା ନିରୋପି ବେନି ନୟନେ ।୪୪।

ମଦନେ ଅସାଷ୍ଟମ ହୋଇଲାନି ବଳୀ

ଚିତ୍ରସେନ ମଦନେ ନୁଆରଇ ଚଳି ।୪୫।

ମାତଳିକି ବୋଇଲା ବିମାନ ମୋର କର ଭୂମିଗତେ

ୟେହିକ୍ଷଣି ସୁନ୍ଦରୀ ବରିବ ଜାଣ ମୋତେ ।୪୬।

ଚିତ୍ରସେନ ବଚନେ ବୋଇଲା ମାତଳି ସାରଥି

ଦ୍ୱାରିକା ନିକଟ ହୋଇଣ ସେ ବାସୁଦେବର କତି ।୪୭।

ଚିତ୍ରସେନ ବୋଇଲା ୟେ ଯୋଗାଇ ଅମର ଭୁବନକୁ

ପ୍ରାପତ ହୋଇଲା ଦ୍ରବ୍ୟ ୟେ ନ ଛାଡ଼ଇ ମୁକୁ ।୪୮।

ଧାତିକାରେ ରଥ ନେଇ କଲାକ ସିନ୍ଧୁକୂଳେ

ତେଜିଲା ଲଜ୍ଜା ସୁନ୍ଦରୀ ମଦନ ରସଭୋଳେ ।୪୯।

କରେଣ ସୁନ୍ଦରୀ ଯେ ଘେନିଲା ରତ୍ନମାଳୀ

ଚିତ୍ରସେନ କଣ୍ଠରେ ଲମ୍ବାଇଲା ବାଳୀ ।୫୦।

ସ୍ତିରୀ ରତ୍ନ ନାୟେକା ସେ ଜଗତ ମୋହିନୀ

ବେନିଭୁଜେ ଚିତ୍ରସେନ କୋଳେଣ ତାହାକଇଂ ଘେନି ।୫୧।

କନ୍ୟା ଘେନି ବିଜୟେ ପୁଷ୍ୟକ ବିମାନେ

ଧାତିକାରେ ଚିତ୍ରସେନ ଗଲା ଅନ୍ତର୍ଦ୍ଧାନେ ।୫୨।

ପ୍ରବେଶ ହୋଇଲା ଯାଇ ଚିତ୍ରସେନ ଅମର ପୁରେ

ସେ କନ୍ୟାକୁ ଲୁଚାଇଲା ମାତଳି ନବରେ ।୫୩।

ବାସବକୁ ଦରଶନ କଲା ବିଦ୍ୟାଧର

ଦେଖି କୁମାରକୁ କୋଳେ ଧଇଲେ ପୁରନ୍ଦର ।୫୪।

ଶାପରୁ ମୁକତ ଯେ ହୋଇଲା ଚିତ୍ରସେନ

ଅପକ୍ଷରୀମାନେ କଲେ ଅର୍ଘ୍ୟରେ ବନ୍ଦନ ।୫୫।

ସଚଳାର ତୁଲେ ଥିଲେ ଯେତେକ ପରିବାରୀ

ଧାତିକାରେ ପ୍ରବେଶ ହୋଇଲେ ସେ ଦ୍ୱାରାବତୀ ପୁରୀ ।୫୬।

ଆସ୍ତାନ ଉପରେ ଯେ ବିଜୟେ ରାଜା ଉଗ୍ରସେନ

ରଇବ୍ରତ ପରବତେ ବିଜେ ବସନ୍ତଉତ୍ସବ ଯାତ୍ରା ବିଧାନ ।୫୭।

ନନ୍ଦ ବସୁଦେବ ଯେ ଅକ୍ରୂର ଉଦ୍ଧବ

ସାତୁକୀ ଅନାଧୃଷ୍ଟ ଯେ ପ୍ରସନ୍ନଜିତ ଯାଦବ ।୫୮।

ସୁମନ୍ତେକ ସସ୍ରାଜିତ ଶଉନିକ ଆଦିକରି

ସାତବଂଶ ଯାଦବ ଆସ୍ତାନେ ଛନ୍ତି ପୂରି ।୫୯।

ଯଦୁବଂଶ ଭୋଜବଂଶ ଅନ୍ଧେକ ବଂଶ ହଇହୟ ବଂଶ ଆଦି କରି

ବୃଷ୍ଟିବଂଶ କୁକୁର ବଂଶ ଚୋହାଣ ବଂଶ ଆସ୍ତାନେ ତଳେ ଛନ୍ତି ପଟୁଆରୀ ।୬୦।

ୟେମନ୍ତେ ସମୟେ ଲକ୍ଷେକ ପରିବାରୀ

ଅନେକ କ୍ରୋଧ ଅବସ୍ତାୟେ ସେ କହନ୍ତି ସୁନ୍ଦରୀ ।୬୧।

ଶୁଣ ଭୋ ଦେବ ଯଦୁବଂଶ ଶିରୋମଣି

କ୍ଷୀରୋଦ୍ର ସ୍ରାହାନେ ଯାଇଥିଲା ତୁମର ଦୁଲଣୀ ।୬୨।

ବାସବର ନନ୍ଦନ ଯେ ନାମ ଚିତ୍ରସେନ

ସଚଳା କନ୍ୟାକଇଂ ହରିନେଲା ଅମର ଭୁବନ ।୬୩।

ଆଚମ୍ବିତ ବାରତା ଆସ୍ତାନ ଲୋକେ ଶୁଣି

ସମସ୍ତେହେଂ ବସିଲେ ସ୍ତମ୍ଭୀଭୂତ ଜାଣି ।୬୪।

ଆସ୍ତାନ ଉପରୁ ବେଗେ ଯେ ଉଠିଗଲାକ ସାତୁକୀ

ଧାତିକାରେ ଗମିଲା ରାମକୃଷ୍ଣର ତହିଂକି ।୬୫।

ଦିବ୍ୟ ଅବତାରେ ସ୍ୱାମିୀ ଯାତ୍ରାଯୋଗେ ସଜ

ସାତୁକୀ ବୋଇଲା ଆହୋ ଶୁଣିମା ଦେବରାଜ ।୬୬।

ସମୁଦ୍ର ସ୍ରାହାନଠାରୁ ସଚଳା କନ୍ୟାକୁ

ଚିତ୍ରସେନ ହରିନେଲା ବଳତ୍କାରେ ଅମର ଭୁବନକୁ ।୬୭।

ଶୁଣିଣ ସ୍ତମ୍ଭୀଭୂତ ହୋଇଲେ ଜଗନ୍ନାଥେ

ୟେତେ ଭରସା ଚିତ୍ରସେନର ବଳିଲା କେମଂନ୍ତେ ।୬୮।

ଗୋବିନ୍ଦେ ବୋଇଲେ ତୁ ନ କହ ବଳରାମଂକୁ

ୟେହିକ୍ଷଣି ଧାଇଂବେ ସେ ଅମର ଭୁବନକୁ ।୬୯।

ବିଜୟେ ବାସୁଦେବ ଆସ୍ତାନେଣ କରି

ସମସ୍ତେ ବିସ୍ମୟେ ଯେ ଦ୍ୱାରାବତୀ ପୁରୀ ।୭୦।

ଗୋବିନ୍ଦେ ବୋଇଲେ ହୋ ୟେ କେବଣ ବିଚାର

ବାରତା ପାଇଣ ବିଜୟେ କଲେ ବଳେବର ।୭୧।

ବଳରାମ ବୋଇଲେ କିସ ବିଚାରୁ ଦେବରାଜ

ଅମର ଭୁବନକୁଇଂ ହରି ଦଣ୍ଡ ବେଗେ ସାଜ ।୭୨।

ଭାଞ୍ଜିବି ଅମରପୁର ନ ଥୋଇବି ଇନ୍ଦ୍ରଦେବା

ବିଦ୍ୟାଧର ଆଦିକରି କେ ରକ୍ଷାକରଇ ଆଜ ଅବା ।୭୩।

ଯଦ୍ୟପି ଧାତା ଈଶ୍ୱର ଆସିବେ ପରିଘାଇ

ଆନ ଇନ୍ଦ୍ର ସ୍ଥାପିବଇଂ ସତ୍ୟ ସତ୍ୟ କଲି ମୁହିଂ ।୭୪।

ଗୋବିନ୍ଦେ ବୋଇଲେ ଦେବ କୋପକର ଶାନ୍ତି

ଇନ୍ଦ୍ରଦେବତାକଇଂ ଆମ୍ଭର କୋପ ନୋହଇ ଯୁଗତି ।୭୫।

ବାସବ ନ ଜାଣଇ ଅବା ଚିତ୍ରସେନ ନେଲା ହରି

ପିତାଂକୁ ନ କହି ସେ ଥୋଇଲା ଗୋପ୍ୟକରି ।୭୬।

ୟେଥିରେ ତଦନ୍ତ ଯେବେ ଦେବଇନ୍ଦ୍ର ଜାଣିଥାନ୍ତା

ସଚଳାକଇଂ ଘେନିଣ ସେ ବହନେ ଆସନ୍ତା ।୭୭।

ଭୋ ଦେବ ନୀଳାମ୍ବର ଇନ୍ଦ୍ରକଇଂ କୋପ ନ କର

ଅମରକଇଂ ଦୂତ ପଠିଆଇବା ଆମ୍ଭର ।୭୮।

ବାରତା ପାଇଣ ଯେବେ ଇନ୍ଦ୍ର ନ ଆଣଇଂ କୁମାରୀ

ତେବେ ସେ ନାଶ କରିବା ଅମର ସ୍ୱର୍ଗପୁରୀ ।୭୯।

ୟେତେ ବୋଲି ରାମଂକୁ ସମାର୍ଜିଲେ ଶ୍ରୀପୁରୁଷ ଉତ୍ତମ

ଶୁଣିକରି ଶାନ୍ତି ଭଜିଲେ ଦେବ ବଳରାମ ।୮୦।

ସାତୁକୀ ଅକ୍ରୂର ସେ ଦୁହିନ୍ତି ହକାରି

ବୋଇଲେ ତୁମ୍ଭେ ଦୁହେଂ ଯାଅ ହୋ ଅମର ସ୍ୱର୍ଗପୁରୀ ।୮୧।

ତ୍ରିଦଶ ଦେବତାୟେ ବସିଥିବେ ଆସ୍ତାନେ

ସଭାରେ ଯାଇଣ ତୁମ୍ଭେ ଯେ କହିବ ସର୍ବ ବିଦ୍ୟମାନେ ।୮୨।

ସ୍ୱାମୀର ବଚନେ ଯେ ଅକ୍ରୂର ସାତୁକୀ

ଦୁହେଂ ଚଳିଗଲେ ଇନ୍ଦ୍ର ଦେବତା ତହିଂକି ।୮୩।

ବଇଶାଖ ମାସ ଶୁକଳପକ୍ଷ ତୃତୀୟାର ଦିନ

ବୃହସ୍ପତି ବାର ରୋହିଣୀ ନକ୍ଷତ୍ର ବିଦ୍ୟମାନ ।୮୪।

ସେ ଦିନ ବସନ୍ତ ଉଚ୍ଛବ ଯାତ୍ରାର ବିଧାନେ

ବ୍ରହ୍ମା ରୁଦ୍ର ଇନ୍ଦ୍ର କୁବେର ବରୁଣ ତ୍ରିଦଶ ଦେବତାଗଣମାନେ ।୮୫।

ପବନ ତପନ ଅସିତ ଭୃଗୁ ଯେ କଶ୍ୟପେ

ଯମ ଅନଳ ଗ୍ରହଗଣେ ସମସ୍ତେ ଅଛନ୍ତି ସମୀପେ ।୮୬।

ନାରଦେ ଧରିଛନ୍ତି ସାରଙ୍ଗ ସପତସ୍ୱର ବେଣୀ

ତାଣ୍ଡବ ରସ ଭରହରଷେଣ ଲାଗିଛି ଖଟଣି ।୮୭।

ୟେମନ୍ତେର ସମୟେ ସାତୁକି ଅକ୍ରୂର

ପୁଷ୍ୟେକ ଆରୋହି ଯାଇଂ ମିଳିଲେ ଅମର ସଭାର ।୮୮।

ଶତେକ ପାବଚ୍ଛ ତଳେଣ ଥାଇ ପରିଣାମି

ଆସ୍ତାନେ ଥାଇ ତାଂକୁ ଦେଖିଲେ ପୁରନ୍ଦର ସ୍ୱାମୀ ।୮୯।

ନାରଦେ ନୃତ୍ୟ ରୁହାଇଲେ ସାତୁକୀକି ଦେଖି

କିସ ଅର୍ଥେ ମାଧବି ତୁ ବିଜେକଲୁ ୟେଥିକି ।୯୦।

ତହୁଂ ଆସ୍ତାନର ତିନି ପାବଚ୍ଛର ତଳେ ପରିଣାମି

ଅବଧାନ ହୋଇ ଶୁଣିମା ଭୋ ଦେବସ୍ୱାମୀ ।୯୧।

ଦୂତଂକଇ ଦେଖି ପଚାରଇ ପୁରନ୍ଦର

କେଉଂଣ କାରଣେ ୟେଥେ ହୋ ଗବନ ତୁମ୍ଭର ।୯୨।

କହନ୍ତି ଅକ୍ରୂର ସାତୁକୀ ଯୋଡ଼କରି ବେନିକର

ଶୁଣ ଦେବସ୍ୱାମୀ ସ୍ୱର୍ଗପୁର ପୁରନ୍ଦର ।୯୩।

ଯେଉଂଣ କାରଣେ ଆମ୍ଭେ କଲୁଂ ଗବନ

ଆମ୍ଭନ୍ତ ପେଷିଲେ ସ୍ୱାମୀ ହରି ବଳରାମ ।୯୪।

ବୋଇଲେ ଦେବ ମଘବାନଂକୁ କହିବ ତୁମ୍ଭେ ଯାଇଂ

କିମ୍ପାଇ ଅନୀତି ଆଚରିଲାକ ସେହି ।୯୫।

ଇନ୍ଦ୍ର ବୋଇଲେ ହୋ ୟେ କେଉଂଣ ଚରିତ

କେଉଂଣ ଅନ୍ୟାୟ ଆମ୍ଭର ଦେଖିଲେ ହରି ହଳହାଥ ।୯୬।

କହନ୍ତି ବେନିଦୂତେ ଶୁଣିମା ବଜ୍ରଧାରୀ

ଭୋ ସ୍ୱାମୀ ଶ୍ରୀଜଗନ୍ନାଥଂକର ଭାରିଯା ଜମ୍ବୋବତୀ ନାରୀ ।୯୭।

ସଚଳା ବୋଲି କରିଣ ତାହାଂକର ଦୁହିତୀ

ପ୍ରତକ୍ଷ ରମ୍ଭା କି ମେନକା ରୂପବନ୍ତି ।୯୮।

କ୍ଷୀରୋଦ୍ର ସ୍ରାହାନେ ସେ ଆସିଥିଲା ସୁନ୍ଦରୀ

ଚିତ୍ରସେନ ଗନ୍ଧର୍ବ ତାହାକଇଂ ଆଣିଲାକ ବଳେ ହରି ।୯୯।

ଧାଇଂ ମୁଦୁସୁଲୀଂକ ତହୁଂ ପାଇଣ ବାରତ

ଶୁଣିଣ ମହାକୋପ କଲେ ଦେବ ହଳହାଥ ।୧୦୦।

ଦଣ୍ଡ ସାଜ ବୋଲି ଆଗ୍ୟାଂ ଦିଲେ ଦେବହଳୀ

ଶୁଣି ସମାର୍ଜନା କଲେ ଦେବ ବନମାଳୀ।୧୦୧।

ଆମନ୍ତ ପଠିଆଇ ଦିଲେ ଦେବ ଜନାର୍ଦ୍ଦନ

କନ୍ୟାଗୋଟି ଆମ୍ଭ ତୂଲେ ସମର୍ପଣ କର ହୋ ମଘବାନ ।୧୦୨।

ଇନ୍ଦ୍ର ଦେବତା ବିଷାଦ ହୋଇଲା ତାହାଶୁଣି

ତବଦ ହୋଇଣ ସେ ବସିଲା ବଜ୍ରପାଣି ।୧୦୩।

ସମସ୍ତ ଦେବତାୟେ ଶୁଣି ହୋଇଲେ ଆଶ୍ରିଜ

କରେ କରତାଳ ଦେଇ ହସିଲେ ଈଶ୍ୱର ଦେବରାଜ ।୧୦୪।

ବ୍ରହ୍ମାୟେ ବୋଇଲେ ସ୍ୱାମୀ ତୁ ତ ଜଗତର ଗୁରୁ

ୟେ ମହାସଭାୟେ ବସି ତୁ କିଂପେ ହାସ୍ୟକରୁ ।୧୦୫।

ଆମ୍ଭର ବିଚାରକଇଂ ୟେ କଥା ବଡ଼ାଇ ଦୁଲଭ

ଇନ୍ଦ୍ର ଗୋବିନ୍ଦେ ଦୁହେଂ ହୋଉଅଛନ୍ତି ଅଭାବ ।୧୦୬।

ଯୁଗତେ ବିଚାରେ ଯେବେ ସମର୍ପିବା ଶ୍ରୀହରି କୁମାରୀ

ଇନ୍ଦ୍ର ଗୋବିନ୍ଦେ ପୀରତି ହୋଇବ ୟେକସରି ।୧୦୭।

ବଳାତକାର କଥା ହୋଇବ ନା ଅନୁଗତ

ବଳରାମ କୋପକଲେ ଆକାଶ ହୋଇବ ରାସାଂଗତ ।୧୦୮।

ବଡ଼ାଇ ଦୁରାପଦ କଥା ଲାଗଲା ଭାଳୁଅଛୁଂ ଆମ୍ଭେ

କେମନ୍ତେ ବିଚାରି ଈଶ୍ୱର ହାସ୍ୟକଲ ତୁମ୍ଭେ ।୧୦୯।

ଈଶ୍ୱରେ ବୋଇଲେ ଆମ୍ଭେ ହସିଲୁ ବିଚାରେ

ବତିଶ ସହସ୍ର କନ୍ୟା ସେ ହରିଲା ବଳାତକାରେ ।୧୧୦।

ଆପଣେ ପରସ୍ତିରୀମାନ ବଳେ ହରିନେଇ ପାରଇ

ତାହାର ବେଳେ କିଂପେ ସହିତ ନୁଆରଇ ।୧୧୧।

ବଜ୍ରନାଭର ଦୋହିତା ହରିଲା ପ୍ରଭାବତୀ

ବାଣାସୁର ଘରୁ ଉଷାକୁ ହରିଲା ତାର ନାତି ।୧୧୨।

ଆପଣେ ଥାଇଂଣ ସେ ୟେଥକଇଂ କଳି ଭିଆଇଲା

ବୃହସ୍ପତିର ଭାରିଯା ନେଇ ଚନ୍ଦ୍ରେ ଦିଆଇଲା ।୧୧୩।

ତାହାରେଣ ନାଶଗଲେ ବୃହସ୍ପତି ଦେବଗୁରୁ

ଅନେକ ଅଭିମାନ ସହିତେ କେ ପାରୁ ।୧୧୪।

ଆହୋ ବାଣାସୁର ଘରେ କନ୍ୟାଛାର ପାଇଂ

ମୋହୋର ତୁଲେ ଅନେକ ଦ୍ୱନ୍ଦ ଯେ ଲଗାଇ ।୧୧୫।

ଶିବଗଣନ୍ତ ମୋହୋର ସମସ୍ତ ନାଶକଲା

ମୋହୋର ଦେଖନ୍ତେ ବାଣାସୁରର ନଅଶ ଅଠାଣଇ ଭୁଜ ଛେଦି ପକାଇଲା ।୧୧୬।

ସମୋଦ୍ର ମନ୍ଥନୁଂ ଜାତ ହୋଇଲା ପାରିଜାତକ ତରୁ

ସମସ୍ତେ ବୋଇଲେ ୟେହା ଇନ୍ଦ୍ର ଭୋଗକରୁ ।୧୧୭।

ଅନେକ ଦ୍ୱନ୍ଦକଲା ସେ ବାସବର ତୁଲେ

ପାରିଜାତକ ତରୁ ନେଲା ଭରିଯାର ବୋଲେ ।୧୧୮।

ସମସ୍ତେ ବୋଇଲେ ଆମ୍ଭ ବୋଲ ନ କଲା ସେ ୟେକା

ସେ ପାରିଜାତ ତରୁ ନେଇ ରୋପିଲା ଦ୍ୱାରିକା ।୧୧୯।

ଆରେ ଆରେ ସାତୁକୀ ତୁମ୍ଭେ ପରିସ୍ତିରୀ ହରିପାର

ୟେବେ ତୁମ୍ଭର ବେଳେ ସହିତ ନୁଆର ।୧୨୦।

ତୁମ୍ଭେ ପାରିଜାତକ ହରିଲ ଚିତ୍ରସେନ ହରିଲା ତୁମ୍ଭର କୁମାରୀ

ପାରିଜାତକ ପାଇଂ ଯେ ସଚଳା ପାଲଟା କୁମାରୀ ।୧୨୧।

ସାତୁକୀ ଅପମାନ ଈଶ୍ୱର ବଚନ ଶୁଣି

ନ ପୁଣ ଇନ୍ଦ୍ରକୁ ରକ୍ଷାକରି ନୁଆରଇ ଶୂଳପାଣି ।୧୨୨।

ଈଶ୍ୱର ବୋଇଲେ ତୁ କହ ବେଗେ ଯାଇଂ

ଆମ୍ଭର ତହିଂକି ସେ ଆଜି ଆସନ୍ତୁ ବେନିଭାଇ ।୧୨୩।

ମୁହିଂ ସମର କରିବି ବାସବର ପାଇଂ

ଆସନ୍ତୁ କି ନାହେ ସେ କେତେ ଦଣ୍ଡ ବାହି ।୧୨୪।

ସାତୁକୀ ବୋଇଲା ସ୍ୱାମୀ ତୁମ୍ଭେ କହୁଅଛ ୟେବେ

ରାମକୃଷ୍ଣ ଜିଣି ନୁଆରିଲ ବାଣସୁରର ପ୍ରସ୍ତାବେ ।୧୨୫।

ଈଶ୍ୱର କୋପକଲେ ସାତୁକୀର ବଚନେ

ଭୟେଣ ସାତୁକୀ ଚଳିଲା ପୁଷ୍ୟେକ ବିମାନେ ।୧୨୬।

ଈଶ୍ୱରେ ବୋଇଲେ କହ ଯାଇ କୃଷ୍ଣ ବଳେବର

ଇନ୍ଦ୍ରଦେବତା ପାଇଂ ସମର ହୋଇଲା ମୋହୋର ।୧୨୭।

ସାତୁକୀ ଅକ୍ରୂର ଚଳିଲେ ଅଭିମାନେ

ପ୍ରବେଶ ହୋଇଲେ ଯାଇ ଦ୍ୱାରାବତୀ ଭୁବନେ ।୧୨୮।

ଶ୍ରୀ ରାମକୃଷ୍ଣ ଯେ ପଚାରିଲେ ବାଣୀ

ସାତୁକୀ ବୋଇଲେ ଦେବ ଶୁଣିମା ଚକ୍ରପାଣି ।୧୨୯।

ସ୍ୱାମୀ ଅପାର ପ୍ରତଗ୍ୟାଂ ସେ କହିଲେ ବିଶ୍ୱନାଥେ

ବୋଇଲେ ଦଣ୍ଡ ଘେନି ଆସନ୍ତୁ ରାମକୃଷ୍ଣ ବେନିଭ୍ରାଥେ ।୧୩୦।

ବୋଇଲେ ୟେ ଘାନି ସେ ସମର କୁତୂହୋଳ ହୋଇବେ ସରୂପ

ସେ ଚିତ୍ରସେନ ଭାଞ୍ଜିଲା ରେ ତୁମ୍ଭର ହାଦେ ଦର୍ପ ।୧୩୧।

ଆରେ ୟେବେ କିମ୍ପେ ସେହି ନୁଆରିଲ ୟେକା କନ୍ୟାଗୋଟି

ବାଣସୁର ପୁରେ ମୋହୋର ତୁଲେ ସମର କଲାଟି ।୧୩୨।

ଈଶ୍ୱରେ ବୋଇଲେ ସେ ତୁମ୍ଭେ ଯେ ହରିଲେ କୁସୁମ ପାରିଜାତ

ତହିଂକି ପାଲଟି ହୋଇଲା ସେ ସଚଳା ଦୁହିତ ।୧୩୩।

ସ୍ୱାମୀ ସମସ୍ତ ଦେବତାୟେ ସଭାରେ ଛନ୍ତି ବସି

ଈଶ୍ୱର ବଚନେ ସମସ୍ତେହେଂ ନାକମଳି ହସି ।୧୩୪।

ଶୁଣିଣ କୋପାନଳ ଦେବ କାମପାଳେ

କୋପେ ବୁଲାଇଲେ ଦେବ ସଉଦନ ମୂଷଳେ ।୧୩୫।

ସାଜ ସାଜ ବୋଲି ଶୁଭିଲା ଗରୁଡ଼ାକ

ତ୍ରଇଲୋକ୍ୟ କମ୍ପିଲା ବଳଦେବଂକର ହାକ ।୧୩୬।

ଆହୋ ଚଇତନ ୟେମନ୍ତର ସମୟେ ଇନ୍ଦ୍ର ଯେ ଦେବତା

ସଭାୟେଣ ଉଭା ସେ ହୋଇଲେ ସୁରନାଥା ।୧୩୭।

ଇନ୍ଦ୍ର ଦେବତା ବୋଇଲେ ସ୍ୱାମୀ ଶୁଣିମା ଶୂଳଧାରୀ

ଅମର ନାଶଯିବେ ମୋର ବଳେବର କୋପେ କରି ।୧୩୮।

ସଚଳା କନ୍ୟାକୁ ଯିବଇଂ ମୁହିଂ ଘେନି

ଦ୍ୱାରିକାୟେ ରାମକୃଷ୍ଣ ଚରଣେ କରବି ଦୟିନି ।୧୩୯।

ଈଶ୍ୱର ବୋଇଲେ ଆହୋ ଶୁଣସି ସୁରପତି

ତ୍ରିଦଶ ଦେବତାୟେ ଆମ୍ଭେ ହୋଇଲୁଂ ତୋର କତି ।୧୪୦।

ବ୍ରହ୍ମା ପବନ ଚନ୍ଦ୍ର ସୂର୍ଯ୍ୟ କୁବେର

ଗ୍ରହଗଣ ନାର୍ଘାତ ଯେ ଯମ ବଇଶ୍ୱାନର ।୧୪୧।

ବରୁଣ ସହିତେ ସମସ୍ତ ମେଘମାଳ

ସମସ୍ତେ ସତ୍ୟକର ଆମ୍ଭେ ରଖିବା ଆଖଣ୍ଡଳ ।୧୪୨।

ସଭାୟେ ଆଗ୍ୟାଂ ଯହୁଂ ଦିଲେକ ଧୂର୍ଜଟି

ବଇଶ୍ୱାନରଂକ ବଚନ ଅବା କେ ପାରିବ ମେଣ୍ଟି ।୧୪୩।

ହୋଇଲୁଂ ୟେକତ୍ୱ ଆମ୍ଭେ ତ୍ରିଦଶ କୋଟି ଦେବା

ସମସ୍ତେ ହୋଇ ଆମ୍ଭେ ଅମର ରଖିବା ।୧୪୪।

ସମସ୍ତେ ଛୁଇଂଲେ ନିରଞ୍ଜନର ପାଦୁକା

କିସ କରିବ ସେ ହରି ବହୁତ ହୋଇ ବାସୁଦେବ ୟେକା ।୧୪୫।

ଦେବତାଂକ ପ୍ରତଗ୍ୟାଂ ଶୁଣିଣ ଆଖଣ୍ଡଳ

ସ୍ୱାମୀ ବେଦବର ଜିଣି ଟିକି କୃଷ୍ଣ କାମପାଳ ।୧୪୬।

ଯେବେ ପାରିବା ତେବେ କରିବା ସାଂଗ୍ରାମ

ଜିଣି ନୁଆରିଲେ ମୁହିଂ କରିବଇଂ ସାମ୍ୟ ।୧୪୭।

ବାସବର ବଚନେ ବୋଇଲେ ସୃଷ୍ଟି କରତା

ସମରେ ଆମ୍ଭନ୍ତ କେହି ନାହିଂନା ଜିଣନ୍ତା ।୧୪୮।

ସେ ଆମ୍ଭନ୍ତ ଜିଣି ନୂଆରିବେ ଆମ୍ଭେହେଂ ତାହାନ୍ତ ନୁଆରିବା ଜିଣି

ୟେ ଦୁଇବଳ ସମ ହୋଇବ ବୋଇଲେ କୁଶପାଣି ।୧୪୯।

ୟେକା ଜଣେକ ଅଛି ଦୁଇ ବଳର ଯେ ମଧ୍ୟେ

ସେ ଯାହା କତିକି ଯାଇ ସେ ଜିଣିପାରଇ ଯୁଦ୍ଧେ ।୧୫୦।

ପିତାକୁ ପୁଚ୍ଛାକଲେ ଯେ ଦେବ ବଜ୍ରପାଣି

ସେ କେବଣ ପୁରୁଷ କହ ମୁଂ ପାରିବି ଟିକି ଆଣି ।୧୫୧।

ସେ ରାମକୃଷ୍ଣ ଆମ୍ଭେଟି ତେତିଶ କୋଟି ଦେବଗଣେ

ୟେତେକ ଜିଣିମାକୁ କେ ସାମରଥ ୟେକାଜଣେ ।୧୫୨।

ତାହାର ମହିମା ସେ ଜୀବନହିଂ ଧନୀ ଧନୀ

ସାଧୁ ତାହାର ପିଅର ସାଧୁ ତାହାର ଜନନୀ ।୧୫୩।

ଧାତାୟେ ବୋଇଲେ ସେ ପାର୍ଥିବ ବଂଶେ ଜାତ

କୋଇନ୍ତାଂକର ନନ୍ଦନ ସେ ତୋହୋର ବୀର୍ଯ୍ୟେ ସଂମ୍ଭୁତ ।୧୫୪।

ନିର୍ବାତକପଚ ନିଶୋଧନ ଖାଣ୍ଡବ ବନ ଦହନ

ଅଗ୍ନିଦେବତାଂକର ଲୁଦୁବୁଦୁ ବ୍ୟାଧି ଛଡ଼ାଇଲା ଯେଉଂଣ ଅରଜୁନ ।୧୫୫।

ସଭାରେ ବାହାସ୍ଫୋଟ ଦେଇଣ ସୁରପତି

ୟେ ମୋହର ପୁତ୍ର ଥାଉଂ କାହାକୁ ମୋର ଭୀତି ।୧୫୬।

ସେ ମୋ ସଦପୁତ୍ର ଆଉ ଭୟ କି ମୋହୋର

ତ୍ରିଲୋକ ବିଦିତ ପୁତ୍ରଗୋଟି କୀର୍ତ୍ତିକର ।୧୫୭।

ଚଉରାଶି ବେଳ ମୋତେ ନିର୍ବାତକପଚ ଦିଲା ଧାଡ଼ି

ସତ୍ୟ ତ୍ରେତା ବେନିଯୁଗେ ନୋହିଲି ମୁଂ ତାକୁ ସରି ।୧୫୮।

ଅର୍ଜୁନ ଜାତ ହୋଇଲା ଆସି ଦ୍ୱାପର ଯୁଗେ

ନିର୍ବାତକପଚକୁ ବଧ କଲା ୟେ ମୋହୋର ରାଗେ ।୧୫୯।

ପୁଣିହିଂ ସେ ବଧକଲା ହରିଣକପଚ

ସେ ପୁତ୍ରର ପ୍ରସନ୍ନେ ମୁଂ ଅମରେ ସହସ୍ରାକ୍ଷ ।୧୬୦।

ମମ ଆତ୍ମା ଦେଇ ସେ ପୁତ୍ର ଜାତ କୟେ

ୟେଡ଼େ ଅପଚୟେ କିଂକେ ଛାଡ଼ିବ ଧନୁର୍ଜୟେ ।୧୬୧।

ଅନେକ ଅଳଂକାର ଯେ ଦେଇଣ ଦେବଇନ୍ଦ୍ର

ବୋଇଲା ମାତଳିକି ଘେନି ତୁମ୍ଭେ ଯାଅ ହୋ ନାରଦ ।୧୬୨।

ପାଣ୍ଡବେ ରହିଅଛନ୍ତି ଗୋକର୍ଣ୍ଣିକା ତୀର୍ଥେ

ଅର୍ଜୁନକୁ ଯାଇଂ ଘେନିଆସ ବହନ ବ୍ରହ୍ମସୁତେ ।୧୬୩।

ତୁମ୍ଭେ ବ୍ରହ୍ମା ସମାନେ ଅଟ ମହଋଷି

ତୁମ୍ଭନ୍ତ ମାତଳି ଦେଖିଲେ ଆସିବ ବହନ ମୋର ଶିଷି ।୧୬୪।

ଅନେକ ସାନନ୍ଦେ ସେ ଚଳନ୍ତି ମୁନିବର

ପୁଷ୍ୟେକ ରଥେ ବସି ମାତଳି ସଙ୍ଗତର ।୧୬୫।

ଆହୋ ଚନ୍ଦ୍ର ଦେବତାୟେ ଯେ ଆସ୍ତାନେ ବସିଥିଲେ

ଧାତିକାରେ ନିଶାୟେ ସେ ବାହାର ହୋଇଲେ ।୧୬୬।

ବିଚାରଇ ଶଶଧର ତାରାର ହରଣେ

ୟେକା ମୋତେ ରକ୍ଷାକଲେ ଦେବ ନାରାୟଣେ ।୧୬୭।

ତ୍ରିଦଶ ଦେବେ ଯେ ଆବୋରିଲେ ବୃହସ୍ପତି

ୟେକା ନାରାୟଣ ପ୍ରସାଦେ ମୁଂ ଜିଣିଲି ସବୁନ୍ତି ।୧୬୮।

ୟେତେକ ମନେ ବିଚାରି ସେ ଦେବ ଶଶଧର

ଧାତିକାରେ ପ୍ରବେଶ ଯାଇଂ ଦ୍ୱାରାବତୀ ପୁର ।୧୬୯।

ସମଦଣ୍ଡ ସଜ କରୁଅଛନ୍ତି ରାମକୃଷ୍ଣେ

ଚନ୍ଦ୍ରଦେବତା ପ୍ରବେଶ ହୋଇଲେ ନିକଟେ ।୧୭୦।

ଚନ୍ଦ୍ରଂକୁ ଦେଖି ପୁଚ୍ଛିଲେ ଦେବ ଜନାର୍ଦ୍ଦନ

ଦେବତାଂକ ଚରିତ କି ଦେଖିଲୁ ବିଧାନ ।୧୭୧।

ଚନ୍ଦ୍ର ଦେବତା କହିଲେ ବହୁତ ଦେବତାଂକର କଥା

ୟେକ କତିକେ ହୋଇଲେ ସମସ୍ତ ଦେବତା ।୧୭୨।

ନିଚୟେ ଗୋଳ ସମର ହୋଇବ ଦେବହରି

ଇନ୍ଦ୍ର ଦେବତାୟେ ସେ ବ୍ରହ୍ମାଂକୁ ପଚାରି ।୧୭୩।

ଆମ୍ଭର କତିକେ ହୋଇବେ ତ୍ରିଦଶ ଦେବେ

ଯଦୁବଂଶ ଘେନି କତିକେ ହୋଇବେ କୃଷ୍ଣ ବଳଦେବେ ।୧୭୪।

ଆମ୍ଭେ ଯେବେ ଜିଣି ପାରିବା ତାହାଂକୁ ସାଂଗ୍ରାମେ

ହାରିବା ବୋଇଲେ ମୁଂ କରିବଇଂ ହାଦେ ସାମ୍ୟେ ।୧୭୫।

ବ୍ରହ୍ମାୟେ ବୋଇଲେ ଓହୋବଳ ମଧ୍ୟେ ଅଛଇ ୟେକାଜଣେ

ସେ ଯାହା କତିକି ଯିବ ଜିଣିମ ସେହୁ ରଣେ ।୧୭୬।

ଆହୋ ଇନ୍ଦ୍ର ତୋହୋର ସେ ପୁତ୍ର ଯେ ବାସୁଦେବରେ ପୀରତି

ଅର୍ଜୁନ ଯାହାର କତିକି ଯାଇ ସେ ଜିଣିମ ସବୁନ୍ତି ।୧୭୭।

ପିତା ମୁଖୁଂ ୟେସନେକ ବଚନ ଶୁଣିଣ ଦେବଇନ୍ଦ୍ର

ଅର୍ଜୁନକଇଂ ଆଣିତେ ପଠାଇଲେ ମାତଳି ନାରଦ ।୧୭୮।

ପାଣ୍ଡବେ ଅଛନ୍ତି ଯେ ଗୋକର୍ଣ୍ଣିକା ବଇତରଣୀ ତୀର୍ଥେ

ନାରଦ ଚଳିଗଲେ ଆବର ମାତଳି ସହିତେ ।୧୭୯।

ଶୁଣିଣ ମନେ ହରଷ ହୋଇଲେ ବାସୁଦେବ

ପଦ୍ମନକଇଂ ରାଇ ଆଗ୍ୟାଂ ଦିଲେକ ମାଧବ ।୧୮୦।

ବାବୁ ପଦ୍ମନ ବହନ ହୋଇ ଯିବୁ ତୁ ଗୋକର୍ଣ୍ଣିକା ତୀର୍ଥକୁ

ପୁଷ୍ୟେକ ରଥେ ବସାଇ ଆଣିବୁ ତୁ ପାଥକୁ ।୧୮୧।

ସେ ମୋହୋର ପ୍ରାଣର ସଖା ଅଟଇ ଫାଲଗୁନି

ବେଗକରି ଦ୍ୱାରିକାକୁ ଆସ ତାକୁ ଘେନି ।୧୮୨।

ଗୋସିଂହ ବୋଲିକରି ଯେ ୟେକଇ ଅସୁର

ଭାଙ୍ଗିଣ ଭଗନସ୍ତ କଲାକ ମୋହୋର ପୁର ।୧୮୩।

ତାହାକୁ ଯୁଦ୍ଧେ ନାଶକଲା ବୀର ସର୍ବସାଚୀ

ବେଳେ ବେଳେ ଦ୍ୱାରିକା ମୋ ସେହୁ ରଖିଅଛି ।୧୮୪।

ୟେସନେକ ସମୟେ ମୋତେ ଛାଡ଼ିବ ଫାଲଗୁନି

ବହନ ପଦ୍ମନ ରେ ଆସ ତାକୁ ଘେନି ।୧୮୫।

ସ୍ୱାମୀର ଆଗ୍ୟାଂୟେ ସେ ମୀନ ଯେ କେତନ

ପାଣ୍ଡବଂକର କତିକି ସେ ଚଳଇ ବହନ ।୧୮୬।

ଉଡ଼ଇ ବିବାନ ତାର ଯେ ଆକାଶର ମାର୍ଗେ

ପ୍ରବେଶ କାମଦେବ ଯାଇ ବଇତରଣୀ ନଦୀ ପଛିମ ଭାଗେ ।୧୮୭।

ନାରଦେ ବିଜେକଲେ ଯାଇଂ ପାଣ୍ଡବଂକର କତି

ଦେଖିଣ ଉଠିଲେ ଯେ ବିଚିତ୍ରବୀର୍ଯ୍ୟର ନାତି ।୧୮୮।

ପାଦାଅର୍ଘ୍ୟ ଦେଇଣ ଯେ ପୂଜିଲେ ନାରଦଂକୁ

କୃଷ୍ଣାଜୀନ ଛାଲଗୋଟି ଦିଲେ ବସିବାକୁ ।୧୮୯।

ବସନ କୁଣ୍ଡଳ ରତ୍ନମାଳ ଦେଇ କଲେ ପାଦପୂଜା

ପ୍ରଣପତ୍ୟ ହୋଇଣ ଯେ ପୁଚ୍ଛନ୍ତି ଧର୍ମରାଜା ।୧୯୦।

ଯୁଝେଷ୍ଠି ଦେବେ ବୋଇଲେ ଆଜ ମୋର ଜୀବନ ସୁଫଳ

ତୁମ୍ଭନ୍ତ ଭେଟିଲି ଯେ ପବିତ୍ର ହେଲା ମୋର କୁଳ ।୧୯୧।

ପ୍ରତକ୍ଷେ ଦେବ ତୁମ୍ଭେ ଅଟ ଦୁତୀବ୍ରହ୍ମା

ଅଭୟେ ନିରାକାର ତୁ ପ୍ରତକ୍ଷେ ମହାତମା ।୧୯୨।

ନାରଦେ ବୋଇଲେ ବାବୁ ବ୍ରତିଅଛ ଟିକି ଭଲେ

ତପୀବଳ ରକ୍ଷାକଲୁ ନାଶିଲୁ ଅସୁରେ ।୧୯୩।

ଭୀମ ଅରଜୁନ ଯେ ନକୁଳ ସହଦେବ

ସେବା କରିଅଛନ୍ତି ନା ତୋତେ ଭଗତିର ଭାବ ।୧୯୪।

ଦାନବଂକର ଭୟ ନାହିଂନା ୟେ ପୃଥୀ

କ୍ଷମା ଦୟା ଧାର୍ମିକ ହୋଇ ଘେନିଥିବୁ ସେ ପ୍ରକୃତି ।୧୯୫।

ୟେ ବନବାସକୁ ବାବୁ ନ କରସି ତୁ କିଛି ଚିନ୍ତା

ୟେଥୁ ଅନନ୍ତରେ ପୁଣ ହୋଇବୁ ମହାରଥା ।୧୯୬।

ପଞ୍ଚୁକଟକ ୟେକାଙ୍ଗେ ହୋଇବ ପରାପତ

ତୁ ହୋ ମହାଧାର୍ମିକ ଜାଣିଅଛନା ସମସ୍ତ ।୧୯୭।

ଯୁଝେଷ୍ଠି ଦେବ ବୋଇଲେ କୁଶଳ ସର୍ବକଥା

ୟେ ବନବାସ ମୋତେ ପ୍ରାପତ ହୋଉ ଯେ ସର୍ବଥା ।୧୯୮।

ଦେଖ ମୋହୋର ତୁଲେ ଛନ୍ତି ଅଠାଶି ସହସ୍ର ଋଷି

ଅନୁବ୍ରତେ ଧର୍ମପୁରାଣ ଛାମୁରେ ମୋର ଭାଷି ।୧୯୯।

ଜନ୍ମର ସାର୍ଥୁକ ତୀର୍ଥ ଗୋଟିୟେ ଯେବେ କରି

ୟେକତୀର୍ଥର ଫଳଶ୍ରୁତି ଅଶ୍ୱମେଧ ଯାଗସାରି ।୨୦୦।

ୟେ ମହୀମଣ୍ଡଳେ ଯେତେକ ତୀର୍ଥମାନ ଅଛି

ପିତୃକାର୍ଯ୍ୟ କରିବି ମୁହିଂ ସକଳ ତୀର୍ଥ ବାଞ୍ଚି ।୨୦୧।

ନୋହୁ ନୋହୁ ରାଜ୍ୟପଦ ଅନୁବ୍ରତେ ଦ୍ୱନ୍ଦ

ଶୁଣିଣ ପ୍ରଶଂସା ଯେ କଲେକ ନାରଦ ।୨୦୨।

ଆହୋ ନାରଦ ଯୁଝେଷ୍ଠିର ଚରଣେ ପରିଣାମି

ଭଗତବତ୍ସଳ ଅବଧାରୀ ଦେବସ୍ୱାମୀ ।୨୦୪।

ପାୟେ ଯାଇଂ କାମଦେବ କରଇ ନିଉଛାଳି

ଝାଳେଣ ତ୍ରିପଣ୍ଡ ଯେ ଶରୀର ଭୂମିରଜ ଧୂଳି ।୨୦୫।

ମସ୍ତକେ ହାଥ ଦେଇଣ ଅନେକ ତୁସ୍ତି ବୋଲି

ସାଷ୍ଟାଙ୍ଗେ ପ୍ରଳମ୍ବିତ ଛାମୁରେ ଶୁତିଲା ଗଡ଼ଘାଲି ।୨୦୬।

ଯୁଝେଷ୍ଠି ଦେବେ ବୋଇଲେ ବାବୁ ଯାଅରେ ନକୁଳ

ବାଞ୍ଛା ସିଦ୍ଧହୋଉ ପଦ୍ମନକୁ ବେଗେ ତୋଳ ।୨୦୭।

ଧାତିକାରେ ନକୁଳ କୋଳାଗ୍ରତ କରି ତୋଳିଧରି

ବସ୍ରେ ବଦନ ପୋଛଇ ଶମ୍ବର ଅଇରି ।୨୦୮।

ଯୁଝେଷ୍ଠି ଦେବଂକ ଛାମୁରେ ପୁର ମେଣ୍ଟି

ମସ୍ତକେ ପଦ୍ମନ ଦେଇ ବେନି କରଗୋଟି ।୨୦୯।

ଅର୍ଜୁନ କୋଳକରି ବସାଇଲା ପଦ୍ମନକୁ

ମୁଖରେ ଚୁମ୍ବନ ଦେଇ ଆଶ୍ୱାସନା ତାକୁ ।୨୧୦।

ଯୁଝେଷ୍ଠି ବୋଇଲେ କ୍ଷମେ ଅଛି ନା ଦ୍ୱାରିକା

ଦଇତ ଦାନବଂକର ନାହିଂ ନା କିଛି ଶଂକା ।୨୧୧।

ଛାମୁରେ ପଦ୍ମନ କହିଲା ସମସ୍ତ କୁଶଳ ବୋଲି

ଠାକୁରଂକ ଆଗ୍ୟାଂରେ ମୁଂ ବହନ ଅଇଲି ।୨୧୨।

ଯୁଝେଷ୍ଠି ବୋଇଲେ ବାବୁ କେବଣଇ ଗୁଣ

ସ୍ୱାମୀ ଅରଜୁନ ଠାକୁରେ ଦ୍ୱାରିକା ଯିବେ ୟେହିକ୍ଷଣ ।୨୧୩।

ଯୁଝେଷ୍ଠି ଦେବେ ବୋଇଲେ ଯଦ୍ୟପି ଅଇଲେ ପଦ୍ମନ

ୟେହିକ୍ଷଣି ଦ୍ୱାରିକାକୁ ଯାଅ ରେ ଅର୍ଜୁନ ।୨୧୪।

ପଦ୍ମନକୁ ପଚାରିଲେ କେବଣ କାରଣ ତୁ ଜାଣୁଟି କିରେ ବାବୁ

ବଡ଼ କାର୍ଯ୍ୟହେଲେ ଆମ୍ଭେ ୟେହିକ୍ଷଣି ଯିବୁଂ ।୨୧୫।

ପଦ୍ମନ ବୋଇଲେ ଦେବ ଅର୍ଜୁନ ଠାକୁରଂକର ଗଲେ

ଜଗନ୍ନାଥେ କହିବେ ସିନା ଛାମୁରେ ଭେଟିଲେ ।୨୧୬।

ଯୁଝେଷ୍ଠି ଦେବେ ବୋଇଲେ ଶୁଣ ହୋ ସହଦେବ

କେଉଂଣ ନିମନ୍ତେ ଅର୍ଜୁନେ ନେମାକୁ ପେଷିଲେ ପଦ୍ମନକୁ , ବାସୁଦେବ ।୨୧୭।

ବାବୁ ଦଇତ ଦାନବଂକର ଆମ୍ଭେ ଅଟୁ ଯେ ବଇରି

ଆମ୍ଭନ୍ତ ହରିଣ୍ୟକପଚ ନେଲାଟି ଛଦ୍ରମ ରୂପଧରି ।୨୧୮।

ଦଇତେ ହୋଇ ପାରନ୍ତିଟି ପଦ୍ମନ ସରୂପ

ୟେହା ପରିଘାଇ ବୁଝି କହନି ରେ ବାପ ।୨୧୯।

ଆପଣା କରକୁ ଚାହିଂ ବୋଲଇ ସହଦେବ

ସ୍ୱାମୀ ବାସବ ବାସୁଦେବଂକର ହୋଇଛି ଅଭାବ ।୨୨୦।

ଜମ୍ବୁବତୀର ଦୁହିତା ସଚଳାବତୀ ନାରୀ

କାଲି ୟେତେବେଳେ ଚିତ୍ରସେନ ଗନ୍ଧର୍ବ ନେଲା ତାକୁ ହରି ।୨୨୧।

ତେଣୁକରି ଦଣ୍ଡ ସାଜୁଅଛନ୍ତି ଗୋବିନ୍ଦ

ତ୍ରିଦଶ ଦେବତାନ୍ତ ଘେନି ସମର ବରିବେ ଅସକନ୍ଦ ।୨୨୨।

ତହିଂର ନିମନ୍ତେ ଯେ ପଦ୍ମନକୁ ଦିଲେ ପଠିଆଇ

ସେ ନିମନ୍ତେ ଅଇଲା ପଦ୍ମନ ଅର୍ଜୁନ ଠାକୁରଂକୁ ନେଇ ।୨୨୩।

ନାରଦେ କରତାଳି ଦେଇ ବୋଇଲେ ଶୁଣ ହୋ ଯୁଝେଷ୍ଠିର

ୟେହି କଥାକୁ ଆମ୍ଭନ୍ତ ପଠିଆଇଲେ ପୁରନ୍ଦର ।୨୨୪।

ବାବୁ ଅନେକ ବିନୋୟୀ ହୋଇ କହିଅଛନ୍ତି ମଘବାନ

ନିର୍ବାତକପଚ ମାରି ଅମରେ ମୋତେ ଥାପିଲା ଅରଜୁନ ।୨୨୫।

ତାହାରେ ସିନା ଅଟଇ ଅମର ସ୍ୱର୍ଗପୁରୀ

ୟେ ସମୟେ ପୁତ୍ର କିଂକେ ଛାଡ଼ିବ ମୋହୋରି ।୨୨୬।

ମାତେଳିକି ଆମ୍ଭନ୍ତ ପଠିଆଇଲେ ସୁରନାଥେ

ବହନ ଯିବା ଧନୁର୍ଜୟେ ବିଜେକର ପୁଷ୍ୟେକ ଯେ ରଥେ ।୨୨୭।

ପଦ୍ମନ ବୋଇଲା ସ୍ୱାମୀ ଦ୍ୱାରାବତୀ ଭୁବନ

ଗୋସିଂହ ଦଇତ ଯେ କଲା ନିଶୋଧନ ।୨୨୮।

ସାତବଂଶ ଯାଦବ ସବୁନ୍ତିହିଂ ମାରି

ସତ୍ୟଭାମା ଦେବୀଂକ ସେ ନେଉଥିଲା ଧରି ।୨୨୯।

ନିଅନ୍ତେ ଅର୍ଜୁନକଇଂ ଦେଖିଲେ ସତ୍ୟଭାମା

ଅର୍ଜୁନ ରଖବୋଲି ଡାକଇ ଜଗନ୍ନାଥଂକର ବାମା ।୨୩୦।

ବାଷଠୀ କ୍ଷଉଣୀ ସନ୍ୟବଳ ଘେନି ଗୋସିଂହ ଯାଉଥିଲା

ପହରକ ମଧ୍ୟେ ତାହା ଅର୍ଜୁନ ନାଶକଲା ।୨୩୧।

ଅସୁର ବଳ ନିଶୋଧନ କରି ଆଣିଲା ଶକ୍ରାବତୀ

ଜୀବନ୍ୟାସ ଶରେ ଯାଦବନ୍ତ ଜୀଆଇଂଲେ ସବୁନ୍ତି ।୨୩୨।

ତେତେ ବଡ଼ ଆପଦ ସେ ୟେହାରେ ମେଣ୍ଟି

ୟେହେର୍ଣ୍ଣେକ ସମୟେ କି ଆମ୍ଭନ୍ତ ଛାଡ଼ିବ କିରଟି ।୨୩୩।

ୟେମନ୍ତ ବୋଲି ପେଷିଲେ ଯେ ଜଗନ୍ନାଥ ଦେବ ସ୍ୱାମୀ

ସ୍ୱାମୀ ଚାଲ ବୋଲି ଅର୍ଜୁନକୁ ପଦ୍ମନ ପରିଣାମି ।୨୩୪।

ଯୁଝେଷ୍ଠି ଦେବେ ହୋଇଲେ ଆଶ୍ରିଜ ତାହା ଶୁଣି

ଓହୋସଂକଟେ ବାବୁ ୟେବେ ହୋଇଲା ଫାଲଗୁନି ।୨୩୫।

ବାବୁ ବହୁତ କଷ୍ଠୋରେ ପିତା ପୁତ୍ରଜାତ କୟେ

ବଂଶକୁ କାରଣ କରଇ ଯେବେ ସୁଲକ୍ଷଣ ଉପୁଜାୟେ ।୨୩୬।

ଅପାଠକ ଅପାବନ ପୁତ୍ର ସେ ଜାତ କଲେ

ତାହାକୁ କେ ଆଶ କରିବେ ଯୁଝେଷ୍ଠି ଦେବେ ବୋଇଲେ ।୨୩୭।

ବାବୁ ଭଗୀରଥ ବୋଲି ପୁତ୍ରେକ ସୂର୍ଯ୍ୟବଂଶେ ଉତପତ୍ତି

ଆକାଶୁଂ ଗଙ୍ଗା ଆଣି ଷାଠିୟେ ସହସ୍ର ପିତୃଲୋକନ୍ତ କଲାକ ମୁକତି ।୨୩୮।

ତୋତେ ଜାତ କଲେ ଦେବ ଅସକନ୍ଦ

ଶତ୍ରୁ ନାଶକରି ଅମରକୁ କଲୁ ଯେ ଆନନ୍ଦ ।୨୩୯।

ବାବୁ ଧର୍ମ ଉଦୟ ହୋଇଲେ ହୋଅଇ ୟେମନ୍ତ

ତୁହୋ ମହାପଣ୍ଡିତ ବିଚାରୁ କେମନ୍ତ ।୨୪୦।

ବାବୁ ଅର୍ଜୁନ , ଯେବେ ତୁ ପିତା ପୁରକଇଂ ଯିବୁ

ଯାବତ କାଳେ ତୁ ଜଗନ୍ନାଥଂକୁ ନ ପାଇବୁ ।୨୪୧।

ବାବୁ ହରି ଅର୍ଜୁନ ଯେ ସଂସାରେ ବୋଲନ୍ତି ୟେକଆତ୍ମା

ତୋହୋର ବାହାକୁ ସେ ଆଶ କରନ୍ତି ମହାତମା ।୨୪୨।

ବାବୁ ଜରାସନ୍ଧ ବଧକଲା ଯେତେବେଳେ

ଭୀମସେନ ମାଇଲା ସମର କୁତୂହୋଳେ ।୨୪୩।

ବାହୁ ଆବର ବିଶେଷେ ଯେ ଅଇଲା ପଦ୍ମନ

ଦୁସହ ସଂକଟରେ ପଡ଼ିଲା ଅରଜୁନ ।୨୪୪।

ବାବୁ କ୍ଷତ୍ରୀଂକର ଧର୍ମରେ ସୋହୋଦ୍ରେ ନୋହୋନ୍ତି କିଛି

ଅଭ୍ୟାଗତେ ପୀରତି ଦୁଖୀଜନେ ଶରଣ ରଖି ।୨୪୫।

ତୁ ଯେବେ ବାବୁରେ ବାସୁଦେବର ତହିଂକି ଯାଉ

ଯାବତ କାଳରେ ପିତା ଇନ୍ଦ୍ରଦେବତାକୁ ନ ପାଉ ।୨୪୬।

ଭୀମସେନ ବୋଇଲା ଦେବ ମୋହୋର ବୁଦ୍ଧିୟେକ ଅଛି

କାହାର ତହିଂକି ୟେ ନ ଯାଉ ସର୍ବସାଚୀ ।୨୪୭।

ନକୁଳ ବୋଇଲା ୟେ ନୋହଇ କିଛି ଧର୍ମ

କ୍ଷତ୍ରୀକୁଳକୁ ନ ଯୋଗାଇ ୟେହେର୍ଣ୍ଣେକ କର୍ମ ।୨୪୮।

ବରିଲେ ନିମନ୍ତ୍ରିଲେ ଯିବାକ ଅବଶ୍ୟ

ନ ଗଲେ କ୍ଷତ୍ରୀପଣ ଦୂଷଣ ଧର୍ମ ହୋୟେ ନାଶ ।୨୪୯।

ଅର୍ଜୁନ ବୋଇଲେ ନାରଦଂକ ମୁଖ ଚାହିଂ

ୟେଡ଼େଜଣ ଚିତ୍ରସେନ ଗ୍ୟାନ ତାହାର ନାହିଂ ।୨୫୦।

ତାହାରେ ଯେବେ ଗୋବିନ୍ଦର ଦୁହିତାକୁ ଇଚ୍ଛା

ଆମ୍ଭନ୍ତ ରାଇ କିମ୍ପା ନ କଲାକ ଇଚ୍ଛା ।୨୫୧।

ଗୋବିନ୍ଦେ ନ କରନ୍ତେ କି ଆମ୍ଭର ବଚନ

ଭାବେଣ ସଚଳା କନ୍ୟାକୁ ଆମ୍ଭେ କରନ୍ତୁ ପ୍ରଦାନ ।୨୫୨।

ଇନ୍ଦ୍ର ଗୋବିନ୍ଦଂକର ଯୋଗାନ୍ତ ବନ୍ଧୁପଣ

କାର୍ଯ୍ୟ ସୁବିଧାନ ହୋଅନ୍ତା ରହିଥାନ୍ତା ବଡ଼ପଣ ।୨୫୩।

ବଳାତକାରେ ହରିଲା ସେ ଜଗନ୍ନାଥଂକର ଦୁହିତ

ଅମର ସମ୍ପଦ ନାଶକଲା ଯେ ଚିତ୍ରରଥ ।୨୫୪।

ଅନୀତି କଥା ୟେହା ସହିତେ କି ପାରି

କେଉଂଣ ଗାଢ଼ପଣେ ହରିଲା ସେ ଗୋବିନ୍ଦଂକ କୁମାରୀ ।୨୫୫।

ଚିତ୍ରସେନ ବୁଝିଲା ମତ୍ତଗର୍ବପଣେ

ଇନ୍ଦ୍ର କିଂପା ଦ୍ୱନ୍ଦଚିନ୍ତା କଲା ଅକାରଣେ ।୨୫୬।

ମୁହିଂ ତୁମ୍ଭନ୍ତ ପ୍ରଣପତ୍ୟ କରଇଂ ନାରଦେ

ସଚଳା କନ୍ୟାକଇଂ ଘେନି ଦ୍ୱାରକାକୁ ଯାଆନ୍ତୁ ଦେବଇନ୍ଦ୍ରେ ।୨୫୭।

ଯେମନ୍ତେ ପାର ତୁମ୍ଭେ କର ୟେ କଥାର ସନ୍ଧି

ନୋହିଲେଣ ନାଶ ଯିବେଟି ପିତା ଜମ୍ବୋଭେଦୀ ।୨୫୮।

ନାରଦେ ବୋଇଲେ ସେ ଦେବ ଯେ ମୁରାରି

ସେ ଯେ କନ୍ୟାମାନନ୍ତ ନେଉଥାଇ ହରି ।୨୫୯।

ଅର୍ଜୁନେ ବୋଇଲେ ସେ ସମରେ ସାମରଥା

ମାରନ୍ତି ଦୁରାନ୍ତେକ ସେ ହରନ୍ତି ଦୁହିତା ।୨୬୦।

ରାମକୃଷ୍ଣ କୋପକୁ ତ୍ରଇଲୋକ୍ୟେ କେ ସରି

ହଳମୂଷଳେ କପିଳାସ ଧଇଲେ ଉପାଡ଼ି ।୨୬୧।

ଯଦ୍ୟପି ସହସ୍ର ଗୁଣେ ମାନ୍ୟ ହୋଇବେ ମୋର ପିତା

କ୍ଷଣକେ ନ ସହଇ ମୁଂ କୁଷ୍ଣରେ ଅଭିଗତା ।୨୬୨।

ହରିଂକ ଯେ ନିନ୍ଦା କରଇ ଯେହୁ ଆଗେ

ଅବଶ୍ୟ ତାହାକଇଂ ନାଶଇ ମୁଂ ବଇରାଗେ ।୨୬୩।

ଯେବେ ମୋତେ ଆଗ୍ୟାଂ ଦେଇଥାନ୍ତେ ନାରାୟଣ

ବାସବ ଦେବତାଂକୁ ଧରି ଆଣନ୍ତି ୟେହିକ୍ଷଣ ।୨୬୪।

ଆଗ୍ୟାଂ ଯେବେ ଦେଇଥାନ୍ତେ ଜଗନ୍ନାଥ ସ୍ୱାମୀ

ୟେକା ନାରାଜକେ ଛିନ୍ନଇ ପକାଇ ପାରଇ ଅମର ଭୂମି ।୨୬୫।

ନାରଦେ ବୋଇଲେ ଇନ୍ଦ୍ର ନୋହଇ ଯେ ୟେକା

ବ୍ରହ୍ମା ରୁଦ୍ର ଯମ ବରୁଣ କୁବେର ଆଦିକରି ଭାଙ୍ଗିବେ ଦ୍ୱାରିକା ।୨୬୬।

ଅର୍ଜୁନ ବୋଇଲେ ନ କହି ଆପଣାର ପ୍ରଶଂସା

କେବଳ ଜଗନ୍ନାଥଂକର ଆଗ୍ୟାଂ ମୋହୋର ୟେକାହିଂ ଭରସା ।୨୬୭।

ବ୍ରହ୍ମା ରୁଦ୍ର ଇନ୍ଦ୍ର ଯମ ବରୁଣ କୁବେର ଆଦିକରି

ୟେକା ନାରାଜେକ ମୁଂ ସମସ୍ତ ପାରଇ ସଂହାରି ।୨୬୮।

ୟେ ମୋହୋର ପ୍ରତଗ୍ୟାଂ ଯେ ଅଟଇ ସର୍ବସିଦ୍ଧି

ନିଚେ ଚିତ୍ରସେନରେ ନାଶଗଲା ଅମର ସମ୍ପ୍ରଧି ।୨୬୯।

ମାତଳି ବୋଇଲା ବାବୁ ୟେତ ଦୁସହ ସନ୍ଦେହ

ଇନ୍ଦ୍ର ଦେବତାୟେ କିମ୍ପେ ହୋଇଲୁ ୟେତେକ ନିମୋହ ।୨୭୦।

ବୋଲଇ ଫାଲଗୁନି ତୁମ୍ଭନ୍ତ ମୋହୋର ଦଇନି

ଯେମନ୍ତେ ପାର ପ୍ରୀତିକର ତୁମ୍ଭେ ଇନ୍ଦ୍ର ଗୋବିନ୍ଦ ହାଦେ ବେନି ।୨୭୧।

ଇଶ୍ୱରଂକ ବଚନେ ପିତା ମୋର ନୋହନ୍ତୁ ବାଈ

ନିୟତ ବେଳକୁ ସମରେ ନ ଥିବେ ଶୂଳସାଇଂ ।୨୭୨।

ବିଚାରିଲେ କାଳେ ଶ୍ରୀହରି ଈଶ୍ୱର ୟେକଆତ୍ମା

ମଧ୍ୟେ ପଡ଼ି ନାଶ ଯିବେଟି ପିତା ମୋହୋର ଇନ୍ଦ୍ର ମହାତମା ।୨୭୩।

ନାରଦ ବୋଇଲେ ତୋର ୟେ କଥା ଅଟଇ ସତ୍ୟ

ୟେକଆତ୍ମା ତୁମ୍ଭେ ଦୁହେଂ ଅଟ କୃଷ୍ଣ ପାଥ ।୨୭୪।

ୟେତେ ବୋଲି ନାରଦେ ଆରୋହିଲେ ମନପବନ ଦଣ୍ଡ

ମାତଳିକଇଂ ଘେନି ବିଜୟେ ଅମର ସ୍ୱର୍ଗଖଣ୍ଡ ।୨୭୫।

ବିଜୟେ ମଘବାନ ଅମର ଆସ୍ତାନେ

ଯେ ଯାହାର ଦଣ୍ଡ ସାଜି ଆସନ୍ତି ସମସ୍ତେ

ନାରଦେ ବିଜେକଲେ ଯାଇ ଅମର ପ୍ରଶସ୍ତେ ।୨୭୭।

ଇନ୍ଦ୍ର ଦେବତାୟେ ଯେ ଅଛନ୍ତି ବାଟ ଚାହିଂ

ତୁମ୍ଭେ ନ ଅଇଲି ମୁନି ହେ ଅର୍ଜୁନ ମୋର କାହିଂ ।୨୭୮।

ନାରଦେ ବୋଇଲେ ତୋତେ ଛାଡ଼ିଲା ଫାଲଗୁନି

ପଦ୍ମନ ଆସିଣ ଅର୍ଜୁନକୁ ଦ୍ୱାରିକା ଗଲା ଘେନି ।୨୭୯।

ନାରଦଂକ ମୁଖୁଂ ୟେସନେକ ବାକ୍ୟ ଶୁଣି

ମୃଚ୍ଛାଗତ ହୋଇଣ ପଡ଼ିଲା ବଜ୍ରପାଣି ।୨୮୦।

ସଞ୍ଚୟେ ଆପାଦ ଆସି ପଡ଼ିଲାକ ମୋତେ

ଭୋ ଈଶ୍ୱର ରାମକୃଷ୍ଣକଇଂ ଆଉ ଜିଣିବା କେମନ୍ତେ ।୨୮୧।

ଦେବତାମାନନ୍ତ ବସାଇ ବୋଇଲେ ସସ୍ରଯୋନି

ମୋତୋ ଆଗ୍ୟାଂ ଦେବା ମୁଂ ସଚଳାକଇଂ ଯାଇ ଘେନି ।୨୮୨।

ରାମକୃଷ୍ଣ ଚରଣେ ମୁଂ ପଶିବଇଂ ଶରଣ

ଜାଣି ଅନୁଗ୍ରହ ମୋତେ କରିବେ କାହ୍ନୁ ସଂକ୍ରିଷେଣ ।୨୮୩।

ଇନ୍ଦ୍ରଦେବତା ବିକଳେ ଈଶ୍ୱରେ ବୋଇଲେ

ଆବର ସନ୍ଧି ହୋଅଇ କି ବିକଳ ହୋଇଲେ ।୨୮୪।

ମାନବେ ଜାତ ସେ ପାଣ୍ଡବ ଅରଜୁନ

ମୁହିଂ ତାହାକଇଂ ସମରେ କରିବି ନିଶୋଧନ ।୨୮୫।

ରାମକୃଷ୍ଣ ସହିତେ ମୁଂ ୟେକାୟେ ଜିଣିମି

ଚିତ୍ରସେନକଇଂ ଇନ୍ଦ୍ରପଦ ଦ୍ୱାରିକାୟେ ଦେମି ।୨୮୬।

ବୋଲଇ ମଘବାନ ଶୁଣ ତୁ ଈଶ୍ୱର

ଅର୍ଜୁନ ମହିଂମା କିମ୍ପେ ପାସୋର ଗଲା ତୁମ୍ଭରି ମନର ।୨୮୭।

ଯେତେକ ଅବସ୍ତା ତୁମ୍ଭଂକୁ ଦେଇଥିଲା

ସେ କଥାମାନ କି ତୁମ୍ଭ ମନରୁ ପାସୋର ଗଲା ।୨୮୮।

ଅନ୍ଧକନାଶନ ଶର ମୟେଂଷାବଧ ଅକ୍ଷୟ ତ୍ରୋଣ

ଶରତ୍ରୋଣ ବେନି ଦେଇ ତାରେ ପଶିଲ ଶରଣ ।୨୮୯।

ଈଶ୍ୱର କହିଲେ ୟେ କଥା ଅଟଇ ଯେ ସତ୍ୟ

ଭୋଳରେ ଭୋଳାନାଥ ଆମ୍ଭେ ଅଟୁଂ ହେ ଯୁଗତ ।୨୯୦।

ସେ କଥାମାନ ଛାଡ଼ି ୟେବେ ମେଳି ହେଲୁଂ

ନିଚୟେ ଅର୍ଜୁନକୁ ସମରେ ନାଶିବୁ ବୋଇଲୁ ।୨୯୧।

ଅପାର ପ୍ରତଗ୍ୟାଂ ଯହୁଂ କହିଲେ ଦେବରାଜ

ସମସ୍ତ ବିବୁଧେ ତୁମ୍ଭେ ଦଣ୍ଡ ବେଗେ ସାଜ ।୨୯୨।

ଶୁଣ ହୋ ଚଇତନ ଯୁଝେଷ୍ଠି ଋଷିମାନନ୍ତ ସମସ୍ତ ରୁହାଇ

ଦ୍ରୋପତୀଂକୁ ସମର୍ପିଲେ ମାର୍କଣ୍ଡଂକ ତହିଂ ।୨୯୩।

ତୁମ୍ଭେ ରହିଥାଅ ୟେହି ଗୋକର୍ଣ୍ଣିକା ତୀର୍ଥେ

ଇନ୍ଦ୍ର ଗୋବିନ୍ଦ ସନ୍ଧିକରି ଆସିବା ପରିଯନ୍ତେ ।୨୯୪।

ନକୁଳକୁ ବୋଇଲେ ବାବୁ ତୁ ରହିଥାଅ ୟେଥି

ଋଷିମାନନ୍ତ କନ୍ଦମୂଳ ଦେଉଥିବୁ ନିତ୍ୟାପ୍ରତି ।୨୯୫।

ଯୁଝେଷ୍ଠି ଭୀମ ଅରଜୁନ ସହଦେବ

ପ୍ରଦ୍ୟୁମ୍ନ ତୁଲେ ବାହାର ଚାରି ଯେ ପାଣ୍ଡବ ।୨୯୬।

ୟେଥୁ ଅନନ୍ତରେ ଦ୍ୱାରିକାଉଂ ବାହାର ଯଦୁବଂଶ ଥାଠ

ଚଳନ୍ତି ସଇନି ଯେ ସରସ୍ୱତୀ ନଦୀର ତଟ ।୨୯୭।

ଗୋବିନ୍ଦେ ବିଜେ କରିଛନ୍ତି ତୁଙ୍ଗଗିରି ପର୍ବତେ

ପାଣ୍ଡବେ ପ୍ରବେଶ ତହିଂ ହୋଇଲେ ସମସ୍ତେ ।୨୯୮।

ବଳଦେବ ବୋଇଲେ ହରି ଆକାଶୁଂ ଆସଇ ୟେକ ବିମାନେ

ପ୍ରଦ୍ୟୁମ୍ନ ବିଳମ୍ବେ କାର୍ଯ୍ୟ ହୋଇଲା ସୁବିଧାନେ ।୨୯୯।

ପଥ ଉପନେସନ୍ତି ରାମକୃଷ୍ଣ ବେନିଭ୍ରାଥ

ଅନ୍ତରୀଚ୍ଛ ମାର୍ଗେ ଦିଶିଲା ପୁଷ୍ୟେକ ରଥ ।୩୦୦।

ରଥରୁ ଓହ୍ଲାଇ ଯେ ପାଣ୍ଡବ ଜଣ ଚାରି

ଯୁଝେଷ୍ଠିଂକି ଦେଖି ନାରାୟଣ ପର୍ବତୁଂ ଉତୁରି ।୩୦୧।

କୃଷ୍ଣ ପ୍ରଣପତ୍ୟ କଲେ ଯୁଝେଷ୍ଠି ଦେବଂକ ପଦ୍ମପାଦେ

ୟେ ବିପୁଳ ଭୋଗ ହାଦେ ତୁମ୍ଭରି ପରସାଦେ ।୩୦୨।

ଗୋସିଂହ ବଧକରି ଯେ ରଖିଲ ଦ୍ୱାରିକା

ଜାରାସନ୍ଧକୁ ନିବାରି ଆମ୍ଭନ୍ତ କଲ ନିଶଂକା ।୩୦୩।

ୟେବେ ଶୁଣ ସ୍ୱାମୀ ତୁମ୍ଭ ଭାଇର ଚରିତ

ବଳତ୍କାରେ ଦୁହିତାକୁ ମୋର ହରିଲା ଚିତ୍ରରଥ ।୩୦୪।

ତହିଂର ନିମନ୍ତେ ଦେବେ ଆସନ୍ତି ପରିଘାଇ

ତେତିଶ କୋଟି ଦେବତା ୟେକମେଳ ହୋଇ ।୩୦୫।

ଯୁଝେଷ୍ଠି ଦେବେ ତହିଂ ବଚନ ପରକାଶି

ତୁହି ଦେବ ବିଦାରଣ କଲୁ କଂସ କେଶୀ ।୩୦୬।

ଆମ୍ଭେ ପାଞ୍ଚ ସହୋଦ୍ର ତବ ଆଗ୍ୟାଂୟେ ବ୍ରତି

ସଂସାରେ ଧବଳିଲା ହରି ଅର୍ଜୁନର କୀରତି ।୩୦୭।

ନାରଦେ ଯେତେ ବାଗେ କହିଲେ ବଚନ

ସର୍ବଥା ପିତାକୁ ହରି ଛାଡ଼ିଲା ଅରଜୁନ ।୩୦୮।

ଗୋବିନ୍ଦେ ବୋଇଲେ କୋଟିୟେ ଈଶ୍ୱର କୋଟିୟେ ବ୍ରହ୍ମା

ଆଜ ସମରେ ବୁଝିବା ସମସ୍ତ ଦେବତାଂକ ଗାରିମା ।୩୦୯।

ଆଗିଆଣି ଥାଟେ ଚଳିଲା ଭୀମସେନ

ସାତବଂଶ ସଇନ ଘେନି ରହିଲା ଆବୋରିଣ ।୩୧୦।

ଚଉଦ ଲକ୍ଷ ଯେ ଯାଦବ ବଳ ସଙ୍ଗେ ଘେନି

ଉଗ୍ରସେନ ରାଜା ଚଳାଇଲା ସଇନି ।୩୧୧।

ଚଉଷଠୀ ଲକ୍ଷ ତୁଲେ ଭୋଜବଂଶ ବଳ

କୃତବର୍ମାୟେ ଅଟନ୍ତି ଭୋଜବଂଶ ମହୀପାଳ ।୩୧୨।

ଉଗ୍ରସେନ ରାଜା ଯହିଂ ଚଳାୟେ ସଇନି

ଯଦୁ ଭୋଜବଂଶ ସଇନି କେ ପାରଇ ଗଣି ।୩୧୩।

କୃଷ୍ଣବଂଶେ ରାଜା ଯେ ବସୁଦେବ ମହୀପତି

ଛପନ କୋଟି ଯାଦବ ତୁଲେ ମହାରଥୀ ।୩୧୪।

ହରିହର ବଂଶେ ରାଜା ଉଦ୍ଧବ ୟେ ମହାବୀର

ପନ୍ଦର ଲକ୍ଷ ମୁକୁଟବନ୍ଧା ଯୋଦ୍ଧା ତାହାର ସଙ୍ଗର ।୩୧୫।

ଅନ୍ଧକ ବଂଶ ଅଟନ୍ତି ନନ୍ଦରାଜା

ନବକୋଟି ଯୋଦ୍ଧା ଘେନିଣ ଚଳେ ମହାତେଜା ।୩୧୬।

ଚୁହାଣ ବଂଶେ ଯେ ନୃପତି ପ୍ରସେନଜିତ

ତା ତୁଲେ ମୁକୁଟବନ୍ଧା ଯୋଦ୍ଧା ଅଶି ଅଇବ୍ରତ ।୩୧୭।

ତୁଲେ ଅନେକ ଯେ ସଇନ ବଳ ସାଜି

ଦୁତୀ ସମୁଦ୍ର ଜାଣି ବଳ ଗଳଗାଜି ।୩୧୮।

କୁକୁର ବଂଶ ରାଜା ସାତୁକୀ ମହାମଲ୍ଲ

ଅନେକ ସଇନି ତାର ଯୋଦ୍ଧା ଅଚାର୍ଗଳ ।୩୧୯।

ୟେସନକ ସାତବଂଶର ସଇନି ସ୍ନେହା ଯହୁଂ

ଦେଖିଣ ବୋନିଭାଇଂକର ହରଷ ମନ ତହୁଂ ।୩୨୦।

ବଳରାମ ବିଜେକଲେ ତାଳଧ୍ୱଜ ରଥେ

ନନ୍ଦିଘୋଷ ରଥେ ବିଜୟେ ବୀରବର ପାଥେ ।୩୨୧।

ଜଗନ୍ନାଥେ ବିଜେକଲେ ବଇନେତ୍ରର ପିଠି

ମହାଘୋର ବନମାତି ଚଳନ୍ତି ବୃଷ୍ଣ ବଂଶ ଥାଠଗୋଟି ।୩୨୨।

ବିହଡ଼ନ୍ତି ଯାଦବଂକ ଅନେକ ସମର ସଇନି

ଆକାଶ ଉଛୁଳୁଅଛି ବିଜୟଘୋଷ ଧୁନି ।୩୨୩।

ଶ୍ୱେତହାଥୀ ଉପରେ ବିଜୟେ ଧର୍ମସୁତ

ଭୀମସେନ ଆରୋହିଲା କାଳେବର ନାମେ ରଥ ।୩୨୪।

ଅଶ୍ୱେକ ଆରୋହିଲା ଯେ ସହଦେବର ମହାମନ୍ତ୍ରୀ

ମନ୍ଦର ପର୍ବତକୁ ବୋଲି ଥାଠ ଚଳାବନ୍ତି ।୩୨୫।

ଅନେକ ପ୍ରତଗ୍ୟାଂ ଯେ ନ ଯାଇ କହଣା

ଦୁରାପଦ ମହା ପ୍ରତଗ୍ୟାଂ ଯେ କଲେକ ସଂକ୍ରିଷେଣା ।୩୨୬।

ବାଜଇ ବିଜିଘୋଷ ଟମକ ନିଷାଣ ମହୁରୀ

ଭୟେଣ ବନଚରେ ପଳାନ୍ତି ଦୂରୁଂ ପୁରସରି ।୩୨୭।

ଚଳନ୍ତି କନ୍ଦରେ ମାଡ଼ି ଯେ ସାହେର ଉଛୁଳି

କୋପେଣ ବଳରାମେ କମ୍ପାନ୍ତି ଆକାଶେ ମଉଳି ।୩୨୮।

ବଳରାମ କୋପନ୍ତେଣ କମ୍ପଇ ସପତ ବ୍ରହ୍ମାଣ୍ଡ

ପଳାବନ୍ତି ଧର୍ମ ପୁରୁଷେ ନ ରହଇ ଯମଦଣ୍ଡ ।୩୨୯।

ତାଳଧଜ ରଥେ ଲକ୍ଷେ ଶାର୍ଦ୍ଦୂଳଂକୁ ଯୋଚି

ସଉନନ୍ଦ ମୂଷଳ ସମର୍ଥକ ହଳ ଯାହାର ଭୁଜେ ଅଛି ।୩୩୦।

ଆକ୍ରେଷଣ ମୃତ୍ତି ନୀଳାମ୍ବର ଲୋହିତବର୍ଣ୍ଣ ଯାହାର ଶିରରେ ସପ୍ତଫେଣୀ

ଶଙ୍ଖ ଗୋକ୍ଷୀର ଶୁଦ୍ଧ ସଷ୍ଟିକ ବର୍ଣ୍ଣ ଜାଣି ।୩୩୧।

ଷୋଢଳ ନୟନ ଯାହାର ବିକାଶଇ ମଉଳି

ପ୍ରଳୟ ପୟୋଧର ବିକଶିତ ଦେବହଳୀ ।୩୩୨।

ପରମ ବ୍ରହ୍ମ ନିରଞ୍ଜନ ସ୍ୱାମୀ ଯାହାର ନାମଗୋଟି

ହଳମୁନେ ଛତ୍ରାକାରେ ଧରନ୍ତା ଯେ ସୃଷ୍ଟି ।୩୩୩।

ମେରୁ ତୁଲ୍ୟ ଜାଣି ଯାହାର ଶିରେ ସପ୍ତଫେଣୀ

ସପତ ବ୍ରହ୍ମାଣ୍ଡକୁ ନାଥ ତୁହି ସେ ଧାରେଣି ।୩୩୪।

କାହୁଂ ଉତପତ୍ତି ନାଥ କିସ ତୋହୋର ନାମ

ଶୂନ୍ୟେଣ ଶବଦ ଶୁଭଇ ନାମ ବଳରାମ ।୩୩୫।

ଗୋଗୋଷ୍ଠି ବିକାଶ ଦେବ ହୋଇଲୁ ଅଦଭୂତେ

କାହୁଂ ଉପୁଜିଲୁ ନାଥ କେହି ନ ଜାଣନ୍ତି ତୋତେ ।୩୩୬।

ଅଣାକାର ପୁରୁଷ ସ୍ୱାମୀ ଆକାର ତୋର ନାହିଂ

ଶୂନ୍ୟକୁ ତୁସ୍ତି କିସ ଭୋ ଦେବ କରିବଇଂ ମୁହିଂ ।୩୩୭।

ସତ୍ୟଶୀଳ ପୁରୁଷ କଇଛା ଜଗଜ୍ଜେଠୀ

କିଞ୍ଚିତ ବାକ୍ୟେ ଯାହାର ନାମ ବ୍ରହ୍ମାଣ୍ଡେଣ ଘୋଟି ।୩୩୮।

ମେରୁ ହିମବନ୍ତ ଉଦୟଗିରି ମଳୟା

ୟେ ଚଉଶିଖା ସ୍ୱାମୀ ତୋହୋର ନିଜ କାୟା ।୩୩୯।

ସ୍ୱାମୀ କୋଟି ସିଂଘାର ଯାହାର ପରାକ୍ରମ

ଶ୍ରୀଭୁଜେ ବଜ୍ର ଲାଙ୍ଗଳ ଅତିବଳେ ବଳରାମ ।୩୪୦।

ସ୍ୱାମୀ କୁନ୍ଦ କର୍ପୂର ଜାଣି ଶ୍ୱେତ ଧବଳ ବର୍ଣ୍ଣ

ସଉନିଧି ବଇକୁଣ୍ଠେ ଯାହାର ଆଶ୍ରମ ।୩୪୧।

ତବ ପଦ୍ମ ଚରଣେ ଶତେ ସହସ୍ର ଦଣ୍ଡ ପରିଣାମି

ମମ ଅପ୍ରାଧ ପାତେକ ଖଣ୍ଡନ କରିବା ହାଦେ ସ୍ୱାମୀ ।୩୪୨।

ରେବତୀ ବଲ୍ଲଭ ନାଥ ଉଦିତ ଯାର ନାମ

ତବ ପଦ୍ମପାଦେ ମୋର ଶତ ସହସ୍ର ଦଣ୍ଡ ପରିଣାମ ।୩୪୩।

ନିଚଳ ନିରାଲମ୍ବ ନିରାପକ୍ଷ ନିଶଉଚ ପରମଯୋଗୀ

ଯାହାର ପରାକ୍ରମେ ନାଶକର ଦଣ୍ଡ ପରିତ୍ୟାଗୀ ।୩୪୪।

ଅଭୟେ ଭଗବାନ ତୁ କରୁଣାମତ୍ସଳ

ଧବଳ ଋଚିର ସ୍ୱାମୀ ଜୟ ତୁ କାମପାଳ ।୩୪୫।

ସ୍ୱାମୀ ବିଷ୍ଣୁର ଜ୍ୟୋଷ୍ଠପଦ ଉଦିତ ଯାର ନାମ

ଶୂଦ୍ରମୁନି ସାରୋଳା ଦାସ ମାଗଇ ତୋତେ ଧର୍ମ ଅର୍ଥ ମୋକ୍ଷ କାମ ।୩୪୬ – ୭୬୬୪।

 

Unknown

ଇନ୍ଦ୍ରାଦି ଦୋବଙ୍କ ସହିତ ରାମକୃଷ୍ଣଙ୍କର
ଯୁଦ୍ଧ ଓ ସଚଳାର ବିବାହ

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକ ପାଶେ

ଦେବତାୟେ କେଉଂଣ କୃତ କଲେକ ଆକାଶେ ।୧।

ଶୁଣ ହୋ ଯୋଗେଶ୍ୱର ମନୁ ମହାଗ୍ୟାଂତା

ଈଶ୍ୱରଂକୁ ପୁଣ ପୁଣ ପୁଛା କରଇ ବାସେବ ଦେବତା ।୨।

ସ୍ୱାମୀ ବଡ଼ାଇ ସମ୍ଭର୍ବେ ଥାଠେକ ଘେନିଣ କୃଷ୍ଣ ବଳରାମ

ଆକାଶ ଗଙ୍ଗାକୂଳ ଘୋଟିଣ ସଇନି ଧାମନ୍ତି ଅବିଶ୍ରାମ ।୩।

ଈଶ୍ୱରେ ବୋଇଲେ ସମସ୍ତ ଦେବତାନ୍ତ ହକାରି

ମନ୍ଦର ପର୍ବତକୁ ଆସ ସମଦଣ୍ଡ ସନ୍ୟ ସଜକରି ।୪।

ଅମରଗଣନ୍ତ ଘେନି ଦେବ ସୁରପତି

ଇନ୍ଦ୍ର ଆରୋହିଲା ଅଛଇ ଅଇରାବ୍ରତ ହାଥୀ ।୫।

ଶ୍ରୀଭୁଜେ ଶୋଭାବନ ବଜ୍ର ଯେ ଆୟୁଧ

ଯେବଣ ଆୟୁଧ ଘେନି ଜମ୍ବୋ ଦଇତ ବଧ ।୬।

ପର୍ବତଂକ ପକ୍ଷ ଛେଦିଲା ଯେଉଂଣ ଶହସ୍ରରେ

ସେ ବଜ୍ର ଶକତି ଇନ୍ଦ୍ର ଧରିଅଛି ନିଜ କରେ ।୭।

ଚଉଷଠୀ କୋଟି ଦେବ ବାସବର ତୁଲେ

ପାରିଜାତକ ମାଳା ଆଭରଣ ସବୁଂକରି ହୃଦୟରେ ।୮।

ଶିରେ ସୀମନ୍ଥିନୀ ଯାହାର ରତ୍ନଝାଲି କପାଳେ

ଅମରାଧି ନାଥ ସେ ବିଜୟେ ଆଖଣ୍ଡଳେ ।୯।

ଦିବ୍ୟଭୁବନ ନାଥ ବିଜୟେ ସୁରପତି

ପରମ ଯୋଗେଶ୍ୱର ନିଦ୍ରାଘ ଯାହାର ମୃତ୍ତି ।୧୦।

ପଞ୍ଚଷଠୀ କୋଟି ଯାହାର ଗନ୍ଧର୍ବ ସଇନି

ଲକ୍ଷେକ ବଳ ଧନୁ ଶ୍ରୀକରେ ଛନ୍ତି ଘେନି ।୧୧।

ତ୍ରଇଲୋକ୍ୟେ ସୁନ୍ଦର ସେ ବିଦ୍ୟାଧର ବଳ

ଦେବ ଦୁନ୍ଦୁଭି ବାଦ୍ୟ ଯେ ବ୍ରହ୍ମାଣ୍ଡ ଉଛୁଳ ।୧୨।

ବୃଷଭ ବାହାନେ ଦେବ ବିଜୟେ ଈଶାନ

ଚଉଦ କୋଟି ତୁଲେ ଅଛନ୍ତି ଗଣପୁତ୍ରମାନ ।୧୩।

ମୟୁର ବାହାନେ ଯେ କାର୍ତ୍ତିକେଶ୍ୱର ବିଜେ

ନବଲକ୍ଷ ତମ୍ବରୁ ଯେ ଅନ୍ତର୍ଚ୍ଛେ ବାଜେ ।୧୪।

ଶ୍ରୀଭୁଜେ ଶୋଭାବନ ପିନାକ ଶାରଙ୍ଗ ଧନୁ

କରେଣ ଶୂଳ ଶହସ୍ର ଧରିଣ ପଞ୍ଚୁମନୁ ।୧୫।

ବାମ ଦକ୍ଷିଣେ ଶୋଭାବନ ଅକ୍ଷୟେ ତ୍ରୋଣ ବେନି

ପାଶୁପତ ନାରାଚ ଦେବ ଶ୍ରୀକରେ ଛନ୍ତି ଘେନି ।୧୬।

ଅଷ୍ଟରତ୍ନେ ଖଞ୍ଜିତ ହୃଦେ ଭୂଷଣ ଦିବ୍ୟମାଳା

କଟି ମେଖଳେ ଆରୋହଣ ଅନନ୍ତ ମହାଖଳା ।୧୭।

ଯୋଗେଶ୍ୱର ପୁରୁଷ ମହାଭୟଂକର ରାଗୀ

ଯେ ସେ କାମଦେବକଇଂ ଦହିଲା ଅଭୟେ ପରମଯୋଗୀ ।୧୮।

ଆଦିହୁଂ ଗର୍ବିତ ସେ ବ୍ରହ୍ମାର ମୁଣ୍ଡମୋଡ଼ି

ମହାଯୋଗ ସାଧି ସ୍ୱାମୀ ବ୍ରହ୍ମହତ୍ୟା ୟେଡ଼ି ।୧୯।

ଦକ୍ଷ ପ୍ରଜାପତିର ମହାଯାଗ ଭଞ୍ଜା

ଗୁରୁପତ୍ନୀ ଶାପେ ତୁ ଘେନିଲୁ ଅଣ୍ଡପୂଜା ।୨୦।

ଧବଳ ଶଙ୍ଖ ଶ୍ୱେତବର୍ଣ୍ଣ ଯାହାର ମଉଳି କୁଣ୍ଡଳୀ

ଭାବକୁ ଭାବ ନାଥ ଅଭାବକୁ କୋପ ଯେ ଅଗୁଳି ।୨୧।

ଶରୀରରେ ଫୁ ଫୁ କାର ଗର୍ଜ୍ଜନ୍ତି ମହାନାଗେ

ଶିବଗଣନ୍ତ ଘେନି ସଦାନନ୍ଦ ଚଳନ୍ତି ଅତି ବେଗେ ।୨୨।

ନନ୍ଦୀକେଶ୍ୱର ମହାକାଳ ଭ୍ରୁକୁଟି ବିଣାୟେକ ଟିଣାୟେକ

ଚଣ୍ଡ ପ୍ରଚଣ୍ଡ ଯେ ଜୟନ୍ତିକ ଅଜୟନ୍ତିକ ।୨୩।

ଭୀମେକ ମଣିଭଦ୍ର ଯେ ଶାଖା ବେନିକତି

ଇନ୍ଦୁର ବାହାନେ ଯେ ବିଜୟେ ଗଣପତି ।୨୪।

ନାଗପାଶ କରେ ଘେନିଣ ତୀକ୍ଷପ୍ରଶୁ

ସିନ୍ଦୂର ସିମସ୍ଥାନେ ଯେ ମଉଳି ସୀତାଂଶୁ ।୨୫।

ବିଜୟେ ମହାଦେବ ବୃଷଭର ପିଠି

ନାଚନ୍ତି କଉତୁକେ ଗଣପତି ଭ୍ରୂକୁଟି ।୨୬।

ଶିବଗଣମାନନ୍ତ ଘେନିଣ ସାନନ୍ଦେ ବିଶ୍ୱନାଥ

ବିଜୟେ ଧୂର୍ଜଟି ଯାଇଂ ମନ୍ଦର ପର୍ବତ ।୨୭।

ରୁଦ୍ର ଇନ୍ଦ୍ର ଦୁହେଂ ଯାଇଂ ହୋଇଲେ ପରବେଶ

କୁବେର ବିଜେକଲେ ଅନେକ ସନ୍ୟ ଘେନି ପାଶ ।୨୮।

କୃତାନ୍ତକ ବଳ ଯେ ଘେନିଣ ଦେବ ନାଶକର

ସେ ଯାଇଂ ପ୍ରବେଶ ହୋଇଲେ ମନ୍ଦର ପର୍ବତର ।୨୯।

ବାଷଠୀ କୋଟି କାଳ ବିକାଳ ସଇନି

ଯମ ଦେବତା ପ୍ରବେଶ ଯମଗଣନ୍ତ ଘେନି ।୩୦।

ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍କର ଚାରିମେଘେ

ୟେ ଚାରିହେଂ ସଇନ୍ୟ ଘେନି ପ୍ରବେଶ ଆସି ବେଗେ ।୩୧।

କାମ୍ୟେକ ମେଘ କାଳୀ ମେଘ ଚଞ୍ଚଳାବ୍ରତେକ ମେଘ

ଜମ୍ବୁପଟଳ ମେଘ ଜଳଧାର ମେଘ ଧୂମାନ୍ତେକ ମେଘ ।୩୨।

ଶୁଦ୍ଧସଷ୍ଟିକ ମେଘ ଆବର ବାରୁଣା ମେଘ

କୃତାନ୍ତକ ମେଘ ଯେ ଲୋହିତବର୍ଣ୍ଣ ମେଘ ।୩୩।

ପିଙ୍ଗଳ ମେଘ ଚନ୍ଦ୍ରକାନ୍ତି ମେଘ ଶାର୍ଦ୍ଦୁଳ ଯେ ମେଘ

ପର୍ବତକ ମେଘମେଳେ ଆବର ଅନେକ ମେଘ ।୩୪।

ୟେହାଂକରି ମୂଳେ ଚାରିପଦ୍ମ ନବଲକ୍ଷ ମେଘମାଳ

ସମ୍ଭର୍ବ ଥାଠ ଘେନି ଚଳଇ ଆଖଣ୍ଡଳ ।୩୫।

ବ୍ରହ୍ମାଂକର ବଚନେ ଅଣଚାଶ ପବନ

ଇନ୍ଦ୍ର ଦେବତାୟେ ବୋଇଲେ ଧାଅଂରେ ବହନ ।୩୬।

ଚଳିତ ଚଞ୍ଚଳ ଯେ ମହା ଭୀଷ୍ମଭୂପୀ

ଆକାଶ ମଧ୍ୟ ଘେନି ପାତାଳ ଭୁବନ କ୍ଷେପୀ ।୩୭।

ତହିଂ ବିଜେକଲେ ସମସ୍ତ ଦିଗପାଳେ

ଜଣେ ଜଣେ କୋଳାହଳ କରନ୍ତି ଗହଳେ ।୩୮।

ତହୁଂ ବିଜେ କରିଗଲେ ଦେବ ସସ୍ରଯୋନି

ହିମବନ୍ତ ବିଜେକଲେ ଗିରିମାନନ୍ତ ଘେନି ।୩୯।

ବିଝଂମାଳ ମହୀନ୍ଦ୍ରମାଳ ତପନମାଳ ପରବତ

ଗନ୍ଧମାଦନ ପର୍ବତ ମଳୟ ମାଲ୍ୟବନ୍ତ ।୪୦।

ୟେହାଂକର ମୂଳେ ଆଠଲକ୍ଷ ପର୍ବନ୍ତ ଘେନିଣ ହେମବନ୍ତ

ସେ ଯାଇଂ ପ୍ରବେଶ ହେଲେ ମେରୁର ସମେତ ।୪୧।

ଗ୍ରହଗଣନ୍ତ ଘେନିଣ ବିଜୟେ ଦିନକର

ବ୍ରାହ୍ମଣଗଣନ୍ତ ଘେନି ବିଜୟେ ବେଦବର ।୪୨।

ପବନ ଦେବତା ଯେ ଅଣଚାଶ ମୃତ୍ତି

ଯୋଗପବନ ମନ୍ଦ ବଜାନ୍ତକ ଯେ ଶାନ୍ତି ।୪୩।

ବିକରାଳ ପବନ ଧର୍ମପବନ ଉଦାସ

ମଳୟ ବସନ୍ତପବନ ଭୋଗପବନ ଯେ ଜୀବନ୍ୟାସ ।୪୪।

ମାଧୁର୍ଯ୍ୟ ସୁସ୍ୱାଦିତ ଚଣ୍ଡ ପ୍ରଚଣ୍ଡ କାଳାନ୍ତକ

ସମତୁଲ ଧାରଣ ତାରଣ ମାରଣ ପବନ କାମ୍ୟକ ।୪୫।

ମହାବାତ ଶିଶିର ହୁତାଶନ କୃତାନ୍ତକ

ପ୍ରାଣାଦି ଜୟନ୍ତିକ ମୋମପାଳ ଦୁରୁଦଣ୍ଡ ବୃନ୍ଦାରକ ।୪୬।

ଘୋର ଗର୍ଜନ ବିଷ୍ଣୁବାତ ଅଖିଳ ଶୋଷକ

ଋତୁଧର ମାତଙ୍ଗ ତିମ୍ବୁର ଜାତଅନ୍ତ ଯୁଗାନ୍ତକ ।୪୭।

ୟେମନ୍ତ ପବନ ଦେବତା ଯେ ଅଣଚାଶ ମୃତ୍ତି

ମେରୁ ମେଖଳକୁ ଇନ୍ଦ୍ର ଆଣିଲେ ସବୁନ୍ତି ।୪୮।

ଆଦିତ୍ୟ ସୋମ ମଙ୍ଗଳ ବୁଧ ବୃହସ୍ପତି

ଶୁକ୍ର ଶନିଚର ରାହୁ କେତୁ ଶଶାଂକ ତୁଲେ ଯାନ୍ତି ।୪୯।

ତିଥିବାର ନକ୍ଷତ୍ର ଲୋକମାନନ୍ତ ସକଳ

ଯୋଗ କରଣ ତୁଲେ ଆସନ୍ତି ଆଖଣ୍ଡଳ ।୫୦।

ନବ ସାଗର ହାହା ହୁହୁ ଭଣ୍ଡାର ଅଧିକାରୀ

ନଳ କୁବରନ୍ତ ଘେନି କୁବେର ଦେବତା ବିଜେକରି ।୫୧।

ସଜହୋଇ ଅଇଲେ ସେ ବଶ୍ୟାନର ବହନି

ପ୍ରାଣତେଜ କାଳାନଳ ପିଙ୍ଗଳ ଜାଳାଜାତ ପଞ୍ଚୁଅଗ୍ନି ।୫୨।

କ୍ରୋଟାନଳ ଦାନାବଳ ବଡ଼ବାନଳ ହୁତ

ତ୍ରିଶିଖା ଅଗ୍ନି ବ୍ରହ୍ମଅଗ୍ନି ଆବର ଲୋହିତ ।୫୩।

ରୁଦ୍ରଅଗ୍ନି ବ୍ରହ୍ମଅଗ୍ନି ଆବର ଦୋହରା

ତେଜ ଅନଳ ଦହନ ଅନଳ ସପତଶିରା ।୫୪।

ୟେହାଂକର ମୂଳେ ପଞ୍ଚବିଂଶ ବହତି

ଦେବସଭାକୁ ସେ ସଜ ହୋଇଣ ଆସନ୍ତି ।୫୫।

ଜଳଚର ସଇନି ଘେନିଣ ବାରାନିଧି

ମେରୁସଭା ମଧ୍ୟେ ବିଜୟେ ଜଗତ ଆଧି ।୫୬।

ଯେ ଯାହା ସଇନି ଘେନି ଆସନ୍ତି ଦେବଲୋକେ

ମେରୁଶିଖରେ ପ୍ରବେଶ ହୋଇଲେ ସକଳ ବୃନ୍ଦାଅର୍କେ ।୫୭।

ମେରୁଗିରି ପର୍ବତ ଆରମ୍ଭେ ମିଳିଲେ ଦିଗପାଳେ

ମେରୁମନ୍ଦର ପର୍ବତେ ବିଜୟେ ଆଖଣ୍ଡଳେ ।୫୮।

ତିରିଶି ସହସ୍ର ଯୋଜନ ଯେବଣ ମନ୍ଦର ପର୍ବତ ଆୟତନ

ପୂରିଲେ ବୃନ୍ଦାଅର୍କେ ଯେ ବହୁତ ଗହନ ।୫୯।

ବଜାବନ୍ତି ବିଜିଘୋଷ ଦେବବାଦ୍ୟ ଦୁନ୍ଦୁଭି

ମହାପ୍ରତାପେ ସମସ୍ତ ଦେବେ ଅଛନ୍ତି ସମ୍ବର୍ଭି ।୬୦।

ମନ୍ଦର ପର୍ବତେ ଯେ ରହିଲେ ସର୍ବଦେବେ

ଆସନ୍ତି ଦ୍ୱାରକାଉଂ ରାମକୃଷ୍ଣ ପାଣ୍ଡବେ ।୬୧।

ଗନ୍ଧମାଦନ ନାମେ ଯେଉଂଣ ପର୍ବତ

ବିସ୍ତାର ଆୟତନ ଯୋଜନ ପାଞ୍ଚଶତ ।୬୨।

ଅନେକ ମଉଷଧି ଦାରାକ୍ଷ ଫଳ ଅଛି ଗିରିବର ପୃଷ୍ଠେ

ସେ ପର୍ବତ ଉପରେ ଯାଇ ବିଜୟେ ରାମକୃଷ୍ଣେ ।୬୩।

ପୂର୍ବେ ଗନ୍ଧମାଦନ ପଛିମେ ମନ୍ଦର ପର୍ବତ

ମଧ୍ୟରେ ଛଡ଼ା ଅଛି ଯୋଜନ ନବଶତ ।୬୪।

ଉଚ୍ଚବାଚ ହୋଇ ଯେ ରହିଲେ ବେନି ସଇନବଳ

ଧନୁଘୋଷ ନାଦ ଶୁଭଇ ମହାଗୋଳ ।୬୫।

ଯୁଝେଷ୍ଠି ଦେବେ ବୋଇଲେ ନାରଦନ୍ତ ରାଇ

ମଧ୍ୟେ ନାଚଇ ମୁନି କଳହ ଦଣ୍ଡକୁ ବୁଲାଇ ।୬୬।

ଯୁଝେଷ୍ଠି ଦେବେ ବୋଇଲେ ଶୁଣସି ନାରଦ

ତୁମ୍ଭେ ଯାଇଂ ବାରତା କୁହ ଦେବଇନ୍ଦ୍ର ।୬୭।

କନ୍ୟାଗୋଟିକି ଘେନିଣ ଆସନ୍ତୁ ପୁରନ୍ଦର

ଇନ୍ଦ୍ର ଗୋବିନ୍ଦ ୟେକଆତ୍ମା ନୋହନା ସମର ।୬୮।

ଯୁଝେଷ୍ଠିଂକ ବଚନେ ଚଳିଲେ ବ୍ରହ୍ମାସୁତେ

ମନପବନ ଦଣ୍ଡେ ବସି ବିଜେ ମନ୍ଦରଗିରି ପରବତେ ।୬୯।

ନାରଦେ ସନ୍ନିଧ୍ୟେଣ ବସାଇ ଚିତ୍ରରଥ

ତୋହୋର ଯେ ଜୀବନ ସାର୍ଥକ ଯଥାର୍ଥ ।୭୦।

ଶ୍ରୀ ଜଗନ୍ନାଥଂକ ଦୁହିତା ତୁ ଆଣିଅଛୁ ହରି

ଅମର ନାୟିକାୟେ ତାହାକୁ ନୁହନ୍ତି ରୂପେ ସରି ।୭୧।

ତାହାର ସମାନେଣ ନ ପାଇଣ ବର

ମନସରି ଅନେକ ଲୋଡ଼ିଲୁ ତିନିପୁର ।୭୨।

ପୁରୁଷଂକ ମଧ୍ୟରେ ସୁନ୍ଦର ତୁହି ଅଟୁ

ତୋହୋର ରୂପଗଣେ ସଚଳାହିଂ ଘଟୁ ।୭୩।

ଆହୋ ଯୁଝେଷ୍ଠି ଦେବେ ବୋଇଲେ ମୋତେ ହକାରି

ଦ୍ୱନ୍ଦ ନୋହୁ ସମର୍ପ ଯେ ସଚଳା କୁମାରୀ ।୭୪।

ତୁହିତ ଲୋଡ଼ିନାହୁଂ ତୋତେ ପ୍ରାପତ ହେଲା ଅଦଭୁତେ

ପରିଗ୍ରହ ପଦାର୍ଥ ୟେ ପରକୁ ବାହୁଡ଼ାଇ ଦେବୁ ସେ କେମନ୍ତେ ।୭୫।

ବାବୁ ବିଗ୍ରହ କଥା ୟେବେ ବିଚାରକୁ କେମନ୍ତ

କନ୍ୟା ସମର୍ପଣ ନ ଯୋଗାଇ ବିଧିମତ ।୭୬।

ବ୍ରହ୍ମା ଈଶ୍ୱରେ ବିଜେ କରିଅଛନ୍ତି ବୃନ୍ଦାଅର୍କ ବଳ ଘେନି

ରାମକୃଷ୍ଣ ଅର୍ଜୁନ ସେ ସର୍ବେ ଜଣ ତିନି ।୭୭।

କେହୁ ତୋତେ ସମାନ ଅଛଇ ହାଦେ ରଣେ

ତୁ କିମ୍ପାଇ କନ୍ୟା ଦେବୁ ଆମ୍ଭେ ଅଇଲୁ ଅକାରଣେ ।୭୮।

ଚିତ୍ରସେନ ବୋଇଲା ମୁଂ ନ କଲି ହରଣ

ଆସୁଂ ଆସୁଂ ବିରହୀତା କନ୍ୟା ମୋତେ କଲାକ ବରଣ ।୭୯।

ବରଣମାଳା ଗୋଟିୟେ ମୋତେ କଲାକ ଆଭରଣ ।୮୦।

ମୁନି ହେ ଇଚ୍ଛାୟେ ବର ବରନ୍ତି ଟିକି ରାଜାର କୁମାରୀ

ଅବଶ୍ୟ ଆନକଇଂ ପ୍ରଦାନ କରିବେଟି ଦେବହରି ।୮୧।

ଅଭାବପଣ ଛାଡ଼ିଣ ପ୍ରୀତି ହୋଇଣ ଆସନ୍ତୁ

ସୁବିଧାନେ କନ୍ୟାଗୋଟି ମୋତେ ପ୍ରଦାନ କରନ୍ତୁ ।୮୨।

ଆହୋ ନାରଦେ ତୁମ୍ଭେ ରାମକୃଷ୍ଣେ କୁହ ବେଗେ ଯାଇଂ

ସମସ୍ତେ ନାଶ ଯିବେଟି ସଚଳା କନ୍ୟାର ପାଇଂ ।୮୩।

ଭଲେଣ ଦିଲେଟି ରହିବ ସବୁରି ବଡ଼ପଣ

ଧର୍ମ ପ୍ରାପତ ହୋଇବ ରହିବ ବନ୍ଧୁପଣ ।୮୪।

ଦ୍ୱନ୍ଦକଲେ ମୁନି ହେ ହୋଇବେ କି ଆମ୍ଭନ୍ତ ସରି

ଧାତା ଈଶ୍ୱରେ ଦିଗପାଳେ ଯାହକଇଂ ଅଛନ୍ତି ଆବୋରି ।୮୫।

ଚିତ୍ରସେନ ବଚନେ ବାହୁଡ଼ିଗଲେ ତପୋନିଷ୍ଠି

ଯାଇଂଣ ଭେଟିଲେ ସେହି ଧର୍ମଦେବ ଯୁଝେଷ୍ଠି ।୮୬।

ଯୁଝେଷ୍ଠିକ ଆଗରେ ଯାଇଂ କହିଲେ ନାରଦ

ସଚଳାର ନିମନ୍ତେ ହୋଇବ ବଡ଼ ଯୁଦ୍ଧ ।୮୭।

ଆହୋ ଧର୍ମେ ଅପାର ମଣାଇଂ ମୁଂ କହିଲି ତାହାଂକୁ

ଶାହାସ୍ର କଥା ରୁଚଇ କି ଟସ୍କର ସଭାକୁ ।୮୮।

ବଧିର ଶୁଣଇ କି କମ୍ବୁରସ ବାଣୀ

ଗୋପାଳେ ଚିହ୍ନିବେ କାହିଂ ଅମୂଲ୍ୟ ରତ୍ନମଣି ।୮୯।

ତୋହୋର କଥା ଶୁଣି ସେ ଅନେକ କଲା କୋପ

ଗରୁଡ଼ ବିବାଦେ ଯେହ୍ନେ ଗର୍ଜଇ କାଳସର୍ପ ।୯୦।

ଶୁଣିଣ ଯୁଝେଷ୍ଠି ଦେବ ହୋଇଲା ତବଦ

ନିଚୟେ ନାଶ ଗଲାଟି ଅମର ସଂପଦ ।୯୧।

ତହୁଂ ନାରଦେ କହିଲେ ଯାଇଂ ବଳଦେବଂକୁ

ଯୁଝେଷ୍ଠି ପେଷିଥିଲେ ମୁକୁ ଇନ୍ଦ୍ରରାଜାଠାକୁ ।୯୨।

ବହୁତ କୋପକଲା ସେ କନ୍ୟା ଫେରି ମାଗିବାରେ

ବୋଇଲା ରାମକୃଷ୍ଣ ଅର୍ଜୁନକଇଂ ମୁଂ ମାରିବଇ ସମରେ ।୯୩।

ନାରଦ ବଚନେ କୋପକଲେ ଦେବହଳୀ

ସମର୍ଥକ ହଳ ମୂଷଳ ବୁଲାଇଲେ ଦେବ ତୋଳି ।୯୪।

ଯୁଝେଷ୍ଠିଦେବେ ବୋଇଲେ କୋପ ନ କର ବଳରାମ

ଦଣ୍ଡ ସାମ ଭେଦ ମତେ ଅବଶ୍ୟ କରି କାମ ।୯୫।

ସନ୍ଧି ସମାଧାନ ନୋହିଲେ ତେବେ ସେ ଦ୍ୱନ୍ଦ୍ୱକରି

କିଞ୍ଚିତ ମାତ୍ରକେ ଦେବ ନୋହିବା ମରାମରି ।୯୬।

ମୁହିଂ ଯିବି କି ଦେବ ମନ୍ଦର ପର୍ବତକୁ

ସମାଧାନ କରି କହିବଇଂ ଇନ୍ଦ୍ର ଦେବତାଂକୁ ।୯୭।

ମୋହୋର ବୋଲେ ଯେବେ ନ ଦିଅଇ କୁମାରୀ

ୟେକା ନିମିଷେକ ଦ୍ୱନ୍ଦ୍ୱ କରିତ ଆମ୍ଭେ ପାରି ।୯୮।

ଗନ୍ଧମାର୍ଦନ ପର୍ବତରୁ ଓହ୍ଲାଇ ଧର୍ମସୁତେ

ବଇଜୟନ୍ତୀ ମାଳା ଗୋଟିୟେ ଧରିଛନ୍ତି ଦେବ ହାଥେ ।୯୯।

ସହଦେବ ବୋଇଲେ ଠାକୁରେ ସେ ଯାଆନ୍ତୁ ୟେକେ

ଭୀମସେନ ଠାକୁରେ ଗୋଡ଼ାଇ ଯାଆନ୍ତୁ ପାଖେ ।୧୦୦।

ଯେବେ କାଳେ ୟେ କଥା ନୋହିବ ସମ୍ବୋଧ

ସହି ନୁଆରିଲେ ସେ ଉପୁଜିବଟି ଦ୍ୱନ୍ଦ୍ୱ ।୧୦୧।

ଇନ୍ଦ୍ରଂକର ଦୁଷ୍ଟପୁତ୍ରମାନେ ହୋଇଛନ୍ତି ମେଳି

ଭୀମସେନ ଠାକୁରେ ଯେ ଆଣିବେ ସମ୍ଭାଳି ।୧୦୨।

ଗୋବିନ୍ଦେ ବୋଇଲେ ସେ ମନ୍ତ୍ରୀବରଂକ ବଚନେ

ଯାଉ ଭୀମସେନ ଠାକୁରଂକର ସନ୍ନିଧାନେ ।୧୦୩।

ବାଆନ ବାଆନ ଭାର ଗଦା ଭୀମସେନର ବେନିକରେ

କୃତାନ୍ତେକ ପ୍ରାୟେ ଦିଶନ୍ତି ବ୍ରିକୋଦରେ ।୧୦୪।

ପ୍ରବେଶ ଧର୍ମସୁତ ମନ୍ଦର ପର୍ବତେ

ବିଜୟେ ଦେବଇନ୍ଦ୍ର ମହାନାଗ ଅଇରାବ୍ରତେ ।୧୦୫।

ଯୁଝେଷ୍ଠିକୁ ଦେଖି ଇନ୍ଦ୍ର ଅଇରାବ୍ରତୁଂ ଉତୁରି

ବସିଛନ୍ତି ଆସ୍ତାନେ ଯେ ବ୍ରହ୍ମା ଶୂଳଧାରୀ ।୧୦୬।

ମନ୍ଦର ପର୍ବତର ପାଞ୍ଚ ପାବଚ୍ଛର ତଳେ

ପ୍ରଣପତ୍ୟ ହୋଇଣ ଶୁତିଲେ ଧର୍ମବାଳେ ।୧୦୭।

କୋପେଣ ଉତ୍ତର ଯେ ଦିଅନ୍ତି ଅସକନ୍ଦ

ଆରେ ଆରେ ପାଣ୍ଡବାୟେ ୟେତେ ତୁମ୍ଭେ ମନ୍ଦ ।୧୦୮।

ଆରେ ଆଦ୍ୟହୁଂ ଜନ୍ମିଲ ତୁମ୍ଭେ ଗୋଳକୁଣ୍ଡାପଣେ

ଦୃଭାସ୍ୟାର ମନ୍ତ୍ରେ ଆମ୍ଭେ ଆବୋରିଲୁ ବଡ଼ପଣେ ।୧୦୯।

ଯଦ୍ୟପି ଦିଗପାଳେ ହୋଇ ସେ ବାସୁଦେବ

ଜନମେ ଲଭିଲା ସେ ଗଉଡ଼ ସ୍ୱଭାବ ।୧୧୦।

ଗଉଡ଼େ ଉପୁଜିଲେ ସେ ମାନବ ପ୍ରକୃତି

ତୁମ୍ଭଂକ ଲାଗି ସେ ଯେ ହୋଇଲା ହୀନଜାତି ।୧୧୧।

ଗଉଡ଼ ବାଉଡ଼ କୃଷ୍ଣ ବଳଦେବ

ଗୋଳକୁଣ୍ଡା ଜାରଜାତକା ତୁମ୍ଭେ ଅଟ ରେ ପାଣ୍ଡବ ।୧୧୨।

ତୁମ୍ଭରେ ତାହାଂକର ଯେବେ ବଢ଼ିଲା ବନ୍ଧୁପଣ

ବଢ଼ିଲା କନ୍ୟା ଘରେ କିମ୍ପେ ରେ ଥୁଅ ଅକାରଣ ।୧୧୩।

ମୋହୋର ଚିତ୍ରସେନ ନ ଆଣିଲା ତାକୁ ବଳେ ହରି

ବିରହୀତା କନ୍ୟା ସେ ଇଚ୍ଛାୟେ ହେଲା ବରି ।୧୧୪।

ଯୁଝେଷ୍ଠି ଦେବ ବୋଇଲେ କୋପ ଛାଡ଼ ଦେବରାୟେ

ମନ୍ଦବେଳେ ଜାତକଲେ ୟେ ତୁମ୍ଭ ତନୟେ ।୧୧୫।

ଥୋକାୟେକ ପୁତ୍ର ଯେ ବଂଶ କରନ୍ତି ସୁରକ୍ଷା

ଥୋକାୟେକ ପୁତ୍ର ବଂଶନାଶ କରିତେ ବାୟେଂଚ୍ଛା ।୧୧୬।

ପର ସ୍ତିରୀ ହରଣେ ଅନେକ ଧର୍ମ ନାଶି

ତାରା ଅଭିଳାଷେ ତନୁ କ୍ଷୀଣ ହୋଇଲାକ ଶଶୀ ।୧୧୭।

ଜାନକୀ ହରଣେ ନାଶଗଲାକ ରାବଣ

ଅହଲ୍ୟା ହରଣେ କିସ ନୋହିଲା ଆପଣ ।୧୧୮।

ଗଉତମର ଶାପେ ଛିଡ଼ିଲା ତୋର ଅଣ୍ଡ

ପୁରୁଷ ଲକ୍ଷଣ ନିମନ୍ତେ ଲଗାଇଲୁ ମେଷଅଣ୍ଡ ।୧୧୯।

ପୁତ୍ରକୁ ନ ତିଆରିଲେ କଲ ଯେ ୟେସନେକ କୃତ୍ୟେ

ବଳରାମଂକ କୋପେ ଅମର ରକ୍ଷା ହୋଇବ କେମନ୍ତେ ।୧୨୦।

ୟେବେହେଂ ବୋଲ ପୁତ୍ର ମୋର ଅଣିଲା ଅଗ୍ୟାନେ

ସନ୍ଧି କଥାରେ ତ ନ ପଶିଲୁ ପାକଶାସନେ ।୧୨୧।

ସଚଳାକଇଂ ୟେବେ ଘେନି ଯିବା ଚାଲ ଜମ୍ବୋଭେଦୀ

ଶ୍ରୀ ଜଗନ୍ନାଥଂକର ତୁଲେ ହୋ କିମ୍ପାଇଂ ହୋଉ ଦ୍ୱନ୍ଦୀ ।୧୨୨।

କାମପାଳ ଯେ , ସେ କାଦମ୍ବରୀ ପାନେ ଭୋଳ

ଶରମ ରକ୍ଷଣ ସେ ଯେ ଭଗତ ବଚ୍ଛଳ ।୧୨୩।

ମୁହିଂ ତୋତେ ରାମ ଛାମୁରେ କରିବି ସମର୍ପଣ

କୋପ ଛାଡ଼ି ଦୟା ତୋତେ କରିବେ ସଂକ୍ରିଷେଣ ।୧୨୪।

ଯାହାର ବୋଲେ ତୁ ୟେତେ ଦ୍ୱନ୍ଦ କଲୁ ରାୟେ

ରକ୍ଷା ନ ଯିବୁ କାଳେ ତାହାର ଉପାୟେ ।୧୨୫।

ଆବର ଦେଖ ତୋର କର୍ମର ବିପାକ

ଆତ୍ମାରୁ ଜାତ ତୋତେ ଛାଡ଼ିଲା ବିବତ୍ସ ।୧୨୬।

ଅର୍ଜୁନର ପ୍ରାୟେ ପୁତ୍ର ତୋତେ ଛାଡ଼ିଲା ଯେତେବେଳେ

ଅମର ସମ୍ପଦ ତୋର ନାଶଗଲା ଆଖଣ୍ଡଳେ ।୧୨୬।

ପରର ବଚନେ ତୋର ସମ୍ପଦ ନ କର ନାଶ

ନିରୁତାନ୍ତ ବେଳକୁ ସମରେ ନ ଥିବ ବିଶ୍ୱବାସ ।୧୨୭।

ବ୍ରହ୍ମାୟେ ଯିବେଟି ଜଗତପିତା ପଣେ

ୟେଡ଼େ ବଡ଼ ସମ୍ପଦ ତୁ ନାଶ ନ କର ଆକାରଣେ ।୧୨୮।

ପବନ ଦେବତା ଆମ୍ଭର ହୋଇବେ ପିତାମହ

ଯମ କୁବେର ବରୁଣ ଆମ୍ଭନ୍ତ ସମରେ ନୋହନ୍ତି ରହ ।୧୨୯।

ପରମ ପଣ୍ଡିତ ନାଥ କିମ୍ପା ହୋଉ ବଣା

ସେ ଯେ ରାମକୃଷ୍ଣ ତ୍ରଇଲୋକ୍ୟ ଧାରଣା ।୧୩୦।

କହୁଂ କହୁଂ ଯୁଝେଷ୍ଠିଂକ ବସିଲା ମହାକୋହ

କେହୁଣସି କାଳରେ ତୁମ୍ଭେ ରାମକୃଷ୍ଣଂକୁ ସରି ନୋହ ।୧୩୧।

ସତ୍ୟଭାମାଂକ ଛଳେ ହରି ହରିଲେ ପାରିଜାତ

ସ୍ୱର୍ଗୁଂ ଅମୃତ ହରି ନେଲା ବେଳେ ବଇନେତ୍ର ।୧୩୨।

ଗୋପପୁରେ ବାମକରେ ଧଇଲେ ଗୋବର୍ଦ୍ଧନ ଗିରିବର

ସାତଦିନ ବୃଷ୍ଟି ଯେ କଲୁ ପୁରନ୍ଦର ।୧୩୩।

କଂସ ସଭାତଳେ ହୋଇଥିଲା ନା କିଂକର

ସେ ବେଳର କଥା ୟେବେ ଗଲା କି ପାସୋର ।୧୩୪।

ପରିଘାଇ ଅନେକ କହିଲେ ଯୁଝେଷ୍ଠିର

ଶୁଣି କୋପ ବସିଲା ଦେବ ସୁନାସୀର ।୧୩୫।

କୋପ ଆରକ୍ତ ଲୋଚନ କରି ମଘବାନ

ବୋଇଲା ଯୁଝେଷ୍ଠିଂକି ନାଶ କର ରେ ଚିତ୍ରସେନ ।୧୩୬।

ଯହୁଂଣ ଇନ୍ଦ୍ର ଦେବତା ଚାହିଂଲେ କୋପଦୃଷ୍ଟି

ତ୍ରାସେଣ ପର୍ବତୁଂ ଓହ୍ଲାଇଲେ ଯୁଝେଷ୍ଠି ।୧୩୭।

ପିତାର ବଚନେ ଯେ ଧାଇଂଲା ବିଦ୍ୟାଧର

କରେ ଧରିଅଛି ଯେ ବଜ୍ର ମୁଦୁଗର ।୧୩୮।

କୁରାଳ ଚକ୍ର ପ୍ରାୟେକ ମୁଦୁଗର ବୁଲାଇ

ଯୁଝେଷ୍ଠି ଦେବଂକ ଉପରେ ପିଟିଲା ଝସାଇ ।୧୩୯।

ମୁଦୁଗର ପଡ଼ନ୍ତେ ଭୀମ ଯୁଝେଷ୍ଠିଂକି ପଛ କଲା

ଆପଣେ ଆଗହୋଇ ବଜ୍ର ମୁଦୁଗର ଧଇଲା ।୧୪୦।

ବାହାନାଦ ଦେଇ କୋପେ ଗରଜିଣ ବୀର ଭୀମ

ବିଦ୍ୟାଧର ତହୁଂ ଉଛୁଡ଼ି ଧରିଲା ବିକ୍ରମ ।୧୪୧।

ଯୁଝେଷ୍ଠିଂକି ବୋଇଲେ ଭୀମ ତୁମ୍ଭେ ପଳାଅ ବେଗହୋଇ

ମୋହୋର ଘୁଞ୍ଚିଲେ ଦେବ ତୁମର ଜୀଇନାହିଂ ।୧୪୨।

ୟେକା ଆସୁଥିଲା ପରା କଥା ସନ୍ଧିକରି

ୟେତେବେଳେ ଥାଅନ୍ତ ତୁମ୍ଭେ ମନ୍ଦର ପର୍ବତରେ ପଡ଼ି ।୧୪୩।

ୟେହା ଶୁଣି ଯୁଝେଷ୍ଠି ଯେ ହୋଇଲେ ଅନ୍ତର

ରେ ରେ କାର କରି ଯେ ବୋଲଇ ପବନ କୁମର ।୧୪୪।

ସେହି ମଦୁଗରକୁ ସେ କୋପେଣ ବୁଲାଇ

ଚିତ୍ରସେନ ରଥପରେ ପିଟିଲାକ ବେଗେ ନେଇ ।୧୪୫।

ମହାବଳବନ୍ତା ସେ ପାଣ୍ଡବ ବୀରଷଣ୍ଢ

ଭୀମସେନ ବିଘାତେ ସେ ରଥ ହୋଇଲା ମସୀଗୁଣ୍ଡ ।୧୪୬।

ଅନେକ ରତ୍ନ ମଣ୍ଡଣି ରଥ ଯହୁଂ ଗଲା ଭାଜି

ଜୟସେନ ଅଙ୍ଗାରପନଙ୍ଗ ଉଠିଲେ ଗଳଗାଜି ।୧୪୭।

ପ୍ରଚଣ୍ଡବଳୀ ତୁଳାକର୍ଣ୍ଣ ବୃଦ୍ଧଶ୍ରବା ବିଶ୍ୱବସୁ

କୋପେଣ ଉଗାଳିଲେ ବେଗେ ଭୀମସେନ ବେଗେ ଆସୁ ।୧୪୮।

ବାସବର ପୁତ୍ର ଯେ ବିଦ୍ୟାଧର ଲକ୍ଷ ଚାରି

ଶତେପୁର କରି ଭୀମସେନକଇଂ ଓଗାଳି ।୧୪୯।

ପହୁଡ଼ନ୍ତି ଗଦା ମୁଦୁଗର ଛେଲ ଚକ୍ର କାତି

କୋନ୍ତ ମୂଷଳୀ ସାବେଳୀ ଯେ ବାରୁଣାଶର ଯୋଚି ।୧୫୦।

ଆଦିତ୍ୟ କିରଣ ପ୍ରାୟେ ଝଲକନ୍ତି ଲାଂକିଆ

ମହାଭୀଷ୍ମ ମୃତ୍ତି ବିଦ୍ୟାଧରେ ସହସ୍ରବାହା ।୧୫୧।

ଯୁଝେଷ୍ଠି ଦେବେ ଯେ ତହିଂ ଅଇଲେ ପଳାଇ

ଗନ୍ଧମାର୍ଦନ ପର୍ବତେ ଉଠିଲେ ବେଗେ ଯାଇଂ ।୧୫୨।

ଯୁଝେଷ୍ଠି ଦେବଙ୍କୁ ଦେଖି ପଚାରନ୍ତି ହରି

କେବଣ ନିମନ୍ତେ ସ୍ଵାମୀ ନିଶ୍ଵାସ ଖରକରି ।୧୫୩।

ଯୁଝେଷ୍ଠି ଦେବ ବୋଇଲେ ଉବୁର ଅଇଲୁ ହୋ ଧର୍ମେ

ଭୀମସେନ ମୋର ନିଚେ ପଡ଼ିଲା ସାଂଗ୍ରାମେ ।୧୫୪।

ଆବର ସୋଦର ମୁହିଂ ପାଇବଇଂ କାହିଂ

ମୁହିଂ ଅଇଲି ଦେବ ଭାଇକି ମୋର ଦେଇ ।୧୫୫।

ଯୁଝେଷ୍ଠି ଦେବଂକର କ୍ରୋଧର ବିକଳେ

ପର୍ବତ ଉପରୁ ଡେଇଂ ପଡ଼ିଲେ କାମପଳେ ।୧୫୬।

ରଥ ସହିତେ ଦେବ ନ କଲେ ଆରୋହଣ

ହଳ ମୂଷଳ ଘେନି ଧାମନ୍ତି ସଂକ୍ରିଷେଣ ।୧୫୭।

ନନ୍ଦିଘୋଷ ରଥ ଯେ ମଣ୍ଡିଣ ବନମାଳୀ

ତହୁଂ ବହୁତ ଯାଦବ ସନ୍ୟ ଧାମନ୍ତି ମହାବଳୀ ।୧୫୮।

ସାତବଂଶ ଘେନି ଚଳନ୍ତି ଜଗନ୍ନାଥେ

ଅର୍ଜୁନ ବିଜେକଲେ ନନ୍ଦିଘୋଷର ରଥେ ।୧୫୯।

ବଇନେତ୍ର ବାହାନେ ବିଜୟେ ଜଗନ୍ନାଥେ

ଶଙ୍ଖ ଚକ୍ର କଉମୁଦୀ ଗଦାବର ହାଥେ ।୧୬୦।

ପଞ୍ଚୁଜନ୍ୟ ଶଙ୍ଖ ହରି କଲେକ ବାଦ୍ୟ

ଆକାଶ ଉଛୁଳିଲା ସେ ଶଙ୍ଖର ଶବଦ ।୧୬୧।

ଭୀମସେନ ଶ୍ରବଣେ ସେ ଶୁଭିଲା ଶଙ୍ଖଧୁନି

ଶୁଣି ପରବତୁଂ ଉଠିଲା ତହୁଂ ଭୀମ ଶିର ଝୁଣି ।୧୬୨।

କୋପେଣ ଗଦାବର ପ୍ରହାର କଲା ମହାବଳ

ପଡ଼ିଣ ଜୟସେନ ରଥ ହୋଇଲା ବେନିଫାଳ ।୧୬୩।

ଅଙ୍ଗାରପନଙ୍ଗ ରଥ ଧାଇଲା ବାମକରେ

ବିଶ୍ୱବାସୁ ରଥ ଉପରେ ପିଟିଲା କୋପଭରେ ।୧୬୪।

ଭୀମସେନ ପ୍ରହାରେକ ଭାଜିଲା ରଥ ବେନି

ଭୟେଣ ବେନିଭାଗ ହୋଇଲେ ସଇନି ।୧୬୫।

ମନ୍ଦର ପର୍ବତୁଂ ଭୀମ ପଡ଼ିଲାକ ବେଗେ ଡେଇଂ

ଦେଖିଣ ବିଦ୍ୟାଧରମାନେ ପୁଣ ପଡ଼ୁଛନ୍ତି ଧାଇଂ ।୧୬୬।

ପୁଣି ଯାଇଂ ବେଢ଼ି ଭୀମସେନକୁ କଟାଳି

ଗର୍ଜିଣ ଉଠିଲା ସେ ପାଣ୍ଡବ ମହାବଳୀ ।୧୬୭।

ଗଦାବର ବୁଲାଇଣ ସେ ପିଟିଲା ମାରୁତି

ମହାବାତେ ଯେସନେକେ ଫକୁଫଳେ ଲୋଟନ୍ତି ।୧୬୮।

ସମର ସମ୍ଭର୍ବେ ସେ ପାଣ୍ଡବ ବଳବନ୍ତା

ବିଦ୍ୟାଧର ଜଣ ମାତ୍ରକେ କେହି ଛାମୁରେ ନୋହିଂନା ରହନ୍ତା ।୧୬୯।

ସଇନି ଭାଗନ୍ତେଣ ଧାମଇଂ ଚିତ୍ରରଥ

ତୁଲେଣ ସଇନି ତାର ଚାରି ଅହିବ୍ରତ ।୧୭୦।

ଅନେକ ରତ୍ନ ଭୂଷଣ ଅଛଇ ତାର କାୟେ

ଦିଶନ୍ତି ବିଦ୍ୟାଧରେ କାର୍ତ୍ତିକେଶ୍ୱର ପ୍ରାୟେ ।୧୭୧।

ରେ ରେ କାର କରିଣ ସେ ଧାଇଂଲା ଚିତ୍ରରଥ

ତୀକ୍ଷମୁନୀ ଶସ୍ର କରେ ଧରିଅଛି ନଶନିଶି କୋନ୍ତ ।୧୭୨।

ଭୀମସେନ ଉପରକୁ ସେ ମାଇଲା ତାହା ଧରି

ସେହି କୋନ୍ତ ଚୂରଗଲା ଭୀମସେନ ବାମଅଙ୍ଗେ ପଡ଼ି ।୧୭୩।

ପୁଣ ପ୍ରହାର କଲା ବିଦ୍ୟାଧର ବଜ୍ର ଯେ ତୁମ୍ଭରେ

ପଡ଼ନ୍ତେ ବ୍ରିକୋଦର ତାହା ଧଇଲା ବାମକରେ ।୧୭୪।

ଚିତ୍ରସେନ ହାଥରୁ ସେ ଧଇଲା ଉଛୁଡ଼ି

ସେହି ତୁମ୍ଭର ଚିତ୍ରସେନକୁ ମାଇଲାକ ଧରି ।୧୭୫।

ବାମଅଙ୍ଗେ ତାର ଯାଇଂ ପଡ଼ିଲା ବଜ୍ରଗୋଟି

ଘାୟେଣ ଚିତ୍ରସେନ ଯେ ପଡ଼ିଲା ମହୀଲୋଟି ।୧୭୬।

ବଜ୍ରଘାତ ପ୍ରାୟେକ ଶୁଭଇ ଘୋରବାଣୀ

ଚିତ୍ରସେନ ପଡ଼ିଲା ଦେଖିଲେ ବଜ୍ରପାଣି ।୧୭୭।

ଆପଣେ ବିଜେକଲେ ଅଇରାବ୍ରତ ପିଠି

କରେଣ ବଜ୍ରଶକତି କୋନ୍ତ ଖଡଗ ଯାଠି ।୧୭୮।

ମୁଦୁଗର ଅସିପତ୍ର ଗୁରୁଜ ଶାବେଳୀ

ବତିଶ ଆୟୁଧ କରେ କଷିଅଛି ତୋଳି ।୧୭୯।

ବକ୍ଷସ୍ଥଳେ ଲମ୍ବିତ ଯେ ପାରିଜାତକ ପୁଷ୍ୟମାଳ

କୋଟିୟେ କିରଣ ଶକ୍ତି କରେ ଘେନିଣ ଆଖଣ୍ଡଳ ।୧୮୦।

ୟେକାୟେଣ ବେନିକରେ ଗଦା ଘେନିଣ ଉଠି

ବିଦ୍ୟାଧର ବଳଯାକ ଆସୁଅଛି ପିଟି ।୧୮୧।

ୟେକାୟେ ସମର କରଇ ଯେ ପବନ ବତ୍ସ

ସମରେ ପଡ଼ିଲେନି ଗନ୍ଧର୍ବ ତିନିଲକ୍ଷ ।୧୮୨।

ଯେସନେକେ ମତ୍ତବ୍ୟାଘ୍ର ଧାମଇଂ ଜନ୍ତୁ ଦେଖି

ମାରଇ ମାରୁତି ସେ ଓପ୍ରୋଧ ଉପେକ୍ଷି ।୧୮୩।

ଅନେକ ସଇନି ଯେ ଆସୁଅଛଇ ପିଟି

ବିଦ୍ୟାଧର ବଳ ଯେ ପଡ଼ୁଛନ୍ତି ମହୀଲୋଟି ।୧୮୪।

ଅସମ୍ଭବ ମହିଂମା ସେ ପାଣ୍ଡବ ବୀରମଣି

ପଳାବନ୍ତି ଗନ୍ଧର୍ବେ ଯେ ଶ୍ରୀକାଳ ଯୂଥ ଜାଣି ।୧୮୫।

ଜୟସେନ ବିଶ୍ୱାବସୁ ବୃଦ୍ଧଶ୍ରବା ଅଙ୍ଗାରପନ୍ନଙ୍ଗ ପ୍ରଚଣ୍ଡାବଳୀ

ଭାଜି ପଳାବନ୍ତି ଗନ୍ଧର୍ବେ ଭୀମସେନ କରଇ ରଣକେଳି ।୧୮୬।

ଶଙ୍ଖ ଶବଦ ଯହୁଂ କଲେକ ଶ୍ରୀରଙ୍ଗ

ଶୁଣିଣ ଦୁଗୁଣ ତେଜ ବିକାଶଇ ମାରୁତିର ଅଙ୍ଗ ।୧୮୭।

ଭୀମସେନର ଭୀଷ୍ମମୃତ୍ତି ମହାସମର ଦେଖି

ଭାଜିଲେ ବିଦ୍ୟାଧରେ ସେ ସମର ଉପେକ୍ଷି ।୧୮୮।

ଗୋଡ଼ାଇ ବ୍ରିକୋଦର ଯେ ମହାମୃତ୍ତି ଧରି

ବାସବର ସହସ୍ରେ ପୁତ୍ର ଧରିଣ କଚାଡ଼ି ।୧୮୯।

ଦଶବିଂଶ ପଚିଶ ଧରି ଦିଅଇ ଯେ ଫିଙ୍ଗି

ଅନେକ ଯୋଜନେ ପଡ଼ିଲେ ହାଥ ଗୋଡ଼ ଭାଂଗି ।୧୯୦।

ସମର ବିଭଙ୍ଗ ଦେଖିଣ ବ୍ରିକୋଦର

ଶରଣ ବୋଇଲେ ଭୀମ ଦୁଗୁଣ କରଇ ପ୍ରହାର ।୧୯୧।

ପୁତ୍ରଂକର ବିନାଶ ଦେଖିଣ ପୁରନ୍ଦର

ଆପଣେ ବିଜେକଲେ ସମର ଭିତର ।୧୯୨।

ଆରେ ଆରେ ଭୀମା ବୋଲି ଯେ କୋପେ ଦୁରୁଂ ଡାକଦେଇ

ଆପଣେ ଓଗାଳିଲେ ଦେବ ସୁରସାଇଂ ।୧୯୩।

କରେ ବଜ୍ର ଧରିଣ ସେ ରାଗେ ଝମକାଇ

ଗର୍ଜିଣ ମହାନାଗ ଯେ ଉଠିଲା ତୁହାଇ ।୧୯୪।

ୟେସନେକ ମହିମାଂ ଦେଖିଣ ସେ ବ୍ରିକୋଦର

ଗଦା ଧରି ଉଭା ହେଲା ବାସବ ଛାମୁର ।୧୯୫।

ମହାନାଗ ପରେ ଚଢ଼ିଅଛି ପୁରନ୍ଦର

ଇନ୍ଦ୍ରର ବଚନେ ହାଥୀ ଧାଇଂଲାକ ଖର ।୧୯୬।

ମହା ବଳବନ୍ତା ଯେ ଅଟଇ ଅଇରାବ୍ରତ

ଥୋରହସ୍ତେ କଟିଭାଗୁଂ ଧଇଲା ତୁରିତ ।୧୯୭।

ଅନ୍ତରୀଛେ ବୁଲାଇଲା ଅଇରାବ୍ରତ ତୋଳି

ଫିଙ୍ଗିଦେଲା ଭୀମକୁ ଯେ ଗଜ ମହାବଳୀ ।୧୯୮।

ଆକାଶ ମାର୍ଗରେ ଯହୁଂ ଫିଙ୍ଗିଦେଲା ଅଇରାବ୍ରତ ଗଜ

ଗନ୍ଧମାର୍ଦନ ପରବତେ ପଡ଼ିଲା ପବନ ଆତ୍ମଜ ।୧୯୯।

ବଜ୍ରଘାତ ପ୍ରାୟେ ଜାଣି ପଡ଼ିଲାକ ଭୀମ

ଭୂମିରେ ପଡ଼ିଣ ସେ ହୋଇଲା ଅଚେବନ ।୨୦୦।

ଦେଖିଲେକ ଯୁଝେଷ୍ଠି ଭୀମସେନର କଷ୍ଟ

କୋଳକରି ଧଇଲେ ଯାଇଂ ଦେବ ଧର୍ମଚାଟ ।୨୦୧।

ହା ହା ସୋଦର ରେ ମହା ଅଚାର୍ଗଳ ଯୋଧୀ

କେବଣ ଦଇବ ତୋତେ ଅନମିତେ ବିରୋଧୀ ।୨୦୨।

ନାରଦେ କହିଲେ ଯେ ଭୀମସେନର କଥା

ସଞ୍ଚପି କହିଲେ ସେ ଯେ ସମର ବାରତା ।୨୦୩।

ଅନେକ ଗନ୍ଧର୍ବେ ସେ ଯେ ମାଇଲା ସମରେ

କଟାଳ ଦେଖିଣ ବିଜେକଲେ ଆପଣେ ସୁରେଶ୍ୱରେ ।୨୦୪।

ଦେଖ ହୋ ପ୍ରତାପ ଭୀମସେନର ଯେ କଥା

ଦେବ ସଇନ୍ୟଯାକ ଭୀମ ମାରି ଅପ୍ରମିତା ।୨୦୫।

ଇନ୍ଦ୍ରକୁ ଦେଖିଣ ଭୀମ ନ ଘୁଞ୍ଚିଲା ଯହୁଂ

ସମରେ ସେ ଦେବଇନ୍ଦ୍ର କୋପିଲାକ ତହୁଂ ।୨୦୬।

କୋପେଣ ଯେ ଅଇରାବ୍ରତ ନାଗ ତାକୁ ଫିଙ୍ଗି ପକାଇଲା

ୟେତେଦୂରେ ଆସି ଭୀମସେନ ଯେ ପଡ଼ିଲା ।୨୦୭।

ଶୁଣି କୋପାନଳ ହୋଇଲେ ଦେବ ବଳରାମ

ରାଗେଣ ଉଠିଲେ ସେ ଯେ ପୁରୁଷଂକ ଉତ୍ତମ ।୨୦୮।

ରାମ କୃଷ୍ଣଂକର ମୃତ୍ତି ସେ ଦେଖିଣ ମଘବାନ

ମହାନାଗ ବାହନେ ବିଜୟେ ଦେବ ପାକ ଯେ ଶାସନ ।୨୦୯।

ଶ୍ରୀଭୁଜେ ଶୋଭାବନ ବଜ୍ର ଯେ ଶକତି

ମନ୍ଦର ପର୍ବତୁଂ ଓହ୍ଲାଇଲେ ସୁରପତି ।୨୧୦।

ଛଡ଼ ମର୍ଭୂତ ପୁତ୍ର ଅଛନ୍ତି ତାର ତୁଲେ

ଅନେକ ଅମରଗଣ ପବନୁଂ ବେଗେ ଧାଇଂଲେ ।୨୧୧।

ସମର ସମ୍ଭର୍ବେ ଯେ ବିଜୟେ ଆଖଣ୍ଡଳେ

ଗର୍ଜନ ନାଦ କରି ଉଠିଲେ ମେଘମାଳେ ।୨୧୨।

ଆହୋ ଚଇତନ ଚଉଦିଗେ ଘୋଟିଗଲେ ଜଳଧର ମେଘେ

ଆକାଶ ଅନ୍ଧକାର ହୋଇଲା ଚଉଦିଗେ ।୨୧୩।

ନିର୍ଘାତ ବାଣ ଅନଳ ଯେ ବଜ୍ରସୂଚୀ

ବଜ୍ରାଘାତେ ଉଲୁକାପାତ ଆକାଶୁଂ ପଡ଼ୁଅଛି ।୨୧୪।

ମେଘଂକର ଗର୍ଜନେ କମ୍ପଇ ବ୍ରହ୍ମାଣ୍ଡ ଖଣ୍ଡ ସାତ

ଦିବି ପୃଥିବୀ ଯେ ଦିଶିଲା ଉଲୁକାପାତ ।୨୧୫।

ଦେଖିଣ ଆଶ୍ରିଜ ଯେ ହୋଇଲେ ଯଦୁବୀରମାନେ

ସ୍ୱାମୀ ବଡ଼ାଇ ଦୁରାପଦ ପଡ଼ିଲା ରଖ ହେ ଭଗବାନେ ।୨୧୬।

ଶୁଣିଣ ବିଚାରନ୍ତି ଦେବ ଦାମୋଦର

ବିନତା ନନ୍ଦନ ମୁଖକୁ ଯେ ଚାହିଂଲେ ଚକ୍ରଧର ।୨୧୭।

ବାବୁ ମେଘେ ତ ଉଠିଲେ ବାସବ ବଚନେ

ଦେଖିଣ ବିକଳ ହୋଇଲେ ସମସ୍ତ ଯଦୁସନ୍ୟମାନେ ।୨୧୮।

ବିନତା ନନ୍ଦନ ଯେ ଉହାଡ଼ିଲା ବେନି ପଖି

ଆକାଶ ଘୋଟିଲା ସେ ସମସ୍ତ ସନ୍ୟମାନ ବ୍ୟାପି ।୨୧୯।

ଦଶଯୁଣ ମାଡ଼ି ରହିଛଇ ଯେବଣ ଯାଦବ ବଳ

ପଖିଦେଇ ବଇନେତ୍ର ଉହାଡ଼ିଲା ସକଳ ।୨୨୦।

ବରଷନ୍ତି ମେଘେ ଯେ ମୂଷଳ ଧାରା ଜାଣି

ଗରୁଡ଼ ପିଠିରେ ପଡ଼ି ତଳେ ପଡ଼ୁଅଛି ପାଣି ।୨୨୧।

ନିର୍ଘାତ ବଜ୍ରସୂଚୀ ଅନଳ ଶରମାନ

ଗରୁଡ଼ ପିଠିରେ ପଡ଼ି ହୋଉଛନ୍ତି ନାଶପାନ ।୨୨୨।

ପବନକଇଂ ରାଇ ଆଗ୍ୟାଂ ଦିଲେ ମଘବାନ

ମେଘଂକର ତୁଲେ ତୁ ଯାଇ ବହସି ବହନ ।୨୨୩।

ଅଣଚାଶ ପବନ ଘେନି ତୁ ବହିବୁ ସମ୍ଭରେ

ଯାଦବମାନନ୍ତ ନେଇ ପକାଅ ସାହେର ଭିତରେ ।୨୨୪।

ଦେବରାଜଂକ ବଚନେ ସେ ଗର୍ଜଇ ପବନ

ବହିଲା ଅଣଚାଶ ସେ ବଡ଼ାଇ ଗହନ ।୨୨୫।

ଯୁଝେଷ୍ଠି ଦେବ ଶ୍ରୀକୃଷ୍ଣେ ବୋଇଲେ ପବନ ମେଘ ତୁଲେ

ସମସ୍ତେ ନାଶ ଯିବାଟି ଅଣଚାଶ ବହିଲେ ।୨୨୬।

ଶୁଣିଣ ନାରାୟଣ ସୁମରିଲେ ହନୁମନ୍ତ

ଖିନିଖିନାୟେ ଥାଇଂ ଜାଣିଲା ସେ ଅଞ୍ଜନାର ସୁତ ।୨୨୭।

ଚଉଦ ଶଙ୍ଖ ତାହାର ଦଧିମୁଖା ସଇନି

ଲାଙ୍ଗୁଳ ଉପରେ ତାଂକୁ ବସାଇ ଆସଇ ପାବନି ।୨୨୮।

ୟେସନକ ବିକ୍ରମ ଗତି ଧରି ହନୁମନ୍ତ କ୍ଷେପି

ଆଠଶତ ଯୋଜନା ୟେକା ପାଦକେ ବ୍ୟାପି ।୨୨୯।

ମନ୍ଦର ଗନ୍ଧମାର୍ଦ୍ଦନ ପର୍ବତ ମଧ୍ୟସ୍ତାନେ

ତହିଂ ଯାଇ ପଡ଼ିଲା ହନୁମାନେ ।୨୩୦।

ଶ୍ରୀ ଜନାର୍ଦ୍ଦନ ଚରଣେ ହନୁମନ୍ତ ପରିଣାମି

କେବଣ ଚରିତ ତୁମେ ଭିଆଇଲେ ଦେବସ୍ଵାମୀ ।୧୩୧।

ଗୋବିନ୍ଦ ବୋଇଲେ ମୋର ଦୁହିତା ସଚଳା

ବଳାତକାରେ ହରିନେଲା ତାହା ବାସେବର ବଳା ।୧୩୨।

ତାହାର ପାଇଂ ତ୍ରିଦଶ ଦେବେ ପରିଘାଇ

ଆମ୍ଭନ୍ତ ଜିଣିମେ ବୋଲି ଆସିଛନ୍ତି ଧସାଇ ।୧୩୩।

ଆହୋ ମେଘନ୍ତ ଘେନିକରି ପବନ ସେନାପତି

ଆମ୍ଭନ୍ତ ଉଡ଼ାଇ ପକାଇବ ସମୋଦ୍ରେ ସବୁନ୍ତି ।୨୩୪।

ଶ୍ରୀ ନାରାୟଣଂକ ବଚନ ଶୁଣିଣ ହନୁମନ୍ତ

ଲାଙ୍ଗୁଡ଼ ବିସ୍ତାର କଲା ପବନର ସୁତ ।୨୩୫।

ଦଶଯୁଣ ମାଡ଼ି ରହିଅଛନ୍ତି ନାରାୟଣଂକ ସଇନି

କୋଡ଼ିୟେ ଯୋଜନ ଆୟତନେ ଗଡ଼େ କଲାକ ପାବନି ।୨୩୬।

ଉଛର୍ଗ କଲାକ ସେ ଷାଠିଏ ଯୋଜନ

ପବନର ବିଘାତ ୟେକା ଆବୋରିଲା ହନୁମାନ ।୨୩୭।

ଭାବେ ଲାଞ୍ଜ ଆଉଜି ସଇନି ରହିଲେ ନିଶ୍ଚିତେ

ଉପରେ ପଖି ଘୋଡ଼ାଇଲା ବିନତାର ସୁତେ ।୨୩୮।

ଅଣଚାଶ ପବନ ଘେନି ଯେ ବହିଲା ପବନ ମହାବଳ

ବନ ପରବତ ଭାଞ୍ଜି ଆଉଜି ସଇନି ହୋଇଲା ସମତୁଲ ।୨୩୯।

ଉପରେ ମେଘମାନେ ମୁଷଳଧାରା ବୃଷ୍ଟି

ଗରୁଡ଼ ପଛିରେ ପଡ଼ି ମନ୍ଦାୟେ ବନ ଫୁଟି ।୨୪୦।

ଆହୋ ଚଇତନ , ଗରୁଡ଼ ପଖି ଛାୟେଣୀ , ହନୁମନ୍ତ ଲାଞ୍ଜ ପାଚେରୀ ପ୍ରାୟେ ମଣି ।

ୟେତେ ପବନ ମେଘଂକର ଘାତ ଯଦୁବୀର କିଛିହିଂ ନ ଜାଣି ।୨୪୧।

ବଜ୍ରସୂଚୀ ବିଘାତ ଆବର ଅଗ୍ନିବାଣ

ଗରୁଡ଼ ପଛିରେ ପଡ଼ି ହୁଅନ୍ତି ଅକାରଣ ।୨୪୨।

ସଇନି ବିକଳ ହୁଅନ୍ତି ନ ପୁଣ ଗରୁଡ଼ ପଖି ପୋଡ଼ଇ

ଝଡ଼ିଣ ଅଗ୍ନି ଆମ୍ଭର ଉପରେ ପଡ଼ଇ ।୨୪୩।

ସଇନି ବିକଳ ଦେଖିଣ ଫାଲଗୁନି

ଅବିଛନ୍ନେ ବାଣ ବିନ୍ଧିଲା ମନଭେଦୀ ଶର ଘେନି ।୨୪୪।

ଗରୁଡ଼ ପକ୍ଷ ଘୋଡ଼ାଇଲା ଅଛି ମହାଭାରା

ତହିଂର ଉପରେ ଅର୍ଜୁନ କଲା ଶର ପୀଡ଼ା ।୨୪୫।

ପଞ୍ଚତାଳ ବହଳ ହୋଇ କୋଡ଼ିୟେ ଯୋଜନ ବିସ୍ତୀର୍ଣ୍ଣ

ଶର ଛାଉଣୀ କରି ଘୋଡ଼ାଇଲା ବୀର ଅରଜୁନ ।୨୪୬।

ପବନ ବହାଇ ମେଘ ବରଷଇ ମୂଷଳ ଧାରେ

ପଞ୍ଚୁରାତ୍ର ପଞ୍ଚୁଦିବସ ବରଷିଲେ ସମ୍ଭରେ ।୨୪୭।

ପବନ ବହନ୍ତେ ଯେ ଉଠିଲେ ଦିଗପାଳେ

ସମସ୍ତେ ଓହାଡ଼ ହୋଇଲେ ମେରୁ ଯେ ମେଖଳେ ।୨୪୮।

ମେଘଂକର ଗର୍ଜନେ ହନୁମନ୍ତ ମହାକୋପେ

ମେଘକୁ ଚାପଡ଼େ ମାଇଲା ପରିତାପେ ।୨୪୯।

ସମ୍ଵର୍ତ୍ତକ ମେଘ ମଥାରେ ପଡ଼ିଲା ବଜ୍ରବିଧା

ମୋହୋଣ ଅସାଷ୍ଟମ ହୋଇଲା ଜଳସିଦ୍ଧା ।୨୫୦।

ମହାବଳୀ ମେଘ ଯହୁଂ ପଡ଼ିଲା ମହୀଲୋଟି

ସମସ୍ତ ମେଘମାନେ ତହୁଁ ପଳାଇଗଲେ ଫୁଟି ।୧୫୧।

ମେଘେ ପଳାଇଲେ ଯହୁଂ ରହିଲା ମହାବୃଷ୍ଟି

ବନ ତିଙ୍ଗର ପର୍ବ ୟେକମେଳ ହୋଇଲା ଜଳଘୋଟି ।୨୫୨।

ମହା ଅନ୍ଧତ୍‌କାର ଯେ ସବୁ ଜଳମୟେ

ହନୁମନ୍ତ ଲାଜଂ ପଡ଼ନ୍ତେ ସନ୍ୟକୁ କିଛି ନାହିଂ ଭୟେ ।୨୫୩।

ପବନ ବହୁଅଛି ଯେ ମହାସମ୍ଭରେ

ପବନକୁ ହନୁମନ୍ତ ମାଇଲା ଚାପଡ଼େ ।୨୫୪।

ପ୍ରଚଣ୍ତ ପବନ ଯାଇ ପଡ଼ିଲା ନିଜସ୍ଥାନେ

ପ୍ରାୟେଣ ଅଚେବନ ସେ ହୋଇଲା ପବନେ ।୨୫୫।

ଭୟେ ପାଇଣ ସେ ଯେ ରହିଲା ମହାବାତ

ପ୍ରଚଣ୍ତ ପବନ ମୋହେଣ ହୋଇଲା ଅଚେତ ।୨୫୬।

ଆରମ୍ଭେ ପବନ ଯେ ବହୁଥିଲା ଗଳଗାଜି

ହନୁମନ୍ତ ବିଘାତେଣ ପଳାଇଲେ ସର୍ବେ ଭାଂଜି ।୨୫୭।

ମେଘ ପବନ ଯଦୁଂ ହୋଇଲା ନିବର୍ତ୍ତି

ହନୁମନ୍ତ ଲାଙ୍ଗୁଡ଼ ସଂହରିଲା ତତକ୍ଷଣାନ୍ତି ।୨୫୮।

ଗରୁଡ଼ର ପକ୍ଷ ଯେ ସମାର୍ଜନା କଲା

ଅର୍ଜୁନ ନାରାଜମାନ ତ୍ରୋଣରେ ସଂହରିଲା ।୨୫୯।

ବଳରାମେ ବିଜେକଲେ ତାଳଧ୍ଵଜ ରଥେ

ଗୋବିନ୍ଦେ ବିଜେକଲେ ବଇନେତ୍ର ପିଠିଗତେ ।୨୬୦।

ଦେଖିଲେ ଦେବତାମାନେ ସମରେ ନାହାନ୍ତି କେହି

ଈଶ୍ଵର ଇନ୍ଦ୍ର ଦୁଇ ଦେବତା ଛନ୍ତି ରହି ।୨୬୧।

କୋପେଣ ଗର୍ଜିଲେ ରାମ ତେଜ ଅନର୍ଗଳା

କାଦମ୍ଵରୀ ପାନେ ଯେ ମହାମତ୍ତଭୋଳା ।୨୬୨।

ନୀଳାମ୍ଵର ପୁରୁଷ ପ୍ରତଗ୍ୟା ଦେବହଳୀ

ମଉନେ ଫେଣା ଯାର ସପତ କୁଣ୍ତଳୀ ।୨୬୩।

ନିରାକାର ପୁରୁଷ ଯେ ପରମାନନ୍ଦ ଯୋଗୀ

ସମର୍ଥକ ହଳ ଦେବ ବୁଲାଇଲେ ବେଗି ।୨୬୪।

ନବ ସହସ୍ର ଯୋଜନ ପୋତା ଯେବଣ ମନ୍ଦର ପରବତ

ଉତ୍ସର୍ଗ ବିସ୍ତାର ଯେ ତିନି ଅହିବ୍ରତ ।୨୬୫।

ବଜ୍ର ହଳ ଘେନି ପର୍ବତ ରାମ ତାଡ଼ି

ମହାଭାରା ପର୍ବତ ହେଳେଣ ଉପାଡ଼ି ।୨୬୬।

ଆହୋ ଚଇତନ କୋଟିୟେ ସିଂହର ବଳ ଯାହାର ପ୍ରତକ୍ଷେ

ମନ୍ଦର ଗିରି ପର୍ବତ ହଳମୁନେ ରାମ ଧଇଲେ ଅନ୍ତରୀଛେ ।୨୬୭।

ଈଶ୍ଵର ଇନ୍ଦ୍ର ଯେ ଘେନିଣ ବେନିବଳ

ସେହି ପର୍ବତ ଉପରେ ରହିଅଛନ୍ତି ନିଚଳ ।୨୬୮।

ଚଉଦ କୋଟି ଶିବ ଗଣନ୍ତ ଘେନିଣ ସଦାଶିବ

ବୃଷଭ ଚଳାଇ ଡେଇଂ ପଡ଼ିଲେ ମହାଦେବ ।୨୬୯।

ଅଇରାବ୍ରତ ଚଳାଇଂ ଡେଇଂ ପଡ଼ିଲେ ସୁରପତି

ଅମରଗଣ ଘେନିଣ ସେ ହୋଇଲେ ଭୂମିଗତି ।୨୭୦।

ଦେଖିଣ କାମପାଳେ ଯେ ଧାମନ୍ତି ଅତିବେଗେ

ମନ୍ଦର ଧରି ରାମ ସଦାଶିବର ଆଗେ ।୧୭୧।

ଶ୍ରୀଭୁଜେ ଶଙ୍ଖ ଚକ୍ର ଘେନିଣ ବନମାଳୀ

ବାସବ ଦେବତା ଛାମୁରେ ଯାଇଂ ମିଳି ।୨୭୨।

ନିଶାଚର ବଳମାନନ୍ତ ଘେନିଣ ଯେ ଯମ ଦେବତା

କାଳଫାଶ କରେ ମହିଷି ବାହନ ଘେନି ନାଥା ।୨୭୩।

କୋପେଣ କୃତାନ୍ତକ ବଳ ଘେନିଣ ଧାମଇଂ ଅତିବେଗେ

ପଳାବନ୍ତି ସଇନି କେହି ନ ରହିଲେ ଆଗେ ।୨୭୪।

ଦୂରେଣ ଦେଖିଲା ତାହା ପାଣ୍ତବ ଭୀମସେନ

କୃତାନ୍ତକ ଉପରକୁ ଧାଇଂଲା ବହନ ।୨୭୫।

ଯମ ଭୀମ ଦୁହେଂ ଯହୁଂ ହୋଇଲେକ ୟେକଭେଟ

ଅଗ୍ନି ଦେବତାୟେ ଯାଇଂ ହୋଇଲେ ନିକଟ ।୨୭୬।

ଅଗ୍ନିଂକର ମୃତ୍ତି ଦେଖି ପଳାବନ୍ତି ସଇନି

ନନ୍ଦିଘୋଷ ରଥ ଆରୋହି ଯାଇଂ ଓଗାଳିଲେ ଫାଲଗୁନି ।୨୭୭।

ଅର୍ଜୁନର ହାଥେ ଶହସ୍ର ବଇଶ୍ୟାନର ଦେଖି

ଭାଞ୍ଜିଣ ଘୁଞ୍ଚି ରହିଲେ ସମର ଉପେକ୍ଷି ।୨୭୮।

ଅଗ୍ନି ବୋଲଇ ବାବୁ ମୋହୋର କଷ୍ଟଥିଲା ଲୁଦୁବୁଦୁ ବ୍ୟାଧି

ତାହା ପାରକଲୁ ମୋତେ ଦେଇଣ ମଉଷଧି ।୨୭୯।

ବାବୁ କଲାର ଉପକାର ନ ସୁମରନ୍ତି ଯେବଣ ଲୋକ

କୁପୁରୁଷ ତୁଲେ ତାକୁ କରିବା ଜଣେକ ।୨୮୦।

ତୁ ମୋତେ ଉପକାର କଲୁ ସର୍ବସାଚୀ

କାହୁଂ ଶୁଝିବି ମୁଂ ତୋର ଗୁଣ ହୃଦେ ପାଞ୍ଚି ।୨୮୧।

ଅଗ୍ନିଦେବତା ଯେ ଅର୍ଜୁନକୁ ବହୁତ ପୁରସରି ବୋଲି

ବାବୁ ସମରେ ମୁହିଂ ୟେବେ ତୋର କତିରେ ହୋଇଲି ।୨୮୨।

ଯହିଂକୁ ପେଷିବୁ ମୋତେ ଧନୁରେ ବସାଇ

ତ୍ରଇଲୋକ୍ୟେଣ ଥିଲେ ତାହା ମୁଂ ଆସିବଇଂ ଦହି ।୨୮୩।

ଶୁଣ ହୋ ଅର୍ଜୁନକୁ ପ୍ରସନ୍ନ ହୋଇଲେ ଯେ ଅଗ୍ନି

ପଞ୍ଚଶିଖା ହୋଇ ତ୍ରୋଣେ ପଶିଲେ ବହନି ।୨୮୪।

ଯୁଦ୍ଧ ଛାଡ଼ି ପ୍ରସନ୍ନ ହୋଇଲେ ବଇଶନ୍ୟାର

ଚମକାଇ ନନ୍ଦିଘୋଷ ରଥ ବାହଇ ପାଥ ଧନୁର୍ଧର ।୨୮୫।

ଯମ ଭୀମ ଦୁହିଂକର ବଢ଼ିଲା ମହାଗୋଳ

ଦଣ୍ତ ଘେନି ଧାଇଂଲେ କାଳ ଯେ ବିକାଳ ।୨୮୬।

ଯମଗଣଂକର ହାଥେ ଅଛଇ କାଳଫାଶି

ଗଦା ଘେନି ବ୍ରିକୋଦର କାଳ ବିକାଳକଇଂ ଆକ୍ରେଷି ।୨୮୭।

କାଳଫାଶ ଘେନିଣ ଯେ ଧାଇଂଲେ ଯମଦୂତେ

ଧାଇଂଣ ମାରୁତି ନେଇ ପିଟିଲା ଗଦାଘାତେ ।୨୮୮।

ଗଦାବର ପଡ଼ନ୍ତେ ଛିଡ଼ିଲା କାଳଫାଶି

କାଳ ବିକାଳକୁ ଗଦା ଘେନି ଭୀମସେନ ଆକ୍ରେଷି ।୨୮୯।

ମହାଗଦା ଦେଖିଣ ଯେ ଯମର ସେନାପତି

ତ୍ରାସେଣ ଆଡ଼ ହୋଇଲେ ସପତ ମୂରତି ।୨୯୦।

ମୂର୍ଦ୍ଧୁନା ସେନା ପଡ଼ି ଭାଞ୍ଜିଲେ ଯହୁଂରଣେ

ପଞ୍ଚାଉଂଣ ମର୍ଭୁତ ଭାଞ୍ଜି ପଳାଇଲେ ଯମଗଣେ ।୨୯୧।

ଯଦୁଂଣ ଭାଞ୍ଜିଲେ ସେ କୃତାନ୍ତକ ଦଣ୍ତ

କଳାଦଣ୍ତ ଧରି ଧାମଇଂ ନାଶକର ପ୍ରଚଣ୍ତ ।୨୯୨।

ମଇଂଷି ବାହନେ ଯେ ଅନ୍ଧାର ଘୋର ମୃତ୍ତି ।

ଭୀମର ଛାମୁରେ ଯମ ମିଳିଲା ତଡ଼ତି ।୨୯୩।

ଶତଶୃଙ୍ଗ ସୁମରି ଭୀମ ବିସ୍ତାର କଲା କାୟା

ଯମକଇଂ ଦେଖି ଭୀମସେନ ନିଶଂକ ନିର୍ଭୟା ।୨୯୪।

ରେ ରେ କାର କରିଣ ଭୀମ ବୁଲାଇ ଗଦାବର

ଧାଇଂଣ ପିଟିଲା ସେ ଯମର ମଇଂଷି ଉପର ।୨୯୫।

ପବନର ବୀର୍ଯ୍ୟେ ଜାତ ସେ କ୍ଷତ୍ରିୟ ପରଚଣ୍ତ

ଗଦା ବିଘାତେ ଚୂରଗଲା ମଇଂଷିର ମୁଣ୍ତ ।୨୯୬।

ଅସାଷ୍ଟମେ ମଇଂଷି ଯେ ପଡ଼ିଲା ମହୀଲୋଟି

ସେ ମଇଂଷି କି ଧରି ଯମ ଉପରେଣ ନେଇ ପିଟି ।୨୯୭।

ପର୍ବତ ଉପରେ ଯେହ୍ନେ ପଡ଼ଇ ବଜ୍ରଘାତ

ପ୍ରହାରେ ଯମ ଦେବତା ହୋଇଲେ ଅଚେତ ।୨୯୮।

ପୁଣି ସଚେତ ହୋଇ କରେ ଗଦା ଘେନି

ଭୀମକଇଂ ପ୍ରହାର ସେ କରଇ ଜନ୍ତୁସ୍ଵାମୀ ।୨୯୯।

ଗଦା ପିଟନ୍ତେ ସେ ଯେ ଧଇଲା ମାରୁତି

ଯମର ହାଥୁଂ ଉଡ଼ୁଛି ଧଇଲା ତଡ଼ତି ।୩୦୦।

ସେହି ଗଦା ଘେନି ପିଟିଲା ନିଠାଇ

ଭୟେଣ ନାଶକର ଅନ୍ତର୍ଦ୍ଧାନ ସେହିଠାଇଂ ।୩୦୧।

ଅନ୍ତରୀଛେ ପଳାଇଲା କୃତାନ୍ତକ ସଇନି ଘେନି

ପଳାଇ ପଶିଲା ସେ ଭୁବନ ସଞ୍ଜିବନୀ ।୩୦୨।

ସିଂଘନାଦ ଶବଦ କରଇ ବ୍ରିକୋଦର

ବିହଡ଼ଇ ପାଣ୍ତବ ଯେ ତେଜ ପରଖର ।୩୦୩।

ଯମର ହାଥରୁ ଗଦାବର ଉଛୁଡ଼ିଣ ଘେନି

କାଳେବର ନାମ ଯେ ବହିଲା ପାବେନି ।୩୦୪।

ସାଧୁ ସାଧୁ ଭୀମ ବୋଲି ନାରଦେ କଲେ ଧୁନି

ଯମର ଉପରେ ଦୂତୀଯମ ବୀରଧୂ ପାବେନି ।୩୦୫।

ସମରେ ଭଗ୍ନ ଯହୁଂ ହୋଇଲେ ନାଶକର

ଦିଗପାଳମାନେ ଯେ ହୋଇଲେ ଅନ୍ତର ।୩୦୬।

ସମରେ ବିଜେକଲେ ଦେବ ବିଶ୍ଵନାଥେ

କୋଟିୟେ ସହସ୍ର ବଳ ପିନାକ ଧନୁ ଧରି ହାଥେ ।୩୦୭।

ଚଉଦ କୋଟି ଶିବଗଣ ଅଛନ୍ତି ତାକଂ ତୁଲେ

ପରମାନନ୍ଦ ନାଥ ସମରେ ବିଜେକଲେ ।୩୦୮।

ମୟୁର ବାହାନେ ଯେ କାର୍ତ୍ତିକେଶ୍ଵର ବିଜେ

ଇନ୍ଦୂର ବାହାନେ ବିଜେକଲେ ବିଘ୍ନରାଜେ ।୩୦୯।

ଶାର୍ଦ୍ଦୋଳ ବାହାନେ ନନ୍ଦୀକେଶର ଚଳି

ଶ୍ରୀକାଳ ବାହନେ ଜୟନ୍ତକ ବେଗେ ମିଳି ।୩୧୦।

ଚଣ୍ତ ପ୍ରଚଣ୍ତ ବେନି ବ୍ୟାଘ୍ରନ୍ତ ଆରୋହୀ

ଟିଣାୟେକ ବିଣାୟକ ବେନି ଭାଲୁକ ଉପରେ ଗମଇ ।୩୧୧।

ଜୟନ୍ତିକ ଅଜୟନ୍ତିକ ମୃଗ ଯେ ବଳୟା

ଭୂମିରେଣ ପାଦଗତି ଧାମଇଂ ଅଭୟା ।୩୧୨।

ମଣିଭଦ୍ର ଚଳଇ ଯେ ଶମ୍ଵର ବାହାନେ

ବନଜୀବ ଆରୋହିଣ ସକଳ ଗଣନାୟେକମାନେ ।୩୧୩।

ବଇନେତ୍ର ବାହାନେ ଯେ ବିଜୟେ ଚକ୍ରଧାରୀ

ହରିହର ଦୁହେଂ ଭେଟ ସମର ଆବୋରି ।୩୧୪।

ନାରାୟେଣକଇଂ ଦେଖିଣ କୋପକଲେ ହର

ସଞ୍ଚୟେ ସମ୍ପଦ ଆଜ ବୁଡ଼ାଇଲ ରେ ଗଉଡ଼ ।୩୧୫।

ଆରେ ସଚଳା କନ୍ୟା ତୋର କୂଳ ଯେ ନାଶିନୀ

ଦ୍ଵାରିକା ଭୁବନକୁ ସେ କାଳାନଳ ବହନି ।୩୧୬।

ଯାବତ କନ୍ୟାକୁ ତୁ ହରିଆଣୁ ବଳେ

ତୋତେ କଳଂକ ଲାଗିଲା ଆସି ୟେତେକାଳେ ।୩୧୬।

ଗୋବିନ୍ଦେ ବୋଇଲେ ହୋ ତୋହୋର ମନ୍ଦପଣ

ତୁ କିଂପେ ମଝିରେ ପଶି ମରୁଛୁ ଅକାରଣ ।୩୧୮।

ବାସେବର ପୁତ୍ର ମୋର ଦୋହିତା ହରିଲା

ତାହାର ମୋହୋର ଯେ ସମର ହୋଇଲା ।୩୧୯।

ତୁ କିପେଂ ମଧ୍ୟେ ପଡ଼ି ଧ୍ଵଂସି ମରୁ ଅନମିତେ

ପୃଥିବୀ ରହଇ କି ସମୋଦ୍ର ଲଘଂନ୍ତେ ।୩୨୦।

କର୍ମେଣ ଯୋଗୀ ତୁ କାଳେଣ ଅବିଚାର ମନ୍ଦବୁନ୍ଧି

ଯତନେ ନାଶ କରିବୁ ଅମର ସମ୍ପ୍ରଧି ।୩୨୧।

ନାରାୟେଣଂକର ବଚନ ଶୁଣିଣ ବିଶ୍ଵବାସୀ

କରେ ପିନାକ ଦେବ ଧଇଲେ ଆକ୍ରେଷି ।୩୨୨।

ଅନିର୍ଯାପ ନାରାଜ ବିନ୍ଧିଲେ ହର କୋପେ

ସମସ୍ତ ଚୂରଗଲା ଗରୁଡ଼ ପକ୍ଷୀ ଦର୍ପେ ।୩୨୩।

ଅବିକ୍ଷଣେ ବାଣ ବିନ୍ଧିଲେ ଧୂର୍ଜଟି

ୟେକା ପ୍ରହାରକେ ଢଳନ୍ତି କୋଟି କୋଟି ।୩୨୪।

ବିନତାର ନନ୍ଦନ ପଥି ଯେ ଉହାଡ଼ି

ସମସ୍ତ ଶହସ୍ରମାନ ହେଉଛନ୍ତି ଚୂରି ।୩୨୫।

ଅଗ୍ନିବାଣ କରେ ଧରି ବିନ୍ଧିଲେ ସଦାଶିବ

ସେ ଅଗ୍ନିବାଣକୁ ଗରୁଡ଼ ସଂହରିଲା ଗର୍ଭ ।୩୨୬।

ପର୍ବତ ଘେନିଣ ଯେ ଧାମନ୍ତି ହେମବନ୍ତ

ଆଗେ ଓଗାଳିଲା ତାହା ବୀର ହନୁମନ୍ତ ।୩୨୭।

ଗିରିବରମାନେ ଯେ ପଡ଼ୁଛନ୍ତି ଝଡ଼ି

ସମସ୍ତ ଚୂରଗଲେ ହନୁମନ୍ତ ଶରୀରେଣ ପଡ଼ି ।୩୨୮।

ଲକ୍ଷେକ ପର୍ବତେ ଯେ ପଡ଼ିଲେ ୟେକଘାନ୍ତି

ହନୁମନ୍ତ ଦେହେ ପଡ଼ି ହୋଇଲେ ଧୂମ୍ରାନ୍ତି ।୩୨୯।

ରେ ରେ କାର କରିଣ ଯେ ଧାମଇ ପାବେନି

ହନୁମନ୍ତ ଆଗେ ହୋଇଲା ପର୍ବତେକ ଘେନି ।୩୩୦।

ଡିଙ୍ଗର ବୁଲାଇ ଯେ ପ୍ରହାର କଲା ହନୁ

ପର୍ବତେ ଭାଙ୍ଗିଲେ ପଡ଼ି ହେମବନ୍ତର ତନୁ ।୩୩୧।

ଲଉହଗିରି ହେମଗିରି ଘେନି ରାଜା କରେ

ବୁଲାଇ ପ୍ରହାର କଲା ମାରୁତିର ଶିରେ ।୩୩୨।

ଦେଖିଣ ହନୁମନ୍ତ ପାତିଲା ବକ୍ଷସ୍ଥଳ

ଲଉହଗିରି ଭାଞ୍ଜି ହୋଇଲା ଶତ ଚୂର ।୩୩୩।

ଦେଖିଣ ଆଶ୍ରିଜ ଯେ ହୋଇଲେ ହେମବନ୍ତ

ନିଶ୍ଵାସ ନ ବହଇ ହୋଇଲେ ଥମ୍ଭୀଭୂତ ।୩୩୪।

କୋପେଣ ମାରୁତି ଯେ ମାଇଲା ବଜ୍ରମୁଥ

ପଡ଼ିଣ ମୃଛାଗତ ହୋଇଲେ ହେମବନ୍ତ ।୩୩୫।

ପୁଣ ପୁଣ ପ୍ରହାର ଯେ କରଇ ମାରୁତି

ହନୁମନ୍ତ ହାଥ ଆସି ଧଇଲେ ପାର୍ବତୀ ।୩୩୬।

ବାବୁ ମୋହୋର ପିଅର ୟେ ଯେ ତୋହୋର ଅଟେ ଅଜା

ରହ ରହ ବାବୁରେ ସମର କର ପରିତେଜ୍ୟା ।୩୩୭।

ପାର୍ବତୀଂକ ବଚନେ ହନୁ କୋପକଲା ଶାନ୍ତି

ଆଉ ପର୍ବତମାନନ୍ତ ଲାଙ୍ଗୁଡ଼େ ବାନ୍ଧି ଫିଙ୍ଗିଲା ସବୁନ୍ତି ।୩୩୮।

ହେମବନ୍ତ ଗଲା ଯେ ତେଜିଣ ସମର

ହନୁମନ୍ତକୁ ଓଗାଳିଲେ ଆସି କାର୍ତ୍ତିକେଶ୍ଵର ବୀର ।୩୩୯।

ଦ୍ଵାଦଶ ଭୁଜେ କୁମର ଧରିଛନ୍ତି ଛଡ଼ଧନୁ

ଲକ୍ଷେକ ନାରାଜ ବିନ୍ଧିଲା ପାର୍ବତୀର ତନୁ ।୩୪୦।

ଦେଖିଣ ହନୁମାନ ପାତିଲା ବକ୍ଷସ୍ଥଳ

କାର୍ତ୍ତିକେଶ୍ଵର ନାରାଜମାନ ହୋଇଲେ ସର୍ବଚୂର ।୩୪୧।

ପୁଣି ଲକ୍ଷେକ ପ୍ରହାର କଲା ବୀରମଣି

ହନୁମନ୍ତ ପାତିଲା ବକ୍ଷସ୍ଥଳ ପୁଣି ।୩୪୨।

ନାରାଜ ପଡ଼ିଲେ ଯେ ହନୁମନ୍ତ ହୃଦେ

ସମସ୍ତ ନାରାଜ ଯେ ଚୂରଗଲା ହାଦେ ।୩୪୩।

ଅଞ୍ଜନାର ନନ୍ଦନ ଯେ ଅତିୟ ବଳବନ୍ତା

ମହାକଳ୍ପାନ୍ତ ପୁରୁଷ ସାଂଗ୍ରାମେ ଜିଣନ୍ତା ।୩୪୪।

ଦେଖିଣ କୋହାନଳ କାର୍ତ୍ତିକେଶ୍ୱେର ଯତି

ହନୁମନ୍ତ ଉପରେ ନେଇ ପିଟିଲା ଶକତି ।୩୪୫।

ହନୁମନ୍ତ ହୃଦେ ପଡ଼ିଣ ତୀକ୍ଷଶୂଳ

ଝଣତ୍‌କାର ହୋଇ ଅଗ୍ନି ହୋଇଲା ତାହାର ।୩୪୬।

ପଡ଼ିଣ ଚୂରଗଲା ମହାରୁଦ୍ର ଶର

ମହାମେଘ ପ୍ରାୟେ ଗର୍ଜଇ ପବନ କୁମାର ।୩୪୭।

କାର୍ତ୍ତିକେଶ୍ଵରକୁ ମାଇଲା ଭୁଜଦଣ୍ତେ

ଶ୍ରୋଣିତ ବୃଷ୍ଟି ହେଲା କାର୍ତ୍ତିକେଶ୍ଵର ଛଡ଼ମୁଣ୍ତେ ।୩୪୮।

ଘାୟେଣ ଅଚେତନ ସେ ଗଉରାଂକ ବଚ୍ଛି

ଶହସ୍ର ଛାଡ଼ିଣ ସେ ପଡ଼ଇ ଭୂମି ମୃଛି ।୩୪୯।

କାର୍ତ୍ତିକେଶ୍ଵର ନିଚେଷ୍ଟ ଦେଖି ଭାଜିଲେ ସଇନି

ପଳାବନ୍ତି ରୁଦ୍ରଗଣେ କରେ ଶସ୍ର ଘେନି ।୩୫୦।

ବଜ୍ରଗିରି କରେଣ ଧରି ଧାମଇଂ ହନୁମନ୍ତ

ଗୋଡ଼ାଇ ପିଟିଲା ସେ ଶିବଗଣମାନନ୍ତ ।୩୫୧।

ହରିହର ସମର ଯେ ହୋଇଲା ମହାରୋଳ

ଉଲୁକାପାତ ପ୍ରାୟେ ଦିଶିଲା ସ୍ଵର୍ଗ ମର୍ତ୍ତ୍ୟ ପାତାଳ ।୩୫୨।

ଈଶ୍ଵରେ ବିନ୍ଧିଲେ ଯେ ପାଶୁପତ୍ର ବାଣ

ନାରାୟଣ ଶସ୍ର ବିନ୍ଧିଲେ ନାରାୟଣ ।୩୫୩।

ବେନି ଶହସ୍ର ପରିତାଳ ହୋଇଲା ସମର ଭୂମି

ମହା ଅନଳ ତେଜ ବ୍ୟାପିଲା ଗଗନଗାମୀ ।୩୫୪।

ଈଶ୍ଵରେ ପ୍ରହାର କଲେ ଶୂଳ ଯେ ଶକତି

କଉମୁଦି ଗଦାରେ ଯେ ବଞ୍ଚାଇଲେ ଶ୍ରୀପତି ।୩୫୫।

ଧନୁ ଛାଡ଼ି ରୁଦ୍ରଦେବ ପଡ଼ିଲେ ବେଗେ ଡେଇଂ

ମାଲବନ୍ଧେ ହର ଜଗନ୍ନାଥଂକୁ ଧଇଲେକ ଯାଇଂ ।୩୫୬।

ପାଦେ ପାଦ ଛନ୍ଦି ମୁଥେ ମୁଥ ମରାମରି

ରୋମେ ରୋମେ ଶୋଣିତ ବହଇ ଦେବହରି ।୩୫୭।

ଦେଖିଣ ବଇନେତ୍ର ପକ୍ଷ ଯେ ଘୋଡ଼ାଇ

ନାରାୟଣଂକୁ ପିଠିରେ ବସାଇ ଉଡ଼ି ଘେନିଯାଇ ।୩୫୮।

ଗୋବିନ୍ଦ ଆଡ଼ ହୁଅନ୍ତେ ଧାଇଂଲେ ଦେବହର

ଉଗ୍ରସେନ ମୂଳେ ଅନେକ ସନ୍ୟ କଲେକ ଅପହାର ।୩୫୯।

ପଳାବନ୍ତି ଯାଦବେ ରୁଦ୍ରଂକ କୋପମୂର୍ତ୍ତି ଦେଖି

ପଶିଲେ ଗହନ ବନେ ସମର ଉପେକ୍ଷି ।୩୬୦।

ଇଶ୍ଵରଙ୍କ କୋପମୃତ୍ତି ଦେଖି ଦେବ ବଳରାମ

ହଳ ମୂଷଳ ଘେନିଣ ପଶିଲେ ସାଂଗ୍ରାମ ।୩୬୧।

ବୃଷଭ ଆହୋରଣ କଲେ ଦେବ ଶୂଳୀ

ମୁଖରାବ ଶବଦ କରି ଓଗାଳିଲେ ଦେବ ହଳୀ ।୩୬୨।

ବଜ୍ର ମୂଷକ ଯେ ସଉନନ୍ଦ ଯାର ନାମ

ବୃଷଭ ଉପରେ ନେଇ ପିଟିଲେ ବଳରାମ ।୩୬୩।

ବୃଷଭ ଉପରେଣ ମହାବଜ୍ର ପଡ଼ି

ମୋହେଣ ବୃଷଭ ଯେ ପଡ଼ିଲା ବସୁନ୍ଧରୀ ।୩୬୪।

ବଇଲ ଅଚେବନେ ରୁଦ୍ର ଯେ ଦେବତା

ଶୂନ୍ୟ ବାହନେ ଦେବ ସମରେ ଅପ୍ରମିତା ।୩୬୫।

ମନ୍ଦର କନ୍ଦର ରାମ ଧରିଅଛନ୍ତି ବାମକରେ

ଶୂଳେକ ଘେନି ପିଟିଲେ ନୀଳାମ୍ଵର ଉପରରେ ।୩୬୬।

ପୁଣି ପିଟିଲେ ହର ସୂର୍ଯ୍ୟାବ୍ରତେକ ଚକ୍ରେ

ଅଇରାବ୍ରତ ଆରୋହି ବିଜୟେ ଦେବ ଶକ୍ରେ ।୩୬୭।

ଶକ୍ର ଦେବତାଂକ ଧାମନ୍ତେ ଦେଖିଲା ଫାଲ୍‍ଗୁନି

ପୁରନ୍ଦର ଛାମୁରେ ପ୍ରବେଶ କରେ ଗାଣ୍ତିବ ଧନୁ ଘେନି ।୩୬୮।

ଇଦ୍ର ଆରୋହୀ ଅଛନ୍ତି ଅଇରାବ୍ରତ ନାଗ

ନନ୍ଦିଘୋଷ ରଥ ଆରୋହୀ ବିଜୟେ ପାର୍ଥ ଆଗ ।୩୬୯।

ଇଦ୍ରଦେବ ବୋଇଲେ ଆରେ ରେ ମୂର୍ଖ ପାଣ୍ତବା

ଦେବାଧି ଦେବଂକର ମୁହିଂ ସେ ଶିରୋମଣି ଦେବା ।୩୭୦।

ମୁହିଂ ତୋର ଯୁଗତେ ଅଟଇ ପିତାମହ

ଛାର ଗଉଡ଼ ବାଉଡ଼ ପାଇଂ ଛାଡ଼ିଲୁ ମୋତେ ସ୍ନେହ ।୩୭୧।

ଅଗ୍ୟାନ ପାଣ୍ତବା ରେ ଗ୍ୟାନ ତୋର ନାହିଂ

ପଶିଲୁ ଯମଦଣ୍ତେ ଯିବୁ ଆଜ କାହିଂ ।୩୭୨।

ପିତାମାତାଂକୁ ନ ଚିହ୍ନଇ ରେ ଯେବଣ ପୁତ୍ର

ତାହାର ଜୀବନ ରେ ଅଟଇ ଅକୃତାର୍ଥ ।୩୭୩।

ଯଦ୍ୟପି ବେଦମନ୍ତ୍ରକୁ ଜାଣଇଂ ଯେଉଂ ପୁତ୍ର

ପିତାର ପ୍ରସାଦେ ସିନା ହୁଅଇ ଉଦିତ ।୩୭୪।

ଗୋଳକୁଣ୍ତା ଜାରଜାତକା ସେ ଅଗ୍ୟାନୀ ମୂଢ଼ପ୍ରାଣୀ

ଗଉଡ଼ଂକ ମେଳେ ବଢ଼ିଲୁ କିଛିହିଂ ନ ଜାଣି ।୩୭୫।

କହୁଂ କହୁଂ କୋହ ଯେ ବଢ଼ିଲା ଅସକନ୍ଦ

ବଜ୍ର ଶକତି ବୁଲାଇ ଗର୍ଜଇ ଦେବଇଦ୍ର ।୩୭୬।

ଅର୍ଜୁନ ବୋଇଲା ଦେବ ବୋଲଇ ବହୁତ

ଅକାରଣେ ପ୍ରତଗ୍ୟାଂ କଲୁ ଅନମିତ୍ତ ।୩୭୭।

ଯେସନେକେ କୁହୁଡ଼ି ଘୋଟଇ ଆକାଶେ

କ୍ଷଣକେ ଫିଟଇ ସେ ସୂର୍ଯ୍ୟଂକର ଜ୍ୟୋତିତ୍ରାସେ ।୩୭୮।

କାହିଂ ତୋର ପବନ କାହିଂ ତୋର ବଇଶନ୍ୟାରେ

କାହିଂ ତୋର ହିମବନ୍ତ କାହିଂ ନାଶକରେ ।୩୭୯।

ଆଗହୁଂ ପିତାମହ କିମ୍ପେ ନ କଲୁ ବୁଦ୍ଧି

କେମନ୍ତେ ଦିଗପାଳ ବୋଲାଉ ଜମ୍ଭୋଭେଦୀ ।୩୮୦।

ପାରିଜାତକ ହରିଆଣିଲା ଯେତେବେଳେ

ବଳବୀର୍ଯ୍ୟ ପ୍ରାକ୍ରମ କାହିଂ ଥୋଇଲ ଆଖଣ୍ତଳେ ।୩୮୧।

ସମରେ ପଡ଼ିଲେ ଯେ ତୋହୋର ସର୍ବପୁତ୍ରେ

କ୍ଷଣକେ ୟେ ତୋହୋର ଜୀବନ ଅଛଇ ନା ହୃଦଗତେ ।୩୮୨।

ଅର୍ଜୁନର ବଚନ ଶୁଣିଣ ମଘବାନ

ଅଜଙ୍ଗ ଧନୁ ଧରି କଲାକ ଆଧାନ ।୩୮୩।

ନିଜ କରେ ଅର୍ଜୁନ ଧରିଲା ଗାଣ୍ତିମ ଧନୁ

ବଢ଼ିଲା ଉଚବାତ ପିତାପୁତ୍ର ହୋଇଲେ ଅନ୍ୟାଅନୁ ।୩୮୪।

ଆକର୍ଣ୍ଣ ପରିଯନ୍ତେ ନାରାଜ ପୂରୋଇ

ମନ୍ତ୍ର ଆବାହନେ ନାରାଜ ବିନ୍ଧିଲେ ସୁରସାଇଂ ।୩୮୫।

ସାତୁକୀ ସାରଥି ଯେ ଅର୍ଜୁନର ରଥେ

ତାହାକଇଂ ନାରାଜ ବିନ୍ଧିଲେ ଦଶଶତେ ।୩୮୬।

ଅର୍ଜୁନଂକୁ ବିନ୍ଧିଲେ ବେନିକୋଟି ନାରାଜ

ଚାରି ଅଶ୍ଵନ୍ତ ଚାରି ଶହସ୍ର ବିନ୍ଧିଲେ ଦେବରାଜ ।୩୮୭।

ବାସେବର ଶହସ୍ରକୁ ଅର୍ଜୁନ ବିନ୍ଧିଲା ଜ୍ଵାଳାବଳୀ

ବାସେବର ଶହସ୍ରମାନ ସବୁ ଗଲା ଜଳି ।୩୮୮।

ବାବଲ ଶରେକ ଯେ ପେଷିଲା ବାସେବର ତନୁ

ଛେଦି ପକାଇଲା ଇଦ୍ର ଦେବତାର ଧନୁ ।୩୮୯।

ପୁଣ ଆରେକ ଧନୁ ଧରି ସୁରନାଥ

ଅର୍ଜୁନ ଉପରେ ନାରାଜ ବିନ୍ଧିଲା କୋଟି ସାତ ।୩୯୦।

ଅଧାଚନ୍ଦ୍ର ବାଣ ଯେ ଅର୍ଜୁନ ବେଗେ ସନ୍ଧି

ବାସେବର ଧନୁ ତ୍ରୋଣ ପକାଇଲା ଛେଦି ।୩୯୧।

କାମ୍ୟେକ ନାରାଜ ଗୋଟି ବିନ୍ଧିଲା କିରୀଟୀ

ଅଇରାବ୍ରତ ଶରୀରେ ପଡ଼ି ରୋମେ ରୋମେ କଣ୍ଟି ।୩୯୨।

ପ୍ରଭାତେ କାଳେ ଯେହ୍ନେ ଦିଶଇ ଆଦିତ୍ୟ

ଶ୍ରୋଣିତ ବୃଷ୍ଟି ହୋଇ ଢଳିଲା ଅଇରାବ୍ରତ ।୩୯୩।

ନାଗଫାଶ ଶରେକ ଯେ ଅର୍ଜୁନ ପ୍ରହାରି

ଅଇରାବ୍ରତକୁ ଗୁଡ଼ିଆଇଲା ଶତେପୁର କରି ।୩୯୪।

ଅହିଶର ବନ୍ଧନେ ମହାନାଗ ହୋଇଲା ଅଚଳ

ହାଥୀ ପିଠିରୁ ଉତୁରି ଧାମଇଂ ଆଖଣ୍ତଳ ।୩୯୫।

ଶ୍ରୀଭୁଜେ ଶୋଭାବନ ବଜ୍ର ଯେ ଶକତି

ବୁଲାଇ ବାସେବ ଯେ ମାଇଲା ତତକ୍ଷଣାନ୍ତି ।୩୯୬।

କୋଟିୟେ କିରଣ ଯେ ବଜ୍ର ଶକତିର ତେଜ

ଆସନ୍ତେ ମଧ୍ୟସ୍ଵର୍ଗ ହୋଇଲା କି ଦହିଜ୍ୟ ।୩୯୭।

ଦେଖିଣ ଆଶ୍ରିଜ୍ୟ ଯେ ସତ୍ୟବତୀର ନାତି

ଅର୍ଜୁନ ପ୍ରହାର କଲା ବ୍ରହ୍ମ ଯେ ଶକତି ।୩୯୮।

ବଜ୍ର ଶକତି ବ୍ରହ୍ମ ଶକତି ଦୁହେଂ ହୋଇଲେ ଭେଟାଭେଟି

ଦିବି ଭୁବନ ଦହନ ହେଉଛି ତ୍ରାସିଲେ ପରମେଷ୍ଠି ।୩୯୯।

ଦୁହିଂକର ହାବୁଡ଼ା ହାବୁଡ଼ିରେ ନ ସହଇ ମେଦିନୀ

ଉଲୁକାପାତ ଜାଣି କମ୍ଫିଲା ଭୁବନ ତିନି ।୪୦୦।

ଅନେକ ବିକଳ ହୋଇଲା ବସୁନ୍ଧରା

ବୋଇଲା ପାତାଳଗାମୀ ହେଉଅଛି ସହି ନୁଆରଇ ଭାରା ।୪୦୧।

ସଂସାରର ବିକଳ ଦେଖି ଶାନ୍ତି ବେନିଶର

ଦୁହେଂ ପଶିଲେ ଯାଇଂ ସାହେର ଭିତର ।୪୦୨।

କାତି ଛାଡ଼ିଲେ ଯେହ୍ନେ ସର୍ପ ହୁଅଇ ନିଚେତ

ବଜ୍ର ଛାଡ଼ନ୍ତେ ଈନ୍ଦ୍ର ହୋଇଲେ ସେହିମତ ।୪୦୩।

ମନଭେଦୀ ନାରାଜ ଘେନି ଫାଲଗୁନି

ମୋହନା ଶରେ ଭେଦିଲା ଦେବ ସସ୍ରଯୋନି ।୪୦୪।

ଯେବଣ ଶର ପ୍ରତିଗ୍ରହ କରି ଦେଇଛନ୍ତି ବହତି

ଯାହାକୁ ପେଶଇ ଅବଶ୍ୟ ସମରେ କେହି ନ ବର୍ତ୍ତନ୍ତି ।୪୦୫।

ଅନିର୍ଯାପ ଶର ସେ ନ ଯାଇ କଳନା

ରୋମେକ ଶତେ ନାରାଜ ପଡ଼ିଲା ବାସବ ଅଙ୍ଗେ ସିନା ।୪୦୬।

ଶରୀର କର୍ଦ୍ଦନ ହୋଇଲା ରକତ ଯେ ବୃଷ୍ଟି

ମୋହଶରେ ସୁରନାଥ ପଡ଼ିଲା ମହୀଲୋଟି ।୪୦୭।

ଘାୟେଣ ଦେବଇଦ୍ର ପଡ଼ିଲା ମୋହଯାଇ

ସାନନ୍ଦେ ଅର୍ଜୁନ ଦେବଦତ୍ତ ଶଙ୍ଖ ବାଇ ।୪୦୮।

ଇନ୍ଦ୍ରଦେବତା ଘେନିଣ ସର୍ବସାଚୀ

ଦ୍ରଶନ କଲାକ ପାଥ କାମପାଳ ଯହିଂ ଅଛି ।୪୦୯।

ଇନ୍ଦ୍ର ଦେବତାଂକୁ ଯେ ଛାମୁରେଣ ଦେଇ

ଅର୍ଜୁନ ଶୁତିଲା ଶତ ସହସ୍ର ଦଣ୍ତଲାଇଂ ।୪୧୦।

ଇନ୍ଦ୍ର ନିଚେଷ୍ଟ ହେବାର ଦେଖିଣ ଶୂଳପତି

ବଳରାମକଇଂ ମାଇଲେ ସହସ୍ରଧାରା ଶକତି ।୪୧୧।

ଆହୋ ସମର ତେଜି ଇନ୍ଦ୍ରକଇଂ ଚାହାନ୍ତେ ଦେବହଳୀ

ୟେମନ୍ତର ସମୟେ ଶକତି ମାଇଲେ ଦେବଶୂଳୀ ।୪୧୨।

ଯେବଣ ଶକତି ଘାୟେ ଚୂର ହୋୟେ ମେରୁ

ମନୁଷ୍ୟ ଶରୀର ମାତ୍ରକେ ତାହା କେହୁ ମେଣ୍ଟିପାରୁ ।୪୧୩।

ଶକତିର ଘାତେ ଦେବ ବଳରାମ ସ୍ଵାମୀ

ମୃଛାଗତ ହୋଇଣ ଯେ ପଡ଼ିଲେ ଅବନି ।୪୧୪।

ରୁଦ୍ରଶସ୍ରେ ମୃଛାଗତ ହୋଇଥିଲେ ଦେବହରି

ଗରୁଡ଼ ତାହଂକୁ ନେଇଥିଲା ଆଡ଼େକରି ।୪୧୫।

ଗରୁଡ଼ ବାହନ ତେଜିଣ ଯେ ଜଗନ୍ନାଥେ

ସାରଥି ହୋଇଲେ ଦେବ ଆସି ଅର୍ଜୁନର ରଥେ ।୪୧୬।

ଇନ୍ଦ୍ରର ଅଚେବନ ଦେଖିଣ ଦେବ ପଶୁପତି

ଅର୍ଜୁନକୁ ଆସିକରି ଓଗାଳିଲେ ଧାତି ।୪୧୭।

ବଳରାମଂକ ଅଚେବନ ଦେଖି ସର୍ବସାଚୀ

ରୁଦ୍ର ଦେବତାକଇଂ ନାରାଜ ଆମଞ୍ଚି ।୪୧୮।

ବାହାନ୍ତି ତୁରଙ୍ଗ ଯେ ଦେବ ଚକ୍ରଧାରୀ

ସଦାଶିବଂକ ଅଗ୍ରତେ ରଥ ଟେକିଲେ ଦେବହରି ।୪୧୯।

ପଶୁପତ୍ର ନାରାଜ ଦେବ ଧରିଛନ୍ତି ହାଥେ

ଯେଉଣ ଶିରେ ତ୍ରିପୁର ନାଶକଲେ ଦେବ ବିଶ୍ଵନାଥେ ।୪୨୦।

ଶତ କୋଟିକି ପୁଣ ଯେବଣ ନାରାଜର ଜ୍ୟୋତି

ଧନୁରେ ବସାଇଣ ପେଷିଲେ ପଶୁପତି ।୪୨୧।

ଅର୍ଜୁନ ସୁମରିଲା ମହାଦେବଂକ ଶର

ସୁମରନ୍ତେ ପ୍ରାପତ ହୋଇଲା ଆସି ଅର୍ଜୁନ ହାଥର ।୪୨୨।

ଈଶ୍ଵରଂକ ଗୁଣରେ ଯେ ବାଣ ବସିଥିଲା

ଅର୍ଜୁନ ସୁମରନ୍ତେ ତାହା ଆସ ପ୍ରାପତ ହୋଇଲା ।୪୨୩।

ଅଗ୍ନି ସମର୍ପି ହୋଇଅଛନ୍ତି ଅର୍ଜୁନର ତହିଂ

ସେ ଶର ଗୋଟିକ ଚନ୍ଦ୍ରଶେଖର ତହିଂ ନାହିଂ ।୪୨୪।

ଶୁଣ ହୋ ମନୁରାଜା ଯୁଦ୍ଧର ହାଦେ କଥା

ପ୍ରଥମେ ଜୟକଲା ଇନ୍ଦ୍ର ଯେ ଦେବତା ।୪୨୫।

ବଳବୀର୍ଯ୍ୟ ନିଉନ ଦେଖି ବ୍ରହ୍ମାଣ୍ତେ ଗଲେ ଧାତା

ଭୟେଣ ବାରାନିଧି ଘେନି ପଳାଇଲେ ରତ୍ନାକର କୁବେର ଦେବତା ।୪୨୬।

ପବନ ଦେବତା ଯେ ସମରେ ଗଲେ ହାରି

ମୁଥଘାତେ ଅଚେବନ ହୋଇଲେ ମେଘଚାରି ।୪୨୭।

ଆଦିତ୍ୟ ଦେବତା ଗଲେ ମେରୁ ପ୍ରଦକ୍ଷିଣେ

ସଂଗତରେ ଚଳିଲେ ସମସ୍ତ ଗ୍ରହଣେ ।୪୨୮।

ଚଦ୍ର ଦେବତା ଯାଇଣ ପଶିଲେ ଗଗନେ

ବଳବୀର୍ଯ୍ୟ ନିଉନେ ହାରିଲେ ସକଳ ଦେବତାମାନେ ।୪୨୯।

ବଳନାଶ କରି ପଳାଇଲେ ଯମ ଯେ ଦେବତା

ଯମର ଉପରେ ଦୁତୀଯମ ବିଧୂର ହୋଇଲା ବ୍ରିକୋଦର ବଳବନ୍ତା ।୪୩୦।

ଇନ୍ଦ୍ର ଦେବତାୟେ ପଡ଼ିଲେ ମୋହବନ୍ଧେ

ଅର୍ଜୁନକଇଂ ସମରେ ହାରିଲେ ସଦାନନ୍ଦେ ।୪୩୧।

ତ୍ରୋଣ ଶହସ୍ର ଧନୁ ଶ୍ରୀକରେ ଯହୁ ନାହିଂ

ଈଶ୍ଵର ଉଭା ହୋଇଲେ କାଖରେ ହାଥ ଲାଇ ।୪୩୨।

ଗୋବିନ୍ଦେ ବୋଇଲେ ଈଶ୍ଵରଂକୁ ନାରାଜ ବିନ୍ଧ ପାଥ

ଅର୍ଜୁନ ବୋଇଲା ମୁଂ ବିନ୍ଧିବି ଶହସ୍ରାନ୍ତ ।୪୩୩।

ବିରଥୀ ନିଶସ୍ର ବିବସନ ହୋଇଥିଲେ

ମୁହିଂ ନ ମାରଇ ଦେବ ରଣେ ପିଠିଦିଲେ ।୪୩୪

ୟେମନ୍ତେହେଂ ସଦାଶିବ ପାଇଲେ ନିକି ଲାଜ

ଅର୍ଜୁନ ବୋଇଲେ ସ୍ଵାମୀ ବିଜେକର ଯା ଦେବରାଜ ।୪୩୫।

ଇନ୍ଦ୍ରଂକୁ ତରଛା କଲ ହୋ ଈଶ୍ଵରେ

ରାମକୃଷ୍ଣ ସହିତେ ଯାଦବନ୍ତ ଜିଣିଲ ସାଂଗ୍ରାମରେ ।୪୩୬।

ହରି ଅର୍ଜୁନ ତ ଘେନିଲେ ସର୍ବଯଶ

ୟେବେ ସ୍ଵାମୀ ବିଜେକରିବା ଦେବ କପିଳାସ ।୪୩୭।

ଯେ ଅବା ଶିବଗଣମାନେ ସଙ୍ଗତରେ ହୋଇଥିଲେ

ସବୁନ୍ତି ଘେନି ଈଶ୍ଵରେ କପିଳାସେ ବିଜେକଲେ ।୪୩୮।

ସମରେ ଜୟକରି ଦେବ ମଧୁ ହାରୀ

ଯୁଝେଷ୍ଠିଂକ ପାଦେ ପ୍ରଳମ୍ଵ ଦେବ କରି ।୪୩୯।

ସ୍ଵାମୀ ମୁହିଂ ଯେ ପ୍ରତଗ୍ୟାଂ କଲି କଲି ଇନ୍ଦ୍ର କଇଂ ନାସିବି

ଅମର ସଭାରେ ଆସ୍ତାନେ ଆନ ଇନ୍ଦ୍ର ବସାଇବି ।୪୪୦।

ଅମର ଗଣନ୍ତ ଜିଣିଲି ତୋହୋର ପରସାଦେ

ସ୍ଵାମୀ ତୁମ୍ଭନ୍ତ ନେଇ ବସାଇବି ଇନ୍ଦ୍ରପଦେ ।୪୪୧।

ଯୁଝେଷ୍ଠି ଦେବେ ବୋଇଲେ ନାରାୟଣଂକ ଯେହ୍ନେ ଆଗ୍ୟାଂ

ତାହାକଇଂ ମୋହୋର ବେଳେ କରିପାରିବି କି ଅବଗ୍ୟାଂ ।୪୪୨।

ଆହୋ ଚଇତନ ଯୁଝେଷ୍ଠି ଭୀମ ଅରଜୁନ ସହଦେବ

ଖଗେଶ୍ଵର ପିଠିରେ ଆରୋହିଲେ ବାସୁଦେବ ।୪୪୩।

ବଳରାମ ବିଜେକଲେ ପୁଷ୍ୟକ ବିମାନେ

ବିଜୟେ ଦେବ ଯାଇଂ ଅମର ଭୁବନେ ।୪୪୪।

ବହୁତ ଆନନ୍ଦେଣ ସଭାରେ ଦେବ ବିଜେ

ଇନ୍ଦ୍ର ଆସ୍ତାନେ ଯୁଝେଷ୍ଠିଂକି ବିଜେ କରାଇଲେ ଦେବରାଜେ ।୪୪୫।

ଅମଳାନ ବସ୍ତ୍ର ଯେ ପାରିଜାତେକ ପୁଷ୍ୟମାଳ

ଯୁଝେଷ୍ଠିଂକ କଣ୍ଠେ ଦିଲେ ନେଇ କାମପାଳ ।୪୪୬।

ଅମର ବିଳାସୁଣୀୟେ ଅଇଲେ ଚଉଷଠୀ କୋଟି

ବିବିଧ ବେଶ ବେଶନେ ନୃତ୍ୟରଙ୍ଗେ ଖଟି ।୪୪୭।

ମର୍ଦ୍ଦଳ ତାଳ କଂସାଳ ଶରଗୁଣା ଅଧାଟି

ଭରହର ନାୟେକା ପଞ୍ଚମ ସ୍ଵରେ ଖଟି ।୪୪୮।

ଶ୍ରୀ ନାରାୟଣଂକ ବିଜେ ଦେଖିଣ କୁବେର

ସପତ ନିଧି ଘେନି ଆସି ଖଟିଲା ଧନେଶ୍ଵର ।୪୪୯।

ହାହା ହୁହୁ ମୂଳେ ଯେ ତିନିକୋଟି ବିଦ୍ୟାଧର

ଆସ୍ତାନ ନିରୋଧ କରନ୍ତି ସମସ୍ତ ଦ୍ଵାର ।୪୫୦।

ମେଘମାଳାମାନେ ଆସି ହୋଇଲେ ପ୍ରବେଶ

ଗିରିରାଜା ବିଜେ ଆସି ହୋଇଲେ ଆସ୍ତାନର ପାଶ ।୪୫୧।

ଯେହ୍ନେ ଯେ ଆରାଧନା ଇନ୍ଦ୍ରଂକୁ କରନ୍ତି ନିତ୍ୟକର୍ମେ

ସମସ୍ତେହେଂ ଖଟିଲେ ଆସି ଆସ୍ତାନେ ଦେବଧର୍ମେ ।୪୫୨।

ସାରିଗାମା ଧୁନି ଯେ ସପତସ୍ଵର ବୀଣା

ନୃତ୍ୟ ଆରମ୍ଭେ ନାରଦେ ଖଟାଇଲେ ଖଟଣା ।୪୫୩।

ମନୁପୁରୁଷ ସନକ ଆବର ବିଶ୍ଵଦେବା

ବିଦ୍ୟାଧର ପୁରୁଷେ ଲଗାଇଲେ ସେବା ।୪୫୪।

ବାରାନିଧି ଘେନିଣ ଯେ ବରୁଣ ରତ୍ନାକର

ନିଧି ଭଣ୍ତାର ଥୋଇଲେ ଯୁଝେଷ୍ଠିଂକ ଛାମୁର ।୪୫୫।

ଆସ୍ତାନେ ଯୁଝେଷ୍ଠିଦେବ ଗୋବିନ୍ଦେ ଡାହାଣ ଖମ୍ଵେ

ବାମଖମ୍ଵ ମାଡ଼ିଣ ଯେ ବିଜୟେ ହଳଦେବେ ।୪୫୬।

ଛାମୁରେ ଗତ ଆଗତ କହଇ ମନ୍ତ୍ରୀ ସହଦେବ

ଯେହେନ୍ନେ ଅମରେ ପୂର୍ବର ବିଧାନ ହୋଇଲା ସେହିଭାବ ।୪୫୭।

ଆସ୍ତାନ ନିରୋଧଇ ବୀର ଫାଲଗୁନି

ମାତେଳି ବିଜେକଲା ଅଇରାବ୍ରତ ନାଗ ଘେନି ।୪୫୮।

ପବନ ଦେବତା ବିଜେ କଲେ ତତକ୍ଷଣାନ୍ତି

ଅଭିଷେକ ମୁକୁଟ ଆଣି ଦିଲାକ ପ୍ରଜାପତି ।୪୫୯।

ସପତାଙ୍ଗ ପାଞ୍ଜି ସେ ବୃହସ୍ପତି ଘେନି

ଛାମୁରେ ଅନକୂଳ ଯେ କହନ୍ତି ସୁବିଧାନି ।୪୬୦।

ରମ୍ଭା ଉରୁବଶୀ ଯେ କାମସେଣା ଚିତ୍ର ରେଖା

ଚଞ୍ଚଳା ମୋହିନୀ ମଳୟା ଆବର ମଦନିକା ।୪୬୧।

ମାଳିନୀ ମାଳତୀ ପୁଣ ବାସନ୍ତୀ ଅସକନ୍ଦା

ତ୍ରିଲୋଚନା ତିଳୋତ୍ତମା ନନ୍ଦିନୀ ଚାରୁଚନ୍ଦ୍ରା ।୪୬୨।

ରତି ରେବତୀ ଗନ୍ଧମତୀ ଯେ ଚନ୍ଦ୍ରକାନ୍ତି

ମାତାଙ୍ଗୀ ସୁରୁଚି ଦମୟନ୍ତୀ ହୀରାବତୀ ।୪୬୩।

ପ୍ରିୟା ଶ୍ରିୟା ତାରା ଯେ ତନୁ ଚିତ୍ରୋତ୍ପଳା

ଲୀଳା ଶ୍ରୀବଛା ମେନକା ଭାନୁମତୀ ଯେ କମଳା ।୪୬୪।

ହାରିଣୀ ତାରିଣୀ ପାରେଣୀ ଯେଉଂ ହାରାବତୀ

ଲକ୍ଷ୍ମୀ ଶାନ୍ତି ଶୃତିମତୀ ସେବତୀ ରତ୍ନକାନ୍ତି ।୪୬୫।

ମରୁଆ ପାରୁଆ କେସୀ ପାର୍ବତୀ ବିମଳା ଯେ ରାଧା

ଅରୁଣା କରୁଣା କାଶୀବାସୀ ଚକିତା ସୁମେଧା ।୪୬୬।

ମାଳୀ ମାରୁତୀ ସର୍ବଜିଣା ନାରାୟଣୀ ଯେ ବନିତା

ଜାନକୀ ସୁରମତି ଭାନୁକୀ ସୀତା ଆବର ଶାୟେଂତା ।୪୬୭।

ୟେ ଚଉଷଠି କନ୍ୟାଂକର ମୂଳେ ଭରହରଷ ନାୟେକାଣୀ

ଚଉଷଠି କୋଟି ଅପକ୍ଷରାୟେ ୟେହାଂକର ନାଚେଣୀ ଖଟଣି ।୪୬୮।

ଅପକ୍ଷରୀ କୋଟିୟେକ ବିଦ୍ୟାଧରୀ ବାମା

ୟେମନ୍ତେ ଚଉଷଠି ବିଦ୍ୟାଧରୀ ଅନୁପମା ।୪୬୯।

ୟେସନେକ ସମ୍ପଦ ଯେ ଅମର ବାରସ୍ଵତୀ

ଛାମୁରେ ଉଭାରିଛନ୍ତି ନିରଞ୍ଜନ ଜ୍ୟୋତି ।୪୭୦।

ଆଦିହୁଂ ଅମର ଯେ ଦିଶେ ଶୋଭାବନ

ତଳେ ଉଭା ହୋଇଛନ୍ତି ବୃନ୍ଦାଅର୍କମାନ ।୪୭୧।

ଆହୋ ଚଇତନ ଶରହସୁନ୍ଦରୀ ନାମେ ୟେକଇ ଅପକ୍ଷରୀ

ଶଚୀଦେବୀଂକ ବିମାନ ସେ ଯେ ବାହଇ ବିଦ୍ୟାଧରୀ ।୪୭୨।

ଶଚୀ ବୋଇଲେ ତୁହି ଲୋ ଯାଅସି ବହନ

ୟେହିକ୍ଷଣି ମୋହୋର ଛାମୁକୁ ହକାରିଣ ଆଣଲୋ ଅର୍ଜୁନ ।୪୭୩।

ବିମାନ ଘେନି ଗଲା ଯେ ଶରହସୁନ୍ଦରୀ

ୟେକାନ୍ତେ ଅର୍ଜୁନକୁ ଆଣିଲା ହକାରି ।୪୭୪।

ଶଚୀ ବିଜେ କରିଅଛନ୍ତି ପାରିଜାତକ କଳପତରୁ ତଳେ

ଅର୍ଜୁନ ପ୍ରଳମ୍ଵିତ ହୋଇଲା ଶଚୀଦେବୀ ପାଦତଳେ ।୪୭୫।

ଅର୍ଜୁନକୁ ଦେଖିଣ ସେ ବାସବର ନାରୀ

ତୁଲେଣ ଘେନିଛନ୍ତି ଯେ ସଚଳା ସୁନ୍ଦରୀ ।୪୭୬।

ଶଚୀ ବୋଇଲେ ବାବୁ ଅର୍ଜୁନରେ ୟେଟି ବାସୁଦେବଂକ ଦୁଲଣୀ

ଚିତ୍ରସେନ ୟେହାକଇଂ ହରିଲା କିଛିହିଂ ନ ଜାଣି ।।୪୭୭।

ୟେହାର ପାଇଂଟି ସେ ଯେ ହୋଇଲା ୟେଡ଼େ ଦ୍ଵନ୍ଦ

ବାବୁ ୟେଣେ ସେ ନାଶକଲା ଇନ୍ଦ୍ରର ସମ୍ପଦ ।୪୭୮।

ବାଳୁତ ଅଗ୍ୟାନ ୟେ ହୋଇଲା ଯୁବତୀ

ଇନ୍ଦ୍ର ଦେବତାର ୟେହୁ ବୁଡ଼ାଇଲା ସମ୍ପତ୍ତି ।୪୭୯।

ବାବୁ ସମାଧାନ କରି ଲୋଡ଼ୁଥିଲେ ଅସକନ୍ଦ

ୟେ ମହାଦ୍ଵନ୍ଦ କରାଇଲେ ସଦାନନ୍ଦ ।୪୮୦।

ବାବୁ ତୁମ୍ଭେ ମୋହୋର ପୁତ୍ର ଯେ ବସିଲ ଅମରେ

ତୋହୋରେ ସେ ଥାପିଲା ଅଟଇ ପୁରନ୍ଦରେ ।୪୮୧।

ଯେବେ ତୁମ୍ଭେ ଇନ୍ଦ୍ରପଦେ ବସିଲ ଆକାଶେ

ୟେବେ ଇନ୍ଦ୍ର ଦେବତାକୁ ଆଣିଦିଅ ମୋହୋର ପାଶେ ।୪୮୨।

ଅର୍ଜୁନ ବୋଇଲେ ମାଗୋ ସଚଳାକଇଂ ଘେନି

ଚାଲ ମାୟେ ପୋୟେ ଆସ୍ତାନର ତଳେ କରିବା ଦଇନି ।୪୮୩।

ସାନନ୍ଦେ ମହାଦେବୀ ଅର୍ଜୁନ ବଚନ ଶୁଣି

ସଚଳାକଇଂ ଘେନି ବିଜେ ଅମର ଠାକୁରାଣୀ ।୪୮୪।

ଆସ୍ତାନେ ବିଜେ କରିଛନ୍ତି ଦେବଧର୍ମେ

ଦ୍ଵାରେଣ ଶଚୀଦେବୀ ବିଜୟେ ଶ୍ରମେ ।୪୮୫।

ସଚଳା କନ୍ୟାର ଧରିଛନ୍ତି ହାଥଗୋଟି

ଆସନ୍ତେ ତଳେ ଯାଇ ପ୍ରଳମ୍ଵକରି ଲୋଟି ।୪୮୬।

ନାରଦେ ରୁହାଇଲେ ସପତ ସୁରବେଣୀ

ଶଚୀଂକି ଦେଖିଣ ସେ ଧର୍ମ ଯେ ଯୁଝେଷ୍ଟି

ଆପଣେ ଧର୍ମରାଜା ଆସ୍ତାନେ ତେଜି ଉଠି ।୪୮୮।

ନାରାୟଣଂକୁ ଦେଖି ଯେ କୁମାରୀ ସଚଳେ

ଧାତିକାରେ ବସିଲା ଯାଇଂ ଜଗନ୍ନାଥଂକର କୋଳେ ।୪୮୯।

ଶଚୀଦେବୀ ବୋଇଲେ ଦଶଲହ ମୁଖେ ଲାଇ

ଭୋ ସ୍ଵାମୀ ଜଗତ ମୋହନ ପତିଂ ଦେହି , ପତିଂ ଦେହି ।୪୯୦।

ଯୁଝେଷ୍ଠି ଦେବେ ବୋଇଲା ଗୋ ବିଜେ କରସି ମାୟେ

ୟେହିକ୍ଷଣି ଆସ୍ତାନେ ବିଜେ କରିବେ ଦେବରାୟେ ।୪୯୧।

ମାଗୋ ଅନୁଗ୍ରହ ନାଥର କୋପ ଶାନ୍ତି କରାଇ

ୟେହିକ୍ଷଣି ପିତାଂକୁ ମୁଂ ଆଣିବି ଜୀଆଇଂ ।୪୯୨।

ତୁମ୍ଭେ ବିଜେ କରିଯିବା ନିଜ ଭୁବନେ

ଭଗତବତ୍ସଳ ନାଥଂକୁ କରାଇବେ ପ୍ରସନ୍ନେ ।୪୯୩।

ଶଚୀ ବିଜେ କରିଗଲେ ଅମର ଭୁବନକୁ

କଷ୍ଠୋରେ ଯୁଝେଷ୍ଠିଦେବ ବୋଇଲେ ବଳଦେବ ଠାକୁରଂକୁ ।୪୯୪।

ଶ୍ରୀ ଜଗନ୍ନାଥ ଉଠିଲେ ଯୁଝେଷ୍ଠି ଦେବଂକ ଉଭା ଦେଖି

ଯୁଝେଷ୍ଠି ତୁସ୍ତି କରନ୍ତି ଆସ୍ତାନ ଉପେକ୍ଷି ।୪୯୫।

ତୁ ଦେବ ନୀଳାମ୍ଵର ସୟଳ ଜନ ଚିନ୍ତାମଣି

ତୁ ଦେବ ପରମବ୍ରହ୍ମ ହଳ ମୂଷଳ ପାଣି ।୪୯୬।

ତୁ ଦେବ ସୁପ୍ରସନ୍ନ ନିର୍ବାକାର ପ୍ରତକ୍ଷେ

ତୁ ଦେବ ନୀଳାମ୍ଵର ଶ୍ରୀକୃଷ୍ଣ ଜ୍ୟେଷ୍ଠ ଦକ୍ଷେ ।୪୯୭।

ତୁ ଦେବ ସୋହଡ଼ ନୟନ ଧବଳୀ

ତୁ ଦେବ ପରମାନ୍ଦ ଦେବ ହଳୀ ।୪୯୮।

ତୁ ଦେବ ନାରାୟଣ ରୂପ ଅବିଶ୍ରାମ

ତୁ ଦେବ ଭଗତମଛଳ ବଳରାମ ।୪୯୯।

ତୁ ଦେବ ଶରଣ ଉଦ୍ଧାରଣ ମହାରୂପୀ

ତୁ ଦେବ ଜଗତ ବନ୍ଦନ ବିଶ୍ଵବ୍ୟାପୀ ।୫୦୦।

ତୁ ଦେବ ଗଗନ ଧାରଣ ଶୂନ୍ୟଦେବ

ତୁ ଦେବ ଭାନୁରୁଦ୍ର ବ୍ରହ୍ମରୂପ ଭାବ ।୫୦୧।

ତୁ ଦେବ କାମପାଳ ଭଗତମଛଳା

ତୁ ଦେବ ରୋହିଣୀ ନନ୍ଦନ କାଦେମ୍ଵରୀ ରସପାନେ ମତିଭୋଳା ।୫୦୨।

ତୁ ଦେବ ଦୃଢ଼ ଆସନ ସଉନନ୍ଦୀ

ତୁ ଦେବ ସପତ କୁଣ୍ତଳୀ ଦେବନିଧି ।୫୦୩।

ତୁ ଦେବ ଯୋଗେଶ୍ଵର ମନୁକଳ୍ପ ବଞ୍ଚା

ତୁ ଦେବ ଅକାଳ ଅକାମ ଅସଞ୍ଚା ।୫୦୪।

ତୁ ଦେବ ଦୁଷକୃତ ହରନ୍ତା ପରଲୋକର ବନ୍ଧୁ

ବଦନ୍ତି ସାରୋଳା ଦାସ ଶ୍ରୀ କାମପାଳ କୃପାସିନ୍ଧୁ ।୫୦୫।

ସୁଭାଗ୍ୟ ପଣ୍ତିତ ମହାକଳପୀ ଘଟଋଷିର ତନୁ

ମହା ଯୋଗେଶ୍ଵର ଶୁଣନ୍ତି ବଇବସୁତ ମନୁ ।୫୦୬।

ପାଦ୍ୟ ଅର୍ଘ୍ୟ ଘେନିଣ ସେହୁ ମନୁ ମହାରାଜା

ଅଗସ୍ତିକଂ ପଦ୍ମପାଦେ କଲେ ଦିବ୍ୟପୂଜା ।୫୦୭।

ବଡ଼ାଇ ଚରିତ୍ର ମୁନି ଶୁଣିଲି ତବ ମୁଖୁଂ

ଯୁଝେଷ୍ଠି ରାମକୃଷ୍ଣଂକୁ ସ୍ତୁତିକଲେ କହ ମୁକୁ ।୫୦୮।

କିସ ଆଗ୍ୟାଂ ହୋଇଲା ପ୍ରସନ୍ନେ ଦେବହଳୀ

ଅଗସ୍ତି ବୋଲନ୍ତି ହୋ ଶୁଣ ମନୁ ମହାବଳୀ ।୫୦୯।

ବଳରାମକଇଂ ଅନେକ ସ୍ତୁତି କଲେ ଧର୍ମସୁତେ

ପ୍ରସନ୍ନ ହୋଇଲେ ସ୍ଵାମୀ ଦେବ ଯେ ଅନନ୍ତେ ।୫୧୦।

କେବଣ କଥା ଅଛି କହ ଦେବ ଧର୍ମରାୟେ

ଶ୍ରୀ ବଳରାମେ ପ୍ରସନ୍ନ ହୋଇଲେ ସଭାୟେ ।୫୧୧।

ଯୁଝେଷ୍ଠି ବୋଇଲେ ସ୍ଵାମୀ ଯେବେ ହୋଇଲଟି ପ୍ରସନ୍ନ

ବାସବ ଦେବତାକଇଂ ଦେବ ଦେବାଟି ଜୀବଦାନ ।୫୧୨।

ସ୍ଵାମୀ ତୁମ୍ଭର ଥାପିଲାର ସିନା ଅଟେ ଦେବଇନ୍ଦ୍ର

ତୁମ୍ଭେ ହେ ଦିଲ ତୁମ୍ଭେ ହରିବ କି ତାହାର ସମ୍ପଦ ।୫୧୩।

ସ୍ଵାମୀ ଅନୁଗ୍ରହ ନାଥ ଯେବେ ହୋଇଲ ପ୍ରସନ୍ନ

ଆଗ୍ୟାଂ ଦିଲେ ବାସବ ଦେବତାଂକୁ ଜୀଆଇଂ ଆଣିବ
ସେ ଅରଜୁନ ।୫୧୪।

ଯୁଝେଷ୍ଠି ବଚନେ ରାମ ଅର୍ଜୁନକୁ ଚାହିଂ

ଆଗ୍ୟାଂ ଦେଲି ଇନ୍ଦ୍ରକୁ ତୁ ଘେନିଆସ ଯାଇଂ ।୫୧୫।

ରାମକଂର ବଚନେ ସେ ଅମୃତାକ୍ଷ ଶର ଘେନି

ବାସବର ସନିଧ୍ୟେ ଯାଇଂ ବିଜୟେ ଫାଲଗୁନି ।୫୧୬।

ଚେତନା ଶରକେ ବିନ୍ଧିଲା ବିବତ୍ସ

ମୋହ ତେଜିଣ ସେ ଉଠି ବସିଲେ ସହସ୍ରାକ୍ଷ ।୫୧୭।

ଚିତ୍ରସେନ ତୁଲେ ଯେତେକ ଥିଲେ ରଣେ ପଡ଼ି

ଚେତନା ଶରେଣ ସେ ଉଠିଲେ ମୋହ ଛାଡ଼ି ।୫୧୮।

ଅର୍ଜୁନ ବିନୋପଇ ସୁରନାଥଂକ ପାଦତଳେ

ବାସବ ଦେବତା ଅର୍ଜୁନକଇଂ ବସାଇଲେ କୋଳେ ।୫୧୯।

ସାଧୁ ସାଧୁରେ ଅର୍ଜୁନ ମୋର ପୁତ୍ର ତୁ ସମରେ ସର୍ବସିଦ୍ଧା

ମାରଣ ତାରଣ ତୁ ଜାଣୁ ସର୍ବବିଦ୍ୟା ।୫୨୦।

ଅର୍ଜୁନ ବୋଇଲା ସ୍ଵାମୀ ପୁଷ୍ୟେକ ରଥେ କର ବିଜେ

ଅମର ଆସ୍ତାନକୁ ବିଜେ କରିବା ଦେବରାଜେ ।୫୨୧।

ଅନେକ ପୁରସରି ବୋଇଲେ ଦେବ ସୁରନାଥ

ମାତେଳିକି ଘେନିକରି ବିଜେ ପୁଷ୍ପକ ରଥ ।୫୨୨।

ଅମର ସ୍ଵର୍ଗପୁରେ ବିଜୟେ ମଘବା

ବାରସ୍ଵତୀ ପୁରେ ମିଳିଲେ ସୁରଦେବା ।୫୨୩।

ଶଚୀ ସହିତେଣ ଯେ ଦେବ ସସ୍ରଯୋନି

ଆପଣେ ଇନ୍ଦ୍ରାୟଣୀ କରେ ଅର୍ଘ୍ୟସ୍ଥାଳୀ ଘେନି ।୫୨୪।

ବିଜୟେ ମଘବାନ ଯେ ଅମର ସଭାରେ

ଅର୍ଘ୍ୟ ବନ୍ଦାପନା କଲେ ଯୁଝେଷ୍ଠିଂକ ଶିରେ ।୫୨୫।

ଅର୍ଘ୍ୟଶିରେ ଦେଇ କଲ୍ୟାଣ କରନ୍ତି ବିଡ଼ୋଜା

ତୁହି ସେ ଅମର ସ୍ଵର୍ଗେ ଆସି ପାଇଲୁ ଦେବ ପୂଜା ।୫୨୬।

ୟେବେ ଯାଇ ମଧ୍ୟପୁରେ ଭାରା କର ନାଶ

ୟେହି ଦେହ ଘେନିଣ ସ୍ଵର୍ଗରେ ଆସି ବସ ।୫୨୭।

ଶ୍ରୀ ବଳରାମ ଚରଣେ ଇନ୍ଦ୍ର ଦେବତା ପରିଣାମି

ମମ ଦୋଷ ଉପେକ୍ଷା କରିବା ଦେବସ୍ଵାମୀ ।୫୨୮।

ତୁ ଦେବ କାରଣ ପୁରୁଷଂକ ଉତ୍ତମା

ଅନେକ ଦୋଷ ଅପରାଧ କରିବା ମୋର କ୍ଷମା ।୫୨୯।

ସଉନିଧି ନାଥ ତୁ କଇଛା ଜଗଜ୍ଜେଠୀ

ହୃଦଗତେ ବିଘଂସୁ ମୋହୋ ଶ୍ରୀ ବଳରାମ ନାମଗୋଟି ।୫୩୦।

ଶୁଣ ହୋ ଚଇତନ ବାସବର ବଚନେ ବଳରାମେ ବୋଇଲକେ ଶାନ୍ତି

ଈଶ୍ଵରଂକ ବଚନେ ତୁହି ସେ ପଶିଲୁ ଅନୀତି ।୫୩୧।

ଇନ୍ଦ୍ର ଗୋବିନ୍ଦ ଆମ୍ଭେ ୟେକବୋଲି ଜାଣି

ମଧ୍ୟରେ ଭେଦକଥା ଯେ ଭିଆଇଲେ ଶୂଳପାଣି ।୫୩୨।

ଶୁଣି ବଳରାମେ ବାସବଂକ ଶ୍ରୀହସ୍ତେ ଦିଲେ ଶାଢ଼ୀ

ୟେବେ ଥାଅ ତୁମ୍ଭେ ଅମର ସ୍ଵର୍ଗେ ସୁଖେ ରାଜ୍ୟକରି ।୫୩୩।

ଇନ୍ଦ୍ର ଦେବତାୟେ ବିଜେକଲେ ନିଜପୁରେ

ଆପଣେ ଆଣିଦିଲେ ଅମୃତ ଯୋଗାଡ଼େ ।୫୩୪।

ତିନିଦିନ ରହିଲେ ଦେବ ଅମର ଭୁବନେ

ଆପଣେ ଯୁଝେଷ୍ଠିଦେବ କଲେ ସର୍ବ ସମାଧାନେ ।୫୩୫।

ଯୁଝେଷ୍ଠିଦେବ ବୋଇଲେ ଶ୍ରୀ ଜଗନ୍ନାଥଂକୁ

କଥାୟେ କହିବି ଦେବ ଯୋଗାଇ କି ତୁମ୍ଭ ବିଚାରକୁ ।୫୩୬।

ଶ୍ରୀ ଜଗନ୍ନାଥେ ବୋଇଲେ ଦେବ ତୁମ୍ଭର ବଚନ ଅଲଘିଂ

ତୋହୋ ଆଗ୍ୟାଂୟେ ମୁହିଂ ସର୍ବସିନ୍ଧି ଭୋଗୀ ।୫୩୭।

ସ୍ଵାମୀର ବଚନ ଯେ ସେବକ କାହିଂ ମେଣ୍ଟି

ଯେହେର୍ଣ୍ଣେକ ନିରାଧାର ମୋତେ ତୋହୋର ଆଗ୍ୟାଂଗୋଟି ।୫୩୮।

ଯୁଝେଷ୍ଠି ବୋଇଲେ ଇନ୍ଦ୍ର ଗୋବିନ୍ଦ ୟେକଆତ୍ମା

ଅନେକ ଦୂଷଣ ହୋଇଲା ବାସବ ମହାତମା ।୫୩୯।

ଈଶ୍ଵର ବ୍ରହ୍ମା ଆଦିକରି ଦେବ ସୁରରାଜା

ପ୍ରତଗ୍ୟାଂ ସାର୍ଥୁକ ହୋଇଲାକ ପାଇଲେ ସର୍ବେ ଲଜ୍ଜା ।୫୪୦।

ସ୍ଵାମୀ ଜଗତ ମୋହନ ମୋହୋର ବଚନ କରିବା

ସଚଳା କନ୍ୟାକଇଂ ୟେବେ ଚିତ୍ରସେନକୁ ପ୍ରଦାନ କରିଦେବା ।୫୪୧।

ଈଶ୍ଵର ଯେବେ ପ୍ରତଗ୍ୟାଂ କଲେ ସଚଳାକୁ ପ୍ରଦାନ କରିବା ଚିତ୍ରସେନେ

ତାହାଂକର ପ୍ରତଗ୍ୟାଂ ରହୁ ସେ ନ ଯାନ୍ତୁ ଅଭିମାନେ ।୫୪୨।

ତୁମ୍ଭେ ଯେ ପ୍ରତଗ୍ୟାଂ କଲ ଯୁଝେଷ୍ଠିଂକି ଇନ୍ଦ୍ର ପଦେ ବସାଇବି ଅମରେ

ତୁମ୍ଭର ସେ ବଚନ ତ ରହିଲା ନିରାଧାରେ ।୫୪୩।

ଯୁଝେଷ୍ଠିଂକ ବଚନେ ଦେବ ହୋଇଲେକ ତୂନୀ

ତୁଷ୍ଠି ଅନୁମତେ ଧର୍ମେ ଅନୁକୂଳ ଥାଅ ଘେନି ।୫୪୪।

ବଇନେତ୍ରୟ ବାହାନେ ଶ୍ରୀ ପୁରୁଷୋତ୍ତମ କଲେ ବିଜେ

ବ୍ରହ୍ମାଂକ ଭୁବନେ ବିଜୟେ ଦେବରାଜେ ।୫୪୫।

ପିତାର ଅଗ୍ରତେ କେଶବ ପରିଣାମି

ଗୋବିନ୍ଦକଇଂ କୋଳକଲେ ପିତାମହ ଦେବ ସ୍ଵାମୀ ।୫୪୬।

ଧାତାୟେ ବୋଇଲେ ତୋତେ ଦ୍ରୋହକଲା ଆଖଣ୍ତଳ

ଦୟା ସାଗର ତୁ ଯେ ଭଗତମଛଳ ।୫୪୭।

ଦୋଷ ଉପେକ୍ଷି ପୁଣ କଲୁ ତୁ ସଦୟେ

ୟେହେର୍ଣ୍ଣେକ କ୍ଷଣେ ସଂପକ୍ଷ ପାଇଲୁ ଧନୁର୍ଜୟେ ।୫୪୮।

ଯୁଝେଷ୍ଠି ୟେମନ୍ତ ଅଛି ସେ ଆକାଶେ ପାଇବ ପୂଜା

ୟେ ତିନି ଜଗତେ ସେ ହୋଇବ ମହାରାଜା ।୫୪୯।

ଗୋବିନ୍ଦେ ବୋଇଲେ ପିତା ବଳରାମକଇଂ ମାଗିଲେ ଯୁଝେଷ୍ଠି

ଚିତ୍ରସେନକଇଂ ପ୍ରଦାନ କରିବା ସଚଳା କନ୍ୟାଗୋଟି ।୫୫୦।

ବହନ ହୋଇ ଯିବା ଦେବ ଅମର ଭୁବନକୁ

ଶୁଣି ପିତାମହ ପ୍ରଶଂସା କଲେ ଯୁଝେଷ୍ଠି ଦେବଂକୁ ।୫୫୧।

ତହୁଂ ମରୁଳ ବାହାନେ ବିଜେକଲେ ବେଦବର

ହରି ବ୍ରହ୍ମା ବିଜେକଲେ ଅମର ଭୁବନର ।୫୫୨।

ବଳରାମ ଅର୍ଜୁନ ଦୁହେଂ ବେଗେ ଗଲେ

କପିଳାସ ସ୍ଵର୍ଗେ ଯାଇଂ ପ୍ରବେଶ ହୋଇଲେ ।୫୫୩।

ଦେଖିଣ ସାନନ୍ଦ ଯେ ହୋଇଲେ ନୀଳକଣ୍ଠ

ବିଜେକଲେ ବିଶ୍ଵନାଥ ବୃଷଭର ପୃଷ୍ଠ ।୫୫୪।

ଶିବଗଣନ୍ତ ଘେନିଣ ଦେବ ବିଶ୍ଵେଶ୍ଵର

ପାର୍ବତୀ ସହିତେ ବିଜୟେ ଅମର ଭୁବନର ।୫୫୫।

ସୁଧର୍ମା ସଭାୟେ ଯେ ବିଜୟେ ସମ୍ଭର୍ବେ

ଚିତ୍ରସେନକଇଂ କନ୍ୟା ପ୍ରଦାନ କରିବେ ବାସୁଦେବେ ।୫୫୬।

ଆପଣେ ଆଚାର୍ଯ୍ୟ ହୋଇଲେ ଋଷି ଯେ ପଉଲସ୍ତେ

ଅନେକ ମଙ୍ଗଳ ଯେ ବିଭାର ଯୁଗତେ ।୫୫୭।

ବାଜନ୍ତି ଦେବବାଦ୍ୟ ଯେ ଦୁନ୍ଦୁଭି ଶବଦ

ଗଗନ ଫୁରିଲା ଦେବଦତ୍ତ ଶଙ୍ଖନାଦ ।୫୫୮।

ଓହୋକୁଳ ଗୋତ୍ର ଯେ ସୀଉକାର ବରଣେ

କନ୍ୟାଗୋଟି ସମର୍ପିଲେ ଦେବ ନାରାୟଣେ ।୫୫୯।

କୁଶ ବନ୍ଧନ ଯେ ବେନି କରପତ୍ରେ

ଅନେକ ଯଉତୁକ ଦିଅନ୍ତି ଅପ୍ରମିତେ ।୫୬୦।

ଲାଜା ହୋମବିଧି କଲେ ଗୁଆଘୃତେ

ଲଭିଲା ସୁନ୍ଦରୀ ସେ ବାସେବର ସୁତେ ।୫୬୧।

ଅନେକ ହରଷ ହୋଇଲେ ଦେବଗଣମାନେ

ମନ ଭ୍ରାନ୍ତି ଛାଡ଼ିଲେ ସେ ଦେବ ମଘବାନେ ।୫୬୨।

କନ୍ୟାଗୋଟି ସମର୍ପଣ କରନ୍ତି ମଧୁହାରୀ

ଦିନାଦଶ ରହିଲେ ବିଭାଯୋଗ ସାରି ।୫୬୩।

ଯାଦବନ୍ତ ଘେନିଣ ଯେ ଚଳନ୍ତି ଦେବହରି

ଯୁଝେଷ୍ଠି ଦେବେ ରହିଲେ ପଦ୍ମଲାଭ ଗିରି ।୫୬୪।

ଗୋବନ୍ଦେ ବୋଇଲେ ସ୍ଵାମୀ ଦ୍ଵାରିକା ଚାଲ ଯିବା

ମମ କୁଟୁମ୍ଵମାନେ କରନ୍ତୁ ତୋତେ ସେବା ।୫୬୫।

ଯୁଝେଷ୍ଠି ଦେବେ ବୋଇଲେ ଆମ୍ଭେ କଲୁ ଯେ ନିୟମ

ବନବାସ ନ କଲେ ନାଶ ଯିବଟି ଧର୍ମ ।୫୬୬।

ଆବର ବନବାସ ଅଛି ବରଷେ ଦଶମାସ

ତହିଂ ଉତ୍ତାରେ ହୋଇବ ଅଗ୍ୟାଂତବାସ ପରବେଶ ।୫୬୭।

ସମ୍ଵୋଧନା କରିଣ ବାସୁଦେବେ

ଚଳିଲେ ଦ୍ଵାରିକାକୁ ହରି ବଳଦେବେ ।୫୬୮-୮୨୩୨।

 

Unknown

କୀର୍ତ୍ତିବାସ ଦୈତ୍ୟବଧ ,
ଚନ୍ଦ୍ରଭାଗା ତୀର୍ଥର ମାହାତ୍ମ୍ୟ ଓ ଅର୍କଦୈତ୍ୟ ବଧ

ପଦ୍ମନାଭ ପର୍ବତେ ଯୁଝେଷ୍ଠି ଦୁଇଦିନ ରହି

ଗୋକର୍ଣ୍ଣିକା ତୀର୍ଥକୁ ଚଳିଲେ ପଞ୍ଚୁଭାଇ ।୧।

ବିଜୟେ ଧର୍ମସୁତେ ୟେକାମ୍ର ଯେ ବନେ

ବିନ୍ଦୁ ସାଗର ତୀର୍ଥେ କଲେକ ସ୍ରାହାନେ ।୨।

କଉଶିକକୁ ଭେଟିଲେ ଯୁଝେଷ୍ଠି ରାଜଦେବେ

ମହାତମାଂକ ଚରଣେ ପ୍ରଣପତ୍ୟ ପଞ୍ଚୁ ଯେ ପାଣ୍ତବେ ।୩।

ବୋଲନ୍ତି କଉସିକେ ବାବୁ ୟେହୁ ଅଟେ ମହାତୀର୍ଥ

ବିଜୟେ ମହାତମା ୟେଥି ୟେକାମ୍ଵର ନାଥ ।୪।

ୟେ କ୍ଷେତ୍ର ଆଧିପତି ୟେକାମ୍ଵର ଈଶାନ

ୟେକାମ୍ଵର ତୀର୍ଥ ୟେ ୟେକାମ୍ଵର ବନ ।୫।

ଯୁଝେଷ୍ଠି ଦେବଂକୁ ବୋଇଲେ ବାବୁ ୟେ ଲିଙ୍ଗରାଜା

ଆଗେ ଅର୍ଘ୍ୟ ଦେଇ ହୋ ଅରଜୁନ ୟେହାନ୍ତ କରିବା ପୂଜା ।୬।

କଉଶିକେ ବୋଇଲେ ବାବୁ ୟେକାମ୍ଵର ଈଶ୍ଵରେ ଦେଖ

ଭୁବନେଶ୍ଵର ତୀର୍ଥ ୟେହୁଂ ବରଷ ଦଶଲକ୍ଷ ।୭।

ୟେକାମ୍ଵର ସୂକ୍ଷ୍ମେଶ୍ଵର ଯମେଶ୍ଵର ଦେବତା

ଆଦ୍ୟହୁଂ କ୍ଷେତ୍ରର ଯେ ଅଟନ୍ତି କରତା ।୮।

ବାଉନ କୋଟି ଲିଙ୍ଗ ୟେହି ସ୍ତାନରେ ଅଛନ୍ତି

ସମସ୍ତଂକ ଉପରେ ଶ୍ରେଷ୍ଠ ଲିଙ୍ଗ ଯେ ଅଟନ୍ତି ।୯।

କହନ୍ତି କଉଶିକ ପଣ୍ତିତ ମହାଗ୍ୟାଂତା

ଶୁଣ ବାବୁ ମନଦେଇ ୟେକାମ୍ଵର ବନ କଥା ।୧୦।

ବାବୁ ଆଦ୍ୟହୁଂ ଅଟଇ ୟେ ହାଦେ ୟେକାମ୍ଵର ବନ

ପୃଥୀକି କୀଳାୟେ ଯମେଶ୍ଵର ଉତ୍ତମ ।୧୧।

ପୂର୍ବେ ସୂକ୍ଷ୍ମେଶ୍ଵର କେଦାରେଶ୍ଵର ଉତ୍ତରେ

ମୁକତେଶ୍ଵର ପଛିମେ ଦକ୍ଷିଣେ ହିରଣେଶ୍ଵର ।୧୨।

ଈଶାନ୍ୟେ ରୁଦ୍ରେଶ୍ଵର ବାୟବ୍ୟେ ଭଇରୋବେଶ୍ଵର

ନଈରୁତ କୋଣେ ଯେ ତ୍ରିପୁରାନ୍ତେକ ହର ।୧୩।

ଚନ୍ଦ୍ରେଶ୍ଵର ଲିଙ୍ଗ ବିଜେ ଅଗ୍ନିକୋଣେ

ୟେ ଅଷ୍ଟକୀଳା ଜମ୍ଵୁଦୀପ ପୃଥୀକି ଧାରଣେ ।୧୪।

ଅଷ୍ଟ ମହାଲିଙ୍ଗ ୟେ ଅଛନ୍ତି ଦୀପକେ

ଆଉମାନେ ବଗ୍ନ ହୋଅନ୍ତି ପ୍ରଳୟ ଅନ୍ତକେ ।୧୫।

ନବଦୀପ ପୃଥୀକି ୟେ ବାସ୍ତରୀ ଯେ କୀଳା

ୟେଥେ ସେ ପୃଥୀକି ଖଟାଇଲା ଭେଳା ।୧୬।

ଶଙ୍ଖପଦ୍ମ ମହାପଦ୍ମ କ୍ରକୋଟକ କୁଳିକ ମହାଶ୍ଵେତ ତକ୍ଷକ ଅନନ୍ତ

ୟେ ଅଷ୍ଟକୁଳା ନାଗରେ ରଜ୍ଜୁ ଦଉଡ଼ି ଛନ୍ଦ ସାତ ।୧୭।

ବାବୁ କ୍ରୀତି ବାସନ ବୋଲି ୟେହୁ ଅସୁର ବେନି

ୟେକାମ୍ଵର ନାଥକଇଂ ଖଟିଲେ ଯୁଗ ତିନି ।୧୮।

ଭୋଳେ ବରଦିଲେ ଯେ ୟେକାମ୍ଵରଶ୍ଵର ନାଥ

ଆରେ ଆରେ କଳ୍ପେ କଳ୍ପେ ଅମର ହୋଇ ରହିଥାଅ ୟେଥ ।୧୯।

ବାବୁ ଯୁଝେଷ୍ଠି କିଛିଦିନ ଅନ୍ତେ ଅମର ଭାଙ୍ଗିଲେ ସେ ଅମର କଲେ ଜୁର

ବଳେ ହରି ନେଲେ ସେହୁ କୁବେର ଭଣ୍ତାର ।୨୦।

ଅନେକ ରାଜଭଣ୍ତାର ଆଣିଲେ ଜୁର କରି

ସୁବର୍ଣ୍ଣେ ବାନ୍ଧିଲେ ସୁବର୍ଣ୍ଣକୂଟ ଗିରି ।୨୧।

ସୁବର୍ଣ୍ଣକୂଟ ପର୍ବତ ବୋଲି ନାମ ଦିଲେ ବେନି

ତାହାଂକର ଭୟେ ଅମର ଛାଡ଼ିଲେ ସସ୍ରୋଯୋନି ।୨୨।

ବାବୁ ସଉଦାସ ରାଜାର ୟେ ଅଟନ୍ତି ବେନିପୁତ୍ର

କ୍ରୀତି ବାସନ ବୋଲିଣ ୟେ ବେନି ଯେ ଦଇତ ।୨୩।

ୟେ ମହାକ୍ଷେତ୍ର ହୋଇଲା ଅସୁରଭୋଗୀ

ଋଷି ବିପ୍ର ତପୋଧନ ଡରେଣ ସେ ଧାନ ପରିତ୍ୟାଗୀ ।୨୪।

ଶୁଣ ହୋ ଯୁଝେଷ୍ଠି ସତ୍ୟଯୁଗ ୟେମନ୍ତେ ବହିଗଲା

ଜନ ମନୁଷ୍ୟ କେହି ଆତଯାତ ୟେ ତୀର୍ଥେ ନୋହିଲା ।୨୫।

ଈଶ୍ଵରେ ବିଚାରନ୍ତେ ୟେ ଅଟଇ ମହାତୀର୍ଥ

ସଂସାର ଜନ ୟେଥି ହୋଇବେ ମୁକତ ।୨୬।

ଅନେକ ଆନନ୍ଦେ ଆସନ୍ତି ବୃନ୍ଦାଅର୍କେ

ଦାନବ ଭୟେ ପଶି ନୁଆରିଲେ କେହି ଦେବଲୋକେ ।୨୭।

ମୀନମାସ ଶୁକ୍ଲ ପକ୍ଷ ଚଉଠୀ ଚନ୍ଦ୍ର ବାର

ପାର୍ବତୀ ସହିତେ ବିଚାରନ୍ତେ ଦେବହର ।୨୮।

କ୍ରୀତି ବାସନ ଦଇତେ ମରନ୍ତି କେଶବଣମତେ

ତେବେ ସିନା ମୁକତି ହୋଇବେ ୟେହି ମହାତୀର୍ଥେ ।୨୯।

ଈଶ୍ଵରେ ବୋଇଲେ ତୁମ୍ଭେ ଶୁଣ ଗୋ ପାର୍ବତୀ

ତୁମ୍ଭେ ମାରିପାରିବ କି ଅସୁର ଦୁହିନ୍ତି ।୩୦।

ପାର୍ବତୀ ବୋଇଲେ ବଡ଼ାଇ ଦୁରାନ୍ତେ ଦଇତ ଅରି

ଉପାୟେ କରିଣ ଅବା ତାହାନ୍ତ ମାରିପାରି ।୩୧।

ବ୍ରହ୍ମାଂକୁ ଜିଣିଲି ସେ ବାରିଲେ ଦେବରାୟେ

ନାରାୟଣ ଚକ୍ରକୁ ୟେହାଂକର ନାହିଂ କିଛି ଭୟେ ।୩୨।

ଦୁରାପଦ ବରେକ ତୁମ୍ଭେ ଦିଲ ଦେବରାଜ

ଅଭୟେ ହୋଇ ରହିଲେ ସେ ପାପିଷ୍ଠ ଦନୁଜ ।୩୩।

ବିଶ୍ଵନାଥ ସ୍ଵାମୀ ତୁମ୍ଭେ ସମରେ ନୋହିଲା ଯେ ସରି

ବିଶ୍ଵାସଘାତକ କଲେ ତାହାନ୍ତ ପାରିବା ଅବା ମାରି ।୩୪।

ତୁମ୍ଭେ ଯେବେ କୋପ ନ କରିବ ଦେବ ମୋତେ

ମୁହିଂ ଅଭିନ୍ନ ଭାରିଯା ହୋଇବି ତାହାଂକର ପ୍ରାୟମତେ ।୩୫।

ତେତେ ବାଗେ ସେ ତାହାନ୍ତ ମାରିପାରି

ଶୁଣିଣ ଅନେକ ସାନନ୍ଦ ହୋଇଲେ ଦେବ ତ୍ରିପୁରାରି ।୩୬।

ସନ୍ତୋଷେଣ ଆଗ୍ୟାଂ ସେ ଦିଲେ ଦେବରାଜା

ୟେ ମହାତୀର୍ଥ ଗୋ ତୁମ୍ଭେ ଉଦ୍ଧାର କର ଗିରିଜା ।୩୭।

ସ୍ଵାମୀର ବଚନ ସେ ଅଲଂଘିତ ମହାସତୀ

ଈଶ୍ଵରନ୍ତ ଉପେକ୍ଷଣି ସେ ଯେ ଅଇଲେ ପାର୍ବତୀ ।୩୮।

ଆହୋ ଚଇତନ ସଂସାର ସାଗର ୟେ ଯେ ନ ଯାଇ କଳଣା

ପାର୍ବତୀଂକର ରୂପ ନ ଯାଇ କହଣା ।୩୯।

ରମ୍ଭା ମେନକା ଅହଲ୍ୟା ଆଦିକରି

ପାର୍ବତୀଂକର ରୂପକାନ୍ତିକୁ ନୁହନ୍ତି କେହି ସରି ।୪୦।

ଅପଟାନ୍ତର ରୂପ ସେ ପରମ ଅନ୍ନପୂର୍ଣ୍ଣା

ପୁରୁଷ ସୃଷ୍ଟି କି ସେ ମୋହଫାଶ ସିନା ।୪୧।

ନବସୃଷ୍ଟି ଭିଆଇଲେ ସେ ବେଦବର ସ୍ଵାମୀ

ପାର୍ବତୀଂକ ରୂପ ସେ ଦେବ ନୂଆରିଲେ ଚିହ୍ନି ।୪୨।

ବାବୁ ୟେ ମହାତୀର୍ଥ ଉଦ୍ଧାର କରିବା ନିମନ୍ତେ

ପଶିଲେ ଗୋସାମଣି ଯେ ଗହନ ବନସ୍ତେ ।୪୩।

ସାତ ଶୀତଳ ବୋଲି ଯେବଣ ନଦୀଗୋଟି

ଚିତ୍ର ଉତ୍ପଳାଉଂ ସେ ଦକ୍ଷିଣ ବାହିନୀୟେ ଫୁଟି ।୪୪।

ଆହୋ ଯୁଝେଷ୍ଠି ପିତୃଲୋକମାନନ୍ତ ଯେ ଅବସାନ ଦହନ କରି

ସେ ଦହନ ଶୀତଳ ହୋଅଇ ୟେ ନଦୀରେ ସ୍ରାହାନ କରି ।୪୫।

ୟେସନେକ ମହିମା ୟେ ସାତ ଶୀତଳ ନଦୀ

ପଞ୍ଚୁବଟୀ ବନରୁ ସେ ଆସୁଅଛି ଭେଦି ।୪୬।

ସେ ନଦୀରେ ସ୍ରାହାନ ସାରିଣ ପାର୍ବତୀ

ଗୋପାଳୁଣୀ ରୂପ ସେ ଧଇଲେ ମହାସତୀ ।୪୭।

ପାଟ ମାଢ଼ିଆଳ ଯେ ଦେବୀ ଆଭରଣ କଲେ ଅଙ୍ଗେ

ଶିରେ ଦଧିନଉତି ଘେନି ଚଳିଲେ ବନମାର୍ଗେ ।୪୮।

ଗମନ୍ତେ ଗମନ୍ତେ ଦେବୀ ଚଳନ୍ତି ବନସ୍ତେ

ପ୍ରବେଶ ହୋଇଲେ ଯାଇ ସୁବର୍ଣ୍ଣଚୂଟ ପରବତେ ।୪୯।

କୀର୍ତ୍ତି ବାସନ ବୋଲି ଯେ ଦଇତେ

ଦୁହେଂ ବସିଅଛନ୍ତି ସେଇ ସୁବର୍ଣ୍ଣଚୂଟ ପର୍ବତେ ।୫୦।

ଦେଖିଣ ବେନି ଦାନବେ ଯେ ଉଠିଲେ ତଡ଼ତି

ଅପୂର୍ବ କନ୍ୟାୟେ ଯେ ରମ୍ଭାଉଂ ତେଜକାନ୍ତି ।୫୧।

ଆମ୍ଭର ଭୟେ ୟେଥେଂ ଜନ ମନୁଷ୍ୟ ଆତଯାତ

ବଡ଼ାଇ ଦୁଲଭ ୟେ ଆମ୍ଭ କର୍ମର ସୁକୃତ ।୫୨।

ଧାତିକାରେ ଦାନବେ ପ୍ରବେଶ ଯାଇ ଆଗେ

କାହିଂର ମହାତ୍ମାଣୀ ତୁ ପଶିଲୁ ବନମାର୍ଗେ ।୫୩।

ପାର୍ବତୀ ବୋଇଲେ ବାଭିୟେ ମୁହିଂ ଦଧିବିକା ଅଟଇ ଗଉଡ଼ଣୀ

ୟେ ବନମାର୍ଗେ ପଶିଲୁ ମୁହିଂ ବାଟ ତ ନ ଜାଣି ।୫୪।

ବଦୟନ୍ତୀ କୀର୍ତ୍ତି ବାସନ ଯେ ବେନିଭାଇ

ଆଜକ ଆମ୍ଭନ୍ତ ଗୋ ଦେଉକିନା ଦହି ।୫୫।

ଧାନେଣ ତୋହୋର କାର୍ଯ୍ୟ ଧାନ୍ୟେଣ ଅଛି କାର୍ଯ୍ୟ

ଅଷ୍ଟରତ୍ନ ମଧ୍ୟେ ଯାହା ମାଗିବୁ ତା ଦେବୁଂ ଆଜ ।୫୬।

ତୋହୋର ଆମ୍ଭର ହୋଇବ ଆଜ ଗୋ ବଡ଼ାଇ ପୀରତି

ଆମ୍ଭର ତହିଂକି ଗୋ ଦହି ଆଣୁଥିବୁ ଟିକି ନିତି ।୫୭।

ବୋଲଇ ଗୋପାଳୁଣୀ ତୁମ୍ଭେ ପରମ ପଣ୍ତିତ

ଧାତିକାରେ ମୁଂ ଦହି ଦେଉଥିବି ନିତ୍ୟପ୍ରତ୍ୟ ।୫୮।

ଶାଳପତ୍ର ପାଡ଼ିଣ ବସିଲେ ବୀରବେନି

ଆପଣେ ଗୋସାମଣି ପରଶନ୍ତି ଶଡ଼ାଇ କରେ ଘେନି ।୫୯।

ପରିହାସ ଚାଟୁପଟଳ କହୁଛନ୍ତି ବେନିବୀରେ

ଗେଲେଣ ଭୁଞ୍ଜନ୍ତି ସେ ମଦନ ଆତୁରେ ।୬୦।

ସ୍ଵୟଂ ଗୋସାମଣି ଯେ ପରଶୁଛନ୍ତି ପାର୍ବତୀ

ଦେଉଣଂ ନ ସରଇ ସେ ମାୟା ଦଧିର ନଉତି ।୬୧।

ଆହୋ ଯୁଝେଷ୍ଠି କ୍ଷୀରୋଦ୍ର ପିଇବାକୁ ସମର୍ଥ ଯେବଣ ବେନିବୀରେ

ୟେକା ଦଧି ନଉତିକ ଯେ ଅଣ୍ଟିଲା ସମ୍ଭରେ ।୬୨।

ଖାଆନ୍ତେ ଚାହାନ୍ତି ସେ ପାର୍ବତୀଂକ ଜାନୁ ସ୍ତନ

ଅନଙ୍ଗ ବିଘାତେ ସେ ହୋଇଲେ ମୋହମାନ ।୬୩।

ନିର୍ଜ୍ଜନ ବନ ଗହନ କେହି ନାହିଂ କତି

ହସଇ ପରିହାସ୍ୟେ ସେ ଗୋପାଳୁଣୀ ଜାତି ।୬୪।

ବହୁତ ଭୋଜନେ ଆୟୁଷ ହୋୟେ ହାନି

କାମର ଚେଷ୍ଟା ଆବର ଯୁବତୀ ମାନିନୀ ।୬୫।

ବୋଲଇ ଗୋପାଳୁଣୀ ମୋତେ ଦେବା ନା ଯିସ ହୋଇ

ବଣା ହୋଇ ପଡ଼ିଲି ମୁଂ ତୁମ୍ଭର ହସ୍ତଇ ।୬୬।

ଦଇତ୍ୟେ ବୋଇଲେ ଆମ୍ଭନ୍ତ ବଶକଲୁ ରୂପଗୁଣ ଦେଖାଇ

ପଡ଼ିଲୁ ଆମ୍ଭର ମୁଖେ ଯିବୁ ଆର କାହିଂ ।୬୭।

ପୋଡ଼ଇ କିନା ୟେ ତୁମ୍ଭ ଗୋପାଳୁଣୀ ଜନ୍ମ

ୟେ ନବ ଯଉବନ ଘେନି ଦେଶେ ଦେଶେ ଭ୍ରମ ।୬୮।

ଆଜହୁଂ ତୋର ଜନ୍ମ ଦାରିଦ୍ର୍ୟପଣ କର ତେଜ୍ୟା

ଅନେକ କୂତୁହୋଳେ ଥିବା ଆମ୍ଭର ହୁଅସି ଭାରିଯା ।୬୯।

ଆମ୍ଭର ବଚନ ତୁ ଗୋ ମେଣ୍ଟିବୁ ଯଦ୍ୟପି

ମାରିଣ ମାୟେଂସ ତୋର ଭୁଞ୍ଜିବୁ ଅଦ୍ୟାପି ।୭୦।

ଅସୁରଂକ ମୁଖରୁ ଦେବୀ ନିରାଶ ବଚନ ଶୁଣି

ରୁବଇ ସୁନ୍ଦରୀ ତହୁଂ ନେତ୍ରୁ ବହି ପାଣି ।୭୧।

ୟେହେନ୍ନେକ ଭବିଷ୍ୟ ଯେବେ ଅଛଇକ ମୋତେ

ମୋହୋର ମୃତୁ ତୁମ୍ଭର ସେ ହାଥେ ।୭୨।

କର୍ମ ବୋଲି ସିନା ଆପଣେ ଯାହା ଅର୍ଜି

ଆନକୁ ନ ଦିଶି ଆପଣେ ତାହା ଭୁଞ୍ଜି ।୭୩।

ମମ କର୍ମେ ଯେବେ ଅଛଇ ୟେହେନ୍ନେକ ଘଟଣ

କାହାର ବେଳେ ସେ ହୋଇବାକ ମେଣ୍ଟଣ ।୭୪।

ଭକ୍ଷ ମୋର ମାୟେଂସ ଖାଅ ତୁମ୍ଭେ ଭାଜି

ତୁମ୍ଭର ହାତେ ମୁହିଂ ୟେ ଜନ୍ମ ଯାଇ ସୁଝି ।୭୫।

ଅସୁର ବୋଇଲେ ଆମ୍ଭନ୍ତ ତୁ ଗୋ ନିରାଶ କିମ୍ଫା କହୁ

ତୋତେ ଯାହା ଭକ୍ଷିବୁ ଆମ୍ଭେ ଜୋଇ କିମ୍ଫା ନ ଖାଉଂ ।୭୬।

ତୁ ଆମ୍ଭନ୍ତ ରକ୍ଷା ୟେବେ କରସି ଗୋ ମାୟେ

ଦନ୍ତେଣ ତିରଣ ଘେନି ବେନି ପଡ଼ିଲେ ତାର ପାୟେ ।୭୭।

ବୁଡ଼ିଲୁ ମଦନ ଜଳେ ଗୋ ତୋହୋରେ ଶରଣ

ରତିରଙ୍ଗ ଦେଇ ଗୋ ରଖସି ପଞ୍ଚ ପ୍ରାଣ ।୭୮।

ବୋଲନ୍ତି ଗୋପାଳୁଣୀ ତାହାଂକ ବିନୟ ଦେଖି

ଅଦଭୁତ କାରଣେ ତୁମ୍ଭେ ହୋଇଲ ବଡ଼ ଦୁଖୀ ।୭୯।

ତୁମ୍ଭର ବିକଳେ ପଛେ ମୁଂ ଗୃହବାସ କରିବି ତେଜ୍ୟା

ଦୟା ବସିଲା ମୁଁ ତୁମ୍ଭର ହୋଇବି ଭାରିଯା ।୮୦।

ମୋହୋର ବ୍ରତେକ ଅଛି ଯେବେ କରିବ ପ୍ରତିଷ୍ଠା

ହୋଇବି ବଲ୍ଲଭୀ ତୁମ୍ଭର ପୂରାଇବି ମନତୁଷ୍ଟା ।୮୧।

ଶୁଣିଣ ଦାନବେ ଯେ ହୋଇଲେ ଉଷତ

କହ ଗୋ ମହାତ୍ମାଣୀ ତୁମ୍ଭର କିସ ବ୍ରତ ।୮୨।

ସରୂପ ବଚନ ଯେ କହନ୍ତି ଗଉରୀ

କିଞ୍ଚିତ ମାତ୍ର ବ୍ରତ ଯେ ଅଛଇ ମୋହୋରି ।୮୩।

ତୁମ୍ଭେ ଦୁହେଂ ମୋତେ ଯେ କାନ୍ଧରେ ବସାଇ

ୟେ ତୀର୍ଥଯାକ ମୋତେ ଆଣିବ ବୁଲାଇ ।୮୪।

ୟେତେକ ପ୍ରତିଷ୍ଠା ଯେ ହୋଇବ ମୋହାର ବ୍ରତ

ଶୁଣି ଅନେକ ହରଷ ହୋଇଲେ ବେନିଭ୍ରାଥ ।୮୫।

କାମେ ବଶ ହୋଇଣ ସେ ନ ଚେତନ୍ତି କିଛି

ମହାଉଚ୍ଚାଟ ଫାଶ ଦେବୀ ଲଗାଇଣ ଅଛି ।୮୬।

ରଜ୍ଜୁ ଲଗାନ୍ତେ ଯେସନେ ଗମନ୍ତି ବଇଲ

କାମ ବଶେ ନାଶଗଲେ ବେନି ମହାମଲ୍ଲ ।୮୭।

ଆହୋ କ୍ରୀତି ବାସନ କାହିଂ ଅଟନ୍ତି ପରମଯୋଗୀ

ଯୁବତୀଂକ ବଶେ ପଡ଼ି ସେ ସମସ୍ତ ପରିତ୍ୟାଗୀ ।୮୮।

ବେନି କାନ୍ଧ ପାତିଲେ ସେ ବେନି ବୀରମଣି

ବକ୍ଷସ୍ଥଳେ ବେନି ଚରଣ ଦେଇ ଉଠିଲେ ଗୋସାମଣି ।୮୯।

ବୁଲାବନ୍ତି କ୍ଷେତ୍ରରେ ସେ ମଧୁର ଗୀତଗାଇ

ହାସନ୍ତି ନାଚନ୍ତି ସେ କରେ କରତାଳି ଦେଇ ।୯୦।

ଇଶାନ୍ୟ କୋଣ ଡେଇଂ ଆଣିଲେ ଅସୁରେ

ଆସିଣ ପ୍ରବେଶ ହୋଇଲେ ୟେକାମ୍ଵରେଶ୍ଵର ଦ୍ଵାରେ ।୯୧।

ବରୁଣା ବଳିକା ତହିଂ ଗୋଟିୟେକ ଅଛି

କନ୍ଧରେ ବସାଇ ବୀରେ କଉତୁକେ ନାଚି ।୯୨।

ରେ ରେ ଶବଦ କଲେକ ଶାକାମ୍ଭେରୀ

ମହାଭୀଷ୍ମ ରୂପ ହୋଇଲେ ଗଗନ ସରି ।୯୩।

ମହାଭାରାନ୍ତ ପାଇ ପକାଇ ଲୋଡ଼ନ୍ତି ପାମରେ

ଦୁହିଂକର କେଶ ଦେବୀ ଧରିଲେ ଦୁଇକରେ ।୯୪।

ଫୁକାର ଶବଦ କରିଣ ଦେବୀ ଦିଲେ ଚାପି

ହୋଇଲେ ପାତାଳଗାମୀ ସେ ଅସୁର କାମରୂପୀ ।୯୫।

ଅସୁର ବୋଇଲେ ୟେତ କପଟ ହୋଇଲା

ୟେ ମାୟକୂଟ ଆମ୍ଭନ୍ତ ମଣିତ ନ ଗଲା ।୯୬।

ପାତାଳକୁ ପଶିଲେନି ବେନିବୀରେ ହୃଦଗତ ପରିଯନ୍ତେ

ଆକ୍ରେଷି ଦରାଣ୍ତି ଧରି ଲୋଡ଼ନ୍ତି ବେନି ହାଥେ ।୯୭।

ଦୁଇଭୁଜେ ଧରିଛନ୍ତି ଦୁହିଂକର କେଶ

ଆହୁରି ଚତୁର୍ଭୁଜ ହୋଇଲା ପ୍ରକାଶ ।୯୮।

ଆକ୍ରେଷି ଗୋସାମଣି ଦୁହିଂକର ଭୁଜ ଧରି

ହୁଂକାର ନାଦକରି ଦେବୀ ଅସୁର ଭୁଜନ୍ତ ଉପାଡ଼ି ।୯୯।

ରୋଧିର ମାୟେଂସ କର୍ଦନ ହୋଇ ତୁସ୍ତି କରନ୍ତି ଦାନବେ

ମା ଗୋ ବୁଡ଼ାଇଲୁ ଶ୍ୱରୀର ସ୍ତିରୀ ମାତ୍ର ଭାବେ ।୧୦୦।

ୟେବେ ଆମ୍ଭେ ତ ନାଶଗଲୁ ନ ଜାଣିଣ ବେନିଭାଇ

ତୁହି କିୟେଟି ଗୋ ଆମ୍ଭଂକୁ ନ କହୁ କାହିଂପାଇଂ ।୧୦୧।

ନାମ କେବଣ ତୋର ଜାଣିଥାଉଂ ଦୃଦେ

ବଦୟନ୍ତି ଗୋସାମଣି ମୁହିଂ ପାର୍ବତୀ ଅଟଇ ହାଦେ ।୧୦୨।

ଅସୁରେ ବୋଇଲେ ଆମ୍ଭେ ନିସ୍ତରିଲୁ ମହାମାୟେ

କଣକଳ୍ପ ଦୃଶ୍ୟ ଗୋ ହୋଇଥାଉ ଆମ୍ଭ କାୟେ ।୧୦୩।

ଅନେକ ତୀର୍ଥ ଯେ ୟେଥି ହୋଇବ ତହିଂ ଯାତ୍ରା

ଥିଲେହେଂ କିଞ୍ଚିତ ୟେଥି ହୋଇଥାଉଂ ଭଗତା ।୧୦୪।

କଠୋର ଦେଖି ତାହାନ୍ତ ଦୟା କଲେ ଗୋସାମଣି

ମାଗରେ ବର ତୁମ୍ଭେ ବୋଇଲେ ଠାକୁରାଣୀ ।୧୦୫।

ଅସୁରେ ବୋଇଲେ ମାତା ଗୋ ଯେବେ ହୋଇଅଛୁ ଦୃଶ୍ୟ

ୟେତେକେହେଂ ଥାଉ ଆମ୍ଭନ୍ତ ପ୍ରାଣେ ନ କର ନାଶ ।୧୦୬।

ମା ଗୋ ଆମ୍ଭେ କୀର୍ତ୍ତି ବାସନ ବୋଲି ଯେ ବେନିଭ୍ରାଥ

କୀର୍ତ୍ତିବାସନ ବୋଲି ନାମ ହୋଇବ ୟେହୁ ତୀର୍ଥ ।୧୦୭।

ପ୍ରସନ୍ନ ହୋଇଣ ଗୋସାମଣି ତାହାନ୍ତ କଲେ ଦୟା

ୟେ ତୀର୍ଥ ହେଉ କୀର୍ତ୍ତିବାସନ ବୋଲି ବର ଦିଲେକ ଅଭୟା ।୧୦୮।

ବାବୁ ୟେକାମ୍ଵର ଦେବ ପାଶେ ୟେ ବେନି ପାଷାଣ

କୀର୍ତ୍ତିବାସନ ବୋଲି ୟେହା ତଥ୍ୟ କରି ଜାଣ ।୧୦୯।

ଆହୋ ଯୁଝେଷ୍ଠି କୀର୍ତ୍ତିବାସନ ଯିବା ବୋଲି ଯେ ଆସିବ ୟେ ତୀର୍ଥକୁ

ସେ ପୁଣ୍ୟ ଅଧେ ପ୍ରପାତ ହୋଅଇଟି କୀର୍ତ୍ତିବାସନକୁ ।୧୧୦।

ୟେ ଦୁହିଂକର ମଧ୍ୟେ ଯେହୁ ଯାଆନ୍ତି ନ ଜାଣି

ଯାବତ ସୁକୃତମାନ ୟେହାନ୍ତ ଦିଅନ୍ତି ଗୋସାମଣି ।୧୧୧।

ଅସୁରନ୍ତ ମାରି ଦେବୀ ହୋଇଲେ ମହାଶ୍ରମି

ଅଳସେ ନିଦ୍ରାଗଲେ ଦେବୀ ତୁଚ୍ଛା ଭୂମି ।୧୧୨।

କଉସିକେ ଯୁଝେଷ୍ଠିକି ଦେଖାଇଲେ ନେଇ

ବିନ୍ଦୁସାଗର କୂଳେ ଅଛନ୍ତି ଦେବୀ ଶୋଇ ।୧୧୩।

କଉଶିକ ମୁନିଂକି ପୁଛାକଲେ ଧର୍ମରାୟେ

କେବଣ ଚରିତ ୟେ ବଡ଼ାଇ ଆଶ୍ରିଜ ହୋୟେ ।୧୧୪।

ଗୋସାମଣିଂକ ପଦତଳେ ଅଛଇ ଲିଙ୍ଗ ଯେ ଗୋଟିୟେ

ପାର୍ବତୀଂକ ଯିବା ଡେରି ଦେଖି ଦେବରାୟେ ।୧୧୫।

ଗୋସାମଣିଂକି ଲୋଡ଼ିଣ ଅଇଲେ ମହାଦେବେ

ଦେଖିଲେ ପ୍ରାଣେ ନାଶ ହୋଇଛନ୍ତି ଦାନବେ ।୧୧୬।

ଅନେକ ବ୍ୟାକୁଳେ ଦେବ ହୋଇଣ ବିମୁଖ

ପାର୍ବତୀଂକୁ ନ ଦେଖି ଈଶ୍ଵରେ କଲେ କୋପ ।୧୧୭।

ଶ୍ରମେ ଧାବନ୍ତି ଦେବ ଲୋଡ଼ନ୍ତି ଚଉକତି

ସେ ବିଂଝଗିରି ପର୍ବତେ ଯାଇ ବିଜୟେ କଲେ ଝାତି ।୧୧୮।

ପାର୍ବତୀ ପାର୍ବତୀ ବୋଲି ଡାକନ୍ତି ଉଚ୍ଚସ୍ଵରେ

ସେ ବିଂଝଗିରି ପର୍ବତ ପାତାଳକୁ ପଶିଲା ରୁଦ୍ର ପାଦଭରେ ।୧୧୯।

ବାବୁ ୟେଣୁକରି ପାତାଳଗାମୀ ହୋଇଲା ବିଂଝଗିରି ପରବତ

ତେନ୍ୟାୟୁଂ ଉଦେ ହୋଇଲା ବିଂଝଗିରି ତୀର୍ଥ ।୧୨୦।

ବାବୁ ଲୋଡ଼ନ୍ତେ ୟେଥେ ଆସି ଭେଟିଲେ ଦେବ ଶୂଳପାଣି

ଦେଖିଲେ ଦକ୍ଷିଣକଇଂ ଶୋଇଅଛନ୍ତି ଗୋସାମଣି ।୧୨୧।

ହା ହା ସଖୀ ବୋଲିଣ ଦେବ ଯେ ସୁଢଳେ

ଈଶ୍ଵର ସ୍ଵାମୀ ଯେ ବିଜେକଲେ ପାର୍ବତୀଂକ ପାଦତଳେ ।୧୨୨।

ଶୁଣ ବାବୁ ଯୁଝେଷ୍ଠି ୟେ ଲିଙ୍ଗର ଆଦିକଥା

ଶମ୍ଭୁ ହୋଇ ରହିଲେ ସେ ଈଶ୍ଵର ଦେବତା ।୧୨୩।

ଯୁଝେଷ୍ଠି ପୁଚ୍ଛାକଲେ ଶୁଣିମା ବିଶ୍ଵାମିତ୍ରେ

ସେ ମାୟେ ବିଜେକଲେ ଦକ୍ଷିଣଭାଗ ତୀର୍ଥେ ।୧୨୪।

ବିଶ୍ଵାମିତ୍ରେ ବୋଇଲେ ବାବୁ ସାବଧାନେ ଶୁଣ

ୟେ ମହାତୀର୍ଥେ ଆସି ତପ କଲାଟି ରାବଣ ।୧୨୫।

ଯୁଝେଷ୍ଠି ପୁଛାକଲେ ବିଶ୍ଵାମିତ୍ରଂକ ଅଗ୍ରତେ

ଲଂକାକଇଂ ଛାଡ଼ି ରାବଣ ୟେଥକ ଅଇଲା କିସ ଅର୍ଥେ ।୧୨୬।

ଶୁଣ ହୋ ଯୁଝେଷ୍ଠି ବ୍ରହ୍ମାଂକର ସମୟକେ ହୋଇଲା ଚାରିପୁତ୍ର

ବଶିଷ୍ଠ ନାରଦ ଯେ ଅଗସ୍ତି ପୋଉଲସ୍ତ୍ୟ ।୧୨୭।

ପୋଉଲସ୍ତିଂକର ନନ୍ଦନ ଯେ ହୋଇଲେ କପିଳ

ଶୂନ୍ୟମୁନି ବୋଲିକରି ୟେହାଂକ ଦୁଲାଳ ।୧୨୮।

ଶୂନ୍ୟଂକର ପୁତ୍ର ଯେ ପ୍ରୟାଗ ବାସୁଦେବା

ୟେହାକଂର ନନ୍ଦନ ଯେ ହୋଇଲା ବିଶ୍ରବା ।୧୨୯।

ବଇବସୁତ ମନୁଂକର ଦୁହିତା ଜମ୍ଵୁବତୀ

ତାହାକଇଂ ପ୍ରଦାନ ହୋଇଲେ ବିଶ୍ରବା ମହାଯତି ।୧୩୦।

ବିଭା ହୋଇଣ ସେ ବିଶ୍ରବା ମୁନିବରେ

ସ୍ଵସ୍ଥ ପାଇ ରହିଲେ ସେ ବଇବସୁତ ମୁନିଂକର ପୁରେ ।୧୩୧।

ମେରୁଶିଙ୍ଗ ଭଗ୍ନକଲା ପବନ ବିଘାତେ

ଦକ୍ଷିଣ ମଉଦଧିରେ ପକାଇଲେ ହାଦେ ।୧୩୨।

ସୁବର୍ଣ୍ଣର ଶିଂଗ ବୋଲି ତା ପିତା କଲେ ରକ୍ଷ

ଦକ୍ଷବଂଶେ ଉପୁଜିଛନ୍ତି ରକ୍ଷ ଭକ୍ଷ ।୧୩୩।

ଘଟଣା ଯୋଗଡ଼ମାନ ଦିଲେ ବେଦବର

ବୋଇଲେ ତୁମ୍ଭେ ଦୁହେଂ ୟେଶିଂଗେ ପୁରେକ ନିର୍ବାଣ କର ।୧୩୪।

ବଡ଼ ବିଚିତ୍ର କରି ପୁରେକ ନିର୍ବାଣ କରିବ

ଅସୁର ଭୟେ ହୋଇଲେ ୟେଥେଂ ତେତିଶକୋଟି ଦେବତାନ୍ତ
ଦେବ ଠାବ ।୧୩୫।

ବଜ୍ରଯନ୍ତ୍ର କବାଟ ହୋଇବ ବଜ୍ରଯନ୍ତ୍ର କିଳଣି

ପାଚେରୀ ଉଚ୍ଛର୍ଗ ହୋଇବ ମେରୁଗିରି ଜାଣି ।୧୩୬।

ଚିତ୍ରପଟ ଗୋଟିୟେ ପାଡ଼ିଲେ ବେଦପତି

ୟେହିମତି ଲଂକାଗଡ଼ ସ୍ରିଜିବ ମେଢ଼ ମଣ୍ତପ ଜଗତୀ ।୧୩୭।

ଧାତାର ବଚନେ ରକ୍ଷ ଭକ୍ଷ ଦୁହେଂ ଲାଗି

ମହା କାମରୂପୀ ସେ ଗଢ଼ନ୍ତି ତାହା ବେଗି ।୧୩୮।

ବ୍ରହ୍ମାଂକର ବଚନେ ସେହୁ ବେନି ବେନି ରକ୍ଷ ଭକ୍ଷ

ଲଂକା ନିର୍ବାଣ କଲେ ବରଷ ଦଶଲକ୍ଷ ।୧୩୯।

ଦେଖିଣ ସାନନ୍ଦ ଯେ ହୋଇଲେ ପଦ୍ମଯୋନି

ବୋଇଲେ ୟେଥେ ତୁମ୍ଭେ ରାଜ୍ୟକର ଭାଇବେନି ।୧୪୦।

ପିତାର ଆଗ୍ୟାଂ ପାଇ ସେହୁ ରକ୍ଷ ଭକ୍ଷ

ନିଚିନ୍ତେ ରାଇଜ ସେ କରନ୍ତି ବେନିବତ୍ସ ।୧୪୧।

ସମୟେକେ ସେହୁ ଦତ୍ୟେନ ଉପଦ୍ରବ କଲେକ ଆକାଶ

ଅନୀତି ଦେଖିଣ ନାରାୟଣ ତାହାଂକଇଂ କଲେ ନାଶ ।୧୪୨।

ରକ୍ଷ ଭକ୍ଷକଂର ପୁତ୍ର ଯେ ହେତି ପରହେତି

ଲକାଂରେ ସମୟେ ସେ ହୋଇଲେ ଆଧିପତି ।୧୪୩।

ସେହୁ ସମୟେକେ କଉଣୋପେ ଉପଦ୍ରବ କଲେ

ନାରାୟଂଣକର ହାଥେ ସେହୁ ନାଶଗଲେ ।୧୪୪।

ତାହାଂକର ପୁତ୍ର ଯେ ବଜ୍ରାଙ୍ଗ କାଳାନଳ

ସମୟେକେ ଲଂକାଗଡ଼େ ସେହୁ ହୋଇଲେ ମହୀପାଳ ।୧୪୫।

ସେହୁ ବିରୋଧ କଲେ ଆକାଶ ସ୍ଵର୍ଗପୁରେ

ତାହାନ୍ତ ନାଶ କଲେ ହରି ଦାମୋଦରେ ।୧୪୬।

ତାହାଂକର ନନ୍ଦନ ହୋଇଲେ କେଶୀ ମହାକେଶୀ ।

କେଶବରୂପେ ହରି ତାହାନ୍ତ ଦର୍ପ ଧ୍ଵଂସି ।୧୪୭।

ତାହାଂକର ପୁତ୍ର ଯେ ଉପୁଜିଲେ ବଳୀ ମହାବଳୀ

ତାହାନ୍ତ ବଦ୍ଧ କଲେ ବଳୀ ଦେବ ବନମାଳୀ ।୧୪୮।

ବଳୀ ମହାବଳୀର ପୁତ୍ର ମାଳୀ ଯେ ସୁମାଳୀ

ସମୟେକେ ଥିଲେ ସେ ଲଂକା ମହାସ୍ଥଳୀ ।୧୪୯।

ସମସ୍ତ ଦେବତାଂକୁ ଯେ ବଶ୍ୟାବୃତ୍ତି କରି

ଜନାର୍ଦ୍ଦନ ଅବତାରେ ମାଳୀ ଦତ୍ୟକୁ ଦଳି ।୧୫୦।

ସୁମାଳୀ ଦାନବ ତହୁଂ ପଳାଇଲା ଡରେ

ଭୟେଣ ଲୁଚିଲେ ଯାଇ ପାତାଳ ସ୍ଵର୍ଗପୁରେ ।୧୫୧।

ସେ ଲକାଂଗଡ଼ ଶୂନ୍ୟ ଯେ ହୋଇଲା ସମୟେ

କେହି ଆତଯାତ ନୋହନ୍ତି ତହିଂ ପଦ୍ମଲାଭର ଭୟେ ।୧୫୨।

ବିଶ୍ରବା ଋଷି ଯେ ବଇବସୁତ ମନୁ ଘରେ ଥିଲେ

ବ୍ରହ୍ମା ନେଇ ତାହାନ୍ତ ଲଂକାରେ ରୁହାଇଲେ ।୧୫୩।

ଘରଣୀଂକ ସହିତେ ଲଂକାରେ ଥାନ୍ତି ବିଶ୍ରବା ମହାଋଷି

ପାତାଳ ସ୍ଵର୍ଗପୁରୁ ଦିନେ ସୁମାଳୀ ଦତ୍ୟ ଆସି ।୧୫୪।

ମୀନମାସ ଶୁକଳ ପକ୍ଷ ଚଉଠୀ ଗୁରୁବାର

ମୃଗଶିରା ନକ୍ଷତ୍ର ଭୋଗ୍ୟ ସେ ଦିନର ।୧୫୫।

ବାୟେବ୍ୟ ନାମେ କରଣ ଆୟୁଷ୍ମାନ ନାମେ ଯୋଗ

ମୀନ ସଂକ୍ରାତିକୁ ତେରଦିନ ଭୋଗ ।୧୫୬।

ସେ ଦିନ ସୁମାଳୀ ଯେ ଅଇଲା ମଧ୍ୟସ୍ଵର୍ଗେ

ସମସ୍ତ ରାଜ୍ୟ ବୁନି ପଶିଲା ଲକାଂଭାଗେ ।୧୫୭।

ପୁରେ ପୁରେ ଦତ୍ୟ ଯେ ବୁଲିଲେ ଆତ୍ମନ୍ତେ

ବିଶ୍ରବା ଋଷିକୁ ସେ ଭେଟିଲା ୟେକାନ୍ତେ ।୧୫୮।

କୋପକଲା ରାକ୍ଷସ ସେ ବିଶ୍ରବାକଇଂ ଦେଖି

କାଳଚକ୍ର ପ୍ରାୟେକ ବୁଲାଇ ବେନିଆଖି ।୧୫୯।

କାହିଂର ବ୍ରାହ୍ମଣ ତୁରେ ମୋହୋର ପୁରେ ପଶୁ

ବ୍ରାହ୍ମଣ ହୋଇ କିପେଂ ଅସୁର ଭୂମିକି ଆସୁ ।୧୬୦।

ବିଶ୍ରବା ବୋଇଲେ ଆମ୍ଭନ୍ତ କୋପ ନ କରେ ରେ ବାବୁ

ତୋହୋର କୋପକଲେ ଆମ୍ଭେ କ୍ଷଣେହେଂ କିମ୍ପେ ଥିବୁ ।୧୬୧।

ତୁ ଯେବେ ଲକାଂଗଡ଼ର ଅଟୁ ଆହୋ ରାୟେ

ତୋତେ ଦେବୁଂ ଆମ୍ଭେ ଅନ୍ନ ଯେ ପୁଡ଼ାୟେ ।୧୬୨।

ୟେତେ ବୋଲି ବିଶ୍ରବା ଭୋଜନ ତାକୁ ଦିୟେ

ଭୁଞ୍ଜଇ ସୁମାଳୀ ଯେ ପରଶନ୍ତି ବିଶ୍ରବାୟେ ।୧୬୩।

ଅନେକ ସନ୍ତୋଷେ ଭୁଞ୍ଜଇ ଅସୁରେଶ୍ଵର ରାୟେ ।୧୬୪।

ଭୁଞ୍ଜିଣ ତ୍ରିପୁତି ଯେ ହୋଇଲା ଦଇତ ଅରି

ନିଚୟେ ବ୍ରାହ୍ମଣ ତୁକୁ ପ୍ରାପତ ହୋଇଲା ଲଂକାପୁରୀ ।୧୬୫।

ମୋହୋର ଅଛଇ ଯେ ଦୁହିତା ଗୋଟିୟେ

ତାହାକଇଂ ପ୍ରଦାନ ତୁମ୍ଭେ ହୋଇବା ପଣ୍ତାୟେ ।୧୬୬।

ୟେ ଲକାଂଗଡ଼ ତୁମ୍ଭନ୍ତ ଦିଲାଇଂ ଯଉତୁକ

ୟେ ଲକାଂଗଡ଼କୁ ଭୋଗ୍ୟକର ଅକଣ୍ଟକ ।୧୬୭।

ଡରେଣ ସନମତ କଲେ ବିଶ୍ରବା ମହାଋଷି

ସୁମାଳୀର ଦୁହିତା ବିଭା ହୋଇଲା ନଉକେଶୀ ।୧୬୮।

ମାଳୀଦତ୍ୟର ଦୁହିତା ପୁଷ୍ୟଉତକଟ ନାମେ ଦୁଲଣୀ

ବିଶ୍ରବାକଇଂ ପ୍ରଦାନ କଲା ତାହାକୁ ଆଣି ।୧୬୯।

ମାଲ୍ୟବନ୍ତର ଦୁହିତା ପୁଷ୍ୟ ଯେ ମାଳିନୀ

ବିଶ୍ରବାକଇଂ ପ୍ରଦାନ କଲା ସେହୁ ଆଣି ।୧୭୦।

ବ୍ରାହ୍ମଣୀ ତାହାଂକର ଯେ ହୋଇଥିଲା ଗର୍ଭବତୀ

ତାହା ତହୁଂ ପୁତ୍ରେକ ହୋଇଲା ଉତପତ୍ତି ।୧୭୧।

ବିଶ୍ରବାୟେ ଦେଖିଲେ ସୁସଞ୍ଚ ବାଳ ତନୁ

ସେ ପୁତ୍ରର ନାମ ଦିଲେକ ଶତମନୁ ।୧୭୨।

ପୁଣି ସମୟେକେ ନଉକେଶୀ ହୋଇଲା ଗର୍ଭବତୀ

ତାହାର ତହୁଂ ରାବଣ ହୋଇଲା ଉତପତ୍ତି ।୧୭୩।

ପୁଣ ନଉକେଶୀ ପୁତ୍ରେକ ହୋଇଲା ଜାତ

ଅରୁଣତେଜ ବୋଲି ତାହାର ନାମ ବିଖ୍ୟାତ ।୧୭୪।

ସମୟେକେ ଖେଳୁଛନ୍ତି ଅରୁଣତେଜ ଶତମନୁ

ବାରୁଆଳୀ ହୋଇଲେ ଦୁଇ ବାଳୁତ ତନୁ ।୧୭୫।

କୋପେ ଶତମନୁ କଟାକ୍ଷି ଚାହିଂଲା

ନଉକେଶୀର ନନ୍ଦନ ଅରୁଣତେଜ ଭସ୍ମ ହୋଇଗଲା ।୧୭୬

ଡରେଣ ନଉକେଶୀ ରାଇଲା ରାବଣ ନାମେ ବଳା

ୟେଥେ ଥିଲେ ମରିବୁ ବାବୁ ବହନ ହୋଇ ପଳା ।୧୭୭।

ମାତାର ବଚନେ ସେ କଲାକ ମହାଭୟେ

ପୁଷ୍ୟେକ ଆରୋହୀ ପଳାଇଲା ନଉକେଶୀର ତନୟେ ।୧୭୮।

ପଳାଇ ପଶିଲା ଆସି ମଉଦଧି ଉତ୍ତର ତଟେ

ୟେକାମ୍ଵର ନାଥକଇଂ ଭେଟିଲା ନିକଟେ ।୧୭୯।

ସୁବର୍ଣ୍ଣଚୂଟ ପର୍ବତ ଦକ୍ଷିଣ କୋଣ ଭାଗେ

ବାଣେକ ଥୋଇ ଜପଇ ମହାମନ୍ତ୍ର ଯୋଗେ ।୧୮୦।

ସମସ୍ତ ନିରୋଧିଲା କାଳ କାମ କ୍ରୋଧ ନିଦ୍ରା

ଅଶି ସହସ୍ର ବରଷ ବସିଲା ୟେକମୁଦ୍ରା ।୧୮୧।

ତମ୍ଵାର କୁଣ୍ତେଣ ସେ କଲାକ ଆହୁତି

ଶରୀରୁ ମାସଂ କାଟି ପକାଇ ତହିଂ ନିତି ।୧୮୨।

ୟେ ମହାକଷ୍ଠୋର ଦେଖିଣ ବିଜୟେ ଯୋଗେଶ୍ଵର

ଭୋଳେଣ ରାବଣକଇଂ ପ୍ରସନ୍ନେ ଦିଲେ ବର ।୧୮୩।

ଚଉରାଶି କୋଟି ଅମର ବର ମାଗିଲା ଯାତୁଧାନ

ବୋଇଲା ମୋହୋର ହୋଇବ ଦଶଇ ବଦନ ।୧୮୪।

ୟେକ ଶରୀରେ ହୋଇବ ମୋହୋର କୋଡ଼ିୟେ ଯେ ଭୁଜ

ନାଗ ନର ଦେବଲୋକେ ହେବି ୟେକରାଜ ।୧୮୫।

ଭୋଳେଣ ପ୍ରସନ୍ନ ଯେ ହୋଇଲେ ସୋମୟା

ଅତୁଟ ଅଫୁଟ ହୋଉ ରାବଣ ତୋର କାୟା ।୧୮୬।

କିଞ୍ଚିତ ଭଗତେ ସେ କଲେ ବହୁତ ସଦୟା

ବାବୁ ୟେ ଲିଙ୍ଗଗୋଟି ହାଦେ ରାବଣ ସୋମୟା ।୧୮୭।

ୟେହାକୁ ସେବାକରି ଯେ ଯାହା କରନ୍ତି ଇଛା

ପ୍ରତକ୍ଷେ ମହାଦେବ ପୂରାବନ୍ତି ମନବାଞ୍ଛା ।୧୮୮।

କଉସିକ ମୁନିଂକ ବଚନେ ସାନନ୍ଦ ଧର୍ମରାୟେ

ସେ ସୋମାୟା ଲିଙ୍ଗକୁ ବହୁତ ହୁଅନ୍ତି ବିନୟେ ।୧୮୯।

ବାବୁ ୟେ ହାଦେ ଅଟଇ ଅମାପତ ସରଇଂ

ୟେଥେ ସ୍ରାହାନ କଲେ ଅନେକ ପାପ ଯେ ହରଇ ।୧୯୦।

ୟେଥେ ସ୍ରାହାନ କରି ପୁଷ୍ପେଶ୍ଵର ଲିଙ୍ଗ ଦେଖ

ଗତ ଆଗତ ଜନ୍ମର ପାତେକ ଉପେଖ ।୧୯୧।

କଉସିକେ ବୋଇଲେ ବାବୁ ଶୁଣ ଧର୍ମବାଳ

ୟେ ସେ ମହାଲିଙ୍ଗ ହାଦେ ଅଟନ୍ତି କପିଳ ।୧୯୨।

ତ୍ରେତୟା ଯୁଗରେ ରାମ ରାବଣକଇଂ ମାରି

ବିଭୀଷଣକୁଇଂ ରାଜ୍ୟ ସମର୍ପି ସୀତାଂକୁ ଘେନି ଆସନ୍ତି ବାହୁଡ଼ି ।୧୯୩।

ଶ୍ରୀ ରାମଚନ୍ଦ୍ର ଲିଙ୍ଗ ଗୋଟିକି ଆରାଧି

ରାମେଶ୍ଵର ବୋଲି ଲିଙ୍ଗେକ ଥାପିଲେ ସେ ବୋଧି ।୧୯୪।

ସୁଗ୍ରୀବର ନୃପତି ୟେ ଲିଙ୍ଗଗୋଟି କଲେ ପୂଜା

ଭୁବନେଶ୍ଵର ଆଧିପତି ସେ ଭୁବନେଶ୍ଵର ଲିଙ୍ଗରାଜା ।୧୯୫।

ଜମ୍ଵେବ ପୂଜିଲେ ଯେ ଜମେଶ୍ଵର ମହାଲିଙ୍ଗ

ଶତବାଳୀ ପୂଜିଲା ଈଶାଣେଶ୍ଵର ଲିଙ୍ଗ ।୧୯୬।

ହନୁମନ୍ତ ପୂଜିଲେ ସେ ସୁରେଶ୍ଵର ଦଇବତ

ଗଙ୍ଗେଶ୍ଵର ଦେବଂକୁ ପୂଜିଲା ହରିନାଥ ।୧୯୭।

ବ୍ରହ୍ମା ପୂଜିଲେ ବ୍ରହ୍ମେଶ୍ଵର ଦେବ କାଶୀ

ନାରଦେଶ୍ଵର ବୋଲି ଲିଙ୍ଗେକ ପରକାଶି ।୧୯୮।

ଲିଙ୍ଗେକ ପୂଜିଲେ ଯେ ଦକ୍ଷ ପ୍ରଜାପତି

କୃତ୍ତେଶ୍ଵର ବୋଲି ଲିଙ୍ଗେକ ଆଧିପତି ।୧୯୯।

ଯମଦେବତା ପୂଜିଲେ ଯମେଶ୍ଵର ଲିଙ୍ଗ

ମରୁତେଶ୍ଵରଂକୁ ସ୍ଥାପି ପୂଜିଲେ ଧନେଶ୍ଵର ବେଗ ।୨୦୦।

ମହାକ୍ଷେତ୍ର ଦେଖି ସେ ତେତିଶ କୋଟି ଦେବେ

ସମସ୍ତେହେଂ ପୂଜା ଘେନୁଛନ୍ତି ୟେହିଠାବେ ।୨୦୧।

ଦେବତାୟେ ବିଜେକଲେ ମଧ୍ୟ ଯେ ଆକାଶେ

ବାସୁକି ବିଜେ କଲେ ଯେ ୟେହୁ ଭୂବନ ବାସେ ।୨୦୨।

ସେହୁ ବସିଲେ ୟେଥେ ପୁଷ୍କର ବିଜେକରି ।୨୦୩।

ତହୁଂଣ ପାଣ୍ତବେ ଚଳିଣ ହାଦେ ଗଲେ

ଭାସ୍କର ତୀର୍ଥେ ଯାଇଂ ପ୍ରବେଶ ହୋଇଲେ ।୨୦୪।

ଚନ୍ଦ୍ରଭାଗା ଦେବ ଦକ୍ଷିଣ ମହୋଦଧି

ସ୍ରାହାନ କଲେ ତହିଂ ପାଣ୍ତବ ଗୁଣନିଧି ।୨୦୫।

ଯୁଝେଷ୍ଠି ଦେବ ତହିଂ ପଚାରିଲେ ବାରତା

କହିବା ମୁନି ହେ ୟେହୁ ଅର୍କତୀର୍ଥର କଥା ।୨୦୬।

ତାହାର ପୁତ୍ର ସେହୁ କଲା କେଉଂଣ ଦୋଷ

କେଉଂଣ ପ୍ରକାରେ ତାକୁ ବିରଞ୍ଚି ନାରାୟଣ କଲେ ନାଶ ।୨୦୭।

ବଦନ୍ତି ମାରକଣ୍ତେ ଶୁଣ ହୋ ପଣ୍ତୁସୁତ

କୃତାନ୍ତକ ଦଇଂତହୁଂ ଜାତ ଅର୍କ ଯେ ଦଇତ ।୨୦୮।

ଅମର ବିବାଦେ ଜମ୍ଵୋଦତ୍ୟ ଇନ୍ଦ୍ର କଲା ହତ

ଶିରଗୋଟି ତାର ଛେଦିଲା ସୁରନାଥ ।୨୦୯।

ଦୁସହ ସମରେ ଜମ୍ଵୁଦତ୍ୟ ଶିର ଛେଦି

ତେଣୁ ସେ ଇନ୍ଦ୍ରନାମ ବହିଲା ଜମ୍ଭୋଭେଦୀ ।୨୧୦।

ସେ ଜମ୍ଵୁଦତ୍ୟର ପୁତ୍ର ଅଟଇ କୃତକେଶୀ

ହିରଣ୍ୟ ହରିଣାକ୍ଷ ବୋଲି ତାହାର ବେନି ଶଶି ।୨୧୧।

ହରିଣାକ୍ଷର ପୁତ୍ର ମୟ ଯେ ଦାନବ

ସେ ଯେ ନିରୋଧିଲା ଭୁବି ଭୁବନ ସର୍ବ ।୨୧୨।

ମୟ ଦାନବର ପୁତ୍ର ନାମ କାନ୍ତିମାଳା

ୟେହାର କୁମର ଯେ ହୋଇଲା ବିଡୋଳା ।୨୧୩।

ବିଡୋଳାର ପୁତ୍ର ଯେ ଅଟଇ ଭାସ୍କର

ଅର୍କ ଦଇତ ବୋଲିଣ ଯେ ପୁତ୍ରେକ ତାହାର ।୨୧୪।

ବଡ଼ାଇ ପ୍ରତାପୀ ସେ ଅର୍କ ଦଇତାରି

ରହିଲା ଦଇତ ୟେହି ତୀର୍ଥେକ ଆବୋରି ।୨୧୫।

ମନୁବଂଶେ ଜାତ ପଦ୍ମନାଭ ନରପତି

କଣୟବିନ୍ଦୁ ବୋଲି ତାହାର ସନ୍ତତି ।୨୧୬।

ବଡ଼ାଇ ପ୍ରତାପୀ ସେ ହୋଇଲାକ ରାଜା

ବଡ଼ ସୁବିତ୍ତେ ସେ ପାଳଇ ଜନ ପ୍ରଜା ।୨୧୭।

ୟେକା ମାଢ଼କେ ଚିନାୟେ ଦ୍ୟନ୍ତି ଚାଷୀ

ସମ୍ଵଚ୍ଛର ପରିଯନ୍ତେ ଆୟେ କରନ୍ତି ଦୁଇରାଶି ।୨୧୮।

ଭଗ୍ନପାଦ ବେଳେ ରାୟେ ବସିଲାକ ପାଟ

ରାଜ୍ୟଯାକ ଭଗନ ହୋଇଲା ଦରିଦ୍ରବାସୀ ହୋଇଲା ସମରାଷ୍ଟ ।୨୧୯।

ସଂସାର ବିକଳ ଦେଖି ବିଚାରଇ ରାଜନ

ପରଜାର ଦୁଖିତେ ରାଜାର କିସ ପୁଣ୍ୟ ।୨୨୦।

ବିଚାରଇ ନୃପତି ମୁଂ କରତାକଇଂ କରିବି ସେବା

ରାଜ୍ୟଯାକ ମୋର କଣୟ ବୃଷ୍ଟି କରାଇବା ।୨୨୧।

ପୁତ୍ରକଇଂ ରାଜ୍ୟଭାର ସମର୍ପି ମହୀପତ୍ୟେ

ବସିଲା ନିରାଶେ ଚନ୍ଦ୍ରଭାଗା ମହୋଦଧି ଅର୍କତୀର୍ଥେ ।୨୨୨।

ନିରାଶେ ବସିଣ ସେବା କରଇ କରତାର

ୟେକା ଆସନେ ବସିଲା ପଞ୍ଚଦଶ ବର୍ଷର ନିରାଧାର ।୨୨୩।

ବିଚାରି ଗୁଣଇ ସେ ଅର୍କ ନାମେ ଦଇତ

ମହାତପୀ ହୋଇଲା ୟେହାର ଚରିତ କେମନ୍ତ ।୨୨୪।

ନ ପୁଣ ମୋର ପଦ ଘେନିବ ମାଗିଣ ବିରଞ୍ଚି

ରାଜାକୁ ମାରିବ ବୋଲି ହୃଦଗତେ ପାଞ୍ଚି ।୨୨୫।

ମକର ମାସ ଶୁକ୍ଳପକ୍ଷ ଚଉଠୀର ଦିନ

ଚନ୍ଦ୍ରଭାଗାୟେ ଦେଖିଲା ସ୍ଵାମୀର ବର୍ଣ୍ଣ ଚିନ୍‌ହ ।୨୨୬।

ଅନେକ ସ୍ତୁତି କରି ସେ ହୋଇଲା ପରିଣାମି

ଆକାଶେ ଥାଇ ତାହା ଦେଖିଲେ କରତାର ଦେବସ୍ୱାମୀ ।୨୨୭।

ପ୍ରଣପତ୍ୟ ହୋଇଲେ ଯେ ଶୁତିଲା ନରପତି

ଦେଖିକରି ଅର୍କ ଦଇତ ଧାଇଂଲା ତତକ୍ଷଣାନ୍ତି ।୨୨୮।

ଲୋହାର ଲଉଡ଼ି ୟେକ ଧରିଅଛି ହାଥେ

ପ୍ରହାର କରିବି ଆଜ ପାମରର ମାଥେ ।୨୨୯।

ଲକ୍ଷେ ଯୋଜନେ ଥାଇଂ ତାହା ଦେଖିଲେ କରତାର

ନୁହଇ ନୁହଇ ବୋଲି ବଢ଼ାଇ ଦିଲେ କର ।୨୩୦।

ଅର୍କ ଦଇତ ଦେବ ଧଇଲେକ ଶିର

ଅଦୋଷେ କିମ୍ପେ ଦଇତ ତୁ ପରହାର କର ରେ ଅସୁର ।୨୩୧।

ଅର୍କଦତ୍ୟକୁ ବିରଞ୍ଚି ଧଇଲେ ଆକ୍ରେଷି

ମହାବଳବନ୍ତା ଦତ୍ୟ ସମରେ ନ ଘୁଞ୍ଚି ।୨୩୨

ଅର୍କ ଦଇତର ତୁଲେ ଦେବ କଲେକ ସାଂଗ୍ରାମ

ବଢ଼ିଲା ରଣରଙ୍ଗ ସାଂଗ୍ରାମ ଅବିଶ୍ରାମ ।୨୩୩।

ଚଉଠୀ ପଞ୍ଚମୀ ଷଷ୍ଠୀ ୟେହି ତିନିଦିନ

ମହାଘୋର ସମରେ ହାରିଲା ଯାତୁଧାନ ।୨୩୪।

ମକର ମାସ ଶୁକଳପକ୍ଷ ସପତମୀ ରାତି

ଅର୍କ ଦଇତକୁ ଦେବ ଧଇଲେ କୋପମୃତ୍ତି ।୨୩୫।

ବିରଞ୍ଚି ନାରାୟେଣ ହୋଇଲେ ତେସନ

ଦତ୍ୟର ଭୁଜ ସେହୁ ଧରିଲେ ଆକ୍ରେଷିଣ ।୨୩୬।

ଚନ୍ଦ୍ରଭାଗା ତୀରେ ଥିଲେ ଯେ ଚନ୍ଦ୍ରଗିରି ପର୍ବତ

ତହିଂନେଇ କଚାଡ଼ିଲେ ଦେବ ଅର୍କ ଯେ ଦଇତ ।୨୩୭।

ସେ ଚନ୍ଦ୍ରଚୂଡ଼ ଗିରି ଅସୁର ପଡ଼ି ଚୂରଗଲା

ସେ ଅର୍କ ଦଇତର ଦେହ କିଛିହିଂ ନୋହିଲା ।୨୩୮।

ସୂର୍ଯ୍ୟାବ୍ରତେକ ଚକ୍ର ମାଇଲେ ଦେବ ତୋଳି

ଅର୍କଦତ୍ୟର ଦେହେ ପଡ଼ି ଚକ୍ର ହୋଇଲାକ ଧୂଳି ।୨୩୯।

କେଉଣସି ପ୍ରକାରେ ନାଶ ନୋହିଲା କଉଣୋପ

ମାଡ଼ିଣ ବସିଲେ ଦେବ ହୋଇ ବିଶ୍ଵରୂପ ।୨୪୦।

ଅର୍କ ଦଇତକୁ ମାଡ଼ି ବସିଲେ ବକ୍ଷସ୍ଥଳେ

ବିଜୟେ ବିରଞ୍ଚି ନାରାୟେଣ ଚନ୍ଦ୍ରଭାଗା ବାରାନିଧି କୂଳେ ।୨୪୧।

ଚଳିଗଲେ ବାରାନିଧି ଅଗ୍ନିକୋଣ ଆଡ଼େ

ଅର୍କ ଦଇତକୁ ମାଡ଼ି ବସିଲେ ମଉଦଧି ପଛିମ କଛାଡ଼େ ।୨୪୨।

ପୃଥିବୀର ଅଗ୍ନି କୋଣେ ବିଜୟେ ଜଗତ ଜ୍ୟୋତି

ତେଣୁ ସେ କୋଣାଅର୍କ ତାର୍ଥ ଜଗତେ ବିଖ୍ୟାତି ।୨୪୩।

ସେ କଣୟବିନ୍ଦୁ ରାଜାକୁ ଅର୍କ ପ୍ରସନ୍ନ ହୋଇଲେ

ସାତଘଡ଼ି ପରିଯନ୍ତେ ତାହାର ରାଜ୍ୟେ କଣୟ ବରଷିଲେ ।୨୪୪।

ଶୁଣ ଆହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ତେ

ସେହି କୋଣାଅର୍କ ତୀର୍ଥ ପବିତ୍ର ଭ୍ରଥଖଣ୍ତେ ।୨୪୫।

ମଉଦଧିରେ ସ୍ରାନ କରି ଚନ୍ଦ୍ରଭାଗା ତୀର୍ଥ ଦାହି

ବରଞ୍ଚି ନାରାୟଣଂକ ବଦନ ଯେବେ ଚାହିଂ ।୨୪୬।

ଜୟତୁ ଜୟତୁ କମଳ ଲୋଚନ ପୀତବାସ

କରୁଣାକର ନାଥ ପ୍ରସନ୍ନ ଆଦେଶ ।୨୪୭।

ଜୟତୁ ଦିନକର ନାଥ ଗଗନ ଚୂଡ଼ାମଣି

ଭଗତ ଜନମାନଂକୁ ସଦୟା ଦିନମଣି ।୨୪୮।

ଅର୍କ ବିଦାରଣ ନାଥ ଭଗତ ଉଦ୍ଧାରି

ସଦୟ ଉଦ୍ଧାରଣ ନାଥ ବ୍ରହ୍ମାଣ୍ତ ଅଧିକାରୀ ।୨୪୯।

ସଂଗ୍ୟାଂର ବଲ୍ଲଭ ତୁ ପ୍ରସନ୍ନ ସଦୟେ

ଯାବତ କାଳକୁ ନାଥ ତୁହି ସେ ବରଦାୟେ ।୨୫୦।

ତିମିର ବିଦାରଣେ ନାଥ ତୁ ପ୍ରସନ୍ନ ଅନାଦି

ଦ୍ରସନେ ସଂସାର ସାଗର ସଂସିଦ୍ଧି ।୨୫୧।

ନମୋ ନମୋ କମଳଲୋଚନ କରତାର

ପ୍ରଳୟ କାଳ ବଞ୍ଚାନ୍ତା ତୁହି ସେ ଭାସକର ।୨୫୨।

ସଜ୍ଜନ ତାରଣ ନାଥ ତୁ ଯୋଗେଶ୍ଵର ସ୍ଵାମୀ

ତବ ଚରଣ ପଂକଜ ନାଥ ମମ ପରିଣାମି ।୨୫୩।

ତ୍ରଇଲୋକ୍ୟ ଦୀପନ ନାଥନମସ୍ତେ ନାରାୟଣ

ୟେ ଅଗତି ସଂସାରକୁ ନାଥ ତୁହି ସେ କାରଣ ।୨୫୪।

ତବ ପଦ୍ମପାଦେ ଭଗତି ଭାବେ ସେବି

କାଳ ବଞ୍ଚାଇଲା ନାଥ ସାରୋଳ ଦାସ କବି ।୨୫୫।

ଶୁଣ ହୋ ଯୋଗେଶ୍ଵର ବଦୟନ୍ତି ବ୍ରହ୍ମବେତ୍ତା

ଯୁଝେଷ୍ଠି ଆରାଧନା କଲେ ବିରଞ୍ଚି ନାରାୟେଣ ଦେବତା ।୨୫୬।

ମକର ମାସ ମଧ୍ୟେ ମଉଦଧି ଚନ୍ଦ୍ରଭାଗା

ୟେଥେଂ ସ୍ରାହାନ କଲେ ଖଣ୍ତିବ ରୋଗବାଧା ।୨୫୭।

ବାବୁ ୟେ ତୀର୍ଥେ ସ୍ରାନକରି ଯେ ବୁଡ଼ାଇବ ମଥା

କାଳକର ଦୁଷୁକୃତ ଯେ ଖଣ୍ତିତ ସର୍ବଥା ।୨୫୮।

ମକର ମାସେ ଚନ୍ଦ୍ରଭାଗା ମଉଦଧି ମଧ୍ୟସ୍ତାନେ

ଯେବଣ ଜନ ୟେଥି ଯେ କରନ୍ତି ପିଣ୍ତଦାନେ ।୨୫୯।

ଦ୍ଵାଦଶ ପୁରୁଷ ଯେ ଯାଆନ୍ତି ଦେବଲୋକେ

ବଂଶେ ଅଗତି ଯେ ନ ଥାଇ ପିତୃ ଗଣଂକେ ।୨୬୦।

ଅନ୍ୟ ଶ୍ରାଦ୍ଧ ସରି ନୋହେ ଦ୍ଵାଦଶ ପରିଯନ୍ତେ

ୟେଥେଂ ପିଣ୍ତ ଦିଲେ ଯେ ତରନ୍ତି ସମସ୍ତେ ।୨୬୧।

 

ବାବୁ ୟେଥେ ସ୍ରାହାନ କରି ଯେ ପୂଜନ୍ତି ବିରଞ୍ଚି

ଗଳୁତ କୁଷ୍ଠ ବ୍ୟାଧି ଥିଲେ ପକାଇ ସର୍ବ ପୋଛି ।୨୬୨-୮୪୯୪।

 

Unknown

ଚନ୍ଦ୍ରଭାଗା ତୀର୍ଥେ ଶାମ୍ଵଙ୍କର କୁଷ୍ଠବ୍ୟାଧି ମୋଚନ ଓ ଯୁଧିଷ୍ଠିରଙ୍କ ମହୋଦଧିରେ ମାଘସ୍ନାନ ଫଳ ବିବରଣ

ବାବୁ ଶ୍ରୀକୃଷ୍ଣ ନନ୍ଦନ ଶାମ୍ଵ ଯେ କୁମର

ଦ୍ଵାରିକାର ରକ୍ଷା ପାଳକ ସେ ପଛିମ ଦ୍ଵାର ।୧।

ତୁଳମାସ କୃଷ୍ଣପକ୍ଷ ପଞ୍ଚମୀ ଗୁରୁବାର

ମୃଗଶିରା ନକ୍ଷତ୍ର ଯେ ଅଟଇ ସେ ଦିନର ।୨।

ବିଷ୍ଟି ନାମେ କରଣ ଯେ ଅତିଗଣ୍ତ ନାମେ ଯୋଗ

ତୁଳା ସକଂରାନ୍ତିକି ଯେ ପାଞ୍ଚଦିନ ଭୋଗ ।୩।

ସେ ଦିନ ନାରଦେ ବିଜେକଲେ ଦ୍ଵାରିକା

ଶାମ୍ଵ କୁମର ହୋଇଛି ପଛିମ ଦ୍ଵାର ରକ୍ଷା ।୪।

ନାରଦଂକୁ ଦେଖି ସେ ହୋଇଲେ ପରିଣାମି

ନାରଦେ ବୋଇଲେ କାହିଂ ଛନ୍ତି ତୋର ସ୍ଵାମୀ ।୫।

ବହନ ହୋଇ ଯାଇ ହରିଂକି ବାରତା କର ବାବୁ

କ୍ଷଣେହେଂ ରହି ନୁଆରଇ ଆମ୍ଭେ ବହନ ହୋଇ ଯିବୁ ।୬।

ଆକାଶର ବାରତା ବାବୁ ବଡ଼ାଇ ସମ୍ପାଦି

ଦେବତାଂକ କାର୍ଯୟେ ମୋତେ ପେଷିଲେ ଜମ୍ଭୋଭେଦୀ ।୭।

ଦ୍ଵାର ଛାଡ଼ ମୁଁ ଯିବଇଂ ଭିତତକୁ

ନୋହିଲେ ଶ୍ରୀକୃଷ୍ଣଂକୁ ଘେନିଆସ ମୋହୋର ଛାମୁକୁ ।୮।

ଶାମ୍ଵ କୁମର ବୋଲେ ଶୁଣ ତପୋବନ୍ତେ

ଭିତରକୁ ଯିବାକୁ ତ ମନାଅଛି ମୋତେ ।୯।

ଆଗ୍ୟାଂ ମେଣ୍ଟିଣ ମୁଂ କିପରି ଯିବଇଂ ପିତା ପାଶ

ତାହା ଶୁଣି କୋପେ ଯେ କମ୍ଫନ୍ତି ବ୍ରହ୍ମଶିଷ ।୧୦।

ଯଦ୍ୟପି ୟେ କଥା ନ କରିବୁଟି କୁମର

ନିଚୟେ ଦ୍ଵାରିକା ଆଜ ମୁଂ ଦହିବି ତୁମ୍ଭର ।୧୧।

କୁମର ବୋଇଲା ମୁନି ହେ କୋପ ଶାନ୍ତିକର

ୟେତେ ବୋଲି କୁମର ଯେ ପଶିଲା ଅନ୍ତେଶ୍ଵର ପୁର ।୧୨।

ଦ୍ଵାରେଣ ନାରଦ ମୁନିକଇଂ ଗଲା ଯେ ରୁହାଇ

ଅନ୍ତେଶ୍ଵର ପୁରେ କୁମର ପଶିଲା ବେଗେ ଯାଇଂ ।୧୩।

ବିଜୟେ ଜଗନ୍ନାଥେ ଜମ୍ଵୋବତୀ ପୁରେ

ପ୍ରିୟବତୀ ମେଳେ ସେ କ୍ରୀଡ଼ାରଙ୍ଗ କୁତୂହୋଳେ ।୧୪।

ଶାମ୍ଵ କୁମର ଭେଟିଲା ପିତାମାତାଂକ ରତିରଙ୍ଗ ବେଳେ

ଜମ୍ଵୁବତୀ ବିଜେ ଜଗନ୍ନାଥଂକର କୋଳେ ।୧୫।

ଶାମ୍ଵ କୁମରକୁ ସେ ପ୍ରତକ୍ଷେ ଦେବୀ ଦେଖି

ଲାଜେଣ ମାହେଶ୍ଵରୀ ଗଲେ ଶୃଙ୍ଗାର ଉପେଖି ।୧୬।

ଆତ୍ମା ବଇକୁଲ୍ୟ ହୋଇଲା ସ୍ଵାମୀର ରସ ଭଗ୍ନକରି

ରାଗେଣ ଶାପ ଯେ ବିହିଲେ ଦେବହରି ।୧୭।

ଆରେ ଆରେ ଶାମ୍ଵ କୁମର କଲୁ ତୁ ମନ୍ଦବୁଦ୍ଧି

ଶରୀରେ ହୋଉ ତୋର ଗଳୁତ କୁଷ୍ଠ ବ୍ୟାଧି ।୧୮।

ନାରାୟଣଂକର ଶାପ ସେ ପ୍ରତକ୍ଷେ ମହାଗୁରୁ

ସେ ଦେବଂକର ଶାପ କେ ଅନ୍ୟଥା କରିପାରୁ ।୧୯।

ବାହାର ରୂପ ତାର ଭିତରକୁ ଗଲା

ଭିତର ରୂପ ହାଦେ ବାହାର ହୋଇଲା ।୨୦।

ଲିଙ୍ଗଭଗ୍ନ ବ୍ରହ୍ମହତ୍ୟା ହାଦେ ସରି ଦୋଷ

ଶୃଙ୍ଗାର ଭଗ୍ନ ଦୋଷ ତହିଂକି ପ୍ରକାଶ ।୨୧।

ଶାମ୍ଵକୁମର ବୋଇଲା ଦେବ ନୁହଇଂ ମୁଂ ଦୋଷୀ

ଦ୍ଵାରେଣ ବିଜେ କଲେ ନାରଦ ମହଋଷି ।୨୨।

ଆକାଶର ବାରତା ବୋଲି ବଡ଼ କଟାଳିଲେ ମୋତେ

ମୁନିଂକର କୋପେ ଦେବ ମୁହିଂ କହି ଅଇଲଇଂ ତୋତେ ।୨୩।

ବୋଇଲେ ହରି ଆଗେ ଯାଇ କୁହସି ବହନ

ନୋହିଲେ ମୋହୋର କୋପେ ପୁର ହୋଇବ ଦହନ ।୨୪।

ସ୍ଵାମୀ ବହନେ ବିଜେ କରିବା ନାରଦଂକ ତହିଂ

କଳହପ୍ରିୟ ମୁନି ନ ପୁଣ ପୁର ଦହି ।୨୫।

ବାବୁ ତୋତେ ନାଶକଲି ରେ କଳହପ୍ରିୟ ବୋଲେ

ନାରଦଂକ ତହିଂକି ଯେ ନାରାୟଣ ବିଜେକଲେ ।୨୬।

ନାରଦେ ଦେଖିଲେ ଶାମ୍ଵ କୁମରକୁ

ୟେହେନେକ ଅବସ୍ତା ବାବୁରେ କେହୁ କଲା ତୁକୁ ।୨୭।

ନାରାୟେଣ ବୋଇଲେ ତୁମ୍ଭେ କଲ ଯେବଣ କୃତ୍ୟ

ତୁମ୍ଭରେ ନାଶ ଗଲା ମୋର ଅନଙ୍ଗ ସମାନେ ପୁତ୍ର ।୨୮।

ମୁନି ବୋଇଲେ ତୁମ୍ଭେ ତ ଭୂତ ଭବିଷ୍ୟ ଗ୍ୟାଂତା

ଉତୁରି ନୁଆରିଲ ୟେ ମୋର କଷଣ ବାରତା ।୨୯।

ମାନୁଷ୍ୟର କୋଳେ ଯେ ହୋଇଲୁ ଉତପତ୍ତି

ବଞ୍ଚିତ ନ ଗଲା ତୋତେ ମୃତଲୋକର ପ୍ରକୃତି ।୩୦।

ଶାମ୍ଵ କୁମରୁ ଦେଖି ମୁନି ହୋଇଲେ ବିକଳ

ମହାଗୁରୁ ଶାପ୍ୟ ତୋତେ ନୋହିଲା ନିଷ୍ଫଳ ।୩୧।

ତୁ ୟେବେ ଶାମ୍ଵକୁମର ଚଳ ୟେହିକ୍ଷଣ

ଚନ୍ଦ୍ରଭାଗା ଅର୍କତୀର୍ଥେ ବିଜୟେ ବିରଞ୍ଚି ନାରାୟେଣ ।୩୨।

ପୃଥିବୀର କୋଣେ ଅର୍କଦଇତକୁ କରିଣ ନାଶପାନ

ଶ୍ରୀ ମାରତଣ୍ତ ଦେବତା ବୋଲି ତାର ନାମ ।୩୩।

ସାତକୋଟି ତୀର୍ଥ ଯେ ବିଜୟେ ତହିଂ ସବୁ

ସେ କୋଣାଅର୍କ ତୀର୍ଥେ ଯାଇ ବିରଞ୍ଚି ସେବିବୁ ।୩୪।

ଆହାର ମଇଥୁନ ନିନ୍ଦ୍ରା ତାର ନାହିଂ କିଛି

ପବନ ଆହାରେ ସେ କୁମୁଦ ନାଡ଼ ଭକ୍ଷି ।୩୬।

ମନ ବଚନ କର୍ତ୍ତବ୍ୟେ ବିରଞ୍ଚି ନାରାୟଣିକୁ ସେବା

ଦ୍ଵାଦଶ ବରଷେ ସେ ପ୍ରସନ୍ନ ହୋଇଲେ ଆଦିଦେବା ।୩୭।

ବିରଞ୍ଚି ନାରାୟଣଂକର ବଚନେଣ କରି

ମହାଗୁରୁ ଶାପ ଗଳୁତ କୋଷ୍ଠ ହୋଇଲାକ ପାରି ।୩୮।

ନିକଳଂକ ହୋଇଲା ସେ ମହା କୋଷ୍ଠବ୍ୟାଧି

ମହା କ୍ଲେଶରୁ ଶାମ୍ଵ ହୋଇଲା ସଂସିଦ୍ଧି ।୩୯।

ନିଷ୍କଳଂକ ହୋଇଲା ସେ ବାସୁଦେବଂକ ତନୟେ

ୟେ ତୀର୍ଥର ମହିମାଂ ଶୁଣସି ଧର୍ମରାୟେ ।୪୦।

ଆହୋ ଯୁଝେଷ୍ଠିର ତୁ ବିରଞ୍ଚି ନାରାୟଣ କର ସେବା

ପ୍ରସନ୍ନ ହୋଅନ୍ତୁ ତୋତେ ବିରଞ୍ଚି ନାଥ ଦେବା ।୪୧।

ପ୍ରସନ୍ନ ବିରଞ୍ଚି ନାରାୟେଣ ଦୟାର ସାଗର

ଅନେକ ଜନ୍ମାନ୍ତର ଦୁଷକୃତ ଯାଉ ପାର ।୪୨।

ସେ ତୀର୍ଥ ପାଣ୍ତବେ ରହିଲେ ପଞ୍ଚୁରାତ୍ର

ତହୁଂ ବିଜେ କରିଗଲେ ଦେବ ଧର୍ମସୁତ ।୪୩।

ରାମଚଣ୍ତୀ ଦ୍ରଶନ କଲେ ରାମତୀର୍ଥେ

ଅଠାଇଶି ସହସ୍ର ଋଷି ଅଛନ୍ତି ସଂଗତେ ।୪୪।

ମାରକଣ୍ତ ବୋଇଲେ ବାବୁ ୟେ ସେ ରାମଚଣ୍ତୀ

ଦକ୍ଷିଣ କୋଶଳେ ୟେ ଗୁପତ ତୀର୍ଥଖଣ୍ତି ।୪୫।

ବାବୁ ସୀତୟା ହରଣ ଯହୁଂ କଲାକ ରାବଣ

ମାଲ୍ୟବନ୍ତ ପର୍ବତୁଂ ଶ୍ରୀରାମଂକୁ ଆଣିଲା ବୀର ହନୁମାନ ।୪୬।

ମକର ମାସ ପ୍ରଥମ ପକ୍ଷ ପ୍ରତିପଦାର ଦିନ

ଅଶ୍ଲେଷା ନକ୍ଷତ୍ର ସେ ଦିନ ଭୃଗୁବାର ବିଦ୍ୟମାନ ।୪୭।

ଶ୍ରୀ ରାମଚନ୍ଦ୍ର ଯେ ବିଜୟେ କଲେ ୟେଥେ

ଶୁଭଖମ୍ଵ ପୋତିଲେ ଲଂକାକୁ ସେତୁବନ୍ଧ ବାନ୍ଧିବା ନିମନ୍ତେ ।୪୮।

ୟେଠାରେ ଶରଣ ଆସି ପଶିଲା ବିଭୀଷଣ

ବୋଇଲା ଭୋ ସ୍ଵାମୀ ୟେଥି ଶୁଭଦେବାର ହୋଇଲା ଅକାରଣ ।୪୯।

ଉତ୍ତର ଭାଗରେ ଦେବ ଲଂକା ସିଂଘଦ୍ଵାର

ପୂର୍ବ କତିକି ପ୍ରକୁତି ଶଂକା ଭୂମି ନିରାଧାର ।୫୦।

ୟେହି ସଳଖେ ବନ୍ଧ ପାଡ଼ିଲେ ଦେବସ୍ଵାମୀ

ବନ୍ଧ ଲାଗିବ ଯାଇଂ ମରଡ଼ା ଶାଲ ଭୂମି ।୫୧।

ବିଭୀଷଣର ବଚନେ ବିସ୍ମୟେ ରଘୁପତି

ତହୁଂ ଚଳିଗଲେ ଦେବ ଦକ୍ଷିଣ ମୂରତି ।୫୨।

ଯେବଣ ଶିଳାଖମ୍ଵଗୋଟି ପୋତିଲେ ଶ୍ରୀରାମ

ଜ୍ୟୋତି ବୀଜମନ୍ତ୍ରେ ପୂଜିଲେ ଶ୍ରୀରାମ ଚଣ୍ତୀ ନାମ ।୫୩।

ବାବୁ ଶ୍ରୀରାମଚନ୍ଦ୍ର ଦ୍ରଶନେ ଯେତେକ ଫଳଶ୍ରୁତି

ଇହଲୋକେ ପରଲୋକେ ପାଇ ସଦଗତି ।୫୪।

ୟେ ମଉଦଧିରେ ସ୍ରାହାନକରି ପିଣ୍ତ ଦିଲେ ରଘୁନାଥେ

ୟେ ରାମକୁଣ୍ତେ ମୁକତିଟି ହୋଇଲେ ରାଜା ଦଶରଥେ ।୫୫।

ଯୁଝେଷ୍ଠି ଦେବେ ସ୍ରାହାନ କଲେ ମଉଦଧି

ଶ୍ରୀରାମକୁଣ୍ତେ ସ୍ରାହାନ କରି ରାମଚଣ୍ତୀ ତୋଷିଲେ ଯେସେନେକେ ବିଧି ।୫୬।

ଶ୍ରୀମତ୍ତ ମାତଙ୍ଗୀ ସୁପ୍ରସନ୍ନ ପରମ ବ୍ରହ୍ମରୂପୀ

ଦ୍ରଶନେ ପ୍ରସନ୍ନ ଦେବୀ ତାରନ୍ତି ସର୍ବବ୍ୟାପୀ ।୫୭।

ଶୁଣ ହୋ ଚଇତନ ତହୁଂ ବିଜେକଲେ ଧର୍ମସୁତେ

ପ୍ରବେଶ ହୋଇଲେ ଯାଇଂ ଯମନିକ ତୀର୍ଥେ ।୫୮।

ମାର୍କଣ୍ତେ ବୋଇଲେ ବାବୁ ମଉଦଧିରେ ସ୍ରାହାନ କର

ମୁକତି ମହାଲିଙ୍ଗ ୟେ ଅଟନ୍ତି ଯମେଶ୍ଵର ।୫୯।

ଶୁଣ ହୋ ଯୁଝେଷ୍ଠି ଦେବେ ବଦୟନ୍ତି ମାରକଣ୍ତେ

ମହାତୀର୍ଥ ୟେଟି ମଧ୍ୟମହୀ ଯେ ବ୍ରହ୍ମାଣ୍ତେ ।୬୦।

ବାବୁ ବ୍ରହ୍ମାଂକର ପୁତ୍ର ଯେ ଯମନିକ ମହଋଷି

ଅନେକ ସ୍ନେହ ତାଂକୁ କରନ୍ତି ବେଦାଭ୍ୟାସୀ ।୬୧।

ବ୍ରହ୍ମାକଂର ବାହାନ ସୂଚିମୁଖ ଧୃତିରାଷ୍ଟି

ସେ ଯମନିକ ମହଋଷି ଆରୋହିଲେ ତାର ପିଠି ।୬୨।

ଶରଧାରେ ଭ୍ରମିଲେ ଯେ ସପତ ବ୍ରହ୍ମାଣ୍ତ

ପାତାଳ ସୁତଳ ସହିତେ ଯେ ମହୀ ନବଖଣ୍ତ ।୬୩।

ନବଦ୍ଵୀପ ସପତ ସାଗର ଆଦିକରି

କୁତୂହୋଳେ ଭ୍ରମଇ ସେ ବାଳଖିଳା ତପଚାରୀ ।୬୪।

ବ୍ରହ୍ମାୟେ ବିଜେ କରିବେ ଅମର ସଭାକୁ

ଚଉକତି ଲୋଡ଼ନ୍ତି ସେ ବାହାନ ହଂସକୁ ।୬୫।

କରଯୋଡ଼ି ନାରଦେ ଯେ ଜଣାଇଲେ ଉତ୍ତର

ସ୍ଵାମୀ ଯମନିକ ଆରୋହିଲେ ମରୁଳ ପିଠିର ।୬୬।

ବଇଶମ୍ପାୟନ ବୋଇଲେ ମୁଂ ସନ୍ଧ୍ୟା କରିବାର ବେଳେ

ମରୁଳ ଚଢ଼ି ଯମନିକ ପଶୁଥିଲେ ପାତାଳେ ।୬୭।

ଶୁଣିଣ କୋପିତ ଯେ ହୋଇଲେ ବିଧାତା

ରାଗେଣ ଶାପଦିଲେ ହୋଇ କୋପ ଅପ୍ରମିତା ।୬୮।

କୋପେଣ ଶାପ ଯେ ଦିଲେକ ବେଦବ୍ୟାସ

ତୁରେ ଯମନିକା ମୋର ଛାମୁକୁ ନୁଆସ ।୬୯।

ଯେବଣଠାରେ ଅଛୁରେ ସେହିଠାରେ ପଡ଼

ଯୁଗେ ଯୁଗେ ଥାଅ ତୁହି ସେହି ଭୁବନର ।୭୦।

ପିତା ଶାପ ଦେଉଅଛନ୍ତି ଯେତେବେଳେ

ଯମନିକ ରହିଅଛନ୍ତି ବାରାନିଧି ଉତ୍ତରକୂଳେ ।୭୧।

ପିତାର କୋପେ ସେ ଯେ ନିଚଳ ହୋଇଲା

ସେହିଠାରେ ମହାଶମ୍ଭୁ ହୋଇଣ ରହିଲା ।୭୨।

ବ୍ରହ୍ମାର ନନ୍ଦନ ୟେ ଯେ ଶ୍ରୀଲିଙ୍ଗ ଯମେଶ୍ଵର

ମହାଲିଙ୍ଗ ହୋଇ ବିଜେକଲାଟି ଯମନିକ ତୀର୍ଥର ।୭୩।

ଅନ୍ତରେ ରୁହାଇଲେ ନୀଳସୁନ୍ଦର ନାମେ ଗିରି

ନୀଳ କଳ୍ପବଟ ୟେ ବସଇ ଯୁଗଚାରି ।୭୪।

ମାରକଣ୍ତେ ବୋଇଲେ ବାବୁ ଶୁଣ ତୁ ଯୁଝେଷ୍ଠି

ନାରାୟେଣ ଅବତାର ହୋଇଛନ୍ତି ନବସୃଷ୍ଟି ।୭୫।

ଭାରା ନିର୍ଣ୍ଣେକରି ନାଶିବେ ସେ ଆପଣାର ବଂଶ

ସମସ୍ତ ନାଶକରି ଆପଣେ ହୋଇବେ ବିରସ ।୭୬।

କୁଞ୍ଜବନ କାଳନ୍ଦୀ ଲତାତଳେ ଦେବହରି

ମାଧବୀ ଲତାରେ ଥିବେ ଦୋଳିରେ ବିଜେକରି ।୭୭।

ତ୍ରେତୟା ଯୁଗେ ଶ୍ରୀରାମଚନ୍ଦ୍ରେ ବାଳିକି ବଧକଲେ

ଋକ୍ଷ ହରିବଳ ଘେନି ବାରାନିଧିକି ବାନ୍ଧିଲେ ।୭୮।

ଲଂକାଗଡ଼ ରାବଣକୁ ଦିଲେ ଶ୍ରୀମୁଖ ଲେଖନ ଗୋଟିଏ

ଶ୍ରୀମୁଖ ଘେନି ଲଂକାକୁ ଗଲା ବାଳିର ତନୟେ ।୭୯।

ଲକାଂଗଡ଼େ ଯାଇଂ ବହୁତ ପ୍ରତଗ୍ୟାଂ କଲା

ସିଘଂନ୍ତ ଭାଙ୍ଗିକରି କପାଟ ଚୂରକଲା ।୮୦।

କୁମ୍ଭକର୍ଣ୍ଣକଇଂ ଶୁଆଇଲା ଉତ୍ତର ଶିରକରି

ଅନ୍ତେଶ୍ଵରେ ମିଳି ଯହିଂ ଅଛନ୍ତି ଅସୁରୀ ।୮୧।

ମନ୍ଦୋଦରୀ କେଶ ଧରି ନେଲାକ ସଭାରେ

ଲଂକଦେବୀ ଅପମାନ କଲା ମହାବୀରେ ।୮୨।

ରାବଣର ମଥାରୁ ସେ ଭାଞ୍ଜି ଆଣିଲା ମୁକୁଟ

ଜଗତୀର ଚାଳ ଘେନି ଅଇଲା ବାଳିଚାଟ ।୮୩।

ଶ୍ରୀରାମଚନ୍ଦ୍ରଂକର ଛାମୁରେ ମୁକୁଟ ଚାଳ ନେଇ ଥୋଇ

ଅଙ୍ଗଦ ଶୁତିଲା ଯେ ପ୍ରଣପତ୍ୟ ହୋଇ ।୮୪।

ଶ୍ରୀରାମ ବୋଇଲେ ବର ମାଗ କପିରାଜ

ଅଙ୍ଗଦ ବୋଇଲା ସ୍ଵାମୀ ପର ମନ ଜାଣୁ ଦେବରାଜ ।୮୫।

କିସ ବର ମାଗିବି ମୁଂ ଜାଣି ଅନୁଗ୍ରହ କର

ଯେହ୍ନେ କାର୍ଯ୍ୟ ମୋର ହୋଅଇ ହୃଦୟର ।୮୬।

ଶ୍ରୀରାମ ବୋଇଲେ ଶୁଣ ସୁଗ୍ରୀବ ଜାମ୍ଵବ

ଅଙ୍ଗଦ ଯେ ଆମ୍ଭଂକୁ ମାଗିଲା ପ୍ରସ୍ତାବ ।୮୭।

କେ କେ ଜାଣି ପାରିଲଟି ୟେହାର ଯେ ମନ

ଜାମ୍ଵବ ବୋଇଲା ସ୍ଵାମୀ ତୁମ୍ଭେ ସେ ସର୍ବ ଜାଣ ।୮୮।

ଗର୍ଭର କଥାମାନ ଆମ୍ଭନ୍ତ ଦୃଶ୍ୟ କାହିଂ

ତ୍ରଇଲୋକ୍ୟ ଚିନ୍ତାମଣି ନାଥ ତୋ ତହିଂ ଆନ ନାହିଂ ।୮୯।

ଶ୍ରୀରାମ ବୋଇଲେ ଆମ୍ଭେ ବଧିଲୁ ବାଳିକି

ଅଙ୍ଗଦର ପିତ୍ରୁ ଶତ୍ରୁ ହୋଇଲୁ ନାହିଂକି ।୯୦।

ମନେ ମନେ ଅଙ୍ଗଦ ଯେ ମାଗଇ ବାକ୍ୟ ସିଦ୍ଧ

ବୋଇଲା ମୋହୋର ହାଥେ ସ୍ଵାମୀ ହୋଇବ ତୁମ୍ଭେ ବଧ ।୯୧।

ଶୁଣିଣ ହନୁମନ୍ତ ଯେ ମହା କୋପକରି

ବୋଇଲା ଅଙ୍ଗଦ ରେ ମୁଣ୍ତ ତୋର ପକାଇବି ମୋଡ଼ି ।୯୨।

ଶ୍ରୀରାମଚନ୍ଦ୍ରେ ବୋଇଲେ କୋପ ଛାଡ଼ ହନୁ

ଦ୍ଵାପର ଯୁଗରେ ହାଥେ ଛାଡ଼ିବୁ ଆମ୍ଭେ ତନୁ ।୯୩।

ଆହୋ ଅଙ୍ଗଦ ବାଞ୍ଚ୍ଥା ସିଦ୍ଧ ଆମ୍ଭେ କରିବୁ ତୋହୋର

ଦ୍ଵାପର ଯୁଗେ ତୁହି ଆମ୍ଭନ୍ତ ନାଶକର ।୯୪।

ୟେ ଆମ୍ଭର ସତ୍ୟ ସତ୍ୟ ଅଟଇ ଯଥାର୍ଥ

ଦ୍ଵାପରେ ଶରୀର ବିସର୍ଜିବୁ ତୋହୋର ଯେ ହାଥ ।୯୫।

ଶୁଣ ହୋ ଯୁଝେଷ୍ଠି ଯେ ବଦୟନ୍ତି ମାରକଣ୍ତେ

ସେ ଅଙ୍ଗତ ଜାରା ନାମେ ଶବର ଯେ ହୋଇଛିଟି ମଧ୍ୟସ୍ଵର୍ଗେ ।୯୬।

ସେ ଜାରା ଶବର ଯେ ଆସିବ ମୃଗୟା

ମୃଗ ଲୋଡ଼ନ୍ତେ ଦେଖିବ ସେ କେଶବର ପାଦଛାୟା ।୯୭।

ନାରାଜେକ ବିନ୍ଧିବ ସେ ଯୁଗ ହତକାଳେ

ସେ ନାରାଜ ପଡ଼ିବ ଯାଇଂ କେଶବର ପାଦ ତଳେ ।୯୮।

ଗତଦୋଷେ ସେହୁ ଛାଡ଼ିବେ ନିଜ ପ୍ରାଣ

ଆଗ୍ୟାଂ ଦେବେ ହରି ଶବର ରେ ଅର୍ଜୁନେ ରାଇଆଣ

କରାତ ଦେଖିବ ସେ ବାସୁଦେବର ଚରଣ ।୯୯।

ଚରଣ ଦେଖି କିରାତ କରିବ ବହୁ ତୁସ୍ତି

ଅର୍ଜୁନକଇଂ ଧାଇଂଯାଇଂ ଆଣିବ ତଡ଼ତି ।୧୦୦।

ଦେଖିବ ଜଗନ୍ନାଥେ ହୋଇଅଛନ୍ତି ମୃତୁଗତ

କଣ୍ଠ ତଟେ ପ୍ରାଣ ରହିଛି କିଞ୍ଚିତ ।୧୦୧।

ଅର୍ଜୁନର ହାଥ ଧରି ଛାଡ଼ିବେ ପଞ୍ଚୁପ୍ରାଣ

ପିଣ୍ତ ଦହନ କରିବ ଅର୍ଜୁନ ଯମୁନା କୂଳେଣ ।୧୦୨।

ଆକାଶର ବାଣୀ ଯେ ପଢ଼ିବ ବୀର ଅର୍ଜୁନକୁ

କିମ୍ଫା ଦହନକରୁ ପାଥ ଜଗନ୍ନାଥର ପିଣ୍ତକୁ ।୧୦୩।

ୟେହି କଳେବର ଥାଉ ସମୁଦ୍ରେ ମେଲ ଦେବରାଜା

ନୀଳସୁନ୍ଦର ପର୍ବତେ କଳିଯୁଗେ ଘେନିମେ ୟେ ପୂଜା ।୧୦୪।

ଦେବଂକର ଆଗ୍ୟାଂ ଯେ ଘେନିବ କିରାଟୀ

କ୍ଷୀରୋଦ୍ରେ ମେଲିବ ନେଇ ଜଗନ୍ନାଥଂକ ପିଣ୍ତଗୋଟି ।୧୦୫।

ସେ ପିଣ୍ତ ଲାଗିବ ଆସି ବାରାନିଧିର ଉତ୍ତର କୂଳେ

ସେ ଜାରା ଶବର ପୂଜା କରବଟି ସର୍ବକାଳେ ।୧୦୬।

ଜଗନ୍ନାଥ ରୂପେ ହରି ତହିଂ ବିଜେକରି

ବଳରାମହିଂ ବଉଧ ରୂପେ ଅବତରି ।୧୦୭।

ଗତ ଦୋଷ ଉପେକ୍ଷା କରିବେ ଦେବହରି

ବ୍ରହ୍ମା ସଙ୍ଗତେ ବସିବେ ସୋହୋଦ୍ରା ରୂପ ଧରି ।୧୦୮।

କଳି ଯୁଗ ଚାରିଲକ୍ଷ ବତିଶ ସହସ୍ର ବରଷ ପରିଯନ୍ତେ

ବଉଧ ରୂପେ ପୂଜା ପାଇବେ ନୀଳସୁନ୍ଦର ପର୍ବତେ ।୧୦୯।

ଯୁଝେଷ୍ଠି ଦେବେ ପ୍ରଶଂସନ୍ତି ନୀଳସୁନ୍ଦର ପର୍ବତକୁ

ୟେ ଶଇଳ ମେଳ ଛାଡ଼ି କିମ୍ପେ ଅଇଲ ୟେଥକୁ ।୧୧୦।

ଯୁଝେଷ୍ଠି ଦେବେ ପର୍ବତକୁ କଲେ ବହୁତ ପୂଜା

ତୁହି ସେ ଗିରିବର ନାରାୟଣ ରୂପେ ପୂଜା ।୧୧୧।

ପର୍ବତଂକ ସଙ୍ଗ ତୁ ଛାଡ଼ିଲୁ କିମ୍ପାଇଂ

ୟେକାନ୍ତେ ରହିଲୁ ତୁ ନିରାଶ ଭାବ ହୋଇ ।୧୧୨।

ଯୁଝେଷ୍ଠିଂକ ବଚନେ ସେ ବୋଲଇ ଶଇଳ

ହେମବନ୍ତ ବିବାଦେ ପକ୍ଷ ଛେଦିଲେ ଆଖଣ୍ତଳ ।୧୧୩।

ସହସ୍ର ପର୍ବତଂକର ପକ୍ଷମାନନ୍ତ ଛେଦନ୍ତେ

ଅଷ୍ଟପର୍ବତ ଆମ୍ଭେ ପଳାଇ ଲୁଚିଲୁ ଗୁପତେ ।୧୧୪।

ନୀଳଗିରି ସୁନ୍ଦରଗିରି ଅଟୁ ଆମ୍ଭେ ବେନି

ସୋଦର ବୋଲି ଗରୁଡ଼ ଆମ୍ଭନ୍ତ ଅଇଲାକ ଘେନି ।୧୧୫।

ନୀଳଗିରି ପର୍ବତ ଯେ ପାତାଳେ ଗୋପ୍ୟଗଲା

ନାରାୟେଣ ପ୍ରସନ୍ନେ ମୋର ନାମ ଚିନ୍‌ହ ରହିଲା ।୧୧୬।

ସତ୍ୟଯୁଗେ ମୁହିଂ ସତର ଲକ୍ଷ ଯୋଜନ

ତ୍ରେତୟାରେ ତେରଲକ୍ଷ ଯୋଜନା ଆୟତନ ।୧୧୭।

ଦ୍ଵାପର ଯୁଗେ ଦ୍ଵାଦଶ ଲକ୍ଷ ଯୋଜନ ମୋର ସ୍ଥଳୀ

ମମ ତେଜ ଅଭ୍ୟନ୍ତରେ ଗମଇ ଅଂଶୁମାଳୀ ।୧୧୮।

ମୁହିଂ ଯେବେ ନିଜ କାୟା ବିକାଶିଲି ରୂପ

ମମ ତେଜ ଲାଗିଣ ଯେ ଆଦିତ୍ୟ ହୋଇଲେକ ଗୋପ୍ୟ ।୧୧୯।

ସେ ନିମନ୍ତେ ତୁସ୍ତି ମୋତେ କଲାକ ବିରଞ୍ଚି

ମୁହିଂ ଦିନକର ନାଥ ଶୂନ୍ୟେ ଯାଉଅଛି ।୧୨୦।

ତୋହୋର ଶିରାଗ୍ରତେ ହାବୋଡ଼ନ୍ତେ ମୋହୋର ହୟେ

ରଥଚକ ଭାଜିଣ ହୋଇଲା ଗୁଣ୍ତାମୟେ ।୧୨୧।

ଶତେ ଚକ ନିର୍ବାଣ ମୋହୋର ରଥେ ଆଦି

ଅନେଶତ ରଥଚକ ଭାଜିଲା ତୋହୋର ଶିଖରେ ଲାଗି ।୧୨୨।

ୟେକାଚକ ମାତ୍ର ରହିଲା ମୋର ରଥ

ଦକ୍ଷିଣ ଦିଗ ପଛ ତେଜି ମୁଁ ଗମିଲି ଉତ୍ତର ଦିଗ ପଛ ।୧୨୩।

ମୁହିଂ ତୋହୋର ଭୟେ ଉପେକ୍ଷିଲି ଦକ୍ଷିଣ ପଛ ଭୂମି

ତୋହୋର ଗୋପ୍ୟଗଲେ ଯେ ପାରଇ ମୁହିଂ ଗମି ।୧୨୪।

ତୁ ୟେବେ ଗିରିବର ଗୋପ୍ୟକର ନିଜ କାୟେ

ଯୁଗ ଯୁଗାନ୍ତରେ ତୁ ହୋଇବୁ କ୍ଷୀଣମୟେ ।୧୨୫।

ସତ୍ୟଯୁଗେ ମୁହିଂ କାଞ୍ଚନ ସ୍ଵରୂପ

ତ୍ରେତୟା ଯୁଗେ ମୁହିଂ ମର୍କତ ମଣି ରୂପ ।୧୨୬।

ଦ୍ଵାପର ଯୁଗେ ମୁହିଂ ନୀଳରତ୍ନ କାୟେ

ତେଣୁକରି ନୀଳଗିରି ମୋତେ ବୋଲନ୍ତି ସଭିୟେଂ ।୧୨୭।

କଳିକାଳ ଯୁଗରେ ୟେହୁ ଯିବ ଗୋପ୍ୟ

ନାରାୟେଣ ପାଦୁକା ହୋଇବି ମୁଂ ବାଲୁଂକା ସ୍ଵରୂପ ।୧୨୮।

ଶୁଣ ହୋ ଯୁଝେଷ୍ଠି ଦେବ ବଦୟନ୍ତି ନୀଳଗିରି

ମମ ଦ୍ରଶନେ ଯେ ଅଶ୍ଵମେଧ ଯାଗ ସରି ।୧୨୯।

ସତ୍ୟଯୁଗେ ମୁହିଂ ଅଟେ ଖଗେବର ମୃତ୍ତି

ତ୍ରେତୟା ଯୁଗେ ବିରାଳଚନ୍ଦ୍ର ନାମେଣ ସମ୍ପାତି ।୧୩୦।

ଦ୍ଵାପର ଯୁଗେ ମୁହିଂ ଚଉଧର୍ମ ଗଜ

ମୁହିଂ ସେ ବହି ପାରଇ ନାରାୟେଣଂକ ତେଜ ।୧୩୧।

କଳିଯୁଗେ କେଶବ ହୋଇବେ ବଉଧ ପ୍ରତିମା

ମୁହିଂ ହୋଇବି ନୀଳସୁନ୍ଦର ମହତମା ।୧୩୨।

ଆହୋ ଯୁଝେଷ୍ଠି ମୁହିଂ ସେ ନାରାୟଣଂକୁ ବହନ୍ତା

ମୋ ବିତ୍ରକେ ଆନ ନାହିଂ ନା ସହନ୍ତା ।୧୩୩।

ପଞ୍ଚଇ ଭଗ୍ନୀ ୟେଥି ବହଇ ଧବଳାଙ୍ଗୀ

କୁଣ୍ତ ଗଣ୍ତ ଭେଦି ୟେହି ସେ ମୋତେ ସାଙ୍ଗୀ ।୧୩୪।

ନବକୋଟି ତୀର୍ଥ ଘେନି ଯେ କ୍ଷେତ୍ରାଧି ପୁଷ୍କର

ନିତି ସଙ୍ଗମ ହୋଉଛି ମୋହୋର କନ୍ଦର ।୧୩୫।

ମଉଦଧି ଶ୍ଵେତଗଙ୍ଗା ମାରକଣ୍ତ ଇନ୍ଦ୍ର ଯେ ଯାମୁନି

ପୁଣ୍ୟତୋୟା କାବେରୀ ୟେ ପଞ୍ଚୁ ବାହିନୀ ।୧୩୬।

ଆକାଶୁଂ ଉତପତ୍ତି ୟେ ହୋନ୍ତି ପାତାଳଗାମୀ

କୋଟିୟେ ତୀର୍ଥ ଘେନି ନୀଳ କଳ୍ପବଟେଣ ଭ୍ରମି ।୧୩୭।

ନବକୋଟି ତୀର୍ଥର ଠାକୁର ମଉଦଧି

ନାନାତୀର୍ଥ ଜଳ ଗମି ହୋଇଲେ ୟେଥେ ଭେଦୀ ।୧୩୮।

ସକଳ ତୀର୍ଥ ପାରିଦଣ୍ତ ମଉଦଧି ସେ ରାଜା

କୃଷ୍ଣ କୋଟିୟେ ଅବତାରେ ଯାହାକୁ କରନ୍ତି ପୂଜା ।୧୩୯।

ମଉଦଧି ରୋମକେ ପ୍ରାଗତୀର୍ଥ ଫୁଟି

ଆରେକ ରୋମକେ ଯେ ସୁବର୍ଣ୍ଣଭଦ୍ରା ନଦୀଗୋଟି ।୧୪୦।

ଆରେକ ରୋମେ ମଣିକର୍ଣ୍ଣିକା ତୀର୍ଥ କୁଣ୍ଡେ

ୟେ ରୋମକେ ଗୋଡ଼ାଇ ଗଲେ ମାରକଣ୍ତେ ।୧୪୧।

ସମସ୍ତ ତୀର୍ଥ ଯେ ୟେଥିରେ ଅଛନ୍ତି ନବକୋଟି

ମଉଦଧି ନାଭିରୁ ସମସ୍ତ ତୀର୍ଥ ଫୁଟି ।୧୪୨।

ବାବୁ ଶୁଣ ହୋ ଯୁଝେଷ୍ଠି ୟେ ଶ୍ଵେତଗଙ୍ଗାର ମହିମାଂ

ୟେଥୁଂ ଉତପତ୍ତି ହୋଇଲେ ଶ୍ଵେତ ନାମେ ବ୍ରହ୍ମା ।୧୪୩।

ୟେ ଶ୍ଵେତଗଙ୍ଗା ମଉଦଧି ତୀର୍ଥେ ତପ କଲା ଧାତା

ୟେଥିର ଫଳଶ୍ରୁତି ହୋଇଲା ନବସୃଷ୍ଟିର କରତା ।୧୪୪।

ବାବୁ ପ୍ରଜାପତି ଦଇବତ ୟେ ରୋହିଣୀ କୁଣ୍ତଗୋଟି

ଆକାଶ ମେଖଳା ୟେଥେ ଅନନ୍ତ ତୀର୍ଥ ଭେଟି ।୧୪୫।

ନୀଳାମ୍ଵର ଉତପତ୍ତି ରୋହିଣୀ କୁଣ୍ତ ଭେଦୀ

ୟେଥକୁ ୟେକନଳା ପୃଥୀର ଯେତେ ନଦୀ ।୧୪୬।

ଯଦ୍ୟପି ସପତ ସାଗର ନବଦ୍ଵୀପା ପୃଥୀ

ସନ୍ଧ୍ୟା ଅବକାଶେ ସମସ୍ତ ସଙ୍ଗମ ହ୍ଵନ୍ତି ୟେଥି ।୧୪୭।

ବ୍ରହ୍ମାଂକର ଆସନ ଅଟେ ୟେ ଶ୍ଵେତଗଙ୍ଗା ତୀର୍ଥ

ଯମନିକ ତୀର୍ଥେ ବାସ ଅନାଦିରୁଦ୍ର ଦଇବତ ।୧୪୮।

ଇନ୍ଦ୍ର ଯାମୁନିକ ତାର୍ଥରେ ଇନ୍ଦ୍ର ଦେବତାର ବସା

ୟେ ତିନି ଦେବତାନ୍ତ ଦେଖିତେ ସବୁରି ମନୀଷା ।୧୪୯।

ବାବୁ ଶତେକ ପ୍ରଳୟେଟି ପୃଥୀ ନାଶ ଯାୟେ

ୟେ ତୀର୍ଥେ ଲୁଚଇ ସମସ୍ତ ଦେବତାଂକ କାୟେ ।୧୫୦।

ମଉଦଧିରୁ ଯାମୁନିକ ତୀର୍ଥ ପରିଯନ୍ତେ ଯେତେଦୂର ବାଲି

ସମସ୍ତ ଦେବତାର ଅସ୍ଥିୟେ ମୁଂ ପ୍ରତକ୍ଷେ ଦେଖିଲି ।୧୫୧।

ସତ୍ୟ ତ୍ରେତୟା ଦ୍ଵାପର କଳି ଚାରିଯୁଗେ

କାରଣକୁ ମାତ୍ର ବାଟ ୟେ ଭୂମି ତିନିସ୍ଵର୍ଗେ ।୧୫୨।

ବାବୁ ଦେବତାୟେ ମୃତୁ ଇଛନ୍ତି ଯେବଣ ଭୂମି

ଚତୁର୍ଦ୍ଦଶ ଭୁବନ ବ୍ରମି ନାରାୟେଣ ୟେଥେଂ ବିଶ୍ରାମି ।୧୫୩।

ପ୍ରତକ୍ଷେ ବଇକୁଣ୍ଠ ୟେହା ଚିହ୍ନିତ ନୁଆରି

ପରମ ପଦ ଛାଡ଼ି ପାଷାଣ୍ତେ କିପେ ଆନ ଇଚ୍ଛାକରି ।୧୫୪।

ବାବୁ ଯୁଝେଷ୍ଠି ୟେଥି ମକରମାସେ ରହ

ୟେ ପଞ୍ଚୁତୀର୍ଥ ଘେନି ତୁ ମଉଦଧିରେ ଅବଗାହ ।୧୫୫।

ବାବୁ ଉତ୍ତର ଦକ୍ଷିଣ ପୂର୍ବ ପଛିମ ୟେ ଚାରିଦିଗ

ୟେ ମୃତୁ ମଣ୍ତଳେ ୟେ ଅଟଇ ଅମର ସ୍ଵର୍ଗ ।୧୫୬।

ୟେକାବେଳେ ତାର୍ଥକଲେ ଅନେକ ଜନ୍ମର ଦୁଃଖ ମେଣ୍ଟି

ନକ୍ଷତ୍ର ହୋଇ ସ୍ଵର୍ଗେ ବସଇ ଯେବେ ପଞ୍ଚୁରାତ୍ର ପଞ୍ଚୁଦିବସ ଖଟି ।୧୫୭।

ତୁ ଯେବେ ୟେକମନେ ମକରମାସକ ରହିବୁ

ୟେ ଦେହଗୋଟି ଘେନି ସ୍ଵର୍ଗରେ ବସିବୁ ।୧୫୮।

ଆହୋ ଚଇତନ ନୀଳଗିରି କହିଲା ଯୁଝେଷ୍ଠି ଦେବଂକୁ

ଧର୍ମ ଅର୍ଥ କାମ ମୋକ୍ଷ କହିଲା ୟେ ତୀର୍ଥକୁ ।୧୫୯।

ଅନେକ ପରମାର୍ଥ ନୀଳଗିରି ଶଇଳ କହି

ମହତ ବାକ୍ୟେଣ ଯୁଝେଷ୍ଠି ଦେବ ପର୍ବତେଣ ରହି ।୧୬୦।

ଋଷଭ ମିଥୁନ କକଡ଼ା ସିଂହ କନ୍ୟା ତୁଳ

ବିଛା ଧନୁରେ ବଞ୍ଚିଲେ ଋଷିଂକର ମେଳ ।୧୬୧।

ଅମୃତ ଯୋଗାଡ଼ ଦାରାକ୍ଷ ଫଳମାନ

ପର୍ବତରୁ ପ୍ରସରଇ ନିତ୍ୟକର୍ମ ବିଧାନ ।୧୬୨।

ଦିବସେ ନିନ୍ୟେ ହୋଅଇ ରାତ୍ରେ ଲାଗଇ ସ୍ଵର୍ଗେ
ଦେଖନ୍ତି ତ୍ରିପୁର ଲୋକେ ଗିରି ଅନୁରାଗେ ।୧୬୩।

ଧନୁ ମାସ ଶୁକଳ ପକ୍ଷ ଦଶମୀ ପାହାନ୍ତି

ତିନିଦଣ୍ତ ଥାଂଉ ସେ ଲାଗିଲା ମକର ସଂକରାନ୍ତି ।୧୬୪।

ଅର୍କବାର ସେ ଦିନ ନକ୍ଷତ୍ର ଅଶ୍ଵିନୀ

ତଇତଳ ନାମେ କରଣ ଭୋଗ ଦଣ୍ତତିନି ।୧୬୫।

ଶୁଭ ନାମେ ତହିଂ ଯୋଗ ଯେ ଭୋଗଇ

ପଞ୍ଚମର ଚନ୍ଦ୍ରେ ସେହିଦିନ ଅନକୂଳ ଲାଗଇ ।୧୬୬।

ଦଶମରେ ଆଦିତ୍ୟ ସେ ପଣ୍ତୁରାୟେର ପୁତା

ମହୋଦଧିର କୂଳେ ବିଜୟେ ତୀର୍ଥଯାତ୍ରା ।୧୬୭।

ଅସଦ୍ୟ ସ୍ରାହାନ ସାରିଲେ ବାହିଜ୍ୟେ

ବାରାନିଧି କୂଳେ ବିଜୟେ ଦେବରାଜେ ।୧୬୮।

ଧଉମ୍ୟ ପୁରୋହିତ ବରଣେ ସଂକଳ୍ପ କରି

ମକର ସଂକ୍ରାନ୍ତି ଗଣାଇ ମଙ୍ଗଳ ଆଚରି ।୧୬୯।

ଦେବ ପିତୃ ବିଶ୍ଵଦେବା ସନକ ବରୁଣ

ଅଷ୍ଟକୁଳା ନାଗ ପୁଷ୍କର ମନ୍ତ୍ରେଣ ସୁମରଣ ।୧୭୦।

ପଞ୍ଚଭୂତ ମହାତମା ସେ ଗୁରୁମନ୍ତ୍ର ଦାହୀ

ନିରାକୁଳ ମନ୍ତ୍ରେ ଦେବ ଜଳେ ଅବଗ୍ରାହୀ ।୧୭୧।

ପ୍ରସନ୍ନ ଶୁଦ୍ଧ ବୋଧନ ମହୋଦଧି

କଣୟ ଅଞ୍ଜଳିୟେ ଦେଇ ସ୍ରାହାନ ବାରାନିଧି ।୧୭୨।

ପୃଥୀ ଅପ ତେଜ ବାୟବ୍ୟ ଆକାଶ ପଞ୍ଚୁଭୂତ ମନ୍ତ୍ରେ

ପଞ୍ଚୁବେଳ ସ୍ରାନକଲେ ନାରାୟେଣ ଲୟେ ହୃଦଗତେ ।୧୭୩।

ଆସନ ପାଦାସନ ପାଦ୍ୟ ଅର୍ଘ୍ୟ ଗନ୍ଧ ଚନ୍ଦନ ଧୂପ ଦୀପେ

କଣୟେ ଅର୍ଘ୍ୟପୂଜା କରିଣ ରାୟେ ନୃପେ ।୧୭୪।

ଦେବଗଣ ଗ୍ରହଗଣେ ସନକ ନକ୍ଷତ୍ରଗଣେ

ୟେବ ଭୂତ ନାମେ ବାମ ପାବକ ତର୍ପଣେ ।୧୭୫।

ବିଜୟେ ଧର୍ମ ନନ୍ଦନ ପିତୃକାର୍ଯସାରି

ପୁସ୍ତକ ଫେଇ ଶୁକବ୍ରହ୍ମା ପୁରାଣ ଉଚ୍ଚାରି ।୧୭୬।

ଶୁଣ ବାବୁ ଯୁଝେଷ୍ଠି ହୋ ମକର ମାସର ମାହାତ୍ମ୍ୟ

ୟେହେନେକ ବାଗେ କଲେ ପ୍ରାପତ ହୋଅଇ ଧର୍ମ ।୧୭୭।

ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତେ

ଅତି କଷ୍ଠୋର ମକର ମାସ ସ୍ରାହାନ ଫଳ କହଇ ମୁଂ ତୋତେ ।୧୭୮।

ନିଶାକାଳେ ମନ୍ଦିରୁଂ ବାହାର ହୋଇବା ୟେକା

ରାତ୍ର ଥାଉଂ ମଉନେ ସାରିବ ପ୍ରକୃତି ଶଂକା ।୧୭୯।

ଅକାମ ଜଳେ ଯେ କରିବ ଶଉଚନ

ମୃତ୍ତିକା ଆଣିବ ଯେ ଭୁଜ ବଢ଼ାଇଣ ।୧୮୦।

ଦ୍ଵାଦଶ ବେଳ ଲଗାଇବ ମଳଗୁହ୍ୟ ଥାନ

କର ପାଦ ପ୍ରୋଛନ ଚତୁର୍ଦ୍ଦଶ ଉଚ୍ଚସ୍ତାନ ।୧୮୧।

ଉଦ୍ଧାରିଣ ଜଳେ ପଖାଳିବ ଶୁଦ୍ଧକରି

କର ଅଙ୍ଗୁଷ୍ଠି ନହେ ଲଗାଇବ ବେଳ ଚାରି ଚାରି ।୧୮୨।

ଚରଣ ଗଣ୍ଠି ଅଙ୍ଗୁଷ୍ଠି ନାଭିମୂଳ କୁଛି

ବିସ୍ତୀର୍ଣ୍ଣ ମୃତ୍ତିକା ଜଳ ଘେନିଣ ଯେ ପୋଛି ।୧୮୩।

ପଡ଼ନ୍ତା ପଂକୁ ଆମ୍ଵ ପତ୍ରେକ ଶିର ବିହୁନେ

ବାଚା ନ ଉଚାରି କରିବ ଦନ୍ତ ଯେ ଧାପନେ ।୧୮୪।

କୋମଳ କରିଣ ଯେ ମାଜିବ ଦନ୍ତପନ୍ତି

ରୁଧିର ବାହାର ହୋଇଲେ ଧର୍ମ ବିନଶ୍ୟତି ।୧୮୫।

ଦନ୍ତ ଧାପନ କରିଣ ନ ଚାଞ୍ଚିବ ଜିଭ

ୟେସନେକ ସରରୂପେ ଯେ ନିତ୍ୟକର୍ମ ସାରିବ ।୧୮୬।

ଅଷ୍ଟ ଉତ୍ତର ଶତେଘାନ୍ତି କରି ପକାଇବ କୁଳୁକୁଞ୍ଚା

ତେବେ ସେ ଶୁଦ୍ଧ ହୋଇବ ମୁଖ ସେ ସୁସଞ୍ଚା ।୧୮୭।

ସ୍ରାହାନ ସାରିବ ଯେ ନିତ୍ୟକର୍ମ ବିଧାନେ

ଦେବ ପିତୃ ତର୍ପଣ କରିବ ମନ୍ତ୍ର ଧ୍ୟାନେ ଯେନ୍‍ହେ ।୧୮୮।

ମଉନବତ୍ର କରି ତେଜିବ ସ୍ତିରୀ ତଇଳ ଆମିଷ

ଅଖଣ୍ତିତ କରି ପିନ୍ଧିବାକ ଝୀନବାସ ।୧୮୯।

ଅନୁବ୍ରତେ ରହିଥିବ ସତ୍ୟ ଯେ ଆଚାରେ

ମିଥ୍ୟା ନ କହିବ ନ ପଶିବ ୟେ ମାୟା ସଂସାରେ ।୧୯୦।

ତଇଳ ନ ଘେନିମ ନ ଯିବ ସ୍ତିରୀ ପାଶ

ହବିଷ୍ୟ ଭୋଜନ କରି ହୋଇବ ନିରାମିଷ ।୧୯୧।

ଶୁଣ ଯୁଝେଷ୍ଠି ଦେବ ବଦୟନ୍ତି ଶୁକବ୍ରହ୍ମା

ବାସବର ନନ୍ଦନ ଯେ ଚିତ୍ରବାହାନ ମହତମା ।୧୯୨।

ମକର ସ୍ରାହାନ ସେ କରଇ ମକ୍ରମାସେ

ସୁଖେ ତଇଳ ଲଗାଇଲା ସେ ଶୁକ୍ଳ ଚଉଠି ଦିବସେ ।୧୯୩।

କୋପଣେ ମାଧବ ଯେ ବିହିଲେ ଅଭିଶାପ

ଯାଅ ରେ ବିଦ୍ୟାଧର ହୋଅସି ବ୍ୟାଘ୍ରରୂପ ।୧୯୪।

ମାଧବର ବଚନେ ସେ ହୋଇଲା ବ୍ୟାଘ୍ରରୂପ

ଗୋ ବ୍ରାହ୍ମଣ ଚଣ୍ତାଳ ସହିତେ ସମସ୍ତ କଲା ଭକ୍ଷ ।୧୯୫।

ଅନେକ ଜୀବ ନାଶକଲା ସେ ଆଧାର ନିମନ୍ତେ

ବ୍ୟାଘ୍ର ହୋଇଥିଲା ସେ ବେନିଯୁଗ ପରିଯନ୍ତେ ।୧୯୬।

ସତ୍ୟଯୁଗ ସତର ଲକ୍ଷ ଅଠାଶି ସହସ୍ର ବରଷ

ତ୍ରେତୟା ଯୁଗ ବାରଲକ୍ଷ ଛୟାଣୋଈ ସହସ୍ର ବରଷ ଯେ ଶେଷ ।୧୯୭।

ୟେତେକାଳ ବ୍ୟାଘ୍ର ହୋଇଲା କ୍ଷଣକର ଦୋଷେ

ମକର ମାସେ ତଇଳ ଘେନିଲେ ୟେତେକ ପାପ ପ୍ରକାଶେ ।୧୯୮।

ଉମାବସୁ ବିଭାବସୁ ଦାରା ହରଣ ଦୋଷେ

ଗଜ କଚ୍ଛପ ହୋଇଲେ ୟେହି ମକ୍ରମାସେ ।୧୯୯।

ମକର ମାସେ ସ୍ରାହାନ କଲେ ବୃହସ୍ପତିଂକର ଦୁଲଣୀ

ମିଥ୍ୟା କହିଲାର ଦୋଷେ ହୋଇଲାକ ପିଶାଚୁଣୀ ।୨୦୦।

ଶୁଣ ବାବୁ ଯୁଝେଷ୍ଠି ବଦୟନ୍ତି ଶୁକମୁନି

ୟେମନ୍ତେ ମକ୍ରମାସେ ତଇଳ ନ ଘେନି ।୨୦୧।

ଯେବେ ମୁକତି ବାବୁ ଚିନ୍ତିବ ମାଘମାସେ

ହବିଷ୍ୟ ଭୋଜନ ଯେ କରିବ ସନ୍ଧ୍ୟା ଅବକାଶେ ।୨୦୨।

ଅଖଣ୍ତିତ ରମ୍ଭାପତ୍ର ହୋଇଥିବ ୟେକ ମଞ୍ଜି

ଉଆ ଚାଉଳା ଗୁଡ଼କର ଅନ୍ନ ହାଦେ ଭୁଜିଂ ।୨୦୩।

ଗୁଆ ଲବଣୀ ଯେ ସୂର୍ଯ୍ୟପାକ ଲୁଣ

ରାନ୍ଧଣା ବିଧାନକୁ ନ ଯୋଗାଇଟି ଧବଳ ଲବଣ ।୨୦୪।

ଅଗସ୍ତି ଗଇଛ ଶାକ ମୁଗ ସାରୁ ମିଶା

ପୁରାଣେ ଘଟଣ ୟେହି ପୂରାଅ ମନୀଷା ।୨୦୫।

ଶାକଅର୍ଣ୍ଣ ହୋଇବ ଅକଟା ଅବଟା ଯେତେ ସଞ୍ଚି

ବାବୁ ମାଘ ମାହାତ୍ମ୍ୟରେ ୟେସନେକ ଯୁଗତି ଅଛି ।୨୦୬।

ପ୍ରକୃତି ଶଂକା ଦନ୍ତ ଧାପନ ସ୍ରାହାନ ଭୋଜନ ତିନିସନ୍ଧ୍ୟା

ମଉନ ବ୍ରତ ହୋଇବ ନ କରିବ ପାପ ବାଧା ।୨୦୭।

ଅତିଥି ଅଭ୍ୟାଗତ ଭିକ୍ଷୁକ ଜନ ଦାଦେ ଯେତେ

ନିରାଶ ନ କରିବ ଦେଉଥିବ ଉଦେ ଅସ୍ତ ପରିଯନ୍ତେ ।୨୦୮।

ନିତ୍ୟକର୍ମ ଅନ୍ତର ନୋହିବ ୟେକଲିତା

ଅନୁବ୍ରତେ ଶୁଣୁଥିବ ପୁରାଣ ସଙ୍ଗୀତା ।୨୦୯।

ଦିବାରାତ୍ରେ ବଞ୍ଚିବ ୟେକା ମାଧକଇଂ କରି ଲୟେ

ଘୃତ ଜାଗର ଜାଳି ନିଶି ବଞ୍ଚିବ ୟେକଧ୍ୟାୟେ ।୨୧୦।

ଶରୀରେ ନ ବହିବ ତାମସ ଯେ ବୃତ୍ତି

କଦାଚିତେ ନ ଭାବିବ ପାପ ଯେ ପ୍ରକୃତି ।୨୧୧।

ଶୁଣ ହୋ ଯୁଝେଷ୍ଠି ସୁଜନ ହୋଉ କି କୁଜନ ହୋଉ ଅବା

ପୁରାଣ ସଙ୍ଗତେ ନିତ୍ୟକର୍ମହିଂ କରିବା ।୧୧୨।

ଯୁଝେଷ୍ଠି ପୁଛାକଲେ ଆକାଶୁଂ ଉତପତି ତୋୟା

ସୁଜନ କୁଜନ ବୋଲି କେନ୍‌ହେ ବାରିବାକ ୟେହା ।୨୧୩।

ମାରକଣ୍ତେ ବୋଇଲେ ବାବୁ ଶୁଣ ନୃପବର

ମେରୁ ମେଖଳୁଂ ଯେ ସଙ୍ଗମ ହୋଉଛନ୍ତି ସାଗର ।୨୧୪।

ମେରୁ ମେଖଳେ ଉଠି ଦେବତାୟେ ପଖାଳୁଛନ୍ତି ଅଙ୍ଗ

ତହିଂର ଉଦେକ ଆସି ସାଗରେ ହୋଉଛନ୍ତି ସଙ୍ଗ ।୨୧୫।

ତିନିଶ ସାଠିୟେ ଦିନ ବହଇ ଯେବଣ ଜଳ

ତହିଂରେ ସ୍ରାନକଲେ ହୁଅଇ ବହୁତ ସୁଫଳ।୨୧୬।

ଆକାଶୁଂ ପତିତ ସମୋଦ୍ର ସାହିତା ସୁଜଳ ଜଳ ବୋଲି

ପୁସ୍କରିଣୀ ଗଣ୍ତ ଖାଲ କୂପ ୟେହାକୁ ଜଳ କହିଲି ।୨୧୭।

ଆହୋ ଚଇତନ ପୁଷ୍କରିଣୀରେ ସ୍ରାହାନ କଲେ ପାଞ୍ଚଭାଗ ହୋଇ ଧର୍ମ

କୀର୍ତ୍ତି କଲା ଲୋକକୁ ବେନିଭାଗ ନିତ୍ୟକର୍ମ ।୨୧୮।

ତିନି ଭାଗ ପ୍ରାପତ ହୋଅଇ ଧର୍ମ କଲା ଲୋକକୁ

ସାତ ଭାଗ ଧର୍ମ ହୋଅଇ ନଦୀ ସ୍ରାହାନକୁ ।୨୧୯।

ବାବୁ ମାର୍କଣ୍ତେଶ୍ଵର ୟେ ତୀର୍ଥଂକର ଅଟଇ ଆଦି

ପଞ୍ଚତୀର୍ଥର ନାଭି ମଣ୍ତଳ ୟେଥେ ହାଦେ ଭେଦି ।୨୨୦।

ୟେଥିର ପଛିମେ ସ୍ରାନ କଲେ ପୂର୍ବ ଯେ ମୂରତି

ନାଭି ମଣ୍ତଳ ପରିଯନ୍ତେ ପଶିବାକୁ ଯୁଗତି ।୨୨୧।

ନାଭି ମଣ୍ତଳୁଂ ଅଧିକ ୟେ ଗଙ୍ଗାୟେ ପଶିଲେ

ମାତୃ ହରଣ ଦୋଷ ପାଇବ ୟେଥି ଭଲେ ।୨୨୨।

ନିତ୍ୟକର୍ମ ଜଳକୁ ନାଭି ଯାୟେ ସ୍ରାହାନ

ଖଣ୍ତଇ ଦୁଷକୃତ ଯେ ଅନେକ ପାପମାନ ।୨୨୩।

କଥୟନ୍ତି ମାରକଣ୍ତେ ପୁରାଣ ସଙ୍ଗତେ

ୟେ ମାଘ ମାହାତ୍ମ୍ୟ ଯେ କହଇ ମୁଂ ତୋତେ ।୨୨୪।

ବାବୁ ପୁଷ୍କର ବୋଲିକରି ଯେବଣ ପୁରୁଷଇଂ

ଶତେଗୋଟି ତୀର୍ଥ ଲାଭିର ଭିତରେ ବସଇ ।୨୨୫।

ମେରୁ ମେଖଳେ ଥାଇଂ ପୁଷ୍କର ଦେବସ୍ଵାମୀ

ୟେ ମକର ମାସରେ ସକଳ ଜଳଗାମୀ ।୨୨୬।

ବାବୁ ନବ କର୍ମଣ ପୁରୁଷ ୟେ ବିକ୍ରାନ୍ତ କାୟେ

ପରମ ନିରାକୁଳ ପୁରୁଷ ୟେହାର ନାହିଂ ଆତଯାୟେ ।୨୨୭।

ମକର ମାସର ସ୍ରାହାନେ ଯେଉଂ ଫଳଶ୍ରୁତି

ୟେ ପୁଷ୍କର ଦେବତା ହୋଇଲେ କ୍ଷେତ୍ର ଆଧିପତି ।୨୨୮।

ୟେ ମକର ତିରିଶ ଦିବସେ ଯେ କରଇ ସ୍ରାହାନ

ଖଣ୍ତଇ ଅପାଦ କିଳେଶ ଦୁଷୁକୃତମାନ ।୨୨୯।

ବାବୁ ମକର ମାସର ସ୍ରାହାନ ଫଳଶ୍ରୁତି

ନବସୃଷ୍ଟି କରତା ହୋଇଲେ ବେଦପତି ।୨୩୦।

ବାବୁ ମକର ମାସର ସ୍ରାହାନର ଧର୍ମେ

ଭବିଷ୍ୟ ଧର୍ମ ପାଇଲେ ବୃହସ୍ପତି ଉତ୍ତମେ ।୨୩୧।

ବାବୁ ୟେ ମାଘ ମାସର ସ୍ରାହାନ ଫଳଶ୍ରୁତି

ଅପରାଧି ନାଥ ହୋଇଲେ ସୁରପତି ।୨୩୨।

ମାଘମାସେ ସ୍ରାନେ ଶତମନ୍ୟୁ କଲେ ବାଞ୍ଚ୍ଥା

ବାରାନିଧି ନାୟେକ ସେ ଭଣ୍ତାର କରେ ରକ୍ଷା ।୨୩୩।

କଳଂକ ଚିତ୍ତେ ସ୍ରାହାନ କଲା ଯେ କୃତାନ୍ତ

ନାଶକର ପୁରୁଷ ସେ ହୋଇଲେ ଯମ ଦଇବତ ।୨୩୪।

ରୁଦ୍ର ଦେବତାୟେ କଲେ ମାତୃ ହରଣ ଦୋଷ

ମକ୍ରମାସ ସ୍ରାହାନେ ମହାଦେବର ପାପ ଗଲା ଧ୍ଵଂସ ।୨୩୫।

ବାବୁ ବିଚାରି ମାଘ ସ୍ରାହାନ କଲାକ ଭୂତସ୍ଵାମୀ

ପୁଷ୍କର ପ୍ରସନ୍ନେ ସେ ହୋଇଲେ ଜଳଗାମୀ ।୨୩୬।

ବାବୁ ବାସୁକି ନାଗ ମକରେ ସ୍ରାହାନ ସେ କରି

ମହାଭାରା ସହିଲାଟି ସେହି ବସୁନ୍ଧରୀ ।୨୩୭।

ଶଙ୍ଖ ପଦ୍ମ ମହାପଦ୍ମ ଶ୍ଵେତପଦ୍ମ କୁଳିଶ ତକ୍ଷକ ଅନନ୍ତ

ମକର ସ୍ରାହାନ ଫଳେ ହୋଇଲେ ଦଇବତ ।୨୩୮।

ମକର ମାସର ସ୍ରାହାନର ଫଳେ ଦ୍ଵାଦଶ ବିଶ୍ଵଦେବା

ପାଇଲେ ପରମ ଗତି ମହାସିନ୍ଧ ଦେବା ।୨୩୯।

ମକର ସ୍ରାହାନ କଲେ ଉନମତ ଋଷିର ତନୁ

ଉଦୟ କାଳ ବାକ୍ୟେ ହୋଇଲେ ସନକ ସପତ ମନୁ ।୨୪୦।

ବେଶ୍ୟାଉଂ ଜାତ ହେଲେ ବଶିଷ୍ଠ ମହଋଷି

ମାଘ ସ୍ରାହାନର ଫଳେ ଯୁଗାନ୍ତେକ କଳ୍ପବାସୀ ।୨୪୧।

ସତ୍ୟଗୁଗେ ସୂର୍ଯ୍ୟବଂଶେ ଦକ୍ଷ ପ୍ରଜାପତି

ଚନ୍ଦ୍ର ଦେବତାକଇଂ ପ୍ରଦାନ କଲା ସତାଇଶ ଦୋହିତୀ ।୨୪୨।

ସେ ଚନ୍ଦ୍ର ରୋହିଣୀର ତୁଲେ ଅନେକ ପୀରତି

ଛବିଶ କନ୍ୟାର ସେ ନ ଗଲାକ କତି ।୨୪୩।

ଛବିଶ କନ୍ୟାଂକର ତାପେ ପ୍ରଜାପତି ଚନ୍ଦ୍ରକୁ କଲେ କୋପ

ଦୋହିତାଂକର ବିକଳେ ସେ ଦଛ ରାଗେଣ ଦିଲେ ଶାପ ।୨୪୪।

ପ୍ରଜାପ୍ରତି ବୋଇଲେ ତୋତେ କାମୁକ ପୁରୁଷ ବୋଲି

ତହିଂର ନିମନ୍ତେ ତୋତେ ସତାଇଶ କନ୍ୟାକଇ ଦିଲି ।୨୪୫।

ଛବିଶ କନ୍ୟାକୁଇଂ ମୋର ତୁ କଲୁ ଯେ ଦୁରୁଭାଗୀ

ତନୁ ଛିନ୍ନ ହୋଇଲେ ତୋହୋରେ ଅଭାଗୀ ।୨୪୬।

ଶାନ୍ତିଶୀଳ ଦୁହିତାଂକୁ ଅନମିତେ ଦୁଖ ଦେଉଂ

ୟେହାଂକର ଦୁଖେ ତୋର ତନୁ ଛିନ୍ନ ହୋଉ ।୨୪୭।

ସେ ଅନାଦି ପୁରୁଷ ମହାତମାର ଅତି ମହାକୋପେ

ତତକ୍ଷଣେ ଚନ୍ଦ୍ର ଗଳିତ ହୋଇଲା ପ୍ରଜାପତିର ଶାପେ ।୨୪୮।

ପ୍ରଭାସ ପୁଷୁକର ଜଳେ ମକର ମାସେ ଚନ୍ଦ୍ର ଦେଇଂଣ ପଡ଼ିଲା

ପ୍ରଜାପତିର ଶାପେ ଯେ ଶଶଧର ନାଶଗଲା ।୨୪୯।

ବାହୁଡ଼ି ଚନ୍ଦ୍ର ଦେବତାର ତନୁ କଅଂଳି ଉଠିଲା

ମାଘ ସ୍ରାହାନ ଫଳେ ଉଦୟେ ହୋଇଲା ।୨୫୦।

ଦକ୍ଷର ଛବିଶ କନ୍ୟା ଯହୁଂ ଥିଲା ସେ ଉପେକ୍ଷି

ମାଘ ସ୍ରାହାନର ଫଳେ ସେ ଉଭୟେ କାମ ଇଛି ।୨୫୧।

ପୁଷୁକର ଦେବ ପରସନ୍ନେ ଅଭୟେ ହୋଇଲେ

ଦଇବତ ପୁରୁଷ ହୋଇ ଆକାଶେ ଉଦେ ହେଲେ ।୨୫୨।

ଆଦି ବ୍ରହ୍ମାଂକର ସେ ଉପୁଜିଲେ ପଞ୍ଚତନୁ

ସନକ ସନନ୍ଦନ ସନାତନ କପିଳ କୁମାର ଶତମନୁ ।୨୫୩।

ମକର ମାସ ସ୍ରାହାନର ଯେତେକ ଫଳଶ୍ରୁତି

କଳପୀ ପୁରୁଷ ହୋଇଲେ ସେ ଅନନ୍ତ ମୂରତି ।୨୫୪।

ମକର ମାସ ସ୍ରାହାନ କରଇ କାମଦେବ କ୍ଷେତ୍ରପାଳ

ୟେଥିର ଫଳଶ୍ରୁତିରେ ସେ ଆକାଶ ରଖୁଆଳ ।୨୫୫।

ଆହୋ ବାବୁ ଯୁଝେଷ୍ଠି ମକର ମାସ ସ୍ରାହାନ ସୁକୃତର ଫଳେ

ଋଷିମାନେ ବ୍ରତିଲୁ ଆମ୍ଭେ ପରମ ନିରାକୁଳେ ।୨୫୬।

ଅଗସ୍ତି ବଶିଷ୍ଠ ପଉଲସ୍ତି ଆବର ବାଲମୀକେ

ଶକ୍ତି ବିଶ୍ଵାମିତ୍ର ମାରକଣ୍ତ ଶଉନିକେ ।୨୫୭।

ବମଦେବ ସୁଦେବ ଗ୍ରାଗବ ଆବର ପାରେଶ୍ଵର

କଣ୍ତ କଣ୍ଵେ କପିଳ ସତ୍ୟପା ଋଷିଶିଙ୍ଗ ଅଙ୍ଗର ।୨୫୮।

ଗାଲବ ଲୋମଶ ବ୍ୟାସ ଜୟେମୁନି ଶୁକ୍ରବ୍ରହ୍ମା ବଇଶମ୍ପାୟନ

ମକର ମାସ ସ୍ରାହାନ ଫଳୁଂ ଆମ୍ଭନ୍ତ ଯୁଗ ୟେକଦିନ ।୨୫୯।

ସତ୍ୟଯୁଗେ ବୁଦ୍ଧଶ୍ରବା , ପୁରୁରବା , ନଘୋଷ ଯଯାତି

ପୁରୁ , ପ୍ରବୀର , ଭୁମନୁ ଦୁଷ୍ୟନ୍ତ ଚକ୍ରବତୀ ।୨୬୦।

ମକର ମାସର ସେ ସ୍ରାହାନର ଫଳେ

ସତ୍ୟଯୁଗ ପାରକଲେ ୟେଥିର ପୁଣ୍ୟବଳେ ।୨୬୧।

ଶୁଣ ବାବୁ ଯୁଝେଷ୍ଠି ସତ୍ୟଯୁଗେ ଦଛ ପ୍ରଜାପତି

ବଇବସୁତ ମନୁ , ଇଛାକୁ ବଂଶର ନୃପତି ।୨୬୨।

ସୋମେକ , ଅଶ୍ଵକ , ପୃଥୁ ସେ ସଗର

ଭାନୁବନ୍ତ ଭାଗୀରଥି , ତିଲୀପ , ଯୁବନାଶ୍ଵ ମହୀଧର ।୨୬୩।

ଯୁବନାଶ୍ୱ ରାଜା ଉପୁଜିଲା ଇଛାକୁର ବଂଶେ

ଅନେକ ଯାଗଯଗ୍ୟଂ ରାଜା ଖଟାଇ ହରଷେ ।୨୬୪।

ଯୁବନାଶ୍ଵ ରାଜାର ଯହୁଂ ନୋହିଲା ସନ୍ତତି

ଅନେକ ଦାନଧର୍ମ କଲା ମହୀପତି ।୨୬୫।

ବହୁତ ଦାନ ଦିଲା ରାଜା ସନ୍ତାନ ଜାତ ଅର୍ଥେ

ଦେବତା ବ୍ରାହ୍ମଣଂକର ବିନୟେ ଭଗତେ ।୨୬୬।

ଦଶ ସହସ୍ର ବରଷ ପରଯନ୍ତେ ଅଲୋକିତ ଧର୍ମ କଲା

ତଦ୍ୟାପି ଯୁବନାଶ୍ଵର ଯେ ସନ୍ତତି ନୋହିଲା ।୨୬୭।

ଯହୁଂ ତାହାର ସନ୍ତତି ନୋହିଲା ସତ୍ୟଯୁଗେ

ଦେବତା ବ୍ରାହ୍ମଣଂକ ବୃତ୍ତି ହରିଲା ବର ୟେ ରାଗେ ।୨୬୮।

ଅନେକ ଦୂଷିତ କଲା ନାମ ଧର୍ମ ନାହିଂ

ୟେକାମାତ୍ର ପ୍ରାଗତୀର୍ଥେ ମାଘ ସ୍ରାହାନ ଦାହି ।୨୬୯।

ସମସ୍ତ ପୁରାଣ ଯେ ନିନ୍ଦିଲା ଯୁବନାଶ୍ଵ

ୟେକାମାତ୍ର ମାଘ ମାହାତ୍ମ୍ୟ ଶୁଣଇ ମକ୍ରମାସ ।୨୭୦।

ଆହୋ ଯୁବନାଶ୍ଵ ରାଜାର ଅନୀତି ଦେଖିଣ ସର୍ବଋଷି

ସମସ୍ତ ଋଷିଗଣେ ବ୍ରହ୍ମାକଇଂ ଯାଇଂ ଭାଷି ।୨୭୧।

ସ୍ଵାମୀ ମୃତୁ ମଣ୍ତଳେ ଯେ ଇଛାକୁରୁ ବଂଶେ

ସତ୍ୟରାଜାର ନନ୍ଦନ ନୃପତି ଯୁବନାଶ୍ଵେ ।୨୭୨।

ବଡ଼ାଇ ଧାର୍ମିକ ସେ ଅଟଇ ନରପତି

ଅନେକ ଧର୍ମେ ତାର ଯେ ନୋହିଲା ସନ୍ତତି ।୨୭୩।

ପୁତ୍ର ଅଭାବେ ରାଜା ପାଇଲା ବହୁତ ଦୁଖ

ଦେବତା ବ୍ରାହ୍ମଣଂକ ବୃତ୍ତି ହରିଲା ହୋଇଣ ବିମୁଖ ।୨୭୪।

ସତ୍ୟଯୁଗେ ଯେବେ ବୃତ୍ତି ହରଣ ହୋଇବ

ଆବର ତିନିଯୁଗେ ବୃତ୍ତିଦାନ ଧର୍ମ କି ରହିବ ।୨୭୫।

ଋଷିକଂର ବଚନେ ଯେ ବୋଇଲେ ବିରଞ୍ଚି

ଆମ୍ଭେ ଯୁବନାଶ୍ଵ ରାଜାକଇଂ ଦେବୁ ପୁତ୍ର ସଞ୍ଚି ।୨୭୬।

ବାରମାସର ମଧ୍ୟେ ଯେ ମକର ମାସ ସିଦ୍ଧି

ସେ ପୁଣ୍ୟେ ତାହାକଇଂ ପୁତ୍ରେକ ଦେବୁଂ ଯେ ସମ୍ପାଦି ।୨୭୭।

ନିରାଧାର ଆଗ୍ୟାଂ ଯହୁଂ ଦିଲେ କୁଶକେତୁ

ବ୍ରହ୍ମଋଷିମାନେ ଶୁଣି ହୋଇଲେ ତ୍ରପୁତୁ ।୨୭୮।

ବାବୁ ଆଶ୍ଵିନ କାର୍ତ୍ତିକ ମାର୍ଗଶୀର ପୁଷମାସ ଅନ୍ତେ

ମକର ମାସର ଯେ ସଂକରାନ୍ତି ହୋଅନ୍ତେ ।୨୭୯।

ମକର କୃଷ୍ଣପକ୍ଷ ଯେ ଦୁତୀୟାର ତିଥି

ମଘା ନକ୍ଷତ୍ର ସେ ଯେ ବାର ବୃହସ୍ପତି ।୨୮୦।

ବାଳବ ନାମେ କରଣ ବିସ୍କୁମ୍ଭ ନାମେ ଯୋଗ

ବଶିଷ୍ଠେ ଜଣାଇଲେ ପିତାମହର ଆଗ ।୨୮୧।

ଜାଣିଲେ ପିତାମହ ଯେ ଯୁବନାଶ୍ଵର କଥା

ତ୍ରିବେଣୀ ସଙ୍ଗମେ ସେ ପଶିଲେ ଦେବ ଧାତା ।୨୮୨।

ନିର୍ମଳ ଜଳ ଘଟେକ ଆଣିଲେ ଦେବ ତୋଳି

ମହାମନ୍ତ୍ରେ ମନ୍ତ୍ରିଲେ ସନ୍ତତି ଜାତ ହେବ ବୋଲି ।୨୮୩।

ବୃନ୍ଦାଅର୍କ ବୋଲିଣ ଅଟଇ ୟେକ ବନ

ତହିଂଯାଇଂ ପ୍ରବେଶ ହୋଇଲେ ଚତୁରାନନ ।୨୮୪।

ଶିଷ୍ୟମାନନ୍ତ ଦେଖିଣ ସ୍ଵାମୀ ଦେବବରେ

ସେ ଜଳଘଟ ନେଇ ଥୋଇଲେ ଦ୍ରୁମନ ଗିରି ଶିଖରେ ।୨୮୫।

ଶାୟେଡ଼ା ବୃଷେକ ଅଛି ସେ ଗିରି ଉପରେ

ତହିଂରେ ଜଳ ଘଟ ଥୋଇଲେ ନିର୍ଭରେ ।୨୮୬।

ଲୋକାଲୋକି ନାମେ ସେ ଅଟଇ ଅଚଳ

ଆଦି ଅନ୍ତ ଶୂନ୍ୟ ସେ ଅଟଇ ନିରାକୂଳ ।୨୮୭।

ତାହାର ଉପରେ ଶାହାତା ବୃକ୍ଷ ତୀଖଶାଖା

ଗଗନ ମାର୍ଗେ ଯେ ଲାଗିଅଛି ତାର ରେଖା ।୨୮୮।

ତ୍ରିଶାଖା ଡାଳେଣ ସେ ବସାଇଲେ ମୁଚୁଳି

ତହିଂର ଉପରେ ଧାତା ଥୋଇଲେ ଜଳ ଘଟ ତୋଳି ।୨୮୯।

ମହାମନ୍ତ୍ରେ ମନ୍ତ୍ରିଲେ ସନ୍ତତି ଜାତ ଭଳି

ବଶିଷ୍ଠଂକୁ କହିଣ ପିତାମହ ଗଲେ ଚଳି ।୨୯୦।

ବୋଇଲେ ୟେହା ନେଇ ସମର୍ପିବ ଯୁବନାଶ୍ଵ ରାଜାକୁ

ୟେ ଜଳ ଆପ୍ୟାନ କରାଉ ତାହାର ଭାରିଯାକୁ ।୨୯୧।

ଉପୁଜିବ ପୁତ୍ରେକ ତାର ବଳେଣ ବଳବନ୍ତା

ମହା ବଳିଷ୍ଠ ହୋଇବ ସେ ତ୍ରଇଲୋକ୍ୟ ଜଗଜ୍ଜିତା ।୨୯୨।

ଗଲେକ ପିତାମହ ଯଶୋବନ୍ତୀ ଭୁବନେ

ୟେଣେ ଯୁବନାଶ୍ଵ ଭ୍ରମଇ ବିପୁନ୍ୟେ ମୃଗୟା କାରଣେ ।୨୯୩।

ବୃନ୍ଦାଅର୍କ ବିପୁନ୍ୟେ ସେ ଖେଦଇ ମୃଗୟା

ଜଳର ବିହୁନେ କ୍ଷୋଭ ପାଇଲା ତାର ଦେହା ।୨୯୪।

ଜମ୍ଵେକ ବୋଲିକରି ତାହାର ହାଦେ ମନ୍ତ୍ରୀ

ଜଳ ଆଣ ବୋଲିକରି ବୋଇଲେ ନୃପତି ।୨୯୫।

ଲୋଡ଼ନ୍ତେ ମନ୍ତ୍ରୀବର ନ ପାଇଲା ଜୋଡ଼ ଖାଲ

ଗୋଲେକ ବୃକ୍ଷ ଉପରେ ଦେଖିଲା ଜଲ ଘାଟେକ ନିର୍ମଳ ।୨୯୬।

ବୃକ୍ଷ ଉପରେ ଉଠିଣ ତାହା କାଢ଼ିଣ ଯେ ଆଣି

ଦେଖିଲାକ ଘଟରେ ଅତିଅନ୍ତ ଶୀତଳ ନିର୍ମଳ ପାଣି ।୨୯୭।

ଘେନିଣ ମନ୍ତ୍ରୀବର ଆସଇ ତାହା କନ୍ଧରେ କରି

ରାଜାର ଛାମୁରେ ଦିଲା ବହନ ସେ ବାରି ।୨୯୮।

ମହା ଶ୍ରମେଣ ରାଜା ଅତି ଅସରାଗେ

ଆକ୍ରୋଷି ଯୁବନାଶ୍ଵ ଜଳ ପିଇଲା ଅତି ବେଗେ ।୨୯୯।

ମନ୍ତ୍ରୀକି ପ୍ରଶଂସା ରାଜା କରଇ ବହୁତ

କାହିଂ ପାଇଲୁ ୟେ ଜଳ ପ୍ରତକ୍ଷେ ଅମୃତ ।୩୦୦।

ଅଶ୍ଵର ପିଠିରେ ଯାଇ ବିଜେ ନରେଶ୍ଵର

ପ୍ରବେଶ ହୋଇଲା ଯାଇଂ ଅଯୋଧ୍ୟା ନଗ୍ରପୁର ।୩୦୧।

ଶୁଣ ହେ ଯୁଝେଷ୍ଠି ଦେବ ବଦନ୍ତି ମାରକଣ୍ତେ

ବଶିଷ୍ଠ ପଉଲସ୍ତି ଯାଇ ପ୍ରବେଶ ଯଶୋବନ୍ତୀ ବ୍ରହ୍ମାଣ୍ତେ ।୩୦୨।

ବିନୟ ଭାବହୋଇ ପୁଛନ୍ତି ଦେବ ଧାତା

ଭ୍ରାନ୍ତି କଲେ କି ସେ ଯୁବନାଶ୍ଵ ରାଜା କଥା ।୩୦୩।

ବ୍ରହ୍ମା ବୋଇଲେ ତୁମ୍ଭେ ଚଳ ଯା ବହନ

ସନ୍ତତି ଜଳଘାଟ ଥୋଇ ଅଇଂଲୁ ବୃନ୍ଦାଅର୍କ ବନ ।୩୦୪।

ଯତନେ ଥୋଇଅଛୁ ଗୋଲକ ବୃକ୍ଷ ତାଳେ

ତାହା ନେଇ ଦେଇଆସ ଯୁବନାଶ୍ଵ ମହୀପାଳେ ।୩୦୫।

ସେ ଜଳ ଆପ୍ୟାନ କରିବ ତାହାର ବନିତା

ପୁତ୍ରେକ ହୋଇବ ତାର ମହା ବଳବନ୍ତା ।୩୦୬।

ପିତାର ବଚନେ ସେ ମୁନିମାନେ ଗଲେ

ବୃନ୍ଦାଅର୍କ ବନେ ଖୋଜି ଲୋଡ଼ି ନ ପାଇଲେ ।୩୦୭।

ଧାତାର ଅଗ୍ରତେ ସେ କହିଲେ ବେଗେ ଯାଇଂ

ସ୍ଵାମୀ ସନ୍ତକ ଅଛଇ ଜଳଘଟି ତହିଂ ନାହିଂ ।୩୦୮।

ଶୁଣିକରି ବେଦବରେ ଲାଗିଲା ବଡ଼ ଚିନ୍ତା

ନ ପୁଣି ପିଅଇ ତାହା ଅସୁର ତାହା ଅସୁର ବଳବନ୍ତା ।୩୦୯।

ଧ୍ୟାନେଣ ଜାଣିଲେ ତାହା ଦେବ ହୃଦଗତେ

ଯୁବନାଶ୍ଵ ଭଷିଲା ତାହା ତୃଷାର ଆରତେ ।୩୧୦।

ଯୁବନାଶ୍ଵ ରାଜା ଯେ ପିଇଲାକ ଜଳଘାଟ

ପୁତ୍ରେକ ଜାତ ହୋଇବ ନୃପତି ଜୀବନ ହେବ ନଷ୍ଟ ।୩୧୧।

ଗର୍ଭରେ ରାଜାର ଯେ ରହିଲା ପୁତ୍ର ମହାବଳବନ୍ତା ତୁମ୍ଭେ ଯାଇ
ରାଜାକୁ କହ ନ କରୁ ସେ ଚିନ୍ତା ।୩୧୨।

ବଶିଷ୍ଠ ବାମଦେବ ଅଗସ୍ତି ପଉଲସ୍ତ୍ୟେ

ଚାରିହେଂ ପ୍ରବେଶ ହୋଇଲେ ଯାଇ ଯୁବନାଶ୍ଵ ରାଜାର ଅଗ୍ରତେ ।୩୧୩।

ଦେଖିଣ ମହାରାଜା ନ କହଇ ସମ୍ଭାଷି

ହୃଦଗତେ ବିଚାରଇ ଅପୁତ୍ରିକ ହେଲି କିସ ହାଦେ ଋଷି ।୩୧୪।

ବଶିଷ୍ଠେ ବୋଇଲେ ତୁ ଶୁଣ ମହୀଧର

ଦେବତା ବ୍ରାହ୍ମଣଂକୁ ତୁ ଆରାଧନା କର ।୩୧୫।

ପାଇଲୁନି କାରଣ ରାଜା ଅଳ୍ପଦିନ କଷ୍ଟି

ବଂଶ ରକ୍ଷା ହୋଇବ ତୁ ନ ଦେଖିବୁ ପୁତ୍ରଗୋଟି ।୩୧୬।

ଋଷିକଂର ବଚନ ସେ ନୃପତି କଲା ହେଳ

ୟେହିମତି ଭଣ୍ତ ମୋତେ ମୋହୋର ହୋଇଲା ଚତୁର୍ଥ
ଅବସ୍ଥା କାଳ ।୩୧୭।

ବ୍ରହ୍ମଋଷିମାନେ ତହୁଂ ସେ ଗଲେ ତପସ୍ଥାନେ

ବ୍ରହ୍ମାଂକର ବଚନ କି ହୋଇପାରେ ଆନେ ।୩୧୮।

ପିତାର ମନ୍ତ୍ରବଳ ନୋହିଲାକ ନାଶ

ପୁତ୍ରେକ ରହିଲା ଯୁବନାଶ୍ଵ ଗର୍ଭବାସ ।୩୧୯।

ଦିବସେ ଅଳସ ଦେହ ରାଜାର ରାତ୍ରେ ଜ୍ଵର ଖଣ୍ତି

ଆହାର ନ ରୁଚଇ ରାଜାର ଦେହେ ଅଳଂକାର ନ ମଣ୍ତି ।୩୨୦।

ପେଟ ଭାରି ଦେଖି ରାଜା ଉଦ୍ଦେଶ୍ୟ କରଇ ବଇଦ୍ୟ

ଅନେକ ମଉଷଧି ସେ କରନ୍ତି ସମ୍ପାଦ ।୩୨୧।

ମହା ମହା ବଦ୍ୟମାନେ ମଉଷଧି ଦିଅନ୍ତି ଯେତେ ଯେତେ

ସବୁ ଭସ୍ମ ହୋଅଇ ରାଜାର ଗର୍ଭତେ ।୩୨୨।

ବ୍ରହ୍ମାର ମହାମନ୍ତ୍ର ରାଜାର ଗର୍ଭେ ପଶି

ହୁତାଶନେ ପଡ଼ିଲେ ଯେନ୍ ହେ ତୃଣ ହୋୟେ ଧ୍ଵଂସି ।୩୨୩।

ଦିନୁ ଦିନୁଂ ରାଜାର ଦେହ ହୋଇଲା ଅଶକତ

ଉଠନ୍ତେ ବସନ୍ତେ ରାଜା ହୋଇଲା ମୋହଗତ ।୩୨୪।

ମୁଖ ନାସିକା ଚରଣ ନୋହିଲା ଚଳନ୍ତା

ଗର୍ଭରେ ରହିଛି ପୁତ୍ର ମହାବଳବନ୍ତା ।୩୨୫।

କାହାକଇଂ ଗୋଚର ସେ ନୋହଇ ୟେ କଥା

ବୋଲନ୍ତି ରାଜା ବୃତ୍ତି ହରଣ କଲା ଋଷି ବ୍ରାହ୍ମଣ ଦେବତା ।୩୨୬।

ସହି ନୁଆରିଲେଟି ସେ ମହାଖଳା ବୀରେ

କେହୁ ଅବା ପଶିଲାଟି ରାଜାର ଉଦରେ ।୩୨୭।

ମହାକାଳ ହୋଉ କି କ୍ଷେତ୍ରପାଳ ଚାମୁଣ୍ତା

ରାଜାର ଗର୍ଭେ ପଶି ହୋଅନ୍ତି ପ୍ରଚଣ୍ତା ।୩୨୮।

ଦେବୀଂକି ପୋଢ଼ ମେଷ ଛାଗଳେ ମଇଷିଂ ମନ୍ଦାର

ଅନେକ ସମ୍ଭରେ ସେ କରନ୍ତି ବଳିଭୋଜା ଯୋଗଡ଼ ବିଚାର ।୩୨୯।

କଡ଼ା ଘୁମୁରା ଢୋଲ ଯେ ମୃଦଙ୍ଗ ଦାମଣ୍ତି

ନାଚନ୍ତି ମତୁଆଳେ ଖେମଣ୍ତା ନାଟଖଣ୍ତି ।୩୩୦।

ନୋହୋଇ ଶାନ୍ତି ରାଜା ଦୁଗୁଣ ହୋଇଲା କଷ୍ଟ

ବଇଶାଖ ଶୁକଳ ଚଉଠି ଦିନ ଭେଟିଲେ ବ୍ୟାସ ଯେ ବଶିଷ୍ଠ ।୩୩୧।

ହଂସୁଲୀ ତୁଳି ସୁପାତି , କରିଣ ରାୟେ ତେଜ୍ୟା

ଭୂମିଗତେ ଅସାଷ୍ଟମ ହୋଇ ପଡ଼ିଲା ମହାରାଜା ।୩୩୨।

ସନ୍ନିଧ୍ୟେ ବସିଲେ ଋଷି ବ୍ୟାସ ବିଶିଷ୍ଠ

ଯୁବନାଶ୍ଵ ରାଜା ବୋଇଲା ମୁନି ହେ ଦେଖ ମୋହୋର କଷ୍ଟ ।୩୩୩।

କର୍ମରେ କାଳେ ମୋହୋର ନୋହିଲା ସନ୍ତତି

ଅଧର୍ମେଣ ମୋହୋର ଆସି ହୋଇଲା ବିପତ୍ତି ।୩୩୪।

ରାଜାକଇଂ ସମାର୍ଜାନା କରନ୍ତି ମୁନିବ୍ୟାସ

ଶରୀର ସମ୍ଭାଳ ତୁହୋ ନୃପତି ଯୁବନାଶ୍ଵ ।୩୩୫।

ତୋହୋର ଗର୍ଭେ ହୋ ଆନ ନାହିଂ କିଛି

ମହା ବଳବନ୍ତା ହୋ ପୁତ୍ରେକ ରହିଅଛି ।୩୩୬।

ତୁ ଯହୁଂ ହରିଲୁ ବୃତ୍ତି ବାଡ଼ି ଦେବତା ବ୍ରାହ୍ମଣ

ସମସ୍ତେ ଗୁହାରି କଲୁ ଆମ୍ଭେ ପିତାମହ ଆଗେଣ ।୩୩୭।

ସନ୍ତାନ ଜଳଘଟ କଲୁ ରାଜା ତୋହୋର ନିମନ୍ତେ

ବ୍ରହ୍ମା ମନ୍ତ୍ରି ଆଣିଲେ ସନ୍ତତି ଜଳଘଟେ ।୩୩୮।

ଯତନେ ଆଣି ଥୋଇଲୁ ବୃନ୍ଦାଅର୍କ ବନସ୍ତ ଗୋଲକ ବୃକ୍ଷେ

ସେ ଜଳଘଟ ମନ୍ତ୍ରୀ ଆଣିଦିଲାକ ତୋହୋର ଯେ ହାଥେ ।୩୩୯।

ମୃଗୟା କାଳେ ତୃଷାରେ ପିଇଲୁ ସେ ତୋ ଗର୍ଭେ ପୁତ୍ରେକ ରହିଲା

ବ୍ୟାସଂକ ବଚନେ ସାଷ୍ଟମ ହୋଇଲା ।୩୪୦।

ବହୁତ ସାନନ୍ଦେ ରାଜା ଉଠିଣ ବସିଲା

ମନରୁ ସନ୍ତାପ ଯେ ତାହାର ଛାଡ଼ିଗଲା ।୩୪୧।

ବୋଲଇ ମହୀପତି ଶୁଣ ହୋ ବ୍ୟାସଋଷି

ମୁହିଂ ପଛେ ମରଇ ମୋହୋର ହୋଉ ବାଳଶିଷି ।୩୪୨।

କୁଲକଇଂ କାରଣ ସେ ପାଳିବ ପ୍ରଜାଜନ

ୟେ ଅଯୋଧ୍ୟା ସୂର୍ଯ୍ୟବଂଶ ରହିବ ସେ ହୋଇବ ରାଜନ ।୩୪୩।

ଯଦ୍ୟପି ସାନନ୍ଦ ସେ ହୋଇଲା ମହୀପତ୍ୟେ

ପିତା କି ସହି ପାରଇ ଗର୍ଭର ଭାରା ଯେତେ ।୩୪୪।

ମାତ ସିନା ପୁତ୍ରର ଅଟଇ ଗର୍ଭଧାରୀ

ସେହି ସେ ସହି ପାରଇ ଗର୍ଭର ଆର୍ଦ୍ଦୋଳି ।୩୪୫।

କ୍ଷଣେ ସାଷ୍ଟାମ ରାଜା କ୍ଷଣକେ ଅଶକତ

କ୍ଷଣେ କ୍ଷଣେ ଅଚେତ ରାଜା ପଡ଼ଇ ଭୂମିଗତ ।୩୪୬।

ଚମକ ପଡ଼ିଲା ଯେ ଅଯୋଧ୍ୟା ରାଜ୍ୟର

ଭୋ ବେଦବ୍ୟାସେ ମୁଂ ୟେଥୁଂ କେମନ୍ତେ ହୋଇବି ଯେ ପାର ।୩୪୭।

ବ୍ୟାସେ ବୋଇଲେ ରାଜା ତୁ ପାଇଲୁନି କାରଣ

ଜୀବନ୍ତେ ମୁକ୍ତ ୟେବେ ବିଷ୍ଣୁ ପୁରାଣ ଶୁଣ ।୩୪୮।

କହନ୍ତି ବ୍ୟାସେ ଯେ ଭୂତ ଭବିଷ୍ୟ ଗ୍ୟାଂତା

ସମରାଜ୍ୟ ଲୋକ ଘେନି ଯୁବନାଶ୍ୟ ରାଜା ହୋଇଲାକ ଶ୍ରୋତା ।୩୪୯।

ସପ୍ତମ ମାସେ ରାଜାର ହୋଇଲାକ ଗର୍ଭ ମହାଭାରି

କ୍ଷଣ କ୍ଷଣକେ ମୋହଗତ ରାଜା ସହିତ ନୁଆରି ।୩୫୦।

ନବଶତ ରାଣୀ ରାଜାର ଅନ୍ତପୁର ଭରିଯା

ଅନୁବ୍ରତେ ରାଣୀମାନେ ଖଟନ୍ତି ପରିଚର୍ଯ୍ୟା ।୩୫୧।

ମକର କୁମ୍ଭ ମୀନ ମେଷ ବୃଷ ମିଥୁନ କକଡ଼ା ମାସେ

ଶ୍ରାବଣ ଶୁକ୍ଲପକ୍ଷ ଦଶମୀର ଦିବସେ ।୩୫୨।

ପଣ୍ତିତ ବାର ଯେ ଶ୍ରବଣା ନକ୍ଷତ୍ରେ

ବାଣିଜ୍ୟ ନାମେ କରଣ ଇନ୍ଦ୍ରଯୋଗ ସହିତେ ।୩୫୩।

ପଞ୍ଚମେଣ ଭୃଗୁ ଯେ ଚତୁର୍ଥେଣ ବୃହସ୍ପତି

ତାରଚନ୍ଦ୍ର ୟେକଯୋଗ ରୋହିଣୀରେ ପ୍ରୀତି ।୩୫୪।

ମହା ପଣ୍ତିତ ପୁତ୍ରେ ସେ ଯୋଗଲଗ୍ନ ବିଚାରି

ଦଶଦଣ୍ତ ରାତ୍ର ସେ ସମ୍ପୂର୍ଣ୍ଣ ପାଞ୍ଚଘଡ଼ି ।୩୫୫।

ଉଂକାରି ସବଦ ଯେ ଗର୍ଜନ ନାଦ କରି

ଜନ୍ମ ହୋଇଲା ପୁତ୍ର ଯେ ପଞ୍ଜରା ବିଦାରି ।୩୫୬।

ମହା ବଳବନ୍ତା ଯହିଂ କୁମର ଜନ୍ମ ହୋଇଲା

ଯୁବନାଶ୍ଵ ରାଜା ପୁତ୍ରକଇଂ ଦେଖି ପ୍ରାଣ ବିସର୍ଜିଲା ।୩୫୭।

ଅନ୍ତପୁରୁଂ ରାଜାକୁ କାଢ଼ିନେଲେ ଯାଇଂ

ବଶିଷ୍ଠେ ବାଲମ୍ଵିକେ ସମ୍ଭାଳିଲେ ଆତ୍ମଜଇଂ ।୩୫୮।

ରାଜାକୁ ଦହନ କଲେ ନେଇ ଶମଶାନେ

ପୁତ୍ର ପ୍ରତି ପାଳିଲେ ପ୍ରୋହିତ ମନ୍ତ୍ରୀମାନେ ।୩୫୯।

ମାତା ନାହିଂ , ଧାତାର ମନ୍ତ୍ରବଳେ ଯାତ

ତେଣୁ ମାନଧାତା ନାମ ଦିଲେ ବଶିଷ୍ଠ ପ୍ରୋହିତ ।୩୬୦।

ସେ ମାନଧାତା ରାଜା ଇଛାକୁରୁ ବଂଶେ ଉଦେ

ସତ୍ୟଯୁଗେ ଚାରିଲକ୍ଷ ବରଷ ରାଜା ରାଜ୍ୟକଲା ହାଦେ ।୩୬୧।

ଶୁଣ ହୋ ଯୁଝେଷ୍ଠି ମାଘମାସର ମାହାତ୍ମ୍ୟ

ଧର୍ମ ଅର୍ଥ କାମ ମୋକ୍ଷ ୟେଥେଂ ପ୍ରାପତ ଚଉଧର୍ମ ।୩୬୨।

ମକର ସ୍ରାହାନ ଫଳେ ସେ ମାନଧାତା ଚକ୍ରବ୍ରତୀ

ମହା ପ୍ରତାପୀ ହୋଇଲା ସେ ପୃଥୀରେ ୟେକକ୍ଷେତ୍ରୀ ।୩୬୩।

ଉତ୍ତର କୋଶଳେ ସେ ଯେ ଅଯୋଧ୍ୟା ନଗ୍ର ପୁରୀ

ବାଳୁତ ଆଦିକରି ମକର ସ୍ରାହାନ କରି ।୩୬୪।

ସପତ ଦ୍ଵୀପ ବହନ କଲା କୃତକେଶୀ

ଉତ୍ତର କୋଶଳେ ସେ ପ୍ରବେଶ ହେଲା ଆସି ।୩୬୫।

ସେ ରାଜ୍ୟେଣ ପଶି ସେ ଲଗାଇଲା ବହତି

ସେ ରାଜ୍ୟେ ନ ଲାଗିଲା ଅଗ୍ନିତେଜ ଜ୍ୟୋତି ।୩୬୬।

ଯହୁଂ ଜୁଇ ଲଗାଇଲେ ରାଜ୍ୟ ନ ପୋଡ଼ିଲା

ତହୁଂ ସେ ଅଯୋଧ୍ୟା ନାମେ ନଗ୍ରେକ ହୋଇଲା ।୩୬୭।

ଯୁଝେଷ୍ଠି ବୋଇଲା ଶୁଣ ହୋ ମାରକଣ୍ତ ଯତି

କେଉଂଣ ପ୍ରତଗ୍ୟାଂ କଲା ମାନଧାତା ଚକ୍ରବ୍ରତୀ ।୩୬୮।

ମାରକଣ୍ତେ ବୋଇଲେ ଧର୍ମରାଜାର ବଚନେ

ରାଣୀମାନେ ମାନଧାତାକଇଂ ପାଳନ୍ତି ଅତି ଯତ୍ନେ ।୩୬୯।

ଶତଚନ୍ଦ୍ର ଜ୍ୟୋତି ଆଦିତ୍ୟ ତେଜ ଦିଶି

ପ୍ରବାହ ବାବୁ ଚଞ୍ଚଳ ମେଘର ବର୍ଣ୍ଣ ପରକାଶି ।୩୭୦।

ତ୍ରଇଲୋକ୍ୟ ମୋହେ ସେ ମାନଧାତାର ଯେ ରୂପ

ତେଜେଣ ବଶ୍ୟାନର ସେ ରୂପେଣ କନ୍ଦର୍ପ ।୩୭୧।

ପ୍ରଚଣ୍ତାବଳୀ କି ମଘବାନ ଦିଲେକ ପଠିଆଇ

ମହାଛତ୍ରୀ ବିଦ୍ୟା ତୁ ମାନଧାତାକଇଂ ଆସ ଯା ଶିଖାଇ ।୩୭୨।

ବାସବର ଆଗ୍ୟାଂ ପାଇ ସେ ପ୍ରଚଣ୍ତାବଳୀ

ବାଣେ ବାଣେଶ୍ଵର ସେ ସିଧାଇ ମହାବଳୀ ।୩୭୩।

ବହୁତ ଶାହାସ୍ରେ ସେ ହୋଇଲେ ଜଗୁଜିତା

ଗର୍ନ୍ଧବ ବିଦ୍ୟା ସେ ଶିଖାଇଲେ ମହଗ୍ୟାଂତା ।୩୭୪।

ଦ୍ଵାଦଶ ବରଷ ଯହୁଂ କୁମର ବଢ଼ିଲେ

ଭାଗ୍ୟବର ଆସି ସେ ଯେ ପ୍ରସନ୍ନ ହୋଇଲେ ।୩୭୫।

ଧନୁ ଶହସ୍ର ଗଦାବିଦ୍ୟା ମାଲ ଯେ ବିନ୍ଧାଣ

ୟେମାନ ଶିଖାଇଲେ ପ୍ରବଳ ବ୍ରାହ୍ମଣ ।୩୭୬।

ପଞ୍ଚଦଶ ବରଷେ ସେ ମାନଧାତା ମହାଯୋଧୀ

କଳା ମେଘା ଅଶ୍ଵ ଚଢ଼ି ସେ ବନସ୍ତେଣ ଖେଦି ।୩୭୭।

ଦୁଷ୍ଟକୁ ନାଶି ସେ ଦିଗ ବିଜୟେର ମଧ୍ୟେ

ମହା ମହା ଯୋଦ୍ଧାମାନନ୍ତ ଜିଣଇ ସେ ରଣ ସାଧ୍ୟେ ।୩୭୮।

ଶୁଣ ହେ ଯୁଝେଷ୍ଠି କହନ୍ତି ମାରକଣ୍ତ ଯତି

ଦାନେ ଗୁରୁ ପୁଣ୍ୟେ ସେ ମହାଚକ୍ରବ୍ରତୀ ।୩୭୯।

ବାହୁ ବଳ ପ୍ରାକମେ ଅଟଇ ସେ ରାଜା

ଦୟାଶୀଳ ସେ ପାଳଇ ଜନ ପ୍ରଜା ।୩୮୦।

ଦେବ ପିତୃଗଣେ ବ୍ରାହ୍ମଣେ ଭଗତ

ଯାଗ ଯଗ୍ୟଂ କରି ସେ ପାଳଇ ସମସ୍ତ ।୩୮୧।

ଯାହାର ଯିସ ବାଞ୍ଚ୍ଥା ପାଳନ୍ତି ଜାଣ ମେଘେ

ନିଷ୍କଣ୍ଟକ ରାଜ୍ୟ କରଇ ମାହେନ୍ଦ୍ର ମହାଯୋଗେ ।୩୮୨।

ସୋମବଂଶର ରାଜା ଭୁମନ୍ୟୁ ନରପତି

ତାହାର ଭାରିଯା ନାମ ଅଟଇ ଇନ୍ଦୁମତୀ ।୩୮୩।

ଲୀଳା କମଳା ବୋଲି ତାହାର ଦୁହିତା

ସେ ବେନିକନ୍ୟା ପ୍ରଦାନ ହୋଇଲେ ମାନଧାତା ।୩୮୪।

ସନ୍ୟ ଶଖା ମଧ୍ୟରେ ଚଳାଇଲେ ବଳ

ୟେକଛତ୍ରୀ ଅଟଇ ସେ ଭ୍ରମଇ ମହୀପାଳ ।୩୮୫।

ବ୍ରହ୍ମାୟେ ଦିଲେ ସେ ଚନ୍ଦ୍ରମଣ୍ତଳ ଧନୁ

ଯେବଣ ଧନୁ ନିର୍ମିତ କଲେକ ଶତମନୁ ।୩୮୬।

ସେ ଧନୁ ଘେନିଣ ରାଜା ଭ୍ରମଇ ତିନିଭୁବନ

ମାରଇ ପିଚାଶ ରାକ୍ଷସ ଜୀବମାନ ।୩୮୭।

ମୃଗୟା କରନ୍ତେ ଦେଖିଲେ କର୍ଣ୍ଣକୂଟ ଗିରି

ତିନି ଯୋଜନ ଆୟତନ ଉଛର୍ଗ ଯୋଜନ ଚାରି ।୩୮୮।

ପ୍ରତଗ୍ୟାଂୟେ ଶହସ୍ର ବିନ୍ଧିଲେ ମାନଧାତା

ସେ ପର୍ବତ ଫୁଟି ଶହସ୍ର ଗଲା ଅନ୍ତର୍ଗତା ।୩୮୯।

ବିବୁଧେ ସାଧୁ ସାଧୁ କଲେ ମାନଧାତାର ଶର ଦେଖି

ସାଧୁ ସାଧୁ ହୋ ମାନଧାତା ଆମ୍ଭକଇଂ ପାରିବୁ ତୁ ରଖି ।୩୯୦।

ତ୍ରିଦଶ ଲୋକେ ବସିଲେ ମେରୁପୁଷ୍ଠେ

ନାରଦକଇଂ ରାଇ ବୋଇଲେ ସୁରଶ୍ରେଷ୍ଠେ ।୩୯୧।

ମାତଳିକି ରାଇ ଆଗ୍ୟାଂ ଦିଲେ ପୁରନ୍ଦର

ପୁଷ୍ୟେକ ରଥ ବସାଇ ମାନଧାତାକୁ ଆମ ମୋର ପୁର ।୩୯୨।

ଇନ୍ଦ୍ରର ବଚନେ ମାତଳି ଚଳଇ ବହନେ

ପ୍ରବେଶ ହୋଇଲେ ଯାଇଂ ମାନଧାତା ରାଜାର ସନ୍ନିଧାନେ ।୩୯୩।

ଦେବଦୂତ ଦେଖି ମାନଧାତା କରଇ ପୂଜା

ବିନୟ ଭାବେ କୁଶଳ ପୁଛଇ ରାଜା ।୩୯୪।

ମାତଳି ବୋଇଲେ ଶୁଣ ତୁରେ ବାବୁ

ୟେ ପୁଷ୍ୟେକ ରଥେ ତୁ ଦେବସଭାକୁ ଯିବୁ ।୩୯୫।

ପୁଷ୍ୟେକ ଚଢ଼ି ସେ ମାନଧାତା ମେରୁ ଆଶ୍ରମେ

ବ୍ରହ୍ମାକଇଂ ଦେଖି ପ୍ରଣ୍ୟପତ୍ୟ ହୋଇଲା ପ୍ରଥମେ ।୩୯୬।

ବାସେବ ଚନ୍ଦ୍ର ପବନ ସୂର୍ଯ୍ୟ ଆଦିକରି

ପ୍ରଣପତ୍ୟ ମାନଧାତା ବିବୁଧାଦିଂକ ଚରଣେ ପଡ଼ି ।୩୯୭।

ବାସବ ବଦନ୍ତି ତୁ ପବିତ୍ର ସୂର୍ଯ୍ୟବଂଶୀ

ଈଶ୍ଵର ବର ପ୍ରସାଦେ ଆମ୍ଭକଇଂ ରାବଣ ଧ୍ଵଂସି ।୩୯୮।

ତ୍ରଇଲୋକ୍ୟର ରକ୍ଷାପାଳ ତୁ ଆଜହୁଂ ହୋଇବୁ

ରାବଣରୁ ଭୟରୁ ସମୟେ ରଖିବୁ ।୩୯୯।

ସୋମବଂଶ ନରପତି ପୁରରବା ଥିଲା

ରାବଣର ଭୟରୁ ସେ ଆମ୍ଭନ୍ତ ରଖିଲା ।୪୦୦।

ପୁଣ ସେହି ବଂସରେ ଜାତ ହୋଇଲା ଯଯାତି

ଲକ୍ଷେ ଷାଠିୟେ ଶହସ୍ର ବର୍ଷ ଖଟିଲା ଦିବାରାତି ।୪୦୧।

ତୋହୋର ଉପର ବଂଶେ ଦିଲୀପ ରାୟେ ଥିଲା

ସେ ଆମ୍ଭଂକୁ ଅସୁର ଭୟରୁ ପାରକଲା ।୪୦୨।

ସେହି ସୂର୍ଯ୍ୟବଂଶରେ ତୁ ଉପୁଜିଲୁ ମାନଧାତା

କର୍ଣ୍ଣକୂଟ ପର୍ବତ ବିନ୍ଧିଲୁ ଦେଖିଲୁଂ ସେ ତୋହୋର ଯୋଗ୍ୟତା ।୪୦୩।

ତୋହୋରେଣ ନିଶ୍ଚିନ୍ତେ ଥିବୁ ଯେ ଆମ୍ଭେ ସ୍ଵର୍ଗେ

ଆଜହୁଂ ରକ୍ଷା କରିବୁ ଭୁବନ ସ୍ଵର୍ଗ ସ୍ଵଭାବେ ।୪୦୪।

ମାନଧାତା ବୋଇଲା ମୁଂ ରଖିବି ତ୍ରଇଲୋକ

ସମୁଦ୍ର ପାର ନୋହିବ ରାବଣ କଉଣୋପ ।୪୦୫।

ଶୁଣିଣ ସାନନ୍ଦ ଯେ ହୋଇଲେ ଜମ୍ଵୁଭେଦୀ

ଆପଣାର ଅଭିଷେକ ମୁକୁଟ ନେଇ ମାନଧାତା ଶିରେ ବାନ୍ଧି ।୪୦୬।

ଶିରରେ ସୀମନ୍ଥିନୀ ଯେ ବାହୁଟି ଜଗଦଳା

କର୍ଣ୍ଣେ କର୍ଣ୍ଣାଞ୍ଚଳ କୁଣ୍ତଳ ହୃଦରେ ବନମାଳା ।୪୦୭।

ଶ୍ରୀଭୁଜେ ଶ୍ରୀପୟରେ ନାନା ବେଶ ଅଳଂକାର ନେଇ

ଅଜଙ୍ଗ ଧନୁ ଅକ୍ଷୟେ ତ୍ରୋଣ ଦିଲେ ନେଇ ।୪୦୮।

ଖେଚରୀ ବିବାନ ଯେ ଦୁର୍ଗାଂକ ତହିଂ ଥିଲା ବେଦବର ମାଗିକରି ମାନଧାତାକଇଂ ଦିଲା ।୪୦୯।

ବ୍ରହ୍ମାୟେ ସମର୍ପିଲେ ବ୍ରହ୍ମ ଯେ ଶକତି

ବଜ୍ର ମୁଦୁଗର ନେଇ ବଇଶ୍ୟାନରେ ଦିଅନ୍ତି ।୪୧୦।

ହେମାବଳୀ ଗଦା ଚନ୍ଦ୍ର ଦେବତା ଦିଲେ

ସୂର୍ଯ୍ୟବ୍ରତେକ ଚକ୍ର ଆଦିତ୍ୟ ସମର୍ପିଲେ ।୪୧୧।

କାଳଫାଶୀ କାଳଗଦା ନାଶକର ସେହୁ ପୁଣି

ଜନ୍ତୁନାଥ ପୂଜା କଲା ବହୁତ ଶସ୍ର ଘେନି ।୪୧୨।

ଧାତା ବୋଇଲେ ତୋତେ ଦେଲି ଦିବା ଚକ୍ଷୁ

ଅମୃତ ହୋଇବ ତୁ ଯେତେ ଦ୍ରବ୍ୟ ଭକ୍ଷୁ ।୪୧୩।

ଦେବତାଂକର ଘରେ ମାନଧାତା ସର୍ବ ଦେଖି

ୟେକ ଯୁଦ୍ଧକେ ତ୍ରଇଲୋକ୍ୟ ଯାକ ରଖି ।୪୧୪।

ଦିନେକ ରାବଣ ଲଂକାରେ ବସି

ଦିନ ଅନକୂଳ କହ ବିଭୀଷଣକୁ ରୋଷି ।୪୧୫।

ଦେବଦଳନ ରଥ ସାଜିଲା କୁମୁଦ ସାରଥି

ଅହିବ୍ରତେକ ରଥ ସାଜିଲା ଦକ୍ଷିଣ ମୂରତି ।୪୧୬।

ସମଦଣ୍ତ ସାଜିଲା ଶୁଭଲଗ୍ନ ବେଳା

ସଦାଶିବକଇଂ ସୁମରି ରାବଣ ରଥରେ ବସିଲା ।୪୧୭।

ବତିଶ ଅଂକୁଶ ଯେ ରାବଣର ସଇନି

ଉଲୁକାପାତ ପରାୟେ ଦିଶିଲା ମେଦିନୀ ।୪୧୮।

ଦେବତାୟେ ପଠାଇଲେ ମାତଳିକି ରାଇ

ରାବଣ ବିଜେକଲା ବୋଲି କହ ମାନଧାତାକଇଂ ଯାଇଂ ।୪୧୯।

ପୁଷ୍ୟେକ ଚଢ଼ି ସେ ବିଜୟେ ଦେବଦୂତ

ରାବଣ ଦିଗବିଜେ ତୁ ସମ୍ଭାଳି ତୁରିତ ।୪୨୦।

ଯାଇ କହ ଆକାଶେ ଦେବେ ଥାନ୍ତୁ ସୁସ୍ଥେ

ମାନଧାତା ବିଜେକଲା ଉଚ ଯେ ପର୍ବତେ ।୪୨୧।

ମଥାରେ ଜଟା ଶୋଭାବନ କରେଣ କୋଦଣ୍ତ

ଶରୀରେ ଭସ୍ମ ଭୂଷିତ ତେଜ ଯେ ମାରଦଣ୍ତ ।୪୨୨।

ଅକ୍ଷୟେ ତ୍ରୋଣ ଧନୁ ଘେନି ମାନଧାତା ହୋଇଅଛି ଉଭା

ୟେକା ଉଭା ହୋଇଅଛି ଯେସନେ ଚନ୍ଦ୍ର ପ୍ରାୟେ ଶୋଭା ।୪୨୩।

ୟେଥୁ ଅନନ୍ତରେ ରାବଣର ସଇନି

ଚରଣ ଧୂଳି ଘାୟେ ଆଦିତ୍ୟ ଅସ୍ତ ହୋଇଲେକ ପୁଣି ।୪୨୪।

ରାବଣରଇଂ କହଇ ସେ ବିଭୀଷଣ ମନ୍ତ୍ରୀ

ସ୍ଵାମୀ ସଉରୋଭ ପର୍ବତେ ମାନଧାତା ଯେ ଅଛନ୍ତି ।୪୨୫।

ତାହାର ଆଶ୍ରମ ଛାଡ଼ି ଦିଗବିଜେ କରିବା

ମାନଧାତା କାହିଂ ଅଛି ମୋତେ ଦେଖାଇଣ ଦେବା ।୪୨୬।

ବିଭୀଷଣ କହଇ ସେ ନିଷ୍କଳଂକ ସୂର୍ଯ୍ୟବଂଶୀ

ମାନଧାତା ଉତ୍ପତ୍ତି ସେ ଯୁବନାଶ୍ଵର ଶିଷି ।୪୨୭।

କର୍ଣ୍ଣକୂଟ ପର୍ବତ ସେ ବିନ୍ଧିଲାକ ବଳେ

ଗଙ୍ଗା ବହି ଆସୁଛନ୍ତି ସେ ପର୍ବତର ତଳେ ।୪୨୮।

ରାବଣ ବୋଇଲା ମୁଂ ଜଗତରେ ଜିତା

ମୋ ତହୁଂ ପୃଥିବୀରେ କେ ଅଛି ସାମରଥା ।୪୨୯।

ଆବର ଦିଗବିଜେ ମୁଂ ନ ଡରଇ ତାହା

ସେ ମାନଧାତା ତହିଂକି ରଥ ମୋର ବାହା ।୪୩୦।

ବିଭୀଷଣ ବୋଇଲା ବିଚାରି ଆଗ୍ୟାଂ ଦେବା

ତୋହୋର ବାହୁବଳେ ତ୍ରିଭୁବନେ ତୋତେ କରନ୍ତି ସେବା ।୪୩୧।

ମାରକଣ୍ତ ବୋଲନ୍ତି ତୁ ଶୁଣ ଧର୍ମରାଜା

ଜମ୍ଵୁମାଳୀକି ବୋଇଲା ତୁ ବହନ ହୋଇ ଯାଅ ଯା ।୪୩୨।

ରାବଣର ଆଗ୍ୟାଂ ୟେ ଜମ୍ଵୁମାଳୀ ମାନଧାଥାକଇଂ ଭେଟି

ବିଚାରି ବୋଲଇ ୟେ ତପୋଧନ ବେଶଟି ।୪୩୩।

ୟେତେକ ବିଚାରି ସେ ଶହସ୍ର କଲା ବୃଷ୍ଟି

ୟେ ତୋପଧନର ମାୟେଂସ ଖାଇଲେ ଶରୀର ହୋଇବ ତୁଷ୍ଟି ।୪୩୪।

ରାଗେଣ ଶହସ୍ର ସେ ବିନ୍ଧିଲା ଜମ୍ଵୁମାଳୀ

ମାନଧାତା ଶିରେ ପଡ଼ି ଶର ହୋଇଗଲା ଧୂଳି ।୪୩୫।

ବଜ୍ରମୁନା ଶରେକ ମାନଧାତା ବିନ୍ଧି

ଜମ୍ଵୁମାଳୀର ଶିରେ ମାନଧାତା ଶର ଭେଦି ।୪୩୬।

ଘାୟେଣ ଅସାଷ୍ଟମ ସେ ହୋଇଲା ଦନୁଜା

ଧାମଇଂ ଅକ୍ଷୟକୁମାର ରାବଣ ଆତ୍ମଜା ।୪୩୭।

ଅକ୍ଷୟ କୁମାରକଇଂ ଶରେକ ପୂରୋଇ

ମାନଧାତା ସଂହରି ରହିଲା ସେହିଠାଇଂ ।୪୩୮।

ବାହୁଡ଼ି ରାବଣ ଆଗେ କହିଲା ଅକ୍ଷୟେ

ମନୁଷ୍ୟ ଶରୀର ତ ନୋହଇ ତାର କାୟେ ।୪୩୯।

ଯେ ବାଣ ସହି ନୁଆରନ୍ତି ଦେବତାୟେ

ସେ ବାଣ ସଂହାରଣ କଲା ତାର କାୟେ ।୪୪୦।

ଅକ୍ଷୟ ବଚନ ଶୁଣି ଆପଣେ ରାବଣ ଉଠି

ବଂଶଭୁଜେ ଧନୁ ଧରି କରଇ ଶରବୃଷ୍ଟି ।୪୪୧।

ବ୍ରହ୍ମ ଶହସ୍ର ଯେ ବିନ୍ଧିଲା ମାନଧାତା

ରାବଣର ଶହସ୍ରମାନ ହୋଇଲା ନାଶାଂଗତା ।୪୪୨।

ଶଙ୍କଚିଲର ପଛୀ ଲୋହାର ଦଶବାଣ

ମାନଧାତା ଉପରକୁ ବିନ୍ଧିଲା ରାବଣ ।୪୪୩।

ହୃଦରେ ବାଣ ଯେ ପଡ଼ିଲା ତାହାର

ଅଗ୍ନି ବାହାର ହୋଇଲା ଝଣତ୍କାର ।୪୪୪।

ଅସାଷ୍ଟମ ବାଣ ଯେ ମାଇଲା ଲଂକପତି

ମାନଧାତା ଦେହେଂ ପଡ଼ି ହୋଇଲା ବିନଶ୍ଵତି ।୪୪୫।

ପୁଣ ବେନିଲକ୍ଷ ବାଣ ରାବଣେଶ୍ଵର ପେକ୍ଷି

ମାନଧତା ଦେହେଂ ପଡ଼ି ହୋଇଲା ସର୍ବ ଧ୍ଵଂସି ।୪୪୬।

ପଞ୍ଚବେଳ ଶହସ୍ର ପେଷିଲାକ ରାଜା

ମୋହୋର ଶହସ୍ର ସମ୍ଭାଳ ବୋଲି ମାନଧାତା କଲାକ ପହିଜା ।୪୪୭।

ଚନ୍ଦ୍ରମଣ୍ତଳ ଧନୁ ବୀର ଧଇଲାକ ହାଥେ

ଅମୋହ ଶକତି ଗୋଟାୟେ ଧରି ମାନଧାତେ ।୪୪୮।

ମନ୍ତ୍ରିଣ ଧନୁରେ ବସାନ୍ତେ ଶକ୍ତି ହୋଇଲା ଶତେ

ଉଛୁଡ଼ନ୍ତେ ଶକତି ହୋଇଲା ସହସ୍ରେ ।୪୪୯।

ପୂରାବନ୍ତେ ଧନୁରେ କୋଟିୟେ ମୂରତି

ତିମିର ଦିଦାରଇ କି ଦିନକର ଜ୍ୟୋତି ।୪୫୦।

ବିନ୍ଧନ୍ତେଣ ହୋଇଲା କୋଟି କୋଟି ରଶ୍ମି

ତେଜରେ ରାବଣ ରଥ ହୋଇଲାକ ଧ୍ଵଂସି ।୪୫୧।

ମହାତେଜ ଦେଖିଣ ଭାଜିଲେ କଉଣୋପେ

ରାବଣ ପଳାଇଲା ନିଦ୍ରାଘ ତେଜ ଦର୍ପେ ।୪୫୨।

ରାବଣ ପଳାବନ୍ତେ ଘୁଞ୍ଚିଲେ ସଇନି

ପାଦଗତି ହୋଇ ପଳାଇ ଅନ୍ୟୋଅନ୍ଵି ।୪୫୩।

ଗୋଡ଼ାଇଣ ମାନଧାତା ଧଇଲା ରାବଣକୁ

ଭୟେଣ ରାବଣ ବୋଇଲା ଶରଣ ପଶୁଛି ତୁକୁ ।୪୫୪।

ୟେ ବଚନ ଶୁଣି ମାନଧାତା ଛାଡ଼ିଲା ତାର ଭୁଜ

ପଳାଇ ନୁଆରି ସେ ରାବଣ ଦନୁଜ ।୪୫୫।

ରାବଣ ବୋଇଲା ସ୍ଵାମୀ ଲଂକାକୁ ମୁଂ ଯିବି

ତୁ ଯାହା ବୋଲିବୁ ମୁଂ ତାହାହିଂ କରିବି ।୪୫୬।

ମାନଧାତା ବୋଇଲେ ମୋର କ୍ଷେମ ଯେତେଦିନ ୟେ ମହୀମଣ୍ତଳେ

ତୁ ଆଉ ବିଜେ କରିବୁ ନାହିଂ ତ୍ରଇଲୋକ୍ୟ ସ୍ଥଳେ ।୪୫୭।

ରାବଣ ବୋଇଲା ମୁଂ ନ ଛାଡ଼ିବି ଲଂକା

ତୋହୋର ରାଜ୍ୟକଇଂ ମୋହୋର ବଡ଼ାଇ ଯେ ଶଂକା ।୪୫୮।

ଆକାଶକଇଂ ଦିଗବିଜେ କରିବଇଂ ମୁହିଂ

ମହେଶ୍ଵର ପଦ ମୋତେ ଈଶ୍ଵରେ ଛନ୍ତି ଦେଇ ।୪୫୯।

ଆରେ ରାବଣ ତୋତେ ବୋଇଲା କପାଳୀ

ମହେଶ୍ଵର ପଦ ତୁ ନୁଆରିଲୁ ପାଳି ।୪୬୦।

ତ୍ରିଦଶ୍ୟ ଦେବତାୟେ ଯେ ନ ଭଜିଲେ ତୋତେ

ତ୍ରଇଲୋକ୍ୟ ରକ୍ଷା ପାଳକ ବୋଲି ଆଗ୍ୟାଂଦିଲେ ମୋତେ ।୪୬୧।

ଲଂକା ଭୁବନୁ ତୁ ବାହାର ହୋଇଲେ

ଅବଶ୍ୟ ମୁଣ୍ତ କାଟିବି ତୁ ଶରଣ ପଶିଲେ ।୪୬୨।

ସଦାଶିବର ଗଣପୁତ୍ର ବୋଲି ତୋତେ ରକ୍ଷାକଲି ବେଳେ

ରଖିଲି ଜୀବନ ତୋର ପଳା ବୋଲି ଛାଡ଼ିଲେ ତାର ବାଳେ ।୪୬୩।

ପଳାଇ ରାବଣ ଯାଇ ଲଂକାଗଡ଼େ ପଶି

ମନେ ସୁମରଇ ସେ ବିଶ୍ଵେଶ୍ଵର କାଶୀ ।୪୬୪।

ବୃଷଭରେ ମିଳିଲେ ଦେବ ସେ ଲଂକା ଭୁବନେ

ରାବଣ ପ୍ରଣପତ୍ୟ ଦେବ ତ୍ରିଲୋଚନେ ।୪୬୫।

ଶ୍ରୋଣିତ ପ୍ରାୟେ ଲୁଅ ବୋହଇ ଲୋଚନୁଂ

ଦଣ୍ତ ପ୍ରଣପତ୍ୟେ ଶୁତିଲା ଦଶାନନୁ ।୪୬୬।

ବୋଇଲୁ ଭୋ ସ୍ଵାମୀ ମୁଂ ଯେ ଜଗତର ପିତା

ଆଜ ସମରେ ମୋତେ ମାରୁଥିଲା ମାନଧାତା ।୪୬୭।

ଈଶ୍ଵର ବୋଇଲେ ଦେବତାୟେ ଶହସ୍ର ଦିଲେ

ତ୍ରଇଲୋକ୍ୟେ ରକ୍ଷା ପାଳକ ହୋଅ ବୋଲିଣ ବୋଇଲେ ।୪୬୮।

ତୁ ମାନଧାତାର ତୁଲେ ଦ୍ଵନ୍ଦ ନ କରିବୁ ବାବା

ନରେ ବାନରେ ତୋର ମୃତୁ ବୋଲନ୍ତି ରୁଦ୍ରଦେବା ।୪୬୯।

ୟେକାଦଶ ଲୋକ ଜିଣିମାକୁ ନ ମାଗିଲୁ

ଦଶଲୋକ ବୋଇଲୁ ନର ବାନରେ ଖାଦ୍ୟ ମଣିଲୁ ।୪୭୦।

ମନୁଷ୍ୟ ଅବତାର ମାନଧାତା ସୂର୍ଯ୍ୟବଂଶୀ

ଦେବତାନ୍ତ ଜିଣିମୁଂ ମାନବେ ହେବୁ ଧ୍ଵଂସି ।୪୭୧।

କହିଣ ସଦାନନ୍ଦେ ଗଲେକ କପିଳାସେ

ରାବଣ ବୋଇଲା ସନ୍ୟ ସଜାଅ ଆକାଶେ ।୪୭୨।

ବିଭୀଷଣ ବୋଇଲା ସମୟେକ ରହିବା

ଇନ୍ଦ୍ରକଇଂ ଶ୍ରୀମୁଖ ଦେଇ ଦୂତ ବରଗିବା ।୪୭୩।

ପାରୁଶକୁ ରାଇ ବୋଲଇ ଦଶାନନ

ଅମରକୁ ଶ୍ରୀମୁଖ ତୁ ଲେଖ ହୋ ବହନ ।୪୭୪।

ପ୍ରତଗ୍ୟାଂ ସାମରଥ କରି ହୋଇଲା ଲେଖନ

ମୁଦା ସନ୍ତକ ଦେଇ ଦୂତ ପେଷିଲା ରାବଣ ।୪୭୫।

ଆଗ୍ୟାଂ ଦେଇଣ ସେ ପେଶିଲା ଦୂତକାରୀ

ଶ୍ରୀମୁଖ ଘେନିଣ ଅସୁରେ ଗଲେ ସ୍ଵର୍ଗପୁରୀ ।୪୭୬।

ସମ୍ଭର ଆସ୍ତାନେ ଯେ ବିଜୟେ ପୁରୁହୁତେ

ଭରହର ଖଟଣି ଲାଗିଛି ସମସ୍ତ ସଙ୍ଗତେ ।୪୭୭।

ନୃତ୍ୟରଙ୍ଗେ ବୀଣା ବଇଂଶୀ ବାଦ୍ୟକାରୀ

ସମସ୍ତ ଅପସରା ସଭାରେ ବିଜେକରି ।୪୭୮।

ୟେମନ୍ତର ସମୟେ ରାବଣ ଦୂତମାନେ

ଯାଇଂଣ ପ୍ରବେଶ ଯେ ଅମର ଆସ୍ତାନ ସନ୍ନିଧାନେ ।୪୭୯।

ବାସବକୁ ବୋଇଲେ ରେ ଓଲାହ ସହସ୍ରାକ୍ଷ

ପାୟେ ପଡ଼ି ଠାକୁରଂକ ଘେନରେ ଶ୍ରୀମୁଖ ।୪୮୦।

ବାସବ ବୋଇଲେ ତାର ବଶ ନୋହୁଂ ଦେବତାୟେ

ମାନଧାତା ନ ଥିଲା ପ୍ରାୟେ କି ବୁଝିଲୁ ଦଇତୟେ ।୪୮୧।

ଅସୁରେ ବୋଇଲେ ୟେହିକ୍ଷଣି ତୋତେ ନେମୁ ଧରି

କାହିଂ ତୋର ମାନଧାତା କେ ତୋତେ ରକ୍ଷା କରି ।୪୮୨।

ୟେତେ ବୋଲି ଆସ୍ଥାନକୁ ଉଠିଲେ ଦଇତେ

ପୁରନ୍ଦର ବୋଇଲେ ତୁ ନ ଉଠ ମାନଧାତା ଆନ ତୋତେ ।୪୮୩।

ଅମରାଧି ନାଥ ଯହୁଂ ଯହୁଂ ଆରତେ ଡାକ ଦିଲା

ଆହୋ ମାନଧାତା ରକ୍ଷାକର ବୋଲିଣ ବୋଇଲା ।୪୮୪।

ନିଦାଘ ଡାକ ଦିଲା ଅମର ଭୁବନେ

ନିଜ ଦେଶେ ଶୁଭିଲା ମାନଧାତା ନିଜ କର୍ଣ୍ଣେ ।୪୮୫।

ଦିବ୍ୟଚଛୁରେ ଯେ ଚାହିଂଲା ରାଜବତ୍ସେ

ଇନ୍ଦ୍ରକଇଂ କଟାଳ ପଡ଼ିଛି ଯୋଜନ ଲଛେ ।୪୮୬।

ମାନଧାତାର ଆଗେ ପୁରାଣ ପଢ଼ୁଥିଲେ ମାରକଣ୍ତେ

ଶୁଣୁଥିଲା ମାନଧାତା ପୁରାଣ ଆଦିକାଣ୍ତେ ।୪୮୭।

ଇନ୍ଦ୍ର ମଣ୍ତଳ ଧନୁ କରେ ନାରାଜ ପୁରୋଇ

ବୋଇଲା ରାବଣ ସେନାପତିର ମୁଣ୍ତ କାଟ ଯାଇଂ ।୪୮୮।

ଇନ୍ଦ୍ରକଇଂ କଟାଳ କରୁଅଛନ୍ତି ରାକ୍ଷସେ

ମାନଧାତାରେ ନାରାଜ ପଡ଼ିଲା ଅନ୍ତରୀଛେ ।୪୮୯।

କନ୍ଧେକ ସାରସା ଆବର ଭାଟ ମୋଟ

ବେନି ଅସୁରଂକର ଗଲା ଶିର କାଟ ।୪୯୦।

ମନ୍ଦର ପର୍ବତ ପ୍ରାୟେ ପଡ଼ିଲା ଅସୁରଂକ କାୟେ

ସାଧୁ ସାଧୁ ମାନଧାତା ବୋଲି ବୋଇଲେ ଦେବତାୟେ ।୪୯୧।

ମକର ଶୁକଳପକ୍ଷ ଚତୁର୍ଦ୍ଦଶୀ ସୋମବାରେ

ମଘା ନକ୍ଷତ୍ର ସେ ସଂକରାନ୍ତି ମକରେ ।୪୯୨।

ମାନଧାତା ଉତ୍ସବ ବୋଲି କରଇ ଦଇବତ ଇନ୍ଦ୍ର

ବ୍ରହ୍ମା ସହିତେ ସାନନ୍ଦ ସର୍ବ ଦେବବୃନ୍ଦ ।୪୯୩।

କହନ୍ତି ମହାତ୍ମା ସେ ଘଟଋଷିର ତନୁ

ଶୁଣନ୍ତି ଅପୂର୍ବ ରସ ବଇବସୁତ ମନୁ ।୪୯୪।

ଶୁଣ ହୋ ମହାରାଜା ମାନଧାତାର ମହିମାଂ

ତ୍ରଇଲୋକ୍ୟ ଜିଣିଣ ସେ ରୁହାଇଲା ସୀମା ।୪୯୫।

ତିନିଲକ୍ଷ ନଉ ସହସ୍ର ବରଷ ପରିଯନ୍ତେ

ମାନଧାତା ରାଜ୍ୟ କଲାକ ଯୁଗତେ ।୪୯୬।

ତ୍ରିଦଶ ଦେବତାୟେ ଯେ ଉତସଲ୍ୟ କାଳେ

କଲ୍ୟାଣ ବାଞ୍ଚ୍ଥା କରନ୍ତି ଦେବତା ସକଳେ ।୪୯୭।

ଚିର ଆଇଶ ମାନଧାତା ହୋଉ ସର୍ବକାଳେ

ୟେମନ୍ତ କଲ୍ୟାଣ ସେ କରନ୍ତି ଆଖଣ୍ତଳେ ।୪୯୮।

ଧାର୍ମିକ ବିବେକ ସେ ମର୍ଯ୍ୟାଦା ପଣ୍ତିତ

ଦେବତା ବ୍ରହ୍ମାଣେ ରାଜା ସର୍ବଦା ଭଗତ ।୪୯୯।

ଶୁଣ ହୋ ଯୁଝେଷ୍ଠି ଯେସନ ମକର ସ୍ରାହାନ କଥା

ମକରେ ମୃତୃ ହୋଇଲେ ଦଣ୍ତି ନ ପାରେଇ ଯେ ନାଶକର ଦେବତା ।୫୦୦।

ପଛିମ ଦେଶେ କୃତାନ୍ତେକ ନାମେ ନଗରୀ

କର୍ଣ୍ଣକେଶରୀ ବୋଲି ତହିଂର ଦଣ୍ତଧାରୀ ।୫୦୧।

ସେ ନଗ୍ରେ ଅଛଇ ଅମ୍ଵିକା ନାମେ ହାଡ଼ି

ମୃତୁ ପିଣ୍ତମାନ ସେ ଉଛିଷ୍ଟ ନିଅଇ କାଢ଼ି ।୫୦୨।

ପୂର୍ବର ପାତକେ ସେ ପାଇଲା ଘୋର ନର୍କଇ

ଚାଣ୍ତାଳ ଜନ୍ମ ହୋଇଣ ସେ ମକର ସ୍ରାହାନ କରଇ ।୫୦୩।

ଆହୋ ମକର ମାସ କୃଷ୍ଣପକ୍ଷ ଅମାବଇ ଦିନ

ଦାଣ୍ତେ ମେଞ୍ଜନ ସେ କରଇ ରନ୍ଧନ ।୫୦୪।

ଶ୍ଵାନେକ ମାରିଣ ମାୟେଂସ ତାର କେଳାଇ

ଗୋରୁଚର୍ମ ଗୋଟିୟେ ତାହାର ଉପରେ ଅଛଇ ଘୋଡ଼ାଇ ।୫୦୫।

ମନୁଷ୍ୟର ମୁଣ୍ତ ତିନିଗୋଟା ପଖାଚୁଲି କରି

ଗଦ୍ଦର୍ଭ ମୁଣ୍ତ ଖୋଳାରେ କୁକୁର ମାୟେଂସ ଭରି ।୫୦୬।

ମଦିରା ଫୁଟାୟେ ସେ ମାୟେଂସ ଅଛି ଲାଇ

ଅଇଂଠା ପତ୍ର ଜାଳି ସେ ମାୟେଂସ ସିଝାଇ ।୫୦୭।

ତହିଂ ଘୋଡ଼ାଇ ଅଛଇ ଗୋଚର୍ମ ପାଣ୍ତୋଇ ଖଣ୍ତେ

କଣ୍ତୁ ମହଋଷି ଯେ ରହିଲେ ତହିଂ ଦଣ୍ତେ ।୫୦୮।

ଋଷି ଯେ ବୋଇଲେ ସେ ଚାଣ୍ତାଳକୁ ଚାହିଂ

ୟେତେ ପରପଞ୍ଚ ଆମ୍ଭର ଦେଖିଲାତ ନାହିଂ ।୫୦୯।

ସେହି ଚାଣ୍ତାଳ ବୋଇଲା ଶୁଣିମା ମୁନି ହେ

ୟେହାକୁ ଘୋଡ଼ାଇବାରେ ଅଛି କି ସନ୍ଦେହେ ।୫୧୦।

ମକର ସ୍ରାନ ଯେ ନ କରଇ ତାର ପାଦରଜ ପଡ଼ିବ ବୋଲି

ୟେହାଉଂ ବଡ଼ ଦୋଷ ବୋଲି ମୁଂ ତେମନ୍ତେ ଢେଲାଉଣି
ଘୋଡ଼ାଇଲି ।୫୧୧।

ଆହୋ ସଂସାର ଜନମାନେ ୟେହା ବିଚାର କର ମନେ

ଜୀବନ ଅକାରଣ ଯେ ନ କରଇ ମାଘ ସ୍ରାହାନେ ।୫୧୨।

କଣ୍ତୁ ମହାଋଷି ବୋଇଲା ତୁ ଶୁଣସି ଚାଣ୍ତାଳ

ତୁ କେମନ୍ତେ କରୁ ମକର ସ୍ରାହାନର କାଳ ।୫୧୩।

ସେ ଚାଣ୍ତାଳ ବୋଇଲା ମୁଂ ଜନମେ ଅଟଇ ହାଡ଼ି

ମାଘସ୍ରାହାନ କରି ମୁଂ ସମସ୍ତ       ଗତି ଅଗତିକି କାଢ଼ି ।୫୧୪।

ମୋହୋର ଧର୍ମ କିମ୍ପେ ଲେଖା କରୁ ତୁହି

ଚାଣ୍ତାଳ ଜନ୍ମ ସିନା ଅଟଇ ହାଦେ ମୁହିଂ ।୫୧୫।

ଶୁଣ ହୋ ଯୁଝେଷ୍ଠି ମାରକଣ୍ତେ ବୋଇଲେ

ସେ ଚାଣ୍ତାଳ ସମୟେ ମକର ମାସେ ନାଶ ଗଲେ ।୫୧୬।

ସଞ୍ଜୀବନୀ ପୁରେ ପ୍ରବେଶ ହୋଇଲା ଯାଇଂ

ଚିତ୍ରଗୁପତକଇଂ ଚାହିଂ ସଞ୍ଜୀବନୀ ନାଥ ପଚାରଇ ।୫୧୭।

କେବଣ ପାପ ପୁଣ୍ୟ ଯେ ଅଟଇ ୟେହାର

ଚିତ୍ରଗୁପତେ ବୋଇଲେ ଯୋଡ଼ିଣ ବେନିକର ।୫୧୮।

ଯମ ଦେବତାର ଆଗେ କହଇ ଚିତ୍ରଗୁପତେ

ଆଲୋକ୍ୟ ପାତେକ ୟେହାର କହିବଇଂ କେତେ ।୫୧୯।

ଅଖାଇଦ ଖାଇଣ ନର୍କ ଯେହୁ କାଢ଼ି

ରଉରବ ନର୍କ କାଢ଼ି ଜନ୍ମରେ ଅଟେ ହାଡ଼ି ।୫୨୦।

ୟେକାମାତ୍ର କଥାୟେ କରଇ ଗ୍ୟାନ ବହି

ବାଡ଼ିରେ ତୋଭାଳି ଖୋଳି ମକ୍ରସ୍ରାନ ଦାହି ।୫୨୧।

ଶୁଣିଣ ବିଚାର କରଇ ସଞ୍ଜୀବନୀ ଆଧିପତି

ପୁଶ୍କର ପ୍ରସନ୍ନେ ସେ ପାଇଲା ପରମଗତି ।୫୨୨।

ଯମ ବୋଇଲା ଫିଟିଲା ନର୍କଗତି ସୁଖେ ତୁରେ ଯାଯା

ସେହି କୃତାନ୍ତକ ନଗ୍ରେ ତୁ ହୋଅ ଯାଇ ରାଜା ।୫୨୩।

ବଦୟନ୍ତି ମାରକଣ୍ତେ ଶୁଣ ଧର୍ମବତ୍ସି

ମାଘ ସ୍ରାହାନରେ ୟେହେନ୍ନେକ ଫଳଶ୍ରୁତି ଅଛି ।୫୨୪।

ବଦୟନ୍ତି ମାରକଣ୍ତେ ସୁଦେବର ଶିଶି

ଯଶୋବନ୍ତୀର ନନ୍ଦନ ପରମା ନନ୍ଦନ ଋଷି ।୫୨୫।

ବାବୁ ବଇତରଣୀ କୂଳେ ବେଦପୁର ବୋଲି ଶାସନେ

ବ୍ରହ୍ମନାଭି ସ୍ଥାନ ତହିଂ ବସନ୍ତି ଭଲ ଭଲ ବିପ୍ରମାନେ ।୫୨୬।

କୁଶବତୀ ବୋଲି ପାଟଣା ନଦୀର ଉତ୍ତର ଭାଗେ

ମଉଷଧି ତହିଂର ନିକଟ ଥିଲା ସତ୍ୟଯୁଗେ ।୫୨୭।

ସେ ପାଟଣାର ସନ୍ନିଧେ ବସଇ ୟେକ ପେଣ୍ଠ

ପଛିମ ପାରୁଶରେ ବସଇ ୟେକ ଘାଟ ।୫୨୮।

ବାବୁ ସେ ନଗ୍ରରୁ ଆସନ୍ତି ଯେ କୁମାରୀ ଆଠଗୋଟି

ମକର ସ୍ରାହାନ କରନ୍ତି ବଇତରଣୀ ନଦୀଘାଟି ।୫୨୯।

ସାତ ସାତ ବରଷ ଅଟନ୍ତି ଉଲଗ୍ନଶାହୀ

କେଶ ଦୃଢ଼କରି ସମ୍ଭାଳି ନୁଆରନ୍ତି କେହି ।୫୩୦।

ମକର ମାସ କୃଷ୍ଣପକ୍ଷ ଭଉମବାର ଚତୁର୍ଦ୍ଦଶୀ

ମାଘସ୍ରାନ ସାରି ସେ ଗଙ୍ଗାକୂଳେ ଛନ୍ତିବସି ।୫୩୧।

ବାଲିର ଘର ଗୋଟିୟେକ ତୋଳି

ରେଣୁର ଭାତ ତିଅଣ ପରଶନ୍ତି ବାଳୀ ।୫୩୨।

କୁଲାଇ କୁଣ୍ତାଇ ସେ ଘେନିଣ ଖେଳ ଖେଳି

କୁଣ୍ତାଇ ବିଭା କରିଣ ସେ ଦିଅନ୍ତି ହୁଳାହୁଳି ।୫୩୩।

ଶୁଣ ଆହୋ ଯୁଝେଷ୍ଠି ୟେସନେକ ସମୟେ

ବୃଷର ଚଢ଼ି ହର ଗଉରୀ କଲେକ ବିଜୟେ ।୫୩୪।

କଟିତଟେ ଚିରିକୁଟି ଗଳାରେ ମୁଣ୍ତମାଳ

ଉଡ଼ଙ୍ଗ ବ୍ୟାଘ୍ରଚର୍ମ ଲମ୍ଵଇ ବକ୍ଷସ୍ଥଳ ।୫୩୫।

କୋଳେ କାନ୍ତାନୀ ଯେ ବିଜୟେ ଦେବୀ ଉମା

ବୃଷଭ ରୁହାଇ ଶୂନ୍ୟରେ ଦେଖନ୍ତି ଖେଳର ମହିମାଂ ।୫୩୬।

ଈଶ୍ଵର ପୁଚ୍ଛାକଲେ ଶୁଣ ଗୋ ମାହେଶ୍ଵରୀ

କିସ କରନ୍ତି ବସି ସେ ବାଳୁତ କୁମାରୀ ।୫୩୭।

ଗଉରୀ ବୋଲନ୍ତି ୟେ ବାଳୁତଂକ ଖେଡ଼ଘର

ସାନ ସାନ କୁମାରୀଂକ ରାନ୍ଧଣା ଧୂଳିଖେଳ ।୫୩୮।

ଈଶ୍ଵର ବୋଇଲେ ତୁମ୍ଭେ ଶୁଣ ଗୋ ଗଉରୀ

ୟେହାଂକ ଖେଳ ମନ୍ଦିରେ କି ନାହିଂନା ଭିକାରୀ ।୫୩୯।

ପାର୍ବତୀ ହାସ୍ୟକଲେ ସଦାନନ୍ଦର ବାକ୍ୟ ଶୁଣି

ବାଳୁତ ଶୁଣଇ କି ସଜ୍ଜନର ଯେ ବାଣୀ ।୫୪୦।

ଧୂଳିର ଭାତ ଯେ ଧୂଳିର ତିଉଣ

ଭିକ୍ଷାସୀ ଗଲେ ତହିଂ ପାଇବ କେଉଂଣ ।୫୪୧।

ଈଶ୍ଵରେ ବୋଇଲେ ତୁମ୍ଭେ ବୃଷଭ ପିଠିରେ ଥାଅ ଦଣ୍ତେ ରହି

ଭୀକ୍ଷାସୀ ରୂପେ ମୁଂ ଭିକ୍ଷା ମାଗି ଆସେ ତହିଂ ଯାଇ ।୫୪୨।

ପାର୍ବତୀ ବୋଇଲେ ତହିଂ ଖେଳୁଛନ୍ତି ବାଳୁତ ଦୋହିତାୟେ

ତୁମ୍ଭନ୍ତ ଦେଖିଲେ ସେହୁ ପଳାଇ ଯିବେ ଭୟେ ।୫୪୩।

ଭୋଳାନାଥ ପୁରୁଷ ବିଜୟେ ଦେବକାଶୀ

ତାହାଂକର ସାରିକ୍ଷେ ଯେ ରୂପ ପରକାଶି ।୫୪୪।

ଭସ୍ମ ବିଲେପନ ଯେ କବରୀ ଭାର ଜଟା

ଶୁଦ୍ଧ ସଷ୍ଟିକ ବର୍ଣ୍ଣ ସେ କଉପନୀ କାଛଟା ।୫୪୫।

ତ୍ରିଶୂଳ ଯାମଳା ଲାଉ ବେନିହାଥେ

ଗରଗତ ରୁଞ୍ଜ ଗୁଞ୍ଜମାଳି ଲମ୍ଵିତ ହୃଦଗତେ ।୫୪୬।

ଚିତ୍ର କଉଡ଼ି ତାମ୍ଵର ତହିଂ ସଷ୍ଟିକ ହାଡ଼ମାଳା

ସର୍ପଂକର ଅସ୍ଥି ଲମ୍ଵଇ ଦେବ ଗଳା ।୫୪୭।

ଲଲାଟେ ସୀମନ୍ଥିନୀ ଗୁଞ୍ଜରା ରେଖ କଚ୍ଛ

ପଦ୍ମ ସଷ୍ଟିକ ସୁନ୍ଦର ଧବଳ ଲଲାଟ ରେଖ ।୫୪୮।

ମଉଳେ ବିରାଜିତ ତାମ୍ରବର୍ଣ୍ଣ ଫେଣି

ଚଳଇ ଧବଳାଙ୍ଗୀ ଶିରେ କୁହୁକ ଜାଣି ।୫୪୯।

ପ୍ରବାଳ ବାଳ ପୁଞ୍ଜିରେ ଶୋଭିତ ଦେବ କଟି

ପଶୁ ଚର୍ମ ଉପରେ କଷା କରପଟୀ ।୫୫୦।

ଜାନୁରେ ମେଖଳି ମଜୂର କଣ୍ଠ ପକ୍ଷୀ

ଡିବି ଡିବି ଡମ୍ଵରୁ ସୁସ୍ଵରେ ବାଜୁଅଛି ।୫୫୧।

ରେଣୁଘର କରିଣ ଖେଳନ୍ତି ସର୍ବବାଳୀ

ଅଦଭୁତେ ପ୍ରବେଶ ହୋଇଲେ କୁଆଂଳୀ ।୫୫୨।

ଜାଗରେ ଜାଗ ମାଈ ବୋଲି ବୋଲନ୍ତି ସଦାନନ୍ଦେ

ହସିଲେ କୁମାରୀ ମାନେ ଡମ୍ଵରୁ ଶବଦେ ।୫୫୩।

ମିଛିକା ଘରକୁ କାହିଂ ସତୀକା କୁଆଂଳି ଭିଖାରୀ

ଦେଖିଣ ପୁଣି ହସିଲେ ବାଳୁତ କୁମାରୀ ।୫୫୪।

ୟେମନ୍ତ କୁଆଂଳୀ ଗୋ ଆମ୍ଭର ଦେଖିଲାତ ନାହିଂ

କେଉଂଣ ଭିକ୍ଷା ଦେବା ଧୂଳିହୁଂ ଆନ ନାହିଂ ।୫୫୫।

କୁଲାଇ ଗୋଟିକରେ ଧୂଳି ଗୁଡ଼ିୟେ ସଞ୍ଚି କରି

ବଡ଼ ସୁସଞ୍ଚ କରି ଗୁରୋଇ ପାଛୋଡ଼ି ।୫୫୬।

ଅନେକ ସାନନ୍ଦେ ଦିଲେ ସଦାନନ୍ଦ କରପାତ୍ରେ

ଦେଖିଣ ତ୍ରିପୁତି ଭଜିଲେ ଦେବ ବିଶ୍ଵନାଥେ ।୫୫୭।

ଆଠ ଗୋଟି ଦୁହିତା ତ୍ରିପୁତି କରିଣ ମନେ

ଆଠ ମୁଠି ଧୂଳି ଦିଲେ ହରର ଉଦୁଯାନେ ।୫୫୮।

ଧୂଳି ଭିକ୍ଷା ପାଇଣ ହୋଇଲେ ଦେବ ସାମ୍ୟ

ମଉନ ଫିଟିଲା ପଚାରିଲେ କିସ ତୁମ୍ଭର ନାମ ।୫୫୯।

ସେ ବୋଇଲେ ରମ୍ଭା ଉରୁବଶୀ ମେନକା ଚିତ୍ରରେଖା

ମୋହିନୀ କାମସେଣା ମଦାଳସା ମଦନିକା ।୫୬୦।

ଅଷ୍ଟ କନ୍ୟାୟେ କହିଲେ ସବୁକଂର ନାମ

ହରଷେ ମହାଦେବ ହୋଇଲେ ଅତି ସାମ୍ୟ ।୫୬୧।

ଦିଗାମ୍ଵର ନାଥ ତାଂକୁ ଦେଲେ ସିଦ୍ଧ ଶିକ୍ଷା

ତୁମ୍ଭର ସତମନେ ଆମ୍ଭକଇଂ ଦିଲ ଭିକ୍ଷା ।୫୬୨।

କଳ୍ପ କଳ୍ପ ଆୟୁଷ ତୁମ୍ଭର ହୋଉଂ ଯୁଗେ ଯୁଗେ

ଅଷ୍ଟ ଅପକ୍ଷରା ହୋଇ ତୁମ୍ଭେ ବସ ଅମର ସ୍ଵର୍ଗେ ।୫୬୩।

ତ୍ରଇଲୋକ୍ୟ ମୋହିନୀ ତୁମ୍ଭେ ହୁଅରେ ସୁନ୍ଦରୀ

କାଳେ କାଳେ ଯୁବା ବୟସୁଂ ଆନ ନୋହିବ ତୁମ୍ଭରି ।୫୬୪।

ଯଦ୍ୟପି ହଟପଟ ହୋଇବେ ସୁରପତି

ଯୁବା ବୟସୁଂ ତୁମ୍ଭର ନୋହିବ ଆନ ରୀତି ।୫୬୫।

ଶୁଣ ବାବୁ ଯୁଝେଷ୍ଠି ବଦୟନ୍ତି ମାରକଣ୍ତେ

ମକର ମାସ ସ୍ରାହାନର ଫଳଶ୍ରୁତି ହାଦେ ୟେଡ଼େ ।୫୬୬।

ବାବୁ ବିଶ୍ଵାବସୁ ଗର୍ନ୍ଧବର ଭାରିଯା ହାରାବତୀ

ଜାତ ହୋଇ ମରଇ ତାର ପୁତ୍ର ଯେ ଦୁହିତୀ ।୫୬୭।

ଅଗସ୍ତିଂକି ପୁଚ୍ଛାକଲେ କେବଣ ମୋର ପାପ

ପୁତ୍ର ଦୁହିତା ନ ବ୍ରତନ୍ତି କେବଣ ଦୋଷ ଅନରୂପ ।୫୬୮।

ଅଗସ୍ତି ବୋଇଲେ ଅଦୋଷୀ ପ୍ରାଣୀକି ମାରଇ ଯେ ପୂର୍ବେ

ତଦ ଦୋଷେ ସନ୍ତାନ ହାନି ହୋଅଇ ଯେ ୟେବେ ।୫୬୯।

ଅଗସ୍ତି ବୋଇଲେ ହରଆଳେ ପଶି ହୋ କରନ୍ତି ନିୟମ

ତାଂକର ସନ୍ତତି ନାଶ ଯାଇ ପାପକର୍ମର ୟେହି ଧର୍ମ ।୫୭୦।

ଅଗସ୍ତି ବୋଇଲେ ପୂର୍ବେ ଯେ ହରଇ ଗୋ ପନ୍ଥ

ତାହାଂକର ସନ୍ତାନ ହାନି ହୋଅଇ ଯଥାର୍ଥ ।୫୭୧।

ଅଗସ୍ତି ବୋଇଲେ ଯେ ଶାହସ୍ର ବିଧି ବରଣେ

ସର୍ବ ଦ୍ଵନ୍ଦ୍ଵ ତେଜି ଶାହାସ୍ର ଶୁଣି ଶ୍ରବଣେ ।୫୭୨।

ରାମାୟଣ ଭାଗବତ ଶ୍ରୀ ମହାଭାରତ

ଶ୍ରବଣେ ଆପ୍ୟାନ କଲେ ଖଣ୍ତିବ ସର୍ବ ଦୁଷୁକୃତ ।୫୭୩।

ଦେବ ଶାହାସ୍ରେ ଅନେକ ପାତକ ଧ୍ଵଂସି

ବଦୟନ୍ତି ମାରକଣ୍ତେ ଶୁଣ ହୋ ସୋମବଂଶୀ ।୫୭୪।

ଶାସ୍ର ଆଦରଣ କରି ଧର୍ମପନ୍ଥ ଚିନ୍ତିବ

ପାତକ ଧ୍ଵଂସି ହୋଅଇ ସନ୍ତତି ଲଭିବ ।୫୭୫।

ହାରାବତୀ ବୋଇଲା ମୁଂ ଆଗ୍ୟାଂନେ ପାପ କଲି ପୂର୍ବେ

ୟେଥକଇଂ ପ୍ରତିକାର କର ଦେବ ୟେବେ ।୫୭୬।

ଅଗସ୍ତି ବୋଇଲେ ତୁ ୟେବେ ମାଘସ୍ନାହାନ କର

ଗତଜନ୍ମର ପାତକ ଖଣ୍ତିବ ତୋହୋର ।୫୭୭।

ତିରିଶ ଦିବସ ପରିଯନ୍ତେ ନ ଯିବୁ ପୁରୁଷର ପାଶ

ମିଥ୍ୟାନ କହିବୁ ନ ଭୁଞ୍ଜିବୁ ଆମିଷ ।୫୭୮।

ଅକଟା ଅବଟା ପରିବା ଯେ କରିବୁ ହବିଷ ଭୋଜନ

ପରେ ଅପବାଦ ହିସାଂ ନ ପଶିବ ପାପମନ ।୫୭୯।

ମାଧବ ଦେବତାକଇଂ ଗୁଆଘୃତେ ଜାଗର

ସମସ୍ତ କହିଲେ ଋଷି ୟେଥେ ଧର୍ମ ଅଛଇ ଅପାର ।୫୮୦।

ସ୍ତିରୀଲିଙ୍ଗ ଲୋକକୁ ୟେତେକ କହିବସି ଧର୍ମ

ୟେତିକି ସମ୍ପାଦିଲେ ଅଛଇ ବହୁତ କର୍ମ ।୫୮୧।

ଗତ ପାତକମାନ ସମସ୍ତ ଯିବ କ୍ଷୟେ

ମଡ଼ଛି ଦୋଷ ପାରଯିବ ଉପୁଜିବ ତନୟେ ।୫୮୨।

ଅଗସ୍ତିଂକର ବଚନେ ବିଶ୍ଵାବସୁଂକର ନାରୀ

କଉଶିକ ଗଙ୍ଗାୟେ ସେ ମାଘ ସ୍ରାହାନ କରି ।୫୮୩।

ମାଘ ସ୍ରାହାନର ଫଳଶ୍ରୁତିରେ ସମସ୍ତ ପାତକ ହୋୟେ ଧ୍ଵଂସି

ୟେହାର ଦୁହିତା ଉପୁଜିଲା ମଦାଳସୀ ।୫୮୪।

ସେ ମଦାଳସୀ ସ୍ରାହାନ କରଇ ମକର ମାସେ

ଚାରିପୁତ୍ର ଉତପତ୍ତି ହୋଇଲା ଧର୍ମର ଉର୍ଦ୍ଦେଶ୍ୟେ ।୫୮୫।

ସେ ମଦାଳସୀର ତହୁଂ ଚାରିପୁତ୍ର ହୋଇଲେ ଉତପତ୍ତି

ବହୁତ ଧର୍ମ ଉପୁଜିଲା ପାଇଲା ପରମଗତି ।୫୮୬।

ବାବୁ ମକର ମାସ ସ୍ରାନ ଫଳେ ଧର୍ମପାଳ ନାମେ ପକ୍ଷୀ

ମକର ମାସେ ପ୍ରାଗତୀର୍ଥେ ଉଡ଼ନ୍ତେଣ ମୀନ ଦେଖି ।୫୮୭।

ମୀନର ଲବ୍‌ଧେ ସେ ପକ୍ଷୀ ଜଳକଇଂ ହାଦେ ଖେପୀ

ତ୍ରିବେଣୀ ସଙ୍ଗମେ ସେ ପଡ଼ିଲା ତେଜ ବ୍ୟାପି ।୫୮୮।

ସଗଂମେ ପଡ଼ିଣ ପକ୍ଷୀ ସେ ନୁଆରିଲା ଉଠି

ମହାଚକ୍ରେ ପଡ଼ିଣ ଶରୀର ତାର ଫୁଟି ।୫୮୯।

ଚାରିଖଣ୍ତ ହୋଇଲା ସେ ଧର୍ମପାଳ ଚଡ଼ାଇ

ଚାରିମୃତ୍ତି ହୋଇଣ ସେ ବିକାଶିଲା ତହିଂ ।୫୯୦।

ସାରଥି ସ୍ତମ୍ଭ ଦ୍ରୋଉଣ ମଇତ୍ରାନ୍ତ ପକ୍ଷୀଚାରି

ମକର ମାସ ସ୍ରାହାନ ଫଳେ ଯୋଗେଣ ଅବତରି ।୫୯୧।

ଶୁଣ ହୋଯୁଝେଷ୍ଠି ବଦୟନ୍ତି ମାରକଣ୍ତେ

ମକର ମାସେ ପୁଣ୍ୟକଲେ ପାପତାପ ଖଣ୍ତେ ।୫୯୨।

ବାବୁ ମକର ମାସେ ଉଦିତ ଯେ ଅନନ୍ତ ଆଦିତ୍ୟ

ବିଷ୍ଣୁବାତ ନାମେଣ ସେ ବହଇ ମରୁତ ।୫୯୩।

କହନ୍ତେ ଅସଂଖ୍ୟ ମକର ମାସର ମହିମାଂ

ତୁ ୟେହା ସକଂଳ୍ପ କର ହୋ ମହାତମା ।୫୯୪।

ପୁଷ୍କର ପ୍ରସନ୍ନେ ପାଅ ତୁ ପରମ ଗତି

ଅସଂଖ୍ୟ ସାଗର ୟେହା ବୋଇଲେ ଅଗସ୍ତି ।୫୯୫।

ଯହିଂ ମାରକଣ୍ତେ ଦେଖାଇଲେ ପୁଷ୍କର ପୁରୁଷକୁ

ଯୁଝେଷ୍ଠି ଦେବ ଯେ ଆରମ୍ଭିଲେ ତାଂକୁ ।୫୯୬।

ଜୟ ତୁ ପୁଷ୍କର ନୀଳାମ୍ଵର ଆଦିରୂପୀ

ଜୟ ତୁ ପୁଷ୍କର ଧବଳ ଭୁବନ ବ୍ୟାପୀ ।୫୯୭।

ଜୟ ତୁ ପୁଷ୍କର ଅଭୟେ ଅଭେଦା

କର୍ମଣ ପୁରୁଷ ତୁ ବାକ୍ୟେଣ ମହାସିଦ୍ଧା ।୫୯୮।

ଜୟ ତୁ ପୁଷ୍କର ପୁରୁଷ ଅଭୟେ ଅକାମ

ସୁର ସିଦ୍ଧ ସାଧ୍ୟେ ବଦନ୍ତି ଯାହାର ନାମ ।୫୯୯।

ଜୟ ତୁ ପୁଷ୍କର କଳିତ ଅରବିନ୍ଦ

ଶୟଳ ଜନ ଚିନ୍ତାମଣି ସଂସାର ସଦାନନ୍ଦ ।୬୦୦।

ଜୟ ତୁ ପୁଷ୍କର ଦେବ ଅଗାଦ ଜଳବାସୀ

ଜୟତୁ ପୁଷ୍କର ଦୁଷକୃତ ଯାହାର ନାମେ ହୋୟେ ଧଂସି ।୬୦୧।

ଶୁଦ୍ଧ ସଷ୍ଟିକ ଅର୍କ ଦଇତ ବିଦାର

ଯାବତ ଦୁଷୁକୃତ ହରନ୍ତା ଦିବାକର ।୬୦୨।

ଅଗାଦ ସାଗର ତହିଂ କାହାକୁହିଂ ନ ଦେଖି

ହରନ୍ତା ତାରନ୍ତା ପୁରଷ ତୁହି ସେ ସର୍ବ ସାକ୍ଷୀ ।୬୦୩।

ଯାବତ ଚନ୍ଦ୍ର ଦିବାକର ତୁହି ସେ ଅଭିନ୍ନ

ତନୁ ବର୍ଣ୍ଣ ଶିଖା ବୟଣ ଧୃତାପାଙ୍ଗ ।୬୦୪।

ସର୍ବଭୁତ ଆତ୍ମାଂକର ତୁହି ପ୍ରାଣଗୁରୁ

ଜାନାମି ନ ଜାନାମି କେ ଅନ୍ତ କରିପାରୁ ।୬୦୫

ୟେକା ମୂର୍ତ୍ତି ତୋର ଶତକୋଟି ତୀର୍ଥ ବ୍ୟାପି

କର ଗଣ୍ତସ୍ଥଳେ ସମସ୍ତ ସାଗର ମାପି ।୬୦୬।

ସୁରସିଦ୍ଧ ନାଥ ପ୍ରସନ୍ନ ପାଦୁକା

ଅନାଗତ ଶୟନ ଧାରଣ ପୁରୁଷ ୟେକା ।୬୦୭।

ସ୍ଵାମୀ ଅନନ୍ତ କୋଟି ତୀର୍ଥ ଯାର ହୃଦ କମଳେ

ପ୍ରସରୁ ତବ ନାମ ସ୍ଵାମୀ ସର୍ବକାଳେ ।୬୦୮।

ଅନାଗତ ପାତକ ଅକର୍ମେଣ ପଶି

ଛଛନ୍ଦେ କୃତାନ୍ତକ ସର୍ପ ଦ୍ରଶନେ ବିଧ୍ଵଂସି ।୬୦୯।

ଦୁସହ ଦୁରାନ୍ତକ ଯଦ୍ୟନିକ ବାହୁ

ଅକାରଣ ପୁରୁଷ ତୁ ଛେଦନେ ଅଟୁ ରାହୁ ।୬୧୦।

ପାଞ୍ଚକୋଟି ତାର୍ଥ ଯାର ମୁଖ ଅରବିନ୍ଦେ

ନିରାକୁଳ ମଣି ବିରାଜଇ ଯାର ହୃଦେ ।୬୧୧।

ନବକୋଟି ତୀର୍ଥ ଯାହାର ଦକ୍ଷିଣ ଭୁଜେ ବହଇ

ସାହେର ମଉଳି ସଙ୍ଗମେ ଯାଇ ରହଇ ।୬୧୨।

ସପତ କୋଟି ତୀର୍ଥ ଯାହାର ବାମକରେ

ନବ କୋଟି ତୀର୍ଥ ବସଇ ଉଦରେ ।୬୧୩।

ଦ୍ଵାଦଶ କୋଟି ଯେ କଣୟେ ଧବଳୀ

ଜାନୁ ଭେଦିଣ ଯାହାର ଗମଇ ମେରୁସ୍ଥଳୀ ।୬୧୪।

ପଞ୍ଚକୋଟି ତୀର୍ଥ ବହଇ ଯାହାର କଣ୍ଠାରୁଢ଼େ

ଗର୍ଭେ ସଙ୍ଗମ ବିଂଶକୋଟି ତୀର୍ଥ ଅଙ୍ଗ ଆଡ଼େ ।୬୧୫।

ଭାବେଣ ଭାବଇ ଅମାପ କୁଣ୍ତଳୀ

ନମସ୍ତେ ନାରାୟଣ ପୁଷ୍କର ମଉଳି ।୬୧୬।

ଯଦ୍ୟପି ପରଂବ୍ରହ୍ମ ହୋଇବ ଦଇବତ

ତବ ଅବିଷେକେ ସେ ହୋଇବ ମୁକତ ।୬୧୭।

ଶ୍ରୀ ପୁଷ୍କର ଦେବତାଂକର ଅବିଷେକ ଶିରାଗ୍ରତେ

ଶୂଦ୍ରମୁନି ସାରୋଳ ଦାସ ପ୍ରତିକ୍ଷଣ କରଇ ନିତ୍ୟେ ।୬୧୮।

ମାରକଣ୍ତେ ଯାହା କହିଲେ ଧର୍ମରାଜ ଅଗ୍ରତେ

ମୁଂ ତାହା ବଞ୍ଚାଇଲି ପୁରାଣ ସଙ୍ଗତେ ।୬୧୯।

ଋଷିମାନନ୍ତ ଘେନିଣ ଧର୍ମରାୟେ ଶିଷି

ଶ୍ରୀ ନୀଳସୁନ୍ଦର ପରବତେ ଅଛନ୍ତି ସେ ବସି ।୬୨୦।

ମକର ମାସ କୃଷ୍ଣପକ୍ଷ ପଞ୍ଚମୀର ଅନ୍ତେ

ମାରକଣ୍ତେ ବଞ୍ଚାଇଲେ ପୁରାଣ ସଂଗତେ ।୬୨୧।

ବାବୁ ୟେଥିର ପଛିମ ଦିଗେ ନିଷାଦର ପୁରୀ

ତିନିଶତ ଯୋଜନ ଆୟତନ ସେହୁ ନଗରୀ ।୬୨୨।

ମାତାର ବଚନେ ତାହା ଗରୁଡ଼ ନାଶକଲା

ମହା ସମ୍ପଦ ସେ ରାଜା କ୍ଷୀରୋଦ୍ରେ ପକାଇଲା ।୬୨୩।

ଯୁଝେଷ୍ଠି ଦେବ ବୋଇଲେ କହିବା ମାରକଣ୍ତେ

ନାଷାଦର ପୁରକୁ କିଂପେ ଗରୁଡ଼ର କୋପ ୟେଡ଼େ ।୬୨୪-୯୧୧୮।

 

Unknown

ଗଜ କଚ୍ଛପର ଯୁଦ୍ଧ

ମାରକଣ୍ତେ ବୋଇଲେ ତୁମ୍ଭେ ଶୁଣିମା ଯୁଝେଷ୍ଠି

ଯହିଂ ନିମନ୍ତେ ନିଷାଦର ପୁରେ ଉପୁଜିଲା ଅରଷ୍ଟି ।୧।

କଦ୍ର ବିନତା ଦୁହେଂ ଯେ ହୋଇଲେ ବିବାଦୀ

ନାଗଂକର ଦର୍ପେ ଗରୁଡ଼ ଗଲା ଖେଦି ।୨।

ହୋଡ଼େ ହାରିଲା ବିନତା ବଡ଼ ହୋଇ

କଦ୍ରୁ ବିନତାକୁ ସାତବେଣ୍ଟି କଲା ମଉଦଧି କୂଳେ ନେଇ ।୩।

ଦାସୀପଣ କରି ବିନତାକୁ ଆଣନ୍ତେ

କଦ୍ରୁ ହାକଦିଲା ବିଞ୍ଚିଣ ବେନି ହାଥେ ।୪।

ପ୍ରପଞ୍ଚ ରୂପ ଦେଖି ନିଷାଦପୁର ନରନାରୀ

କଦ୍ରୁର ବଚନେ ଗାଲତୁରୀ ଦେଇ ବାରୁଆଳି ବୋବି ପାଡ଼ି ।୫।

ଭଲ ବସ୍ର ଖଣ୍ତି ପାଲଟାଇ ନେଲେ

ଚିରକୂଟୀ ଖଣ୍ତି ପିନ୍ଧାଇଣ ଅନେକ ଶାସ୍ତି ଦିଲେ ।୬।

ବେଟୀଚେରୀ ବୋଲିଣ ପାଡ଼ିଲେ ବହୁତ ବୋବି

ତେଣୁକରି ମହାରାଗ ସେ ବହିଲା ମହାଦେବୀ ।୭।

ଉମାବସୁ ବିଭାବସୁ ବୋଲିଣ ଭାଇ ବେନି

ତାହାକଇଂ ଶାପ ଦିଲେ ଉତ୍ତଂକ ମହାମୁନି ।୮।

ବାଲଖିଲ୍ୟା ମହା ବ୍ରହ୍ମଋଷିଂକର ଶାପେ

ଗଜ କଚ୍ଛପ ହୋଇ ସେ ଅଗ୍ୟାନ ହୋଇଲେ ଋଷିର ଗରୁତାପେ ।୯।

ମାରକଣ୍ତ ମହାଋଷିଂକି ପୁଛା କଲେକ ଯୁଝେଷ୍ଠି

କେବଣ ଦୋଷେ ୟେଡ଼େ କୋପ କଲେ ତୋପନିଷ୍ଠି ।୧୦।

ମାରକଣ୍ତେ ବୋଇଲେ ବାବୁ ଶୁଣସି ଧର୍ମରାୟେ

ବହୁତ କାଳର ତୋତେ କହିବା କଥାୟେ ।୧୧।

ଦେବନିକ ବୋଲି ସେ ୟେକଇ ସତ୍ୟଯୁଗେ

ସେହି ଯୁଗେ ତପ ହାଦେ ସାଧିଲେ ଉଡ଼ଙ୍ଗେ ।୧୨।

ଋଷଭ ଶୁକଳ ଦଶମୀ ଚନ୍ଦ୍ରବାରେ

ହସ୍ତା ନକ୍ଷତ୍ରକୁ ଭୋଗ ସେ ଦିନରେ ।୧୩।

ଉତ୍ତଂକ ମହଋଷି ଗଲେ ଅମର ସ୍ଵର୍ଗକୁ

ଇନ୍ଦ୍ର ଦେବତା ବସିତେ ନ ଦିଲେ ତାହାଂକୁ ।୧୪।

ବଇରିତା ପ୍ରାୟେ କରି ବୁଝିଲେ ଉତ୍ତଂକକୁ

ହୃଦଗତେ ବିଚାରିଲେ କିଂପେ ୟେ ଛାର ଅଇଲା ସଭାକୁ ।୧୫।

ଯୁଝେଷ୍ଠି ପଚାରିଲେ ସେ ଉତ୍ତଂକ ବ୍ରହ୍ମଯୋଗୀ

ତାହାକଇଂ ଇନ୍ଦ୍ର କିଂପେ ହୋଇଲେ ୟେଡ଼େ ବଇରାଗୀ ।୧୬।

ଶୁଣ ତୁହୋ ଯୁଝେଷ୍ଠି ଗଉତମ ମହଋଷି

ତାହାଂକର ପତ୍ନୀ ଯେ ଅହଲ୍ୟା ଶୁଭ୍ରକେଶୀ ।୧୭।

ଇନ୍ଦ୍ର ଯେ ହରିଲା ଗଉତମଂକ ପତ୍ନୀ

ପିତାର ଅଗ୍ରତେ ତାହା କହିଲେ ଅଞ୍ଜନୀ ।୧୮।

ଅଞ୍ଜନାକଇଂ ପ୍ରଦାନ ହୋଇଲେ ଉତ୍ତଂକ ମହାମୁନି

ତେଣୁ କରି ଇନ୍ଦ୍ରଦେବତା ବଇରାଗ ଭାବ ଘେନି ।୧୯।

ଗଉତମଂକ ଶାପେ ଇନ୍ଦ୍ର ହୋଇଲେ ସହସ୍ରଯୋନି

ତେଣୁକରି ଉତ୍ତଂକକୁ ସେ ଅଛନ୍ତି ରାଗ ଘେନି ।୨୦।

ଗତ କଥାକୁ କିନ୍ତୁ କରି ସୁରରାୟେ

ବସିତେ ନ ଦିଲେ ଉତ୍ତଂକକୁ ସୁର ସଭାୟେ ।୨୧।

ରାଗେଣ ଉତ୍ତଂକ ମୁନି ଅଇଲେ ଯେ ତହୁଂ କୋପେ

ଇନ୍ଦ୍ରପଦ ଘେନିମି ବୋଲି ବସିଲେ ଘୋର ତପେ ।୨୨।

ନିରାହାର ହୋଇଣ ସେ ଚାରିଯୁଗ ବଞ୍ଚି

ଇନ୍ଦ୍ରପଦ ନେମ ବୋଲି ତପସ୍ୟାୟେ ସଞ୍ଚି ।୨୩।

ନାରଦ କହିଲେ ଯାଇ ଇନ୍ଦ୍ର ଅଗ୍ରତେ

ଉତ୍ତଂକ ଋଷିର କଥା ଶୁଣ ହୋ ସୁରନାଥେ ।୨୪।

ତୋହୋର ଆଗେଣ ମୁଂ କହଇ ଆଖଣ୍ତଳ

ଉତ୍ତଂକ ଘେନୁଅଛି ତୋହୋର ଅମର ମଣ୍ତଳ ।୨୫।

ୟେହା ଜାଣିଣ ଚିନ୍ତା ତୁ କର ଦେବରାଜ

ଉପାୟେ କରିଣ ତୁ ତାହାର ତପ ଭଂଜ ।୨୬।

ନାରଦଂକ ବଚନ ଶୁଣିଣ ସସ୍ରଯୋନି

ସନ୍ନିଧ୍ୟେ ହକାରିଲେ ଉମାବସୁ ବିଭାବସୁ ବେନି ।୨୭।

ତୁମ୍ଭେ ଦୁହେଂ ବାବୁ ୟେହିକ୍ଷଣି ଯିବ

ନାନା ଅବସ୍ଥା ଦେଇ ଉତ୍ତଂକ ଋଷିର ତପସ୍ୟା ଭାଂଜିବ ।୨୮।

ସୁରନାଥଂକ ବଚନେ ଗଲେ ବେନିବସୁ

ମୃତୁମଣ୍ତଳ କଂପିଲା ସେ ଦୁହିଂକର ଆସୁ ଆସୁ ।୨୯।

ନିଜରୁପ ଦୁହେଂ କଲେକ ପରିତେଜ୍ୟା

ଅମାପ ମୂରତି ହୋଇଲେ ଗଜ କଚ୍ଛପ ପଜା ।୩୦।

ଉମାବସୁ ହୋଇଲା ମହାନାଗ ଗୋଟାୟେ

ବିଭାବସୁ ବୋଇଲାକ କଚ୍ଛପ ରୂପ କାୟେ ।୩୧।

ମତ୍ତଗର୍ବ ହୋଇଣ ସେ ଭାଂଜିଲେ ଆଶ୍ରମ

ସ୍ରାହାନ କାଳେ ବେଦ କରାଣ୍ତି ହରିଲା କୁରୁମ ।୩୨।

ଦୁରାପଦ କୃତ୍ୟ ଦେଖିଣ କୋପିତ ବ୍ରହ୍ମଋଷି

ଗଜ କଚ୍ଛପ ଦେଖିଣ ମନେ ମନେ ତ୍ରାସି ।୩୩।

ଯୁଗତେ ଯେବେ ତୁମ୍ଭେ ଗଜ କଚ୍ଛପ ଅଟ

ୟେ ମୃତୁ ମଣ୍ତଳେ ତୁମ୍ଭେ ହୋଅ ରେ ମହା ବଳିଷ୍ଠ ।୩୪।

ନୋହିଲେ ଯେବେ ମୋହୋର ତପ ଭାଂଜିତେ କାମରୂପୀ

ଗଜ କଚ୍ଛପ ହୋଇ ତୁମ୍ଭେ ଥାଅରେ ଅଦ୍ୟାପି ।୩୫।

ତୁମ୍ଭର ଦୁଷ୍ଟପଣେ ମୃତୁମଣ୍ତଳ ଭାଂଜୁ

କାଳ ଅବସାନେ ଗରୁଡ଼ ତୁମ୍ଭକଇଂ ଗଂଜୁ ।୩୬।

ମାରକଣ୍ତେ ବୋଇଲେ ହାଦେ ଉତ୍ତଂକ ଋଷିର ଶାପେ

ତତ୍ର ଦୋଷେ ହୋଇଲେ ସେ ଗଜ କଚ୍ଛପ ସରୂପେ ।୩୭।

ଜଗଦଳନ କଚ୍ଛପ ରହିଲା ବାରାନିଧି କୂଳେ

ଦୁଷ୍ଟ ଗଂଜନ ଗଜ ରହିଲା ଦ୍ରୁମନ ଗିରି ମଉଳେ ।୩୮।

ସେ ମହାଗଜ ଉଡ଼ଇ କଚ୍ଛପ ନିଶ୍ଵାସେ

ଉଡ଼ିଣ ପଡ଼ିଲା ଯାଇ କର୍ଣ୍ଣାଟ ନାମ ଦେଶେ ।୩୯।

ଯେଉଂଣ ଦେଶରେ ଗଜ ପଡ଼ଇ ଯେ ମାଡ଼ି

ଗିରି କନ୍ଦର ରାଜ୍ୟ ସମସ୍ତ ହୋୟେ ଚୂରି ।୪୦।

ଅନେକ ଦେଶ ଗ୍ରାମ ରାଜ୍ୟ ନଗ୍ର ଗଲା

କୁମ୍ଭ ଶୁକଳ ଷଷ୍ଠୀଦିନ କଚ୍ଛପ ଦକ୍ଷିଣ ମୃତ୍ତି ହେଲା ।୪୧।

ପୁଣ କଚ୍ଛପକଇଂ ଯେ ଭେଟିଲା ମହାନାଗ

ଥୋରହସ୍ତେ ଦରାଣ୍ତି ଧଇଲା ତାକୁ ବେଗ ।୪୨।

ବୁଲାଇଣ କଚାଡ଼ିଲା ଦ୍ରୁମନ ଗିରି କନ୍ଦରେ

ସେ କଛ ପଡ଼ନ୍ତେ ଚୂର ହୋଇଲା ଗରିବରେ ।୪୩।

ପଞ୍ଚଷଠୀ ଯୋଜନ ଯେ ଦ୍ରୁମନ ଗିରିସ୍ଥଳୀ

କଚ୍ଛପ ପଡ଼ନ୍ତେ ତାହା ହୋଇଲା କ ଧୂଳି ।୪୪।

ଗଜକୁ କଚ୍ଛପ ଧଇଲା ଚଉପାଦ ଦରାଣ୍ତି

ଗଜର ପିଠିରେ ସେ ପଡ଼ିଲା ବେଗେ ମାଡ଼ି ।୪୫।

କଚ୍ଛପର ଭାରା ଗଜ ନୁଆରିଲା ସହି

ଢଳିଣ ମହାନାଗ ପଡ଼ିଲାକ ମହୀ ।୪୬।

ଗଜ କଚ୍ଛପର ଅନ୍ୟୋଅନ୍ୟି ହୁଅନ୍ତେ ଯୁଦ୍ଧେ

ପଡ଼ନ୍ତି ଉଠନ୍ତି ଗଡ଼ନ୍ତି ସେ କୁଶଦ୍ଵୀପର ମଧ୍ୟେ ।୪୭।

ମହା ବିଶ୍ଵରୂପୀ ସେ ଅନନ୍ତ କାମରୂପୀ

ନବଦ୍ଵିପ ସପତ ସାଗର ତେଜ ବ୍ୟାପି ।୪୮।

ଅନେକ ବନ କନ୍ଦର ଦେଶ ଗଲା ଚୂର

ସପତ ଭାଞ୍ଜିଲା ହାନ୍ଦୋଳ ହୋଇଲା ସପତ ସାଗର ।୪୯।

ଦିଗପାଳମାନେ ଯାଇଂ କହିଲେ ପଦ୍ମଯୋନି

ସ୍ଵାମୀ ନାଶ ଯାଉଅଛି ତୋହୋର ସମସ୍ତ ମେଦିନୀ ।୫୦।

ସ୍ଵାମୀ ମହୀ ନାଶଗଲା ଗଜ କଚ୍ଛପର ବିବାଦେ

ଜନଜନ୍ତୁ ନଶିଲେନି ଦୁହିଂକରି ପ୍ରମାଦେ ।୫୧।

ତୁ ଦେବ ନବସୃଷ୍ଟି କରତା ବିଧାତା

ସଚରାଚର ମହୀକି ତୁହି ସେ ଉଦ୍ଧାରନ୍ତା ।୫୨।

ଶୁଣିଣ ଚିନ୍ତା ଯେ ବସିଲା ହୃଦେ ବେଦବର

ବିନତା ନନ୍ଦନକଇଂ ରାଇ ବୋଇଲେ କୁଶଧର ।୫୩।

ତୁ ବାବୁ ଖଗେଶ୍ଵର ମୃତୁମଣ୍ତଳକୁ ବହନ ହୋଇ ଯାସି

ଗଜ କଚ୍ଛପକଇଂ ପକାଅ ବେଗେ ନାଶି ।୫୪।

ପିତାର ବଚନେ ସେ ଚଳଇ ଖଗୟା

ଆଗ୍ୟାଂୟେ ଗରୁଡ଼ ଯେ ବିକାଶିଲା କାୟା ।୫୫।

ଆକାଶରେ ଥାଇ ମଧ୍ୟଭୁବନକଇଂ ଦିଲା ଦୃଷ୍ଠି

ଦେଖିଲା ଗଜ କଚ୍ଛପର ଯେ ସମର ଅରଷ୍ଠି ।୫୬।

ଧାତିକାରେ ବଇନେତ୍ର ପଡ଼ିଲା ଆକାଶୁ

ବ୍ରହ୍ମାଣ୍ତ କଂପିଲା ସେ ଖଗୟା ଆସୁ ଆସୁ ।୫୭।

ରତିଘାତେ କଂପିଲା ଯେ ସପତ ସାଗର

ତ୍ରାସେ ଉତ୍ତଂକ ବଳ ପଶିଲେ ପାତାଳର ।୫୮।

ଗଜ କଚ୍ଛପ ବିବାଦ ଗରୁତର ଦେଖି

ପଳାବନ୍ତି ଜନମାନେ ଘରଗ୍ରାମ ଉପେକ୍ଷି ।୫୯।

ସମର କାଳେ ତାହା ଦେଖିଲେ ମହାଗଜେ

ବୋଇଲା ଛାଡ଼ ଛାଡ଼ ହୋ କଚ୍ଛପ ଗରୁଡ଼ କଲା ଦିଗବିଜେ ।୬୦।

ଅରୁଣ ପର୍ବତେ ଆସି ବିଜୟେ ଖଗୟା

ଦେଖଇ ଗଜ କଚ୍ଛପର ମନ୍ଦର ଜାଣି କାୟା ।୬୧।

ମହା ବଳବନ୍ତା ସେ ସମର ମତ୍ତଗର୍ବେ

ଲାଗନ୍ତି ମାଲଯୁଦ୍ଧ ଯେହ୍ନେ ଶାପ୍ୟ ପୂର୍ବେ ।୬୨।

ଗଜ କଚ୍ଛପର ବେନି ମୁଣ୍ତେ ପ୍ରହାର ବାଜି

ମହା ଅନଳ ତେଜ ଉଠିଲା ଗଳଗାଜି ।୬୩।

ଦେଖିଣ ତ୍ରାସେ ପଳାଇଲେ ସମସ୍ତ ଦିଗପାଳେ

ଅନେକ ରାଜ୍ୟ ଦହନ ହୋଉଅଛି ମହା ଅନଳ ଜାଳେ ।୬୪।

ରହ ରହ ଗଜ କଚ୍ଛପ ବୋଲଇ ଖଗେଶ୍ଵର

ସଂସାର ନାଶଗଲାନି ଯେ ଦୁହିଂକରି ସମର ।୬୫।

ୟେମନ୍ତେ ଅନେକ ମାଧୁର୍ଯ୍ୟ ବଚନ ବୋଇଲା ଗରୁଡ଼ ବାଗେ

ନ ଶୁଣନ୍ତି ଗଜ କଚ୍ଛପ ସମର ମହାଶ୍ରାଗେ ।୬୬।

ଡ଼ାକ ଦେଇ ବିମୁଖ ହୋଇଲା କେଶବ ବାହନ

ତ ତହୁଂ ବଳବନ୍ତା ନ ବୁଝଇ ଆନ ।୬୭।

କୋପେଣ ଖଗେଶ୍ଵର ଯେ ଅନନ୍ତ କାମରୂପୀ

ଗଜ କଚ୍ଛପ ଉପରେ ପଡ଼ିଲା ବେଗେ ଖେପୀ ।୬୮।

ଆକାଶେ ବାଣୀ ଶୁଭିଲା ହୋ ଗରୁଡ଼ କିଂପେ ହେଳା କରୁ

ବ୍ରହ୍ମାଣ୍ତ ନାଶ ଯାଉଛି ତୁ କିସ ବିଚାରୁ ।୬୯।

ସନ୍ନିଧ୍ୟେଣ ଗରୁଡ଼ ଯେ ବହୁତ ବାକ୍ୟ ବୋଲି

ଦୁଇ ପକ୍ଷ ବୁଲାଇଣ ଦୁହିନ୍ତି ପକାଇଲା ପେଲି ।୭୦।

କୋପେଣ କଚ୍ଛପ ଯେ ଛାଡ଼ିଲା ନିଶ୍ଵାସେ

ଗରୁଡ଼ ପଡ଼ିଲା ଯାଇଂ ଯୋଜନ ପଞ୍ଚଦଶେ ।୭୧।

ଆହୋ ଯୁଝେଷ୍ଠି ନିଷାଦପୁର ବୋଲିଣ ଯେଉଂଣ ନଗ୍ରି

ଅସମ୍ଭାଳ ହୋଇକରି ଗରୁଡ଼ ତହିଂ ପଡ଼ି ।୭୨।

ବିଚାରଇ ଖଗେଶ୍ଵର ଲାଘବ କଲି ତହିଂ ଯୁଦ୍ଧ

ଛାର ବୋଲିଣ ହେଳାକଲି କାଳେ ଗଲି ବଧ ।୭୩।

କୋପେଣ ବିନେତ୍ର ସେ ମହା କାମରୂପୀ

ଭୀଷ୍ମମୃତ୍ତି ହୋଇ ସେ ମହାକାୟେ ବ୍ୟାପୀ ।୭୪।

ବେନିପକ୍ଷୀ ବିସ୍ତାରି ସେ ଉଡ଼ିଲା ବଇନେତ୍ର

ନିଷାଦର ପୁର ଭାଞ୍ଜିଣ ହୋଇଲା ଭଗନସ୍ତ ।୭୫।

ମହାବାତେ ଯେସନେକେ ଭାଙ୍ଗଇ ନଗ୍ର ଦେଶ

ସମୁଦ୍ରେ ଉଡ଼ି ପଡ଼ିଲେ ଜନ ଜନ୍ତୁୟେ ନ ରହିଲେ ଲେଶ ।୭୬।

ବଇବସୁତ ମନୁ ପୁଛାକଲେ ଅଗସ୍ତିଂକି

ଗରୁଡ଼ର ୟେଡ଼େ କୋପ କିଂପେ ନିଷାଦପୁର ନଗ୍ରିକି ।୭୭।

ଅଗସ୍ତି ବୋଇଲେ ହୋ ୟେ ପୂର୍ବରୁ ବହୁତ କଥା

ଯେବଣ କାଳେ କଦ୍ରୁ ହୁଡ଼େକ ନାଶିଲେ ବିନତା ।୭୮।

ସାତବେଣ୍ଟି କରି ନେଲା ସେ ନିଷାଦପୁର ଦାଣ୍ତେ

କଦ୍ରୁର ବଚନ କୁରୁଳିବିଣ୍ତା ମାଇଲେକ ରାଣ୍ତେ ।୭୯।

ସେ ରାଗ ବିନତା ଯେ ହୃଦରେ ଧରିଥିଲା

ଗରୁଡ଼ ଆଗେ ଯାଇଂ କାନ୍ଦିଣ କହିଲା ।୮୦।

ବାବୁ କଦ୍ରୁ ଆଣନ୍ତେ ମୁଂ କାନ୍ଦିଣ ଆସଇ ଶୋକେ

ଅନେକ ଅବସ୍ତା କଲେ ମୋତେ ନିଷାଦପୁର ଲୋକେ ।୮୧।

ତାହା ତୁହି ନନ୍ଦନ ରେ ହୃଦରେ ଧରିଥିବୁ

ନିଷାଦପୁର ନଗ୍ର ତୁ ଅବଶ୍ୟ ଉଜାଡ଼ କରିବୁ ।୮୨।

ମାତାର ବଚନ ସେ ଯେ ହୃଦେ ଧରିଥିଲା

ମହା କୋପକାଳେ ସେ ଛାମୁରେ ପଡ଼ିଲା ।୮୩।

ନଗ୍ର ନାଶକଲା ଆବର ତାଳେକ ଗଭୀର

ମୃତ୍ତିକା ସହିତେ ଉଡ଼ି ପଡ଼ିଲା ସାହେର ଭିତରେ ।୮୪।

କହନ୍ତି ଅଗସ୍ତି ପଣ୍ତିତ ମହାବୁଦ୍ଧି

ସେହିସ୍ତାନେ ଚିଲିକା ହୋଇଲାଟି ଦକ୍ଷିଣ ମଉଦଧି ।୮୫।

ଧାମଇଂ ଗରୁଡ଼ ଯେ ଅତ୍ୟନ୍ତ ମହାକୋପେ

ଯାଆନ୍ତେଣ ଗଜକୁ ଧଇଲା ଗରୁତାପେ ।୮୬।

କଚ୍ଛପକୁ ଭେଟିଲା ମହିଷା କୁଦ କାଛେ

ଦକ୍ଷିଣ ମୂରତିରେ ସେ ରହିଛି ପ୍ରତକ୍ଷେ ।୮୭।

ବାମପାଦେ ନାଗକୁ ଧଇଲା ଖଗେଶ୍ଵର

ମାଡ଼ିଣ ବସିଲା ଯାଇଂ କଛୁପ ଉପର ।୮୮।

ମହାଗଜ ଘେନି ବିଜେ ଗରୁଡ଼ ମହାକାୟେ

କଚ୍ଛପ ବୁଝିଲା ତାହା ଗିରିରାଜ ପ୍ରାୟେ ।୮୯।

ଜଳର କୂଳରେ ସେ କଚ୍ଛପ ପଡ଼ିଥିଲା

ଗରୁଡ଼କୁ ଦେଖି ସେ ସାଗରେ ପଡ଼ିଲା ।୯୦।

ଗରୁଡ଼ ନାହୁଡ଼େ ଧଇଲା ତାର ତଣ୍ଟି

ବାମପାଦେ ଗରୁଡ଼ ଧରିଛି ମହା ଗଜଗୋଟି ।୯୧।

ୟେତେକ ଭାରାୟେ ସେ କୁରୁମ ମହାବଳୀ

ଅଗାଦ ସାଗରେ ସେ ପଶିଲା ଯାଇଂ ପେଲି ।୯୨।

ସହସ୍ର ଯୋଜନ ଗଭୀରେ ଯାଇଂ ପଶି

ତଦ୍ୟାପି ଗରୁଡ଼ ଧରିଛି ଆକ୍ରୋଷି ।୯୩।

ବଳରେ କଚ୍ଛପ ପଶଇ ଅଗାଦ ଜଳକୁ

ଘେନିଣ ଗରୁଡ଼ ଯେ ଉଡ଼ଇ ଆକାଶକୁ ।୯୪।

ବାମପାଦେ ଗଜ ଦକ୍ଷିଣ ପାଦେ କଚ୍ଛପଇ

ଘେନିଣ ବିନତା ନନ୍ଦନ ଆକାଶକୁ କ୍ଷେପଇ ।୯୫।

ଶୁଣ ଆହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ତେ

ଗଜ କଚ୍ଛପ ଦୁହେଂ ବିଂଝ ମନ୍ଦର ଗିରି ଯେଡ଼େ ଯେଡ଼େ ।୯୬।

ତାହାନ୍ତ ଘେନିଣ ଯେ ବିନତାର ବାଳେ

ଅନ୍ତରୀଚ୍ଛେ ଗରୁଡ଼ ଉଡ଼ିଲା ଅବନିଳେ ।୯୭।

ଅନେକ ଭାରା ବୋଲି ତାକୁ ନୁଆରିଲା ଛାଡ଼ି

ଲୋଚନ ଗିରି ପର୍ବତେ ବସିଲା ଯାଇଂ ମାଡ଼ି ।୯୮।

ବିଶାଶତେ ଯୋଜନ ସେ କନ୍ଦରର ସ୍ଥଳୀ

ତେଡ଼େବଡ଼ ଗିରି କନ୍ଦର ପାତାଳେ ଗଲା ଗଳି ।୯୯।

ଭୟେଣ ବିନୋୟୀ ଯେ କହଇ ବସୁନ୍ଧରୀ

ରକ୍ଷାକର ମୋତେ ତୁହି ନାଗଂକର ଅଇରି ।୧୦୦।

ତୁ ସେ ଖଗେଶ୍ଵର ବଳେ ଅଟୁ ଅଟୁ ମହାବଳୀ

ବିଶେଷେ ଗଜ କଚ୍ଛପ ପାଦେ ଧରିଅଛୁ ତୋଳି ।୧୦୧।

ପୃଥିବୀ ସହିବ କି ୟେ ତୋହୋର ଭାରା

ମୁଖେଣ ରୋଧିର ଯେ ବହଇ ବସୁନ୍ଧରା ।୧୦୨।

ପୃଥିବୀର ବିକଳେ ସେ ନ ବସଇ ମହୀ

ଗିରି ଡିଙ୍ଗର ମାନେ ଭାରା ନୁଆରିଲେ ସହି ।୧୦୩।

ଅନନ୍ତ ଦ୍ଵୀପେ ପ୍ରବେଶ ହୋଇଲା ବଇନେତ୍ର

ଦେଖିଣ ବୃକ୍ଷେକ ଅଛଇ ଯୋଜନ ଶତ ।୧୦୪।

ପଞ୍ଚିବିଂଶ ଯୋଜନ ଆୟେତନ ତହିଂର ମୂଳ

ବିସ୍ତାର ତହିଂର ଶତେ ଯୋଜନ ଡାଳ ।୧୦୫।

ମହା ବିସ୍ତୀର୍ଣ୍ଣ ଦେଖିଣ ସେ ବିନତାର ସୁତ

ସେ ବୃକ୍ଷର ଡାଳେ ଯାଇଂ ବସିଲା ତୁରିତ ।୧୦୬।

କୁଶଦ୍ଵୀପକୁ ସେ ବୃକ୍ଷ ଯେ ଧାରଣ

ଅନିଳବଟ ବୋଲିଣ ତାହାର ନାମ ଜାଣ ।୧୦୭।

ନୀଳ କଳପବଟ ସେ ବହୁତ କାଳର ଜାଣ

ପୃଥୀ ସଞ୍ଜିଲା କାଳେ ତାହା ଆଣିଲେ ନାରାୟଣ ।୧୦୮।

ତାହାର ସିକଡ଼େ ସେ ଖଞ୍ଜିଲା ଅଛି ମହୀ

ଗରୁଡ଼ର ଭାରା ସେ ଯେ ନୁଆରିଲା ସହି ।୧୦୯।

ଯେତେବେଳେ ଗରୁଡ଼ ବସିଲା ଗଳଗାଜି

ପଞ୍ଚାଶ ଯୋଜନ ଡାଳ ପଡ଼ିଲାକ ଭାଜି ।୧୧୦।

ସେ ଡ଼ାଲରେ ତଳେ ଉଦେପାଟଣା ବୋଲି ନଗ୍ରି

ସେ ଡାଳ ପଡ଼ନ୍ତେ ସେ ନଗ୍ର ହୋଇବେକ ଚୂରି ।୧୧୧।

ଜନଜନ୍ତୁ ଆଦିକରି ସମସ୍ତେ ହୋଇବେ ନାଶାଂଗତ

ସକଳ ବିକଳ ଦେଖି ଥଣ୍ଟେ ଧଇଲା ବଇନେତ୍ର ।୧୧୨।

ଗଜ କଚ୍ଛପ ବେନିପାଦେ ଥଣ୍ଟେ ଡାଳ ଧରି

ଉଡ଼ଇ ବିନତା ନନ୍ଦନ ଆକାଶ ମାର୍ଗେ କରି ।୧୧୩।

ସାଧୁ ଖଗେଶ୍ଵର ବୋଲି ଉଠିଲାକ ଧ୍ଵନି

ଆକାଶେ ଜୟେ ଜୟେ କରନ୍ତି ସର୍ବସୁର ମୁନି ।୧୧୪।

ବସିତେ ଠାବ ନାହଂ ଆସଇ ଶୂନ୍ୟେ ଭ୍ରମି

ଉଡ଼ଇ ଗଗନେ ସେ ଖେପଇ ମହାଶ୍ରମୀ ।୧୧୫।

ଡାଳ ପକାଇଲେ ନାଶଯିବେ ପଞ୍ଚାଶତ ଯୋଜନ ପରିଯନ୍ତେ

ଗଜ କଚ୍ଛପ ପଡ଼ିଲେ ନାଶଯିବେ ଯୋଜନ ଶତେ ।୧୧୬।

ୟେମନ୍ତେ ବଇନେତ୍ର ନ ଛାଡ଼ଇ ତିନିନ୍ତି

ମହାଭାରା ବହିକରି ବସଇ ଚଉକତି ।୧୧୭।

ଗରୁଡ଼ର ମହାଶ୍ରମ ପକ୍ଷର ବିଘାତେ

ସମୋଦ୍ର ହାନ୍ଦୋଳଇ ବ୍ରହ୍ମାଣ୍ତ ଖଣ୍ତ ସାତେ ।୧୧୮।

କ୍ଷୀର ସମୋଦ୍ର ଯେ ହୋଇଲା ବେନିଭାଗ

ଗରୁଡ଼ର ଆତଙ୍ଗ ଯେ ଜାଣିଲେ ଶ୍ରୀରଙ୍ଗ ।୧୧୯।

ଶୂନ୍ୟେଣ ଗମିଲେ ଯେ ଦେବ ଶିରୀବତ୍ସ

ଅଦଭୂତେ କ୍ଷୀରୋଦ୍ର ସମୁଦ୍ରୁଂ ବାହାର ହୋଇଲା ବିଷ୍ଣୁବୃକ୍ଷ ।୧୨୦।

ଚାରିଶତ ଯୋଜନ ଆୟେତନ ବୃକ୍ଷର ଚାରିଡାଳ

ବେନିଶତ ଯୋଜନ ଅଟଇ ସେ ବୃକ୍ଷର ମୂଳ ।୧୨୧।

ଅଦଭୁତେ ବାଣୀ ଯେ ଶୁଭିଲା ଆକାଶର

ୟେ ବୃକ୍ଷେ ବିଶ୍ରାମ ତୁ କର ହୋ ଖଗେଶ୍ଵର ।୧୨୨।

ଶୂନ୍ୟର ଶବଦ ଶୁଣି ପ୍ରଜାପତିର ନାତି

ବୃକ୍ଷର ସଳଖେ ବୀର ଖସି ଅଇଲାକ ଝାତି ।୧୨୩।

ଗଜ କଚ୍ଛପ ଡାଳ ଘେନିଣ ପଚ୍ଛୀବର

ଗରୁଡ଼ ବିଜେକଲା ସେ ବିଷ୍ଣୁ ବୃକ୍ଷର ଉପର ।୧୨୪।

ଦୁଇଡାଳେ ଦୁଇପାଦେ ଦେଇଣ ବୀର ରହି

ନାରାୟଣ ବୃକ୍ଷ ରୂପେଣ ପାରିଲେ ତାହା ସହି ।୧୨୫।

ଥଣ୍ଟରେ ୟେକଡାଳ ଅଛି ଗଜ କଚ୍ଛପ ବେନିପାଦେ

ସୁସ୍ଥ ହୋଇ ବଇନେତ୍ର ଯେ ବସିଲା ତହିଂ ହାଦେ ।୧୨୬।

ସେ ବୃକ୍ଷ ବୋଇଲା ଶୁଣ ହୋ ମହାବଳ

ଥଣ୍ଟରୁ ମହାତମା ଥୋଉ କିନା ଡାଳ ।୧୨୭।

ଗରୁଡ଼ ବୋଇଲା ହୋ ୟେଡ଼େବଡ଼ ଡାଳ ଥୋଇଲେ

ପୁଣ କିସ କରିବି ତୋହୋର ଭାଞ୍ଜିଲେ ।୧୨୮।

ବିଷ୍ଣୁ ବୃକ୍ଷ ବୋଇଲା ମୁଂ ନ ଭାଞ୍ଜଇ ବାବୁ

ଗଜ କଚ୍ଛପ ସହିତେ ଥୁଅସି ୟେଥେ ସବୁ ।୧୨୯।

ଥଣ୍ଟ ବଥାଇବନି ତୋର ବଥାଇବନି ପାଦ ବେନି

ଶତେ ବରଷ ହୋଇଲାନି ବାବୁ ତୁ ବୁଲୁଅଛୁ ୟେହା ଘେନି ।୧୩୦।

ବୃକ୍ଷର ବଚନ ଶୁଣି ସେ ଗରୁଡ଼ ମହାବଳ

ସେ ବୃକ୍ଷର ଉପରେ ନେଇ ଥୋଇଲା ମହାଡାଳ ।୧୩୧।

ଗଜ କଚ୍ଛପ ପକାଇଲା ତହିଂର ଉପରେ

ମାଡ଼ିଣ ବକ୍ଷଥଳେ ବସିଲା ତହିଂ ଗାଢ଼େ ।୧୩୨।

ଗରୁଡ଼ ପଚାରଇ ବୃକ୍ଷ ହୋ ଜୀବନ ତୋର ସାଧୁ

ୟେଡ଼େ ଭାରା ସହିଲୁ ଧନ୍ୟ ତୋର ବୀରଧୁ ।୧୩୩।

ସେ ବୃକ୍ଷ ବୋଇଲା ତୁହୋ ସାବଧାନେ ଶୁଣ

ତୁହି ସେ ଗରୁଡ଼ ବାବୁ ମୁହିଂ ନାରାୟଣ ।୧୩୪।

ବହୁତ ଭାରା ତୁ ପାଇଲୁ ଅଦଭୁତେ

ମୁହିଂ ବୃକ୍ଷେକ ହୋଇଲି ସଂସାର ଜନହିତେ ।୧୩୫।

ଗଜ କଚ୍ଛପ ଡାଳ ସବୁନ୍ତି ଘେନି ବସୁ

ଯେଣେ ଯାଉ ତେଣେ ଜନ ନଗ୍ର ନାଶୁ ।୧୩୬।

ଶୁଣିଣ ବିନତାର ନନ୍ଦନ କଲା ମହାଭୟେ

ଡାଳରୁ ଉତୁରି ସେ ହୋଇଲା ଶୂନ୍ୟମୟେ ।୧୩୭।

ଭୟେଣ ଉଡ଼ାଇ ସେ ଆକାଶ ବିକ୍ରମି

ଛଡ଼ଲକ୍ଷ ଯୋଜନେ ସେ ରହିଲା ବିଶ୍ରାମି ।୧୩୮।

ଗରୁଡ଼ର ମୃତ୍ତି ଦେଖିଣ ମଘବା

ଅମର ଆସ୍ତାନ ତେଜିଲା ଭୟେ ସୁରନାଥ ଦେବା ।୧୩୯।

ଯୁଝେଷ୍ଠିଦେବେ ପଚାରିଲେ ଶୁଣିମା ମାରକଣ୍ତେ

ଗରୁଡ଼କୁ ଦେଖି ଇନ୍ଦ୍ର କିଂପେ ଭୟେ ୟେଡ଼େ ।୧୪୦।

ମାରକଣ୍ତେ ବୋଇଲେ ବାବୁ ଶୁଣସି ପୂର୍ବକଥା

ତୁ ଯାହା ପଚାରିଲୁ ଆଦି ଅନ୍ତର ବାରତା ।୧୪୧।

ଦକ୍ଷ ପ୍ରଜାପତିଂକର ଯେ ଷାଠିୟେ ଦୁହିତା

ଧର୍ମକଇଂ ପ୍ରଦାନ କଲା ଦଶଗୋଟି ସୁତା ।୧୪୨।

ଶ୍ରୁତି ମୂର୍ତ୍ତି ବୁଦ୍ଧି ସିଦ୍ଧି ମେଧା ଯେ ସୁମେଧା

ତନୁ ଭାନୁ ଶିଶି ଶାନ୍ତି ଯେ ଶରଧା ।୧୪୩।

ୟେ ଦଶକନ୍ୟା ଧର୍ମକଇଂ ପ୍ରଦାନ

ଉମା କନ୍ୟାକଇଂ ପ୍ରଦାନ ହୋଇଲେ ତ୍ରିଲୋଚନ ।୧୪୪।

ବ୍ରହ୍ମାକଇଂ ସାବିତ୍ରୀ ଯେ ଆଦିତ୍ୟେଣ ସଂଗ୍ୟାଂ

କୁବେରେ ହାରାବତୀ ବରୁଣେ ନିଭଗ୍ୟାଂ ।୧୪୫।

ଅଗ୍ନି ଦେବତାଂକୁ ସ୍ଵାହା ସ୍ଵଧା ବେନି

ବୃହସ୍ପତିଂକି ତାରା ଚନ୍ଦ୍ରେ ସତାଇଶ ନନ୍ଦିନୀ ।୧୪୬।

କଶ୍ୟପ ଋଷିଂକୁ ଦିଲେ ତେର ଯେ କୁମାରୀ

କାଳା ଅୟେଂଳା ଗର୍ନ୍ଧବା ଇଛା ଯେ ସୁନ୍ଦରୀ ।୧୪୭।

ଅରିଷ୍ଟା ଗୁହ୍ୟକା ସିଂହିକା ସୁରଭି

ଅଦିତି ଦକ୍ଷା କଦ୍ରୁ ବିନତା ୟେ ଯେ ତେରଦେବୀ ।୧୪୮।

ୟେମନ୍ତେ ଅଣଷାଠି ଦୁହିତା ୟେଗାର ଜ୍ଵାଇଂକି ଦିଲା

ହେମାକନ୍ୟା ପରମ ଯୋଗିନୀ ହୋଇ ଭ୍ରଥା ନ ଇଚ୍ଛିଲା ।୧୪୯।

ଦିତିର ତହୁଂ ଉପୁଜିଲେ ଦେବତାୟେ

ଅଦିତିର ତହୁଂ ପବନ ଜାତ ହୋୟେ ।୧୫୦।

କଦ୍ରୁର ତହୁଂ ଯେ ନାଗେ ହୋଇଲାକ ଜାତ

କାଳାଉଂ କାଳକେୟ ଲୋକ ହୋଇଲେ ସମ୍ଭୁତ ।୧୫୧।

ଅୟେଂଳାରୁ ଉପୁଜିଲେ ଆଠଲକ୍ଷ ପର୍ବତ

ଗନ୍ଧର୍ବାଉଂ ଗନ୍ଧର୍ବ ଯେ ହୋଇଲା ସମ୍ବୂତ ।୧୫୨।

ଦକ୍ଷାଉଂ ଉପୁଜିଲେ ଦକ୍ଷ ୟେ ପୁରୁଷେ

ଇଚ୍ଛାଉଂ ଚଉପାୟା ଜୀବ ପରକାଶେ ।୧୫୩।

ଅରିଷ୍ଟାଉଂ ଅରିଷ୍ଟକେ ହୋଇଲେ ଉତପତ୍ତି

ଗୁହ୍ୟକାଉଂ ଗୁହ୍ୟକେ ସମ୍ଭୂତ ହୁଅନ୍ତି ।୧୫୪।

ସିଂହିକାଉଂ ଉପୁଜିଲେ ରାହୁ ଯେ ରାକ୍ଷସେ

ସୁରଭିଉଂ ଗୋଧନ ହୋଇଲେ ପ୍ରକାଶେ ।୧୫୫।

ଦ୍ଵାଦଶ କନ୍ୟାଂକର ପୁତ୍ର ଯେ ହୋଇଲା

ବିନତାର ତହୁଂ ପୁତ୍ର ଦୁହିତା ନ ଉପୁଜିଲା ।୧୫୬।

କଶ୍ୟପକଇଂ ତେଜ୍ୟା କଲା ସେ ବିନତା

ଗୃହ ବାସ ତେଜି ହୋଇଲା କଶ୍ୟପେ ଅଭଗତା ।୧୫୭।

ବ୍ରହ୍ମାଂକର ମାଘ ସ୍ରାହାନର କାଳେ

ଜଳ ଘାଟନିକ ନିର୍ମଳ କରଇ ପ୍ରଭାତର କାଳେ ।୧୫୮।

ବାଟ ପଅଂରଇ ସେ ପକାବଇ ଛରା

ଆସିବାର ବେଳେ ଦେବୀ ଜଗଇ ପୟେଂରା ।୧୫୯।

ତିରିଶ ଦିବସେ ପ୍ରସନ୍ନେ ହୋଇଲେ ତାକୁ ଧାତା

ବୋଇଲେ କିମର୍ଥେ ମୁକୁ ଖଟୁରେ ବିନତା ।୧୬୦।

ଆପାର ଦୁଖ ତୁ ପଡ଼ିଲୁ ମକର ମାସେ

ତୋହୋର ପରିମଳ ପଥେ ହେଲୁ ଆଜି ହରଷେ ।୧୬୧।

କେବଣ ଆଧ୍ୟାନ ତୋର ମାଗ ରେ ଯୁବତୀ

ବିନତା ବୋଇଲା ଅପୁତ୍ରିକ ମୁଂ ହୋଇଲି ବେଦପତି ।୧୬୨।

ସବୁଂକରି ପୁତ୍ର ହୋଇଲା ମୋହୋର ପୁତ୍ର ନାହିଂ

ଜନହୀନ ହୋଇଲି ମୁଂ କଶ୍ୟପନ୍ତ ଦାହି ।୧୬୩।

ବିନତାର ବଚନେ ସେ ଦେବ ବେଦପତି

ଆରୋପିଲା ମହାତମା ସନ୍ତତି ଆହୁତି ।୧୬୪।

ପ୍ରଣପତ୍ୟ ହୋଇଣ ସେ ବୋଲଇ ବିନତା

ପୁତ୍ର ହୋଇବ ମୋର ବଡ଼ାଇ ବଳବନ୍ତା ।୧୬୫।

ଅଦିତିର ନନ୍ଦନ ଯେ ହୋଇଲା ଅମରାଧି

ତାହା ତହୁଂ ବଳବନ୍ତା ହୋଇବ ପୁତ୍ର ମୋର ମହାଯୋଧୀ ।୧୬୬।

ପିତାଂକୁ କହିଲେ ଦେବୀ ଆମ୍ଭେ ଅଭିମାନୀ

ଆମ୍ଭନ୍ତ ନ ଦେଖଇ ଦେବ ସସ୍ରଯୋନି ।୧୬୭।

ଅତି ଉତକର୍ମ ତାହାର ସହିତ ନୁଆରି

ତୋହୋର ପୁତ୍ର ହୋଉ ଅମରେ ଦଣ୍ତଧାରୀ ।୧୬୮।

ଖଗବର ମନ୍ତ୍ରେ ଆହୁତି ଦିଲେ ଧାତା

ଚରୁଂ ଫୁଟାଇଣ ବୋଇଲେ ଗ୍ରାସକର ଗୋ ବିନତା ।୧୬୯।

ଚରୁ ଭୁଞ୍ଜନ୍ତେ ପିତାର ମହାମନ୍ତ୍ରେ

ସଇନ୍ଦ ତତ୍ କ୍ଷଣାନ୍ତି ଉପୁଜିଲେ ବେନିପୁତ୍ରେ ।୧୭୦।

ମହା ଭୀଷ୍ମରୂପେ ଯେ ପ୍ରଚଣ୍ତ ମହାବଳୀ

ତ୍ରାସେ ଅଦୃଶ୍ୟ ହୋଇଲେ ଦେବ ଅଂଶୁମାଳୀ ।୧୭୧।

ବିକ୍ରମିଣ ଖେପିଲେ ସେ ଦୁହେଂ ଶୂନ୍ୟ ପଥେ

ମାଡ଼ିଣ ବସିଲେ ଦୁହେଂ ଆଦିତ୍ୟର ରଥେ ।୧୭୨।

ଦିନକର ନାଥ ମହାଭୟେ କରି

ରଥ ଛାଡ଼ି ହୋଇଲେ ସେ ମେରୁରେ ଓହାଡ଼ି ।୧୭୩।

ବିନତାର ଆଗେ କହିଲେ ବେଦ ବ୍ରହ୍ମା

ଅରୁଣ ଗରୁଡ଼ ହୋଇଲା ତୋହୋର ପୁତ୍ରଂକର ନାମା ।୧୭୪।

ବିରଞ୍ଚି ନାରାୟଣ ଯହୁଂ ପଳାଇଲେ ତ୍ରାସି

ବ୍ରହ୍ମାଂକର ପଛକତିରେ ଲୁଚିଣ ଯାଇଂ ବସି ।୧୭୫।

ଆଦିତ୍ୟ ବୋଇଲେ ଧାତା କେଉଂଣ ତୋରମାୟା

କାହୁଂ ଭିଆଇଲୁ ଦେବ ୟେ ଭୀଷ୍ମରୂପ କାୟା ।୧୭୬।

ପିତାୟେ ବୋଇଲେ ଆମ୍ଭେ ଇନ୍ଦ୍ରର ବିବାଦେ

ଅମର ସ୍ଵର୍ଗ ଭୁବନକଇଂ ଗଲୁ କଥାୟେ ନ କହିଲା ହାଦେ ।୧୭୭।

ଆଦିତ୍ୟ ବୋଇଲେ ତୋତେ ଇନ୍ଦ୍ର କଲା ଝିଂଘାସ

ମୋତେ ଯେ ଘୋଟିଲା ସେ ମୋହୋର କିସ ଦୋଷ ।୧୭୮।

ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ତେ

ଆଦିତ୍ୟ ଲୁଚିଲେ ଦିବସ ହୋଇଲା ଅରୁଣ ତେଜ ୟେଡ଼େ ।୧୭୯।

ଧାତାର ପଛ ବଦନେ ଲୁଚିଲେ ବିରଞ୍ଚି

ତହୁଂ ସେ ବିରଞ୍ଚି ବଦନ ବୋଲିଣ ଧାତାରେ ସଞ୍ଚି ।୧୮୦।

ବିରଞ୍ଚିକି ଘେନି ଯେ ଦେବ ପଦ୍ମଯୋନି

ଗଗନ ମଣ୍ତଳେ ଭେଟିଲେ ଅରୁଣେ ଗରୁଡ଼ ବେନି ।୧୮୧।

ଆଦିତ୍ୟ ଦେବତା ଅରୁଣକୁ ତୁସ୍ତିକଲା

ବ୍ରହ୍ମା ଗରୁଡ଼କୁ ବହୁତ ଶାନ୍ତି ବାକ୍ୟ ବୋଇଲା ।୧୮୨।

ଜୟତୁ ଅରୁଣ ହୋ ମହାଅଗ୍ନି ତେଜା

ସୟଳ ତ୍ରାସେଣ ତୋର ହୋଉଛି ଦହିଜା ।୧୮୩।

ଜୟତୁ ଅରୁଣ ହୋ ଅକ୍ଷୟେ ଅବ୍ୟୟେ

ଜୟତୁ ଅରୁଣ ତୁ ବିଦିତ ମହାକାୟେ ।୧୮୪।

ଜୟତୁ ଅରୁଣ ହୋ ଅକାଳ ଅକାମ

ଜୟତୁ ଅରୁଣ ଜାତ ଅନ୍ତ ବିଶ୍ରାମ ।୧୮୫।

ଜୟତୁ ଅରୁଣ ହୋ ମହାତେଜାନଳ କାୟେ

ଜୟତୁ ଅରୁଣ ପ୍ରସନ୍ନେ ବରଦାୟେ ।୧୮୬।

ଜଜତୁ ଅରୁଣ ସୁରୂପା ବକନେତ୍ରା ପ୍ରଜାପତିର ନାତି

ତିମିର ବିଦାରଣ ନାଥ ଯାହାକୁ ନାହିଂ ଦିବାରାତି ।୧୮୭।

କିଞ୍ଚିତ ମୃତ୍ତି ଯାର ଦିବାଂକ ମୂର୍ଦ୍ଧନା

ପରମ ମଉଷଧି ନାନାଜୀବେ ବଜ୍ରସେହ୍ନା ।୧୮୮।

ଅରୁଣ ଅବର୍ଣ୍ଣ ତୁ ଅନୀତି ରୂପ ସଞ୍ଚା

ଜୟତୁ ଅରୁଣ ପ୍ରସନ୍ନ ଦିନ ବଞ୍ଚା ।୧୮୯।

ଜୟତୁ ଅରୁଣ ତ୍ରଇଲୋକ୍ୟ ଗୁଣନିଧି

ଜୟତୁ ଅରୁଣ ପ୍ରସନ୍ନେ ସର୍ବସିଦ୍ଧି ।୧୯୦।

ଜୟତୁ ଅରୁଣ କାମ୍ୟକ ଗୁଣବନ୍ତା

ଜୟତୁ ଅରୁଣ ନମସ୍ତେ ଶୂନ୍ୟ ଦେବତା ।୧୯୧।

ଜୟତୁ ଅରୁଣ ଅଭୟେ ଉଦୟେ ମେଖଳି

ଜୟତୁ ଅରୁଣ ହରଣ ରୋଗ ସୟଳୀ ।୧୯୨।

ଜୟତୁ ଅରୁଣ ସତତ ବିଜେ ମମ ହୃଦେ

ନ ଦେଖିଲି ନ ପାଇଲି ଭଜିଲି ଶବଦେ ।୧୯୩।

ତବ ପାଦପଦ୍ମେ ତଲୟେ ମମ ପଞ୍ଚଭୂତେ

ବିନତାର ନନ୍ଦନ ନମସ୍ତେ ନମସ୍ତେ ।୧୯୪।

ଗୁଣସାଗର ନାଥ ଚରଣେ ଦୟିନୀ

ମାଘମାସ ମାହାତ୍ମ୍ୟ ଭାବିଲା ସାରୋଳା ଦାସ ମୁନି ।୧୯୫-୮୩୭୭।

 

Unknown

ନୀଳଗିରି ପୂର୍ବ ବୃତ୍ତାନ୍ତ ଏବଂ
ଶ୍ରୀକୃଷ୍ଣଙ୍କ ମୃତପିଣ୍ତ ଦହନ ବର୍ଣ୍ଣନ

ବଇବସୁତ ମନୁଂକୁ ଯେ ଅଗସ୍ତି କହିଲେ

ବହୁତ ଅପୂର୍ବ କଥା ଶୁଣ ରାୟେ ଭଲେ ।୧।

ଅନେକ ବିନୟ ଯହୁଂ ଅଂଶୁମାଳୀ

ବିନତାର ନନ୍ଦନ ଭଗତି ପ୍ରତିପାଳି ।୨।

ପ୍ରସନ୍ନେ ବୋଇଲେ ହୋ ଶୁଣ କରତାର

ତ୍ରିପୁତି ହୋଇଲି ମୁଂ ୟେବେ ମାଗି ଘେନ ବର ।୩।

ଆଦିତ୍ୟ ବୋଇଲେ ଯେବେ ହୋଇଲୁ ତ୍ରିପୁତି

ବର ଯେବେ ଦେବୁ ବଚନ କରି ସତ୍ୟି ।୪।

ଅରୁଣ ବୋଇଲେ ମୁଂ ହୋଇଲି ପ୍ରସନ୍ନ

ଯାହା ବାଞ୍ଚ୍ଥା କରିବୁ ତାହା ହାଦେ ଦେବି ସତ୍ୟ ୟେ ବଚନ ।୫।

ଆଦିତ୍ୟ ବୋଇଲେ ମୁଂ ଉଦେ ହୋଇବି ନିତି

ତୁ ମୋହୋର ରଥେ ଯେ ହୋଇବୁ ସାରଥି ।୬।

ମୁହିଂ ହାଦେ ତୋତେ କରଇ ମହାଭୟେ

ମୋହୋର ତହୁଂ ପଞ୍ଚୁକିରଣ ଘେନ ତୋର କାୟେ ।୭।

ଆଦିତ୍ୟର ବଚନେ ଅରୁଣ ତ୍ରିପୁତି

ବୋଇଲେ ତୋହୋର ବଚନେ ମୁଂ ହୋଇବି ସାରଥି ।୮।

ନିଶାକାଳେ ନ ଥିବା ଆମ୍ଭେ ବେନି

ପୁଣି ଉଦେ ହୋଇବା ଦୁହିଂକର ତେଜ ଘେନି ।୯।

ପ୍ରଥମ ପ୍ରଭାତ କାଳେ ଯେଉଂଣ ଉଦେଶ

ଚାନ୍ଦ୍ରାୟଣ ଥିବା ଯାକେ ଅରୁଣ ପ୍ରକାଶ ।୧୦।

ଆହୋ ଅରୁଣ , ଆଗେ ତୁ , ମୁଂ ପଛେ ହୋଇବି ଉଦେ

ମୋହୋର ତହୁଂ ପଞ୍ଚୁକିରଣ ତୋହୋର ଉଦେ ହୋଉ ହାଦେ ।୧୧।

ବର ପ୍ରସାଦେ ଯେ ଉଦେ ଦିନକର ନାଥେ

ବିଜୟେ ବିରଞ୍ଚି ନାରାୟଣ ଅରୁଣ ସଙ୍ଗତେ ।୧୨।

ଆହୋ ଯୁଝେଷ୍ଠିଦେବ ଶୁଣ ପୂର୍ବର କଥା

ତୁ ଯେ ପୁଚ୍ଛାକଲୁ ମାଘମାସର ବାରତା ।୧୩।

ମାଘମାସେ ଦାଣ୍ତ ଛେରାପହଂରା ସେ କଲା

ଅରୁଣ ଗରୁଡ଼ ବେନିପୁତ୍ର ସେ ପାଇଲା ।୧୪।

ପିତାୟେ ବିନୟେ ଯେ ହୋଇଲେ ଗରୁଡ଼କୁ

ତୁ ୟେବେ ବିଜେକର ହୋ ଅମର ସ୍ଵର୍ଗକୁ ।୧୫।

ବାସବର ତୁଲେ ୟେବେ ହୋଅ ଯା ବିବାଦୀ

ଆଝୁଂ ଅମର ସ୍ଵର୍ଗେ ତୁ ହୁଅ ଜମ୍ଭୋଭେଦୀ ।୧୬।

ପିତାର ବଚନେ ସେ ଖେପଇ ଖଗେଶ୍ଵର

ପ୍ରବେଶ ହୋଇଲା ଯାଇଂ ଅମର ସ୍ଵର୍ଗପୁର ।୧୭।

ମହା ବଳବନ୍ତା ଗରୁଡ଼ ରୂପ ଦେଖି

ଇନ୍ଦ୍ର ଦେବତା ବାହାର ଆସ୍ତାନ ଉପେକ୍ଷି ।୧୮।

ବିଜୟେ ମଘବାନ ମହାନାଗ ପିଠି

ଶ୍ରୀ ଭୁଜେଣ ବଜ୍ର ଆୟୁଧ ଧରିଣ ମହାଯଷ୍ଟି ।୧୯।

ଧାମଇଂ ଗରୁଡ଼ କରିଣ ମହାନାଦେ

ତ୍ରଇଲୋକ୍ୟ କମ୍ପିଲା ଯେ ଖଗୟାର ବିବାଦେ ।୨୦।

ଶ୍ରୀଭୁଜେଣ ବଜ୍ର ବୁଲାଇ ମଘବାନ

ଗରୁଡ଼ ଉପରେ ପିଟିଲା ପାକ ଯେ ଶାସନ ।୨୧।

ବଜ୍ର ଶକତି ପଡ଼ନ୍ତେ ଦେଖିଲା ଖଗରାଣ

ବଜ୍ରସେହ୍ନା ପକ୍ଷ ନେଇ କଲାକ ଆବରଣ ।୨୨।

ବାସବର ଶକତି ଗରୁଡ଼ ପିଠିରେ ବାଜି

ବଜ୍ର ଶକତି ଯେ ହୋଇଲାକ ଭାଜି ।୨୩।

କୋପେଣ ଖେପିଲା ଯେ ଖଗେଶ୍ଵର ମହାବଳୀ

ଅଇରାବତ ନାଗର ମାଡ଼ି ବସିଲା ଗଣ୍ତସ୍ଥଳୀ ।୨୪।

ତ୍ରାସେଣ ଇନ୍ଦ୍ରଦେବତା ବାହାନ କଲା ତେଜ୍ୟା

ଧାତାର ପଛକତି ଲୁଚିଲା ଦେବରାଜା ।୨୫।

ଶରଣ ଫୁକାରଇ ଦେବ ମଘବାନ

ସ୍ଵାମୀ ସଂକଟୁ ପାରିକର ମୋତେ ଚତୁର ବଦନ ।୨୬।

ବହୁତ ବିନୟୀ ଯେ ହୋଇଲେ ଜମ୍ଭୋଭେଦୀ

ୟେ ପୁରୁଷ କେଟି ହୋ ମୋତେ ଆସୁଅଛି ଖେଦି ।୨୭।

ପିତା ବୋଇଲେ ହାଦେ ନୋହଇ ୟେ ରାହୁ

ବିନତାର ନନ୍ଦନ ୟେ ଗରୁଡ଼ ସହସ୍ରବାହୁ ।୨୮।

ରାଜଗର୍ବେ ତୁ ଆମ୍ଭନ୍ତ କଲୁ ଅପମାନୀ

ତେନ୍ୟାୟୁ ବିନତା ତହୁଂ ଆମ୍ଭେ ସ୍ରିଜିଲୁ ପୁତ୍ର ବେନି ।୨୯।

ଯତନେ ବିନତା ଆମ୍ଭନ୍ତ ଖଟିଲା ପୁଣ୍ୟକାଳେ

ତାହାର ନନ୍ଦନ ଆକାଶେ ହୋଇବ ଦିଗପାଳେ ।୩୦।

ଅନେକ ବିନୟୀ ସେ ବୋଇଲେ ମଘବା

ମୋହୋର ଅମର ସ୍ଵର୍ଗ ମୋତେ ଦେବ ଦେବା ।୩୧।

ଭୋ ଦେବ ସଚରାଚର ନବସୃଷ୍ଟିର କରତା

ଉଦ୍ଧାରେଣ ପୁରୁଷ ତୁ ବିହନ୍ତା ବିଧାତା ।୩୨।

ଜମ୍ଵୁ ଦଇତକୁ ମାରି ମୁଂ ଅମର ଅଧିପତି

ସେଠାରୁ ଆନ ଠାବରେ ମୁଂ ନୁଆରଇ ବ୍ରତି ।୩୩।

ଅନେକ କଷ୍ଠୋରେ ଯହୁଂ ବାସବ ବିନୟେ

ନବସୃଷ୍ଟି କରତା ନାଥଂକ ବସିଲା ସଦୟେ ।୩୪।

ଗରୁଡ଼ଂକ ସନ୍ନିଧେ ରାଇଲେ ବେଦପତି

ତୁ ବାବୁ ୟେବେ ନାଶ ନ କର ୟେ ଅଇରାବ୍ରତ ହାଥୀ ।୩୫।

ତୋତେ ଇନ୍ଦ୍ରପଦ ଦେବୁଂ ଯେ ବୋଇଲୁ

ଆଜହୁଂ ମହାବୀର ତୁ ପକ୍ଷୀ ଇନ୍ଦ୍ର ହୋଇଲୁ ।୩୬।

ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ତେ

ତୁ ଯାହା ପୁଚ୍ଛାକଲୁ ହୋ ଗରୁଡ଼ ଜନ୍ମ ଖଣ୍ତେ ।୩୭।

ଗଜ କଚ୍ଛପ ବିବାଦେ ଗରୁଡ଼ ମହାବୃତ୍ତି

ତେଣୁକରି ତ୍ରାସିଲେ ସେ ଦେବ ସୁରପତି ।୩୮।

ଗରୁଡ଼ର ବିଘାତେ ନାଶଗଲେ ଗଜ କଛପେ

ରହିଲେ ଆକାଶେ ଯେ ଯାଇଣ ନିଜ ରୂପେ ।୩୯।

ଯୁଝେଷ୍ଟି ଦେବେ ବୋଇଲେ ଶୁଣିଲି ୟେହୁ କଥା

ୟେବେ ସଞ୍ଚପି କହିବା ମୋତେ ନୀଳଗିରିର ବାରତା ।୪୦।

କେତେ କାଳହୁଂ ୟେଥେ ସୟଳ ସ୍ଥାପନ

କେମନ୍ତେ ନାରୟଣ ୟେଥକୁ କରିବେ ଆଗମନ ।୪୧।

ମାରକଣ୍ତେ ବୋଇଲେୋ ହୋ ଅପାର କାଳର କଥା

ଅନେକ ଅବତାରେ ହରି ବିଜୟେ ସର୍ବଥା ।୪୨।

ସତ୍ୟ ତ୍ରେତୟା ଯେ ଦ୍ଵାପର ଯୁଗ କଳି

ଚାରି ଯୁଗରେ ଜାଣ ଯେ ଗଣ୍ତାୟେକ ବୋଲି ।୪୩।

ୟେକସ୍ତରୀ ଗଣ୍ତାରେ ଯେ ବୋଲି ୟେକ ମନୁ

ଚଉଦ ମନୁରେ କଳ୍ପେକ ହୁଅଇ ତନୁ ।୪୪।

ନବକଳ୍ପ ଅନ୍ତରେ ପୃଥିବୀ ହୋଅଇ ନାଶ

କ୍ଷୀରୋଦ୍ରହିଂ ରାଜ୍ୟ କରଇ ୟେତେକ ବରଷ ।୪୫।

ଜଳ ଅନ୍ତରେ ପୁଣି ଉତପତି ହୁଅଇ ଶୂନ୍ୟୁ

ଅଣାକାର ପୁରୁଷଂକ ବିକାଶଇ ହାଦେ ତନୁ ।୪୬।

ସେ ମହାତମା ନବ ପୁରୁଷକଇଂ କରଇ ଯାୟେ

ମେଘ ପବନ ଅଗ୍ନି ଚନ୍ଦ୍ର ସୂର୍ଯ୍ୟକଇଂ କରଇ ଉପାୟେ ।୪୭।

ୟେ ନବପୁରୁଷ ଜାତ କରଇ ନବସୃଷ୍ଟି

ମେଦାସୁର ମର୍ଦ୍ଦିକରି ଭିଆଇଲେ ପୃଥୀଗୋଟି ।୪୮।

ୟେ ପୃଥୀର ଭାରାଭର ସଞ୍ଚୟେ ଘଟଣା

ଧାରଣା ପୁରୁଷ ୟେହା ସ୍ରଜିଲାକ ବ୍ରହ୍ମା ।୪୯।

ପୁଣି ସ୍ରିଜିଲା ସେ ଯେ ବିଷ୍ଣୁ ମହେଶ୍ଵର

ୟେଥୁଂ ଉପୁଜଇ ଜଙ୍ଗମ ଥାବର ।

ବ୍ରହ୍ମା ନିଗଳ ହୋଇଲାକ ବ୍ରହ୍ମ ସାଧି

ଈଶ୍ଵର ଯୋଗେ ବସିଲା ଆତ୍ମା ଯେ ନିରୋଧି ।୫୧।

ସୁଖଭୋଗ ଇଛାକଲେ ଦେବ ନାରାୟଣ

ସୁଖେ ଜାତ ହୋଇଲେ ମୃତୁ ଲୋକେ ପୁଣ ପୁଣ ।୫୨।

ସୁର ପାବକ ବୋଲିଣ ନାମ ସତ୍ୟ ଯେ ଯୁଗର

ସୋହୋଇ ନାମେ ପୃଥିବୀ ବହିଲା ମହାଭାର ।୫୩।

ନାରାନ୍ତକ ନାମେ ଭୋଗ କରଇ ଯେ ମନୁ

ସ୍ଵାୟମ୍ଭୁବ ବୋଲି ନାମ ବ୍ରହ୍ମାଂକର ସୁନୁ ।୫୪।

ବୃଦ୍ଧକ ନାମେଣ ଯେ ତ୍ରେତୟା ଯୁଗ ଭାଷି

ବୃନ୍ଦାଅର୍କ ବୋଲି ଦ୍ଵାପର ଯୁଗ ପରକାଶି ।୫୫।

ସେ ଯୁଗେ ନାରାୟଣ କ୍ରୀଡ଼ାରେ ଯଗତୁଂ

ମଥୁରା ନଗ୍ରେ ଉପୁଜିବେ ଗୋପେ ରସଖେଡ଼ ହେତୁ ।୫୬।

ଅହି ଧାରଣ ବୋଲିଣ ୟେକଇ କନ୍ଦର

ଇନ୍ଦ୍ର ବିବାଦେ ହରି ତୋଳି ଧରିବେ ବାମକର ।୫୭।

ପରଦାରା ନିମନ୍ତେଣ ଧର୍ମ ତେଜ୍ୟାକରି

କୁଟୁମ୍ଵ ଲୋଚାୟେ ଉପୁଜାଇବେ କୋହ ମୋହେ ପଡ଼ି ।୫୮।

କାଦମ୍ଵରୀ ରସ ଭୋଳେ ମତ୍ତାରଙ୍ଗ ରସଖେଡ଼େ

କୋହ ମୋହେ ବସିବେ ଶିଆଳିଲତା ତଳେ ।୫୯।

ତହିଂ ଆସି ବେଦବର ହୋଇଲେ ପ୍ରବେଶ

ଚାରିମୁଖେ ଚାରିବେଦ କରନ୍ତି ଅଭ୍ୟାସ ।୬୦।

ହିରିକିଂ ବୋଇଲେ ଧାତା କୋହବାକ୍ୟ ବାଣୀ

ପୁରାଣ ପୁସ୍ତକ ଫେଡ଼ି କହିଲେ ପୁଣି ପୁଣି ।୬୧।

କଲୁ ତୁହି ପରଦାରା ଲୋଭ କି କରି ଭୋଳେ

ସେ ପୁରାଣ ପୁସ୍ତକୁଂ କୃଷ୍ଣ ତୁ ବାହାର ହେଲୁ ବଳେ ।୬୨।

ଧାତାର ୟେସନକ କଠୋର ବାକ୍ୟ ଶୁଣି

କୋପେ କଂପି ଉଠିଲେ ଦେବ ଚକ୍ରପାଣି ।୬୩।

ବୋଇଲେ ତୁ ହୋଇବୁ ଅମର ମୁଂ ମରିବି ଲୋଭ ମୋହେ

ବ୍ରହ୍ମାକଇଂ ବାମପାଦେ ପ୍ରହାରିଲେ କୋହେ ।୬୪।

ବ୍ରହ୍ମାୟେ ବୋଇଲେ ମୁଂ ସ୍ଵରୂପ କହିଲି ତୁ ମୋତେ କୋପ କରୁଂ

ସେହି ବାମପାଦେ ନାରାଜ ତୋର ପଡ଼ୁ ।୬୫।

ମାରକଣ୍ତେ ବୋଇଲେ ବାବୁ ଶୁଣ ହୋ ଯୁଝେଷ୍ଠି

ପିତାର ଶାପେ ନାରାୟଣ ଚରଣେ କିରାତ ନାରାଜ ଫୁଟି ।୬୬।

ଜାରା ନାମ ଶବର କରିବ ଶରାଘାତ

ଗ୍ୟାନ ପାଇ ସେ ପିଣ୍ତକୁ ପୂଜା କରିବା ନିୟତ ।୬୭।

ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ମାରକଣ୍ତେ

କିରାତ ହୋଇଣ କରି କାହିଂ ଗ୍ୟାନ ତାର ୟେଡ଼େ ।୬୮।

ବିଷ୍ଣୁକଇଂ ବିନ୍ଧିବାକୁ ସେ ହୋଇଲା ଶକତା

ସେହି ପିଣ୍ତ ପୂଜିବାକୁ ପୁଣ ହୋଇବ ମହାଗ୍ୟାଂତା ।୬୯।

ଶୁଣସି ଯୁଝେଷ୍ଠି ଦେବ ବଦୟନ୍ତି ବ୍ରହ୍ମଋଷି

ସୁରପାବକ ନାମେ ସତ୍ୟଯୁଗେ ବ୍ରହ୍ମଶିଷି ।୭୦।

ମଵୁକର୍ମଣ ବୋଲିଣ ୟେକଇ ସମ୍ଵତ୍ସରେ

ସମାଦେକ ବୋଲି ୟେକ ମାସ ଆଷାଢ଼ରେ ।୭୧।

ମିଥୁନ ମାସେ ଯେ ଶୁକଳ ପକ୍ଷ ଚଉଠି

ଅର୍କବାର ମଘା ନକ୍ଷତ୍ରର ବେଳ ନବଘୋଟି ।୭୨।

କଉଶିକ ବ୍ରହ୍ମା ତହିଂ ଆସନ୍ତି ଜଳ ହେରି

ନିତ୍ୟକର୍ମ ବିଧାନେ ସେ ଧାତା ଆହାର୍ଣ୍ଣିକ କରି ।୭୩।

ବାହୁଡ଼ଇ ବେଦବର ଆହାର୍ଣ୍ଣିକ ସ୍ରାନୁ

ଶବରୁଣୀୟେ ଦେଖିଲେ ଅସକନ୍ଦ ବନ ନିର୍ଜନୁ ।୭୪।

ନିରୋପଇ ବେଦବର ଦେଖିଣ ସେ ବରାଙ୍ଗନା

କାମବଶେ ଅଚେତନ ହୋଇଲୋ ମହାତମା ।୭୫।

ସେ କିରାତୁଣୀ ନାମ ଅଟଇ ବିଭାଗୀ

ବେଦବର ନାଥ ଯାଇଂ ଆକ୍ରେଷିଲେ ବେଗୀ ।୭୬।

ନିର୍ଜନ ଦେଖି ଧାତା ଶୃଙ୍ଗାର କଲେ ଇଛା

ଶବରଣୀ ମେଳେ ଧାତା ପୂରାବନ୍ତି ମନବାଞ୍ଚ୍ଥା ।୭୭।

କୃତାନ୍ତକ ନାମେଣ ଶବର ତାହାର ପତି

ଭାର୍ଯ୍ୟା ଲୋଡ଼ିଣ ସେ ଧାମଇ କୋପମୃତ୍ତି ।୭୮।

ଅନୁଷ୍ଟୁକ ପର୍ବତେ ଥାଇ ଦେଖିଲା ଶବର

ହେଠଗାଢ଼ ଶୃଙ୍ଗାର ଦେଖିଣ କୋପଭର ।୭୯।

ପ୍ରତକ୍ଷେ ଓହୋଭେଟ ଦେଖିଲା ଶବର

ବିନ୍ଧିଲା ନାରାଜ କୋପେ ମହାବୀର ।୮୦।

ରସେଣ ଶୃଙ୍ଗାର ସେ କରନ୍ତେ କଉତୁକେ

କିରାତ ନାରାଜ ଯାଇଂ ପଡ଼ିଲା ବାମ ଅଙ୍ଗେକେ ।୮୧।

ବାମଅଙ୍ଗେ ପଡ଼ିଣ ଦକ୍ଷିଣ ଅଙ୍ଗ ଫୁଟି

ସେ ମହାଶର ଭେଦି ଭୂମିରେଣ ଯାଇ କଣ୍ଟି ।୮୨।

କିରାତ ଶରରେ ସେହି ଧାତା ଶବରୁଣୀ

ୟେକା ପ୍ରହାରକେ ଅଚେବନ ହୋଇଣ ଢଳି ପଡ଼ିଲେ ଧରଣୀ ।୮୩।

ତାହା ଦେଖି ବିଚାର କଲେ ଯମ ଦଇବତ

ନୀତିବନ୍ତ ପୁରୁଷ ହୋଇ ଅନୀତି କଲୁ ହେ ଧାତ ।୮୪।

ଯେହ୍ନେ ମୋର ପୁରାଣରେ ଅଛଇ ବେଭାର

ତୁ ଯାଇଂ ଜାତ ହୁଅସି ଶବରଣୀ ଉଦର ।୮୫।

ନାରାୟଣ ଯେ ତୋତେ ପ୍ରହାର କଲା ବାମପାଦ

ନାରାୟଣ ପାଦେ ତୋର ବାଣ ହୋଉ ଭେଦ ।୮୬।

ନାରାୟଣଂକର ଅନେକ ଅଛ ଅପ୍ରାଧ ବିହନ୍ତା

ତୁ ତାହାଂକୁ କିରାତ ରୂପେ ଶରଘାତ କର ଯା ବିଧାତା ।୮୭।

ପାଣ୍ତବଂକ ଅଗ୍ରତେ କହିଲେ ସୁଦେବର ଶିଷି

ସେ କଉଶିକ ବ୍ରହ୍ମା ଜାତ ହୋଇଲେ କିରାତ ରୂପେ ଆସି ।୮୮।

ଜାରା କିରାତ ରୂପେ ସେ ଶ୍ରୀକୃଷ୍ଣେ ଶରଘାତ କରି

ସେହି ପିଣ୍ତଗୋଟି ନେଇ ପୂଜାକଲେ ଆଦରି ।୮୯।

ତୁ ଯାହା ପୁଚ୍ଛାକଲୁ ଆହୋ ଧର୍ମରାଜା

ବୋଇଲା ଶବର କେସନିକେ ବିଷ୍ଣୁ ପାଷାଣ କରଇ ପୂଜା ।୯୦।

ପୂର୍ବେ ସ୍ରିଜନା ଯାହା କଲେ ଧାତା ମହାତମା

ସେ ଜାରା ଶବର ପ୍ରତକ୍ଷେ କଉଶିକ ବ୍ରହ୍ମା ।୯୧।

ବେଳେ ବେଳେ ଶରଘାତ କରଇ ସେ ୟେହିମତେ

ୟେଥେ ପୂଜା ଘେନିଲେନି ଜଗନ୍ନାଥେ ଚାରିଲକ୍ଷ ବତିଶ ସହସ୍ର ବର୍ଷ ପରିଯନ୍ତେ ।୯୨।

ଆଦିହୁଂ ୟେ ବାଲୁଇ ପର୍ବତ ଦଶ ସହସ୍ର ଯୋଜନ

ଯେତେବେଳେ ବିଷ୍ଣୁ ପ୍ରତିମା ବିଜେ

କରନ୍ତି ହୁଅଇ ତନୁ କ୍ଷୀଣ ।୯୩।

ପୂର୍ବେ ବଟକେଶ୍ଵର ପଛିମେ ରୁଦ୍ରନଦୀ

ଉତ୍ତରେ ବଇତରଣୀ ଦକ୍ଷିଣେ ମଉଦଧି ।୯୪।

ଦ୍ଵାଦଶ ଯୋଜନ ଯେ ବିଷ୍ଣୁର ପୁରସ୍ଥଳୀ

ବେଳେ ବେଳେ କ୍ରୀଡ଼ାରଙ୍ଗ ୟେଥେ କରନ୍ତି ବନମାଳୀ ।୯୫।

ଯଦ୍ୟପି କାମନା ହୋ କରିବୁ ଧର୍ମସୁତ

ବିଷ୍ଣୁ ଅଂଶଲୋକେ ଉତପତ୍ତି ହୁଅନ୍ତି ଜାଣ ୟେଥ ।୯୬।

ୟେ ପଞ୍ଚୁତୀର୍ଥେ ଯେବେ ମକର ସ୍ରାହାନ କରି

ଜୀବନ୍ତେ ମହେଶ୍ଵର ପଦ ମଲେ ବିଷ୍ଣୁପୁରୀ ।୯୭।

ମଉଦଧି ଶ୍ଵେତଗଙ୍ଗା ଯେ ରୋହିଣୀର କୁଣ୍ତ

ଇନ୍ଦ୍ରଦ୍ୟୁମନ ଆବର ଅଛଇ ମାରକଣ୍ତ ।୯୮।

କୋଟିୟେ ତୀର୍ଥକୟେ ଯେହ୍ନେକ ଫଳଶ୍ରୁତି

ୟେକା ମକର ସ୍ରାହାନ କଲେ ସେହି ଫଳ ୟେଥି ।୯୯।

ଯଦ୍ୟପି ମାସେକ କରି ନୁଆରିବ ଅଦକ୍ଷ ପଣେ

ଆଦ୍ୟନ୍ତେ ସ୍ରାନ କରିବ ମକର କୁମ୍ଭ ସଂକ୍ରମଣେ ।୧୦୦।

ୟେତେକଇଂ କର୍ମ ଯେବେ କରି ନୁଆରିବୁ

ମକର ମାସେ ବେଳେ ସ୍ରାହାନ କର ବାବୁ ।୧୦୧।

ଆନ ଜଳେ କୋଟିୟେ ସ୍ରାନ କଲେ ଫଳ ଯେତେ

ୟେଥେ ୟେକଦିନ ସ୍ରାହାନ କଲେ ଫଳଶ୍ରୁତି ତେତେ ।୧୦୨।

ୟେ ତୀର୍ଥରେ ହାଦେ ପଞ୍ଚୁବଟ ଅଛି

ୟେ ନୀଳ କଳ୍ପବଟ ଚାରିଯୁଗେ ଗଛି ।୧୦୩।

ବାବୁ ଶ୍ଵେତ ନାମେଣ ଯେ ସତ୍ୟଯୁଗେ ହାଦେ ମହାରାଜା

ଶ୍ଵେତ ମାଧବ ଦେବପ୍ରତିମା କଲା ସେହୁ ପୂଜା ।୧୦୪।

ୟେ ମାଧବ ଅଗ୍ରତେ ଯେ ହୁଅନ୍ତି ଅବସାନ

ବ୍ରହ୍ମା ଇନ୍ଦ୍ର ପଦକୁ ସେ ହୁଅନ୍ତି ଭାଜନ ।୧୦୫।

ତାକୁ ଦେଖିଣ ତ୍ରାସ ସେ କରଇ ନାଶକର

ସେହି ପ୍ରତିମା ମୃତ୍ତି ଗୋପ୍ୟ ହୋଇଲା ୟେ ରୋହିଣୀ
କୁଣ୍ତ ଭିତର ।୧୦୬।

ବାଞ୍ଚ୍ଥାବଟ ଅଛି ବାବୁ ସେହି ଶ୍ଵେତଗଙ୍ଗା କୂଳେ

ପିତା ଅନ୍ତରୀଚ୍ଛେ ତାହା ରଚନା କଲେ ବୁଦ୍ଧିବଳେ ।୧୦୭।

ଇନ୍ଦ୍ରଦ୍ୟୁମନ ବୋଲିଣ ଯେ ୟେକଇ ନୃପତି

ସେ ରାଜା ଉଦ୍ଦେଶ କରିବ ତାହା ଦେଖି ହାଦେ ୟେଥି ।୧୦୮।

ଶୁକମୁନି ମୁଖୁଂ ତହୁଂ ପୁରାଣ ବାଣୀ ଶୁଣି

ଜାରା ଶବର ଶରେ ନାଶିବେ ଚକ୍ରପାଣି ।୧୦୯।

ୟେହା ଶୁଣି ପଚାରିଲେ ଧର୍ମ ନୃପବର

ହେ ମୁନି ମାରକଣ୍ତେ କଳପୀ ଶରୀର ।୧୧୦।

କହିଲ ଯେ ମୁନି ଜାରା ଶବର ଚରିତ

ସେ ସତ୍ୟଯୁଗେ କଉଶିକ ବ୍ରହ୍ମା ଯେ ନିୟତ ।୧୧୧।

ତ୍ରେତା ଯୁଗେ ଯେ ବାଳିସୁତ ଅଙ୍ଗଦର ରୂପେ ଜାତ ହୋଇ

ଦ୍ଵାପର ଯୁଗରେ ଜାତ ଶବରୀ ଉଦରେ ଯାଇଂ ।୧୧୨।

ତିନିଜନ୍ମ ଯାଇ ସେ ଲଭିଲା ନିଜ ଦେହ

ତୋହୋର ମୁଖୁଂ ଶୁଣି ମୁନି ପାଇଲି ଫିଟିଲା ସନ୍ଦେହ ।୧୧୩।

ଗହନ ସନ୍ଦେହ କଥା ଲାଗିଥିଲା ମୋତେ

ତବ ମୁଖୁଂ ଶୁଣି ମୁନି ପାଇଲି ସମ୍ପ୍ରତେ ।୧୧୪।

କହନ୍ତି ଅଗସ୍ତି ଶୁଣ ମୋର ମନୁରାୟେ

ପୁରାଣ ଛନ୍ଦେ କହନ୍ତି ସୁଦେବ ତନୟେ ।୧୧୫।

ଭବିଷ୍ୟ ବର୍ତ୍ତମାନ ଜାଣନ୍ତି ଯେଉଂ ମୁନି

ତାହାଂକର ମୁଖରୁ ଶୁଣିଣ ମୁହିଂ ଗ୍ୟାନି ।୧୧୬।

କହନ୍ତି ମାରକଣ୍ତେ ଯୁଝେଷ୍ଠି ଅଗ୍ରତେ

ଇନ୍ଦ୍ରଦ୍ୟୁମନ ବୋଲି ୟେକ ରାଜାୟେ ବିଖ୍ୟାତେ ।୧୧୭।

ସେ ଯେ ଉଦ୍ଦେଶ୍ୟ କରିଣ ତାର ମତି

ଶୁଣ ତୁମ୍ଭେ ୟେକମନେ ବ୍ୟାସଂକର ନାତି ।୧୧୮।

ଜାରା ଶବର ବାଣରେ ନାଶ ଯିବେ ଚକ୍ରପାଣି

ଆପଣେ ସ୍ଵନ୍ଦେହ ଛାଡ଼ି ଯିବେ ଯଦୁମଣି ।୧୧୯।

ସେ ପିଣ୍ତ ଅର୍ଜୁନ ନେଇ କରନ୍ତେ ଦହନି

ଆକାଶେ ଧ୍ଵନିୟେକ କରିବେ ପଦ୍ମଯୋନି ।୧୨୦।

ତୁହୋ ନାଶ ସେ ପିଣ୍ତ ନ କର ଧନୁର୍ଜୟେ

କଳିଯୁଗେ ନାରାୟେଣ ପୂଜାପାଉ ୟେହି କାୟେ ।୧୨୧।

ଅଗ୍ନିରୁ କାଢ଼ି ଅର୍ଜୁନ ପକାଇବ ସିନ୍ଧୁଜଳେ

ସେ ପିଣ୍ତ ଲାଗିବ ଆସି ନୀଳସୁନ୍ଦର ଶୟଳେ ।୧୨୨।

ସେ କିରାତକୁ ପ୍ରସନ୍ନ ହୋଇବେ ଦେବରାଜା

ଜରା ଶବର କରିବ ସେ ପିଣ୍ତକଇଂ ପୂଜା ।୧୨୩।

ସେ ଜାରା ଶବରକୁ ନାରାୟଣ ଦେବେକ ଆଦେଶ

ତାହାକଇଂ ଆମ୍ଭନ୍ତ ଥିବାର ନ କରିବୁ ପ୍ରକାଶ ।୧୨୪।

ତୁ ଯେବେ ମୋତେ ଜାଣନ୍ତା କରିବୁ ଶବର

ସ୍ଵବର୍ଗ ସହିତେ ତୋର ହେବେ ଅପହାର ।୧୨୫।

ଲଳିତା ନାମେ ଶବରୁଣୀ ତାର ଘରଣୀ

ଦୁଇଜଣହୁଂ ଆନ କେହି ତାହା ନ ଜାଣି ।୧୨୬।

ଗୋପ୍ୟାନ କରି ସେ ଯମନିକ ବନମାର୍ଗେ

ପଞ୍ଚଷଠୀ ବରଷ ସେ ପୂଜିଲା କଳିଯୁଗେ ।୧୨୭।

ସୋମବଂଶେ ରାଜା ଯେ ଗାଲମାଧବ ନୃପତି

ସେହି ସେ ସୋମବଂଶେ ଧରାଇବ ଛତ୍ରୀ ।୧୨୮।

ଇନ୍ଦ୍ରଦ୍ୟୁମନ ବୋଲିକରି ତାହାର ସନ୍ତତି

ସେ ରାଜାର ଅଟଇ ଯେ ୟେହୁ କୀର୍ତ୍ତି ।୧୨୯।

ଗୁଣ୍ତକେରୀ ନାମେ ଯେ ତାହାର ପାଟ ମହାଦେଈ

ଶାକଲ୍ୟ ଦୀପେ ନରେନ୍ଦ୍ର ହାଦେ ସେହି ।୧୩୦।

ଶୁକମୁନି କହିଲେ ସାର୍ଥୁକ ୟେହୁ କଥା

ବିଷ୍ଣୁର କଳେବର ରାଜା ଲୋଡ଼ଇ ସର୍ବଥା ।୧୩୧।

ଗଣ୍ତ କଉଶିକ ନାମେ ଯେ ବେଦଶ୍ରବଣ

ବସୁକର ମୂଳେ ୟେହୁ ଚାରି ଯେ ବ୍ରାହ୍ମଣ ।୧୩୨।

ଚାରି ଦିଗକଇଂ ଦୂତ ରାଜା ପେଷିଲେ ଗୁପତେ

ବୁଲିଲେ ଅନେକ ଦେଶ ତୀର୍ଥ ଯେ ବନସ୍ତେ ।୧୩୩।

ବସୁକର ବୋଲି ୟେକଇ ଦ୍ଵିଜବର

ସେ ଯାଇ ଭେଟିବ ସେ ଗିରି ନୀଳସୁନ୍ଦର ।୧୩୪।

ଇନ୍ଦ୍ରଯାମୁନି କୂଳେ ଦ୍ଵିଜବର ଯାଇଂ ବୁଲି

ଉତ୍ତର କଇଛାଡ଼େ ଦେଖଇ ଶବରର ପଲ୍ଲୀ ।୧୩୫।

ତହୁଂ ସେ ଶବର ଗ୍ରାମେ ପ୍ରବେଶ ହୋଇଲେ

ୟେକ ଶବରୁଣୀକି ସେ ଯାଇଂ ପଥରେ ଦେଖିଲେ ।୧୩୬।

ବିଭୋକ୍ଷିତେ ବ୍ରାହ୍ମଣ ସଲ୍ୟାଣ ତାକୁ ବାଞ୍ଚି

କିରାତୁଣୀ ବୋଇଲା ପଣ୍ତା ହୋ ସ୍ଵାମୀ ମୋର ବନସ୍ତକଇଂ ଯାଇଅଛି ।୧୩୭।

କିରାତୁଣୀ ରଖାଇ ସେହି ଯେ ବ୍ରାହ୍ମଣ

ହାଣ୍ତିତଣ୍ତୁଳ ଦିଲା ପାକ ଯେ ବିଧାନ ।୧୩୮।

ଶଉରୀ ରାନ୍ଧଣା ବିଧି ବ୍ରାହ୍ମଣ କଲାକ ଭିଆଣ

ପାଚିଣ ବ୍ରାହ୍ମଣ କଲା ସ୍ରାହାନ ଭୋଜନ ।୧୩୯।

ଶବର ପ୍ରବେଶ ଯେ ମୃଗଭାର ଘେନି

କଲ୍ୟାଣ ବାଞ୍ଚ୍ଥା ତାହାକଇଂ କଲେ ଦ୍ଵିଜମଣି ।୧୪୦।

ଶବର ବୋଇଲା ପଣ୍ତା ହେ କାହିଂ ତୁମ୍ଭର ବାସ

ବ୍ରାହ୍ମଣ ବୋଇଲା ଶାକଲ୍ୟ ଦ୍ଵୀପେ ଅଟେ ମୋ ନିବାସ ।୧୪୧।

ଭିକ୍ଷା ଆଧାରେ ମୁଂ ବୁଲଇ ତୀର୍ଥବାସୀ

ଧାର୍ମିକ ବୋଲିଣ ତୋତେ ପ୍ରାର୍ଥନା କଲୁ ଆସି ।୧୪୨।

ଅନେକ ଭଗତ ଯେ ହୋଇଲା କିରାତ

ସୁସ୍ଥେଣ ବ୍ରାହ୍ମଣ ତହିଂ ରହିଲା ମାସ ସାତ ।୧୪୩।

ଜାରା ନାମେ କିରାତ ଯେ ବସୁ ନାମେ ଦ୍ଵିଜ

ବେନିନାମ ୟେକତ ମଇତ୍ର ଅଇଶୁର୍ଯ୍ୟ ।୧୪୪।

ବ୍ରାହ୍ମଣ ପଚାରଇ ଶୁଣ ଯୋ ମିତଣୀ

ନିତ୍ୟାପ୍ରତି ମଇତ୍ର କାହିଂ ଅନ୍ନପାଣି ।୧୪୫।

ଶବରୁଣୀ ବୋଇଲା ହୋ ଶୁଣିମା ପଣ୍ତାୟେ

ଗୁପତେ ଅଛଇ ଆମ୍ଭର ପାଷାଣ ଦେବତାୟେ ।୧୪୬।

ବ୍ରାହ୍ମଣୀ ବୋଇଲେ ମିତଣୀ ତୋତେ କରିବଇଂ କଲ୍ୟାଣ

ଆମ୍ଭ ପାଇଂ ତୁମ୍ଭେ କହିବ ମିତ ଅଗ୍ରତେଣ ।୧୪୭।

ସେ ଦେବତାକଇଂ ଦ୍ରଶନ କରାଇବେ ନେଇ

ନୋହିଲେ ମିତଣୀ ମୋର ହତ୍ୟାଦୋଷ ତୁମ୍ଭକଇଂ ।୧୪୮।

ସେ ଶବରଣୀ ବୋଇଲା ଆସୁ ମୋହୋର ନାଥ

ତାହାଂକର ଆଗେ ବିନୋୟୀ କହିବି ବହୁତ ।୧୪୯।

ଶବର ଅଇଲା ଯେ ମୃଗଭାର ଘେନି

ଗୃହରେ ପ୍ରବେଶନ୍ତେ ତାହାକଇଂ କହିଲା ଶବରୁଣୀ ।୧୫୦।

ଦେବତା ଦେଖିଲେ ଶରଧା କରନ୍ତି ତୁମ୍ଭ ମିତ୍ର

ଶୁଣିକରି ଚକିତ ସେ ହୋଇଲା କିରାତ ।୧୫୧।

ପଣ୍ତା ବୋଇଲେ ଦୃଶକରୁ କିନା ପାଷାଣ ଦେବତା

ଶବର ବୋଇଲା ମଇତ୍ର ୟେ ବଡ଼ାଇ ଗୁପତ ଯେ କଥା ।୧୫୨।

ଆନକୁ କହି ନୁଆରଇ ୟେ ବଡ଼ାଇ ବିଶ୍ଵାସ

ୟେ କଥାରେ ମଇତ୍ର ହୋ ତୁମ୍ଭେ ନ ଭରସ ।୧୫୩।

ଶବରଣୀ ବୋଇଲା ୟେ ବ୍ରାହ୍ମଣ ଆମ୍ଭର ଧର୍ମସାଖା

କଷ୍ଠୋର ନ କର ସ୍ଵାମୀ ବ୍ରାହ୍ମଣକଇଂ ବହନ ନେଇ ଦେଖା ।୧୫୪।

ତୁଳମାସ ଶୁକ୍ଳପକ୍ଷ ଅଷ୍ଟମୀ ଗୁରୁବାର

ଶ୍ରବଣା ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର ।୧୫୫।

ବାଳବ ନାମେ କରଣ ବୃଦ୍ଧି ନାମେ ଯୋଗ

ସେଦିନ କିରାତ ବ୍ରାହ୍ମଣକଇଂ ନିଲା ସଙ୍ଗ ।୧୫୬।

ବିପ୍ରର ମୁଖେ ବାନ୍ଧିଲା ଅନ୍ଧ ଯେ ପଟଳ

ନିଅନ୍ତେ ବ୍ରାହ୍ମଣ ଯେ ବୁଣଇ ମାଘିତିଳ ।୧୫୭।

ଚନ୍ଦନ ବନିକାୟେ ଅଗ୍ରବୃକ୍ଷ ତଳେ

ଦେଖାଇଲା ପାଷାଣ ଫେଇଣ ଅନ୍ଧ ଯେ ପଟଳେ ।୧୫୮।

ଦେଖିଣ ଦ୍ଵିଜବର ହୋଇଲା ପରିଣାମି

ବୋଇଲା ୟେଥେ ଆସି ବିଜେ କରିଛୁ ଦେବସ୍ଵାମୀ ।୧୫୯।

ବାହୁଡ଼ନ୍ତେ ଅନ୍ଧପଟଳ ବାନ୍ଧଇ କିରାତ

ଆଗରେ କିରାତ ଚଳଇ ପଛେ ଧରିଣ ବିପ୍ର ହାଥ ।୧୬୦।

ପ୍ରବେଶ ହୋଇଲା ଶବର ଆପଣା ପଲ୍ଲୀର

କଲ୍ୟାଣ କରିଣ ସେ ବୋଇଲା ଦ୍ଵିଜବର ।୧୬୧।

ସାତମାସ ହୋଇଲାନି ମଇତ୍ର ତେଜ୍ୟାକଲି ଗୃହବାସ

ୟେତେ ଦିନ ତୁମ୍ଭ ସଙ୍ଗେ ବଞ୍ଚିଲି ହରଷ ।୧୬୨।

ଆମ୍ଭେ ଯାଉଅଛୁଂ ମଇତ୍ର ହୋ ନିଜ ଭୁବନେଣ

କହିଣ ଗମନ କଲା ବସୁକର ବ୍ରାହ୍ମଣ ।୧୬୩।

ଆସ୍ତାନେ ବିଜେ କରିଛି ରାଜ ଇନ୍ଦ୍ର ଯେ ଦ୍ୟୁମନ

ବ୍ରାହ୍ମଣ ଭୋଟିଲା ବୃଷଭ ଶୁକଳ ଗୁରୁ ପଞ୍ଚମୀର ଦିନ ।୧୬୪।

ଶୁଣ ଦେବ ରାଜନ ପ୍ରସନ୍ନ ଦୀକ୍ଷାଗୁରୁ

ମୁହିଂ ଠାବକଲି ଦେବ ତୁହି ଯାହା ଲୋଡ଼ାକରୁ ।୧୬୫।

ପଞ୍ଚବିଂଶ ରାଜା ତୁଲେ ଇନ୍ଦ୍ର ଯେ ଦ୍ୟୁମନ

ପ୍ରବେଶ ଯାଇ ଯମନିକ ତାର୍ଥେ ଅଜମୀଢ଼ ବନ ।୧୬୬।

ସେ ବିପ୍ର ନେଇ ଦେଖାଇଲା ଶବର ପଲ୍ଲୀ

ଛାମୁରେ ମିଳି କିରାତ ଅନେକ ବିନୋୟୀ ବୋଲି ।୧୬୭।

ବୋଲନ୍ତି ରାଜନ କିରାତ ରେ ଜୀବନ ତୋର ସାଧୁ

ଆମ୍ଭନ୍ତ ନେଇ ଦ୍ରଶନ କରା ଜଗବନ୍ଧୁ ।୧୬୮।

କିରାତ ବୋଇଲା ମୁଂ ବଚନର ଜାତି

ମୁଂ କେହ୍ନେ ଜାଣିମି ତୋର ପାଷାଣ ବୋଲି କେବଣ ମୂରତି ।୧୬୯।

ଶୁଣିଣ ରାଜନ ମନେ କ୍ରୋଧ ଯେ ସମ୍ପାଦି

କୁଟୁମ୍ଵଯାକ ତୋର ଶବରା ରେ ଅସିପତ୍ରେ ପକାଇବି ଛେଦି ।୧୭୦।

ବ୍ରାହ୍ମଣ ବୋଇଲା ରାଜନ ଶୁଣ ମୋ ଉତ୍ତର

ପଥରେ ସନ୍ତକଗୋଟି ରଖିଅଛି ମୋର ।୧୭୧।

ବ୍ରାହ୍ମଣର ସନ୍ତକ ତିଳ ଅଛି ଉଠି

କଢ଼ାଇ ନିଅଇ ଦିଜବର ସେହି ବାଟଗୋଟି ।୧୭୨।

ଚନ୍ଦନ ବନିକାୟେ ଅଗର ବୃକ୍ଷର ତଳେ

ନାରାୟଣ ଅଦୃଶ୍ୟ ଗଲେ ମଣ୍ତଳେ ।୧୭୩।

ବ୍ରାହ୍ଣଣ ବୋଇଲା ୟେହି ଠାବରେ ଥିଲେ ଦେବହରି

ସମସ୍ତ ସଞ୍ଚାମାନ ତହିଂ ଦେଖିଲେ ଦଣ୍ତଧାରୀ ।୧୭୪।

କିରାତକୁ ନୃପତି ବହୁତ କଷ୍ଠୋର କଲେ

ତୋହୋର ଶିର ଛେଦିବଇଂ ରେ ରୟଣୀ ପାହିଲେ ।୧୭୫।

କାହିଂ ଗୋପ୍ୟନ କଲୁ ରେ ନାରାୟଣ ମୂରତି

ଦେଖାଅ ଅନେକ ଧନରତ୍ନ ଦେବୁଂ ହୋଇବୁ ପୀରତି ।୧୭୬।

ରାତ୍ରେ ନାରାୟଣ ରାଜାକଇଂ କହିଲେ ବାରତ

ତୁ କଷ୍ଠୋର ନ କର ସଖା ୟେ କିରାତ ।୧୭୭।

ତୁ ତାହାକଇଂ ଦୁଖ ନ ଦିଅ ହୋ ଇନ୍ଦ୍ରଦ୍ୟୁମନ ରାୟେ

ଅନେକ ପୂଜା ହୋଇଲା ଆମ୍ଭନ୍ତ ଧର୍ମ ସଭାୟେ ।୧୭୮।

ରଜନୀ ପ୍ରଭାତେ ଯାଅ ତୁ ବାରାନିଧି କୂଳେ

ଦାରୁୟେକ ହୋଇ ଲାଗିବି ମୁଂ ଶୁଣ ହୋ ମହୀପାଳେ ।୧୭୯।

ସପନ ତେଜି ରାଜା ଉଠିଲା ଧାତିକାରେ

ଆପଣେ ପ୍ରବେଶ ହୋଇଲା ମଉଦଧି କୂଳେ ।୧୮୦।

ଦେଖଇ ଦାରୁୟେକ ଦିଶଇ ଲୋହିତ ବର୍ଣ୍ଣ

ଆକ୍ରୋଷି ତୋଳି ତାକୁ ନୁଆରିଲେ ସର୍ବଜନ ।୧୮୧।

ଜାରାଶବର ଯେ ବସୁକର ବ୍ରାହ୍ମଣ

ଦୁହେଂ ତୋଳନ୍ତେ ସେ ଦାରୁ ଉଠିଲେ ତତକ୍ଷଣ ।୧୮୨।

ବାମେଣ କିରାତ ଯେ ଡାହାଣେ ବିପ୍ର ଧରି

ନେଇଣ ଉଭାକଲେ ନୀଳସୁନ୍ଦର ଗିରି ।୧୮୩।

ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ତେ

ସେ ଦାରୁ ପ୍ରତକ୍ଷେ ନାରାୟଣ ପିଣ୍ତେ ।୧୮୪।

ୟେକବିଂଶ ଦଣ୍ତ ଉଛର୍ଗ ବିସ୍ତାର ପାଞ୍ଚଦଣ୍ତ

ବୋଲନ୍ତି ନୃପତି କେହୁ ସ୍ରିଜିବ ୟେହୁ ପିଣ୍ତ ।୧୮୫।

ୟେହେନେକ ବୋଲି ରାଜା ଭାଳଇ ହୃଦଗତେ

ବୃଦ୍ଧ ବିନ୍ଧାଣି ଗୋଟିଏ ମିଳିଲା ଅଦଭୁତେ ।୧୮୬।

କୋଠାର ବାରେସି ଯେ ନିହାଣ ଘଟଣା ଘଟଣି

ସେ ବୋଇଲା ୟେହା ମୁଂ ଦେବଇ ନିର୍ବାଣି ।୧୮୭।

ପ୍ରସାଦ ଭିତରେ ସେ ପଶିଲା ବିଶ୍ଵକର୍ମା

ଦେବଦାରୁ ଧର ବୋଲି ଆଗ୍ୟାଂ ଦିଲେ ମହାତମା ।୧୮୮।

ଲକ୍ଷେକ ବଳ ଘେନି ଧଇଲା ଇନ୍ଦ୍ର ଯେ ଦ୍ୟୁମନ

ଚାଳି ନୁଆରିଲା ସେ ବିଷ୍ଣୁ ଦାରୁବ୍ରହ୍ମ ।୧୮୯।

ବୃଦ୍ଧ ବିନ୍ଧାଣି ବୋଇଲା ହୋ ଛାଡ଼ ତୁମ୍ଭେମାନେ

ଜାରାଶବର ବସୁଦ୍ଵିଜ ଆସନ୍ତୁ ୟେହିସ୍ତାନେ ।୧୯୦।

ଆଗ୍ୟାଂ ପାଇଣ ଦୁହେଂ ଯାଇଂ ଦାରୁ ଧରିଲେ ଆକ୍ରୋଷି

ଉଠିଣ ମହାଦାରୁ ପ୍ରସାଦେ ଯାଇଂ ବସି ।୧୯୧।

ବିନ୍ଧାଣି ଦାରୁ ଦୁହିନ୍ତି ଭରିଲେ ଭିତରେ

ଜାରା ବସୁକର ବ୍ରାହ୍ମଣ ଅଛନ୍ତି ସଙ୍ଗତରେ ।୧୯୨।

ଦିବସ ଅର୍ଦ୍ଧ ଆବର ସମ୍ପୂର୍ଣ୍ଣ ଯେ ରାତି

ୟେକା ଦାରୁ ହୋଇଲାକ ତିନିଗୋଟି ମୃତ୍ତି ।୧୯୩।

ଗୁପତେ ନିର୍ବାଣ କରୁଅଛି ବିଶ୍ଵକର୍ମା

ନିଜ ନିର୍ବାଣେ ବିନ୍ଧାଣି ପୁରୁଷ ଉତ୍ତମା ।୧୯୪।

ଇନ୍ଦ୍ରଦ୍ୟୁମନ ରାୟେ ସେ ଭାଳଇ ବିଷାଦେ

ଦେଉଳେ ନ ଶୁଭିଲା ତ ବିନ୍ଧାଣି ଶବଦେ ।୧୯୫।

ସ୍ଵାଭାବେ ଦେଉଳତ ହୋଇଅଛି ମୁଦ

କିଛିହିଂ ନ ଶୁଭଇ ଠୁକୁଠାକ ଶବଦ ।୧୯୬।

ବିନ୍ଧାଣି ହୋଇଲେ ତ ବାରେସି ନାଦ ଶୁଭି

ଫେଡ଼ସି କପାଟ ହୋ ବଳେ ଦେଖିବା ପ୍ରାଭବି ।୧୯୭।

ବୃଦ୍ଧ ବିନ୍ଧାଣି ଅବା ପଡ଼ିଣ ସେହୁ ମଲା

ୟେ ମୋହୋର ବିଷ୍ଣୁ ମନ୍ଦିର ତ ନିଷ୍ଫଳ ହୋଇଲା ।୧୯୮।

ୟେତେ ବୋଲି ରାଜା ଯାଇଂ ଫେଇଲା କପାଟ

କିରାତ ବ୍ରାହ୍ମଣ ଦୁହିନ୍ତି ପାଇଲାକ ଭେଟ ।୧୯୯।

ଦେଖିଲା ପ୍ରତକ୍ଷେ ପାଷାଣ ଯେ ହୋଇଛି ତିନିମୃତ୍ତି

କୃଷ୍ଣ ଶୁକଳ ହାରିତ ବିରାଜଇ ଜ୍ୟୋତି ।୨୦୦।

ସତ୍ତ୍ଵ ରଜ ତମ ଯେ ତିନିଗୁଣ କାୟେ

କର ଚରଣ ନାହିଂ ଅଙ୍ଗଷ୍ଠି ନାହିଂନା ଉପାୟେ ।୨୦୧।

ନାସା କର୍ଣ୍ଣ ନୟନ ଲଲାଟ ଯେ ନ ଦିଶଇ ଶିଖା

ମହା ବଉଦ ମୃତ୍ତି ବିକାଶଇ ତିନିଶାଖା ।୨୦୨।

ଜାରାଶବର ବୋଇଲା ହୋ ମନ୍ଦକୃତ୍ୟ କଲୁ ରାୟେ

ଆଜକ ଥିଲେ ଦେଖନ୍ତୁ ଜଗନ୍ନାଥଂକ ପଦ୍ମପାୟେ ।୨୦୩।

ଦେଖନ୍ତୁ କରସ୍ଥଳ ଅଙ୍ଗୁଷ୍ଠି କର୍ଣ୍ଣ ନାସା ଆଖି

କଳିକାଳ ଜନେ ଯେ ହୋଅନ୍ତେ ବଡ଼ ସୁଖୀ ।୨୦୪।

ପଞ୍ଚନହ ପଞ୍ଚ ଅଙ୍ଗୁଷ୍ଠି ହରିର ବର୍ଣ୍ଣ ଶିଖା

ଆହୁଟ ଦଣ୍ତ ବିକାଶଇ ହରିର ବକ୍ଷସ୍ଥଳ ରେଖା ।୨୦୫।

ସତ୍ତ୍ଵେ କୁଂକୁମ ବର୍ଣ୍ଣ ସେ ବ୍ରହ୍ମାର ମୂରତି

ତମେ ଶୁକଳ ମହାତମା ମହାଦେବ ଉତପତ୍ତି ।୨୦୬।

ରଜେ ନାରାୟଣ ସେ କୃଷ୍ଣବର୍ଣ୍ଣ କଳା

ବ୍ରହ୍ମା ବିଷ୍ଣୁ ମହେଶ୍ଵର ୟେ ତିନି ଯେ ମେଖଳା ।୨୦୭।

ବଳଭଦ୍ର ସୋହୋଦ୍ରା କୃଷ୍ଣ ହୋଇଲେ ତିନିରୂପ

ବଉଦ ବାମନ ୟେହା କେ କରୁ ସଂଚେପ ।୨୦୮।

ୟେ ରୂପ ସେ କଳ୍ପିଲେ ଦେବସ୍ଵାମୀ

ତିନି ମୃତ୍ତିଂକି ପଞ୍ଚଭୁତେ ଚିନ୍ତି ଆମି ।୨୦୯।

ୟେହି ସରୂପେଣ ତିନି ତିନି ମୃତ୍ତି

ୟେହି ନୀଳଗିରିରେ ବିଜୟେ ଦଶ ସହସ୍ର ଘାନ୍ତି ।୨୧୦।

ଶୁଣିଲୁ ଧର୍ମରାଜା ନୀଳସୁନ୍ଦର କଥା

ଇଦଂ ବାକ୍ୟ କଥୟନ୍ତି ମାରକଣ୍ତ ମୁନି ଯେବଣ ବାରତା ।୨୧୧।

ସେ ନୀଳସୁନ୍ଦର ନାଥ ଚରଣେ ମୋର ସେବା

ୟେ ଅନିର୍ଯ୍ୟାପ ସଂସାରୁ ତାରି ମୋତେ ବିଷ୍ଣୁ ଭୁବନ ଦେବା ।୨୧୨।

ତିନିଦେବ ରାମକୃଷ୍ଣ ବ୍ରହ୍ମା ପଦ୍ମପାଦେ

କଳିକାଳ ବଞ୍ଚିଲି ଦେବ ତବ ପରସାଦେ ।୨୧୩।

ତୁଳୁସାର ବଲ୍ଲଭ ଚରଣେ ତଲାୟେ ମମ ନିତ୍ୟେ

ଶୂଦ୍ରମୁନି ସାରୋଳା ଦାସ ବଦୟନ୍ତି ସଂସାର ଜନ ହିତେ ।୨୧୪।

ସନ୍ତତେ ନମଇଂ ମୁଂ ନର୍ମଦା ସରସ୍ଵତୀ

କଳିକାଳ ଧ୍ଵଂସିନୀ ସାରୋଳା ଚଣ୍ତୀ ମୃତ୍ତି ।୨୧୫।

ଅସକ୍ୟ ସାଗର ଗୋ ଶ୍ରୀମହାଭାରଥ ମହାବଳୀ

ଗହନ ବନଲତା ମୁଂ ନୁଆରଇ ପରିକଳି ।୨୧୬।

ଗଣନ୍ତେ ନ ସରଇ ଯେହ୍ନେ ସାହେର ତଟ ବାଲି

ତହିଂକି ସମାନ ମୁଂ ମହାଭାରଥ କହିଲି ।୨୧୭।

ଇଦଂ ପୃଥକ ପୃଥକ ବହୁତ ବହୁତ ଯେ କଥା

ହୃଦଗତେ ବିକଶିଲେ ମୋର କନ୍ଦର ଦୁହିତା ।୨୧୮।

ପ୍ରସନ୍ନେ ଅପର୍ଣ୍ଣା ଯେ ସାରୋଳା ଚଣ୍ତୀ ଦେବୀ

ସେ ଯାହା କହିବେ ମୁଂ ତାହା ଲେଖନେ ଲେଖିବି ।୨୧୯।

ନ ଶୁଣି ନ ଦେଖି କେ ପାରିବ ନିର୍ଯ୍ୟାପି

ଅଥବା ମୁର୍ଖପଣେ ମୁଂ କହିଲି ଅଦ୍ୟାପି ।୨୨୦।

ଆହୋ ବୁଧଜନମାନେ ଅଟ ମହାଭିଗ୍ୟଂ

ଦେବ ଶାହାସ୍ରେ ନିର୍ଜିତ ସର୍ବଗୁଣେ ଗୁଣଗ୍ୟଂ ।୨୨୧।

ବିଷ୍ଣୁ ଅଂଶେ ଜାତ ହୋଇଲେ ନୃପତି

ମହେଶ୍ଵର ଅଂଶେ ଜାତ ହୋଇଲେ ହୋଅଇ ଧନପତି ।୨୨୨।

ଗଦ୍ଧର୍ବ ଅଂଶେ ଜାତ ହୋଇଲେ ହୋଅଇ ନାନା ବାଦ୍ୟ ଗୀତ ପ୍ରାପତ

ବିଶ୍ଵକର୍ମା ଅଂଶେ ଜାତ ହୋଇଲେ ଘଟଣା ବିଦ୍ୟା ଉପଗତ ।୨୨୩।

ଅଶ୍ଵିନୀ ଅଂଶେ ଜାତ ହୋଇଲେ ଧାତୁବିଦ୍ୟା ଗାରୁଡ଼ି ହୋଅଇ ସାଧି

ଭୋଜେ ଅଂଶେ ଜାତ ହୋଇଲେ ହଟଚମଣ୍ଟ ବିଦ୍ୟା ସାଧି ।୨୨୪।

ବିଦ୍ୟାଧର ଅଂଶେ ଜାତ ହୋଇଲେ ତାଣ୍ତେବ ଭରହ ଭାଷି

ଅସୁର ଅଂଶେ ଜାତ ହୋଇଲେ ହୋଅଇ ଭୋଜନେ ଅସନ୍ତୋଷି ।୨୨୫।

ବିନାୟେକ ଅଂଶେ ଜାତ ହୋଇଲେ ଦିଶଇ ଗଜମର୍ମ

କୁବେର ଅଂଶେ ଜାତ ହୋଇଲେ ପ୍ରାପତ ହୋଅଇ ଧନ ।୨୨୬।

ବୃହସ୍ପତି ଅଂଶେ ଜାତ ହୋଇଲେ ସପ୍ତାଙ୍ଗ ପାରଇ ସାଧି

ସହଦେବ ଅଂଶେ ଜାତ ହୋଇଲେ ଦିଶଇ ସର୍ବବୁଦ୍ଧି ।୨୨୭।

ନକୁଳ ଅଂଶେ ଜାତ ହୋଇଲେ ପାରଇ ଅଶ୍ଵବିଦ୍ୟା ସାଧଇ

କୁମାର ଅଂଶେ ଜାତ ହୋଇଲେ ଓଉଷଧ ବୃକ୍ଷ ଦୃଶ୍ୟହୋଇ ।୨୨୮।

ଭୃଗୁଅଂଶେ ଜାତ ହୋଇଲେ ହୋଅଇ ବିଦ୍ୟା ପ୍ରକାଶି

ନଉରତ ଅଂଶେ ଜାତ ହୋଇଲେ ହୋଅଇ ବାଳୁତ ଭାଷି ।୨୨୯।

ଖଲ୍ୟକାର ଅଂଶେ ଜାତ ହୋଇଲେ ଚଉର୍ଯ୍ୟ କର୍ମ କରଇ ଠାବ

ଶନିଚର ଅଂଶେ ଜାତ ହୋଇଲେ ହୋଅଇ ରୋଗ ଭୋଗ ।୨୩୦।

ବାସବ ଅଂଶେ ଜାତ ହୋଇଲେ କରଇ ମହାଭୋଗୀ

ଗୋରେଖ ଅଂଶେ ଜାତ ହୋଇଲେ ହୁଅଇ ପରମଯୋଗୀ ।୨୩୧।

ଯମ ଅଂଶେ ଜାତ ହୋଇଲେ ହୋଅଇ ନିର୍ଦ୍ଦୟେ

ଭୀମ ଅଂଶେ ଜାତ ହୋଇଲେ ହୋଅଇ ନିର୍ଭୟେ ।୨୩୨।

ପ୍ରହ୍ଲାଦ ଅଂଶେ ଜାତ ହୋଇଲେ ବଇଷ୍ଣବ ହୁୟେ ।୨୩୩।

ମୁନି ଅଂଶେ ଜାତ ହୋଇଲେ କାବ୍ୟ ପାରଇ କହି

ନ ପଢ଼ିଣ ବିଦ୍ୟା ଯେ ସାଧନ କଲି ମୁହିଂ ।୨୩୪।

ଝଂକଡ଼ ପୁର ବାସୀ ସିଦ୍ଧ ସାରଳା ଯାର ନାମ

ମୋ ମୋତେ ବଞ୍ଚାଇଲା ଧର୍ମ ଅର୍ଥ ମୋକ୍ଷ କାମ ।୨୩୫।

ଅନୁବ୍ରତେ ଦାତବ୍ୟ ଯେବଣ ଦେବୀର ପ୍ରକୃତି

ପରଦୁଃଖ ଦେଖି ନୁଆରଇ ସଦୟେ ଭୂତନେତ୍ରୀ ।୨୩୬।

ତାହାକଇଂ ଭଗତ ମୁଂ ହୋଇଲଇଂ ଜନ୍ମେ ଜନ୍ମେ

ବାଳୁତ ରୂପେ ମୋତେ ସକଳ ଧର୍ମେ ।୨୩୭।

ପ୍ରସନ୍ନେ ଅପର୍ଣ୍ଣା ଗୋ ଅଭୟେ କାନ୍ତାନୀ

ତାହାର ଆଗ୍ୟାୟେ ମୁଂ ସାରୋଳା ଦାସ ମୁନି ।୨୩୮-୯୫୫୧।

 

ସଂକ୍ଷିପ୍ତ ରାମାୟଣ

ଶୁଣ ବଇବସୁତ ମୁନି ବଦୟନ୍ତି ବ୍ରହ୍ମଋଷି

ଶ୍ରୀ ମହାଭାରଥେ ୟେ ଆରଣ୍ୟେକ ପର୍ବ ଅଗସ୍ତି ଯାହା ଭାଷି ।୧।

ମହା ବ୍ରହ୍ମଋଷି ଯେ ଅଗସ୍ତି ବକତା

ବିଲଂକ ଦେଶ ଆଧିପତି ବଇବସୁତ ମନୁଶ୍ରୋତା ।୨।

ମାରକଣ୍ତ ଶାହାସ୍ର ବାକ୍ୟ ସଂଗତେ ଯେହ୍ନେ ବିଧି

ମକର ମାସେ ସ୍ରାହାନ କଲେ ଲବଣ ମଉଦଧି ।୩।

ଚଳନ୍ତି ଧର୍ମନନ୍ଦନ ମଉଦଧି ଉତ୍ତର କୂଳେ

ମହାଗହନ କରଞ୍ଜ ବନେ ପଶିଲେ ପଚ୍ଛିମ କୋଶଳେ ।୪।

ମହାପରିମଳ ଦିଶନ୍ତି ଉଚଶିଖା ବୃକ୍ଷମାନେ

ନାନା ପଚ୍ଛୀ କ୍ରୀଡ଼ୀ କରନ୍ତି ସେହୁ ବନେ ।୫।

ଅନେକ କନ୍ଦର ଘୋର ଗିରି ବନ ଲତା

ଅତିୟ ଉଚ୍ଛର୍ଗ ଶିଖା ଗଗନ ଘୋଟିତା ।୬।

ସେ ବନ ତେଜି ଗଲେ ଚିତ୍ରାଙ୍ଗ ନାମେ ବନ

କାମଭଦ୍ରା ନଦୀର ଉତ୍ତର ସନ୍ନିଧାନ ।୭।

ମାରକଣ୍ତ ବୋଇଲେ ବାବୁ ୟେ ବନ ପଞ୍ଚୁବଟୀ

ୟେଥେ ଯାଗ ହାଦେ କଲେ ଋଷଶିଂଗ ତପନିଷ୍ଠି ।୮।

ବାବୁ ଅପୁତ୍ରିକ ହୋଇ ରାଜା ଦଶରଥ ଥିଲା

ଋଷିଶିଙ୍ଗ ପ୍ରସନ୍ନେଣ ଚାରି ପୁତ୍ର ପାଇଲା ।୯।

ଯୁଝେଷ୍ଠି ଦେବେ ବୋଇଲେ ସେ ଦଶରଥ ମହାରାଜା

ୟେକୋଇଶ କୋଟି ତାର ଅଟନ୍ତି ଭାରିଯା ।୧୦।

ସେ ରାଜା ଅପୁତ୍ରିକ ହୋଇଲା କିସ ଅର୍ଥେ

କାହାକୁ କେଉଂଣ ଦୋଷ କଲାକ କେମନ୍ତେ ।୧୧।

ଶୁଣ ହୋ ଯୁଝେଷ୍ଠି ଦେବ ବଦୟନ୍ତି ମାରକଣ୍ତେ

ଦଶରଥ ମହାରାଜା ହାଦେ ଦୋଷ କଲା ଯେତେ ।୧୨।

ଇନ୍ଦ୍ର ଦେବତାର ଦଶରଥ ଅଟଇ ମଇତ୍ର

ଶନିଶ୍ଚର କଟାଳିଲା ଇନ୍ଦ୍ରକୁ ରୋହିଣୀ ନକ୍ଷତ୍ରେ ରକ୍ଷାକଲା ଦଶରଥ ।୧୩।

ଇନ୍ଦ୍ର ଦଶରଥଂକର ତେଣୁ ବଡ଼ାଇ ପୀରତି

ଅନୁବ୍ରତେ ଅଛେଦ ଅଭେଦ ୟେକମତି ।୧୪।

ବଇଶାଖ ଶୁକଳପକ୍ଷ ଯେ ତୃତୀୟାର ତିଥି

ଅମ୍ଵରେ ଉଚ୍ଛବ ଯେ କଲାକ ସୁରପତି ।୧୫।

ଚନ୍ଦ୍ରବାର ନକ୍ଷତ୍ର ରୋହିଣୀ ବିଦ୍ୟମାନ

ସେ ଦିନ ଇନ୍ଦ୍ର ଦେବତାର ସ୍ଵନକ୍ଷତ୍ର ବନ୍ଦାପନା ବିଧାନ ।୧୬।

ମାତଳିକି ରାଇଣ ବୋଲନ୍ତି ସୁରପତି

ପୁଷ୍ୟକ ଘେନି ଅଯୋଧ୍ୟାକଇଂ ଯାଅ ଯା ତଡ଼ତି ।୧୭।

ଅମରେ ଉଚ୍ଛବ ବୋଲି କହିବୁ ମିତ ଆଗେ

ଦଶରଥ ରାଜାକଇଂ ତୁ ଘେନିଆସ ବେଗେ ।୧୮।

ଆଗ୍ୟାଂୟେ ମାତଳି ଧାତିକାୟେ ପରବେଶ

ଦଶରଥ ରାଜାକଇଂ ବାରତା ପ୍ରକାଶ ।୧୯।

କୟେକୟା ରାଣୀ ସନ୍ନିଧ୍ୟେ କହିଲେ ମହୀପାଳ

ରାଜ୍ୟ ସମ୍ଭାଳି ଥାଅସି ଗୋ ମୁଂ ଯିବି ସ୍ଵର୍ଗଆଳ ।୨୦।

ବିବାନେଣ ବସିଣ ଯେ ଅଯୋଧ୍ୟା ନରପତି

ପ୍ରବେଶ ମହାରାଜା ଅମର ବାରସ୍ଵତୀ ।୨୧।

ଦଶରଥକଇଂ ଦେଖି ବାସବ ଅନେକ କଲା ଗଉରୋବ

ବହୁତ ଉଚ୍ଛବ ଯେ କରାଇଲେ ବାସବ ।୨୨।

ଅମରେ ଦଶରଥ ଅନେକ ପୂଜାପାଇ

ସାନନ୍ଦେ ନୃପବର ଅଛି ତହିଂ ରହି ।୨୩।

ଦଶରଥ ଗବନ ତୃତୀୟାର ଦିନ

କୟେକୟା ହୋଇଲେ ପାକା ପରଶନ ।୨୪।

ମନ୍ଥଡ଼ିକଇଂ ହକାରି ବୋଇଲେ କୟିକେୟୀ

ଦଶରଥ ରାଜାକଇଂ ଯେ ଘେନିଆସି ଯାଇଂ ।୨୫।

ଶୁଦ୍ଧ ସ୍ରାହାନ କାଳେ ସ୍ଵାମୀ ପାଶରେ ନଥିଲେ

ବହୁତ ପାତକ ଲଭଇ ପୁରାଣେ କହିଲେ ।୨୬।

କୟିକେୟୀଂକ ବଚନେ ଚଳିବଇଂ ମଛଡ଼ି

ପ୍ରବେଶ ହୋଇଲା ଯାଇଂ ଅମର ସ୍ଵର୍ଗପୁରୀ ।୨୭।

ବିଜୟେ ଦଶରଥ ଅମର ସ୍ଵର୍ଗଆଳ

ମଛଡ଼ିକଇଂ ଦେଖି ସେ ଉଠିଲେ ମହୀପାଳ ।୨୮।

ସନ୍ନିଧ୍ୟେଣ ସୁଲଭ କହଇ ନିଜ ଦାସୀ

ପାକା ପରଶନ ହୋଇଲେ କୟିକେୟୀ ଶୁଭକେଶୀ ।୨୯।

ସପତମ ଦିନେ ଦେବୀ ହୋଇବେ ଶୁଦ୍ଧସ୍ରାନ

ଇନ୍ଦ୍ର ଦେବତାକଇଂ କହି ରାଜା କରସି ଗବନ ।୩୦।

ଦାସୀର ବଚନେ ରାଜା ସାନନ୍ଦ ହୋଇଲା

ଇନ୍ଦ୍ରକଇଂ କହି ରାଜା ବିବାନେ ବସିଲା ।୩୧।

ବିବାନେ ବସିଣ ରାଜା ଆସଇ ଆନନ୍ଦେ

ଭୋଳେଣ ଯାଉଛି ରାଜା ଲମ୍ଵାଇଣ ବେନିପାଦେ ।୩୨।

ଦେବମାତା କପିଳା ଶୋଇଅଛି ଶୂନ୍ୟେ

ଉପରେ ବିବାନ ତାର ଗଲା ଅନ୍ତର୍ଧ୍ୟାନେ ।୩୩।

ଦଶରଥ ଚରଣ ବାଜିଲା ତାର ଶିଂଗେ

ଉର୍ଦ୍ଧ୍ଵମୁଖ ହୋଇ ଦେବୀ ଚାହିଂଲେ ଅପାଙ୍ଗେ ।୩୪।

ଆରେ ଦଶରଥ ଭୋଳ ହୋଇଲୁ ରମଣୀ ରସ ଅର୍ଥେ

ଯାଅ ଯା ଅପୁତ୍ରିକ ହୋଅ ଦଶରଥେ ।୩୫।

ଗୋମାତାର ବଚନେ ବିରସ ନରେଦ୍ର

ଅଗ୍ୟାନେ ପାମର ମୁଇଂ କଲି ବଡ଼ ମନ୍ଦ ।୩୬।

ଆଦିମାତାର ଶାପ ଯାଇ କି ମେଣ୍ଟଣ

ଆବର ଅଯୋଧ୍ୟାରେ ମୋର କେଉଂଣ କାରଣ ।୩୭।

ମଛଡ଼ିକଇଂ ପଠିଆଇ ଚଳାଇ ନୃପବର

କପିଳାସେ ଖଟିଲା ସେ ଭଗତି ଅପାର ।୩୮।

ଶୟନଥାନ ପରିମଳ ବାଟ ତୁଠ ନିକିଆଇ

ଶୟନ ଥାନେ ଧର୍ମ କୁଡ଼େକ ଲଗାଇ ।୩୯।

ଯତନ କରି ରାଜା କାଟଇ ତିରଣ ଲୋଚିୟେ

ୟେହିମନ୍ତେ ଖଟିଲା ରାଜା କାଳ ବରଷ ଶହେ ।୪୦।

କପିଳାର ଦୟା ଯେ ନ ବସିଲା କଦାଶ୍ଚିତେ

ପୁଣିହିଂ ଖଟିଲା ରାୟେ ସହସ୍ର ବରଷ ପରିଯନ୍ତେ ।୪୧।

ତଥାପି ପ୍ରସନ୍ନ ନୋହି ବଚନ ନ ଫିଟି

ପୁଣି ବେନି ସହସ୍ର ବରଷ ପରିଯନ୍ତେ ରାଜା ଅଛି ଖଟି ।୪୨।

ପୁଣି ୟେକତ୍ରିଂଶ ଶତ ବରଷ ରାୟେ ଯେ ଖଟିଲା

ୟେତେମତେ ଗୋମାତାର ଦୟା ନ ବସିଲା ।୪୩।

ଗୋମାତା ବିଚାରଇ ନିତିଦିନ ଖଣ୍ତାୟେକ ଧରି

ମୋତେ ମାରିବା ନିମନ୍ତେ ଅବା ୟେ ଗୋଡ଼ାୟେ କୋପକରି ।୪୪।

କୃତ ନାମେ ତ୍ରେତୟା ଯୁଗ ଭାନୁ ନାମେ ଅବଦ

ସୁରାକ୍ରମ ନାମେ ମାସ ଅଟେ ଦିବସଦ ।୪୫।

ଆଷାଢ଼ କୃଷ୍ଣପକ୍ଷ ଯେ ପ୍ରତିପଦା ତିଥି

ମୂଳା ନାମେ ନକ୍ଷତ୍ର ଯେ ବାର ବୃହସ୍ପତି ।୪୬।

ବାଳବ ନାମେ କରଣ ଶୁଭ ନାମେ ଯୋଗ

ସେ ଦିନ କପିଳା ଚରିଗଲା ଯେ ଗହନ ବନ ମାର୍ଗ ।୪୭।

ଶ୍ରୀଭୁଜେ କୃପାଣେକ ଧରିଣ ନରସାଇଂ

କପିଳା ପଛକତି ରାଜା ଅଛଇ ଗୋଡ଼ିଆଇ ।୪୮।

ଆରେକ ମୃତ୍ତିରେ ଦେବୀ ବ୍ୟାଘ୍ରେକ ଅବତରି

କପିଳା ଉପରକୁ ଧାମଇଂ ଗର୍ଜନ ନାଦ କରି ।୪୯।

ପଛେ ଥାଇ ଦେଖଇ ଅଜ ନୃପତିର ବଳା

ବ୍ୟାଘ୍ର ଆସୁଅଛି ମାତା ଗୋ ବହନ ହୋଇ ପଳା ।୫୦।

ଆଧାର ରସେ ଦେବୀ ନ ଶୁଣଇ ବାଣୀ

ମତ୍ତବ୍ୟାଘ୍ର କଟାଳ କଲାକ ହାଦେ ପୁଣି ।୫୧।

ଗାଈକି ପଛକରି ରାଜାର ତେଜ ବିକାଶି

ଖଣ୍ତାୟେକ ଘେନି ରାଜା ବ୍ୟାଘ୍ରକଇଂ ଆକ୍ରେଷି ।୫୨।

କିଞ୍ଚିତ ବ୍ୟାଘ୍ର ନୋହଇ ସେ କପିଳାର ମାୟା ସିନା

ଶରୀରେ ପଡ଼ି ଦଶରଥ ଅସିବର ହୋଇଲା ଶତେଚୂନା ।୫୩।

ଦଶରଥକଇଂ ଧରି ପାଡ଼ିଲା ବ୍ୟାଘ୍ରବର

ମୋତେ ପଛେ ଭକ୍ଷ ଗାଈକି ରକ୍ଷାକର ।୫୪।

ମୋତେ ଧରି ବ୍ୟାଘ୍ର ରେ ମହୁମାଂସ ଭକ୍ଷ

ପଳାଉ କିନା କପଳା ଗୋ କିମ୍ପାଇ ରହିଅଛ ।୫୫।

ୟେସନିକ ବାକ୍ୟ ଯହୁଂ ବୋଇଲେ ଦଶରଥ

ଶୁଣି କପିଳା ଯେ ସଦୟେ ହୃଦଗତ ।୫୬।

ବ୍ୟାଘ୍ରର ରୂପ ଦେବୀ ତତକ୍ଷଣେ କଲେ ତେଜ୍ୟା

ବାବୁ ତୋହୋର ୟେଡ଼େ ସତ ରେ ଦଶରଥ ମହାରଜା ।୫୭।

ମୋତେ ଭଗତି ନିମନ୍ତେ ତୁ ୟେତେ ଦୁଖ ପାଉ

ଯାଅ ଯା ଦଶରଥ ରେ ତୋହୋର ଚାରିପୁତ୍ର ହୋଉ ।୫୮।

ବ୍ରହ୍ମା ବିଷ୍ଣୁ ମହେଶ୍ଵର ଇନ୍ଦ୍ର ଚାରି ଦିଗପାଳେ

ରାମ ଲକ୍ଷ୍ମଣ ଭ୍ରଥ ଶତ୍ରୁଘନ ହୋଇ ଉପୁଜନ୍ତୁ ତୋର କୋଳେ ।୫୯।

ବଦୟନ୍ତି ମାରକଣ୍ତ ଶୁଣ ହୋ ଯୁଝେଷ୍ଠି

କପିଳା ବର ପାଇ ଦଶରଥ ଋଷିଶିଙ୍ଗକଇଂ ଖଟି ।୬୦।

ଚିତ୍ରବାହାନ ରାଜା ଯେ ଲୋମପାଦେ ବିବାଦୀ

ତେଣୁକରି କୋପ ସେ କଲେକ ଜମ୍ଭୋଭେଦୀ ।୬୧।

ଲୋମପାଦ ରାଜ୍ୟେ ନୋହିଲା ଜଳବୃଷ୍ଟି

ଶସ୍ୟ ଜାତ ନୋହିବାରୁ ପ୍ରଜା ମହାକଷ୍ଟି ।୬୨।

ବ୍ୟାସମୁନି କହିଲେ ଯେ ଋଷ୍ୟଶୃଙ୍ଗର କଥା

ପାଇବୁ କାରଣ ଆଣୁ ଯେବେ ବିଭାଣ୍ତେକ ପୁତା ।୬୩।

ବେଶ୍ୟାନ୍ତ ପଠିଆଇ ଆଣିବୁ ବାଳଶିଷି

ନଉକାରେ ବସାଇ ଆଣ ବେଗେ ଋଷିଶିଙ୍ଗ ଋଷି ।୬୪।

ନିତ୍ୟକର୍ମ କାଳେ ମୁନି ଲୋଡ଼ିବେକ ପାଣି

ମେଘେ ବରଷିବେ ଯେ ମୁଶଳ ଧାରା ଜାଣି ।୬୫।

ୟେହା ଶୁଣି ଲୋମପାଦ ଜରତାକୁ ରାଇ

ଋଷିଶିଂଗଂକ ନିକଟେ ଦିଲେ ପଠିଆଇ ।୬୬।

ଜରତା ମୁନି ପାଶରେ ପ୍ରବେଶ ହୋଇଲେ

ନାନା କଉଶଳରେ ତାର ମନ ଭୁଲାଇଲେ ।୬୭।

ଜରତା ନିକଟୁ ମୁନି ସ୍ଵାଦୁ ଫଳ ଖାଇ

ଲୋମପାଦ ରାଜ୍ୟରେ ପ୍ରବେଶ ହେଲେ ଯାଇଂ ।୬୮।

ନିତ୍ୟକର୍ମ କାଳେ ମୁନି ଲୋଡ଼ିଲେକ ପାଣି

ମେଘେ ଯେ ବରଷିଲେ ମୂଷଳ ଧାରା ଜାଣି ।୬୯।

ଦେଖିଣ ଲୋମପାଦ ଯେ ସାନନ୍ଦ ହୋଇଲା

ଶାଆନ୍ତା କନ୍ୟାକଇଂ ନେଇ ମୁନିଂକି ପ୍ରଦାନ କଲା ।୭୦।

ଦଶରଥ କୁମାରୀ ଯେ ଅଟଇ ଶାଆନ୍ତା

ଋଷିଂକି ଲାଗିଲା ଦଶରଥର ପୁତ୍ର ଚିନ୍ତା ।୭୧।

ତେଣୁକରି ଦଶରଥ ସନ୍ତାନ ନିମନ୍ତେ

ଚାରୁ ଫୁଟାଇଲେ ମୁନି କୁମାର ଜାତ ଅର୍ଥେ ।୭୨।

ଋଷିଶିଙ୍ଗ ବୋଇଲେ ଯେତେ ତୋହୋର ପ୍ରିୟବତୀ

ୟେ ଚରୁ ନେଇ ତାହାନ୍ତ ହାଦେ ଦିଅ ହୋଇବ ଚାରି ଆକୃତି ।୭୩।

ଘେନିଣ ମହାରାଜା ତତକ୍ଷଣ ଅଇଲା

ବୋଇଲା ୟେ ଚରୁ ଗ୍ରାସକର ଗୋ କଉଶୁଲ୍ୟା ।୭୪।

ବିଚାରଇ କଉଶୁଲ୍ୟା କୟିକେୟା ମୋର ସଖୀ

ଅପୂର୍ବ ପଦାର୍ଥ ପାଇଲେ ପ୍ରିୟଲୋକନ୍ତ ନ ଉପେଖି ।୭୫।

ଚରୁ ଅର୍ଦ୍ଧେକ ଘେନିଣ ଦିଲେ କୟିକେୟାଂକୁ

ଗ୍ରାସର କାଳେ ଯାଇଂ ସୁମିତ୍ରା ଦେଖିଲା ତାହାଂକୁ ।୭୬।

ତୁ ଆମ୍ଭର ସଖୀ ଅଟୁନି ଯୁଗତେ

ଦୁହେଂ ମୁଠିୟେ ମୁଠିୟେ ଦିଲେ ସୁମିତ୍ରାଂକ ହାଥେ ।୭୭।

କଉଶଲ୍ୟାର ଗର୍ଭୁଂ ଯେ ଶ୍ରୀରାମ ହେଲେ ଜାତ

କୟିକେୟାର ଗର୍ଭୁଂ ଭରତ ହେଲେ ସମ୍ଭୁତ ।୭୮।

ସୁମିତ୍ରାଂକ ମୁଠିୟେ ମୁଠିୟେ ଦିହେଂ ଦିଲେ ବାଣ୍ଟି

ସେ ନିମନ୍ତେ ଲକ୍ଷ୍ମଣ ଶତ୍ରୁଘ୍ନ ପୁତ୍ର ବେନିଗୋଟି ।୭୯।

ମାରକଣ୍ତେ ବୋଇଲେ ବାବୁ ଶୁଣ ଧର୍ମରାୟେ

ୟେ ବିଧିରେ ଦଶରଥଂକର ଚାରି ଯେ ତନୟେ ।୮୦।

ଯୁଝେଷ୍ଠି ବୋଇଲେ କପିଳା ଦଶରଥକଇଂ ବର ଦିଲା

ଚାରି ଦିଗପାଳଂକ କଥା କେମନ୍ତେ ହୋଇଲା ।୮୧।

ମାରକଣ୍ତେ ବୋଇଲେ ବାବୁ ଶ୍ରୀରାମ ବିଷ୍ଣୁଜନ୍ମ ହୋୟେ

ଭ୍ରଥ ଯେ ଇନ୍ଦ୍ର ଅବତାର ଅଟଇଟି ସ୍ଵଂୟେ ।୮୨।

ଲକ୍ଷଣ ପ୍ରତ୍ୟକ୍ଷେ ଅଟନ୍ତି ଈଶ୍ଵର ଦେବତା

ଶତ୍ରୁଘ୍ନ ଅଟନ୍ତି ସେ ଯେ ସାକ୍ଷାତେ ବିଧାତା ।୮୩।

ଯୁଝେଷ୍ଠି ଦେବ ବୋଇଲେ ଶୁଣିମା ମାରକଣ୍ତେ

ଋଷିଶିଙ୍ଗର ମହିମାଂ କାହୁଂ ହୋଇଲା ୟେଡ଼େ ।୮୪।

ଶୁଣ ହୋ ପଣ୍ତୁ ନନ୍ଦନ ସୋମବଂଶୀ

ଆଦିବ୍ରହ୍ମା ତହୁଂ ଉପୁଜିଲେ ପାଠ ମହାଋଷି ।୮୫।

ପାଠଋଷିର ନନ୍ଦନ ଅଟଇ ଜୟେମୁନି

ଜୟମୁନି ନନ୍ଦନ ଯେ ବିପ୍ର କାଶୀପନି ।୮୬।

କାଶୀପନିର ନନ୍ଦନ ଦେବନିକ ମହାଯତି

ଉତ୍ତାନକ ମହଋଷି ୟେହାଂକର ସନ୍ତତି ।୮୭।

ଉତ୍ତାନଂକର ନନ୍ଦନ ଅଜନିକ କଇତପା

ୟେହାଂକର ନନ୍ଦନ ଅଟନ୍ତି ସତ୍ୟପା ।୮୮।

ସତ୍ୟପାର ନନ୍ଦନ କୁଣ୍ତଳ ମହଋଷି

ଭାଣ୍ତେକ ବୋଲିକରି ତାହାଂକର ଶିଷି ।୮୯।

ଭାଣ୍ତକର ନନ୍ଦନ ଯେ ବିଭାଣ୍ତକ ଋଷି

ମହାତେଜା ମୁନି ଜାଣି କପିଳ ମହଋଷି ।୯୦।

ଦିନେକ ସ୍ଵର୍ଗ ଭୁବନକଇଂ ଗଲେ ବିଭାଣ୍ତେକ ମୁନି

ଇନ୍ଦ୍ର ଦେବତା ତାହାକଇଂ ମାନ୍ୟ ନ କଲାକ ପୁଣି ।୯୧।

ଅମର ଆସ୍ତାନେ ତାକୁ ନ ଦିଲାକ ବସି

ତହୁଂ ଅଭିମାନେ ବାହୁଡ଼ିଲେ ବିଭାଣ୍ତକ ଋଷି ।୯୨।

ରାଗେଣ ବୋଇଲେ ତାଂକୁ ବିଭାଣ୍ତକ ମୁନି

ଇନ୍ଦ୍ରପଦ ଘେନିମଇଂ ୟେ ମୋର ସତ୍ୟବାଣୀ ।୯୩।

କାଳ କାମ ନିଦ୍ରା ଯେ ସମସ୍ତ କଲା ତେଜ୍ୟା

ପୁଣ୍ୟତୋୟା ନଦୀକୂଳେ ବସିଲା କରିଣ କୁଶଶଯ୍ୟା ।୯୪।

ବସିଲାକ ମହାତମା ଯେ ସକଳ ନିରାଶି

ପରମ ନିରାକୁଳ ଅଭୟେ ନାଥଂକୁ ସେ ତୋଷି ।୯୫।

ପାପ ଆତ୍ମା ବୁଡ଼ାଇ ନିରାଶି ତପୋବନ୍ତ

ନବଦ୍ଵାର ନିରୋଧି ରୋମେ ପିବଇ ବାତ ।୯୬।

ସମସ୍ତ ପ୍ରକୃତି ଯେ ଛନ୍ଦିଲା ୟେକଆତ୍ମା

ମହାଲୟେ ଚିନ୍ତଇ ସେ ନିରାକାର ମହାତ୍ମା ।୯୭।

ହୃଦଗତେ ଚକ୍ଷୁ ବିସ୍ତୀର୍ଣ୍ଣ ଶୋଷିଲା ପବନକାୟେ

ଶତେ ସହସ୍ର ବରଷ ସେ ବସିଲା ୟେକଲୟେ ।୯୮।

ଋଷିଂକର ନିରାଶକୁ ଜାଣିଲେ ନାରଦ

କଷ୍ଠୋର ଦେଖିଣ ସେ ଜଣାଇଲେ ଦେବଇନ୍ଦ୍ର ।୯୯।

ଆହୋ ସୁରନାଥ ଅମରପୁରେ ତୋର ପଡ଼ିଲା ପ୍ରମାଦ

ଚାରିଦିନେ ବିଭାଣ୍ତେକ ଆସି ହୋଇବ ଦେବଇନ୍ଦ୍ର ।୧୦୦।

ନାରଦଂକ ମୁଖୁଂ ୟେସନେକ ବାକ୍ୟ ଶୁଣି

ଅସ୍କନ୍ଦା ଅପକ୍ଷରୀକି ପେଷିଲେ ବଜ୍ରପାଣି ।୧୦୧।

ତୁ ଯାଅ ଅସ୍କନ୍ଦା ଗୋ ପୁଣ୍ୟତୋୟା ନଦୀ କୂଳେ

ବିଭାଣ୍ତକ ତପ ଭଗ୍ନକର ତୋହୋର ବୁଦ୍ଧିବଳେ ।୧୦୨।

ଜାନୁ ସ୍ତନ ଯଉୁବନ ଦେଖାଇଣ ତପୋଧନୀ

ଅଥବା ଆସ ତାକୁ କୋଳକରି ଘେନି ।୧୦୩।

ସ୍ଵାମୀର ବଚନ ଶୁଣି ଚଳଇ ଅସକନ୍ଦା

ମନକାମନା କରି ତହିଂ ପାତିଲାକ ଛନ୍ଦା ।୧୦୪।

ଗାନରସ ଉଂକାରି ମଧୁରସ ବାଣୀ

ପିକମାନେ ବନ ତେଜ୍ୟାକଲେ ତାହାର ବାଣୀ ଶୁଣି ।୧୦୫।

ଚାହିଂଲା ମହାତମା ଯେ ଅବଲୋକନ କରି ଦୃଷ୍ଟି

ମୟାଣ ଶର ବିଘାତେ ଶରୀର ତାର ଫୁଟି ।୧୦୬।

ଅସକନ୍ଦାର ବଦନ ଚାହିଂଲା ବିଭାଣ୍ତେ

ଢଳିଲା ମହାତମାର ଅମୋହ ରେତ ଖଣ୍ତେ ।୧୦୭।

ରେତ ମନ୍ଦାୟେକ ପଡ଼ନ୍ତେ ଯେ କମ୍ପିଲା ମେଦିନୀ

ଆରେକ ମନ୍ଦାକ ଯେ ଧଇଲେ ମହାମୁନି ।୧୦୮।

ରାଗେ ବୋଇଲେ ତୁ ଲୋ ଦୁଷ୍ଟ ଯେ ଦୃଭାଗୀ

ଦୁଖେ ଅରଜିଲା ତପ କିମ୍ପେ ମୋର ଭାଗୀ ।୧୦୯।

ୟେ ମୃତୁ ମଣ୍ତଳେ ତୁ ଲୋ ଲେଞ୍ଚସ୍ତିରୀ ହୋଇ

ମୁଖେ ରେତ କରାଅ ତୁ ବ୍ରତ ହେତୁ ପାଇ ।୧୧୦।

ଯୁଝେଷ୍ଠି ପୁଚ୍ଛାକଲେ ଶୁଣିମା ମାରକଣ୍ତେ

ଆରେକ ଧାତୁମନ୍ଦା କି କଲେ ବିଭାଣ୍ତେ ।୧୧୧।

ମାରକଣ୍ତେ ବଦୟନ୍ତି ଯୁଝେଷ୍ଠି ବାକ୍ୟ ଶୁଣି

ଆରେକ ମନ୍ଦା ନଦୀରେ ପକାଇଲେ ଆଣି ।୧୧୨।

ଇସ୍କିନ୍ଦା ନାମେକ ସେ ୟେକଇ ମୃଗୁଣୀ

ସେହୁ ତୃଷାୟେ ଜଳଘାଟେ ପିବନ୍ତେଣ ପାଣି ।୧୧୩।

ଶୁଦ୍ଧ ସଷ୍ଠିକ ପ୍ରାୟେ ଉପୁଚିଆଉଂ ଥିଲା ନଳେ

ସେ ଯାଇଂ ବସିଲା ମୃଗଣୀ ଗର୍ଭସ୍ଥଳେ ।୧୧୪।

ଯେବଣ ଅମୋହ ରେତ ସେ ଅଟଇ ମହାକଳ୍ପି

ସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି ।୧୧୫।

ଲଖ ମୁଖ ନାସିକା ଚାରୁଚରଣ ମନୁଷ୍ୟର ପିଣ୍ତ

ରୋମାଞ୍ଚିତ ପିଙ୍ଗଳ ହରିଣ ଯେହ୍ନେ ମୁଣ୍ତ ।୧୧୬।

ମୃଗୁଣୀ ଉପେକ୍ଷିଲା ଦେଖି ମନୁଷ୍ୟର ଭାବ

ପଡ଼ିଛି ବାଳଶିଷି ସେ ନଦୀର ପଛିମ ଠାବ ।୧୧୭।

ମାରକଣ୍ତ କହିଲେ ଯୁଝେଷ୍ଠି ଦେବଂକ ଆଗ

ସେହି ସେ ମହାତମାଟି ଅଟଇ ଋଷିଶିଙ୍ଗ ।୧୧୮।

ଯୁଝେଷ୍ଠି ବୋଇଲେ ଶୁଣିମା ମାରକଣ୍ତ ଦେବ

ଆମୋହ ରେତ କେମନ୍ତେ ସଂହରିଲା ମୃଗୁଣୀର ଗର୍ଭ ।୧୧୯।

ମାରକଣ୍ତେ ବୋଇଲେ ଶୁଣ ତୁମ୍ଭେ ତହିଂର କଥା

ବିଷ୍ଣୁଗର୍ଭ ବୋଲି ସତ୍ୟଯୁଗର ବାରତା ।୧୨୦।

ଋତୁପା ନାମେଣ ଯେ ବୃହସ୍ପତି ଯାୟେ

ନିତ୍ୟକର୍ମ ବିଧାନେ ସେ ପଞ୍ଚୁବେଣୀ ଗଙ୍ଗାୟେ ।୧୨୧।

କାଳିଝୀନ ନାମେଣ ବ୍ରହ୍ମା କୃପାଜଳ ନାମେ ରୁଦ୍ର

ମାର୍ତ୍ତଣ୍ତ ନାମେ ଆଦିତ୍ୟ ଶଶାଂକ ନାମେ ଚନ୍ଦ୍ର ।୧୨୨।

ଶୁଚୀ ନାମେଣ ଯେ ଅଟଇ ବସୁନ୍ଧରା

କଉଣ୍ତଳ ନାମେ ବାତ ଚାତକ ନାମେ ଅଙ୍ଗିରା ।୧୨୩।

ମଳୟ ବସନ୍ତ ବୋଲି ପ୍ରଭବ

ଅନନ୍ତ ନାମେ ବାସୁକି ଧର୍ମ ନାମେ ସୁଦେବ ।୧୨୪।

ବଳାକ୍ରମ ନାମେ ଯେ କୁମ୍ଭମାସ ଆଦି

ଶୋଳକ ନାମେଣ ଯେ ଦିବସ ସମ୍ପାଦି ।୧୨୫।

ସେ ଦିନ ବୃହସ୍ପତି ଗଲେ ପଞ୍ଚୁଧାରା ତୀର୍ଥେ

ହରିତା ନାମେ ରାକ୍ଷସୀକି ଭେଟିଲେ ବନସ୍ତେ ।୧୨୬।

ମାନିନୀ ରୂପ ସେ ଯେ ଅଟଇ ବରାଙ୍ଗନା

ଦେଖିଣ ପଣ୍ତିତେ ଯେ ହୋଇଲେ ମୋହୋମନା ।୧୨୭।

ମୋହେ ବଶ ହୋଇଣ ଯେ ଢଳିଲେ ପଣ୍ତିତେ

ହରିତା ରାକ୍ଷସୀକି ଧରିଲେ କୋଳାଗ୍ରତେ ।୧୨୮।

ବୃହସ୍ପତିଂକି ଦେଖି ସାନନ୍ଦ କଉଣୋପୀ

ମୁଖେ ରତିକରି ସେ ଲୋଡ଼ଇ ଦୁରାପୀ ।୧୨୯।

ଅସ୍ତୁକରା ପୁରୁଷେ ବୋଇଲେ ଶୁଣ ହୋ ବୃହସ୍ପତି

ମୁଖେ ରେତ କରାଇଲେ ହୋଇବଟି ଅନୀତି ।୧୩୦।

ରାକ୍ଷସୀ ବିଚାରଇ ଆକ୍ରେଷିବି ମହାଧାତୁ

ନିପ୍ରାଣ କରାଇବି ବ୍ରାହ୍ମଣ ପାଉ ମୃତୁ ।୧୩୧।

ମଲେଣ ମାଂସ ୟେହାର ଖାଇବଇଂ ଭାଜି

ମୁଖେ ଉପସ୍ଥ ଭରି ଲୋଡ଼ଇ ମନ୍ଦ ହେଜି ।୧୩୨।

କଷ୍ଠୋର ଦେଖିଣ ଶାପ ଦିଲେ ପ୍ରଜାପତି

ତୁ ଲୋ ରାକ୍ଷାସୁଣୀ ମୃଗଣୀ ହୋଇ ହୁଅ ଉତପତ୍ତି ।୧୩୩।

ୟେ ବୃହସ୍ପତି ଜାତ ହେଉ ବିଭାଣ୍ତକ ଋଷି ହୋଇ

ଋକ୍ଷ ନାମେ ତ୍ରେତୟା ଯୁଗେ ୟେହାର ଧାତୁ ମୁଖେ ଭକ୍ଷ ତୁହି ।୧୩୪।

ଶୁଣ ହୋ ପାଣ୍ତବେ ପ୍ରଜାପତିର ଶାପେ

ସେ ହରିତା ରାକ୍ଷସୀ ଜାତ ହୋଇଲା ମୃଗଣୀ ସରୂପେ ।୧୩୫।

ଯେ ସେ ବୃହସ୍ପତି ବିଭାଣ୍ତକ ହୋଇଅଛି

ପୂର୍ଗର ଶାପେ ସେ ମୃଗଣୀ ଋଷିର ରେତ ଭକ୍ଷି ( ଭସ୍ଥି ) ।୧୩୬।

ଯୁଝେଷ୍ଠି ବୋଇଲେ ମାରକଣ୍ତେ ଋଷିଶିଙ୍ଗ ଉପୁଜିଲା

ମୃଗୁଣୀ ନ ପାଳିଲା ସେ କେମନ୍ତେ ବ୍ରତିଲା ।୧୩୭।

ଶୁଣ ହୋ ଧର୍ମରାଜା ବଦୟନ୍ତି ମାରକଣ୍ତେ

ଆହାନିକ କାଳେ ଆସି ଦେଖିଲା ବିଭାଣ୍ତେ ।୧୩୮।

ଅପୂର୍ବ କୁମାର ସେ ଅଟଇ ବେନି ଜାତି

ମାତା ପିତା ସଖା ତାର କେହି ନାହିଂ କତି ।୧୩୯।

ଧ୍ୟାନେଣ ଜାଣିଲେ ୟେତ ଅଟଇ ଆମ୍ଭର ବୀର୍ଯ୍ୟ

ମୃଗୁଣୀ ଭକ୍ଷନ୍ତେ ଉତପତ୍ତି ସଇନ୍ଦୁ ଆତ୍ମଜ ।୧୪୦।

ବିଭଳିତ ଦେଖି ସେ ଇସ୍କିନ୍ଦ୍ୟା ଛାଡ଼ିଲା

ଧର୍ମେ କୁମାର ମୋର ୟେକା ସେ ବ୍ରତିଲା ।୧୪୧।

କ୍ଷୀର ଅଭାବେଣ ସେ ବ୍ରତଇ କେମନ୍ତେ

କମଣ୍ତଳୁ ପାଣି ମନ୍ଦାୟେ ଦିଲେକ ଗର୍ଭଗତେ ।୧୪୨।

ସାଷ୍ଟାମ ହୋଇଲା ଯେ କୁମାର ଜଳପାନେ

ମେଘନ୍ତ ରାଇଣ ଯେ ବୋଇଲେ ତପୋଧନେ ।୧୪୩।

ଯେତେବେଳେ ନନ୍ଦନ ଲୋଡ଼ିବ ମୋର ଜଳ

ଧାତିକାରେ ଆସି ଜଳ ବରଷିବୁ ଆଖଣ୍ତଳ ।୧୪୪।

ପାଣି ନ ପାଇ ପୁତ୍ର ମୋହୋର କରିବ ଯେବେ କୋପ

ଅମର ଦହନ ହୋଇବଟି ୟେହାର ଦିଲେ ଅଭିଶାପ ।୧୪୫।

ସେ ଋଷିଶିଙ୍ଗ ଯେବଣ ଭୁବନେ ଥାଇ

ଅନୁବ୍ରତେ ମେଘମାନେ ପଛେ ପଛେ ଗୋଡ଼ାଇ ।୧୪୬।

ମେଘଛତ୍ର ବହଇ ଋଷିଶିଙ୍ଗ ବ୍ରହ୍ମବେତ୍ତା

ତାହାର ଆଗ୍ୟାଂୟେ ଜଳବୃଷ୍ଟି କରଇ ବାସେବ ଦେବତା ।୧୪୭।

ଯେବଣ ମାହେନ୍ଦ୍ର ବେଳେ ଦେଖିଲୁ ଗୋକର୍ଣ୍ଣେଶ୍ଵର

ସେ ଋଷିଶିଙ୍ଗ ଅଟଇ ରୁଦ୍ର ଅବତାର ।୧୪୮।

ଲୋମପାଦ ରାଜ୍ୟରେ ହୋଇଲା ଅନାବୃଷ୍ଟି

ତାହାର ପ୍ରସାଦେ ରକ୍ଷାଗଲେ ଜୀବକୋଟି ।୧୪୯।

ଯୁଝେଷ୍ଠି ଦେବ ବୋଇଲେ ତାକୁ ନିଲେକ କେମନ୍ତେ

ୟେହା ସଞ୍ଚପି କରି କହିବା ମୁନି ମୋତେ ।୧୫୦।

ଶୁଣନ୍ତେ ଫିଟୁ ୟେ ସଂସାର ମୋହବ୍ୟଥା

ବଡ଼ାଇ କଉତୁକ ୟେ ଅମୃତ ରସ କଥା ।୧୫୧।

ଅଥବା ପାତେକ ଯେବେ କରିଥାନ୍ତି ପ୍ରାଣୀ

ହୋଇବେ ମୁକତି ଋଷିଶିଙ୍ଗ କଥା ଶୁଣି ।୧୫୨।

ମାରକଣ୍ତେ ବୋଇଲେ ସେ ଦଶରଥର କୁମାରୀ

ପ୍ରଶୁରାଂମକର ଡରେ ନୁଆରିଲା ବିଭାକରି ।୧୫୩।

ପିତା ଘରେ ଦୋହିତା ଅବିଭାଇ ରଜୋବତୀ ହୋଇଲେ

ବହିଲା ଶ୍ରୋଣିତ ପିତୃଲୋକ ପିବନ୍ତି ଭଲେ ।୧୫୪।

ଦଶରଥ ନିଆରିଲେ ତାହା ତଦ ନିମନ୍ତୁ

ଲୋମପାଦ ପୁରେ ଥୋଇଲେ ମଇତ୍ର ହେତୁ ।୧୫୫।

ମେଘେ ବୋଇଲେ ହୋ ଲୋମପାଦ ମନ୍ଦ କଲା

ଅପୁତ୍ରିକ ରାଜାର ଯେ ଦୁହିତା କିମ୍ପା ସଂଘରିଲା । ( ସଂଭରିଲା ) ।୧୫୬।

ଲୋମପାଦ ରାଜାକୁ ଦେବଗଣ ଦୋଷ ଯେ ବିହିଲେ

ତେଣୁ କରି ରାଜ୍ୟରେ ତାର ବୃଷ୍ଟି ଯେ ନ କଲେ ।୧୫୭।

ଋଷିମାନନ୍ତ ଘେନି ରାଜା ଅନେକ ଯାଗଯଗ୍ୟଂ କଲା

ତଦ୍ୟାପି ରାଜ୍ୟ ତାର ଜଳବୃଷ୍ଟି ନୋହିଲା ।୧୫୮।

ମେଘେ ନ ପାଳିଲେ ପାଞ୍ଚବର୍ଷ ପରିଯନ୍ତେ

ଧନବନ୍ତ ଲୋକେ ବଞ୍ଚିଲେ ପୂର୍ବର ସୁକୃତେ ।୧୫୯।

ନଦୀର ଖମା ଖୋଳାଇ ଜଳ ଆଣିଲେ ନରପତି

ରାଜ୍ୟଯାକ ବେଢ଼ାଇଣ ଖଣା ଖୋଳାଇଲେ ପ୍ରତିପ୍ରତି ।୧୬୦।

ତହୁଂ ପାଣି ଦେଇ ପ୍ରଜାୟେ ଶସ୍ୟକରି

ଭୁଞ୍ଜନ୍ତି ସେ ପ୍ରଜାଜନେ କର୍ମକୁ ଆଦରି ।୧୬୧।

ବ୍ୟାସେ ବୋଇଲେ ରାଜା ତୋର ରାଜ୍ୟେ ଯେବେ ନ ବରଷିଲା ପାଣି ।

ଜଳବୃଷ୍ଟି କରାଉ କିନା ତୁ ଋଷିଶିଙ୍ଗକଇଂ ପାରୁ ଆଣି ।୧୬୨।

ଜରତା ନାମେଣ ବେଶ୍ୟା ୟେକଇ ପୀନସ୍ତନୀ

ସେ ଗଲା ବନସ୍ତେ ନାବେ ଅନେକ ବେଶ୍ୟାଗଣନ୍ତ ଘେନି ।୧୬୩।

ସଞ୍ଚପି କରିଣ ତାହାକୁ କହିଲେ ମୁନିବ୍ୟାସେ

ସରସ୍ଵତୀ କୂଳରେ ପ୍ରବେଶ ହେଲେ ପଞ୍ଚୁ ଦିବସେ ।୧୬୪।

ହରି ହରିଣୀ ବିରହିଣୀ ହରିତା ହରିଣାକ୍ଷୀ

ମୋହିନୀ କାମସେଣୀ ଆବର ପଦ୍ମାକ୍ଷୀ ।୧୬୫।

ଜରତାର ତୁଲେଣ ଅଷ୍ଟ ଯେ ଚତୁରୀ

ପୁଣ୍ୟତୋୟା ନଦୀକୂଳେ ଭେଟିଲେ ଋଷିଶିଙ୍ଗ ବ୍ରହ୍ମଚାରୀ ।୧୬୬।

ଦେଖିଲେ ଋଷିଶିଙ୍ଗ ଅଗ୍ୟାନ ବାଳଶିଷି

ନିର୍ଧୁମ ଅଗ୍ନି ଜାଣି ତେଜ ପରକାଶି ।୧୬୭।

ବ୍ରଘ ଭାଲୁ ଯେ ନାନା ଜୀବମାନେ

ତେଜେ ରହି ନୁଆରିଲେ ୟେକାଦଶ ଯୋଜନେ ।୧୬୮।

ଅନେକ ଅଳଂକାର ଘେନି ଭେଟିଲେ ସୁନ୍ଦରୀ

ଦେଖିଣ ଆଶ୍ରିଜ ଯେ ହୋଇଲେ ବ୍ରହ୍ମଚାରୀ ।୧୬୯।

ବୋଇଲେ କେବଣ ଦେଶର ତୁମ୍ଭେ ଅଟ ଗୋ ତପୋଧନୀ

ମନୋହର ବନେ ଥାଉଂ ବୋଲି ବୋଇଲେ କାମିନୀ ।୧୭୦।

ବନସ୍ତର ଫଳ ଗୁଡ଼ାୟେ ଦିଲେ ଋଷିଶିଙ୍ଗ

ବୋଇଲେ ୟେହା ବାଣ୍ଟିଣ କର ତୁମ୍ଭେ ଭୋଗ୍ୟ ।୧୭୧।

ଜରତା ବେଶ୍ୟା ବୋଇଲା ୟେତ ଦିଶଇ ଅନ୍ୟାକୃତି

ୟେହା ଆହାରେ ତୁମ୍ଭେ କେହେନେକ ଅଛ ବ୍ରତି ।୧୭୨।

ଆମ୍ଭ ବନସ୍ତର ତୁମ୍ବଂକୁ ଦେଇ କିନା ଫଳ

ଖଣ୍ତ ଶାକର ମିଶାଇ ଦିଲେ ଅମୃତପାଣି କଦୀଳ ।୧୭୩।

ଗୋଟିୟେ ମୁଖେ ଭୁଞ୍ଜିଣ ମୁନି ପାଇଲେ ମହାରସ

ସୁଶୀତଳ ପଣା ଦିଲେ କର୍ପୂରର ବାସ ।୧୭୪।

ଆମ୍ଭ ବନସ୍ତର ଫଳ ୟେ ଆମ୍ଭ ବନସ୍ତର ପାଣି

ଚନ୍ଦନ ଚତୁସମ ଲେପନ କଲେକ ଅଙ୍ଗେ ଆଣି ।୧୭୫।

ବୃକ୍ଷର ଲସା ବୋଲି ଲଗାଇଲେ ଜୁଆଦ କସ୍ତୁରୀ

ବନପୁଷ୍ୟ ବୋଲି ଆଭରଣ କଲେ ଆଣି କନକର ମାଳୀ ।୧୭୬।

ସିନ୍ଧୁଆ ନେତର ଯେ ଶେଯେକ ଦିଲେ ନେଇ

ଆମ୍ଭ ବନସ୍ତ ଜୀବମାନଂକର ଛାଲ ଅଟଇଟି ୟେହି ।୧୭୭।

ଆଉଜିବାକୁ ଦିଲେ ସେ ନେତର ମୁଚୁଳି

ବହୁ ଭକ୍ତିରେ ଛାମୁରେ ଖଟିଲେକ ବାଳୀ ।୧୭୮।

ଶୁତିଲେ ଋଷିଶିଙ୍ଗ ଅପସରାକୁ ଆଉଜି

ବୋଇଲେ ତୁମ୍ଭ ବନସ୍ତକୁ ଯିବା କି ୟେହୁ ବନସ୍ତ ତେଜି ।୧୭୯।

ୟେ ବନର ଜଳ ଫୁଟିୟେ ଯେବେ ଖାଇ

ଶରୀର ଦୁଃଖୀ ହୋଇ ଶଳିଷମା ବାଧଇ ।୧୮୦।

ୟେ ବୃଷମାନଂକର ଲସି ଲେପିଲେ

ହାଡ଼ ମାୟେଂସ ମିଳାଇ ଶରୀରେ ପଡ଼ିଲେ ।୧୮୧।

ଋଷିଶିଙ୍ଗ ବୋଇଲେ ଆମ୍ଭନ୍ତ ଦୟା କରିବ କି ତପୋଧନୀ

ତୁମ୍ଭ ତପ ବନସ୍ତକଇଂ ଆମ୍ଭନ୍ତ ଯାଅ କିନା ଘେନି ।୧୮୨।

ଅନ୍ୟାକର ବନ ୟେଥି ଦଣ୍ତେହେଂ ନ ଥାଇ

ତୁମ୍ଭର ବନରେ ୟେହେନ୍ନେକ ପଦାର୍ଥ ଯେବେ ପାଇ ।୧୮୩।

ଜରତା ବୋଇଲା ଆମ୍ଭେ ବେଗେ ୟେଥୁ ଯାଉଂ

ଦିନାଦଶ ଅନ୍ତରେ ପ୍ରବେଶ ଆସି ହୋଉଂ ।୧୮୪।

ଋଷିଂକି ହାଥ ଦେଇ ଚଳିଲା ନାଗରୀ

ଲୋମପାଦ ଆଗେ କହିଲେ ଶେଷ କରି ।୧୮୫।

ବଡ଼ାଇ ଆଶ୍ରିଜ ଯେ ଋଷିଶିଙ୍ଗର ମହିମା

ପରମ ନିରାକୁଳ ସେ ଅଟଇ ମହାତମା ।୧୮୬।

ବଳାତକାରେ ଦେବ ତାଂକୁ ଆଣିତ ନୁଆରି

ନ ଯିବି ବୋଲି ବୋଇଲେ ମନ୍ଦର ଗିରିସରି ।୧୮୭।

ଜଳେଣ ନାଉକା ମେଲ ହୋ ଦଣ୍ତସାଇଂ

ଚକିତ ଚକିତ କରି ଆଣୁ ନାବରେ ବସାଇ ।୧୮୮।

ଚାପନାବ ଗୋଟିୟେ ମେଲିଲେ ନଦୀଜଳେ

ଫଳନ୍ତି ବୃକ୍ଷମାନେ ନାବରେ ରୋପିଲେ କୂତୋହୋଳେ ।୧୮୯।

ନାବର ଉପରେ ମେଢ ମଣ୍ତୋପଜଗତୀ

ଖଞ୍ଜିତ ମଣି ମାଣିକ୍ୟ ଭୁବନ ବାରସ୍ଵତୀ ।୧୯୦।

ଅନେକ ଚିତ୍ର ପିତୁଳୀ କଲେକ ଲେଖନ

ବବିଧ ରତ୍ନମାନ ଝଲକନ୍ତି ପାତାଂଗ ନେତ ଚିହ୍ନ ।୧୯୧।

ବହୁତ ଅର୍ପୂବ ଦ୍ରବ୍ୟମାନ ପୂରୋଇଲେ ନାବେ

ଚଳିଲେ କାମିନୀମାନେ ବହୁତ ମତ୍ତଗର୍ବେ ।୧୯୨।

ୟେକଲାବରେ ପଡ଼ଇ ଶତେକ ଆହୁଲା

ପବନହୁଂ ବେଗ ହୋଇ ଜରତା ଯେ ଗଲା ।୧୯୩।

ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ତେ

ଋଷିଶିଙ୍ଗ ସନ୍ନିଧେ ବିଜୟେ ବିଭାଣ୍ତେ ।୧୯୪।

ଆମୋଦିତ ଗନ୍ଧ ଚନ୍ଦନ କର୍ପୂର ଜୁଆଦ କସ୍ତୁରୀ

ମଣି ମାଣିକ୍ୟ ମାଳ ଗୋଟିୟେ ହୃଦରେ ଅଛି ଭରି ।୧୯୫।

ବିଭାଣ୍ତେକ ବୋଇଲେ ବାବୁ ୟେତ ବଡ଼ାଇ ଅପୂରୁବ

ୟେମାନନ୍ତ କାହିଂ ତୁ ପାଇଲୁ ରେ ବନସ୍ତରେ ୟେବ ।୧୯୬।

ଋଷିଶିଙ୍ଗ ବୋଇଲେ ବାଭିୟେ ଦେଖିଲୁ ବଡ଼ ତପୀ

ବଡ଼ ସୁସଞ୍ଚ ସୁନ୍ଦର ଦିଶନ୍ତି ବ୍ରହ୍ମରୂପୀ ।୧୯୭।

ତାହାଂକର ତପମହିମାଂ ଅଟଇ ଦେବ ଧନି

ଆମ୍ଭନ୍ତ ନେଇଣ ସେଲୋଡ଼ନ୍ତି ସଂଗେ ଘେନି ।୧୯୮।

ଧ୍ୟାନେଣ ଜାଣିଲେ ସେ ବିଭାଣ୍ତେକ ମହଋଷି

ଜଳଦାନ ନିମନ୍ତେ ଜରତା ଲୋମପାଦ ପେଷି ।୧୯୯।

ଉପାୟେ ବୁଦ୍ଧି ରଞ୍ଚି ଭଣ୍ତିଗଲେ ଚତୁରୀ

ୟେଡ଼େ ବାଳଯତି ପଡ଼ିଲା ନାଗରୀ ବଚନେ କରି ।୨୦୦।

ଋଷିଶିଙ୍ଗ ବୋଇଲେ ବାଭିୟେ ୟେମନ୍ତ ବୋଲି ମହିମାଂ

ତାହାଂକର ତପକୁ ସରି ନୋହନ୍ତି ବେଦବ୍ରହ୍ମା ।୨୦୧।

ତୁମ୍ଭେ ଯେ ନ ଥିଲ ସେ ଅଇଲେ ଯେବଣ ଦିନେ

ମୁକତ ହୁଅନ୍ତ ନା ସେ ମୁନିଂକ ଦରଶନେ ।୨୦୨।

ଆସିବେ ବୋଲି ବୋଇଲେ ସେ ଦିନାଦଶ ଅନ୍ତରେ

ଦେଖିବଟିକି କେମନ୍ତ ମହିମାଂ ତାହାଂକରେ ।୨୦୩।

ବିଭାଣ୍ତକ ବୋଇଲେ ବାବୁ ତାହାଂକ ତୁଲେ ଯାଅ

ସେହି ତପୋବନେ ତୁ ସମୟେ ଯାଇ ରହ ।୨୦୪।

ପୁତ୍ରକଇଂ ସେହି ବନେ ଛାଡ଼ିଗଲେ ତପୋଧନୀ

ଚଳନ୍ତି କାମିନୀମାନେ ନାଉକା ବେଗେ ଘେନି ।୨୦୫।

ବିଳମ୍ବ ଦେଖି ଋଷିଶିଙ୍ଗ ବିଚାରିଲେ

କି ଅବା ଋଷିମାନେ ଆମ୍ଭନ୍ତ ପାଶୋରିଲେ ।୨୦୬।

ହୃଦଗତେ ବିଚାରିଣ ବାଟ ସେ ଚାହାନ୍ତେ

ନାବ ଲାଗିଲା ଯାଇଂଣ ଗହନ ଗିରି ବନସ୍ତେ ।୨୦୭।

ଯେତେବେଳେ ନାବରୁ ବାହାର ହୋଇଲେ ବାଳୀ

ଋଷିଶିଙ୍ଗ ବୋଇଲେ ତୁମ୍ଭେ ଅଟ ତପଶାଳୀ ।୨୦୮।

ଅନେକ ଗନ୍ଧ ଚନ୍ଦନ କଲେକ ଲେପନ

ଅମିୟରସ ମୁନିଂକି କରାଇଲେକ ଆପ୍ୟାନ ।୨୦୯।

ବେଗେ ଯିବା ବୋଲି ଯେ ସନମତ କଲେ ବାଳଯତି

ଚଳାଇ ନାବରେ ନେଇ ବସାଇଲେ ଯୁବତୀ ।୨୧୦।

ବେଗେ ବେଗେ କରିଣ ସେ ବାହିଲେ ନାଉକା

ଦେଖାଇଲେ ସୁନ୍ଦରୀୟେ ଅନେକ ଚିତ୍ରରେଖା ।୨୧୧।

କୋଳେ ସୁନ୍ଦରୀୟେ ସେ ବସାଇଲେ ନେଇ

ହୃଦରେ ଲଗାଇ ମୁଖେ ଚୁମ୍ଵନ ସେ ଦେଇ ।୨୧୨।

ବିବସନ ହୋଇଣ ସେ ଦେଖାନ୍ତି ସ୍ତନ ଜାନୁ

ଦେଖିଣ ସାନନ୍ଦ ହୋଇଲେ ତପୋଧନୁ ।୨୧୩।

ଋଷିଶିଙ୍ଗ ଅଛନ୍ତି ଯେ ଜରତା କୋଳେ ବସି

ବୋଲନ୍ତି ମହାତମା ଯେ ତାର ସ୍ତନକୁ ଆଉଂସି ।୨୧୪।

ତୁମ୍ଭର ହୃଦୟରେ ୟେ କିସ ସୁସଞ୍ଚ

ଲିଙ୍ଗ ପ୍ରାୟେକ ଦିଶନ୍ତି ୟେହୁ ଉଚ ଉଚ ।୨୧୫।

ଜରତା ବୋଇଲା ୟେ ଆମ୍ଭର ଗାଢ଼ତପେ କରି

ମହାଲିଙ୍ଗ ଦେବତାୟେ ବିଜୟେ ତ୍ରିପୁରାରି ।୨୧୬।

ଋଷିଶିଙ୍ଗ ହସି ବୋଇଲେ ବାବୁ ତୁମ୍ଭର ତପସିଦ୍ଧି

କେତେକାଳ ତପେ ସଦାନନ୍ଦଂକୁ ହାଦେ ବୋଧି ।୨୧୭।

ଚାରିପାଖ ଆଉଂସି ବୋଲନ୍ତି ୟେଡ଼େ ଉଚ

ବେନି ପଞ୍ଜରା ଭେଦି ଦିଶନ୍ତି ଅତୀତ ସୁସଞ୍ଚ ।୨୧୮।

ଜରତା ବୋଇଲା ପ୍ରଣ୍ୟପତ୍ୟ ହୋଉଂ ନିତି ତ୍ରିୟନେତ୍ର

ତେଣୁ କରି ଲିଙ୍ଗ ଆମ୍ଭର ଫଳିତ ଅଙ୍ଗଗାତ୍ର ।୨୧୯।

ପଛଘୁଞ୍ଚା ଦେଇଣ ଯେ ବୋଲଇ ବାଳଶିଷି

କରପତ୍ର ଯୋଡ଼ି ବୋଇଲେ ତ୍ରାହି ତ୍ରାହି ଦେବକାଶୀ ।୨୨୦।

କରପତ୍ର ଯୋଡ଼ିଣ ବିନୟ ଭଗତେ

ପୁଣ ପୁଣ ଋଷିଶୃଙ୍ଗ ହୁଅନ୍ତି ପ୍ରଣପତ୍ୟେ ।୨୨୧।

ପଚାରଇ ବାଳଯତି ୟେ ଯେବେ କାଶୀପତି

ଲିଙ୍ଗ ଅଛି ୟେଥେ ନାହିଂ ଯେ ଶକତି ।୨୨୨।

ଋଷିଶିଙ୍ଗ ବଚନେ ସେ ହୋଇଲେ ଉଲଗ୍ନଶାହୀ

ଜାନୁ ବିସ୍ତାରୀ ଦେଖାଇଲେ ଶକତି ଅଟଇ ୟେହି ।୨୨୩।

ଋଷିଶିଙ୍ଗକୁ ବୋଇଲେ ଶୁଣ ହୋ ମୁନିବର

କେମନ୍ତେ କରି ତୁମ୍ଭେ ଜପମନ୍ତ୍ର କର ।୨୨୪।

ପୁଣି ଋଷିଶିଙ୍ଗକୁ ବସାଇଲେ ବେନିଜାନୁ ମଧ୍ୟେ

ଇନ୍ଦ୍ରୀ ବୁଡ଼ାଇଲେ ନେଇ ଭଗକୁଣ୍ତେ ସଧେ ।୨୨୫।

କଟି ତୋଳିଣ ଯେ ଚଳାବନ୍ତି ବେନି କରେ

ଶୃଙ୍ଗାର ସୁନ୍ଦରୀ କରାବନ୍ତି କୂଟସ୍ତରେ ।୨୨୬।

ରମଣେ କୁମରେ କରାଇଲେ ସୁଖଜାତ

ୟେ ସେ ଜପମନ୍ତ୍ର ତୁମ୍ଭର ଧନ୍ୟ ହେ ମହତ ।୨୨୭।

ଆମ୍ଭର ପିତାୟେ କରୁଥାନ୍ତି ଜପ

ତାହାଂକର ଦେଖିଲା ନାହିଂତ ୟେସନେକ ସ୍ଵରୂପ ।୨୨୮।

ଯପମନ୍ତ୍ର ଧର୍ମେ ଅଟଇ ବଡ଼ ସୁଖ

ଆମ୍ଭର ତପଧର୍ମ ଅଟଇ ମହାଦୁଖ ।୨୨୯।

ଭଲହିଂ ସେ କଲୁ ଆମ୍ଭେ ସୁଜନେ ପାଇଲୁ ଗୋଷ୍ଠି

ଜପମନ୍ତ୍ର ସାର୍ଥକ ୟେ ଜୀବନ ଗୋଟି ।୨୩୦।

ଅନେକ ହରଷେ ନାଗରୀ ସେ କରାଇଲେ ରତି

ସଇନ୍ଦୁ ପୁତ୍ରେକ ତହିଂ ହୋଇଲା ଉତପତ୍ତି ।୨୩୧।

ନାଉକା ବିବାନେ ସେ ମହାତମାର ତନୁ

ସେ ପୁତ୍ର ନାମଗୋଟି ଦିଲେ ଶତମନୁ ।୨୩୨।

ଚକିତେ ଚକିତେ କରି ସେ କରାଇଲେ ରତି

ବାହାନ୍ତି ନାଉକା ସେ ପବନୁଂ ଆପାତି ।୨୩୩।

ପ୍ରବେଶ ହୋଇଲେ ଯାଇଂ ଲୋମପାଦ ଦେଶେ

ଦଣ୍ତ ଘେନି ନରେନ୍ଦ୍ର ଆସଇ ହରଷେ ।୨୩୪।

ଆଲମ୍ଵ ପାଟଛତ୍ର ଉଡ଼ଇ ଗହଣେ

ରଥ ଗଜ ଅଶ୍ଵ ଅନେକ ସନ୍ୟମାନେ ।୨୩୫।

ଚକିତ ଚକିତ ହୋଇ ନାବରୁ ଓହ୍ଲାଇ

ଉଛବ ନବରେ ମୁନିଂକି ବସାଇଲେ ନେଇ ।୨୩୬।

ଅନେକ ଅମନାତ୍ୟ ସେବଇ ଲୋମପାଦେ

ଲଭିଲି ପମରଗତି ତୁମ୍ଭର ପରସାଦେ ।୨୩୭।

ଋଷିଶିଙ୍ଗ ବୋଇଲେ ୟେତ ବଡ଼ାଇ କୂତୋହୋଳ

ୟେହିସ୍ତାନେ ଜରତା ତୁମ୍ଭ ତପସ୍ଥାନ ଚିରକାଳ ।୨୩୮।

ଜରତା ବୋଇଲେ ୟେ ଲୋମପାଦ ରାୟେ

ତୁମ୍ଭର ଦେଖିବା ନିମନ୍ତେଣ ସନ୍ୟ ଘେନି ଆୟେ ।୨୩୯।

ଋଷିଶିଙ୍ଗ ବୋଇଲେ କିମ୍ପେ ଘୋଡ଼ାଇଲ ତୁମ୍ଭ ଅଂଗ

ୟେ ସଂସାର ଜନମାନେ ଦେଖନ୍ତି ନାହିଂ କି ତୁମ୍ଭ ଲିଂଗ ।୨୪୦।

ଜରତା ବୋଇଲା ୟେହୁ ଗୋପ୍ୟାନ ଦେବତା

ଗୋପ୍ୟାନ କଥା ୟେଟି ନ କର ଉଦିତା ।୨୪୧।

ଆହାନିକ କର୍ମ ୟେବେ ସାର ମହଋଷି

ଜରତାର ତୁଲେ ଅଛନ୍ତି ମୁନି ଭାଷି ।୨୪୨।

ପାଣି ଆଣ ଋଷି ବୋଇଲେ କରିବା ତ୍ରିକାଳ ସନ୍ଧ୍ୟା

ଲୋମପାଦ ପ୍ରଣ୍ୟପତ୍ୟ ହୋଇ କହଇ ମହାକ୍ରୋଧା ।୨୪୩।

ମୋହୋର ରାଜ୍ୟେ ମୁନି ହୋ ନାହଂ ଜଳବୃଷ୍ଟି

ଶୁଣିଣ ଋଷିଶିଙ୍ଗ ଆକାଶକଇଂ ଦିଲେ ଦୃଷ୍ଟି ।୨୪୪।

ବୋଇଲେ ଋଷିଶିଙ୍ଗ ସନ୍ୟ ଘେନି ଲୋମପାଦ ଯାଅ ଯା ନିଜପୁରେ

ମହାବୃଷ୍ଟି ୟେହିକ୍ଷଣି ହୋଇବ ସମ୍ଭରେ ।୨୪୫।

ଋଷିଶିଙ୍ଗ ଚାହାନ୍ତେ ଗର୍ଜିଲେ ମେଘମାଳେ

ଧୁ ଧୁ କାର କରି ବୃଷ୍ଟି ହୋଇଲା ପୃଥିବୀ ମଣ୍ତଳେ ।୨୪୬।

ନଦୀଖାଲ ପୁଷ୍କରିଣୀ ପୂରିଲା ହୋଇ ୟେକଖଣ୍ତ

ଖାଲ ଠିକର ପୂରିଣ ହୋଇଲାକ ଗଣ୍ତ ।୨୪୭।

ଶୁଣ ହୋ କୋନ୍ତେ ବଦୟନ୍ତି ମାରକଣ୍ତେ

ଋଷିଶିଙ୍ଗ ମହିମାଂ ୟେସନେକ ବ୍ରହ୍ମାଣ୍ତେ ।୨୪୮।

ଶୀମାର୍କଣ୍ତ ବଚନେ ପାଣ୍ତବେ ମନେ ଶାନ୍ତି ଭଜି

ତହୁଂ ଯେ ଚଳିଗଲେ ଶାକଲ୍ୟ ବନ ତେଜି ।୨୪୯।

ଚିତ୍ରକୂଟ ବୋଲିଣ ଯେ ୟେକଇ ପର୍ବତେ

ତହିଂ ଯାଇଂ ପ୍ରବେଶ ଯେ ହୋଇଲେ ପଣ୍ତୁସୁତେ ।୨୫୦।

ବଡ଼ାଇ ସୁସଞ୍ଚ ପରିମଳ ସେହୁ ବନ

ତହିଂର ମଧ୍ୟସ୍ଥଳେ ଦଣ୍ତକ ଅରଣ୍ୟ ।୨୫୧।

ଯେତେକ ବୃକ୍ଷ ତହିଂ ଦେଖିଲେ ପଣ୍ତୁ ନାନ

କୁଂକୁମ ବର୍ଣ୍ଣ ପ୍ରାୟେକ ଦିଶନ୍ତି ସେହୁ ବନ ।୨୫୨।

ଶୁଦ୍ଧ କଣୟମୟ ଦିଶନ୍ତି ହରିଣୀ

ଦିବସ ପ୍ରାୟେକ ଯେ ଦିଶଇ ରୟଣୀ ।୨୫୩।

ଯୁଝେଷ୍ଠି ଦେବ ପୁଛାକଲେ ସେ ବନସ୍ତର କଥା

ବଡ଼ାଇ ସୁନ୍ଦର ଦିଶଇ ମାରକଣ୍ତେ ହେ ୟେ ବନସ୍ତ ବ୍ୟବସ୍ଥା ।୨୫୪।

ବଦୟନ୍ତି ମାରକଣ୍ତେ ଶୁଣ ହୋ କୋଇନ୍ତାର ସୁତ

ତ୍ରେତୟା ଯୁଗେ ରାମଚନ୍ଦ୍ରେ ପୁଣ୍ୟକୂଟୀ ରଞ୍ଚି ରହିଥିଲେ ୟେଥ ।୨୫୫।

ୟେ ଗୋଦାବରୀ ନଦୀରେ ସ୍ରାହାନ କରନ୍ତି ଜନକ ନନ୍ଦିନୀ

ବନଜୀବମାନେ ପିବନ୍ତି ସେ ସ୍ରାହାନର ପାଣି ।୨୫୬।

ସେ ରାମ ସୀତୟା ଉଦକ ସମ୍ଭାଇଣ କାୟେ

ତେନ୍ୟାୟେରୁ ଦିଶନ୍ତି ସେ କୁଂକୁମ ବର୍ଣ୍ଣ ପ୍ରାୟେ ।୨୫୭।

ୟେ ବନେ ରହିଲେ ରାମଚନ୍ଦ୍ର ପଞ୍ଚ ଯେ ଅବଦ

ଜାନକୀ ହରଣେ ୟେଥେ ପଡ଼ିଲା ବଡ଼ାଇ ପ୍ରମାଦ ।୨୫୮।

ଯୁଝେଷ୍ଠି ପୁଛାକଲେ ମାରକଣ୍ତଂକ ଅଗ୍ରତେ

କେସେନେକ ସୀତା ହରିନେଲା

ରାବଣ ଶ୍ରୀରାମ ଥାଆନ୍ତେ ।୨୫୯।

ମାରକଣ୍ତ ବୋଇଲେ ତୁ ଗୁଣ ହୋ ଧର୍ମବତ୍ସି

ଲକ୍ଷ୍ମଣ ଅନୁବ୍ରତେ ସୀତାଂକୁ ଥାନ୍ତି ରଖି ।୨୬୦।

ଶ୍ରାବଣ କୃଷ୍ଣପକ୍ଷ ପଞ୍ଚମୀ ଶଉରିବାର

ଲକ୍ଷ୍ମଣ ମୃଗୟା ବିଜୟେ ଯେ ଦକ୍ଷିଣ ଭାଗର ।୨୬୧।

କେଶୀ ଦଇତର ପୁତ୍ର ଜପା ଯେ ଅସୁର

ରାବଣର ଭଣଜା ସୂପ୍ରଣଖା ମାତା ତାହାର ।୨୬୨।

ଜପା କଳିକଲା ଇନ୍ଦ୍ରଜିତର ତୁଲେ

ମାତା ପୁତ୍ର ଦୁହେଂ ଲଂକାଉଂ ବାହାର ହୋଇଲେ ।୨୬୩।

କଣୟ ବିଳାସୁଣୀ ବୋଲି ବହଇ ନଦୀଗୋଟି

ନର୍ମଦା ଭଗିନୀ ଉତ୍ତର ବାହିନୀର ଫୁଟି ।୨୬୪।

ବିଜୟେ ଜପାସୁର କଦମ୍ଵ ବୃକ୍ଷ ତଳେ

ରଞ୍ଚିଲା ଆଶ୍ରମେକ କଣୟ ବିଳାସୁଣୀ ନଦୀକୂଳେ ।୨୬୫।

ପଞ୍ଚ ଅହିବ୍ରତ ବରଷ କଲାକ ମହାତପ

ଶରୀର ମିଳାଇଲା ଛାଡ଼ିଲା ସରୂପ ।୨୬୬।

ଖଣ୍ତି ଖଣ୍ତି ହୋଇ ଯେ ମିଳାଇଲା ଶରୀର

ବୁଦାୟେକ ହୋଇଲା ବର୍ଣ୍ଣ ଚିହ୍ନ ନାହିଂ ତାହାର ।୨୬୭।

ତପର ଗାଢ଼େ ପୁଣ କଅଂଳିଲା ତନୁ

ପୁଣ ଉତପତ୍ତି ହୋଇଲା କୁରୁସାନୁ ।୨୬୮।

ବୁଦାର ଭିତରେ ଅଛି ତାର କାୟେ

ରମଣୀ ପ୍ରସରିଲେ ଅମରେ ହୋଇବେ ଦେବରାୟେ ।୨୬୯।

ଆହୋ ଯୁଝେଷ୍ଠି ଶୁଣ ପୂର୍ବର ଯେ କଥା

ଜାଣିଣ ମାୟାକଲା ଇନ୍ଦ୍ର ଯେ ଦେବତା ।୨୭୦।

ଗଣ୍ତାୟେକ ହୋଇଲା ସେ ଲକ୍ଷ୍ମଣ ଦେଖନ୍ତେ

ଧାଇଂଣ ଲକ୍ଷ୍ମଣ ଯେ କଟାଳିଲା ବନସ୍ତେ ।୨୭୧।

ଗଣ୍ତା ପଳାଇଣ ଯାୟେ ଗୋଡ଼ାୟେ ସଉମିତ୍ରି

ସେହି ବୁଦାର ଭିତରେ ପଶିଲା ଯାଇଂ ଧାତି ।୨୭୨।

କଟାଳିଲା ଲକ୍ଷ୍ମଣ ଅସିପତ୍ର ଝୁଣି

ଉର୍ଦ୍ଧ୍ଵବାହୁ କରି ବୁଦାରେ ସେ ହାଣି ।୨୭୩।

ତହିଂର ଭିତରେ କୁମାର ଥିଲା ଜପା

ବେନିଖଣ୍ତ ହୋଇଣ ସେ ଛାଡ଼ିଲା କଉଣୋପା ।୨୭୪।

ଗୋକ୍ଷୀର ବର୍ଣ୍ଣ ପ୍ରାୟେକ ବହଇ ତାର ଶ୍ରୋଣି

ଦେଖିଣ ବିଚାରଇ ସେ ଲକ୍ଷ୍ମଣକୁମାର ମଣି ।୨୭୫।

ବାହୁଡ଼ି ଲକ୍ଷ୍ମଣ ଆଶ୍ରମେ ପ୍ରବେଶ

ସ୍ଵାମୀଂକ ଛାମୁରେ ଯାଇଂ କହିଲା ସନ୍ଦେଶ ।୨୭୬।

ଶୁଣିଣ ରାମଚନ୍ଦ୍ର ମନେଣ ବିରସ

ଆକାଶବାଣୀ ଶୁଭିଲା ସେ ଅଟଇ ରାକ୍ଷସ ।୨୭୭।

ଆହୋ ଅସକନ୍ଦ ବନେ ଥାଇ ସୁପ୍ରଣେଖୀ

ବରଷକେ ଅଇଲା ସେ ପୁତ୍ରକଇଂ ଦେଖି ।୨୭୮।

ସେ ଦିନ ଦେଖିଲା ଯେ ପୁତ୍ରର ବିନାଶି

ହା ହା ନନ୍ଦନ ବୋଲି ଯେ ଭ୍ରମର ନୃଭଂକେଶୀ ।୨୭୯।

ଉତ୍ତର ପ୍ରଶସ୍ତେ ରହିଅଛି ରାମ ଯେ ଲକ୍ଷ୍ମଣ

ସୀତାକୁ ଦେଖିଲା ସୂପ୍ରଣେଖୀ ପୁଣ୍ୟକୁଟୀ ଆଶ୍ରମ ।୨୮୦।

କାମରୂପୀ ଦାନବୀ ହୋଇଲା ବରାଙ୍ଗନା

ଅନେକ ରତ୍ନ ଆଭରଣ ପରିହରଣ ବସ୍ରଝୀନା ।୨୮୧।

ସୀତାଂକୁ ଦେଖିଲା ମାନିନୀ ରୂପ ଧରି

ଦେଖି ପଚାରନ୍ତି ସେ ଜନକ କୁମାରୀ ।୨୮୨।

ଆୟି ଗୋ ତୋହୋର ରୂପ ଦେଖି ଯେ ଜଳୁଛନ୍ତି କାମ

କାହାର ଭାବେନୀ ଆୟି କିସ ତୋର ନାମ ।୨୮୩।

ମୁହିଂ ଅମର ସ୍ଵର୍ଗର ଅଟଇ ବାରାଂଗନା

ଶୃଙ୍ଗାରକୁ ଡରିଲି ମୁଂ ଇନ୍ଦ୍ର କଲାକ ଭ୍ରଛନା ।୨୮୪।

ସହି ନୁଆରିଲା ମୁଂ ପ୍ରଭୁଂକ ଝିଂଘାସ

ପୁରୁଷେ ଭୟେ କରି ମୁଂ ପଶିଲି ବନବାସ ।୨୮୫।

ସୀତାୟା କହିଲେ ଭଲହିଂ କଲୁସି ଆୟି

ମୋହୋର ଦିଅର ଗୋଟିୟେ ଅଛି ସ୍ଵାମୀଂକର ସାନକର ସାନଭାଇ ।୨୮୬।

ସକ୍ଷମ ସୁସଞ୍ଚ ସୁନ୍ଦର ସର୍ବଗୁଣେ ସୁଲକ୍ଷଣ

ପ୍ରଜାପତି ସ୍ରିଜିଲେ ତୋହୋରି କାରଣ ।୨୮୭।

ପାତିଲା କୂଟଫାଶି ସୂପ୍ରଲେଖୀ ରାକ୍ଷାସୁଣୀ

ବୋଇଲା ପ୍ରୀତି ବଢ଼ାଇ ୟେହାକୁ ଖାଇ ନୁଆରିବି ପୁଣି ।୨୮୮।

କ୍ରୋଧେଣ ଗଦ ଗଦ ହୋଇ ପଡ଼ିଲା ଆସି ପାୟେ

ତୁମ୍ଭନ୍ତ ଦେଖିଲି ଗୋସାମଣି ମୋହୋର ନିଜ ମାୟେ ।୨୮୯।

ୟେସନେକ କଥା ମାନ ହୋଅନ୍ତେଣ ବେନି

ଲକ୍ଷ୍ମଣ ପ୍ରବେଶ ହୋଇଲା ଆସି ମୃଗଭାର ଘେନି ।୨୯୦।

ଭାର ଓହ୍ଲାଇଣ ବସିଲେ ସଉମିତ୍ରି

ସୀତୟା ପ୍ରବେଶ ହୋଇଲେ ଲକ୍ଷ୍ମଣର କତି ।୨୯୧।

ଆହୋ ଲକ୍ଷ୍ମଣ ତୁମ୍ଭେ ପୁଣ୍ୟବନ୍ତ ଭାଗ୍ୟବନ୍ତ ଅଟ ବାବୁ

ଅପୂର୍ବ କନ୍ୟା ଗୋଟିୟେ ଅଇଲା ତାହାକୁ କେମନ୍ତ କରିବୁ ।୨୯୨।

ତୁମ୍ଭେ ସର୍ବଗୁଣେ ସୁଲକ୍ଷଣ ସେ ସର୍ବଗୁଣେ ଗୁଣବନ୍ତୀ

ୟେସନେକ କରି ତାକୁ ସ୍ରିଜିଲା ପ୍ରଜାପତି ।୨୯୩।

ଶୁଣି ହେଠମାଥେ ଲକ୍ଷ୍ମଣ ନ ଦିଅଇ ସମ୍ଭାଷି

ୟେମନ୍ତର ସମୟେ ଶ୍ରୀରାମଚନ୍ଦ୍ର ମିଳିଲେକ ଆସି ।୨୯୪।

ଦେଖିଣ ରାକ୍ଷସୀ ଯେ ଗଲା ଦୂରେ ସରି

ମାନନୀ ଅବସ୍ତାୟେ ସେ ଚାହିଂ ବକ୍ର କରି ।୨୯୫।

ବଦୟନ୍ତି ଜାନକୀ ସ୍ଵାମୀ ବଡ଼ାଇ ଅପରୂବ

ଆକାଶର କନ୍ୟାୟେ ଅଇଲା ହାଦେ ୟେବ ।୨୯୬।

ସ୍ଵାମୀ ନାଗରୀ ଚତୁରୀ ନୋହୋଇ ଦୃର୍ଭାରି

ଭଲକରି କଥା କହି ନୁଆରଇ ସେ ଅଟଇ ଉଦାରି ।୨୯୭।

କୁଳିନ ଗୁଣବନ୍ତି ବଡ଼ାଇ ଭାଗ୍ୟେ ପାଇ

ବଡ଼ ଭାଗ୍ୟବନ୍ତ ଦେବ ଅଟଇ ତୁମ୍ଭର ଭାଇ ।୨୯୮।

ଅନେକ ଅଳଂକାର ଦେବ ଶରୀରେ ଅଛି ଭରି

କିଛିହିଂ ଲଗୁତି ନୋହିବ ସମସ୍ତ ଅଛିନି ତାହାରି ।୨୯୯।
ଶ୍ରୀରାମ ବୋଇଲେ ୟେ ଗହନ ବନସ୍ତେ

ଜନ ଆତାଗମନ ନାହିଂ ୟେହା ଜାଣିମ କେମନ୍ତେ ।୩୦୦।

କି ଅବା ରାକ୍ଷସୀ ସେ ବଣର ଦେବତୀ

ଅପରଚ ସଙ୍ଗେ ଭାବ କେମନ୍ତେ ବଢ଼ାଇବା ପୀରତି ।୩୦୧।

ଯଦ୍ୟପି ଦେବସ୍ତିରୀ ହୋଇବ ଅପର୍ଣ୍ଣା

ଅଗ୍ୟାନି ପିଣ୍ତ ୟେ ଭାବ ପ୍ରକୃତି ସିନା ।୩୦୨।

ସୀତୟା ବୋଇଲେ ସେ ନୋହଇ ମନ୍ଦବାଟୀ

ଅହେୟା ସୁଲକ୍ଷଣୀ ବାଳୂତ ଭାବ ହେଟି ।୩୦୩।

ସ୍ଵାମୀ ସୁବୁଦ୍ଧି ଲୋକଂକୁ କୁବୁଦ୍ଧି ହୋଇଲେ

ଆପଣା ଧର୍ମନାଶ ଯାଇ ସୁଜନ ନିନ୍ଦା କଲେ ।୩୦୪।

ତୁମ୍ଭେ ବେନିଭ୍ରାଥ ଯେ ଯାଅ ବନ ହେରି

ୟେକା ବନସ୍ତେ ମୁଂ ବସିଥଇଂ ଝୁରି ଝୁରି ।୩୦୫।

ଦୁଖକୁ ସଖି ମୋତେ ହୋଇଲା ଯତନେ

ମୁହିଂ ତାହା ଉପେକ୍ଷା କରିବି କେସନେ ।୩୦୬।

ଆହୋ ଲକ୍ଷଣ ସପତ ତୋତେ ମୋର ଠାକୁରଂକର ଆନ

ବାବୁ ସୁସ୍ତିରୀ ଗୋଟି ସେ ଯେ ପାଇବୁ କାରଣ ।୩୦୭।

ସୀତା ବୋଇଲେ ସ୍ଵାମୀ ଆନ ନ ବୋଲିବା କିଛି

ମୁହିଂ ଜାଣେ ଲକ୍ଷ୍ମଣର ମନ ୟେହାଠାରେ ଅଛି ।୩୦୮।

ସ୍ଵାମୀ ତେର ବରଷ ହୋଇଲା ଲକ୍ଷ୍ମଣର ନାହିଂ ତିରୀମେଳ

ମୁହିଂ ଲକ୍ଷ୍ମଣକୁ ଦେଖି ବଡ଼ ବିକଳ ହେଉଛି ତୁମ୍ଭର କିଂପାଇଂ ହେଳ ।୩୦୯।

ଯତନ ପ୍ରକାରେଣ ଘଟଣ କର ୟେହା

ଲକ୍ଷ୍ମଣର ୟେହାର ହୋଇବ ବଡ଼ାଇ ସେନାହା ।୩୧୦।

ସୀତୟା ଦେବୀଂକର ଯହୁଂ ଅନେକ କଷ୍ଠୋର

ଶ୍ରୀରାମ ଆଗ୍ୟାଂଦିଲେ ଲକ୍ଷ୍ମଣ ୟେହାକଇଂ ସଂହର ।୩୧୧।

ଲକ୍ଷ୍ମଣ ବୋଇଲେ ମୋର ନ ବଳଇ ମତି

ପରସ୍ତିରୀ ହରଣେ ନର୍କରେ ପଡ଼ନ୍ତି ।୩୧୨।

ଶୁଣିଣ ଶ୍ରୀରାମ ଯେ ହୋଇଲେ ମଉନ

ନୋହଇ କି ଆନେ ଯାହା ବୋଲଇ ଲକ୍ଷ୍ମଣ ।୩୧୩।

ୟେସନେକେ କେତେହେଂ ଦିନ ଯହୁଂ ଗଲା

ମୃଗୟା ବିନୋଦେ ଯେ ଲକ୍ଷ୍ମଣ ଗମିଲା ।୩୧୪।

ଶ୍ରୀରାମ ବଚନେ ଗମିଲା ଲକ୍ଷ୍ମଣ

ବିକ୍ରମ ରୂପ ଧରି ସୁପ୍ରଲେଖୀ ମିଳିଲା ଆଗେଣ ।୩୧୫।

ରାଗେଣ ଲକ୍ଷ୍ମଣ ଉତ୍ତାନଶାହୀ କରି ପାଡ଼ି

ନାସିକା ଛେଦନ ଯେ କଲେକ ତାହାରି ।୩୧୬।

ଶ୍ରୀରାମଂକର ବଚନ ଶୁଣିଣ ଲକ୍ଷ୍ମଣ

ସୁପ୍ରଲେଖୀକି ଧରି ପାଡ଼ିଲେ କନ୍ଦର ଉହାଡ଼େଣ ।୩୧୭।

ଆକ୍ରେଷି କରି ଧରି ଉତ୍ତାନଶାହି କରି ପାଡ଼ି

ନାସା ଶ୍ରବଣ ଛେଦନ କଲାକ ତାହାରି ।୩୧୮।

ଅଳଂକାରମାନ ଯେ ସବୁ ପକାଇଲେ କାଢ଼ି

ପଳାଇଲା ରାକ୍ଷସୀ ଯେ ଦେଇଣ ଘୋର ରଡ଼ି ।୩୧୯।

ଲଂକା ଭୁବନେ ପ୍ରବେଶ ହୋଇଲା ଯାଇଂ ବେଗେ

ସୂପ୍ରଲେଖୀ ମିଳିଲାକ ରାବଣେଶ୍ଵର ଆଗେ ।୩୨୦।

ଲଂକେଶ୍ଵର ବିଷାଦ ହୋଇଲା ତାକୁ ଦେଖି

କେ ୟେଡ଼େ ତୋତେ ୟେ କର୍ମ କଲାରେ ସୁପ୍ରଲେଖୀ ।୩୨୧।

ସୁପ୍ରଲେଖୀ ବୋଇଲା ତପୁସୀ ବେନିଭାଇ

ତ୍ରଇଲୋକ୍ୟ ମୋହିନୀ କନ୍ୟାୟେ ଅଛଇ ତାର ତହିଂ ।୩୨୨।

ତୋତେ ଆଣିଦେବା ପାଇଂ ମୁଂ ଗଲଇଂ ବହନ

ମୋହୋର ନାସା ଶ୍ରବଣ ଚ୍ଛେଦିଲେକ ପୁଣ ।୩୨୩।

ଶୁଣି ମହାପ୍ରତାପୀ ଅଧର୍ମୀ ଅସୁରା

ସନ୍ନିଧ୍ୟେ ହକାରିଲା ଖର ଦୂଷଣ ତ୍ରିସିରା ।୩୨୪।

ରାଜାର ବଚନେ ଯେ ଅଇଲେ ବୀର ତିନି

ଆସଇ ସୂପ୍ରଲେଖୀ ରାକ୍ଷସ ବଳନ୍ତି ଘେନି ।୩୨୫।

ମୃଗୟା ବିନୋଦେ ଆସିଥିଲେ ଲକ୍ଷ୍ମଣ ବିପିନେ

ଦେଖିଲା ସିନ୍ଧୁଘୋଷ ଜାଣି ଆସନ୍ତି ଅସୁର ସଇନେ ।୩୨୬।

ସୂପ୍ରଲେଖୀ ଦେଖାଇଲା ୟେହି ତପୁସିଆ

ମୋତେ ନାଶକଲା ୟେହି ବେଗେ ମାର ୟେହା ।୩୨୭।

ଦେଖିଣ ଦାନବ ବଳ ଦିଲେ ସିଘଂରଡ଼ି

ଲକ୍ଷ୍ମଣ ଉପରକୁ ପଡ଼ିଲେ ସର୍ବେ ମାଡ଼ି ।୩୨୮।

ଶୁଣ ହୋ ପାଣ୍ତବେ ଲକ୍ଷ୍ମଣର ମହିମାଂ

ୟେକା ଜଣକେ ମର୍ଦ୍ଦିଲା ସବୁଂକରି ଗାରିମା ।୩୨୯।

ଶତେ ମର୍ଭୁତ ବଳ ରାକ୍ଷସ ସଇନି

ଲକ୍ଷ୍ମଣ ଭେଦିଲା ତାହାକଇଂ ନାରାଜଗୋଟି ତିନି ।୩୩୦।

ଯେସନେକ ବନସ୍ତ ଦହଇ ଅନଳ

ଲକ୍ଷ୍ମଣ ବିଘାତେ ପଡ଼ିଲେ ଦୁରାନ୍ତେକ ବଳ ।୩୩୧।

ଖର ଦୂଷଣ ଯେ ତ୍ରିଶିରା ତିନିବୀର

ହେଳେ ଦାଶରଥୀ ଯେ ଛେଦିଲେ ସର୍ବବୀର ।୩୩୨।

ପୁଣହିଂ ୟେକ ବିବାନେ ଚଳଇ ସୂପ୍ରଲେଖୀ

ବିଚ୍ଛୋହେ ପଳାଇଲେ ରାବଣ ତହିଂକି ।୩୩୩।

ସହୋଦ୍ର ନିଧନ ସେ ବୋଲିଣ ଜଣାଇ

ଶୁଣିଣ ଅସାଷ୍ଟମ ଯେ ହୋଇଲା ଲଂକସାଇଂ ।୩୩୪।

ମାରୀଚ ସୂପ୍ରଲେଖୀକି ବସାଇଣ ରଥେ

ସିନ୍ଧୁ ଜିଣି ଗମଇ ସେ ଉତ୍ତର ଦିଗ ପଥେ ।୩୩୫।

ମାରୀଚ ଦଇତ ମାୟାମୃଗ ରୂପ ଧରି

ୟେକା କାୟ ବେନିଶିର କନକ ଆବୋରି ।୩୩୬।

ବିଜୟେ ଅମଳାଣବଂଶୀ ପର୍ଣ୍ଣକୂଟୀ ଦ୍ଵାରେ

ପଶାକ୍ରୀଡ଼ା ବିନୋଦେ ଶ୍ରୀରାମ ସୀତୟାରେ ।୩୩୭।

ୟେମନ୍ତର ସମୟେ ଯେ ଅଇଲାକ ମୃଗ

ଅନେକ ମାୟାରୂପ ଧରି ସେ ଆସଇ ବେଗ ବେଗ ।୩୩୮।

ସୀତୟା ବୋଇଲେ ଶ୍ରୀରାମ ବଦନକଇଂ ଚାହିଂ

ଅପୂର୍ବ ମୃଗ ଚୋଟିକି ଦେବ ଧରକିନା ଯାଇଂ ।୩୩୯।

ଜାନକୀର ବଚନ ରାମ ନୁଆରିଲେ ଭାଞ୍ଜି

ଶ୍ରୀଭୁଜେ କୋଦଣ୍ତ ଧରି ପୟେଡ଼ କଳେ ବେଗି ।୩୪୦।

ପଳାଇ ପଶିଲା ଯେ ମୃଗ ବହୁତ ଦୁର୍ଗମେ

ଆକ୍ରୋଷି ଗୋଡ଼ାଇ ନାରାଜ ବିନ୍ଧିଲେ ଶ୍ରୀରାମେ ।୩୪୧।

ବେନି ମୁଣ୍ତ ଛିଡ଼ନ୍ତେ ବାହାର ମାରୀଚି

ଲକ୍ଷ୍ମଣ ପ୍ରତିକାର କର ବୋଲି ଶୁଭିଲାକ ଉର୍ଦ୍ଧ୍ଵେବାଚି ।୩୪୨।

ଲକ୍ଷ୍ମଣକଇଂ ହକାରିଣ ବୋଇଲେ ଦେବୀ ସୀତେ

ସ୍ଵାମୀଂକ ପରମାଦ ମୋର ପଡ଼ିଲା ଯାଉକିନା ବନସ୍ତେ ।୩୪୩।

ଲକ୍ଷ୍ମଣ ବୋଇଲେ ମାଗୋ ଜଗତ କିଣଇଂ ତୋର ନାହା

ଅନନ୍ତ କୋଟି ବ୍ରହ୍ମାଣ୍ତେ କେ ଜିଣିପାରୁ ତାହା ।୩୪୪।

ତୁମ୍ଭେ ତ ଗୋସାମଣି ଜାଣ ବିଭାକାଳେ

ପରଶୁରାମ ଦର୍ପ ଯେ ମର୍ଦିଲେ ବାଳକାଳେ ।୩୪୫।

ତ୍ରଇଲୋକେ ତାହାଂକୁ ସମାନଜଣ କେହୁ

ତୁ ସର୍ବଗ୍ୟାଂ ମାହେଶ୍ଵରୀ ଅଦିତି କିପେଂ କହୁ ।୩୪୬।

ଶତେ ମର୍ଭୁତ ବଳ ରାକ୍ଷସ ସଇନି

ସୀତୟା ବୋଇଲେ ମୁଂ ଜାଣିଲି ତୋର ହିଆ

ଶ୍ରୀରାମ ଅଭାବେ ତୁ ହୋଇବୁ ମୋର ନାହା ।୩୪୭।

ଅନେକ କୂଟବାଣୀ ଜନକନନ୍ଦିନୀ ବୋଇଲେ

ୟେଥକୁ ସେ ଗୋଡ଼ାଇ ଅଇଲୁ ଶ୍ରୀରାମଂକ ତୁଲେ ।୩୪୮।

ଶ୍ରୀରାମର ଚିତ୍ତେ ତୋତେ କେବେହେଂ କଳଂକ ଭାବ ନାହିଂ

ପୁଣ ସାବତ ତନୟେ ସୋଦର ହୋନ୍ତି କାହିଂ ।୩୪୯।

ଶୁଣି ସଉମିତ୍ରୀ ଥରହର ହୋଇ ଘୁଞ୍ଚି

ମୋହୋର ଚିତ୍ତେ ଗୋ ୟେସନେକେ ନାହିଂ କିଛି ।୩୫୦।

କୁଂକୁମ ଶ୍ୟାମବର୍ଣ୍ଣ କି ଗଉରା ତୋହୋର ବର୍ଣ୍ଣ

ମୋହୋର ଦେଖିଲା ନାହିଂ ଗୋ ତୋହୋର ବର୍ଣ୍ଣ ଚିହ୍ନ ।୩୫୧।

ୟେକାମାତ୍ର ଠାକୁରାଣୀ ତୋହୋର ଦେଖିଲା ଅଛଇ ବେନିପାଦ

ଅନମିତେ ଦେଲୁ ମୋତେ ୟେଡ଼େକ ଅପବାଦ ।୩୫୨।

ମୋହୋର ଚିତ୍ତେ ଯେବେ ସ୍ଵାମୀଂକି ୟେଡ଼େ ନିର୍ଦ୍ଦୟେ

ୟେହିକ୍ଷଣି ଗୋସାମଣି ଜଳୁ ମୋର କାୟେ ।୩୫୩।

ଅନମିତେ ଦୂଷିତ ଯେବେ ବୋଇଲୁ ନ ଜାଣି

ପର ପରାଭବି ତୁ ହୋଅ ୟେହିକ୍ଷଣି ।୩୫୪।

ସୀତୟାଂକ ଦୁର୍ଦ୍ଧଷ ବଚନ ବୀର ମନେ ମନେ ଗୁଣି

ତ୍ରଇଲୋକ୍ୟ ପାଳଂକୁ ସାକ୍ଷୀ କରଇ ସେ ପୁଣି ।୩୫୫।

ବ୍ରହ୍ମା ବିଷ୍ଣୁ ମହେଶ୍ଵର ତିନିଗାର କାଟି

ନ ଡେଇଂବୁ ସୀତୟା ଗୋ ତିନିଗାର ଗୋଟି ।୩୫୬।

ତୁମ୍ଭେ ଯେବେ ୟେ ଗାର ଡେଇଂବ ଗୋ ଶ୍ରୀରାମେ ନ ଦେଖିବ

ଆନ ୟେ ଗାର ଡେଇଂଲେ ଭସ୍ମ ହୋଇଯିବ ।୩୫୭।

ଧାମଇଂ ଲକ୍ଷ୍ମଣ ସ୍ଵାମୀର ଗତିପଥେ ଉପନେସି

ଶୂନ୍ୟ ମନ୍ଦିର ଦେଖିଣ ରାବଣ ଯେ ଆସି ।୩୫୮।

ୟେକଶିର ବେନିପାଦ ବେନିଭୁଜ

ତପୋଧନ ରୂପ ଯେ ଧରିଛି ଦନୁଜ ।୩୫୯।

ଅଂଗେ ବିଲେପନ ତାର ଶ୍ଵେତବର୍ଣ୍ଣ ପାଉଂଶୁ

କର୍ଣ୍ଣେଣ ତମ୍ବ୍ରମୁଦ୍ରା ଶିରରେ ସୀତାଂଶୁ ।୩୬୦।

ଗୋପୀ ବନ୍ଦନ ଚିତା ରୁଦ୍ରାକ୍ଷ ଜାପାମାଳୀ

କଷାବାସ ପରିହରଣ କୁକ୍ଷିଦେଶେ ଝୁଲି ।୩୬୧।

ୟେକହାଥେ ଡାକିଆ ଆରେକ ହାଥେ ଶୂଳ

ନାଚଇ ଗାବଇ ଯେ ତାଣ୍ତବ କୂତୋହୋଳ ।୩୬୨।

ୟେସନେକ ପ୍ରପଞ୍ଚ ରୂପ ସେ ମାୟା ତପୋଧନୀ

ନଇଂ ଚାହିଂଲେ ଦେବୀ ଜନକ ନନ୍ଦିନୀ ।୩୬୩।

କ୍ଷୁଧାର୍ତ୍ତୀ ତପୋଧନୀ ବଡ଼ାଇ ରୁଦ୍ରଦୀକ୍ଷା

ଆଶ୍ରମୁଂ ବାହାର ଦେବୀ କରେ ଘେନି ଭିକ୍ଷା ।୩୬୪।

ମହାକାବ୍ୟ ମେଣ୍ଟି ସେ ଡ଼େଇଂଲେ ଗାର ତିନି

ବାଳୁତ ବୁଦ୍ଧି ସେ ଜନକ ନନ୍ଦିନୀ ।୩୬୫।

ଭିକ୍ଷା ଦିଅନ୍ତେଣ ସେ ରାକ୍ଷସ ମହାବଳ

ଆକ୍ରେଷିଣ ଧଇଲା ସେ ସୀତାଂକ କରସ୍ଥଳ ।୩୬୬।

ନେଇଣ ବସାଇଲା ସେ ଆପଣାର ରଥେ

ଘେନିଣ ଲଂକାରାଜ ଚଳଇ ଦକ୍ଷିଣ ପଥେ ।୩୬୭।

ଶୁଣ ହୋ ପାଣ୍ତବେ ମାରକଣ୍ତେ ବୋଇଲେ

ଭାଦ୍ରବ କୃଷ୍ଣ ଅଷ୍ଟମୀ ଦିନ ରାବଣ ସୀତାଂକୁ ହରିନେଲେ ।୩୬୮।

ଅର୍କବାର ରୋହିଣୀ ନକ୍ଷତ୍ର ସେ ଦିନର

ସେ ଦିନ ସୀତାଷ୍ଟମୀ ବୋଲନ୍ତି ହାଦେ ନର ।୩୬୯।

କଉବଳ ନାମେ କରଣ ଧୃବ ନାମେ ଯୋଗ

ସିଂଘ ସଂକ୍ରାନ୍ତିକି ଯେ ପାଞ୍ଚ ଦିବସ ଭୋଗ ।୩୭୦।

ବେଳ ଦଶଦଣ୍ତରେ ରାବଣ ହରିନେଲା ସୀତା

ଜଟାୟୁ ପଛୀ ସେ ରଥ ଗଲା ଗର୍ଭଗତା ।୩୭୧।

ଶ୍ରୀରାମ ଶ୍ରୀରାମ ବୋଲି ଯହୁଂ ସୁମରିଲେ ସତୀ

ମାନିତି ବୋଲି ରଥ ଉଦୁଗାରିଲା ତତକ୍ଷଣାନ୍ତି ।୩୭୨।

ଯାନ ଭଗ୍ନ ଦେଖିଣ ରାବଣ ମହାରାଗେ

ଜଟାୟୁର ଡେଣା ଛେଦିଲା ଚନ୍ଦ୍ରହାସ ଖଡ଼ଗେ ।୩୭୩।

ଘେନିଣ ସତୀକି ଯେ ଗଲାକ ଯାତୁଧାନେ

ଲଂକା ପୂର୍ବଭାଗେ ଥୋଇଲା ସେ ଅଶୋକ ବିପିନେ ।୩୭୪।

ଯୁଝେଷ୍ଠି ପୁଛାକଲେ ଶୁଣିମା ମାରକଣ୍ତେ

ମାରୀଚି ନାଶଗଲା ଶ୍ରୀରାମର କୋଦଣ୍ତେ ।୩୭୫।

ମାୟାମୃଗ ମାରି ଶ୍ରୀରାମ କଲେକ କେମନ୍ତ

ସଞ୍ଚପି କହିବା ମୋତେ ପଣ୍ତିତ ଭିଗ୍ୟଂବନ୍ତ ।୩୭୬।

ଲେଉଟିଲେ ରାମ ଘେନି ମୃଗଭାର ଗୋଟି

କଳ୍ପ ବନେ ଆସି ଲକ୍ଷ୍ମଣକଇଂ ଭେଟି ।୩୭୭।

ଦେଖିଣ ବିସରିଲେ ଦେବ ରଘୁନାଥ

ବାବୁ ସୀତୟାଂକୁ ତେଣେ ଛାଡ଼ିଲୁ ପଡ଼ିଲା ବିପଦ ।୩୭୮।

ମନେ ଭ୍ରାନ୍ତି କରିଣ ଅଇଲେ ଶ୍ରୀରାମ

ନ ଦେଖିଲେ ସତୀକି ସେ ନିଜ ଯେ ଆଶ୍ରମ ।୩୭୯।

ଅନେକ ବିକଳ ହୋଇ ଭାଳନ୍ତି ଭାଇ ବେନି

ଉପଲେସନ୍ତି ଗତିପଥ ରକ୍ଷସ ସଇନି ।୩୮୦।

ତାମ୍ର୍ଵଚୂଡ଼ାପଛୀ ଯେ କହିଲା ବାରତା

ସ୍ଵାମୀ ରାବଣ ରାକ୍ଷସ ଯେ ହରିନେଲା ସୀତା ।୩୮୧।

ସନ୍ଦେଶ ବାରତା ପାଇଲେ ଯହୁଂ ରଘୁନାଥେ

ମୁକୁଟ ବାନ୍ଧିଲେ ନେଇ ତମ୍ର୍ଵଚୂଡ଼ର ମାଥେ ।୩୮୨।

ତହୁଂଣ ସ୍ଵାମୀ ଯେ ଚଳିଗଲେ ଘୋରବନେ

ଚକ୍ରବାକ ପଛୀକି ଦେଖିଲେ ଫଲୁକୀ ନଦୀସ୍ତାନେ ।୩୮୩।

ଶୀରାମ ପଚାରନ୍ତେ ସେ କହିଲା ଅଭାବ

କୋପେଣ ଶାପ୍ୟ ତାକୁ ବିହିଲେ ରାମଦେବ ।୩୮୪।

ଚଳନ୍ତି ଶ୍ରୀରାମ ଯେ ବନ କନ୍ଦର ଭାଗେ

ବକଯୁଥ ଦେଖିଲେ ରାମ ବିଭାସୀ ନଦୀର ପୂର୍ବଭାଗେ ।୩୮୫।

ତାହାଂକୁ ପଚାରିଲେ ଦେଖିଲ କି ସତୀ

ସେ ବୋଇଲେ ସ୍ଵାମୀ ତୋହୋର ବଲ୍ଲଭୀକି ହରିନେଲା ଲଂକପତି ।୩୮୬।

ଶ୍ରୀରାମ ଶ୍ରୀରାମ ଯେ ସୁମରଇ ବାଳୀ

ପବନହୁଂ ବେଗେ ରଥ ଯାଉଥାଇଂ ଚଳି ।୩୮୭।

ଅନେକ ସାନନ୍ଦ ଯେ ହୋଇଲେ ଯୋଗେଶ୍ଵର

ରାମବଗୀ ବୋଲି ଚୂଳ ବାନ୍ଧିଲେକ ମଥା ଉପର ।୩୮୮।

ବେଣୀଭଦ୍ରା ନଦୀର ଉତ୍ତର ସନ୍ନିଧାନେ

ଦେଖିଲେ ଜଟାୟୁଷ ପଡ଼ିଛି ଖଡ଼ଗ ନିଧନେ ।୩୮୯।

ଜଟାୟୁଷ ବୋଇଲା ବାବୁ ରାବଣ ରଥ ଥିଲି ଗିଳି

ସୀତା ରାମ ଘରଣୀ ବୋଲି ରଥ ପକାଇଲି ଉଦୁଗାରି ।୩୯୦।

ବାବୁ ଦକ୍ଷିଣ ବାରାନିଧିର ଉତ୍ତରେଣ ଲଂକା

ମୁହିଂ ବ୍ରତିଥିଲେ ତୋତେ ଆଣିଦ୍ୟନ୍ତି ୟେକା ।୩୯୧।

ତୋହର ବଦନ ମୁହିଂ ଚାହିଂବାର ନିମନ୍ତେ

ତେଣୁକରି ଜୀବନ ମୋ ରହିଛି ହୃଦଗତେ ।୩୯୨।

କହିଣ ପ୍ରାଣତ୍ୟାଜ ହୋଇଲା ଜଟାୟୁଷ

ତାହାର ପିଣ୍ତ ରାମ ଦହିଲେ ହୁତାଶ ।୩୯୩।

ଗୋରେଖନ୍ତ ଭେଟିଲେ ରାମ ପରମାର୍ଥ ବନେ

ଅନେକ ଯୋଗାନ୍ତ ସେ କହିଲେ ପ୍ରସନ୍ନେ ।୩୯୪।

ତହୁଂ ଯାଇଂ ପ୍ରବେଶିଲେ ମନୋହର ବନେ

ମଣିବନ୍ଧା ଦେଇ ଗୋଗୋଷ୍ଠେ କ୍ଷୀର କଲେକ ଆପ୍ୟାନେ ।୩୯୫।

ତହୁଂ ଯାଇଂ ପ୍ରବେଶ ହୋଇଲେ ଅସକନ୍ଦ ବନେ

ଜମ୍ଵୁ ଲତାୟେ ଭେଟିଲେ ପବନର ନାନେ ।୩୯୬।

ଲକ୍ଷଣ ହନୁମନ୍ତ ହୋଇଲେ ଦୋହେଂ ପ୍ରୀତି

ବଜ୍ର କାଛଟା ଅମୃତ କୁଣ୍ତଳ ଦେଖି ଚିହ୍ନିଲେ ରଘୁପତି ।୩୯୭।

ହନୁମାନ ଭଗତି ହୋଇଲା ରାମଂକୁ ଯହୁଂ

ଜମ୍ଵେବ ସୁଗ୍ରୀବର ଦ୍ରଶନ କଲେ ତହୁଂ ।୩୯୮।

ସୁଗ୍ରୀବର ବଚନେ ସପତଶାଳ ଛେଦି

ମଇତ୍ର ସପକ୍ଷରେ ବାଳୀର ଦର୍ପ ମର୍ଦ୍ଦି ।୩୯୯।

ସୁଗ୍ରୀବର ଅଙ୍ଗଦ ଜମ୍ଵେବ ଶତବାଳୀ

ଗନ୍ଧମାର୍ଦ୍ଦନ ସୁଷେଣ ଗବୟେ ଗବାକ୍ଷ ମହାବଳୀ ।୪୦୦।

ନଳ ନୀଳ ତାରାକ୍ଷ ଉର୍ଦ୍ଧ୍ଵକେତୁ ପରମ ଯେ ବୀର

ହରିନାଥ ଦୃବିନ୍ଦ କଞ୍ଚନକ ସଉନିକ ମହାବୀର ।୪୦୧।

ଅଷ୍ଟାଦଶ ପଦ୍ମ ବାନର ବଳ ସାହେ

ମାଲ୍ୟବନ୍ତେ ବିଜେ କଲେ ରଘୁକୁଳ ନାହେ ।୪୦୨।

ଜାନକୀର ନିମନ୍ତେ ଚତୁର୍ଦ୍ଦିଗେ ଦୂତ ପେଷି

ଦକ୍ଷିଣେ ହନୁମନ୍ତ ଲଂକାଗଡ଼ ଧ୍ଵଂସି ।୪୦୩।

ଅନେକ ରୂପ ଧରି ଜାନକୀଂକି କଲା ଠାବ

ସମସ୍ତ କୁଶଳ ବାରତା କହିଲା ରାମଦେବ ।୪୦୪।

ଲେଉଟି ସନ୍ତେକ ରାମକୁ ଦିଲେକ ଜାନକୀ

ଆସନ୍ତେ ମାରୁତି ମଧୁବନ ତୋଟା ଦେଖି ।୪୦୫।

ଦେବାନ୍ତକ ନରାନ୍ତକ ନାଗାନ୍ତକ ତିନି

ୟେହାଂକର ମୂଳେ ଧଂସିଲା ପାଞ୍ଚପଦ୍ମ ସଇନି ।୪୦୬।

ପ୍ରଶସ୍ତ ସେନାପତି ଆବର ଜମ୍ବୁମାଳୀ

ଅକ୍ଷୟକୁମାର ତୁଲେ ଅନେକ ଦତ୍ୟ ଦଳି ।୪୦୭।

ଇନ୍ଦ୍ରଜିତ ନାଗଫାଶ ବନ୍ଧନେ ଦହିଲା ଗଡ଼ଲଂକା

ରାକ୍ଷସ ବଳ ମର୍ଦ୍ଦିଲା ରାମଦୂତ ରଣରଂକା ।୪୦୮।

ବାହୁଡ଼ି ବାରତା ଯେ କହିଲା ରାମ ପାଶ

ଶୁଣିଣ ରଘୁନାଥ ବହୁତ ହରଷ ।୪୦୯।

ଶରଣ ପଶି ବିଭୀଷଣ କହିଲା ଅନେକ ବୁଦ୍ଧି

ଗିରିବର ଉପାଡ଼ି ରାମ ବାନ୍ଧିଲା ବାରାନିଧି ।୪୧୦।

ଇନ୍ଦ୍ରଜିତ , କୁମ୍ଭକର୍ଣ୍ଣ , ମହୀଜିତ ଯମଘଣ୍ଟ

ବିବାନ ଘେନି ଅନ୍ଧେକ ଉର୍ଦ୍ଧ୍ଵକେଶା ଯେ ତ୍ରିକୂଟ ।୪୧୧।

ମନ୍ଦ ମେଖଳା କାଳାନ୍ତକ ଯମଜିତା

ନରାନ୍ତକ ଦୂରାନ୍ତେକ ଲୋହାସୁର ମହୀଜିତା ।୪୧୨।

ସୁମୁଖା ଦୁର୍ମୁଖା ପାରୁଶ ମହାପାରୁଶ

ଶୁକ ସାରଣ କୁମ୍ଭ ନିକୁମ୍ଭ ରାକ୍ଷସ ।୪୧୩।

ଯମାନ୍ତକ ତ୍ରିପୁରା ମାଲ୍ୟବନ୍ତ ମାଳୀ ଯେ ସୁମାଳୀ

କାଂକ ଥଂକ ରାହୁ ବଜ୍ରାଂକ ଉତ୍ତମ ମହାବଳୀ ।୪୧୪।

ଅପାରମୁଖ ଗଜମୁଖ , ଗନ୍ଧବିମୁଖ ଦକ୍ଷବାହୁ

କ୍ଷତ୍ରିୟକାଳ ଶକରମୁଖ , ଶୃଗାଳ ମୁଖ ରୂପବାହୁ ।୪୧୫।

ଚନ୍ଦ୍ରସେଣ ଅଶ୍ଵକର୍ଣ୍ଣ ଜୟନ୍ତକ ଓଟମୁଖ

ଅନ୍ଧକ ଶଟକା କାଳମୁଖ ଜଳୁପାକ୍ଷ ଶୂଳୁପାକ୍ଷ ।୪୧୬।

ଅନେକ କଉଣୋପ ରାବଣର ମଳେ

ଅନେକ ସନ୍ୟତୁଲେ ବଧିଲେ ଲଂକପାଳେ ।୪୧୭।

ସୀତୟା ଅଗ୍ନିପରୀକ୍ଷା କରିଣ ଲଂକାରେ ମୁରାଟ

ମନ୍ଦୋଦରୀ ତୁଲେ ବିଭୀଷଣକୁ ଲଂକେ ବାନ୍ଧିଲେ ପାଟ ।୪୧୮।

ଅନେକ ସାନନ୍ଦ ସେ ବାନର ସଇନି

ଉତ୍ତର ମୂରତି ଶ୍ରୀରାମ ହରିବଳ ସଂଗେ ଘେନି ।୪୧୯।

ମେଦିନୀର ଭାରାଭର ହେଳେଣ ନିବାରି

ଅନେକ ସାନନ୍ଦେ ଯେ ବିବୁଧେ ଭୋଗକରି ।୪୨୦।

ଅଭିଷେକ ଅଯୋଧ୍ୟାରେ ହୋଇଲେ ରଘୁନାଥେ

ଋଷିମାନେ ଅର୍ଘ୍ୟଦିଲୁଂ ଆମ୍ଭେ ସମସ୍ତେ ।୪୨୧।

ଶୁଣ ବାବୁ ଯୁଝେଷ୍ଠି ବଦୟନ୍ତି ମାରକଣ୍ତେ

ଶ୍ରୀରାମ ପରାୟେ ସ୍ଵାମୀଂକି ପ୍ରମାଦ ପଡ଼ିଲେ ୟେଡ଼େ ।୪୨୨।

ସେହି ପୁଣି ସହିଲେଟି କର୍ମର ଅବଳେ

ପଶ୍ଚାନ୍ତେ ପୁଣ ସୁଖ ଭୁଞ୍ଜିଲେ ଚିରକାଳେ ।୪୨୩।

ସୁଖ ଦୁଖ ଯେଟି ରାତ୍ର ଦିବସ ବୋଲି

ଶୁଣ ଆହୋ ଧର୍ମରାୟେ ମୁଂ ଯାହା କହିଲି ।୪୨୪।

ୟେସନେକ ଚରିତ ଅଛିଟି ସର୍ବକାଳେ

ଦୁଖେକ ଅବଶ୍ୟ ହୋଅଇ କର୍ମର ଅବଳେ ।୪୨୫।

ଦୁଖର ଅନ୍ତରେ ପୁଣ ସୁଖ ହୋୟେ ଭୋଗୀ

ୟେହା ଯେ ବିଚାରଇ ସେହି ସେ ପ୍ରମଯୋଗୀ ।୪୨୬।

ବଦୟନ୍ତି ଅଗସ୍ତି ପଣ୍ତିତ ମହାଗ୍ୟାଂତା

ଆରଣ୍ୟକ ପର୍ବର ୟେ ତତ୍ତୁଅର୍ଥ ବାରତା ।୪୨୭।

ଅନେକ ସାନନ୍ଦେଣ ସେ ଧର୍ମ ରାୟେଂକର ତନୁ

ଚଳିଗଲେ କୋନ୍ତେ ଯେ ଦଣ୍ତକା ଅରଣ୍ୟୁଂ ।୪୨୮-୯୯୭୯।

 

Unknown

ସତ୍ୟଭାମା ଓ
ଦୌପଦୀଙ୍କ କଥୋପକଥନ

ସେ ଦଣ୍ତକା ଅରଣ୍ୟ ଯେ ପଛିମ ପ୍ରଶସ୍ତେ

ବିଷ୍ଣୁଭଦ୍ରା ବୋଲି ୟେକଇ ବନସ୍ତେ ।୧।

ରୁଦ୍ରାଙ୍ଗୀ ବୋଲି ୟେକଇ ନଦୀଗୋଟି

ବଟବେଣୀ ଭେଦି ଦକ୍ଷିଣ ଭାଗୁଂ ଫୁଟି ।୨।

ଅନିଳକ ବୋଲିଣ ଯେ ୟେକଇ ପରବତେ

ତହିଂର ଉପରେ ବିଜୟ କଲେକ ପଞ୍ଚୁଭ୍ରାଥେ ।୩।

ସନ୍ନିଧ୍ୟେ ଅଛନ୍ତି ଦ୍ରଉପଦ କୁମାରୀ

ଋଷିମାନେ ସମସ୍ତେ ଜଳକ୍ରୀଡ଼ା କରି ।୪।

ବଇଶାଖ ଶୁକଳ ପକ୍ଷ ଦ୍ଵିତୀୟାର ତିଥି

ରୋହିଣୀ ନକ୍ଷତ୍ର ସେ ବାର ବୃହସ୍ପତି ।୫।

ବାଳବ ନାମେ କରଣ ଶୋଭନ ଯେ ଯୋଗ

ବୃଷ ସଂକ୍ରାନ୍ତିକି ସତାଇଶ ଦିନ ଭୋଗ ।।୬।

ସେ ଦିନ ନାରକା ବଧକରି ବନମାଳୀ

ଆଣିଲେ ଧନରତ୍ନ ଷୋଳ ସହସ୍ର କନ୍ୟା ଅଗୁଳି ।୭।

ସତ୍ୟଭାମା ସାରଥି ଜଗନ୍ନାଥଂକର ରଥେ

ଯୁଝେଷ୍ଠିଂକି ଭେଟିଲେ ବିଷ୍ଣୁଭଦ୍ରା ବନସ୍ତେ ।୮।

ଆସ୍ତାନ ଦେଖି ହରି ନନ୍ଦିଘୋଷ କଲେ ତେଜ୍ୟା

ଯୁଝେଷ୍ଠିଂକ ଚରଣେ ପ୍ରଳମ୍ଵିତ ଦେବରାଜା ।୯।

ନାରାୟଣଂକୁ ଦେଖି ସାନନ୍ଦ ଧର୍ମସୁତ

ଆସ୍ତାନ ତେଜି ଦେବ କଲେକ କୋଳାଗ୍ରତ

ଆଶ୍ରମବଟ ତଳରେ ବିଜୟେ ଦ୍ରଉପଦୀ

ପାଞ୍ଚାଳୀର ସନ୍ନିଧ୍ୟେ ଯାଇଂ ବିଜୟେ ଶକ୍ରାବତୀ ।୧୧।

ଦ୍ରଉପତୀ କୋଳାଗ୍ରତ କରନ୍ତି ଯେ ସତ୍ୟଭାମାଂକୁ

କୁଶଳ ବାରତା ଯେ ପଚାରନ୍ତି ତାହାକୁ ।୧୨।

ସତ୍ୟଭାମାୟେ ବୋଇଲେ ଶୁଣ ଗୋ ମହାଦେବୀ

ସ୍ତିରୀକୁଳେ ଜାତ ହୋଇ ତୁମ୍ଭେ ବଡ଼ାଇ ସାଧବୀ ।୧୩।

ୟେ ମହୀମଣ୍ତଳେ ଗୋ ଜୀବନ ତୋର ଧନୀ

ସର୍ବଗୁଣେ ସୁଲକ୍ଷଣୀ ତୁମେ ପ୍ରତକ୍ଷେ ଅଟ ଯିଘ୍ନସେନୀ ।୧୪।

କଥାୟେ ପଚାରିବି ଗୋ ଅଛଇ ମୋର ଇଚ୍ଛା

ଭାବେ କହିବା ଗୋ ତୋତେ କଲଇଂ ମୁଂ ପୁଚ୍ଛା ।୧୫।

ଦ୍ରୋପତୀ ବୋଇଲେ ଗୋ ଯାର ଶ୍ରୀକୃଷ୍ଣ ବଲ୍ଲଭ

କେଉଂଣ କଥାକୁ ତୋତେ ଅବା ହୋଇଛି ଅସମ୍ଭବ ।୧୬।

ଅଥବା ମୋହୋର କହନ୍ତେ ଯେବେ ହୋଇବ ତୋହୋର କାର୍ଯ୍ୟ ସିଦ୍ଧି

କହିବା ତୋହୋର ଗୋ ଅସଖ୍ୟ କେଉଂଣ ବୁଦ୍ଧି ।୧୭।

ପାଞ୍ଚାଳୀର ଅଗ୍ରତେ ପୁଚ୍ଛାକଲେ ଶକ୍ରାବତୀ

ୟେକା ପୁରୁଷକୁ ଆମ୍ଭେ ଲକ୍ଷେକ ଯୁବତୀ ।୧୮।

ୟେକକୁ ଆରେକ ଆମ୍ଭେ ରୂପେ ବରାଙ୍ଗନା

ଅନନ୍ତ କୋଟି ବ୍ରହ୍ମାଣ୍ତକୁ ଆମ୍ଭେ ଅପୂର୍ବ ଅଟୁ ସିନା ।୧୯।

ଅନେକ ବିନୋୟୀ ଆମ୍ଭେ ଥାଂଉ ଦିବାରାତି

ୟେତେ କନ୍ୟାରେ ମନାଇଂ ନୁଆରୁ ୟେକପତି ।୨୦।

ତୋହୋର ଚରିତ କେମନ୍ତ ଅଟଇ ଗୋ ମାୟେ

ୟେକାସ୍ତିରୀ ଗୋ ପଞ୍ଚୁପତିଂକ ଭଜାୟେ ।୨୧।

କେଉଣ ମଉଷଧି ମନ୍ତ୍ର ଜାଣୁ ଗୋ ଜଡ଼ିଗୁଣ୍ତି

ଭାବେଣ କହିବା ମୋତେ ତହିଂର ବାକ୍ୟଖଣ୍ତି ।୨୨।

ଯେଉଂଣ ମନ୍ତ୍ରେ ମୁଂ ଗୋ ମୋହିବି ଚକ୍ରପାଣି

ମୋତେ ୟେହା ଭାବେ କହିବା ଗୋ ଗୋସାମଣି ।୨୩।

ଅପାର ଅଳଂକାର ଦିଲେକ ସତ୍ୟଭାମା

ବହୁତ ବିନୋୟୀ ବୋଲନ୍ତି ଭୃତ୍ୟପଣେ ଅନୁକ୍ରମା ।୨୪।

ଅଥବା ଭାବ ଯେବେ ନୋହିବ ତୋହୋରି

ତୋତେ କିସ ବୋଲିବି ଯିସ କର୍ମ ମୋହୋରି ।୨୫।

ବଦୟନ୍ତି ପାଞ୍ଚାଳୀ ଗୋ ଶୁଣ ସତ୍ୟଭାମେ

ପଞ୍ଚୁପତି ପ୍ରାପତ ମୋତେ ପୂର୍ବର କର୍ମ ଅନୁକ୍ରମେ ।୨୬।

ନ ଜାଣଇ ମଉଷଧି ନ ଜାଣଇ ମନ୍ତ୍ର ଗୁଣ୍ତି

ନୁହଇ ଗ୍ୟାନ ଦେଇ ମୁଂ ନ ଜାଣଇ ଭଣ୍ତି ।୨୭।

ବ୍ରତମାନେ ବ୍ରତନ୍ତି ମୋହୋର ନିଜ ପତି

ମୁହିଂ ବିଚାରି ଖଟଇ ତାହାଂକର ପ୍ରକୃତି ।୨୮।

ନିତ୍ୟ ସାଧ୍ୟ ଅର୍ଥେ ସାଧଇ ନିତ୍ୟକର୍ମ

ଅନୁବ୍ରତେ ମୋତେ ସଦୟେ ଇଚ୍ଛା ଦେବଧର୍ମ ।୨୯।

ନବ ଅଇବ୍ରତ ସୂପକାର ବିଧି

ନିତ୍ୟେ ବୁଝାବଇଂ ରାନ୍ଧଣା ପାକସିଦ୍ଧି ।୩୦।

ନବଲକ୍ଷ ଖଟିଥାନ୍ତି ଧାଈ ପରିବାରୀ

ସବୁନ୍ତିହିଂ ଚରଚଇ ମୁଂ ନିତ୍ୟକର୍ମ ବେଭାରି ।୩୧।

ଅଶ୍ଵଶାଳ ଗଜଶାଳ ସବୁନ୍ତି କରଇ ଚରଚା

ବୁଭୁକ୍ଷିତ ଦେଖିଲେ ସବୁନ୍ତି ଦିଅଇ ସଞ୍ଚା ।୩୨।

ଦୁଖୀ ଅଭାଗ୍ୟବନ୍ତ ମୁଂ ନୁଆରଇ ଦେଖି

ଅଥବା ନିରାଶ ନୁଆସଇ ମୋହୋର ବାକି ।୩୩।

ମିଥ୍ୟା ବାକ୍ୟ ନୁଆସଇ ମୋତେ ହାଦେ ଭଲେ

ସମସ୍ୟା ନ ଦିଅଇ ମୁଂ ଅସଜନ ଦେଖିଲେ ।୩୪।

ମାତାପିତା ସ୍ଵାମୀ ଗୁରୁ ଅତିଥି ଦେବତା

ୟେହାନ୍ତ ଆରଧନା କରଇ ନିରିଭ୍ରାନ୍ତ ।୩୫।

ତପୋଧନ ଦେଖିଲେ ବସଇ ମୋର ପ୍ରୀତି

ପରଜାୟେ ନୁଆସଇ ଅବିଧି ପରକୃତି

ସ୍ଵାମିଂକି ଆଦିକରି ଦାସଦାସୀଗଣ ଯାୟେ

ସବୃନ୍ତି ମୋହୋର ହୃଦଗତେ ୟେକଧ୍ୟାୟେ ।୩୭।

ସମସ୍ତେ ଜାଣନ୍ତି ଯେ ମୋହୋର ପଞ୍ଚୁପତି

ଉଚ ନୀଚ ମୋର ନାହିଂ ସବୁନ୍ତିହିଂ ୟେକ ଭକ୍ତି ।୩୮।

ସଦା ସର୍ବଦାୟେ ବ୍ରତନ୍ତି ଯେଉଂଣ ଜନ

ତାହାଂକୁ ଅଭ୍ୟାଗତ ଧାତା କରିବ କେସନ ।୩୯।

ଧାର୍ମିକ ବିବେକ ପଣ୍ତିତ ସୁଭାଗ୍ୟ

ଧୃତି ଶ୍ରୃତି ଦେଖିଲେ ଜାଣଇଂ ଯେହ୍ନେ ଭିଗ୍ୟଂ ।୪୦।

ଦ୍ରୋପତୀ ବୋଇଲେ ଆଗୋ କଲ୍ୟାଣୀ ଶୁଣସି ଶକ୍ରାବତୀ

ମନ୍ତ୍ର ଅଉଷଧିର ୟେସନେକ ରୀତି ।୪୧।

ଗ୍ୟାନପୁର ବୋଲିଣ ୟେକଇ ହାଦେ ନଗ୍ରେ

କର୍ଣ୍ଣକେଶରୀ ବୋଲି ତହିଂର ୟେକ ଶୂଦ୍ରେ ।୪୨।

ସେ କର୍ଣ୍ଣକେଶରୀ ମଙ୍ଗଳ ଚଉଠିର ଦିନ

ସାଲୁମତୀ ଭାରିଯାକୁ ସେ ବୋଇଲେ ବଚନ ।୪୩।

ମୁହିଂ ତୋତେ ସଂଘାତୁଣୀ ଗୋ ବୋଲଇ ସଦିଭାବେ

କନ୍ୟା ଗୋଟିୟେ ଥୋଇବାକୁ ମୁଂ ଇଚ୍ଛା କରଇ ୟେବେ ।୪୪।

ମାସକରେ ଥରେ ତୋର ପାକା ପରସନ

ସପ୍ତଦିନ ରାତ୍ରେ ଆମ୍ଭେ ହେବା ୟେକାସନ ।୪୫।

ଶୁଣିଣ ବିରସ ସେ ହୋଇଲା ସାଲୁମତୀ

ଲୋଡ଼ଇ ମନ୍ତ୍ର ଅଉଷଧି ରାଉଳଆଣୀ ଚଉକତି ।୪୬।

ଅନେକ ଧନଦେଇ ସେ ଫୁଟିବ ମନ୍ତ୍ରକୁ

କଉଣସି ମତେ କାର୍ଯ୍ୟସିନ୍ଧି ନୋହିଲା ତାହାକୁ ।୪୭।

କରଞ୍ଜକ ନାମେଣ ୟେକଇ ପିଚାଶୀ

ଅନେକ ଭଣ୍ତଇ ସେ ନଗ୍ରେଣ ଆସି ପଶି ।୪୮।

ୟେକାନ୍ତେ ରାଇ ତାକୁ ବୋଲଇ ସାଲୁମତୀ

ସୁହାଗ ଅଉଷଧି ଖଣ୍ତିୟେ ଦେବୁ ମୁଂ ହୋଇବି ସ୍ଵାମୀରେ ଭଗତି ।୪୯।

ଅନେକ ଭଗତି ଭାବେଣ ମୁଂ ହୋଇଲି ପରିଣାମି

ତଥାପି ଆନ ଭାରିଯା କରିତେ ଲୋଡ଼ଇ ମୋର ସ୍ଵାମୀ ।୫୦।

ସ୍ଵାମୀ ମୋ ଯେମନ୍ତେ ନୁଆଣିମେ ଆନ ଘରଣୀ

ତହିଂକି ମନ୍ତ୍ର ଗୋଟିୟେ ୟେବେ ଦେବୁ ଗୋ ୟେହିକ୍ଷଣି ।୫୧।

ମୂଳିକା ଅଉଷଧି ଖଣ୍ତିୟେ ଦିଲାକ ପିଚାଶୀ

ବୋଇଲା ମଧୁର ତିଉଣେ ୟେହାକଇଂ ବାଟି ଦେସି ।୫୨।

କିଛି ଧନ ଘେନିଣ ତହିଂ ପିଚାଶୁଣୀ ଚଳିଗଲା

ଅର୍କବାର ଦିନେ ତାହା ଭୋଜନ ବେଳେ ପରଶିଲା ।୫୩।

ଆଗୋ ସତ୍ୟଭାମା ସ୍ତିରୀଂକର ୟେସନେକ ମନ୍ଦବୁଦ୍ଧି

କାଳେଣ ହୋଇଲା ସେ ବିପାକ ମଉଷଧି ।୫୪।

ରୋଦରି ରୋଗ ପ୍ରାୟେକ ବଢିଲା ତାର ପେଟ

ପ୍ରାଣତ୍ୟାଜ ହୋଇଲା ସେ କାଳର ନିକଟ ।୫୫।

ସମୟେକେ ସାଲୁମତୀ ଭାରିଯା ତାର ମଲା

କୃତାନ୍ତକ ଦେବତା ଛାମୁରେ ବିଚାର ହୋଇଲା ।୫୬।

ନାଶକର ବୋଇଲେ ୟେ ଅଟଇ ସ୍ଵାମୀଦ୍ରୋହୀ

ୟେ ମୋଢ଼ୀ ପାମେରୀର ହାଦେ ମୁଖହିଂ ନ ଚାହିଂ ।୫୭।

ଓଉଷଧି ଦେଇଣ ୟେ ସ୍ଵାମୀକି ନାଶକଲା

ତିଳ ପ୍ରମାଣେ ମାୟେଂସ କାଟ ବୋଇଲା ।୫୮।

କୋପେଣ ବୋଇଲା କୃତାନ୍ତେକ ଦଣ୍ତଧର

ୟେହାର ମାୟେଂସ ନେଇ ତମ୍ଵାଭାଣ୍ତେ ଭର ।୫୯।

ତିନି ବରଷ ପରିଯନ୍ତେ ମାୟେଂସ ତାର ପୋଡ଼ି

ଜୀର୍ଣ୍ଣକୂପେ ପକାଅ ନେଇ ମଣ୍ତୁକୀ ଜୀବକରି ।୬୦।

ଦ୍ରୋପତୀ ବୋଇଲେ ଗୋ ଶୁଣ ସତ୍ୟଭାମେ

ମଉଷଧି କଲ ପ୍ରକୃତିରୁ ସ୍ତିରୀଂକର ୟେସନେକ ମନ୍ଦକର୍ମେ ।୬୧।

ପୁଣ୍ୟ ଅରଜିଲେ ହୋଅଇ ସଉଭାଗ୍ୟବନ୍ତୀ

ଅନୀତି କର୍ମେ ନ ଥିଲେ ସ୍ତିରୀଂକର ସଦଗତି ।୬୨।

ମୁହିଂତ ଦେଖିଲି ତୋର ସଉଭାଗ୍ୟବନ୍ତୀପଣ

ଅର୍ଦ୍ଧଆତ୍ମା ତୋତେ କରିଛନ୍ତି ନାରାୟଣ ।୬୩।

ତୋହୋରେ ଇନ୍ଦ୍ରଦେବତାରେ ସେ ଅପ୍ରୀତି ହୋଇଲେ

ପାରିଜାତକ ତରୁ ହରି ହରିଲେ ତୋର ବୋଲେ ।୬୪।

ଗୋସିଂହ ବଧ ଦେବୀ କରାଇଲୁ ୟେକା

ତୋହୋରେ ୟେବେ ସେ ବଧ ଗଲାକ ନାରକା ।୬୫।

ଜାଣିଣ ଖଟିଲେ ସେ ସ୍ଵାମୀର ପ୍ରକୃତି

ତେମନ୍ତେ ହୋଇ ସେ ସ୍ଵାମୀରେ ସଉଭାଗ୍ୟବନ୍ତୀ ।୬୬।

ତପେଣ ବ୍ରହ୍ମ ଯେ ହରଷେଣ ଧର୍ମ

କାଳେଣ ପାପତାପେ ହୋଇଲା ଅପକର୍ମ ।୬୭।

କୋପେଣ ଶାନ୍ତି ଯେ ଦମ୍ଭେଣ କୃତାର୍ଥୀ

ଭୟେଣ ପ୍ରକୃତି ଯେ ଲୟେଣ ନିଭ୍ରାନ୍ତି ।୬୮।

ପୁରୁଷର ବେଭାର ଯେ ଚଉଷଠୀ କଳା

ୟେଥକୁ ଶୀତଳଭାବ ଗୋ ଅଟନ୍ତି ଅବଳା ।୬୯।

ମାଗୋ ଜନ୍ମହୋଇ ପରେ ହୋୟେ ହୃଦର ବଲ୍ଲଭୀ

ପୁତ୍ର ପଉତ୍ରୀ ଉପୁଜିଲେ ସମସ୍ତ ସମ୍ଭବୀ ।୭୦।

ତିନିଅକ୍ଷର ଯେ ଅଟଇ ସ୍ତିରୀଂକର ନାମ

ପ୍ରଥମ ଅକ୍ଷରେ ଆଈ , ତିଜ ଅକ୍ଷରେ ପୁଅ

ୟେ ବିଧିରେ ସ୍ତିରୀଂକି ଗୋ ଲାଗିଲା ବଡ଼ ସ୍ନେହ ।୭୨।

ମାତାପ୍ରାୟେ ପାଳି ଗୋ ଆଈ ପ୍ରାୟେ ସେନେହି

ପୁତ୍ରପ୍ରାୟେ ଭଗତି ହୋଇ ସେବିବଟି ସେହି ।୭୩।

ୟେ ବିଧିରେ ମାଈପ ଗୋ ସ୍ତିରୀଂକର ତିନିନାମ

ୟେ ବିଧି ତିନିକର୍ମରୁ ତିରୀଂକର ନାମ ।୭୪।

ପତି ଉପଗତେ ଆସନ ପରିତେଜ୍ୟା

ଅତିଅନ୍ତ ପ୍ରୀତିରେ ମଣାଇବ ଶେଯ୍ୟା ।୭୫।

ଆଗୋ ସତ୍ୟଭାମା ୟେସନେକ ବେଭାରେ ଖଟିଲେ ସ୍ଵାମୀଂକି

ଆବର ମନ୍ତ୍ର ମଉଷଧିମାନ ଲୋଡ଼ିବ କାହିଂକି ।୭୬।

ସେ ଯେ ଅର୍ଣ୍ଣପୂର୍ଣ୍ଣା ଅନାଦି ସିଦ୍ଧି ବୁଦ୍ଧି

ସୁବାକ୍ୟ କହିଣ ସତ୍ୟଭାମାଂକୁ ପ୍ରବୋଧି ।୭୭-୧୦୦୫୬।

 

ନଳରାଜା ଉପାଖ୍ୟାନ

କହନ୍ତି ଅଗସ୍ତି ଆହେ ମନୁ ମହୀପତି

ୟେ ଉତ୍ତାରୁ ଯାହା ହେଲା ଶୁଣ ଦେଇମତି ।୧।

ୟେମନ୍ତର ସମୟେ ପ୍ରବେଶ ମୁନି ବ୍ୟାସେ

ପାଣ୍ତବେ ପୂଜାକଲେ ବଗତି ବିଶ୍ଵାସେ ।୨।

ଆଶିଷ କଲ୍ୟାଣେ ମହାତମୀ ବହୁତ ବାଞ୍ଚ୍ଥି

ଦେଖିଲେ ଯୁଝେଷ୍ଠିଂକ ତୁଲେ ଅଛନ୍ତି ଶ୍ରୀବଚ୍ଛି ।୩।

ଯୁଝେଷ୍ଠି ବୋଇଲେ ତାତ ପୁଣ୍ୟବନ୍ତ ଧୃତିରାଷ୍ଟି

ରାଜ୍ୟଧର ହୋଇଲେ ସେ ଆମ୍ଭେ ବନେ ୟେଡ଼େ କଷ୍ଟି ।୪।

ଯେଉଂଣ ଦିନ ପାଉଂ ଫଳମୂଳ ଖାଉଂ

ଅଳସ ସଂଜାତ ହୋଇଲେ ଉପବାସ ଥାଉଂ ।୫।

ବଦୟନ୍ତି ବେଦବ୍ୟାସେ ଶୁଣ ଦେବ ଧର୍ମେ

ଦୁଖ ସହିଲେ ସେ ହୋଅଇ ପରମ ମହାତମେ ।୬।

ସତ୍ୟଯୁଗେ ଇଚ୍ଛାକରୁ ବଂଶେ ନଳନାମେ ନୃପତି

ମହାଧାର୍ମିକରାଜା ଯେ ପାଇଲାକ ବଡ଼ ଶାସ୍ତି ।୭।

ତୁମେ ପଞ୍ଚୁଭ୍ରାଥ ତୁଲେଣ ଅଛଇ ପତ୍ନୀ

ବଶିଷ୍ଠ ମାରକଣ୍ତ ତୁଲେ ଲୋମଶ ମହାମୁନି ।୮।

ଯୁଝେଷ୍ଠି ବୋଇଲେ ଅପୂର୍ବ ୟେହୁକଥା

କିସ ଅର୍ଥେ ନଳରାଜା ପାଇଲେକ ୟେଡ଼େକ ଅବସ୍ତା ।୯।

ବଦୟନ୍ତି ବ୍ୟାସେ ଶୁଣ ହୋ ଯୁଝେଷ୍ଠି

ଯେଉଂପରି ନଳରାଜା ହୋଇଲାକ କଷ୍ଟି ।୧୦।

କୁଞ୍ଜକୁରାଳ ନଦୀକୂଳେ ନଇଷଧ ନାମେ ଦେଶ

ବୀରସେନ ବୋଲି ରାଜା ଅର୍କସେନର ଶିଷ ।୧୧।

ତାହାର ଭାରିଯା ନାମ ଅଟଇ ଋତୁମତୀ

ନଳକୁମର ବୋଲିଣ ତାହାର ସନ୍ତତି ।୧୨।

ବଇଦର୍ଭ ଦେଶରେ କୁଣ୍ତୀ ନାମେ ନଗ୍ରୀ

ଭୀମେକ ବୋଲିଣ ଯେ ତହିଂର ଦଣ୍ତଧାରୀ ।୧୩।

ସତ୍ୟଯୁଗେ ରୋମାଞ୍ଚ ନାମେଣ ମହଋଷି

ତାହାର ପ୍ରସନ୍ନେ ପାଇଲା ଦୁହିତା ୟେକ ତିନି ଶିଷି ।୧୪।

ଜ୍ୟେଷ୍ଠ ଦୁହିତାର ନାମ ଅଟଇ ଦମୟନ୍ତୀ

ଦମ ଦୃମୟନ ଦୃମତ ତିନି ଯେ ସନ୍ତତି ।୧୫।

ଅତିଅନ୍ତ ରୂପବନ୍ତୀ ସେ ଦମୟନ୍ତୀ ବାରଙ୍ଗନା

ଦେବଗଣ ଋଷିଗଣ ଦେଖି ହୋଅନ୍ତି ମୋହ ସିନା ।୧୬।

ମୟାଣ ବାଣ ତେଜଇ ତାହାକଇଂ ଦେଖି

ଦିନକର ନାଥ ଯାଇ ନୁଆରଇ ତାହାକୁ ଉପେକ୍ଷି ।୧୭।

ନଇଷଧ ଦେଶରେ ଅଛି ମାନସରୋବର

ଇନ୍ଦ୍ରର ହଂସଯୂଥମାନେ ଚରନ୍ତି ତହିଂର ଭିତର ।୧୮।

ଦିନେକ ନଳ ତହୁଂ ଧଇଲା ୟେକହଂସୀ

ଆଉର ହଂସମାନେ ଗଗନେ ଯାଇ ପଶି ।୧୯।

ହଂସିନୀ ବୋଇଲା ମୋତେ ନ ନାଶ ନରପତି

ଆମ୍ଭେ ସୁକାର୍ଯ୍ୟ ତୋହୋର କରାଇବୁ ପ୍ରାପତି ।୨୦।

କୁଣ୍ତୀ ନଗ୍ରେ ସେ ଯେ ଭୀମେକ ବୋଲି ରାୟେ

ଦମୟନ୍ତୀ ବୋଲି ତାର ୟେକ ଦୋହିତାୟେ ।୨୧।

ତୁ ଯେବେ ଆମ୍ଭରେ ପ୍ରିୟଭାବ ହୋଇବୁ

ସେ ସୁନ୍ଦରୀକି ତୋତେ ଭେଟ କରାଇବୁ ।୨୨।

ଶୁଣିଣ ନଳକୁମାର ହୋଇଲା ଆଶ୍ରିଜ

ପଚ୍ଛୀ ହୋଇ ଭାଷା କହଇ ମନୁଜ ।୨୩।

ଅନେକ ରତ୍ନ ଭୂଷଣ କରାଇଲା ତାରକାୟେ

ୟେବେ ତୁ ବଇଦର୍ଭ ଦେଶକୁ ଚଳ ହଂସରାୟେ ।୨୪।

ମୋହୋର କଥାମାନ ଦମୟନ୍ତୀ ଆଗେ କହ

ଯେମନ୍ତେ କନ୍ୟା ମୋତେ ବଳାଇବ ସେନେହ ।୨୫।

ଆଗ୍ୟାଂ ପ୍ରମାଣେ ଯେ ଚଳଇ ହଂସଦୂତୀ

ବଇଦର୍ଭ ଦେଶରେ ଯାଇ ମିଳିଲା ତଡ଼ତି ।୨୬।

ସରୋବରେ ଚରନ୍ତେ ଦେଖିଲା ଦମୟନ୍ତୀ

ସନିଧ୍ୟେ ବସାଇ ଗଲା କଣୟ ହଂସଦୂତୀ ।୨୭।

ଦମୟନ୍ତୀ ପଚାରଇ କି ସରୂପ କହ ହଂସୀ

ପଚ୍ଛୀ ହୋଇଣ ତ ମନୁଷ୍ୟ ଭାଷା ଭାଷି ।୨୮।

ହଂସୀ ବୋଇଲା ତୁ ଶୁଣସି କୁମାରୀ

ଆମ୍ଭେ ଦେବଦୂତ ଅଟୁ ତୋର ଉପକାରୀ ।୨୯।

ନଇଷଧ ଦେଶେ ବୀରସେନ ବୋଲି ରାଜ

ନଳ ନାମେଣ ତାହାର ୟେକଇ ଆତ୍ମଜ ।୩୦।

ଅନଂଗ ପଟାନ୍ତର ପ୍ରାୟେ ସେ ଦିଶଇ କୁମର

ଚିତ୍ରପଟ ଦେଖାଇଲା ଦମୟନ୍ତୀ ଆଗର ।୩୧।

ତାହାର ସମାନେ ସୁନ୍ଦର ନାହିଂ ୟେ ପୃଥୀ

ତୋହୋର ସମାନେ କେହି ନାହିଂ ରୂପବନ୍ତୀ ।୩୨।

ଦୁହେଂ ୟେକଯୋଗ ହୋଇବ ଯେତେବେଳେ

ରତି କାମଦେବ ପ୍ରାୟେ ଦିଶିବ ମହୀତଳେ ।୩୩।

ବହୁତ ପଟାନ୍ତର କହଇ ହଂସଦୂତୀ

ନଳକଇଂ ସେନେହ ବଢ଼ାଇଲା ଦମୟନ୍ତୀ ।୩୪।

ମୁହିଂ ତୋହୋର ଶରଣ ଯାଇ ହଂସଦୂତୀ

ଉପାୟେ କରି ମୋରେ ନଳକୁ କରାଇବ ପତି ।୩୫।

ହଂସୀ ବୋଇଲା ତୋର କର୍ମ ଯେବେ ସୁଫଳ

ଆମ୍ଭେ ଆଣି ତୋତେ ଗୋ ଭେଟାଇବା ନଳ ।୩୬।

ପଞ୍ଚୁ ଦିବସକୁ ସେ କଣ୍ଟକରି ଗଲେ

ନଳର ଆଗେଣ ଯାଇ ବାରତା କହିଲେ ।୩୭।

ବୁଡ଼ିଲା ସୁନ୍ଦରୀ ସେ ତୋହୋର ପ୍ରତିଆଶେ

କେମନ୍ତେ ନଳ ଯାଇ ମିଳିବୁ ତାର ପାଶେ ।୩୮।

ଦିନକୁ ଦିନ କ୍ଷୀଣ ହୋଇଲାନି ବାଳୀ

ମଦନ ଶରାଘାତେ ଶରୀର ବିକଳି ।୩୯।

ସ୍ରାହାନ ଭୋଜନ ଯେ ମଣଇ ବିଷପିତା

ନଳକଇଂ ଲାଗିଲା ମଦନେ ମହାଚିନ୍ତା ।୪୦।

ମୁଦୁସୁଲୀ କହଇ ଶୁଣିମା ଭୀମେକ ରାଜନ

ଦୋହିତା ବୀରହୀତା ତୁମ୍ଭେ ନ କଲା ପ୍ରଦାନ ।୪୧।

ଅବିଭାଇ ହୋଇ ଦୋହିତା ପିତାଘରେ ହୋଇଲେ ରଜୋବତୀ

ଅପାଣାର ପିତୃଲୋକେ ହୋଅନ୍ତି ନର୍କଗତି ।୪୨।

ଭାଳଇ ଭୀମେକ ଯେ ଅଭୟେ ଚକ୍ରବ୍ରତୀ

ସ୍ଵୟଂବର କରିବା ୟେହା ରାଜାନ୍ତ ନିମନ୍ତି ।୪୩।

ପୃଥିବୀର ରାଜାମାନନ୍ତ କଲାକ ନିମନ୍ତ୍ରଣ

ସକଳ ଦେଶକଇଂ ପେଶିଲେ ଚାରଗଣ ।୪୪।

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦିଗଚାରି

ସ୍ଵୟଂବର ନିମନ୍ତେ ଅଇଲେ ସକଳ ଦଣ୍ତଧାରୀ ।୪୫।

ରଥ ଗଜ ଅଶ୍ଵ ସଇନି ଅଶେଷ

ଶତେଯୋଜନ ପରିଯନ୍ତେ ନାହିଂ ଅବକାଶ ।୪୬।

ବାଜଇ ବିଜିଘୋଷ ଟମକ ଦାଉଣ୍ତି

ଅନେକ ରତ୍ନ ଭୂଷଣେ ରଥ ଗଜ ଅଶ୍ଵ ମଣ୍ତି ।୪୭।

ଉତ୍ତରେ ଲକ୍ଷେ ରାଜା ପଚ୍ଛିମେ ରାଜା ଲକ୍ଷେ

ପୂର୍ବେ ଅହିବ୍ରତେକ ଦକ୍ଷିଣେ ଅହିବ୍ରତେ ଲଖେଂ ।୪୮।

ୟେତେକ ରାଜା ବସଇ ସତ୍ୟଯୁଗକଇଂ ପୃଥୀ

ଆନନ୍ଦେ ଅଇଲେ ସକଳ ଦେଶର ନୃପତି ।୪୯।

ଅନେକ ଭୂଷଣ ହୋଇଣ ସର୍ବରାୟେ

ପ୍ରବେଶ ହୋଇଲେ ଆସି ସୟଂବର ସଭାୟେ ।୫୦।

ବଡ଼ାଇ ସମ୍ଭର୍ବ ଅଟେ ନଗ୍ରେ ନଇଷଧ

ଢୋଲ ବିଜିଘୋଷ ଦମା ବାଜଇ ବିବିଧ ।୫୧।

ଉଚ୍ଛବ ଦେଖିତେ ନାରଦେ ପ୍ରବେଶି

ଦେଖିଲା ଭୀମେକ ଯେ ବିଜୟେ ବ୍ରହ୍ମଋଷି ।୫୨।

ନାରଦଂକ ପାଦେ ଆସି କଲେ ଦିବ୍ୟପୂଜା

ଆସନ ପାଦ୍ୟାସନରେ ପୂଜି ମହାରାଜା ।୫୩।

ସୁବର୍ଣ୍ଣ ଆସନେ ବିଜୟେ ବ୍ରହ୍ମଋଷି

କିସ ଉଛବ ବୋଲି ମୁନି ସଭାରେ ପ୍ରକାଶି ।୫୪।

ବୋଲଇ ଭୀମେକ ଶୁଣିମା ମହାଯତି

ଦୋହିତାର ନାମ ମୋର ଅଟଇ ଦମୟନ୍ତୀ ।୫୫।

ତାହାକଇଂ ବର ମୁଂ ଯେ ନପାଇଲି ସରୂପେ

ସୟଂବର କଲି ମୁହିଂ କନ୍ୟାର ଅନରୂପେ ।୫୬।

ନାରଦେ ଦେଖିଲେ ଯେ ଦମୟନ୍ତୀର ମୂରତୀ

ଆକାଶ ଅପର୍ଣ୍ଣା ୟେ ନ ଯୋଗାଇ ଭୂଅପତି ।୫୭।

ତତକ୍ଷଣେ ମହାତମା ଗଲେ ଅନ୍ତରୀଚ୍ଛେ

ଅମର ସ୍ଵର୍ଗେ ଯାଇଂ କହିଲେ ସହସ୍ରାକ୍ଷେ ।୫୮।

ଆହୋ ସୁରନାଥ ମଧ୍ୟପୁରେ ନଇଷଧ ଦେଶେ ଭୀମେକ ଚକ୍ରବ୍ରତୀ

ଅଶ୍ଵସେନ ନଳନ ସେ କାର୍ତ୍ତିକସେନ ନାତି ।୫୯।

ଦମୟନ୍ତୀ ବୋଲିକରି ତାହାର ଦୁଲଣୀ

ତୋତେ ଅଭିଷେକ ଯୋଗାୟେ ବଜ୍ରପାଣି ।୬୦।

ରାଜାନ୍ତ ନିମନ୍ତ୍ରଣ ସେ କରିଛି ସ୍ଵୟଂବର

ରମ୍ଭା ସହିତେ ତାକୁ ନୋହିବ ପଟାନ୍ତର ।୬୧।

ସ୍ତିରୀ ବଶେ ସମର୍ଥ ସେ ଅଟଇ ମଘବା

ମାତଳିକି ବୋଇଲେ ପୁଷ୍ୟେକ ସାଜ ବହନ ହୋଇଯିବା ।୬୨।

ଇନ୍ଦ୍ରକୁ ଚଳାଇ ସେ ନାରଦେ ଗଲେ ବେଗେ

ଦମୟନ୍ତୀ ବାରତା କହିଲେ କୁବେରର ଆଗେ ।୬୩।

ତୋହୋର ଅଳକାକୁ ସେ ଖଟଇ ଯୁଗତି

ପାରୁ ଯେବେ ଘେନିଆସ ଆହୋ ଧନପତି ।୬୪।

ଶୁଣିଣ କୁବେର ଯେ ହୋଇଲେ ଆରତ

ତତକ୍ଷଣେ ଆରୋହିଲେ କଣୟ ନାମେ ରଥ ।୬୫।

କୁବେରଂକୁ ଚଳାଇ ସେ କଳହପ୍ରିୟ ମୁନିବର

ଦମୟନ୍ତୀର ରୂପ ଗୁଣ କହିଲେ ଅଗ୍ନିଦେବତା ଆଗର ।୬୬।

ଆହୋ ବଇଶ୍ୟାନର ତୁମର ତେଜେ ସଂସାର ହୋୟେ ଦହି

ଦମୟନ୍ତୀ ରୂପ ତେଜକୁ ତୋହୋର ତେଜ କାହିଂ ।୬୭।

ନାରଦଂକ ବାକ୍ୟରୁ ୟେସନେକ ବାକ୍ୟ ଶୁଣି

ଅନଳ ଦେବତା ବିଜେକଲେ ତତକ୍ଷଣି ।୬୮।

ଅଗ୍ନିଂକି ଚଳାଇ ସେ କଳହପ୍ରିୟ ଋଷି

ବରୁଣ ଦେବତା ଆଗେ କହିଲେ ବେଗେ ଆସି ।୬୯।

ୟେ ଜଳଦ ଭୁବନେ ତୁ ଅଟୁ ଆଧିପତି

ୟେ ପୁରକଇଂ ଅଳଂକାର ଅଟଇ ଦମୟନ୍ତୀ ।୭୦।

ବରୁଣ ବାହାର ହୋଇଲେ ନାରଦଂକ ବୋଲେ

ତ୍ରିବେଣୀ ଗଂଗାକୂଳେ ଚାରିହେଂ ଭେଟହେଲେ ।୭୧।

ଚାରିଦିଗପାଳେ ଯେ କହନ୍ତି ହରଷେ

ସବୁଂକରି ଆଗତ ହୋଇଲା ଦମୟନ୍ତୀ ଆଶେ ।୭୨।

ୟେକକୁ ଆରେକ ରୂପ ଧରନ୍ତି ଦିଗପାଳେ

ୟେମନ୍ତର ସମୟେ ସୟଂବରକୁ ଯାନ୍ତେ ଭେଟିଲେକ ନଳେ ।୭୩।

ଦେବତାଂକର ସାଦ୍ରିଶେ ସେ ନଳର ତେଜ କାୟେ

ସରୂପେ ଦିଶଇ ସେ ଯେ ଦିଗପାଳ ପ୍ରାୟେ ।୭୪।

ଇନ୍ଦ୍ର ପୁଚ୍ଛାକଲେ ତୁମ୍ଭେ ଯାଉଛ କାହିଂକି

ନଳ ବୋଇଲେ ଯାଉଛି ଦମୟନ୍ତୀ ସୟଂବର ଦେଖି ।୭୫।

ଇନ୍ଦ୍ରଦେବତା ବୋଇଲେ ନଳକୁ ୟେକାନ୍ତରେ ରାଇ

ଦମୟନ୍ତୀରେ ତହିଂକି ଯାଅ ଆମ୍ଭର ଦୂତ ହୋଇ ।୭୬।

ମୁହିଂ ଦେବରାଜା ହାଦେ ଅମର ସ୍ଵର୍ଗ ଆଧିପତି

ସଭାରେ ମୋତେ ବରଣ କରିବ ଯେମନ୍ତେ ଦମୟନ୍ତୀ ।୭୭।

ଅଗ୍ନିଦେବତା ବୋଇଲେ ନଳକଇଂ ୟେକାକରି

ଆମ୍ଭର ରୂପଗୁଣ କହ ଦମୟନ୍ତୀକି ବିଚାରି ।୭୮।

ଆମ୍ଭନ୍ତ ବରୁ ସେ ସୟଂବର ଥାନେ

ଅନେକ ଭୋଗ ତାକୁ କରାଇବୁ ପ୍ରତିଦିନେ ।୭୯।

କୁବେରହିଂ ୟେକାନ୍ତେ ରାଇ କହିଲେ ନଳକୁ

ଯେମନ୍ତେ ପାର ଦମୟନ୍ତୀ ଭେଟାଅ ଆମ୍ଭଂକୁ ।୮୦।

ମୁହିଂ ସେ ଦେବଭଣ୍ତାର ରକ୍ଷାପାଳ ସ୍ଵର୍ଗେ

ଆମ୍ଭନ୍ତ ବରିଲେ ସେ ପାଇବ ବଇଭୋଗେ ।୮୧।

ବରୁଣହିଂ ନଳକୁ ୟେକାନ୍ତେ ପ୍ରତିବାଦେ

ଆମ୍ଭର ରୂପଗୁଣ ଦମୟନ୍ତୀକି କହ ବାବୁ ହାଦେ ।୮୨।

ମୁହିଂ ସେ ବାରାନିଧି ଠାକୁର ରତ୍ନାକର

ଦମୟନ୍ତୀର ରୂପକଇଂ ଯୋଗାଇ ମୁହିଂ ବର ।୮୩।

ଇନ୍ଦ୍ର ଦେବତାକଇଂ ବରିଲେ କିଛି ସୁସ୍ଥ ନାହିଂ

ଅପଛରୀନ୍ତ ରମଣେ ସେ ଦମୟନ୍ତୀ ଯାୟେ କାହିଂ ।୮୪।

କୁବେରର ଭାରିଯା ଯେ ଅଟଇ ହାରାବତୀ

ଆନ ଭାରିଯାକୁ ସେ ଯାଇ ନ ଦିଅଇ କତି ।୮୫।

ଅଗ୍ନି ଦେବତାଂକର ଲୁଦୁବୁଦୁ ବ୍ୟାଧି

ସ୍ତିରୀ ରମଣେ ତାଂକର ନ ବଳଇ ବୁଦ୍ଧି ।୮୬।

ମୋତେ ଦମୟନ୍ତୀ ଯେବେ ଭେଟାଇ ପାରୁ ନଳ

ହୃଦଗତେ ଦିଲେ ତାର ମୋହନ ମଣିପାଳ ।୮୭।

ଇନ୍ଦ୍ର ଦେବତା ଦିଲେ ତିମିର ବିଦାରଣ ମଣି

ସ୍ତିରୀବଶ୍ୟ ଅଞ୍ଜନ ଅଗ୍ନିଦେବତା ଦିଲେ ଆଣି ।୮୮।

କୁବେର ଦେବତା ଦିଲେ ମୋହନ ଉଲ୍ଲୁକ ବିଦ୍ୟା

ଚିରାଞ୍ଜନ କାଳକୁ ସେ ରହିଲା ସର୍ବଦା ।୮୯।

ନଳ ବୋଇଲା ସମସ୍ତ ଦେବତାନ୍ତ ପରିଣାମି

ପୁରୁଷ ହୋଇ କେନେହେ ସ୍ତିରୀଂକ ପୁତ ହୋଇବି ଦେବସ୍ଵାମୀ ।୯୦।

ନଳ ବୋଇଲା ନ ଗଲେତ ନାଶଯିବି ତୁମ୍ଭର କୋପେ

ପୁରୁଷ ହୋଇ ସ୍ତିରୀଦୂତ ହୋଇଲେ ପଡ଼ିବି ଜୀର୍ଣ୍ଣକୂପେ ।୯୧।

ପୁଣ ପୁଣ ବୋଇଲେ ସେ ବୀରସେନର ଶିଷି

ସୂଚୀ ମାଛି ପରୀକ୍ଷ ଭୂମିରେ ପାରିବି କି ପଶି ।୯୨।

ଦେବତାୟେ ବୋଇଲେ ନଳ ତୁ ୟେମନ୍ତ କିଂପେ କହୁ

ଅଥବା ପାପକରୁ କି ପୁଣ୍ୟକରୁ ଆମ୍ଭେହେଂ ଆମ୍ଭେ ସର୍ବ ସହୁ ।୯୩।

ଦଧିବାବନ ସୁମରି ତୁ କର ଯା ଗବନ

କାର୍ଯ୍ୟ ସିଦ୍ଧି ହେଲେ ସିନା ଜାଣିମା ଆମ୍ଭର ମହିଂମାମାନ ।୯୪।

ଦେବତାଂକର ବଚନେ ସେ ଚଳଇ ସୂର୍ଯ୍ୟବଂଶୀ

ପୁଣି ବୋଇଲା ମୁଂ ରାଜପୁରେ ପାରିବି ଟିକି ପଶି ।୯୫।

ଅଗ୍ନିଦେବତାୟେ କହିଲେ ଉଲ୍ଲେକ ଯେ ବିଦ୍ୟା

ତୁ ସର୍ବ ଦେଖିବୁ ତୋତେ କେହି ନ ଦେଖିବେ ସର୍ବଦା ।୯୬।

ବରୁଣ ଦେବତା ଦିଲେ ପାଦୁକା ମନ୍ତ୍ର ମଉଷଧି

ନବଦୀପ ପୃଥୀ ତୁ ବୁଲିବୁ ୟେକପାଦୀ ।୯୭।

ଇନ୍ଦ୍ର ଦେବତାୟେ ଦିଲେ ଗୁଟିକା ଅଞ୍ଜନ

ୟେହା ଘେନି ଚାହିଂଲେ ଦିଶିବ ସମସ୍ତ ଭୁବନ ।୯୮।

କୁବେର ଦେବତାୟେ ବୋଇଲେ ମୋହନ ବିଦ୍ୟାଗୋଟି

ତତକ୍ଷଣେ ନଳରାଜା ବହନେ ଗଲା ତହୁଂ ଉଠି ।୯୯।

ୟେକା ପାଦକରେ ଯାଇଂ ପଶିଲା ଅନ୍ତେଶ୍ଵର ପୁରେ

ଦମୟନ୍ତୀକି ଭେଟିଲା ସୁବର୍ଣ୍ଣ ମେଢ଼ରେ ।୧୦୦।

ନଳର ନିମନ୍ତେ ବିରହିତା ବରାଂଗନେ

ବିଚାରଇ ନଳକୁ କେମନ୍ତେ ଦେଖିବି ନୟନେ ।୧୦୧।

ୟେସନେକ ବିକଳ ହୁଅନ୍ତେ ଦମୟନ୍ତୀ

ସନିଧ୍ୟରେ ନଳ ଯାଇଂ ଭେଟିଲାକ ଧାତି ।୧୦୨।

ଅଦଭୁତ ପୁରୁଷ ଦେଖି ପଚାରଇ ବାଳୀ

କେବଣ ଦିଗପାଳେ ହେ ତୁମେ ମନର ହିଆଳି ।୧୦୩।

ବୋଲଇ କୁମର ମୁହିଂ ସେ ହାଦେ ଅଟଇ ନଳ

ଦମୟନ୍ତୀ ବୋଇଲା ମୋହୋର କାର୍ଯ୍ୟ ତ ସୁଫଳ ।୧୦୪।

ଯେବଣ ରୂପ ଗୁଣ ତୋର କହିଲାକ ହଂସୀ

ତହୁଂ ଶତେ ଗୁଣରେ ତ ତେଜ ପରକାଶି ।୧୦୫।

ଶ୍ରୀକରେ ଘେନିଲା ନୀଳଉତ୍ପଳ ମାଳା

ନଳକୁମର ସନ୍ନିଧ୍ୟେ ପ୍ରବେଶ ଅବଳା ।୧୦୬।

ନଳ ବୋଇଲା ଦେବୀ ଗୋ ନ ବରନି ମୋତେ

ଦେବସ୍ତିରୀ ଅପର୍ଣ୍ଣା ହୋଇବୁ ମୋତେ ବରିବୁ କେମନ୍ତେ ।୧୦୭।

ତୋହୋର ନିମନ୍ତେ ଇନ୍ଦ୍ର କୁବେର ବରୁଣ ଅଗ୍ନି

ମୁହିଂ ହାଦେ ଆସିଅଛି ତାହାଂକର ସମସ୍ୟାନ୍ତ ଘେନି ।୧୦୮।

ଚାରିଦିଗପାଳେ ବିଜୟେ ସୟଂବରେ

ତାହାକଇଂ ବରିବୁ ଗୋ ନ ଇଛ ମୋହୋରେ ।୧୦୯।

ଦମୟନ୍ତୀ ବୋଲେ ମୋହୋର ଦେବେ କାର୍ଯ୍ୟ ନାହିଂ

ହଂସିନୀ ଯେବଣ ଦିନୁଂ ଗଲା ମୋତେ କହି ।୧୧୦।

ସେହିଦିନୁ ସଂକଳପ କରି ମୋର ଦେହୀ

ନଳ ବ୍ୟତ୍ରକେ ମୋର ଆନଗତି ନାହିଂ ।୧୧୧।

ଦମୟନ୍ତୀ ବୋଇଲେ ମୁହିଂ ହୋଇଲଇଂ ଯେ ରୋଗୀ

ତୁହି ସେ ମୋତେ ମଉଷଧି ଗାରେଡ଼ି ପରମ ଯୋଗୀ ।୧୧୨।

ନଳରାଜା ବୋଇଲେ ତୁ ମୁକୁଇ ବରିଲେ

ମୁହିଂ ବ୍ରତଇକି ଦେବତାଂକି କୋପକଲେ ।୧୧୩।

ଦମୟନ୍ତୀ ବୋଇଲେ ମୋହୋର ଯେହ୍ନେ ମନବାଞ୍ଚ୍ଥା

କିସ କରିବେ ଦିଗପାଳେ ତୋହୋରେ ମୋହୋର ଯେ ଇଛା ।୧୧୪।

ତୁହୋ ନଳରାଜା ଦେବତାଂକ ମେଳେ ଥିବୁଟିକି ରହି ।

ମୁହିଂ ମାଳାଗୋଟିୟେ ଦେଇ ବରିବି ତୁକୁଇ ।୧୧୫।

ଦମୟନ୍ତୀର ନିରାଶେଂ ବାହୁଡ଼ିଲେ ନଳ

ସୟଂବରେ ବିଜେକରି ଅଛନ୍ତି ଚାରି ଦିଗପାଳ ।୧୧୬।

ଦେବତାଂକ ସନ୍ନିଧ୍ୟେ ଯାଇଂ ନଳ ପରିଣାମି

ସାବଧାନେ ମୋହୋର ବାରତା ଶୁଣିମା ଦେବସ୍ଵାମୀ ।୧୧୭।

ଦମୟନ୍ତୀକି ଭେଟିଲେ ମୁହିଂ ତୁମ୍ଭର ନିମନ୍ତେ

ତୁମ୍ଭକଇଂ ଛାଡ଼ିଣ ସେ ଇଛଇ ହାଦେ ମୋତେ ।୧୧୮।

ଅଥବା ଯଦ୍ୟପି ଆସିଣ ବରିବ ହାଦେ ମୋତେ

ତୁମ୍ଭେ ତାଂକୁ ଘେନିଯିବ ବାହୁବଳ କୃତେ ।୧୧୯।

ଦେବତାୟେ ବୋଇଲେ ତୁ ଥାଅସି ଆମ୍ଭର କତି

ତୋହୋର ନିମନ୍ତେ ଅଇଲେ ଆମ୍ଭେ ହରିବୁ ଦମୟନ୍ତୀ ।୧୨୦।

ଦିଗପାଳମାନଂକର ରୂପ ଯେ ରାଜାମାନେ ଦେଖି

ବାହୁଡ଼ି ଯାଇଂ ଲୋଡ଼ନ୍ତି ସୟମ୍ଵର ଉପେକ୍ଷି ।୧୨୧।

ବୋଲଇ ମାନବ ଅବତାର ନୋହଇ ୟେହାଂକର ତନୁ

ବୃନ୍ଦାଅର୍କ ପ୍ରାୟେ ଶରୀର ଦିଶନ୍ତି କୃଶାନୁ ।୧୨୨।

ତାହାଂକର ସଂଗତେ ଦେଖ କୁମାର ନଳ

ସେହି ସେ ଦିଶୁଅଛି ସରୂପେ ଦିଗପାଳ ।୧୨୩।

ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ପାରାଶରି

ନଳ କାରଣ ପାଇଲା ମହତ ଦ୍ରଶନ କରି ।୧୨୪।

ଜୟତୁ ବାସବେ ଋଚିର ଦିବ୍ୟରୂପ

କାମେନୀ ମନସିଜ ମୋହନ କନ୍ଦର୍ପ ।୧୨୫।

ଅମର ବିଳାସୁଣୀ ଯେ ଚଉଷଠି କୋଟି

ୟେକା ପୁରୁଷକେ ୟେତକ ଦର୍ପ ଘୋଟି ।୧୨୬।

କୋଟିୟେ ବ୍ରହ୍ମାଣ୍ତର ସେ ଋଚିର ମୋହିନୀ

ପରଦାରା ଅର୍ଥେ କରି ହୋଇଲୁ ସସ୍ରଯୋନି ।୧୨୭।

କାମ୍ୟେକ ପୁରୁଷ ପରଦାରା ରଂଗରସେ ଭୋଳା

କଉତୁକେ ତୁ ଯେ ରମୁ ସ୍ତିରୀଲିଂଗ କୁତୂହୋଳା ।୧୨୮।

ୟେକା ଧରଣକେ ସହସ୍ରେ ନାରୀ ରମୁ

ଦିବାରାତ୍ରେ ସ୍ଵାମୀ ସ୍ତିରୀରସେ ଭ୍ରମୁ ।୧୨୯।

କୋଟିୟେ ବ୍ରହ୍ମାଣ୍ତର ନାଥ ଅଭୟେ ବିଡ଼ୋଜା

ଅନନ୍ତ ଅରବିନ୍ଦ ଅମର ଅସକନ୍ଦ ଦେବରାଜା ।୧୩୦।

ଯାହାର ବଚନେ ଚଳନ୍ତି ମେଘାଦି ପବନେ

ଜମ୍ଭୋଦତ୍ୟ ନିଶୋଧନ ଅମରାଧି ନାଥ ମଘବାନେ ।୧୩୧।

ବୃନ୍ଦାଅର୍କ ନାଥ ଚରଣେ ଶରଣ ଅନବ୍ରତେ

ତବ ଭୁବନ ମାଗଇ ବିନୟ ଯୁଗତେ ।୧୩୨।

ଶଚୀର ବଲ୍ଲଭ ତବ ପଦ୍ମପାଦେ ମମ ହୃଦ ଧ୍ୟାୟେ

ଶୂଦ୍ରମୁନି ସାରୋଳା ଦାସ ନମାମି ଦେବରାୟେ ।୧୩୩-୧୧୮୯।

 

ଦମୟନ୍ତୀ ସ୍ଵୟମ୍ଵର, ନଳ ଓ
ଦମୟନ୍ତୀଙ୍କ ବନବାସ ଏବଂ ବିଚ୍ଛେଦ

ବଦୟନ୍ତୀ ବେଦବ୍ୟାସ ବାବୁ ଶୁଣ ଯୁଝେଷ୍ଠିର

ଦମୟନ୍ତୀକି ଭୀମେକ ଆଣିଲା ସୟମ୍ଵର ସଭାର ।୧।

ବୋଇଲା ଗୋସାଇଂ ୟେହାର ପାଇଂ ମୁଂ ବରିଲି ନୃପତି ସବୁନ୍ତି

ୟେ ମୋହୋର ଦୁହିତା ଯେ ଅଟଇ ଦମୟନ୍ତୀ ।୨।

ୟେ ହାଦେ ଯାହାକଇଂ କରଇ ମନବାଞ୍ଚ୍ଥା

ମାଳାଦେଇ ବରିବ ୟେ ଯାହାକଇଂ ଇଚ୍ଛା ।୩।

ବିମଳା ନାମେଣ ଯେ ଦମୟନ୍ତୀର ମୁଦୁସଲୀ

ରାଜାଂକର ରୂପ ଗୁଣମାନ କହିଲା ନିରୋଳି ।୪।

ଗୁଣବନ୍ତ ଧନବନ୍ତ ଧାର୍ମିକ ବଳବନ୍ତ

ଯେ ଯେତେମାନେ ସକଳେ ପ୍ରାକର୍ମେ ଶକତ ।୫।

ଦେଖାନ୍ତେ କେହି ନ ରୁଚଇ ତାହାର ହୃଦୟ ବିକଳ

ଉପଲେସି ଚଉକତି ନିରୋପଇ ନଳ ।୬।

ଉତ୍ତର ଦକ୍ଷିଣ ପୂର୍ବ ପଚ୍ଛିମ ନୃପତି

ବ୍ରହ୍ମ କ୍ଷତ୍ରିୟ ବଇଶ୍ୟ ଶୂଦ୍ର ଚାରିଜାତି ।୭।

ରାକ୍ଷସ ପିଚାଶ ଯେ ଅସୁର କିରାତ

ବିମଳା ମୁଦୁସଲୀ ଦେଖାଇଲା ସମସ୍ତ ।୮।

କେଉଣହିଂ ରାଜାକଇଂ ନୋହିଲା ତାର ଇଚ୍ଛା

ୟେକାମାତ୍ର ନଳକଇଂ ହୃଦଗତେ ବାଞ୍ଚ୍ଥା ।୯।

ଈଶାନଭାଗେ ବିଜୟେ ବୃନ୍ଦାଅର୍କେ

ନଳକଇଂ ଦେଖିଲା ଦେବୀ ତାହାଂକ ସମୀପେ ।୧୦।

ଶ୍ରୀଭୁଜେ ସୁନ୍ଦରୀ ଘେନିଣ ରତ୍ନମାଳୀ

ବୋଇଲା ପାଇଲି ସ୍ଵାମୀ ମୋର ମନରୁ ହିଆଳି ।୧୧।

ଦିଗପାଳଂକ ସନ୍ନିଧ୍ୟେ ଆସଇ ସୁନ୍ଦରୀ

ମୁକୁଇ ବରିବ ବୋଲି ଇନ୍ଦ୍ର ମନରେ ବିଚାରି ।୧୨।

କୁବେର ବିଚାରଇ ମୁହିଂ ଅଟଇ ଧନାଧି

ମୁକୁଇ ବରିବ ନିଶ୍ଚେ ସେ ଯୁବତୀ ରତ୍ନନିଧି ।୧୩।

ବରୁଣ ବୋଇଲା ମୁଂ ଜଳଧିପତି ରାଜା

ଯୁଗତେ ୟେହି ମୋର ହୋଇଲା ଭାରିଜା ।୧୪।

ଅଗ୍ନିଦେବତାୟେ ବିଚାରନ୍ତି ଆମ୍ଭେ ତ୍ରଇଲୋକ୍ୟର ଗୁରୁ

ବିଚାରଇ ଦମୟନ୍ତି ଆଜ ଆମ୍ଭନ୍ତ ହିଂ ସେ ବରୁ ।୧୫।

ୟେସନେକ ବିଚାରି ଦେବତାୟେ କରନ୍ତି ମନୋବାଞ୍ଚ୍ଥା

ନଳକୁମାର ବ୍ୟତ୍ରକେ ତାର ଆନ ନାହିଂ ଇଚ୍ଛା ।୧୬।

ଦେବତାୟେ ଜାଣିଲେ ଦମୟନ୍ତୀର ପ୍ରକୃତି

ବିଚାରି ଦିଗପାଳ ହୋଇଲେ ନଳମୃତ୍ତି ।୧୭।

ପଞ୍ଚପୁରୁଷସବାରେ ଦେଖିଲାକ ବାଳୀ

ନଳ କେହୁ ବୋଲି କରି ବାରିତ ନୁଆରି ।୧୮।

ଦମୟନ୍ତୀ ପ୍ରଣ୍ୟପତ୍ୟ ଦେବତାଂକ ପଦ୍ମପାୟେ

ନଳକୁ ହାଦେ ପ୍ରାପତ ମୋତେ କରିବା ଦେବତାୟେ ।୧୯।

ଦେବତାୟେ ବୋଇଲେ ତୋହୋର ମନର ହିଆଳି

ଅନରୂପ ଦେଖି ଦେଉନିକା ପୁଷ୍ୟମାଳୀ ।୨୦।

ଦମୟନ୍ତୀ ବୋଇଲା ମୁଂ ଅଟଇ ମାନବୀ

ମାନବୀ ହୋଇ କେମନ୍ତେ ଦେବତାନ୍ତ ବରିବି ।୨୧।

ତୁମ୍ଭର କଷଣକୁ ମୁହିଂ ଯେ କିସ କ୍ଷମ

ସଦୟ ଭୂତନାଥ ମୁକୁ ଉଦୟେ କର ଧର୍ମ ।୨୨।

ଅନେକ ବିନୟୀ ସେ କ୍ରୋଧେଣ ଦମୟନ୍ତୀ

ବଇକୁଲ୍ୟ ଦେଖିଣ ଦେବତାୟେ ହୋଇଲେକ ଶାନ୍ତି ।୨୩।

ଯେ ଯାହାର ରୂପ କଲେକ ନିଉନ

ନଳରୂପ ଦିଶିଲା ସବୁହୁଂ ବିତପନ ।୨୪।

ଶ୍ରୀକରେ ସୁନ୍ଦରୀ ଘେନିଲା ରତ୍ନମାଳ

ସନ୍ନିଧ୍ୟେ ଭେଟାଇଲା ଯାଇ ପୁରୁଷସୁନ୍ଦର ନଳ ।୨୫।

ନଳ ବୋଇଲେ ଗୋସାଇଂ ତୁମ୍ଭେ ବିଜେକର ସ୍ଵର୍ଗେ

ତେବେ ସେ ବରଣମାଳା ଘେନି ପାରଇ ଯୋଗେ ।୨୬।

ନଳର ବଚନେ ଅଦୃଶ୍ୟ ହୋଇଲେ ବୃନ୍ଦାଅର୍କେ

ଶୂନ୍ୟେଣ ଥାଇ ଦେଖନ୍ତି ସର୍ବ ଦେବଲୋକେ ।୨୭।

ଦେଖିଣ ସାନନ୍ଦ ଯେ ଭୀମେକର ବାଳୀ

ନଳର କଣ୍ଠେ ନେଇ ଦିଲାକ ରତ୍ନମାଳୀ ।୨୮।

ଯହୁଂ ନଳକୁମାରକୁ ବରିଲା ଦମୟନ୍ତୀ

ଦେଖିଣ ହରଷ ହୋଇଲେ ସକଳ ନୃପତି ।୨୯।

ଅନେକ ସାନନ୍ଦ ସେ ଭୀମକ ମହାଦେବା

ବଡ଼ାଇ ସମ୍ଭର୍ବେ ନଳ ଦମୟନ୍ତୀକି କରାଇଲେ ବିଭା ।୩୦।

କନ୍ୟାକଇଂ ଘେନିଣ ନଳ ଚଳଇ ନିଜଦେଶେ

ପୁରଜନମାନେ ମିଳି ଦେଖନ୍ତି ହରଷେ ।୩୧।

ନଳ ଦମୟନ୍ତୀ ଯେ ହୋଇଲେ ୟେକଯୋଗ

ବିଳସଇ ସୁନ୍ଦରୀ କରଇ ବଇଭୋଗ ।୩୨।

ୟେସନେକ ସମୟେ ଦମୟନ୍ତୀ ସୟଂମ୍ଵର ଶୁଣି

ତ୍ରେତୟା ଦ୍ଵାପର କଳି ସତ୍ୟଯୁଗେ ଘେନି ।୩୩।

ସେହି ଆସୁଛନ୍ତି ଦମୟନ୍ତୀଂକି କରି ଇଚ୍ଛା

ପବନହୁଂ ବେଗକରି ଆସନ୍ତି କଇଚ୍ଛା ।୩୪।

ଯାଆନ୍ତେଣ ଚାରିଯୁଗେ ଇନ୍ଦ୍ର ତାଂକୁ ଦେଖି

ବୋଲନ୍ତି ଚାରିହେଂ ତୁମ୍ଭେ ଗବନ କରୁଛ କାହିଂକି ।୩୫।

ପୁଷ୍କର ବୋଇଲେ ଧ୍ୟାୟେ ଯିବୁ ମଧୁପୁର

ଦମୟନ୍ତୀ ହରିବୁ ଆମ୍ଭେ ପଶିଣ ସୟଂବର ।୩୬।

ଇନ୍ଦ୍ର ବୋଇଲେ ଥିଲୁ ଆମ୍ଭେ ଚାରିଦିଗପାଳେ

ଆମ୍ଭକଇଂ ଛାଡ଼ିଣ ସେ ବରିଲାକ ନଳେ ।୩୭।

କନ୍ୟା ବିଭା ହୋଇଲାକ ନଳ ଯେ ନୃପତି

ନଇଷଧ ଦେଶେ ସେ ବିଳସଇ ଦମୟନ୍ତୀ ।୩୮।

ଶୁଣିଣ କୋପ କଲେ ଯୁଗ ଯେ ଚାରି

ଆମ୍ଭନ୍ତ ନ କହି କିଂପେ ସୟଂବର କରି ।୩୯।

ଆମ୍ଭେ ସେ ଭୂଅପାଳ ଚାରିଯୁଗ ଅଟୁଂ

ବିହନ୍ତା ପୁରୁଷ ଆମ୍ଭେ ଲୋକପାଳେ ଖଟୁଂ ।୪୦।

ଆମ୍ଭନ୍ତ ନ ବରି କେହ୍ନେ କଲାକ ସୟଂବର

ଆବର କିସ କଥା ରହିଲା ଆମ୍ଭର ।୪୧।

ଚାଲ ଆମ୍ଭେ ହରିବା ୟେବେ ନଳର ସଂପଦ

ଯେମନ୍ତେ ପାରି ଆମ୍ଭେ କରିବା ପ୍ରମାଦ ।୪୨।

ଇନ୍ଦ୍ର ବୋଇଲେ ନଳ ଧାର୍ମିକ ସତ୍ୟବାଦୀ

ଦାନ ଧର୍ମେଣ ସେ ସକଳ ସଂପାଦି ।୪୩।

ଯୁଗ ପୁରୁଷ ବୋଇଲେ ନ ଜାଣ କି ତୁମ୍ଭେ

ଧର୍ମେଣ କଷଣ ଯେ କରିଥାଉଂ ଆମ୍ଭେ ।୪୪।

ଇନ୍ଦ୍ର ବୋଇଲେ ତୁମ୍ଭେ ବିହନ୍ତା ପୁରୁଷ

ଆମ୍ଭର ବୋଲକର ଧର୍ମ ନ କର ନାଶ ।୪୫।

ଦେବତାଂକ ବଚନେ ସେ ନ କଲେ ବଇରାଗ

ନଇଷଧ ଦେଶକୁ ସେ ଚଳିଗଲେ ବେଗ ।୪୬।

ଚାରିଯୁଗ ଯାଇଂ ରହିଲେ ଗୁପତେ

ନଳରାଜାକଇଂ ଛିନ୍ଦ୍ର ଘେନିମା ନିମନ୍ତେ ।୪୭।

କହନ୍ତି ବ୍ୟାସମୁନି ଯେ ଶୁଣ କୁନ୍ତୀସୁତ

ବଡ଼ାଇ ଧର୍ମବନ୍ତ ଯେ ନଳକର ନାଥ ।୪୮।

ପୁତ୍ରହୁଂ ସ୍ନେହକରି ପାଳଇ ଜନପ୍ରଜା

ମାଣେକ ଭୂମିରେ ସେ ଚିନାୟେ ଘେନଇ ସଂଜା ।୪୯।

ଅତିଥି ଅଭ୍ୟାଗତେ କରଇ ରାଜା ଭୟେ

ଦୁଖୀ ଲୋକଇଂ ଦେଖିଲେ ଅହର୍ନିଶି ସଦୟେ ।୫୦।

ମାଗନ୍ତା ଜନେ ସେ , ଯେ ଯାହାର ଇଚ୍ଛା

ଦିଅଇ ନରନାଥ ପୂରୋଇ ମନବାଞ୍ଛା |୫୧|

କୋଟିୟେ ହୋମ ଯାଗ ଅହନଶି ଆହୁତି

ଦେବ ବିପ୍ରେ ରାଜା ଅହନଶି ଭଗତି |୫୨|

ଯେଣେ କାର୍ଯ୍ୟ ହୋଇବ କିଣଇ ଧନ ଦେଇ

କିଞ୍ଚିତ ପଦାର୍ଥ କଇଂ ବଳାତ୍କାର ନାହିଂ |୫୩|

ମିଥ୍ୟା ନ ଭାଷଇ ପରସ୍ତିରୀରେ ନାହିଂ ମତି

ୟେକାପତ୍ନୀ ତାହାର ଅଟଇ ଦମୟନ୍ତୀ |୫୪|

ଅପୂର୍ବ ପଦାର୍ଥମାନ ରାଜା ଦମୟନ୍ତୀ କି ଦେଇ

ଅତିଥେ କଷଣ ହୋଇବ ବୋଲି ଯତନେ ଥୋଇ ଥାଇଂ |୫୫|

ରାତ ପ୍ରହରେ ଥାଉଂ ସାରଇ ନିତ୍ୟକର୍ମ

ଧାର୍ମିକ ପଣେ ତାର ନାହିଂ ନା ବିଶ୍ରାମ |୫୬|

ଯଦ୍ୟପି କରିବେ ଜନେ ଅନେକ ଅପ୍ରାଧ

ତଦ୍ୟାପିହିଂ ରାଜ୍ୟେ ତାର ନାହିଂନା ଶିରଚ୍ଛେଦ |୫୭|

ଅନୁବ୍ରତେ ଧାର୍ମିକ ରାଜାର ବଡ଼ାଇ ମହିମାଂ

କଷଣ ପୁରୁଷେ ପଶିତ ନୁଆରଇ ସୀମା |୫୮|

ଅନେକ ଥାନେ ଜଗିଥାନ୍ତି ଅନୁବ୍ରତେ

ୟେ କିଛିହିଂ ଛିଦ୍ରେ ନୁଆରିଲେ ଦ୍ଵାଦଶ ବରଷ ପରିଯନ୍ତେ |୫୯|

ଦେଖିଲେ ରାଜାର ପଶାଖେଡ଼େ ବଡ଼ ସ୍ରାଗ

କ୍ଷିଦ୍ର ଜାଣି ତହିଂ ବିଶ୍ରାମିଲେ ଚାରିଯୁଗ |୬୦|

ତୁଳକୃଷ୍ଣ ଦଶମୀ ଦିନ ରାଜା ସ୍ରାହାନ କରି ଅଇଲା

ପାଦ ଶଉଚ ନ କରି ରାଜା ଆଂଚୋବନ କଲା |୬୧|

କ୍ଷୁଧାର ଆରତେ ସେ ନଳ ମହାରାଜା

ଅଳପ ମାତ୍ର କଲା ସେ ଛଡ଼ଅର୍ଘ୍ୟ ପୂଜା |୬୨|

ଆଂଚୋବନ କାଳେ ରାଜା ଉତ୍ତରକୁଇଂ ମୃତ୍ତି

କ୍ଷିଦ୍ରପାଇ କଳିକାଳ ପଶିଲା ଗର୍ଭେ ଝାତି |୬୩|

ଅନୀତି କର୍ମେ ରାଜାର ବଳିଲାକ ଆଶା

ନଶନ୍ତକାଳେ ରାଜା ଖେଳନ୍ତି ଜୂଅ ପଶା |୬୪|

ନଳ ବୋଇଲା ଗୋ ପଶା ଖେଳିବା ଦମୟନ୍ତୀ

ଭାରିଯାର ତୁଲେ ରାଜା ପଶା ଖେଡ଼ନ୍ତି ଦିବାରାତି |୬୫|

ଦ୍ଵାପର ଯୁଗ ଯେ ହୋଇଲା ପଶାସାର

ଯୁଗ ବେନି କାଠି ହୋଇଲା ଆବର |୬୬|

ନଳ ଖେଳନ୍ତି ସେ ପଶାୟେଣ ଜିଣି

ଜଗୁଜିତା ବୋଲି ରାୟେ ବୀରଧୂ ବଖାଣି |୬୭|

ନଳର ପ୍ରତଗ୍ୟାଂ ଯେ ଶୁଣିଣ ପୁଷ୍କର

ବ୍ରାହ୍ମଣେକ ହୋଇଣ ସେ ପଶାକୁ ବଶିଜାର |୬୮|

ନଳର ତୁଲେ ସେ ପଶିଲା ପଶା ଖେଳି

ପାଡ଼ନ୍ତେ ନଳକୁ ହରାଇଲା କଳି |୬୯|

ରାଜ୍ୟଭଣ୍ଡାର ରଥ ଗଜ ଅଶ୍ଵ ସହିତେ

ମାୟା ବ୍ରାହ୍ମଣ ଜିଣିଲା କ୍ଷଣମାତ୍ରେ |୭୦|

ଇନ୍ଦୁ ମଦନ ବ୍ରହ୍ମ ବୋଲି ତିନିପୁତ୍ର

ହାରାବତୀ ବୋଲିକରି ୟେକଇ ଦୁହିତ |୭୧|

ମୁଦୁସୁଲୀକଇଂ ରାଇ ଆଗ୍ୟାଂ ଦିଲା ରାଣୀ

ଆଲୋ ସମସ୍ତ ହାରିଲେ ୟେ ନଳ ନୃପମଣି |୭୨|

ପୁଅନ୍ତ ନିଅ ମୋର ବିବାନେ ବସାଇ

ମୋହୋର ପିତାପୁରେ ଛାଡ଼ିଆସ ଯାଇ |୭୩|

ମହାଦେଈଂକ ବଚନେ ପୁତ୍ର ଦୁହିତାନ୍ତ ନେଲା

ବଇଧର୍ବ ଦେଶେ ନେଇ ପୁତ୍ରନ୍ତ ଲୁଚାଇଲା |୭୪|

ପୁଷ୍କର ବୋଇଲା ହାରିଲୁ ସର୍ବ ନଳ

ସଂପଦଯାକ ତୋହୋର ହରିଲାକ କାଳ |୭୫|

ବିପାକ କର୍ମେ ଯେ ନୁଆରିଲୁ ଜାଣି

ପୁଷ୍କର ବୋଇଲା ୟେଘାନ୍ତି ପୀଢ଼କର ତୋହୋର ଯେ ରାଣୀ |୭୬|

ତୋହୋର ପୀଢ଼କରନ୍ତେ ରାଜ୍ୟଭାର ସହିତେ

ମୁହିଂ ଆତ୍ମା ବିକ୍ରୟେ ହୋଇବି ଜାଣ ତୋତେ |୭୭|

ହାରିଣ ନଳରାଜା କଲାକ ସନମତ

ଦମୟନ୍ତୀ ବୋଇଲା ନାଥ ନୋହଇ ୟେମନ୍ତ |୭୮|

ଶୁଣିକରି ନଳରାଜା ବିଷାଦ ହୋଇଲା

ଶିରେ କର ଦେଇଣ ଯେ ଦଇବ ସୁମରିଲା |୭୯|

ପୁଷ୍କର ବୋଇଲା ଯେବେ ନ ଖେଳିବୁ ରାଜା

ୟେ ମୋହୋର ରାଜ୍ୟରୁ ତୁ ବହନ ହୋଇ ଯା ଯା |୮୦|

କେହ୍ନେ ତୁହି ଦାତବ୍ୟରେ ଧାର୍ମିକ ବୋଲାଉ

ହାରିଲା ଭୂମିରେ ତୁହି କିପାଂଇ ରେ ରହୁ |୮୧|

ଦମୟନ୍ତୀ ବୋଇଲେ ହୋ ଶୁଣ ଦେବସ୍ଵାମୀ

ପଶାରେ ହାରିଲ ହୋ ସମସ୍ତ ରାଷ୍ଟଭୂମି |୮୨|

ନିର୍ଲଜ ମୁଖେ କିଂପେ ୟେଥି ଆମ୍ଭେ ଥିବା

ଛାଡ଼ି ଦେଶ ଘୋଷ ଦୁହେଂ ବନଗାମୀ ହେବା |୮୩|

ଦମୟନ୍ତୀ ଘେନିଣ ସେ ନଳ ନୃପମଣି

ଛାଡ଼ିଣ ନିଜ ରାଜ୍ୟ ସେ ହେଲେ ବନଗାମୀ |୮୪|

ସମସ୍ତ ଛାଡ଼ିଲେ ଘେନିଲା ସେ ପୁଷ୍କର ବ୍ରାହ୍ମଣ

ୟେକ ୟେକ ବସ୍ର ପହୁଡ଼ି ପଶିଲେ ବନସ୍ତେଣ |୮୫|

ବଞ୍ଚନ୍ତି ବନେ ଦିନ ସେ କନ୍ଦମୂଳ ଭକ୍ଷି

ଦିନେକ ବନସ୍ତେ ବୁଲି ନ ପାଇଲେ କିଛି |୮୬|

ଦିନା ପାଞ୍ଚସାତ ସେ ରହିଲେ ନିରାଶି ଉପବାସେ

ଶରୀର କ୍ଷୀଣ ହୋଇଲା ମଳିନ କେଶବାସେ |୮୭|

ବିଛା ଶୁକଳ ସେ ଦଶମୀର ଦିନ

ସଉରିବାର ଉତ୍ତର ଭାଦ୍ରୟ ବିଦ୍ୟମାନ |୮୮|

ନଳ ଦମୟନ୍ତୀ ଦୁହେଂ ମାଧବୀଲତା ତଳେ ଛନ୍ତି ବସି

ସୁବର୍ଣ୍ଣ କପୋତ ଦୃଶ୍ୟ ହୋଇଲାକ ଆସି |୮୯|

ହସଇ ରାଣୀ ଦେଖି ସୁବର୍ଣ୍ଣ ପଚ୍ଛୀ ଲୋଭେ

କପୋତକୁ ଦିଅ ସ୍ଵାମୀ ବୋଲନ୍ତି ସରାଗେ |୯୦|

ହାରିଣ ତହୁଂ ରାଜା ସୁବର୍ଣ୍ଣର ଲୋଭେ

ସେ ସୁବର୍ଣ୍ଣ କୋପତକଇଂ ଧରି ଲୋଡ଼ଇ ସ୍ରାଗେ |୯୧|

ପିନ୍ଧିଲାର ବସ୍ରଗୋଟି ପାଲଟି ନଳରାୟେ

କପୋତ ଉପରକୁ ଫିଙ୍ଗିଦିଲେ କରିଣ ଫାଶ ଗୋଟାୟେ |୯୨|

ମାୟାବୀ କପୋତ ସେ ପ୍ରତ୍ୟକ୍ଷେ କଳିକାଳ

ବସ୍ରଘେନି ଉଡ଼ିଲା ସେ ଗଗନ ମଣ୍ଡଳ |୯୩|

ଲାଜେ ବାହାର ନୋହଇ ରାଜା ଲତାର ଭିତରୁ

ଦମୟନ୍ତୀ ବୋଇଲା ନାଥ ଆସକିନା କିସ କରୁ |୯୪|

ନଳର ଉଲଗ୍ନ ଦେଖିଣ ଦମୟନ୍ତୀ

ଆପଣା ଶାଢ଼ୀ ପଣନ୍ତ ପିନ୍ଧାଇଲା ଧାତି |୯୫|

ୟେକା ବସ୍ରେକ ପିନ୍ଧିଲା ପ୍ରଭୁ ସେ ଭାରିଯା

ଶିରୀ ହାନି ହୋଇଲା ସମସ୍ତ ଗ୍ୟାନ ଗଲା ତେଜ୍ୟା |୯୬|

ବୁଲନ୍ତେ ବୁଲନ୍ତେ ରାଜା ଅଗ୍ୟମ ବନସ୍ତେ

ମଣ୍ଡୋପେକ ଦେଖିଲା ସେ ମାୟାରେ ଅଦଭୂତେ |୯୭|

ସେହି କଳିକାଳ ମଣ୍ଡୋପେକ ହୋଇ

ପତି ପତ୍ନୀ ଛଡ଼ାଛଡ଼ି କରିବାର ପାଇଂ |୯୮|

ନଳରାଜା ପୁଚ୍ଛା କଲେ ଶୁଣ ଗୋ ଦମୟନ୍ତୀ

ପିତାର ରାଜ୍ୟକୁ ତୋର ବାଟ କେଉଂଣ କତି |୯୯|

ଦମୟନ୍ତୀ ବୋଇଲା ନାଥ କିଂକେ ପାପ ଧରୁ ହୃଦଗତେ

କି ଅବା ପିତା ରାଜ୍ୟକୁ ପଠିଆଇ ଲୋଡ଼ୁ ମୋତେ |୧୦୦|

ନଳରାଜା ହୋଇଲେ ମୁହିଂ ସେ ମହାଦୁଖୀ

ପିତାର ଘରେ ଥିବୁ ତୁ ହୋଇଣ ବଡ଼ ସୁଖୀ |୧୦୧|

ଦମୟନ୍ତୀ ବୋଇଲା କେହ୍ନେ କରିବି ତୋତେ ତେଜ୍ୟା

ଦୁଖର କାଳକୁ ସିନା କରିଛି ଭାରିଯା |୧୦୨|

ନାନା ଝଗଡ଼ା ଯେ ପାଉଥାଇଂ ପତି

ଭାରିଯା ଦେଖନ୍ତେଣ ସମସ୍ତ ହୋଅଇ ଶ୍ୟାନ୍ତି |୧୦୩|

ବିପତ୍ତି କାଳକୁ ସେ ପ୍ରସରଇ ବୁଦ୍ଧି

ଦୁଖର କାଳକୁ ସେ ଭାରିଯାହିଂ ମଉଷୋଧି |୧୦୪|

ଭାରିଯା ଘେନି କୁଟୁମ୍ଵ ନ ଜାଣୁ କି ନାହା

ପୁରୁଷର ଅର୍ଦ୍ଧ ଅଂଗ ଭାରିଯା ସେ ସାହା |୧୦୫|

ସ୍ଵାମୀ ଥାଉଂଣ ଯେଉଂ ସ୍ତିରୀ ପଳାନ୍ତି ଉପେକ୍ଷି

ସଂଚୟେ ଦୁରାଚାରୀ ସେ ବନ୍ଧୁ ବାନ୍ଧବ ନ ଗଚ୍ଛି |୧୦୬|

ଯଦି ଅବା ପ୍ରାଣ ସମୟେକ ଥିବ

ମୋହୋର ଛାଡ଼ିଗଲେ ତତକ୍ଷଣାନ୍ତି ମରିବ |୧୦୭|

ସ୍ଵାମୀର ଯେବେ ଦୁଖ ଭାରିଯା କିସ ସୁଖୀ

ମନ୍ଦବାଟି ସ୍ତିରୀ ସେ ଯାନ୍ତି ସ୍ଵାମୀକି ଉପେକ୍ଷି |୧୦୮|

ଦମୟନ୍ତୀ ବୋଇଲେ ସ୍ଵାମୀ ମୋର ବୋଲେକ କରିବା

ଦୁହେଂ ଚାଲ ୟେବେ ମୋର ପିତା ରାଜ୍ୟକଇଂ ଯିବା |୧୦୯|

ବିଭାକାଳେ ମଧୁଶଯ୍ୟାରେ ନିୟମ କଲୁ ଯାହା

କ୍ଷଣେ ଛଡ଼ାଛଡ଼ି ନୋହିବା ପାଶୋରିଲ କି ତାହା |୧୧୦|

ନଳ ବୋଇଲା ଶରୀର ବସ୍ରହୀନ ଖୁନ ତେଜ

ୟେ ରୂପେ ପିତା ଘରକୁ ଗଲେ ପାଇବାନା ଲାଜ |୧୧୧|

ନଳ ବୋଇଲା ଦମୟନ୍ତୀ ଗୋ ବିପତ୍ତିର କାଳେ

ବନ୍ଧୁହିଂ ନ ଚିହ୍ନଇ କର୍ମର ଅବଳେ |୧୧୨|

ଦମୟନ୍ତୀ ବୋଇଲା ୟେମନ୍ତ ଭାଳୁ ଯେବେ ହୃଦେ

ୟେ ମଣ୍ଡୋପେ ଶରୀର ଛାଡ଼ିବା ଆସ ହାଦେ |୧୧୩|

ୟେଡ଼େକ ବିଚାର ତହିଂ ବସିଲେକ ବେନି

ନିଦ୍ରାର ଅଳସରେ ଯେ ଶୁତିଲା କାମେନୀ |୧୧୪|

ନଳରାଜା ରାଜ୍ୟଭାର ସମସ୍ତହିଂ ହାରି

ନିଦ୍ରାକଇଂ ଇଚ୍ଛା କି ବଳଇ ତାହାରି |୧୧୫|

ନିଦ୍ରାରେ ଅଚେବନ ଯହୁଂ ହୋଇଲେ ଦମୟନ୍ତୀ

ଦେଖିଣ ବିଚାରଇ ନଳ ଯେ ନୃପତି |୧୧୬|

ୟେହାକୁହିଂ ଆଶା କଲେ ଚାରି ଦିଗପାଳେ

ମୋତେ ସିନା ବରିଲା ପାମେରୀ ମନ୍ଦବେଳେ |୧୧୭|

ଦିଗପାଳମାନେ ଯହୁଂ ପାଇଲେକ ଲଜ୍ଜା

ତାହାଂକର କୋପେ ମୁଂ ରାଜ୍ୟ ହେଲି ତେଜ୍ୟା |୧୧୮|

ୟେ ମୋତେ ନିଚୟ ଯେ ହୋଇଲା କାଳସର୍ପ

ଚନ୍ଦନ ବୃକ୍ଷ ହୋଇ ମୁଂ ହୋଇଲି ହତରୂପ |୧୧୯|

ଦମୟନ୍ତୀ ଅବିଗୁଣ ବାଛି ନଳରାୟେ

ପଣନ୍ତ ଚିରିବାକୁ କରଇ ଉପାୟେ |୧୨୦|

ଯେତେବେଳେ ପ୍ରାଣୀକି ହୋ ପଡ଼ଇ ବିପଦ

ସୁନ୍ଦରୀ ଭାରିଯା ସଂଗେ ଥିଲେ ପଡ଼ଇ ପରମାଦ |୧୨୧|

ଭାରିଯାକୁ ପୋଷି ନୁଆରିଣ ରାଜା ନଳ

ମନେ ମନେ ଭାଳିଣ ସେ ହୋଇଲା ବିକଳ |୧୨୨|

ଦମୟନ୍ତୀକି ତେଜ୍ୟାକରି ଯାଇତେ ଭାଳଇ

ଶାଢ଼ୀ ପଣନ୍ତ ଚିରୁ ଚିରୁ ନ ପୁଣି ଚିଆଇଂ ।୧୨୩।

କେଉଂଣ ଉପାୟେ ୟେହା ମୁଖରୁ ହେବି ପାର

ମନେ ମନେ ସେ ରାଜା କରଇ ବିଚାର ।୧୨୪।

ତ୍ରଇଲୋକ୍ୟ ମୋହିନୀ ସେ ଯାହାର ଭାରିଯା

ବିପଦ କାଳକୁ ସେ ନଳରାଜା ତାକୁ କଲା ତେଜ୍ୟା ।୧୨୫।

ପଣନ୍ତ ଚିରିତେ ମନେ ବିଚାରଇ ରାୟେ

ଚାଳରୁ ଖସି ପଡ଼ିଲା କଟାରି ଗୋଟାୟେ |୧୨୬|

ଦେଖିଣ ନଳରାଜା ଉଷତ ଭାବ ମତି

କଟୁରି ଘେନି ପଣତ ଛେଦିଲା ତଡ଼ତି |୧୨୭|

ପଳାଇ ପଶିଲା ଯାଇ ଗହନ କାନନେ

ଲେଉଟି ନ ଚାହିଂଲା ସେ ଗମିଲା ନବ ଯୋଜନେ |୧୨୮|

ବଦନ୍ତି ବ୍ୟାସମୁନି ଶୁଣ ଆହୋ ଯୁଝେଷ୍ଠି

ଚିଆଇଂ ଦମୟନ୍ତୀ କଉମୋଡ଼ି ଉଠି |୧୨୯|

ବେନିହାଥେ ଆପଣେ ମର୍ଦ୍ଦର ବେନିଡୋଳ

ସାଷ୍ଟାମ ହୋଇ ଚାହାଂଇ ସନ୍ନିଧ୍ୟେ ନାହିଂ ନଳ |୧୩୦|

ହାହା ପ୍ରାଣନାଥ କେଣେ ଗଲୁ ସ୍ଵାମୀ

ମୃକ୍ଷାଗତ ହୋଇ ସେ ପଡ଼ିଲାକ ଭୂମି |୧୩୧|

ଦୁଖୀର ସଂଘାତ ମୋର କେଉଂଣ କତି ଗଲୁ

ପୋଷିବାର ଡରେ ମୋତେ ଛାଡ଼ି ପଳାଇଲୁ |୧୩୨|

କି ଅବା ଭକ୍ଷିଲେ ତୁମ୍ଭନ୍ତ ବନ ଦୁଷ୍ଟଜୀବେ

ଅଥବା ତେଜ୍ୟା ମୋତେ କଲ କି ଅଭାବେ |୧୩୩|

ସାଷ୍ଟାମ ହୋଇ ବୃକ୍ଷେ ଉଠିଲେ ଦମୟନ୍ତୀ

ଆହା ନଳ ନଳ ବୋଲି ଡ଼ାକ ଦିଅଇ ଚଉକତି |୧୩୪|

ଖୁଞ୍ଚ କଣ୍ଟା ନ ମାନଇ ଧାମଇଂ ବନେ ହେଟି

କେବଣ କତି ଗଲୁ ମୋର ହୁଦର ବାନ୍ଧବ ଗୋଟି |୧୩୫|

ମୁହିଂ ତୋର ନିଉଛଣା ଘେନିଯାଇ କିନା ନାହା

ୟେଡ଼େ ଭାବ ତେଜି କଲୁ ମୋତେ କାହା |୧୩୬|

ସ୍ଵତୀର କ୍ରାଧ ଦେଖି ବ୍ୟାଘ୍ର ଭଲ୍ଲୁକ ବନଜୀବମାନେ

ପ୍ରଣପତ୍ୟ ହୋଇଲେ ଆସି ଦମୟନ୍ତୀ ସନ୍ନିଧାନେ |୧୩୭|

ମାଗୋ ଆମ୍ଭେ କି ନ ଜାଣୁ ତୋହୋର ନଳ ନୃପତି

ଜନେ ନଗ୍ର ଉପଦର୍ପ କଲେ ନ ଦିଅଇ ଶାସ୍ତି |୧୩୮|

ଯେ ଆମ୍ଭନ୍ତ ଗୋ ରକ୍ଷାକରଇ ୟେକବାର

ଶତେବାର ପରିଯନ୍ତେ ଦୋଷ ନ ଧରୁ ତାହାର |୧୩୯|

ହିତ ଅଣହିତ ଦେଖିଲେ ଆମ୍ଭେ ଜାଣୁ

ପଶୁଜନ୍ତୁ ବୋଲି କି ଆମ୍ଭନ୍ତ ୟେମନ୍ତ ମଣୁ |୧୪୦|

କଟାରିରେ ନଳ ପଣନ୍ତ ତୋର କାଟି

ଗହଳ ବନେ ପଳାୟେ ନ ଚାହେଂ ଲେଉଟି |୧୪୧|

ଦମୟନ୍ତୀ ବୋଇଲା ନାହା ୟେଡ଼େକ ନିର୍ଦ୍ଦୟେ

ମୋତେ ଛାଡ଼ିତେ କଲୁ ୟେମନ୍ତ ଉପାୟେ |୧୪୨|

ୟେ କେବେହେଂ ନୋହଇ ନା ପୁରୁଷ ଲକ୍ଷଣ

ଭାରିଯା ତେଜ୍ୟାକରି ବ୍ରତିବ ଆପଣ |୧୪୩|

ତୋହୋର ନିମନ୍ତେ ଉପେକ୍ଷିଲି ଦେବତାଂକୁ

ୟେତେବେଳେ ସ୍ଵାମୀ ୟେହା କରିଗଲୁ ମୁକୁ |୧୪୪|

ପୋଡ଼ୁ ପୋଡ଼ୁ ସ୍ତିରୀଜନ୍ମ ନୋହୁ ନୋହୁ ଜାୟେ

ସଂପଦେ ଆବୋରି ଥାୟେ ବିପଦେ ଛାଡ଼ି ଯାୟେ |୧୪୫|

ପଞ୍ଚଭୂତ ଆତ୍ମାରେ ହୋଇଥାଇ ଅଧିକାରୀ

ଚାଣ୍ଡାଳ ପୁରୁଷ ଜାତି କ୍ଷଣକେ ଯାଇ ୟେଡ଼ି |୧୪୬|

ହେ ଦଇବ ପୁରୁଷ ମୋର ବ୍ରତିବା କେବଣ କାରଣ

ନିର୍ଲଜ ଆତ୍ମା ମୋର ଯାଉ ୟେହିକ୍ଷଣ |୧୪୭|

କାନ୍ଦଇ ସୁନ୍ଦରୀ ଯେ ବୁଲଇ ବନସ୍ତେ

ଅଜଗର ଗୋଟାୟେ ଦେଖିଲା ଅଜମିତ ବନସ୍ତେ |୧୪୮|

ଦେଖିଣ ସର୍ପ ଯେ ଧାଇଂଲା ତତକ୍ଷଣାନ୍ତି

ଆକ୍ରୋଷିଣ ଗିଳି ସେ ଆଣଇ ଚରଣର କତି |୧୪୯|

ନିରେଖ ସୁନ୍ଦରୀ ସେ ରୋବେ ଅତି ତାପେ

ରକ୍ଷାକର ନାହା ମୋତେ ଭକ୍ଷୁଅଛି କାଳସର୍ପେ |୧୫୦|

ଅଜ ନାମେ କିରାତ ବନସ୍ତରେ ବୁଲୁଥିଲା

ନାରାଜେକ ବିନ୍ଧି ସେ ସର୍ପକୁ ନାଶକଲା |୧୫୧|

ଦମୟନ୍ତୀକି କାଢ଼ି ଆଣିଲା ତାହାର ଗର୍ଭୁଂ

ଦମୟନ୍ତୀ ବୋଇଲେ ମୋତେ ବଡ଼ ଅପାଦୁଂ ରକ୍ଷାକଲୁ ବାବୁ |୧୫୨|

କିସ ଦେଇ ଭଗତି ହୋଇବି ମୋହୋର କିଛି ନାହିଂ

କିରାତ ମୋହେ ବଶ୍ୟ ଦମୟନ୍ତି ମୁଖ ଚାହିଂ |୧୫୩|

ଶବର ବୋଇଲା ତୋର ସ୍ଵାମୀ ତୋତେ କଲା ପରିତେଜ୍ୟା

ମୁହିଂତ ବନସ୍ତ ପତି ହୋଇବୁ କି ମୋର ଭାରିଯା |୧୫୪|

ଅନେକ ରଂଗରସ ଉପୁଜାଇବି ତୋତେ ରେ ବାଳୀ

ତୁହି ସେ ସୁନ୍ଦରୀ ହୋଇବୁ ମୋର ମନର ହିଆଳୀ |୧୫୫|

କୋଳକରି କିରାତ ଧରି ଲୋଡ଼ନ୍ତି ମନେ

କିରାତ ନାଶଗଲା ତାହାର ପତିବ୍ରତା ତୀକ୍ଷ ନୟନେ |୧୫୬|

ବୁଲଇ ସୁନ୍ଦରୀ ସେ ନଳକୁ ଉପଲେସି

ହାକଇ ନଳରାଜା କାହିଂ ଅଛ ପଶି |୧୫୭|

ଅନାତର ନାଥ ଯେ ମୋହୋର ପ୍ରାଣ ବନ୍ଧୁ

ଦୟା କିଂପେ ନ ବସଇ ୟେ ମୋହୋର କାନ୍ଦୁ କାନ୍ଦୁ |୧୫୮|

କେବଣ ଲତାରେ ଅବା ପଶିଅଛୁ ନାହା

ମୁହିଂ ଅନାସ୍ତୁଣୀ ଲୋଡ଼ଇ ବାରେ ମୋତେ ଚାହାଂ |୧୫୯|

ମୁହିଂ ତୁମ୍ଭର ଭାରିଯା ତୁମ୍ଭେ ମୋହୋର ପତି

କେଉଂଣ ଦୋଷ ପ୍ରାଣନାଥ ମୋତ ଦିଲୁ ୟେଡ଼େ ଶାସ୍ତି |୧୬୦|

କାନ୍ଦଇ ସୁନ୍ଦରୀ ଯେ ବାଶୁତ ଭାବ ଜାଣି

ଯୁଗ ପ୍ରାୟ ନ ସରଇ ୟେକଇ ରୟେଣୀ |୧୬୧|

କାଳନ୍ଦୀ ନଦୀ ତୀରେ କାଳୀ ମେଘା ନାମେ ପର୍ବତ

ତହିଂ ଯାଇ ସୁନ୍ଦରୀ ଉପଲେସଇ ପଥ |୧୬୨|

ଅଭୟେ ବାଳଖିଳା ଯେ ପଉଲସ୍ତିଂକର ଶିଷି

ତାହାଂକର ଆଶ୍ରମେ ମିଳି ପ୍ରଣମ୍ୟ କଲା ଶୁଭ୍ରକେଶୀ |୧୬୩|

ଋଷିମାନେ ବୋଇଲେ ତୁ ଅଟୁ କାହାର ଯୁବତୀ

ଈଶ୍ଵରେ ଉପେକ୍ଷ ଅବା ଭ୍ରମୁ ଗୋ ପାର୍ବତୀ |୧୬୪|

ତ୍ରଇଲୋକ୍ୟ ମୋହିନୀ ଅପୂର୍ବ ରୂପରାଶି

ବାତୁଳ ହୋଇ କିଂପେ ଗହନ ବନେ ପଶି |୧୬୫|

କି ଅବା ରାକ୍ଷସୀ ତୁ ବନର ଦେବତୀ

ଆମ୍ଭନ୍ତ ଭକ୍ଷିବାକୁ କି ବଳାଇଲୁ ମତି |୧୬୬|

ବୋଲନ୍ତି ଦମୟନ୍ତୀ ନଳ ମୋର ସ୍ଵାମୀ

ମୁକୁଇ ଛାଡ଼ିଣ ସେ ହୋଇଲେ ବନଗାମୀ |୧୬୭|

ଅନ୍ନହାନୀ ବସ୍ରହୀନ ମଳିନ ମୋର କାୟେ

ସ୍ଵାମୀର ଅଭାବେ ମୁହିଂ ଦିଶଇ ବାଇ ପ୍ରାୟେ |୧୬୮|

ସେ ବାଳଖିଳାୟେ ବୋଇଲେ ତୁ ଅଟୁ ଦେବଦ୍ରୋହୀ

ତେଣୁକରି ନଳକୁ ଦେବେ ହୋଇଲେ ଅସାହି |୧୬୯|

ଦେଖ ଦମୟନ୍ତୀ ଗୋ ୟେହି ବନେ ପଶି

ୟେଡ଼େ ବୋଲି ଅନ୍ତରୀଚ୍ଛେ ଗଲେ ସର୍ବ ଋଷି |୧୭୦|

ନଳ ନାମ ଧରିଣ ରୋବଇ ଉଚ୍ଚସ୍ଵରେ

ବଳାଙ୍ଗୀ ନାମେ ଦେଖିଲା ୟେକଇ ସରୋବରେ |୧୭୧|

ତହିଂରେ ଭିତରେ ଯେ କ୍ରୀଡ଼ନ୍ତି ହଂସଯୂଥ

ଦମୟନ୍ତୀ ବୋଇଲା ୟେହି ପଚ୍ଛୀମାନେ ମୋତ କଲେନା ୟେମନ୍ତ |୧୭୨|

ଆହୋ ହଂସମାନେ ତୁମ୍ଭେ ତ ବେଳହୁଂ ଅଛ ଜଳେ

ମୋହୋର ବଲ୍ଲଭ ଦେଖିଲ କି ରାଜା ନଳେ |୧୭୩|

ହଂସଯୂଥ ବୋଇଲେ ଗୋ ପୁରୁଷେକ ଅଇଲା

ଧାତିକାରେ ପାଣି ପିଇ ୟେଥୁଂ ବହନ ହୋଇଗଲା |୧୭୪|

ୟେସନେକ ସନ୍ଦେଶ ଜାଣିଣ ଦମୟନ୍ତୀ

ଦିଗାମ୍ଵରୀ ପ୍ରାୟେ ହୋଇ ବୁଲଇ ଚଉକତି |୧୭୫|

ଆହୋ ଜୀବମାନେ ତୁମ୍ଭେ ଅନେକ ବନେ ଅଛ

ମୁହିଂ ଅନାସ୍ତୁଣୀ ମୋତେ ୟେହିକ୍ଷଣି ଭକ୍ଷ |୧୭୬|

ବ୍ୟାଘ୍ରଂକ ଉପରକୁ ଆସଇ ଖରକରି

ଦମୟନ୍ତୀ ଭୟେ ବନଜୀବମାନେ ଗଲେ ଅପସରି |୧୭୭|

ରାଜୀବ ବୋଲିକରି ୟେକଇ ବନସ୍ତେ

ତହିଂ ସାଧବେ ରୂପ ହୋଇଲା କାଳଦୂତେ |୧୭୮|

ଅନେକ ବଳଦରେ ଅନେକ ଦ୍ରବ୍ୟନ୍ତ ପୂରୋଇ

ଚୋଖାର ତୁରଙ୍ଗମ ସଙ୍ଗତେ ଚଳାଇ |୧୭୯|

ବଡ଼ ସୁନ୍ଦର ସାଧବ ମଳୟାନିକ ଜାଣି

ଗଜ ଅଶ୍ଵ ଅହିବ୍ରତେ ବଳଦ ଅହିବ୍ରତେ ପଲାଣି |୧୮୦|

କାବେରୀ ନଦୀ ଯେ ହୋଉଛନ୍ତି ପାରି

କଦମ୍ଵ ବୃକ୍ଷତଳେ ବସିଛି ସୁନ୍ଦରୀ |୧୮୧|

କେଶବାସ ଅସମ୍ଭାଳ ଆନନ କ୍ରୋଟ ଦିଶି

ଦେଖିଣ ସମସ୍ତେ ଯେ କଲେ ଉପହାସୀ |୧୮୨|

କେ ବୋଲଇ ବାଇ , କେ ବୋଲଇ ବାତୁଳ

କାନ୍ଦି ପଚାରଇ ବାଭିୟେ ଦେଖିଲେ , କି ନଳ |୧୮୩|

ସାଧବ ବୋଇଲା ଦେଖିଲା ଅଛି ନଳ ବୋଲି ବୃକ୍ଷେ

ଇଚ୍ଛୁର ପ୍ରସଙ୍ଗେ ସେ ଥାଇଟି ପ୍ରତକ୍ଷେ |୧୮୪|

କାଟନ୍ତି ଗୃହବାସକୁ କରନ୍ତି ତାକୁ ଲାଇ ବତା

ୟେଥେଂ ଯେ ତୋର କିସ କାର୍ଯ୍ୟ କହରେ ବନିତା |୧୮୫|

ମୁହିଂ ସେ ସାଧବେ ଗୋ ଲକ୍ଷଶିରୀ

ନାନା ବଣିଜାର ମୋର ଭଣ୍ଡାର ଲକ୍ଷ ଚାରି |୧୮୬|

ବାତୁଳୀ ଭାବ ତୋର ସମସ୍ତ ଛଡ଼ାଇବି

ଅତ୍ୟନ୍ତ କରି ତୋତେ ପ୍ରାଣ ସମାନେ ପୋଷିବି |୧୮୭|

ଝୀନ ଦେବାଙ୍ଗ ବସନ ଦେଖାଇଲା ଜରିବାସ

ହୀରା ନୀଳା ମଣି ମାଣିକ୍ୟ ଦେଖାଇଲା ରତ୍ନକୋଷ |୧୮୮|

ୟେମାନ ବିଳାସ କରସି ଗୋ ପ୍ରାଣସଖୀ

ୟେ ବରଙ୍ଗନା ଶରୀର କିମ୍ପାଇଂ କରାଉଛୁ ଦୁଖୀ |୧୮୯|

ମୁହିଂ ସାଧବ ଅଟେ ଗୋ କଣୟ ବଣିଜାର

ସମସ୍ତ ସମ୍ପଦ ମୋର ସୁଖେଣ ଭୋଗକର |୧୯୦|

ସାଧବର ବଚନ ସେ କୋପ କଲା ମହାସତୀ

ସାଧୁତ ପୁତ୍ର ହୋଇ ତୋର ୟେଡ଼େ ମନ୍ଦ ପ୍ରକୃତି |୧୯୧|

ସତା ଲୋକନ୍ତ ତୁ ଅନମିତେ କିଂପା ଝିଂଘାସୁ

ମୋହୋର ଶାପେ ତୋତେ ମଣିଭଦ୍ର ଧଂସୁ |୧୯୨|

ୟେସନେକ ଶାପ ଦେଇଣ ସେ ଚଳଇ ଦମୟନ୍ତୀ

ବନସ୍ତେ ଯାଉଂ ଯାଉଂ ଭେଟିଲା ନଦୀ ଗୋମତୀ |୧୯୩|

ସେ ଗୋମତୀ ନଦୀ ତୀରେ ବଇଶାଳୀ ନାମେ ଦେଶ

ତହିଂ ଯାଇଂ ଦମୟନ୍ତୀ ହୋଇଲେ ପ୍ରବେଶ |୧୯୪|

ସେ ରତ୍ନାକର ସାଧବେ ଚଲଇ ବନସ୍ତେ

ସମର୍ଥେକ ବନେ ସେ ରହିଲା ଦିନ ଅନ୍ତେ |୧୯୫|

ବଡ଼ାଇ ବନସ୍ତ ସେ ଚିତ୍ରଉତ୍ପଳା ନଦୀକୂଳେ

ବିଶ୍ରାମିଲା ସାଧବେ ମୁଚୁକୁନ୍ଦ ଲତା ତଳେ |୧୯୬|

ଅଢ଼ାଇ ପ୍ରହର ତହିଂ ହୋଇଅଛି ରାତ୍ରି

ବନସ୍ତେ ଚରି ଆସନ୍ତି ଅଷ୍ଟେଉତ୍ତର ଶତେ ହାଥୀ |୧୯୭|

ସେ ଗଜଯୁଥମାନେ ମହା ମୟେମତ୍ତା

ପଶିଲେ ସେ ସାଧବେର ଗୋଷ୍ଠରେ ମହାଦନ୍ତା |୧୯୮|

ପଲାଣ ଲହଣମାନ ପକାଇଲେ ଭାଙ୍ଗି

ଦେଖିଣ ମନୁଷ୍ୟମାନେ ପଳାଇଲେ ବେଗି |୧୯୯|

ବଇଲ ଓଟ ଅଶ୍ଵ ବହୁତ କଚାଡ଼ି

ଫିଙ୍ଗି ଯେ ଦିଅନ୍ତି ସେ ବହୁତ ଦୂର ପଡ଼ି |୨୦୦|

ଦମୟନ୍ତୀ ଶାପ ଯେ ନୋହିଲାକ ଆନ

ସାଧବର ସମସ୍ତ ସମ୍ପଦ ହୋଇଲା ନାଶମାନ |୨୦୧|

ଶୁଣ ହୋ ଚଇତନ ମନୁ ଯେ ବଦୟନ୍ତି

ବଇଶାଳୀ ଦେଶେ ଯାଇ ପ୍ରବେଶ ଦମୟନ୍ତୀ |୨୦୨|

ନଗ୍ରରେ ଲୋକେ ତାହାର ବାତୁଳ ରୂପ ଦେଖି

ୟେଡ଼େ ବଡ଼ ସୁଲକ୍ଷଣୀ କିପାଇଂ ନିରିମାଖି |୨୦୩|

ଅନ୍ନର ବିହୁନେ ଯେ ଶରୀର ତେଜହୀନ

ତିଳ ବିହୁନେ କେଶ ଜଟା ମଳିନ ବସନ |୨୦୪|

ବାତୁଳଭାବ ଜାଣି ବୁଲଇ ଦମୟନ୍ତି

ଅହର୍ନିଶି ଲୋଡ଼ୁଥାଇ ସେ ନଳ ନୃପତି |୨୦୫|

ବାଇ ବୋଲି ପୋୟେ ଯେ ବୋବି ପଡ଼ୁଥାନ୍ତି ଦାଣ୍ଡେ

କୁରୁଳିଣ ଧୂଳି କେ ପକାନ୍ତି ନେଇ ମୁଣ୍ଡେ |୨୦୬|

କେହୁ ଦୟା କରି ପୁଣି ସମାର୍ଜନ୍ତି ଆସି

ଆହୋ ଦୁଖୀ ଲୋକକୁ ଅନମିତେ କିଂପାଇଂ ଝିଂଘାସି |୨୦୭|

ବିଦୁଳା ନାମେଣ ସେ ଅଟଇ ନାଗମାତା

କମଳା ନାଗର ସେ ଅଟଇ ବନିତା |୨୦୮|

ମାୟାରେ ଭୁବନ ସେ କରିଅଛି ବନେ

କେହି ଉପଲେସି ତହିଂ ନୁଆରନ୍ତି ଜନେ |୨୦୯|

ସେ ବିଦୁଳା ନାଗମାତା ବିଜୟେ ଜଗତୀ

ଦେଖିଲା ବାଇ ବୋଲି ବାଳକେ ବୋବି ଦ୍ୟନ୍ତି |୨୧୦|

ଦାଣ୍ଡରେ ଗୋଳ ଦେଖି କହଇ ନାଗମାତା

ଦାଣ୍ଡେ କିସ ଚହଳ ପଚାରି ଆସ ଯା ବାରତା |୨୧୧|

ଦେଖିଆସି ବାରତା ସେ କହି ମୁଦୁସୁଲୀ

ଗୋସାମଣୀୟେ ବଡ଼ ସୁନ୍ଦରୀ ସ୍ତିରୀୟେ ଦେଖିଲି ବାଇ ବୋଲି |୨୧୨|

ବିଦୁଳା ବୋଇଲା ତାକୁ ଆଣ ସିନା ମୋହୋର କତି

ଛାମୁକୁ ହକାରି ଆଣିଲେ ତତକ୍ଷଣାନ୍ତି |୨୧୩|

ତାହାର ସରୂପ ଦେଖିଣ ନାଗମାତା ପୁଣି

ବଡ଼ାଇ ଗୁଣବନ୍ତୀୟେ ଅଟଇ ସୁଲକ୍ଷଣୀ |୨୧୪|

ରତ୍ନକୁଣ୍ଡ ନେଇ ସ୍ରାହାନ କରାଇ

ଦେବାଙ୍ଗ ବସ୍ର ଶରୀରେ ଆଭରଣ କରାଇ |୨୧୫|

ଅମୃତ ପାକ କରିଣ କରାଇ ଭୋଜନ

ବିଦୁଳା ପଚାରେ ମାଗୋ ତୁ କେବଣ କୁଳେ ଜନ୍ମ |୨୧୬|

ତୋର ବଦନ ଶରତ ପୂର୍ଣ୍ଣମୀର ଇନ୍ଦୁ

ସରୂପେ ଲକ୍ଷଣେ ତୁହି ନିଶାକର ଦର୍ପ ନିନ୍ଦୁ |୨୧୭|

କେବଣ ପାତକେ କେବଣ ଶାପେ ହୋଇଲୁ ବାତୁଳୀ

ସରୂପ କଥା ମୋତେ କହସିରେ ବାଳୀ |୨୧୮|

ଶୁଣ ଗୋ ମାତା ତୁମ୍ଭେ ଅଭୟେ ମହାତ୍ମାଣୀ

ସରୂପ କଥା ମୋର କହଇ ପରିଣାମୀ |୨୧୯|

ବଇଦର୍ଭ ଦେଶର ରାଜା ଭୀମକେ ନରସାଇଂ

ଶରଯାତି ବୋଲି ତାହାର ମହାଦେଈ |୨୨୦|

ତାହାର ଦୋହିତା ମୁହିଂ ମୋହୋର ନାମ ଦମୟନ୍ତୀ

ଦେବତାନ୍ତ ଛାଡ଼ି ମୁଂ ବରିଲି ନଳ ଯେ ନୃପତି |୨୨୧|

ଦଇବ ସେ ହରିଲା ଗୋ ଆମ୍ଭର ସମ୍ପଦେ

ରାଜ୍ୟ ତାର ହାରିଲେ ସ୍ଵାମୀ ପଶାର ବିନୋଦେ |୨୨୨|

ମୋହୋର କଷ୍ଟେ ନଳ ପାଇଲେ ବଡ଼ ଲଜ୍ଜା

ଦଣ୍ଡକାରଣ୍ୟେ ସେ ମୋତେ କରିଗଲେ ତେଜ୍ୟା |୨୨୩|

କି ଅବା ବନଜୀବ କଲେ ତାଂକୁ ଭକ୍ଷ

ତାଂକର ଅଭାବେ ମୁଂ ହୋଇଲି ନିରେଖ |୨୨୪|

ବିଦୁଳା ବୋଇଲା ଗୋ ନାଶଗଲା ପତି

ୟେଡ଼େ କଷ୍ଟ ନ ଦିଶଇ ତୋର ବିଧବା ମୂରତି |୨୨୫|

ଅନେକ ଭାବେଣ ବିଦୁଳା କଲାକ ଯତନ

ବୋଇଲା ମୋହୋର ଭୁବନେ ଥାଅ ନଳକୁ ଦ୍ରଶନ |୨୨୬|

ଦମୟନ୍ତୀ ବୋଇଲା ମୁଂ ଥିବଇଂ ତୋର ପାଶ

ବଚନେକ ମାଗଇ ମୁଂ କରିଣ ବିଶ୍ଵାସ |୨୨୭|

ତିନିଗୋଟି କଥା ଯେ ନ କରାଇବାକୁ ମୁକୁ

ତେବେ ସେ ରହଇ ମାଗୋ କହିଲି ତୁମ୍ଭଂକୁ |୨୨୮|

ଉଚ୍ଛିଷ୍ଟ ପାଲଟ ନ ଛୁଂଆଇବୁ ମୁକୁଇଂ

ପର ପୁରୁଷେ ନ ଛୁଇଂବେ ମୋର ଛାଇ |୨୨୯|

ୟେତେକ ସତ୍ୟ କଲେ ରହିବ ଗୋ ମାୟେ

ନୋହିଲେ ବନସ୍ତକୁ ମୁଂ କରିବି ବିଜୟେ |୨୩୦|

ତାହା ଶୁଣି ନାଗମାତା କଲା ତିନିବାର ସତ୍ୟ

ୟେକଥା ମୋ ସତ୍ୟ ସତ୍ୟ ଅଟଇ ନିୟତ |୨୩୧|

ୟେତେକ ସତ୍ୟ କରାଇ ରହିଲା ଦମୟନ୍ତୀ

ତେଣେ ବନ ଗହନେ ଭ୍ରମଇ ନରପତି |୨୩୨|

ଦିବାରାତ୍ର ସେହୁ ବୁଲଇ ବନଘୋରେ

ଚଲି ନୁଆରଇ ନଳ ଅଶକତ ଶରୀରେ |୨୩୩|

ଭାରିଯାର ଅଭାବେ ସେ ହୋଇଲା ବଡ଼ ଦୁଖୀ

ମୁହିଂ ଚାଣ୍ଡାଳ ତାହାକଇଂ ଅଇଲି ଉପେକ୍ଷି |୨୩୪|

ତୁ ଯେ ବୋଇଲ ମୋତେ ଲୋଡ଼ କି ପରିତ୍ୟାଗୀ

ମୋହୋର ଅଭାବେ ନଳ ହୋଇବୁଟି ଦୁଖଭୋଗୀ |୨୩୫|

ତୁ ଯାହା ବୋଇଲୁ ଗୋ ବିଚାରି ମୋତେ ପ୍ରିୟା

କାଳେ ତାହା ଫଳିଲା ରେ ଜାଣିଲି ଶତଶ୍ରିୟା |୨୩୬|

ହେ ବୁଧଜନେ ସୁଭାରିଯାର ମେଣ୍ଟିଲେ ହିତବାକ୍ୟ

ସାରୋଳା ଦାସ ବୋଇଲେ କାଳେ ହୁଅଇ ମହାଦୁଖ |୨୩୭-୧୦୪୨୬|

 

Unknown

ନଳଙ୍କର ଅଯ୍ୟୋଧ୍ୟା ପ୍ରବେଶ ଓ
ବାହୁକ ସାରଥି ନାମ ଧାରଣ

ଶୁଣ ରାଜା ବଇବସୁତମନୁ ବଦୟନ୍ତି ଅଗସ୍ତି

ସାବଧାନେ ଶୁଣ ବିଲଂକ ଦେଶ ଆଧିପତି |୧|

ଦମୟନ୍ତୀ ଗୁଣ ଗୁଣି ସେ ନଳ ନୃପତି

ବନ ଘୋରେ ଉନ୍ମେଷଇ ସେ ଦମନ୍ତୀ ଦମନ୍ତୀ |୨|

ପଛିମ ଦିଗକୁ ନଳରାଜା କଲେ ଆଗମନ

ବୃଷାମାଷରେ ଶୁକଳ ଚଉଠିର ଦିନ |୩|

ପର୍ବତୁ ଓହ୍ଲାଇ ରାଜା ଆସଇ ବେଗେ ଚଳି

ମହାସର୍ପେକ ହୋଇ ପଡ଼ିଛି ଯୁଗ କଳି |୪|

ନଳନୃପତି ଯାଇ ପଡ଼ିଲା ତାର ମୁଖ

ଆକ୍ରେଷିଣ କୁଣ୍ଡଳୀ କଲା ତାହାକଇଂ ଭକ୍ଷ |୫|

ଚରଣଠାରୁ ଗିଲିଲା କଟିଭାଗ ପରିଯନ୍ତେ

ହା ହା ଦମୟନ୍ତୀ ବୋଲି ରାଜା ରୋବିଲା ଊର୍ଦ୍ଧ୍ଵଗତେ |୬|

ବୋଲଇ ମହାସର୍ପ ମୁଂ ତୋତେ ଭକ୍ଷ କରୁଂ କରୁଂ

ପୁରୁଷ ହୋଇ କିଂପେ ତୁ ସ୍ତିରୀ କି ସୁମରୁ |୭|

ବିଚକ୍ଷଣ ପୁରୁଷ ସୁନ୍ଦର ତୁ ଅଟୁ ମହାରାୟେ

ତୋହୋର ଗତି ହୋଇଲା ଦଶରଥ ରାଜା ପ୍ରାୟେ |୮|

ଆଗତ ରାମାୟଣ କହନ୍ତି ବାଲମୀକେ

ପାତାଳବାସୀ ଯେତେ ଶୁଣନ୍ତି ନାଗଲୋକେ |୯|

ପୃଥୀ ରାଜାନ୍ତ ପ୍ରଶୁରାମ ନିକ୍ଷତ୍ର କରି

ଅନ୍ତେଣ ଦିଲେ ଦଶରଥ ରାଜାକଇଂ ଧାଡ଼ି |୧୦|

ପ୍ରଶୁରାମ ଦିଗବିଜେ ଶୁଣି ଅଜନୃପତିର ଶିଷ

ସେ ଦଶରଥ ନୃପତି ଯେ ହୋଇଲେ ସ୍ତିରୀବେଶ |୧୧|

କବରୀ ଭାଇ ଖୋଷା ସ୍ତିରୀ ବେଶ ଅଳକାଂର

ଗୋପ୍ୟ ହୋଇଲେ ଦଶରଥ ସ୍ତିରୀଂକ ସଂଗତର |୧୨|

ଶ୍ରୀଭୁଜେଣ ପ୍ରଶୁରାମ ଘେନିଣ ପ୍ରଶୁଫାଶି

ଦଶରଥକଇଂ ନ ପାଇଲେ ଅନ୍ତେଶ୍ଵର ପୁରେ ପଶି |୧୩|

ଉଣାଇଶ ଶତ ତିନି ଉତ୍ତର ଦଶରଥର ରାଣୀ

ପ୍ରଶୁରାମ ସ୍ଵାମୀ ଦାନ ମାଗିଲେ ଅନାସ୍ତୁଣୀ ଜାଣି |୧୪|

ଯଦ୍ୟପ ଦଶରଥ ସ୍ତିରୀ ବେଶ ହୋଇଲା

ଭୟେକରି ରାଜା କଉଶଲ୍ୟାକୁ କୋଳ କଲା |୧୫|

ପ୍ରଶୁରାମ ହସିଲେ ଦଶରଥର ନିଶତ ଦେଖି

ସ୍ତିରୀବେଶ ହୋଇଅଛି ଛତ୍ରୀପଣକୁ ଉପେକ୍ଷି |୧୬|

ସ୍ତିରୀମାନେ ମାଗିଲେ ତୋହୋର ଶରୀର

ଆଜିହୁଂ ନାରୀକପଟି ନାମ ହୋଉ ଯେ ତୋହୋର |୧୭|

ଦଶରଥ ରକ୍ଷାଗଲା ସ୍ତିରୀଂକି ଶରଣେ

ତୁ ୟେବେ ଦମୟନ୍ତୀକୁ ସୁମରୁ ଶରଣେ |୧୮|

ପୁରୁଷ ହୋଇଣ ଯେବେ ସ୍ତିରୀଂକ ଧର୍ମେ ବ୍ରତି

ସେ ପୁରୁଷକୁ ନାଶିଲେ ବ୍ରହ୍ମହତ୍ୟା ଦୋଷ ଗତି |୧୯|

ବିଚାରି ନଳକୁ ଯେ ଫେଡ଼ିଲା କୁଣ୍ଡଳୀ

ଉଦୁଗାରି ପକାଇଲା ନ କଲା ତାକୁ ବଳି |୨୦|

ନଳ ବୋଇଲା ତୁ ଉଡ଼ଙ୍ଗ ଜନ୍ମ ହୋଇ

ୟେଡ଼େବଡ଼ ଦୟାବନ୍ତ ତୁ ହୋଇଲୁ କିସ ପାଇଂ |୨୧|

ମୁହିଂ ତୋର ଭକ୍ଷପାନ ଅଟଇ ଯୁଗତେ

ଯାହା ମାଗିବୁ ମାହାତ୍ମା ଆଜ ଦେବଇ ମୁହିଂ ତୋତେ |୨୨|

ବୋଲଇ ମହାସର୍ପ ପୋଡ଼ି ଆସୁଅଛି ଘୋର ବନ

ତୁ ମହାତ୍ମା ମୋତେ ସଂହର ଗର୍ଭସ୍ଥାନ |୨୩|

ୟେ ତୋର ଗର୍ଭେ କଳଂକ ପଶିଛି କଳିକାଳ

ମୁହିଂ ତାହା ଦହିବି ବିଷ ଗରୁଜାଳ |୨୪|

ନଳ ବୋଇଲେ ମୁଂ ପଚାରଇ ତୋତେ

ଚଳି ନୁଆରିଛୁ ତୁ କେବଣ ଅଶକତେ |୨୫|

ରାଜାର ବଚନେ ବୋଲଇ କଦ୍ରୂବଂଶୀ

ଶୁଣ ସାବଧାନେ ତୁ ହୋ ଯାହା ପ୍ରକାଶି |୨୬|

ଶୂଦ୍ରେକ ବୋଲିଣ ଯେ ୟେକଇ ସତ୍ୟଯୁଗେ

ନାରଦେ ଯାଉଛନ୍ତି ଗଙ୍ଗାର ଉଦକେ ବେଗେ |୨୭|

ମୁହିଂ ମିଳିଲି ତାର ମନପବନ ଦଣ୍ଡ

କୋପେଣ ଶାପ ମୋତେ ଦିଲେକ ପରଚଣ୍ଡ |୨୮|

ବୋଇଲେ ୟେ ତୋହୋର ମୁଖେ ପଡ଼ିଲେ ବର୍ତ୍ତିବେ କି ଜନେ

ନିଚଳ ହୋଇ ତୁ ପଡ଼ି ଥାଅସି ୟେହିବନେ |୨୯|

ନାରଦଂକ ଶାପେ ମୁଂ ହୋଇଲି ଅଚଳ

ୟେହିଠାରେ ପଡ଼ି ଅଛଇ ହୋଇଲା ଯୁଗ ଷୋଳ |୩୦|

ଭଗତି ଅନାଇ ମୁଂ ମାଗିଲି ଅନଗୃହ

ମୁକତକଇଂ କାରଣ ମୋତେ କହିବା ସନ୍ଦେହ |୩୧|

ନାରଦ ବୋଇଲେ ସର୍ପ ତୁ ଇଷିତ ସତ୍ୟ ଯୁଗେ

ନଳ ରାଜାକଇଂ ଭେଟିବୁ ତୁ ପାରଶୁ ବନ ଲାଗେ |୩୨|

ବନସ୍ତ ପୋଡ଼ନ୍ତେ ତୋତେ ଗର୍ଭେ ଦେବ ଠାବ

ସେ ନଳ ପ୍ରସନ୍ନ ତୁ ହୋଇବୁ ନିଜ ଠାବ |୩୩|

ଶୁଣ ହୋ ନଳରାଜା ତୋହୋର ଦ୍ରଶନୁ

ଷୋଳଯୁଗେ ମୁକତ ମୁଂ ହୋଇବି ନାରଦଂକ ବଚନୁ |୩୪|

ସେ ସର୍ପର ବଚନେ ନଳ ଛାଡ଼ିଲା ମନଭ୍ରାନ୍ତି

ଗର୍ଭେ ମହାସର୍ପ ସଂହରିଲା ତତକ୍ଷଣାନ୍ତି |୩୫|

ଯେତେବେଳେ କଳି ହେଲା ନଳ ଗର୍ଭବାସ

ସେ ନଳରାଜାର ହୋଇଲା କୁଦୃଶ୍ୟ |୩୬|

କୁବୁଜ ପିଠି ଦନ୍ତବକ୍ର ଟେରା କେଶ ଯେ ପିଙ୍ଗଳ

ତତକ୍ଷଣେ ବିରୂପ ହୋଇଲା ହାଦେ ନଳ |୩୭|

ଭ୍ରମଥାୟେ ନଳ ରାଜା ଦମୟନ୍ତୀ ପ୍ରତିଆଶେ

ଅଷ୍ଟାବକ୍ର ଋଷିଂକି ଦେଖିଲା ବନବାସେ |୩୮|

କଳିର ଚେଷ୍ଟାରେ ରାଜା ଚଳଇ ଅନେକ ବାଗେ

ଦେଖିଣ ଅଷ୍ଟାବକ୍ରେ ପାଇଲେ ବଇରାଗେ |୩୯|

କରପକ୍ଷ ଯୋଡ଼ି ଉଭା ହୋଇଲେକ ନଳ

ଅଷ୍ଟାବକ୍ରେ ବୋଇଲେ ତୁରେ କାହିଂର ବାତୁଳ |୪୦|

ଆମ୍ଭେ ଯେ ଅଷ୍ଟାବକ୍ର ଋଷି ଅଷ୍ଟବକ୍ର ହୋଇଯାଉଂ

ତୁ ବାତୁଳ ରୂପେଣ ଆମ୍ଭନ୍ତ ଖତାଉ |୪୧|

ନଳ ବୋଇଲେ ମୁଂ ନ ଖତାୟେ ତୁମ୍ଭନ୍ତ

ମୋହୋର ସେ ରୂପ ଗୁଣ ଦଇବେ ୟେମନ୍ତ |୪୨|

ଆମ୍ଭନ୍ତୁ ତୁ ଯେବେ ଖତାଉ ଯତନେ

ସେହି ରୂପଗୋଟି ତୋହୋର ଥାଉ ସବୁଦିନେ |୪୩|

ନିଚେଂ ଯେବେ ଦୁଖ ଦୁର୍ବଳ ନିରେଖ ତୁ ଅଟୁ

ମକର କେତନ ପରାୟେ ହୁଅ କେହି ତୋତେ ନ ଘଟୁ |୪୪|

ଅଷ୍ଟାବକ୍ରଂକ ବଚନେ ଅନଙ୍ଗ ରୂପ ଜାଣି

ନଳରାଜା ଛାଡ଼ିଲାକ ହତରୂପ ମୋହିଲା ଧରଣୀ |୪୫|

ମାତାଂଗୀର ନନ୍ଦନ ସେ ବଚନ ପ୍ରକାଶି

କେହୁଣ ମହାତମା ରେ ଅନଂଗ ରୂପରାଶି |୪୬|

ନଳ ବୋଇଲେ ମୁନିଂ ହେ ମନ୍ଦର ପର୍ବତର ସନିଧ୍ୟେ ନଇଷଧ ବୋଲି ଦେଶ

ଇଚ୍ଛାକର ନୃପତି ଅମଳାନ ସୂର୍ଯ୍ୟବଂଶ |୪୭|

ବ୍ରହ୍ମାର ନନ୍ଦନ ଯେ ଅଟଇ ମରୀଚି

ମରୀଚି ନନ୍ଦନ ଅଟଇ ସୁଋଚି |୪୮|

ସୁଋଚିର ପୁତ୍ର ହୋଇଲା କାଶ୍ୟପ

କାଶ୍ୟପର ନନ୍ଦନ ସେ ପ୍ରଜାପତି ଦକ୍ଷ |୪୯|

ସୂର୍ଯ୍ୟସେନ ବୋଲିକରି ତାହାର ଅଟଇ ବତ୍ସ

ମହା ଧର୍ମବନ୍ତ ସେ ହୋଇଲା ପ୍ରତକ୍ଷ |୫୦|

ସୂର୍ଯ୍ୟସେନ ରାଜାର ଯେ ହୋଇଲା ବେନି ତନୁ

ଭାନୁସେନ ଆବର ଯେ ବଇବସୁତମନୁ |୫୧|

ବଇବସୁତ ମନୁର ନନ୍ଦନ ଇଚ୍ଛାକୁରୁ

ଇଚ୍ଛାକୁରୁ ନନ୍ଦନ ହୋଇଲା ବାଞ୍ଛାକୁରୁ |୫୨|

ବାଞ୍ଛାକୁରୁ ପୁତ୍ର ନାମ ହୋଇଲା ସମ୍ପାଦ

ସମ୍ପାଦର ଆତ୍ମଜ ହୋଇଲା ବେନି ପାଦ |୫୩|

ୟେହାର ନନ୍ଦନ ଯେ ପୃଥୁକ ଉତପତ୍ତି

ପୃଥୁକର ନନ୍ଦନ ସେ କାକୁସ୍ତ ନୃପତି |୫୪|

କାକୁସ୍ତର ନନ୍ଦନ ଯେ ଅଟଇ କୁମ୍ଭେକ

କୁମ୍ଭେକର ଧରତୀ ନାମରେ ତନୟେକ |୫୫|

ଧରତୀର ନନ୍ଦନ ଯେ ଅଟଇ ଅଶ୍ଵଜା

ଅଶ୍ଵବନ୍ତ ବୋଲିକରି ତାହାର ଆତ୍ମଜା |୫୬|

ଅଶ୍ଵବନ୍ତର ତନୁଜ ଅଟନ୍ତି ବୀରପାଳ

ତାହାଂକର ପୁତ୍ର ମୁହିଂ ଅଟଇ ହାଦେ ନଳ |୫୭|

ତରି ନୁଆରିଲି ମୁଂ ଧର୍ମର କଷଣେ

ଜୂଅ ହୁଡ଼ରେ ରାଜ୍ୟ ହାରିଲି ଅକାରଣେ |୫୮|

ଦଇବ କଷଣ ଦିଲା ତପୋବନ୍ତେ

ଭାରିଯା ସହିତେ ମୁଂ ତେଜିଲି ବନସ୍ତେ |୫୯|

ତହୁଂ ମୁହିଂ ଚଳିଲଇଂ ଭାରିଯାକଇଂ ଲୋଡ଼ି

ସର୍ପେକ ଋଷିୟେ ମୋତେ ଅନମିତେ ଗିଳି |୬୦|

ଦମୟନ୍ତୀ ସୁମରନ୍ତେ କଲା ମୋତେ ଦୟା

ବୋଇଲା ଗର୍ଭେ ମୋତେ ଠାବ ଦିଅ ନରରାହା |୬୧|

ତାହାକଇଂ ମୁହିଂ ଗର୍ଭେ ଦେଲଇଂ ଯେ ଠାବ

ତେଣୁକରି ମୁନିୟେ ମୋର ୟେମନ୍ତ ସ୍ଵଭାବ |୬୨|

ଅଷ୍ଟାବକ୍ର ବୋଇଲେ ଜାଣିଲୁ ଆମ୍ଭେ ତଥ୍ୟ

ଦମୟନ୍ତୀ ଯେହୁ ନ ବରିଲା ଦେବତାନ୍ତ |୬୩|

ତେନ୍ୟାୟୁଂ ମାୟାକଲେ ଦେବତାୟେ ତୋତେ

କଳିକାଳ ଗଲା ତୋର ରାଜ୍ୟ ହରିବା ନିମନ୍ତେ |୬୪|

ନଳ ବୋଇଲା ସତ୍ୟଯୁଗେ କଳି ଯେବେ କଲାକ ଅସାଧୁ

ଯାଅରେ କଳିଯୁଗ ପରିକ୍ଷିତ ତୋତେ ବାନ୍ଧୁ |୬୫|

ନଳ ବୋଇଲେ ମୁନି ହେ ମୁହିଂ ତୁମ୍ଭନ୍ତ ପୁଚ୍ଛିବି କଥାୟେ

ୟେମନ୍ତ ପ୍ରପଞ୍ଚ କିଂପେ ହୋଇଲା ତୁମ୍ଭ କାୟେ |୬୬|

ଅଷ୍ଟାବକ୍ର ବୋଇଲେ ଶୁଣସି ଆଦିକଥା

ଅନୁସାରକେ ବୋଲି ୟେକଇ ସତ୍ୟଯୁଗର ବାରତା |୬୭|

ସେ ସତ୍ୟ ଯୁଗଣେ ସ୍ଵର୍ଗନାମେ ଅଟଇ ଦିବି

କ୍ଷିତିର ନାମ ପୁଣ ଅଟଇ ସେ ଭୁବି |୬୮|

କଞ୍ଜନାମେ ବ୍ରହ୍ମା ଅଟଇ ମଧ୍ୟସ୍ଵର୍ଗେ

ଅସ୍କନ୍ଦ ନାମେ ରୁଦ୍ର ବସଇ ସତ୍ୟଯୁଗେ |୬୯|

ସେ ସତ୍ୟଯୁଗର ବିଷ୍ଣୁ ଅଟଇ ନୀଳାମ୍ଵର

ଶୁଦ୍ଧ ସଷ୍ଟିକ ପ୍ରାୟେ ନାରାୟଣ ଶରୀର |୭୦|

କରଞ୍ଜ ନାମେ ଇନ୍ଦ୍ର ଅମରେ ଦେବତା

ଅଇରାବତ ନାଗ ନାମ ଅଟଇ ପୁଷ୍ପଦନ୍ତା |୭୧|

ଚିତ୍ରୋତ୍ପଳା ନଦୀର ପଛିମ ଭାଗ କୂଳେ

ଉଡ଼ଙ୍ଗ ନାମେ ନଗ୍ର ବାରାହୀନଦୀ କୂଳେ |୭୨|

ସେ ଉଡ଼ଙ୍ଗ ଦେଶେ ରାଜା ଅଟଇ ଇନ୍ଦୁସିଂହ

ବଡ଼ାଇ ପ୍ରତାପୀ ରାଜା ଅଟେ ସେ ମହୀଭାଗ |୭୩|

ବିଙ୍ଗସୀ ନାମେଣ ଅସୁର ରାଜା ଉପସ୍ଥିତା

ତାହାର ତହିଂ ଥିଲେ ଅଷ୍ଟ ଯେ ଦୁହିତା |୭୪|

ଦୁହିତାନ୍ତ ଘେନିଣ ସେ ଅସୁର ଦାସ ରାଜନ

ଇନ୍ଦ୍ରସିଂହ ନୃପତିକି କଲାକ ପ୍ରଦାନ |୭୫|

କାମ୍ୟେକ ପୁରୁଷ ସେ ଅଟଇ ରାଜା ଇନ୍ଦୁସିଂହ

ସେ ଅଷ୍ଟା କନ୍ୟାକଇଂ କଲାକ ବଇଭୋଗ |୭୬|

ଧନୁ ଶୁକ୍ଳ ପୂର୍ଣ୍ଣମୀ ଦିନ ସେ ଅଷ୍ଟ ଯୁବତୀ

ୟେକ ଦିନେ ଅଷ୍ଟ କନ୍ୟାୟେ ହେଲେ ଗର୍ଭବତୀ |୭୭|

ସୀମନ୍ତନ ହୋଇଲା ନରେନ୍ଦ୍ର ସିଂହମାସେ

ବର ଯାଚଇ ନୃପତି କନ୍ୟାଂକୁ ହରଷେ |୭୮|

କଉତୁକେ କନ୍ୟାମାନେ ତାହାକଇଂ ବନ ଡୋହଳ ମାଗି

ବୋଇଲେ ଆମ୍ଭଂକୁ ଦେବ ବରଷି ମାଂସ ଭୋଜୀ ।୭୯।

କାର୍ତ୍ତିକ ନାମେଣ ଅଟେ ୟେକଇ ମହଋଷି

ତାହାଂକର ମାଂସ ଆମନ୍ତ ବନ ଡୋହୋଳେ ଦିଅସି ।୮୦।

କନ୍ୟାଂକର ବଚନେ ସେ ଚଳିଲା ଦ୍ରପିଷ୍ଠେ

କାର୍ତ୍ତିକ ଋଷିକଇଂ ଭେଟିଲେ ବଳାଙ୍ଗୀ ନଦୀ ତଟେ ।୮୧।

ଆହାର୍ଣ୍ଣିକ କରି ମୁନି ନିତ୍ୟକର୍ମ ବିଧାନେ

ୟେମନ୍ତର ସମୟେ ଯାଇ ଭେଟିଲେ ଯାତୁଧାନେ ।୮୨।

କାର୍ତ୍ତିକ ମହଋଷିଂକି ଅଇଲେ ତହୁଂ ଘେନି

ଅଷ୍ଟଖଣ୍ଡ କରି କଳେବର କାଟିଲେ ମହାମୁନି ।୮୩।

କାର୍ତ୍ତିକ ମହାଋଷିଂକର ମାଂସ ଖଣ୍ଡି ଖଣ୍ଡି କରି କାଟି

ଅଷ୍ଟ ଭୋଗ କରିଣ ଦେଲା ତାହାଂକୁ ସେ ବାଣ୍ଟି ।୮୪।

ମହୁମେଦ କରିଣ ତାହା ଅଗ୍ନିକୁଣ୍ଡେ ଦିଲା ଭରି

ଜାଳଇ ଅସୁରେଶ୍ୱର ସଉରୀ ପାକ କରି ।୮୫।

ରାନ୍ଧନ୍ତେଣ ହୋଇଲାନି ଅଢ଼ାଇ ପ୍ରହର ରାତି

ବନ ଭ୍ରମି ଆସୁଛନ୍ତି ଅଷ୍ଟ ଯେ ଦେବତୀ ।୮୬।

ଅମ୍ବା ଅମ୍ବିକା ଅମ୍ବୁବତୀ ଅମ୍ବାଳିକା

ଅମ୍ବୁ ଅମ୍ବୁକୀ ଅମ୍ବିଳିକା ଆବର ଅମ୍ବେକା ।୮୭।

ଆାକଶ କ୍ଷେପିଣ ଭ୍ରମନ୍ତେ ନିଶାୟେ ମହାମାୟା

ପୋଡ଼ନ୍ତେଣ ମାଂସ ଭେଟିଲେ ଯାଉଂ ତାହା ।୮୮।

ଦେବୀଂକି ଦେଖି ଭୟେ ପଳାଇଲେ ସେ ଇନ୍ଦୁସିଂହର ନାରୀ

ସ୍ୱାମୀ ସହିତେ ରହି ନୁଆରି ପଳାଇଲେ ତ୍ରାସ କରି ।୮୯।

ଲହ ଲହ ଜିହ୍ୱା ବିକଟ ଦାଢ଼ ବକ୍ରବକ୍ଷି

ରେ ରେ କାରେ ଡାକନ୍ତି କେ ରେ ମହୁମାଂସ ପୋଡ଼ୁଅଛି ।୯୦।

ଅଗ୍ନିକୁଣ୍ଡ ମଧ୍ୟେ ହାଥ ଭରିଣ ଦରାଣ୍ଡି

କାଢ଼ିଲେ ଦେବୀମାନେ ମାୟେଂସ ଅଷ୍ଟଖଣ୍ଡି ।୯୧।

ପୋଡ଼ନ୍ତେ ମାଂସ ମାଂସ ଶଙ୍ଖବର୍ଣ୍ଣ ପ୍ରାୟେ ଦିଶଇ

କ୍ଷେପଣୀୟେ ବୋଲନ୍ତି କେବଣ ଋଷିର ମାଂସ ୟେହି ।୯୨।

ବେଢ଼ିଣ ରାକ୍ଷାସୁଣୀ ତାହା ନ ଖାଇଲେ ଅଦ୍ୟାପି

ଖଣ୍ଡି ଖଣ୍ଡି କରି କରୂପେ ତାହା ଥାପି ।୯୩।

ସିଂଘମାସ ଶୁକଳ ପକ୍ଷ ନବମୀ ଦିନରେ

ଚନ୍ଦ୍ରଦେବତା ଗୋପ୍ୟାନ ରାତ୍ର ଅଢ଼ାଇ ପ୍ରହରେ ।୯୪।

ବିଶେଷ ଅନ୍ଧାରେ ଆବର ଘୋରବନ

ବାରଣ ନ ଯାଇ ନ ଚିହ୍ନନ୍ତି ବର୍ଣ୍ଣ ଚିହ୍ନ ।୯୫।

ଋଷିମାଂସ ବୋଲି ସେ ନ ଭକ୍ଷିଲେ ମହାମାୟୀ

ଅଷ୍ଟଦେବୀ ଅଷ୍ଟଖଣ୍ଡ ୟେକତ୍ୱ କଲେ ତହିଂ ।୯୬।

କେ ମୁଖଖଣ୍ଡି ଲଗାଇଲା ପିଠି ଯେ କତିକି

ହୃଦଖଣ୍ଡ ଲଗାଇଲା ଡାହାଣ ଅଙ୍ଗ ତହିଂକି ।୯୭।

ହୃଦଗତ କେ ନେଇ ଲଗାଇଲା ବାମକର

କେହୁ ନେଇ ଚରଣ ଖଞ୍ଜିଲା ପିଠି ଯେ କତିର ।୯୮।

ଅନିର୍ଯାପ କରିଣ ସେ ଥାପିଲେ ପିତୁଳି

ମୃତୁ ସଂଜୀବନୀ ମନ୍ତ୍ରେ ଜୀବନ୍ୟାସ କରି ତୋଳି ।୯୯।

ଶୁଣ ଆହୋ ନଳରାଜା ତୋଷେ ବୋଲନ୍ତି ବ୍ରହ୍ମଯତି

ୟେକ ଶରୀର ଆରମ୍ଭ ହେଲା ଅଷ୍ଟମୃତ୍ତି ।୧୦୦।

ୟେମନ୍ତ ଅଷ୍ଟାବକ୍ର ହୋଇଲା ଆମ୍ଭର କାୟେ

ଆମ୍ଭେ ଯେ ଅଷ୍ଟବକ୍ର ଜନ୍ମ ଅପିତା ଅମାୟେ ।୧୦୧।

ଶୁଣିଣ ସାନନ୍ଦ ସେ ନଳ ଯେ ନୃପତି

ୟେ ମୋହୋର ରୂପ ମୁନି ହେ ନିଜମୃତ୍ତି ।୧୦୨।

ଅଷ୍ଟବକ୍ରେ ବୋଇଲେ ତୋତେ ଅଛି ଭବିଷ୍ୟ

ସେ ଯେବେ ସଂପୂର୍ଣ୍ଣ ହୋଇବ ଲଭିବୁ ପରମ ଗତି ପାଇବୁ ନିଜ ଦେଶ ।୧୦୩।

ଆମ୍ଭର ବୋଇଲେ ତୁ ହୋଇପାରୁ ନିନା

ୟେ ରୂପ ଥିଲେ ରାଜା କାରଣ ତୋତେ ସିନା ।୧୦୪।

ସାୟନ୍ତ ରୂପରୁ ଯେବେ ସେବକ ହୋଇବ ସୁନ୍ଦର

ସେ ଯେ ନ ଶୋହଇ ତାହାର କତିର ।୧୦୫।

ତିନି ସହସ୍ର ବିଶାଶତେ ଦିନ

ୟେତେକ ପାରଯିବ ୟେ ତୋହୋର ବର୍ଣ୍ଣ ।୧୦୬।

ଅଷ୍ଟବକ୍ରେ କହିଲେ ସେ ସରୂପ ମଣାଇ

କଳିକାଳ ପୁରୁଷେ ତୋତେ କରୁଛନ୍ତି ବାଇ ।୧୦୭।

ୟେ ବାଳୁତ ଭାବ ତୋର ଆମ୍ଭେ କରୁ ଶାନ୍ତି

ତୋତହୁଂ ଦମୟନ୍ତୀର ଆନ ନାହିଂ ପତି ।୧୦୮।

ୟେବେ ତୁ ଆମ୍ଭ ବୋଲକରି ରାଜା ଯିବୁ

ରତୁପୂର୍ଣ୍ଣ କଟକେ ଅଯୋଧ୍ୟାରେ ଥିବୁ ।୧୦୯।

ମହତ ଧାର୍ମିକ ସେ ଅଟଇ ନୃପବର

ତାହାର କଟକେ ତୋର କଷ୍ଟ ଯିବ ପାର ।୧୧୦।

ସେ ରାଜ୍ୟର ରଥେ ବାହୁକ ହୋଇଥିବୁ

ତାହାର ସଙ୍ଗେ ଥିଲେ ତୁ କାରଣ ପାଇବୁ ।୧୧୧।

ଶୁଣିଣ ସାନନ୍ଦ ସେ ହୋଇଲେ ନୃପତି

ସେ ଅଯୋଧ୍ୟା କଟକକୁ ମୁନି ହେ ବାଟ କେଉଂଣ କତି ।୧୧୨।

ଅଷ୍ଟବକ୍ରେ ବୋଇଲେ ସେ ନଳ ରାଜାକୁ

ୟେକମୁଖ ହୋଇ ଯାଅ ଯା ଉତ୍ତର ଦିଗକୁ ।୧୧୩।

ୟେତେ କହି ଅଷ୍ଟବକ୍ରେ ଗଲେ ଅନ୍ତର୍ଦ୍ଧାନେ

ତହୁଂ ସେ ନଳରାଜା କରଇ ଗମନେ ।୧୧୪।

ଅନେକ ଗିରି କନ୍ଦର ବନ ଗହନେ ଭ୍ରମଇ

ପ୍ରବେଶ ନଳ ଯାଇଂ ବନସ୍ତ ନନ୍ଦୀ ଗ୍ରାମଇଂ ।୧୧୫।

ସେ ଦେଶେ ରାଜନ ସେ ନନ୍ଦୀକି ଚକ୍ରବ୍ରତୀ

ତାହାର ରାଜ୍ୟେ ପ୍ରବେଶ ନଳ ଯେ ନୃପତି ।୧୧୬।

ବାସୁକର ବୋଲିଣ ଯେ ୟେକଇ ଦ୍ୱିଜବରେ

ନନ୍ଦୀକି ପଶା ଖେଳୁଛି ତାହାର ସଂଗତରେ ।୧୧୭।

ତାହାର ପାଶେ ବାଳୁତ ଅବସ୍ତା ହୋଇଣ ନଳ

ଖମ୍ବକୁ ଆଉଜି ଉଭା ହୋଇଅଛି ଆସ୍ତାନର ତଳ ।୧୧୮।

ସେ ବାସୁକୀର ବ୍ରାହ୍ମଣକୁ ପଶାରେ ହାରିଲା ନନ୍ଦୀକ ଚକ୍ରବ୍ରତୀ

ମହାଦେଈ ବୋଇଲେ ରାଜା ନଳ ପ୍ରାୟେ ହେଉଛି ତୋର ଗତି ।୧୧୯।

ପଶା ଛାଡ଼ି ରାଜା ଚାହିଂଲା ଭାରିଯାକୁ

ନଳ ରାଜା ଚରିତ କିସ କହନି ଆମ୍ଭଂକୁ ।୧୨୦।

ଶୁଣ ହୋ ମହାରାଜ ବୋଲଇ ଇନ୍ଦୁମତୀ

ପୁଷ୍କର ବ୍ରାହ୍ମଣ ତୁଲେ ପଶା ଖେଡ଼ିଲେ ନଳ ଯେ ନୃପତି ।୧୨୧।

ରାଜ୍ୟଭାର ସିଂଘାସନ ସମସ୍ତ ସେ ହାରି

ୟେକାମାତ୍ର ଦମୟନ୍ତୀକି ଘେନି ହୋଇଲା ବନ ତପଚାରୀ ।୧୨୨।

ୟେକା ଭାରିଯାକଇଂ ବନସ୍ତେ ନୁଆରିଲା ପୋଷି

ପଣନ୍ତ କାଟି ବନେ ପଳାଇଲା ଅବିଶ୍ୱାସୀ ।୧୨୩।

କେହୁ ନ ଧରନ୍ତି ନଳ ରାଜାର ନାମ

ୟେହି ମହୀତଳେ ତାର ତହୁଂ କେହି ନାହିଂନା ଅଧମ ।୧୨୪।

ନନ୍ଦୀକ ରାୟେ ବୋଇଲା ତୁ ନିନ୍ଦିଲୁ ନଳ ଯେ ନୃପତି

ସ୍ତିରୀକୂଳେ ଅଧର୍ମୀ ଯେ ଅଟଇ ଦମୟନ୍ତୀ ।୧୨୫।

ସ୍ୱାମୀ ହୋଇ ବଢ଼ିଲା ସେ ଯେବଣ କଥାକୁ

ଭାରିଯା ହୋଇ କିଂପେ ନ ଘୁଞ୍ଚାଇଲା ତାହାକୁ ।୧୨୬।

ସ୍ତିରୀକୁଳ ମଧ୍ୟେ ସେ ଅଟଇ ଅନ୍ୟାଚାରୀ

ପ୍ରଭାତର କାଳେ ତାର ନାମହିଂ ନ ଧରି ।୧୨୭।

ଶୁଣିଣ ରୋଦନ କରଇ ନଳ ଯେ ନୃପତି

ସୂର୍ଯ୍ୟବଂଶେ ଯାତହୋଇ ମୋତେ ୟେଡେ ଅପକ୍ଷାତି ।୧୨୮।

ନିଲ୍ଲଜ ଆତ୍ମା ମୋର ଧରିବି କେବଣ ବାଗେ

ବେଣୀଚକ୍ର ଭେଦିବି ଝାସିବି ପ୍ରୟୋଗେ ।୧୨୯।

ଧିକ ଧିକ ଜୀବନ ବୋଲି ବନେ ପଶିଲାକ ରାୟେ

ବନସ୍ତେ ଭ୍ରମନ୍ତେ ଦେଖିଲେ ବ୍ୟାଘ୍ରପଲ ଯେ ଗୋଟାୟେ ।୧୩୦।

ନଳ ବୋଇଲେ ବ୍ୟାଘ୍ର ହେ ପାରକି ମୋତେ ଭକ୍ଷି

ନଳକଇଂ ଦେଖି ବ୍ୟାଘ୍ରେ ଗଲେ ସ୍ରବେ ଘୁଞ୍ଚି ।୧୩୧।

ଚଳଇ ନଳ ନରେନ୍ଦ୍ର ଧବଳମୁଖୀ ନଦୀତଟେ

ରତୁପନ୍ନ ରାଜାକଇଂ ଭେଟିଲେ ଅଯୋଧ୍ୟା ନିକଟେ ।୧୩୨।

ଭାନୁମଣ୍ଡଳ ରାଜା ରୁଦ୍ରସେନ ନୃପତି

ତାହାର ତହିଂକି ଦଣ୍ଡ ସାଜିଲା ରତୁପନ୍ନ ଚକ୍ରବ୍ରତୀ ।୧୩୩।

ରତୁପନ୍ନ ରୁଦ୍ରସେନର ବଡ଼ାଇ ସମର

ରତୁପନ୍ନ ସଇନି ଯେ ହୋଇଲେ ଅପହର ।୧୩୪।

ପଦ୍ମେକ ରଥ ତାର ଚାରିପଦ୍ମ ହାଥୀ

ପଞ୍ଚସାଗର ଅଶ୍ୱ ନବସାଗର ପାଦାନ୍ତି ।୧୩୫।

ରତୁପନ୍ନ ରାଜାର ପଡ଼ିଲା ୟେତେ ଥାଟ

ପଳାବଇଂ ନୃପତି ଯେ ନ ପାବଇଂ ବାଟ ।୧୩୬।

ଆପଣେ ଆସଇ ରାଜା ବାହିଣ ୟେକ ରଥେ

ସେନା ଟୋପର ରାଜାର ବୁଡ଼ିଅଛି ରକତେ ।୧୩୭।

ବନସ୍ତେ ପଳାଇ ରାଜା ୟେକ ରଥ ଗୋଟି

କାଶୀ ନଦୀ ତୀରେ ନଳ ତାହାକଇଂ ଭେଟି ।୧୩୮।

ନଳ ପଚାରଇ ତୁହୋ କେବଣ ଦେଶ ରଥୀ

ଦଣ୍ଡଭଗ୍ନ ପ୍ରାୟେକ ଦିଶଇ ତୁମ୍ଭ ମୃତ୍ତି ।୧୩୯।

ଶୁଣ ହୋ ମହାରାଜା ବଦୟନ୍ତି ରତୁପନ୍ନ

ପରଥାଠ ଯୁଦ୍ଧେ ମୋର ହୋଇଲା ଦଣ୍ଡଭଗ୍ନ ।୧୪୦।

ନଳ ବୋଇଲା ତୋର ମୁହିଂ ହୋଇବି ସାରଥି

ୟେକ ନିମିଷକେ ଜିଣିବୁ ଭୂଅପତି ।୧୪୧।

ବାହୁକ ନାମ ମୋର ଅଟଇ ଯୁଗତି

ଅଶ୍ୱିନୀ କୁମାରଂକର ମୁଂ ଅଟଇ ପଣନାତି ।୧୪୨।

ରେହନ୍ତ ମୋର ଗୁରୁ ମୁଂ ପାରଇ ରଥ ବାହି

ମୋହୋର ରଥେ ଥିଲେ ଅପ୍ରାଂଜୟେ ତୋତେ ନାହିଂ ।୧୪୩।

ଶୁଣିଣ ରତୁପନ୍ନ ନଳକଇଂ କଲା ଅନେକ ପୂଜା

ବାହା ମୋର ରହୁବର ବୋଲଇ ମହାରାଜା ।୧୪୪।

ବାହୁକ ନାମେଣ ନଳ ହୋଇଲା ସାରଥି

ରତୁପନ୍ନର ରଥ ବାହିଲା ପବନହୁଂ ଧାତି ।୧୪୫।

ଆକାଶ ମାର୍ଗେଣ ଉଡ଼ଇ ରଥଗୋଟି

ରୁଦ୍ରସେନ ରାଜାକଇଂ ଯାଇଂଣ ବେଗେ ଭେଟି ।୧୪୬।

ରଣଜୟ କରିଣ ସେ ଯାଉଅଛି ରୁଦ୍ରସେନ

ଆଗେ ଯାଇଂ ଉଗାଳିଲା ସେ ରାଜା ରତୁପନ୍ନ ।୧୪୭।

ଅେନକ ବିଦ୍ୟା ତାକୁ କହଇ ହାଦେ ନଳ

ମନ୍ତ୍ରଭେଦ ପାଇଣ ସେ ହୋଇଲା ମହାବଳ ।୧୪୮।

ସାଧୁ ସାଧୁ ନଳରାଜା ଯେ ଅଟଇ ମହାଯୋଧୀ

ରତୁପନ୍ନ ରାଜାକଇଂ ଶିଖାଇଲା ନାରାଜ ମନଭେଦୀ ।୧୪୯।

ମନେ ଧରନ୍ତେ ଯେ ରୁଦ୍ରସେନର ବଳ ଧ୍ୱଂସି

ଅନେକ ଯୋଦ୍ଧା ତାର ପାଡ଼ିଲା ବିଶେଷି ।୧୫୦।

ନବସାଗର ଯୋଦ୍ଧା ରୁଦ୍ରସେନର ଥିଲା

ୟେକା ପ୍ରହାରେକ ରତୁପନ୍ନ ନାରାଜ ସମସ୍ତ ନାଶକଲା ।୧୫୧।

ସଇନି ପଡ଼ନ୍ତେ ରାଜା ପଲାଇଲା ରୁଦ୍ରପାଦ

କଟାଳି ରତୁପନ୍ନ ରାଜା ନାରାଜ କଲା ଭେଦ ।୧୫୨।

ନାଗପାଶେ ରତୁପନ୍ନ ରୁଦ୍ରସେନକଇଂ ବାନ୍ଧି

ରୁଦ୍ରସେନ ରାଜା ତହିଂ ହୋଇଲାକ ବନ୍ଦୀ ।୧୫୩।

ଅନେକ ଧନ ଭଣ୍ଡାର ରାୟେ ପୂରୋଇଣ ରଥେ

ଅଯୋଧ୍ୟାରେ ପରବେଶ ହୋଇଲେ ନରନାଥେ ।୧୫୪।

ରାଜ୍ୟେଣ ରାଜା ଅନେକ ଉଚ୍ଛବ ବଧାଇ

ବାହୁକକଇଂ ଅନେକ ପୁରୁଷାର୍ଥ କରାଇ ।୧୫୫।

ରତୁପନ୍ନ ବୋଇଲା ଆଗ୍ୟାଂ ମୋତେ ଦେବା

ୟେ ମୋହୋର ରାଜ୍ୟେ ତୋତେ କରାଇବି ବିଭା ।୧୫୬।

ବାହୁକ ବୋଇଲା ମୁଂ ଅଟଇ ପୁରୁଷ ଯତି

ବ୍ରତ ଆଚାରେ ମୋହୋରି ୟେକଇ ଯୁବତୀ ।୧୫୭।

ଆବର ସ୍ତାନେ ଅଛଇ ମୋହୋର ଭାରିଯା

ମୁହିଂ ସେ ତାହାକଇଂ କରିଅଛଇ ବନେ ପରିତେଜ୍ୟା ।୧୫୮।

ଉତ୍ତର କୋଶଳେ ଯେ ଅଯୋଧ୍ୟା ମଣ୍ଡଳ

ରତୁପନ୍ନର ବାହୁକ ହୋଇ ତହିଂ ରହିଲା ରାଜା ନଳ ।୧୫୯।

ଛାଡ଼ିଲା ଦୁଷୁକୃତ ରହିଲା ଅଇଶୁର୍ଯ୍ୟେ

ବାହୁକକଇଂ ଘେନି ରତୁପନ୍ନ କରଇ ଦିଗବିଜେ ।୧୬୦।

ବଇବସୁତ ମୁନି ପୁଚ୍ଛାକଲେ ଅଗସ୍ତି

ବିଦୁଳା ନଗରେ ଯେ ରହିଲେ ଦମୟନ୍ତୀ ।୧୬୧।

ନଳରାଜା ରହିଲେ ଅଯୋଧ୍ୟା ନଗ୍ରପୁର

କହିବା ମୁନି ହେ ସେ କେତେ କେତେକ ଅନ୍ତର ।୧୬୨।

ଅଗସ୍ତି ବୋଇଲେ ଶୁଣ ହୋ ମନୁ ରାଜନ

ଅଯୋଧ୍ୟାକୁ କଉଶିକ ବନ ନବଶତ ଯୋଜନ ।୧୬୩।

କଉଶିକ ଦେଶକୁ ନଗ୍ର ସେ ଉଜାଣିକାନ୍ତି

ସହସ୍ରେ ପାଞ୍ଚଶତ ଯୋଜନ ତହିଂର ପ୍ରତି ।୧୬୪।

ଉଜାଣିକାନ୍ତି ନିର୍ଝର ଦେଶ ତିନି ସହସ୍ର ଯୋଜନ

ତହିଂକି କନାଉଜ ଦେଶ ପାଞ୍ଚଶତ ଯୋଜନ ପରିମାଣ ।୧୬୫।

କଉଶିକ ବନସ୍ତ ପଞ୍ଚଷଠୀ ଶତେ ଯୋଜନ ପରିଯନ୍ତେ

ଲକ୍ଷେ ଦଶ ସହସ୍ର ଷାଠିୟେ ଯୋଜନ ଲେଖନ୍ତେ ।୧୬୬।

ମନୁ ବୋଇଲେ ଅଗସ୍ତି ସେ ବହୁତ ଦୂର ବାଟ

ନଳ ଦମୟନ୍ତୀ କେମନ୍ତେ ପୁଣ ହୋଇଲେକ ଭେଟ ।୧୬୭।

ୟେହା ସଞ୍ଚପି ମୋତେ କହିବା ବ୍ରହ୍ମସୁତ

ତୋହୋର ମୁଖରୁ ଶୁଣିବି ନଳରାଜାର ଚରିତ ।୧୬୮।

ପୁଣ ନଳକଇଂ କେମନ୍ତେ ଭେଟ ପାଇଲା ଦମୟନ୍ତୀ

ୟେହା ସଞ୍ଚପି ମୋତେ କହିବା ଅଗସ୍ତି ।୧୬୯-୧୦୫୯୫।

 

ଦମୟନ୍ତୀଙ୍କ ଦ୍ୱିତୀୟ ସ୍ୱୟମ୍ବର

କଥୟନ୍ତି ଅଗସ୍ତି ପଣ୍ଡିତ ବିଗ୍ୟଂବନ୍ତା

ଶୁଣନ୍ତି ମନୁରାୟେ ହୋଇଣ ମହାଶ୍ରୋତା ।୧।

ନଳ ଦମୟନ୍ତୀଂକର ନ ପାଇ ବାରତା

ବିଚାରଇ ଭୀମେକ ନୃପତି ଦମୟନ୍ତୀର ପିତା ।୨।

ବସୁଦେବ, ସୁଦେବ, ବିଷ୍ଣୁକର, ବେଦକର

ୟେ ଚାରିନ୍ତି ରାଇ ବୋଇଲା ତୁମ୍ଭେ ଦମୟନ୍ତୀକି ଲୋଡ଼ ।୩।

ତୁମ୍ଭେ ଚାରିବିପ୍ରେ ୟେବେ ଚଳ ଧାତିକାର

ନଳ ଦମୟନ୍ତୀକି ଲୋଡ଼ାକର ହେ ସତ୍ୱର ।୪।

ଅନେକ ଧନରତ୍ନ ଗୋଧନ ଶାସନ

ବିଚାରି ବ୍ରାହ୍ମଣଂକୁ ଦିଲା ଭୀମେକ ରାଜନ ।୫।

ରାଜାଂକର ବଚନ ସେ ପାଇକରି ଦୀକ୍ଷା

ବନେଣ ଭ୍ରମନ୍ତି ସେ ନଗ୍ରେଣ ମାଗନ୍ତି ଭିକ୍ଷା ।୬।

ଉନ୍ମେଷନ୍ତି ନଳ ଦମୟନ୍ତୀର ଚିହ୍ନ

ଚିତ୍ରପଟ ଦେଖିଣ ସେ ବିଚାରନ୍ତି ବର୍ଣ୍ଣ ।୭।

ସୁଦେବ ନାମେଣ ଯେବଣ ଦ୍ୱିଜବର

ସେ ଯାଇ ପ୍ରବେଶ ହୋଇଲା ବିଜୟା ନଗ୍ରପୁର ।୮।

ଖୋଜଇ ବିପ୍ରବର ଉନ୍ମେଷଇ ଚଉକତି

ନଗ୍ର ହାକ ଦିଅଇ ସେ ଦମୟନ୍ତୀ ଦମୟନ୍ତୀ ।୯।

କେସନୀ ବୋଲିକରି ବିଦୁଳା ନାଗମାତାର ମୁଦୁସୁଲୀ

ସେ ବୋଇଲା ମାଗୋ ଦାଣ୍ଡେ ବ୍ରାହ୍ମଣେକ ଦେଖିଲି ।୧୦।

ଉଚ୍ଚସ୍ୱରେ ସେ ବୋବିପାଡଇ ଦମୟନ୍ତୀ ନାମ ଧରି

ଶୁଣିଣ ବାହାର ହୋଇଲେ ଭୀମେକ କୁମାରୀ ।୧୧।

ସୁଦେବ ପଣ୍ଡାକୁ ଚିହ୍ନିଲା ଦେବୀ ଦେଖି

ସନ୍ନିଧ୍ୟେ ହକାରିଲେ ଲଜ୍ଜାଭାବ ଉପେଖି ।୧୨।

ଦମୟନ୍ତୀ ପ୍ରଣମିତ ବ୍ରାହ୍ମଣ ପାଦ ବେନି

କୁଳବିପ୍ର ଦେଖି ଅନେକ ବିନୟ ଦଇନି ।୧୩।

କ୍ରୋଧେଣ ଗଦ ଗଦ ହୋଇଣ ନଳ ରାଜାର ରାଣୀ

ସମ୍ଭାଳି ନୁଆରି କ୍ରୋଧେ କରଇ ଉଚ୍ଚବାଣୀ ।୧୪।

ଦମୟନ୍ତୀର କ୍ରୋଧେ ପୂରିଲେ ନଗ୍ରଜନେ

ବିଦୁଳା ଶାନ୍ତି କରାଇଲେ ମାଧୁର୍ଯ୍ୟ ବଚନେ ।୧୫।

କ୍ରୋଧ ସମ୍ଭାଳିଣ ସେ ପଚାରଇ ଦମୟନ୍ତୀ

ବଇଦର୍ଭ ଦେଶ ଜନେ କୁଶଳ ଛନ୍ତିଟିକି ବ୍ରତି ।୧୬।

କ୍ଷମେଣ ବ୍ରତନ୍ତି ନା ମୋହୋର ପୁତ୍ର ଦୁହିତେ

କ୍ଷମେଣ ଅଛନ୍ତି ନା ମୋହୋର ପିତାମାତେ ।୧୭।

ସମସ୍ତ କୁଶଳ ବୋଲି ବୋଇଲେ ଦ୍ୱିଜବର

ଭୋ ବିପ୍ର ଅବସ୍ତା ତୁ ଦେଖସି ମୋହୋର ।୧୮।

ବନସ୍ତେ ବୁଲୁଥିଲି ମୁଂ ବାଳୁତ ଭାବ ଘେନି

ମୁକୁଇଂ ଅନୁଗ୍ରହ କୟେ ସେ ୟେହି ମହାତ୍ମାଣୀ ।୧୯।

ଅପ୍ରସଙ୍ଗେ ପ୍ରସଙ୍ଗ ମୋତେ ହୋଇଲେକ ନାଗମାତା

ଫିଟିଲା ଦୃଷୁକୃତ ମୋର ପାଶୋର ଗଲା ସର୍ବଗାଥା ।୨୦।

ନଳଂକ କୁଶଳ ତୁମ୍ଭେ ଜାଣଟି କି ପଣ୍ଡାୟେ

ବାରତା ପାଇଲେନିକି ପିତା ଭୀମେକ ରାୟେ ।୨୧।

ବଦୟନ୍ତି ସୁଦେବ ଦମୟନ୍ତୀ ନଳରେ ନାହିଂ ଖୋଜା

ତୁମ୍ଭନ୍ତ ଖୋଜିବାକୁ ଆଗ୍ୟାଂଦିଲେ ଭୀମେକ ରାଜା ।୨୨।

ଭୋ ମାତା ଦମୟନ୍ତୀ ଗୋ ବଇଦର୍ଭ ଦେଶକୁ ଚାଲ ଯିବା

ପିତାର ନଗ୍ରେ ଥାଇ ନଳକଇଂ ଖୋଜାଇବା ।୨୩।

ଶୁଣିଣ ସାନନ୍ଦ ସେ ବିଦୁଳା ନାଗମାତା

ସ୍ତିରୀବୃନ୍ଦ ଘେନି ସେ ଆପଣେ ଗମିତା ।୨୪।

ଦମୟନ୍ତୀକି ଘେନି ସେ ଆରୋହିଲା ମତ୍ତନାଗ ପିଠି

ଆଗେଣ ସୁଦେବ ବ୍ରାହ୍ମଣ ପଛେଣ ସ୍ତିରୀବୃନ୍ଦ ଥାଠଗୋଟି ।୨୫।

ଚଳଇ ନାଗମାତା ଘୋର ଯେ ଅରଣ୍ୟେ

ବଇଦର୍ଭ ଦେଶେ ପ୍ରବେଶ ପଞ୍ଚତିରିଶ ଦିନେ ।୨୬।

ଦମୟନ୍ତୀ ଆଗମ ବୋଲି କହିଲେ ଦେଶାଉରେ

ନଗ୍ରଜନେ ଦେଖିଣ ଯେ କଲେ ହା ହା କରେ ।୨୭।

ଦମୟନ୍ତୀକି ଘେନିଗଲେ ଅନ୍ତେଶ୍ୱର ପୁର

ପ୍ରବେଶ ହୋଇଲେ ଯାଇଂ ଆପଣା ନବର ।୨୮।

ଦୁହିତାକଇଂ କୋଳେ ଘେନିଣ ମହାଦେଈ

କ୍ରୋଧେଣ ଗଦ ଗଦ ସମାସ୍ୟା ନୁଆରନ୍ତି କହି ।୨୯।

ଦୁହିତାର ପ୍ରବେଶ ଦେଖିଣ ନରସାଇଂ

ଅନେକ ଦୁଖକଲେ ଦମୟନ୍ତୀକି ଚାହିଂ ।୩୦।

ବିସ୍ମୟ ହୋଇଣ ପଚାରନ୍ତି ଦୃମସେନର ବାଳ

ମାଗୋ କାହିଂ ଛାଡ଼ି ଅଇଲୁ ତୋହୋର ସ୍ୱାମୀ ନଳ ।୩୧।

ଦମୟନ୍ତୀ ବୋଲଇ ଶୁଣିମା ଦେବରାୟେ

କନ୍ୟାମାସ ଶୁକ୍ଳପକ୍ଷ ଚଉଠୀ ଶଉରିବାର ହୋୟେ ।୩୨।

ସ୍ୱାତୀ ନକ୍ଷତ୍ର ଅନ୍ତେଣ ବିଶାଖା ପରବେଶ

ୟେକବିଂଶ ଦଣ୍ଡ ହୋଇଅଛଇ ଦିବସ ।୩୩।

ସେଦିନ ବସିଅଛୁଂ ବନସ୍ତେ ମଣ୍ଡୋପେ

ଜନଜନ୍ତୁ ଆତାଗତ ନାହିଂନ ସମୀପେ ।୩୪।

ଅଦଭୂତେ ଶୁତିଲି ମୋତେ ନିଦ୍ରା ଆକ୍ରେଷିଲା

ଅଞ୍ଚଳ କାଟି ମୋର ନଳ କେଣେ ଛାଡ଼ି ପଳାଇଲା ।୩୫।

ତିନିଶତ ନଉଦିବସ ହେଲାନି ସେ ମୋତେ ଗଲାନି ଉପେଖି

ସେ ଦିନରୁ ନଳର ମୋହୋର ନାହିଂନା ଦେଖାଦେଖି ।୩୬।

ଭୀମେକ ରାଜନ ବୋଇଲା ତୋତେ ପାଇଲି ପୁଣ୍ୟବଳେ

ଜୀବନର ସାର୍ଥୁକ ଯେବେ ଭେଟଇ ପୁଣି ନଳେ ।୩୭।

ଦମୟନ୍ତୀ ବୋଇଲା ତାତ ଖୋଜାଅ ଅବଦ

ଜୀବନ୍ତେ ଅଛନ୍ତିଟି ନଳ ନାହିଂନା ପରମାଦ ।୩୮।

ଭୀମେକ ବୋଇଲା ମାଗୋ ଜାଣିଲୁ କେମନ୍ତେ

ପାପ ଥିଲେ ପରମାଦ ପଡ଼ଇ ନା ଯୁଗତେ ।୩୯।

ଭୋ ତାତ ସୟଂମ୍ବର କାଳେ ମୁକୁଇଂ ବର ଯେ ହୋଇଲେ ଦେବଲୋକେ ।

ତେଣୁକରି ସେ କଷଣ ଆମ୍ଭନ୍ତ କଲେକ ବୃନ୍ଦାଅର୍କେ ।୪୦।

ତିନିଦିଗର ଦୂତେ ଯେ ଅଇଲେ ବାହୁଡ଼ି

ଅନେକ ବନ କନ୍ଦର ଦେଶେ ନଳକୁ ନ ପାଇଲେ ଲୋଡ଼ି ।୪୧।

ବିଦୁଳା ନାଗ ମାତାକଇଂ ରାଜା ଅନେକ ବିନୟେ ଭଗତି

ମାଗୋ କେମନ୍ତେ ସମ୍ଭାଳିଥିଲୁ ମୋହୋର ଦମୟନ୍ତୀ ।୪୨।

ବିଦୁଳା ବୋଇଲା ମୁଂ କମଳାଉର ନାଗର ଦୁଲଣୀ

ଦମୟନ୍ତୀ ବୋଲିଣ ମୋହୋର ବଡ଼ ଯେ ଭୟେଣୀ ।୪୩।

ଦେଶ ଘୋଷ ନ ବିଚାରି ମୁଂ ନାମ କଲି ସାର

ଭୟେଣୀର ମିତ୍ର ବୋଲି ମୁଂ ପାଳିଲି ନିରାଧାର ।୪୪।

ବଡ଼ ଭୟେଣୀ ମୋର ୟେହାର ସଙ୍ଗେ ମଇତ୍ର

ବିଦୁଳା ବୋଇଲା ଲେଖାରେ ମୋହୋର ସଂଘାତ ।୪୫।

ଶୁଣିଣ ହରଷ ଯେ ହୋଇଲେ ରାଜନ

ବିହିଲା ବିଧାତା ମୋହୋର ଦୋହିତାରେ କଷଣ ।୪୬।

ସୁପାକ କର୍ମେ ଯେ ମୋର ତୋହୋର ଦୋହିତାକଇଂ ଦେଖି

ୟେହାର କରି ମୋହୋର ବନ୍ଧୁ ସୋଦରନ୍ତ ଉପେଖି ।୪୭।

ବିଦୁଳା ଦମୟନ୍ତୀ ରହିଲେ ବଇଦର୍ଭ ଯେ ଦେଶେ

ନଳକଇଂ ଖୋଜି ନ ପାଇଲେ ରାଜା ପାଞ୍ଚମାସେ ।୪୮।

ବିଷାଦ ହୋଇକରି ସେ ଦମୟନ୍ତୀ ବୋଇଲା

ଜୀବନ୍ତେ ନାହିଂ ନଳ ନିଚୟେଂଟି ନାଶଗଲା ।୪୯।

ବିଷ୍ଣୁକଂର ପଣ୍ଡା ବୋଇଲା ମୁଂ ଦିନେକ ଥିଲି ବିଷ୍ଣୁକୂଟ ପର୍ବତେ

କଳପା ବୋଲିକରି ୟେକଇ କିରାତେ ।୫୦।

ସେ ପର୍ବତର ତଳେ କିରାତର ପଲ୍ଲୀ

ଅଭ୍ୟାଗତ ହୋଇଣ ମୁଂ ତାହାର ତହିଂ ଯେ ରହିଲି ।୫୧।

ବନଚର ୟେକ ହୋଇଣ ୟେ ବଡ଼ାଇ ସୁଗ୍ୟାନ

ଗଣ୍ଡା ମାଂସ ଦାରାକ୍ଷ ଫଳ ମୋତେ ଦିଲାକ ଭୋଜନ ।୫୨।

ତାହାନ୍ତ ପଚାରିଲି ମୁଂ ସକଳ ବୃତ୍ତାନ୍ତ

ସେ ବନେ ପଶିଣ ମୁଂ ଲୋଡ଼ିଲି ଦିନା ସାତ ।୫୩।

ମାନନୀ ବୋଲି କରି ତାହାର କିରାତୁଣୀ

ସେ ବୋଇଲା ପଣ୍ଡାୟେ ତୁମ୍ଭେ ୟେ ବନସ୍ତେ ନ କର ଭ୍ରମଣି ।୫୪।

କର୍କୋଟକ ବୋଲିକରି ୟେଥେ ଥାଇ ୟେକ ବ୍ୟାଳେ

ଅନେକ ଜନଜନ୍ତୁ ସେ ଭକ୍ଷଇ ସର୍ବକାଳେ ।୫୫।

ୟେହି ନିକଟରେ ହାଦେ ଦେଖ ପଞ୍ଚମାସର କଥା

ନଳ ବୋଲିକରି ୟେକଇ ମନୁଷ୍ୟ ଦେବତା ।୫୬।

ପାଣି ଘଟେକ ଘେନିଣ ମୁଂ ଯେ ଆସୁଥିଲି ଚଳି

ବେନି ଚରଣ କତିରୁ ଧରି ସର୍ପ ତାକୁ ଗିଳି ।୫୭।

ୟେସନେକ ସନ୍ଦେଶ କହିଲା କିରାତୁଣୀ

ତାର ତହୁଂ ୟେହା ଶୁଣିଥିଲି ଗୋସାମଣି ।୫୮।

ଶୁଣିଣ ମୃକ୍ଷାଗତ ହୋଇଲାକ ଦମନ୍ତୀ

ବାବୁ ୟେହା ସେ କଲୁ ମୋତେ ନଳ ଯେ ନୃପତି ।୫୯।

ଭୋ ସ୍ୱାମୀ ଦେବତାନ୍ତ ଛାଡ଼ିଣ ମୁଂ ବରିଲଇଂ ତୋତେ

କାଳେଣ ଅନାସ୍ତୁଣୀ ନାଥ କରିଗଲୁ ମୋତେ ।୬୦।

ଭୀମେକ ବୋଇଲେ ମାଗୋ ନ ଦେଖିଲୁ ଚଛୁଂ

ଶବଦ ମାତ୍ରକେ କିମ୍ପେ ବାତୁଳ ହୋଉଅଛୁ ।୬୧।

ପୁଣିହିଂ ନଳକୁ ମାଗୋ ଖୋଜିବା ନା ଯତନେ

ଦୂତ ପଠିଆଇବା ସମସ୍ତ ଘୋରବନେ ।୬୨।

ପିତାର ବଚନେ ସେ ଛାଡ଼ିଲା କ୍ରୋଧବାଣୀ

ଶତେକ ଦୂତ ମାଗୋ ବରଗିବି ୟେହିକ୍ଷଣୀ ।୬୩।

ଶୁଣ ହୋ ଧର୍ମରାୟେ ବଦୟନ୍ତି ପାରେଶ୍ୱରୀ

ଦୂତ ପେଷନ୍ତଣ ପୁଣ ଗଲା ମାସ ଚାରି ।୬୪।

ମୀନମାସ କୃଷ୍ଣପକ୍ଷ ଶଇରୀବାର ପଞ୍ଚମୀ

ହସ୍ତା ନକ୍ଷତ୍ର ଯେ ସେ ଦିନକାଳ ଭ୍ରମି ।୬୫।

ସେ କଳିକାଳ ପୁରୁଷ ଯେ କିରାତ ରୂପ ଧରି

ବଇଦର୍ଭ ଦେଶେ ଯାନ୍ତି ଦମୟନ୍ତୀକି ଲୋଡ଼ି ।୬୬।

ପରଦେଶୀ ଲୋକନ୍ତ ଦେଇ ଉନ୍ନେଷି ଥାଇ ବାଳୀ

ସେ କିରାତ ସନ୍ନିଧ୍ୟେ ଯାଇଂ ପଚାରଇ ଭୀମେକ ଦୁଲାଳୀ ।୬୭।

ନଳକଇଂ ଦେଖିଛ କିହେ କହ ମେନ ଭାଳି ।୬୮।

କିରାତ ବୋଇଲା ମା ଗୋ ତୁହିକି ସେ ଦମୟନ୍ତୀ

କ୍ରକୋଟକ ସର୍ପ ମୁଖେ ପଡ଼ିଲେ ତୋର ପତି ।୬୯।

ସର୍ପ ଗିଳନ୍ତେ ସେ ରୋବଇ ବିକଳେ

ମୁହିଂ ଯାଇ ଭେଟିଲଇଂ ପ୍ରାଣତ୍ୟାଜ ବେଳେ ।୭୦।

ଡାହାଣ ଭୁଜେ ଥିଲା ତାହାର ମୋହୋଲ ବିଦମାଳି

ମୋହୋର ଉପରକୁ ସେ ଫିଙ୍ଗିଦିଲା ତୋଳି ।୭୧।

ସେ ମୋତେ ବୋଇଲା ବାବୁ ଦମୟନ୍ତୀ ବୋଲିକରି ମୋହୋର ଭାରିଯା

ୟେ ବିଦମାଳି ତାକୁ ଦେବୁଟି ବନରାଜା ।୭୨।

ରାଜାର ଦ୍ରବ୍ୟମାନ ମୁଂ ଲଂଘିବି କେମନ୍ତେ

ନବମାସେ ଲୋଡ଼ି ଗୋ ପାଇଲି ମୁଂ ତୋତେ ।୭୩।

ଛାମୁକୁ ଫିଙ୍ଗିଦିଲା ମୋହନ ବିଦମାଳି

ହୃଦେ ଲଗାଇଣ ବାଳୀ ପଡ଼ିଲାକ ଢଳି ।୭୪।

ହା ହା ପ୍ରାଣନାଥ ବୋଲି ପଡ଼ିଲା ଦମୟନ୍ତୀ

ଶରୀରୁ ପ୍ରାଣ ତାର ଛାଡ଼ିଲାକ ଧାତି ।୭୫।

କୋଳ କରି ଧଇଲେ ବଇଦର୍ଭୀ ନିଜ ମାତ

ଥାନ ଥାନ ଧଇଲେ ପ୍ରାଣ ନାହିଂ ନିଜ ଗାତ୍ର ।୭୬।

ହୃହଗତେ ଲଗାଇଣ ପଡ଼ିଲାକ ଢଳି ରାଣୀ

ପୁରଜନେ କାନ୍ଦିଲେ ଶୁଭିଲା ଉଚ୍ଚସ୍ୱରେ ।୭୭।

ସେ ମୃତଶବ ଘେନି ଗଲେକ ଶମଶାନେ

ଦମୟନ୍ତୀ ପିଣ୍ଡ ଦହିଲେ ସୋଦରନ୍ତମାନେ ।୭୮।

ଇନ୍ଦୁ ମଦନ ବ୍ରହ୍ମ ବୋଲି ଦମୟନ୍ତୀର ପୁତ୍ର ତିନି

ଇନ୍ଦୁ ମଦନ ନେଇଣ ଦିଲେକ ମୁଖାଅଗ୍ନି ।୭୯।

ରୋବନ୍ତି କୁମାରେ ଯେ ଭୂମିରେଣ ପଡ଼ି

ମାଗୋ ଅନାସ୍ତ କରିଣ ଆମ୍ଭନ୍ତ କେଣେ ଗଲୁ ଛାଡ଼ି ।୮୦।

କେଉଂଣ ପାପକ୍ଷଣେ ଆମ୍ଭନ୍ତ କଲୁ ଜାତ

ଜନହୁଂ ଅନାସ୍ତ ଆମ୍ଭେ ନ ଦେଖିଲୁ ପିତାମାତ ।୮୧।

ଆମ୍ଭେ ତ ବାଳୁତ ନନ୍ଦନ କିସ ଯେ କରିବୁଂ

କାହାର ମୁଖକୁ ଚାହିଂ ଦୁଖ ପାଶୋରିବୁ ।୮୨।

ଆହୋ ଦଇବ ପୁରୁଷ ତୁମ୍ଭେ ଅଟ ଯେ ମହତ

ୟେହେନେକ ଅବସ୍ତା କରି କିମ୍ପେ ସ୍ରିଜିଲୁ ଆମ୍ଭନ୍ତ ।୮୩।

ରୋବନ୍ତି ନନ୍ଦନ ଯେ ଜାଣି ନିରୀମାଖି

ଯୁଗତେ ଗର୍ଭଧାରୀ ଆବର ଜନ୍ମଦୁଖୀ ।୮୪।

ସେ ପୁତ୍ରଂକର ବିକଳେ ରୋବନ୍ତି ପୁରଜନେ

ୟେହାନ୍ତ ଦେଖି କ୍ରୋଧ ସଂଘରିବା କେସନେ ।୮୫।

ଯେତେକ କ୍ରୋଧକଲେ ବାଳୁତ ନନ୍ଦନେ

ସଞ୍ଚପି କେହୁ ତାହା କରିବା ଲେଖନେ ।୮୬।

ହେ ଧର୍ମ ଦେବାତ ତୁହି ସେ ସର୍ବ ଜାଣୁ

ଜନ୍ମ ଦେଇ ପ୍ରାଣୀଂକି କିମ୍ପେ ହରିଆଣୁ ।୮୭।

ଧର୍ମ ଧର୍ମ ସୁମରି ଯାଉ ମୋର ଦିନ

ଧର୍ମ ବ୍ରତେକ ଚିତ୍ତ ନ ବଜୁଂ ମୋର ଆନ ।୮୮।

ଶ୍ରୀ ଧର୍ମ ଦେବତାଂକର ଚରଣ ପଂକଜେ

ଦୀକ୍ଷାଗୁରୁ ନାଥ ବାଞ୍ଛାଫଳ ଦିଜେ ।୮୯।

ଶ୍ରୀ ଧର୍ମ ଦେବତାର ଚରଣ ପଂକଜ ତଳେ

ଶୂଦ୍ରମୁନି ସାରୋଳା ଦାସ ଚିତ୍ତ ଯେ ଭ୍ରମଳେ ।୯୦।

ଜୟ ତୁ ରପୁରୁଷୋତ୍ତମ ନୀଳସୁନ୍ଦର ବାସୀ

ତୁହି ସେ ଖଣ୍ଡଣ ନାଥ କରୁ ମୋହଫାଶୀ ।୯୧।

ତୁଳୁସାର ବଲ୍ଲଭ ଚରଣେ ଶରଣ ମୋର ନିତ୍ୟେ

କ୍ରୋଧ ଖଣ୍ଡଣ ନାଥ ତୁହି ସେ ଜଗନ୍ନାଥେ ।୯୨।

ଧର୍ମ କଷଣ ବେଳେ ତୁହି ସେ କରୁ ପାରି

ସାରୋଳା ଦାସ ବୋଇଲେ ଶ୍ରୀ ପୁରୁଷୋତ୍ତମ ସୁମରି ।୯୩।

ଶୁଣ ବଇବସୁତ ମନୁ ଦମୟନ୍ତୀ ଦହନ ଅନ୍ତରେଣ କଥା

କ୍ରୋଧଭର ହୋଇଗଲା ବିଦୁଳା ନାଗମାତା ।୯୪।

ପିତାର ନାମ ତାହାର କମଳାଉର ନାଗ

କାନ୍ଦିଣ କହିଲା ସେ ନାଗରାଜାର ଆଗ ।୯୫।

କମଳାଉର ବୋଇଲା ମାଗୋ ଜଗତେ ତୁହି ସାଧୁ

ପରମ ମାହେଶ୍ୱରୀ ଗୋ ଅଦଭୁତେ କିମ୍ପେ କାନ୍ଦୁ ।୯୬।

ବିଦୁଳା ବୋଇଲା ତାତ ଦମୟନ୍ତୀ ମୋର ସଖୀ

ତୁମ୍ଭନ୍ତ ଉପେକ୍ଷିଲି ମୁଂ ତାହାର ଭାବ ଦେଖି ।୯୭।

ସ୍ୱାମୀ ନଳକୁ ତାହାର କର୍କୋଟକ ଭକ୍ଷକଲା

ତେଣୁକରି ଦମୟନ୍ତୀ ଯେ ଅଗ୍ନିରେ ଦହିଲା ।୯୮।

ଶୁଣିଣ କମଳାଉର କର୍କୋଟକ ନାଗକଇଂ ସୁମରି

ତକ୍ଷଣେ ଉଡ଼ଙ୍ଗ ଆସି ଛାମୁରେ ଉଭା କରପତ୍ର ଯୋଡ଼ି ।୯୯।

କମଳା ଉରଗ ବୋଇଲା ମୋତେ ସରୂପ କହ ବାଳ

ତୁ ପୁଣି ବନସ୍ତେ ଭକ୍ଷିଲୁକି ରାଜା ନଳ ।୧୦୦।

କର୍କୋଟକ ବୋଇଲା ମୁଂ ଭକ୍ଷନ୍ତେ ନଳକୁ

ଦମୟନ୍ତୀ ନାମ ଧରନ୍ତେ ମୁଂ ଛାଡ଼ିଦିଲି ତାକୁ ।୧୦୧।

ମୁହିଂ ତାଂକ ଗର୍ଭଗତେ ଥିଲଇଂ ବିଶ୍ରାମି

ତୋହୋର ସୁମରନ୍ତେ ମୁଂ ଅଇଲଇଂ ବିକ୍ରମି ।୧୦୨।

କ୍ଷମଣେ ନଳରାଜା ଅଛଇ ନିବ୍ରତି

କଳିକାଳ ଦୁହେଂ ହାଦେ ନାଶ କରାଇଲେ ଦମୟନ୍ତୀ ।୧୦୩।

ଦେବତାକଇଂ ଛାଡ଼ି ସେ ଦମୟନ୍ତୀ ନଳକଇଂ ବରିଲେ

ଅପାର ଦୁଖ ଦେଇଣ ସେ ସଂପତ୍ତି ନାଶିଲେ ।୧୦୪।

କର୍କୋଟକ ବୋଲଇ ମୁଂ ଜାଣଇ ସମସ୍ତ

ଦମୟନ୍ତୀ ବିଦୁଳା ବେନି ଯେ ସଂଘାତ ।୧୦୫।

ନଳକୁ ଗିଳିଲି ମୁ ସେ ପଡ଼ିଲା ମୋର ମୁଖେ

ଦମୟନ୍ତୀ ସୁମରନ୍ତେ ଛାଡ଼ିଲି ପ୍ରତକ୍ଷେ ।୧୦୬।

ଶୁଣିଣ ଅନେକ ବିକଳ ହୋଇଲା ବିଦୁଳା

ଅଦଭୁତ କାରଣେ ମୋହୋର ସଖୀ ନାଶଗଲା ।୧୦୭।

କର୍କୋଟକ ବୋଇଲା ଶୁଣ ରେ ବିଦୁଳା

କଥାୟେ କହଇଂ ତୋତେ ନୋହସି ମତିଭୋଳା ।୧୦୮।

ରତୁପୂର୍ଣ୍ଣ ବୋଲିକରି ଅଯୋଧ୍ୟା ରାଜନ

ନଳରାଜା ଅଛଇ ତାହାର ଘରେ ବିଦ୍ୟମାନ ।୧୦୯।

ଦୁହିତାର ବିକଳେ ସେ ବୋଇଲା କମଳାଉ

ଦେବଇଂ ମହାମନ୍ତ୍ର ମୁଂ ସଖୀ ତୋରେ ଜୀଉଂ ।୧୧୦।

ମୃତୁ ସଞ୍ଜିବନୀ ମନ୍ତ୍ର କହିଲା ଧାତୁବାଦ ବିଦ୍ୟା

ପର ଦୁଖେ କାତର ତୁ ଯେ ହୋଇଲୁ ସର୍ବଦା ।୧୧୧।

ଯେବଣ ପିତୁଳା କରି ଅଛନ୍ତି ଶମଶାନେ

ମୃତୁ ସଞ୍ଜିବନୀ ମନ୍ତ୍ର କହିବୁ ତାର କର୍ଣ୍ଣେ ।୧୧୨।

ପଞ୍ଚୁଘାତି କହିଲେ ପଶିବ ପଞ୍ଚୁଆତ୍ମା

ଧାତୁବାଦ ବିଦ୍ୟାମାନ କହିଲେ ମହାତ୍ମା ।୧୧୩।

ପିତାର ବଚନେ ସେ ଚଳଇ ନାଗେଣୀ

ଦହନ ଭୂମିରେ ପ୍ରବେଶ ହୋଇଲା ତତକ୍ଷଣି ।୧୧୪।

ମୃତ୍ତିକା ମେଦିଣ ସେ ରଞ୍ଜିଲେ ପିତୁଳୀ

ମୃତୁ ସଞ୍ଜିବନୀ ପଢ଼ି ସେ ଉଠ ଉଠ ବୋଲି ତୋଳି ।୧୧୫।

ଗଲା ପାପଆତ୍ମା ଯେ ଉଦିତ ଦେଲା ଧର୍ମ

ଉଠି ବସିଲା ସୁନ୍ଦରୀ ଯେ ହୋଇଣ ସାଷ୍ଟାମ ।୧୧୬।

ଦମୟନ୍ତୀ ପୁଚ୍ଛଇ ବିଦୁଳା ମୁଖକଇଂ ଚାହିଂ

ୟେ ଶମଶାନ ଭୂମିରେ ସଖୀ ଆନ ତ କେହି ନାହିଂ ।୧୧୭।

ବିଦୁଳା ବୋଇଲା ଶଖୀ ତୁ ନିଦ୍ରାଗଲୁ ଭୋଳେ

ମୁହିଂ କେହ୍ନେ ଛାଡ଼ିଯିବି ସଂଘାତ ଶମଶାନ ଭୂଇଂରେ ୟେହେନେକ ବେଳେ ।୧୧୮।

ବିଦୁଳା ଦମୟନ୍ତୀ ଦୁହେଂ ହୋଇ ହାଥ ଧରାଧରି

ହସ ଖେଡ଼େ ପଶିଲେ ଯାଇଂ କୁଣ୍ଡୀନାମେ ନଗ୍ରୀ ।୧୧୯।

ସମରାଜ୍ୟ ଲୋକେ ଦେଖିଣ ହୋଇଲେ ଆଶ୍ରିଜ

ବୋଇଲେ ଦମୟନ୍ତୀକି ଆମ୍ଭେ ପରଦିନ କଲୁନା ଦହିଜ ।୧୨୦।

ଅନ୍ତେଶ୍ୱର ପୁରେ ବାରତା କହିଲେ ବେଗେ ଯାଇଂ

ରାଜନ ସହିତେ ବିଜେ କଲେକ ମହାଦେଈ ।୧୨୧।

ବାବୁ ନାଗାନ୍ତେକ ବିଦ୍ୟା ସେ ଜାଣଇ ଉଡ଼ଙ୍ଗ ବଂଶୀ

ସାଧୁ ସାଧୁ ବିଦୁଳା ବୋଲି ସମସ୍ତେ ପରଶଂସି ।୧୨୨।

ଦମୟନ୍ତୀକି କୋଳେ ଧଇଲେକ ନୃପତି

ଦମୟନ୍ତୀ ମାତା ବିଦୁଳାକଇଂ କୋଳେ ଧରି ଅନେକ ଭଗତି ।୧୨୩।

ଭସ୍ମ ଆଂକୋରଇ ମାତା ଗୋ ତୋହୋର ବଚନେ

ଅନେକ ବିନୟ ଭଗତେ ତାହାକୁ ଖୋଟିଲେ ଜନମାନେ ।୧୨୪।

ବାହୁଡ଼ଇ ଦମୟନ୍ତୀ ସେ ବାତୁଳ ମୃତ୍ତି

କେମନ୍ତେଣ ପାଇବି ମୁହିଂ ନଳ ଯେ ନୃପତି ।୧୨୫।

ବିଦୁଳା ବୋଇଲା ଗୋ ସଖୀ ଲୋଡ଼ି ପାଇବା କାହିଂ ତାହା

ଦୁତୀ ସୟମ୍ବର କରସି ତୁହି ନରନାହା ।୧୨୬।

ଦୁତୀ ସୟମ୍ବର ବୋଲି ରାଜା କରସି ବରଣି

ନଳ ଆସିବ ଦମୟନ୍ତୀ ସୟମ୍ବର ଶୁଣି ।୧୨୭।

ବିଦୁଳାର ବଚନେ ସାନନ୍ଦ ଭୀମେକ ରାଜନ

ପୁରେ ପୁରେ ରଞ୍ଚିଲା ରାଜା ଉତ୍ସବ ବିଧାନ ।୧୨୮।

ଦୂତ ଅମନାତ୍ୟମାନନ୍ତ ବରଗିଲେ ଚାରିଦିଗେ

ଦମୟନ୍ତୀ ସୟମ୍ବର ବୋଲି ଜମାନ୍ତି ସେ ରାଜାମାନଂକର ଆଗେ ।୧୨୯।

ସମସ୍ତ ଦେଶର ଯେବେ ଆସନ୍ତି ମହୀପାଳ

ତେବେ ସେ ଦମୟନ୍ତୀର କାର୍ଯ୍ୟ ହୋଇବ ସୁଫଳ ।୧୩୦।

ଚଳିଲେ ଦୂତମାନେ କହିଲେ ଦମୟନ୍ତୀ

ଅକ୍ଷତ ଗୁଆ ଘେନି ଯାଉଅଛୁଂ ରାଜାନ୍ତ ନିମନ୍ତ୍ରି ।୧୩୧।

ଦମୟନ୍ତୀ ବୋଇଲା ଚାରଗଣନ୍ତ ରାଇ

ମୋହୋର ବଚନ କହିବ ରାଜାଂକ ଆଗେ ଯାଇ ।୧୩୨।

ବୋଲିବ ଦେଶେ ଦେଶେ ଶୁଣିବେ ସର୍ବଜନେ

ଭାରିଯା ଛାଡ଼ି ପଳାଇଲା କେବଣ ରାଜନେ ।୧୩୩।

ୟେଥିକଇଂ ସମସ୍ୟା ଦେବ ଯେଉଂଣ ଜନ

ତାହାକଇଂ ଆଣିମଟି ହୁଦେ କରି ଗ୍ୟାନ ।୧୩୪।

ସେ ଯେବେ ପଚାରିବ କେଉଂଣ ଦିନ ସୟମ୍ବର

ତୁମ୍ଭେ କହିବ କାଲି ପ୍ରଭାତେ ନିକର ।୧୩୫।

ରାଜ ଦୁହିତାର ଆଗ୍ୟାଂୟେ ଚଳିଲେ ଅମନାତ୍ୟେ

ଅକ୍ଷତ ଗୁଆ ଘେନି ରାଜାନ୍ତ ନିମନ୍ତ୍ରେ ।୧୩୬।

ସମସ୍ତେ ରାଜ୍ୟ କହନ୍ତି ଦମୟନ୍ତୀ ଚରିତ

ଦହନ ହୋଇଣ ପୁନରପି ହୋଇଲା ସମ୍ଭୁତ ।୧୩୭।

ଦୁତୀୟ ସୟମ୍ବର ଯେ ହୋଇବ ଦମୟନ୍ତୀ

ଶୁଣିଣ ଆଶ୍ରିଜ ହୋଇଲେ ସକଳ ନୃପତି ।୧୩୮।

ପଚ୍ଛିମେ ଲକ୍ଷେରାଜା ଛୟାଳୋଈ ସହସ୍ର ରାଜା ଉତ୍ତରେ

ପଞ୍ଚାଶ ସହସ୍ର ରାଜା ଦକ୍ଷିଣ ଦିଗରେ ।୧୩୯।

ପୂର୍ବ ଦିଗରେ ଚାଳିଶ ସହସ୍ର ନୃପମଣି

ସମସ୍ତ ନୃପତିୟେ ଆସନ୍ତି ଥାଠ ଯେ ପଲାଣି ।୧୪୦।

ବିଷ୍ଣୁଭଦ୍ରା ନଦୀ କୂଳେ ଛାୟା ଯେ ମଣ୍ଡୋପ

ଶତେକ ଯୋଜନ ଆୟେତନ ହୋଇଛି ସରୂପ ।୧୪୧।

ଅଯୋଧ୍ୟା ନଗ୍ରେ ଯାଇଂ ପ୍ରବେଶ ହୋଇଲେକ ଦୂତେ

ଦମୟନ୍ତୀର ସୟମ୍ବର ବାରତା କହିଲେ ନୃପତି ଅଗ୍ରତେ ।୧୪୨।

ଦମୟନ୍ତୀ ସୟମ୍ବର କହନ୍ତି ମଣାଇଂ

ପତ୍ନୀ ବନେ ଛାଡ଼ିଯାୟେ କେଉଂ ନରସାଇଂ ।୧୪୩।

ୟେସନେକ ଚରିତ ହୋ ଶୁଣିଅଛି କାହିଂ

ଆପଣା ପତ୍ନୀକି ଭ୍ରଥା ଛାଡ଼ି ନ ଯୋଗାଇ ।୧୪୪।

ନଳରାଜା ଜାଣିଲେ ଯେ ଦୂତଂକ କହନ୍ତେ

ନିଚୟେଂ ଦମୟନ୍ତୀ ମୋର ଅଛଇ ଜୀବିତେ ।୧୪୫।

ଶୁଣିଣ ମଉନ ବ୍ରତ ହୋଇଲା ନଳରାଜା

ଦୂତଂକ ମୁଖରୁଂ ଶୁଣି ପାଇଲା ବଡ଼ ଲଜ୍ଜା ।୧୪୬।

ଦୂତେ କହନ୍ତେଣ କେହି ସମସ୍ୟା ନ ଦିଲେ

ତଳେ ଥାଇଣ ବାହୁକ ଉତ୍ତର ବୋଇଲେ ।୧୪୭।

ଯେତେବେଳ ପ୍ରାଣୀକି ପଡ଼ଇ କାତର

ପୁତ୍ର ଭାରିଯା ଛାଡ଼ିବା କେତେକ ମାତର ।୧୪୮।

ଶୁଣିଣ ଦୁତମାନେ ରାଜାଂକୁ ଅକ୍ଷତ ଗୁଆ ଦିଲେ

ଦମୟନ୍ତୀ ଦୁତୀୟ ସୟମ୍ବର ବୋଲିଣ ବୋଇଲେ ।୧୪୯।

ଶୁଣିକରି ନଳମାନେ ଚିନ୍ତା ଯେ ଲାଗିଲା

ୟେ କଥା କି ସତ ବୋଲି ମନେ ବିଚାରିଲା ।୧୫୦।

ପୁଣି ବୋଇଲା ମୋତେ ପାଇବା ନିମନ୍ତେ

ଦୁତୀୟ ସୟମ୍ବର ଅବା ରଞ୍ଚିଛି ମୋ ଅର୍ଥେ ।୧୫୧।

ସେ ମହାସ୍ୱତୀର ମୁଂ ଜାଣଇ ସିନା ମାନ

ରତୁପର୍ଣ୍ଣ ପଚାରଇ ଶୁଣ ହୋ ବିଦୁଜନ ।୧୫୨।

କେଉଂଦିନ ସୟମ୍ବର ତଥ୍ୟ କରି କହ

କହିଣ ଦୂତମାନେ ଫେଡ଼ାଅ ସନ୍ଦେହ ।୧୫୩।

ଦୂତମାନେ ବୋଇଲେ ଯେ କାଲିର ପ୍ରଭାତରେ

ଦମୟନ୍ତୀ ସୟେମ୍ବର ଭୀମେକ କଟକରେ ।୧୫୪।

ରତୁପୂର୍ଣ୍ଣ ବୋଇଲେ ୟେତ ବଡ଼ାଇ ଦୁର୍ଗମ କଥା

କେବେହେଂ ଯିବାର ତ ନୁହଇ ବେବସ୍ତା ।୧୫୫।

ପାତ୍ର ଅମନାତ୍ୟେ ଯେ କହନ୍ତି ଦୂତପତି

ନଳ ଥାଉଂ ସୟମ୍ବର କିପାଇଂ ଦମୟନ୍ତୀ ।୧୫୬।

ଦୂତେ ବୋଲୁଛନ୍ତି ନଳ ରାଜ୍ୟଭାର ହାରି

ଦମୟନ୍ତୀକି ଛାଡ଼ିଗଲେ ଅଞ୍ଚଳ କାଟିକରି ।୧୫୭।

ସେ ନଳରାୟେ ପୁଣ ପଡ଼ିଲା ସର୍ପମୁଖେ

କର୍କୋଟକ ସର୍ପ ତାହାକଇଂ କଲାକ ହାଦେ ଭକ୍ଷ ।୧୫୮।

ବାରତା ପାଇ ନାଶ ସେ ଗଲାକ ଦମୟନ୍ତୀ

ଅଗ୍ନିରେ ଦହନ ଯେ ହୋଇଲା ତତକ୍ଷଣାନ୍ତି ।୧୫୯।

ବିଦୁଳା ନାମେ ନାଗମାତା ଅଟଇ ତାର ସଖୀ

ଭସ୍ମରୁ ଉତ୍ତାରିଲୁ ମୃତ ସଞ୍ଜୀବନୀ ମନ୍ତ୍ର ହାକି ।୧୬୦।

ଦୁତୀୟ ସୟମ୍ବର କରଇ ଭୀମେକ ନରନାଥ

ସମସ୍ତ ରାଜାୟେ ଗଲେନି ଦମୟନ୍ତୀ ନିମନ୍ତ ।୧୬୧।

ନଳ ଶୁଣି ବୋଇଲେ କିହୋ ସରୂପ ୟେହୁ କଥା

ନଳ ନାଶ ଯିବାର ମଣଇ ମୁହିଂ ମିଥ୍ୟା ।୧୬୨।

ନଳର ବଚନେ ସୋ ବୋଇଲେ ଅମନାତ୍ୟେ

ବ୍ରତିଥିଲେ ସୟମ୍ବରେ ଜାଣିମାନା ତଦନ୍ତେ ।୧୬୩।

ଦୂତ ମୁଖେ ୟେସନେକ ସେ ବାରତା ଶୁଣି

ପୁଣି ସୟମ୍ବର କଥା ପଚାରିଲେ ନୃପମଣି ।୧୬୪।

ଦୂତେ ବୋଇଲେ ସୟମ୍ବର ହୋଇବ ଯେ ରୟେଣୀ ପ୍ରଭାତେ

ରତୁପର୍ଣ୍ଣ ବୋଇଲେ ୟେ ବଡ଼ାଇ ଦୂରାନ୍ତେ ।୧୬୫।

କେତେବେଳେ ଯିବା ସୟମ୍ବର ସ୍ତାନକୁ

ୟେ କଥା ପ୍ରାପତ ସତେ ହୋଇବ ହାତେ ମୁକୁ ।୧୬୬।

ନଳ ବିଚାରଇ ଦମୟନ୍ତୀ ଯେ ସର୍ବଗ୍ୟାଂ

ସୟମ୍ବର କରିବ କରିବ କି ସତ୍ୟବ୍ରତ ଭଗ୍ନା ।୧୬୭।

ପୁଣି ବୋଲଇ ଅବା ମୋହୋର ନିମନ୍ତେ

ସୟମ୍ବର କରି ମୋତେ ପାଇବା ନିମନ୍ତେ ।୧୬୮।

ରତୁପର୍ଣ୍ଣ ମୁଖ ଚାହିଂ ବାହୁକ ବୋଇଲା

ମୁହିଂ କାଲି ସୟମ୍ବରେ ଭେଟାଇବି ମୋର ସତ୍ୟ ଯେ ହୋଇଲା ।୧୬୯।

ରତୁପର୍ଣ୍ଣ ବୋଇଲା ତୋର ଜାଣିମା ବାହୁକପଣ

ନେଇ ଭେଟାଇବୁ ଯେବେ ପାଇବୁ କାରଣ ।୧୭୦।

ରଥ ସଜ କର ରତୁପର୍ଣ୍ଣ ଯେ ବୋଇଲା

ଶୁଣି ବାହୁକ ଯେ ଆଗଭର ହୋଇଲା ।୧୭୧।

ଚୋଖାର ତୁରଙ୍ଗମ ଯେହୁ ଆଗସରି ବାଜୀ

ତାହାକଇଂ ଯୋଚିକରି ରହୁବର ବେଗେ ସାଜି ।୧୭୨।

ରତୁପର୍ଣ୍ଣ ବୋଇଲା ତୋହୋରେ ନୋହିବ କିସ କାର୍ଯ୍ୟ

ଅନମିତେ ବାହୁକ ରେ କରାଇବୁ ମୋତେ ଲାଜ ।୧୭୩।

ବାହୁକ ବୋଇଲେ ଦେବ ଆସ ସଜ ହୋଇ

ବାହୁକପଣ ମୋହୋର ଆଜ ବୁଝ କିନା ନରସାଇଂ ।୧୭୪।

ବାହୁକ ବଚନେ ରାଜା ବସିଲାକ ରଥେ

ପବନୁଂ ଆପାତୀ ରଥ ଉଡ଼ିଲା ଗଗନ ପଥେ ।୧୭୫।

ରତୁପର୍ଣ୍ଣ ଶିରେ ଯେ ଶ୍ରୀଭୂଷା ମୁକୁଟ ଥିଲା

ରଥ ଚଳିଯାନ୍ତେ ସେ ମସ୍ତକୁ ଖସିଣ ପଡ଼ିଲା ।୧୭୬।

ରତୁପର୍ଣ୍ଣ ବୋଇଲା ରହ ରହ ହୋ ବାହୁକ

ଶ୍ରୀଭୂଷା ମୁକୁଟ ଖସିପଡ଼ିଲା ଶିର ମୋର ଦେଖ ।୧୭୭।

ବାହୁକ ବୋଇଲା ରାଜା ଆବର ପାଇବ ତୁମେ କାହିଂ

ନବ ସହସ୍ର ଯୋଜନେ ଅଇଲିନି ରଥ ବାହି ।୧୭୮।

ରତୁପର୍ଣ୍ଣ ବୋଇଲା ଶୁଣିମାନା ତୋର ସତ

ବାହୁଡ଼ାଇ ବାହୁକ ରେ ବାହ ମୋର ରଥ ।୧୭୯।

ୟେତେକ ବଚନ ଶୁଣି ରଥ ବାହୁଡ଼ାଇ ବାହିଲା

ଲେଖନ୍ତେ ନବ ସହସ୍ର ଯୋଜନ ସ୍ଥଳେ ଶ୍ରୀଭୂଷା ପଡ଼ିଥିଲା ।୧୮୦।

ରତୁପର୍ଣ୍ଣ ବୋଇଲା ଧନି ତୋର ବାହୁକପଣ

ମୋହୋର ବିଦ୍ୟାୟେ ଅଛଇ ସର୍ବଜାଣ ।୧୮୧।

ବୃକ୍ଷର ମଧ୍ୟରେ ଯେତେକ ଫଳ ଥାଇ

ଦୃଷ୍ଟି ମାତ୍ରକେ ମୁଂ ସମସ୍ତ ଜାଣଇ ।୧୮୨।

ନଳ ଦେଖିଲେ ଯେ ଛାମୁରେ ବୃକ୍ଷ ଗୋଟାୟେ

ୟେଥି କେତେ ଫଳ ଅଛି ତୁ କହନି ହୋ ରାୟେ ।୧୮୩।

ରତୁପର୍ଣ୍ଣ କହଇ ଯେତେ ଫଳ ଅଛଇ ବୃକ୍ଷେ

ରଥ ବୁହାଇ ଯେ ନଳ ଗଣିଲା ପ୍ରତକ୍ଷେ ।୧୮୪।

ନଳର ଶରୀରେ କାଳପୁରୁଷ ଗୋଟିୟେ ଥିଲା

ଗର୍ଭୁଂ ବାହାର ହୋଇଣ ସେ ବୃକ୍ଷେ ସମ୍ଭାଇଲା ।୧୮୫।

ବାହୁଡ଼ି ନଳ ଯେ ହୋଇଲା ନିଜ ରୂପ

ସେ ନଳ ନୃପତି ଛାଡ଼ିଲା ତକ୍ଷଣି କୁରୂପ ।୧୮୬।

ରତୁପର୍ଣ୍ଣ ବିଦ୍ୟାଗୋଟି ନଳକୁ କହିଲା

ନଳ ସେହି ବିଦ୍ୟାଗୋଟି ପରୀକ୍ଷ କରିଣ ଘେନିଲା ।୧୮୭।

ନଳ ବୋଇଲା ମୋହୋର ବିଦ୍ୟା ଦେବି ତୋତେ

ରତୁପର୍ଣ୍ଣ ବୋଇଲା ମୋର କାର୍ଯ୍ୟ ବେଳେ ମାଗଇ ସିନା
ତୋତେ ।୧୮୮।

ଦୁଇରାଜା ସନମତେ ଯେ କରନ୍ତି ଗମନ

ପ୍ରବେଶ ହୋଇଲେ ଯାଇ କୁଣ୍ଡିନଗ୍ର ସ୍ତାନ ।୧୮୯।

ସମସ୍ତ ନୃପତିମାନେ ବିଜୟେ ସୟମ୍ବରେ

ରତୁପର୍ଣ୍ଣ ନଳ ଘେନି ବିଜୟେ ସମ୍ଭରେ ।୧୯୦।

କଉତୁକ ଦେଖିବାକୁ ଦିଗପାଳମାନେ

ମୋହନ ରୂପ ଧରି ବିଜୟେ ସଭାସ୍ଥାନେ ।୧୯୧।

ବାସବ କୁବେର ଯେ ବରୁଣ ହାଦେ ଅଗ୍ନି

ସତ୍ୟ ତ୍ରେତୟା ଦ୍ୱାପର କଳି ପୁଷ୍କର ଘେନି ।୧୯୨।

କାଳ କାମ ଅଧାତୁ ଶରୀର ଶତମନୁ

ଦ୍ୱାଦଶ ବିଶ୍ୱଦେବାୟେ ବିଜୟେ କୃଶାନୁ ।୧୯୩।

ଇନ୍ଦ୍ର ଦେବତାୟେ ଯେ ହକାରିଲେ ନଳକୁ

ପ୍ରଥମ ସୟମ୍ବରେ ଦମୟନ୍ତୀ ନ ବରିଲା ଆମ୍ଭଂକୁ ।୧୯୪।

ଆମ୍ଭେ ଦୟାକଲୁ ତୋତେ ତୋର ଘେନିଣ ଭଗତି

ଯୁଗାନ୍ତର ପୁରୁଷମାନେ ତୋତେ ଦିଲେ ୟେହେନେକ ଶାସ୍ତି ।୧୯୫।

ଉପାୟେ କରି କଳିଯୁଗ ମିଥ୍ୟା ଯେ କହିଲା

ନଳ ନାଶଗଲା ବୋଲି ଦମୟନ୍ତୀକି ବୋଇଲା ।୧୯୬।

ବିଦୁଳା ବୋଲିକରି କମଳାଉର ନାଗର କୁମାରୀ

ମୃତୁ ସଞ୍ଜୀବନୀ କହି ଜୀଆଂଇଲା ତୋର ନାରୀ ।୧୯୭।

ବାହୁଡ଼ି ସୁନ୍ଦରୀ ଯେ ବାତୁଳ ମୂରତି

ଦୁତୀ ସୟମ୍ବର ତୋତେ ରଞ୍ଚିଲା ଯୁବତୀ ।୧୯୮।

ତୁ ୟେବେ ନଳ ଲୁଚି ଥାଅସି ଆମ୍ଭ ତୁଲେ

ବୃଦ୍ଧ ଅବସ୍ତା ତାକୁ ଦେବତାୟେ କଲେ ।୧୯୯।

ପିଙ୍ଗଳ ପଳିତ କେଶ ଯେ ବଳିତ କୁବୁଜ କାୟେ

ମଳିଣ ବସ୍ର ପିନ୍ଧି ହାଥେ ଯଷ୍ଟି ଗୋଟିୟେ ।୨୦୦।

ଦେବତାୟେ ନଳକଇଂ ଦିଲେ ୟେତେକ ଅବସ୍ତା

ଅଥବା ୟେସନେକ ରୂପ ଗୁଣ ସଞ୍ଚିଲେ ତାହାକଇଂ ଯଥା ।୨୦୧।

ପ୍ରପଞ୍ଚ ରୂପ ଦେଖି ନଳକଇଂ ନ ବରୁ

ନଳର ବିହୁନେ ସେ ଆମ୍ଭନ୍ତ ଇଚ୍ଛାକରୁ ।୨୦୨।

କନ୍ୟାମାନେ ବେଶକଲେ ଦମୟନ୍ତୀ ସତୀକି

ରାଜାଗଣ ମୋହଗତ ହୋଇଲେ ତାହାର ରୂପ ଦେଖି ।୨୦୩।

ସାଧୁ ସାଧୁ ସୁନ୍ଦରୀ ତୁ ଜଗତମୋହିନୀ

ଆକାଶ ବୃନ୍ଦାଅର୍କେ ୟେହାକୁ ବର ସିନା ପୁଣି ।୨୦୪।

ରାଜା ଭୀମେକ ଦୁହିତାର ଧରି ହାଥ

ରୂପ ଗୁଣ ଲକ୍ଷଣ ଦେଖ ଗୋ ୟେହାନ୍ତ ।୨୦୫।

ଯେ ତୋହୋର ବିଚାରକୁ ବଳଇ ଯେ ଇଚ୍ଛା

ବରଣମାଳା ଦେସି ପୂରୁ ମନୋବାଞ୍ଛା ।୨୦୬।

ଦମୟନ୍ତୀ ବୋଇଲା ଶୁଣ ଶୁଣ ଲୋ କେଶିନୀ

ନଳ ରୂପଗୁଣ ବିଚାରନି ଭାବିନୀ ।୨୦୭।

ଯଦ୍ୟପି ନଳକୁ ମୁଂ ନ ଦେଖଇ ନୟନେ

ଅଥବା ଇଚ୍ଛା ମୋର ଯେ ନ ବଳଇ ଆନେ ।୨୦୮।

ଅନେକ ଦେଶର ରାଜାନ୍ତ ଦେଖିଲା

ଦେବତାମାନଂକ ସନ୍ନିଧ୍ୟେ ଯାଇଣ ମିଳିଲା ।୨୦୯।

ବିଦୁଲା ବୋଇଲା ଆୟି ଗୋ ୟେହି ସେ ବୃନ୍ଦାଅର୍କେ

ତୋହୋର ନିମନ୍ତେ ଆସିଅଛନ୍ତି ଦେବଲୋକେ ।୨୧୦।

ଦମନ୍ତୀ ବୋଇଲା ଗୋ ମୁଂ ଅଟଇ ମାନୁଷୀ

ମୋହୋର ନିମନ୍ତେ କିମ୍ପେ ଦେବତାୟେ ଛନ୍ତି ଆସି ।୨୧୧।

ନଳକଇଂ ନ ପାଇଣ ସେ ବିରସ ପଞ୍ଚୁମନେ

ଆପାଦ ଖଣ୍ଡଣି ମାଗୋ ମୋତେ ହୋଅସି ପ୍ରସନ୍ନେ ।୨୧୨।

ପରମ ଯୋଗେଶ୍ୱରୀ ମାଗୋ ଆଦି ଯେ ଅପର୍ଣ୍ଣା

ସ୍ତିରୀକୁଳେ ଉଦ୍ଧରିବାକୁ ତୁହି ସେ ନାବ ସିନା ।୨୧୩।

ବିଂଝଗିରି ବାସିନୀ ଗୋ ପରମ ଦୁଖେଣ ଦୁଖୀ

ଶରଣ ଉଦ୍ଧାରିଣୀ ମାଗୋ ଶରଦଚନ୍ଦ୍ରମୁଖୀ ।୨୧୪।

ଲୋକିତ ଅଲୋକିତ ଅଭୟେ ଚଞ୍ଚଳା

କରୁଣାମତ୍ସଳି ମାଗୋ ଶ୍ରୀସର୍ବମଙ୍ଗଳା ।୨୧୫।

ବିପତ୍ତି ବିନାଶିନୀ ମାଗୋ ଋଚିର ମାତାଙ୍ଗୀ

ଜଗୁଜନ ମୋହିନୀ ମାଗୋ ତୁ ଯୋଗୀବୃନ୍ଦ ସଙ୍ଗୀ ।୨୧୬।

କେଶରୀବାହିନୀ ମାଗୋ ଆସନ ଦୃଢ଼ ଋଚି

ବ୍ୟାଘ୍ର ମୃଗ ଶାର୍ଦ୍ଦୁଳ ଭାଲୁଂକ ସର୍ବରୂପ ସଞ୍ଚି ।୨୧୭।

ଅମଳାଣ ଅରବିନ୍ଦ ଚରଣ ତଳ କାନ୍ତି

ଡାକି ଡମ୍ବରୁ ଶବଦେ ବିଘଂସିତ ପଦ୍ମନେତ୍ରୀ ।୨୧୮।

ଜଳଦ ମେଦୁର ଯାହାର ଅଙ୍ଗଭାବ

ସର୍ବାଙ୍ଗ ସୁଲଳିତ ମୋହିନୀ ମହାଦେବ ।୨୧୯।

କ୍ଷଣେକେ ବାତୁଳ ଗୋ କ୍ଷଣକେ ଗଗନ କ୍ଷେପୀ

ୟେକାକାୟେ ଅନନ୍ତ ଅର୍ଦ୍ଧାଂଗ କାମରୂପୀ ।୨୨୦।

କାମିନୀ କାମସେଣା ଗୋ ଜଗତଜନନୀ ମାତା

ସମସ୍ତ ଦୁଷୁକୃତ ମାଗୋ ଆପାଦ ଖଣ୍ଡନ୍ତା ।୨୨୧।

ମମ ଦୁଷୁକୃତ ଆପାଦ ଦୁଖ ଖଣ୍ଡି

ସଦା ସମ୍ପଦ ମାଗୋ ଅଭୟେ ମଙ୍ଗଳ ଚଣ୍ଡୀ ।୨୨୨।

ଦଧିବାବନ ଉଦିତ ସମସ୍ତ ଅନକୂଳେ

ଜାତକ ଯାତ୍ରାୟେଣୀ ଗୋ ତୁହି ସେ ସର୍ବକାଳେ ।୨୨୩।

ତବ ପାଦପଦ୍ମେ ମୋର ବିନୟେ ଭଗତି

ଜୟ ଜୟ ଦୁର୍ଗେ ଗୋ ଅପର୍ଣ୍ଣା ପାର୍ବତୀ ।୨୨୪।

ଶ୍ରୀସର୍ବମଙ୍ଗଳା ଚରଣେ ବିନୟେ ଦୟିନୀ

ବଦୟନ୍ତି ସାରୋଳା ଦାସ ଗ୍ରନ୍ଥିକ ଶୂଦ୍ରମୁନି ।୨୨୫।

ତୁହି ମା ଜନନୀ ମୋତେ ପଦ ଆଗ୍ୟାଂ ଦେବୁ

ଦମୟନ୍ତୀ ସୟମ୍ବର କତା ବୁଝାଇ କହିବୁ ।୨୨୬।

ୟେ ଭବସାଗରୁ ମୋତେ ବାରେକ ଉଦ୍ଧରିବା

ଶ୍ରୀଭଗବାନୀଂକ ଚରଣେ ମୋର ଜନ୍ମେ ଜନ୍ମେ ସେବା ।୨୨୭।

ହେ ଦେବା ଗୋ ଶ୍ରୀ ଚରଣେ ସର୍ବଦା ନମାମି

ୟେ ଆପାଦୁଂ ବାରେ ରକ୍ଷାକର ଠାକୁରାଣୀ ।୨୨୮।

ଅନେକ ବିନୋୟୀ ଯହୁଂ ହୋଇଲା ଦମୟନ୍ତୀ

ପ୍ରସନ୍ନେ ଦ୍ରଶନ ପାଇଲା ନଳ ଯେ ନୃପତି ।୨୨୯।

ଦମୟନ୍ତୀ ବୋଇଲା ଶୁଣ କେଶିନୀ ମୁଦୁସୁଲୀ

ଆଗୋ ଦେବତାଂକ ମେଳେ ମୁଂ ବୃଦ୍ଧେକ ଦେଖିଲି ।୨୩୦।

ମାୟା ପରପଞ୍ଚ ଅବା କରାଇଛନ୍ତି ନଳ

ଅଲକ୍ଷଣ ରୂପ ଅବା କରିଛନ୍ତି ଦିଗପାଳ ।୨୩୧।

କେଶିନୀ ବୋଇଲା ମାଗୋ ସେ ବୃଦ୍ଧ ମଣିଷା

ତାହାକଇଂ ସଂଘାତୁଣୀ କିମ୍ପେ ବଳାଇଲୁ ମନୀଷା ।୨୩୨।

କରେଣ ଶୋଭଇ ଯେ ଉତ୍ପଳର ମାଳୀ

ସେ ବୃଦ୍ଧ କୁବୁଜ ସନ୍ନିଧ୍ୟେ ଯାଇଂ ମିଳି ।୨୩୩।

ଦମୟନ୍ତୀ ବୋଇଲା ତୁମ୍ଭେ ସଭାବେ ଯେବେ ଅଟ ବୃଦ୍ଧ

ୟେହି ସରୂପ ତୋହୋର ସର୍ବଦା କାଳେ ଥିବ ।୨୩୪।

ନଳ ହୋଇଣ ଯେବେ କପଟେ ୟେହି ରୂପ

ନିଜ ରୂପ ହୋଉ ଯେହ୍ନେ କନ୍ଦର୍ପ ସରୂପ ।୨୩୫।

ୟେସନେକ ବାକ୍ୟ ଯହୁଂ ବୋଇଲା ଦମୟନ୍ତୀ

ନିଜରୂପ ଦୁରୁଶାଇଲ ନଳ ଯେ ନୃପତି ।୨୩୬।

ଦେଖିଣ ଦମୟନ୍ତୀ ଯେ ପରମ ସାନନ୍ଦେ

ବରଣମାଳା ଦେଇ ନଳକୁ କରିଲାକ ହାଦେ ।୨୩୭।

ଦେବତାୟେ ବୋଇଲେ ସାଧୁ ସାଧୁ ପତିବ୍ରତା

ବନେ ନଳ ତୋତେ ଦିଲା ଯେତେକ ଅବସ୍ତା ।୨୩୮।

ଅେନକ କଷ୍ଟ ତୋତେ ଦିଲାକ ଯୁଗାନ୍ତେ

ବାହୁଡ଼ି ନଳକଇଂ ବରିଲୁ ହୃଦଗତେ ।୨୩୯।

ସାନନ୍ଦେଣ ଅଭୟେ ବର ଦିଲେକ ସସ୍ରଯୋନି

ଯାଅ ତୁମ୍ଭେ ଅକ୍ଷୟେ ସ୍ୱର୍ଗେ ବସ ପତିପତ୍ନୀ ।୨୪୦।

ଶୁଣ ହୋ ଯୁଝେଷ୍ଠି ଦେବ ବଦୟନ୍ତି ବେଦବ୍ୟାସେ

ବେନି ନକ୍ଷତ୍ର ହୋଇଚି ସେ ବସିଲେ ଆକାଶେ ।୨୪୧।

ପତିବ୍ରତା ତିରୀଂକର ୟେସନେକ ମହିମାଂ

ଚାରି ଯୁଗ ମଧ୍ୟରେ ସେ ରୁହାଇଲେ ସୀମା ।୨୪୨।

ତିରୀଂକର ସାର୍ଥୁକ ସେ ପତିରେ ଭଗତି

ଆପଣେ ତରଇ ସେ ପିତୃଲୋକେ ହୋଅସି ସଦଗତି ।୨୪୩।

ଆପଣା ପିତା କୁଳର ପଞ୍ଚଇଶ ପୁରୁଷ

ସ୍ୱାମୀକୁଳର ପଞ୍ଚିଶ ପୁରୁଷ ଘେନି ବସଇ ଆକାଶ ।୨୪୪।

ରାଜାଗଣମାନେ ଯେ ସୟମ୍ବରେ ସଭାରେ ଥିଲେ

ଅନେକ ପୂଜା ବିଧାନେ ଘେନି ଯେ ଯାହାର ଦେଶେ ଗଲେ ।୨୪୫।

ସତ୍ୟବତୀର ନନ୍ଦନ ଯେ ପାରେଶ୍ୱରଂକର ଶିଷି

ନାଉକା ବିବାନେ ଯାହାର ଜନମ ପ୍ରକାଶି ।୨୪୬।

ବେଦମନ୍ତ୍ରେ ସାଧନ୍ତା ଯାହାର ମାହୀନ୍ଦ୍ର ଯୋଗବେଳେ

ତାହାର ହୃଦେ ବିକାଶିଲା ତେଜ ଅନର୍ଗଳେ ।୨୪୭।

କାଳ କାମ ନିଦ୍ରା ଉପେକ୍ଷିଲା ଯେଉଂଣ ମହାମୁନି

ଭୂତ ଭବିଷ୍ୟ ବର୍ତ୍ତମାନ ଜାଣଇ ସର୍ବଗ୍ୟାନି ।୨୪୮।

ୟେକ ଶରୀରେ ଯାହାର ସତ୍ତ୍ୱ ରଜ ତମ

ପାଦେ ରୁଦ୍ର ନାଭିରେ ହରି ମୁଖେ ଯାର ଜନ୍ମ ।୨୪୯।

ପୃଥୀ ଆପେ ତେଜ ବାଇବ ଆକାଶ

ପଞ୍ଚଧାତୁ ଅଭ୍ୟାସିଲା ଯେଉଂଣ ପୁରୁଷ ।୨୫୦।

ସତ୍ୟବତୀର ନନ୍ଦନ ଅଭୟେ ସୋମବଂଶୀ

ମନୁକଳ୍ପ ଅନ୍ତରେ ଯାହାକୁ ନୋହେ ନିଶି ।୨୫୧।

ଅନଳ ନିବାରିଣ ଯେ ପ୍ରଳୟ କାଳ ବଂଚା

ଶୂନ୍ୟପବନବ୍ୟାପୀ ସେ କଲାକ ୟେକ ସଂଚା ।୨୫୨।

ପ୍ରଳୟ ଉଦ୍ଧାରଣ ମୁନି ବିଷ୍ଣୁର ବକ୍ଷସ୍ଥଳା

ବର୍ଣ୍ଣ ବାରିଲା ସେ ବତିଶ ସସ୍ରକଳା ।୨୫୩।

ଶ୍ରୀ ବ୍ୟାସଦେବଂକ ଚରଣେ ମୋହୋର ଦଣ୍ଡପ୍ରଳମ୍ବ ସେବା

ଶୂଦ୍ରମୁନି ସାରୋଳା ଦାସକୁ ଜୟମଂଗଳ ଦୀକ୍ଷାଦେବା ।୨୫୪।

ଶ୍ରୀମହାଭାରଥ ଆରଣ୍ୟକ ପର୍ବ କଥା

ମୁହିଂ ୟେହା ବଞ୍ଚାଇଲି ସଂସାର ଜନହିତା ।୨୫୫।

ସତ୍ୟଯୁଗେ ଯେହ୍ନେ ଅମୃତ ହୋୟେ ବୃଷ୍ଟି

ଶୁଣନ୍ତେ ଅନେକ ଜନ୍ମର ଦୁଷୁକୃତ ଯାୟେ ଫିଟି ।୨୫୬।

ଯେସନେ ନଳ ଯୋଗୋ ଦହଇ ତିରଣ ରାଶି

ଶ୍ରୀମହାଯୋଗ ସାଧିସେ ଯେହ୍ନେ ପାପ ହୋୟେ ଧଂସି ।୨୫୭।

ଶ୍ରୀପୁରୁଷୋତ୍ତମ ଚରଣେ ଶରଣ ଅଭ୍ୟାସୁ

ହୃଦଗତେ ଧରି ନରେ ପାତକମାନ ଧଂସୁ ।୨୫୮।

ଶୁଣିଣ ସାନନ୍ଦ ଯେ ପଣ୍ଡୁରାଜାଂକର ସୁତେ

ଗମନ୍ତି ପୁଣ୍ୟସ୍ତାନେ ଋଷିଗଣଂକ ସହିତେ ।୨୫୯।

ଅନେକ ଦାରାକ୍ଷ ଫଳ ଋଷିମାନନ୍ତ ଦିଲେ ଭୋଜି

ଧର୍ମହୁଂ ଆନନ୍ଦ କଥା ହୃଦେଣ ନ ଭଜି ।୨୬୦।

ଇନ୍ଦୁକରୁଣ ନାମେ ଅଟଇ ୟେକ ବନ

ଅତୁଟ ଭଦ୍ରାନଦୀର ଉତ୍ତର ସନ୍ନିଧାନ ।୨୬୧।

ସେ ଉତ୍ତର ଭାବ ନଦୀରେ ରାୟେ ସାରିଣ ସ୍ରାହାନ

କୋମଳ ପତ୍ର ଭକ୍ଷଣେ ସେ ବଞ୍ଚିଲେ କିଛିଦିନ ।୨୬୨।

ତହୁଂ ଯାଇଣ ପ୍ରବେଶ ରଇବ୍ରତକ ପରବତେ

ରେବା ନାମେ ନଦୀ ବହଇ ଦକ୍ଷିଣ ପ୍ରଶସ୍ତେ ।୨୬୩।

ରଇବତକ ଋଷିଂକର ତହିଂ ଅଟଇ ତପସ୍ତାନ

ମହାବ୍ରହ୍ମା ଋଷି ସେ କଳପୀ ଶୟନ ।୨୬୪।

ଦକ୍ଷିଣକଇଂ ଶିରକରି ଶୟନ ତପନିଷ୍ଠି

ସନ୍ନିଧ୍ୟେ ପ୍ରଣିପତ୍ୟ ହୋଇଲେ ଯାଇଣ ଯୁଝେଷ୍ଠି ।୨୬୫।

ସମ୍ପାଦେ କଲ୍ୟାଣ ସେ କଲେ ତପୋବନ୍ତ

ଯୁଝେଷ୍ଠିଦେବ ବୋଇଲେ କିମ୍ଭତେ ମଉନବ୍ରତ ।୨୬୬।

ଆଚର ତପ କି ବ୍ରତର ପ୍ରକୃତି

ଅନୁବ୍ରତେ ସମାଦି ମାନୁଷେ ନାହିଂ ଶ୍ରୁତି ।୨୬୭।

ଆଧାତ୍ମ ସାଧନ କିମ୍ଭୁତେ କୃତ ଯୋଗୀ

ନ ପାଇ ବଣା କି କଳହବଦ୍ଧ ରୋଗୀ ।୨୬୮।

କାମ୍ୟେକ ସାଧନ କି କନ୍ଦର୍ପ ଦର୍ପଭଞ୍ଜା

ଉପାୟ ଚିନ୍ତନ କି କାଳକର୍ମ ଗଞ୍ଜା ।୨୬୯।

ଅଦୃଷ୍ଟି ନିରାକୁଳ ନିରାଲମ୍ବକ ଦମ୍ଭ

ବିଶ୍ୱକର୍ମା କିବା ଅଜପା ବ୍ରହ୍ମବିମ୍ବ ।୨୭୦।

କୁଟୁମ୍ବ ଅଭାବେକି ମାନବେ ମହାକ୍ରୋଧୀ

ବିରହ ଅବସ୍ତା କି ପବନ ତପ ନିରୋଧି ।୨୭୧।

ଅଷ୍ଟାଂଗେ ଆୟତ୍ତ ନାହିଂ ବାଳୁତଭାବ ଚେତା

ହଠଲୟ କର୍ମେ କି ମୁଦୁରା ଖେଚଡ଼ା ।୨୭୨।

ତତ୍ତୁ ଆଶ୍ରା କରି ହଜାଇଣ ବଣା

କୃତାନ୍ତକର କଷଣ କି ଆରମ୍ଭ ଘଟଣା ।୨୭୩।

ଯୁଝେଷ୍ଠି ଦେବେ ଯହୁଂ କହିଲେ ପରମାର୍ଥ ବାଚି

ରଇବ୍ରତ ଋଷି ବୋଇଲେ ତୁ ଯୁଝେଷ୍ଠି ଅଟୁ କି ? ।୨୭୪।

କୋନ୍ତେ ବୋଇଲେ ଶତସହସ୍ର ଦଣ୍ଡ ପ୍ରଣମ୍ୟ ମୋର ବିନୁଂ

ଚେତନା ମହାତମା ମୋର ବର୍ଣ୍ଣ ଦେକି ଚିହ୍ନୁ ।୨୭୫।

ଶୁଣ ହୋ ମହାତମା ବଦୟନ୍ତି ବ୍ରହ୍ମଋଷି

ରଇବ୍ରତ ଦେଶର ରାଜା ମୁଂ ବିଶ୍ୱାବସୁ ବଂଶୀ ।୨୭୬।

ବିଶ୍ୱାବସୁଂକର ନନ୍ଦନ ଉମାବସୁ ପ୍ରାୟେବସୁ

ଉଦ୍ଦାନ,କାନ୍ତନ ବୋଲିକରି ୟେହାଂକର ବେନିଶିଶୁ ।୨୭୭।

କାନ୍ତନ ବସୁଂକର ଉପୁଜିଲେ ଚାରିପୁତ୍ର

ରୁଦ୍ରବସୁ ଗୁରୁବସୁ ରୂପବସୁ ରୁକ୍ଷପାତ ।୨୭୮।

ବହୁତ ଧର୍ମ ସେ ସାଧିଲେ ଚାରିପୁତ୍ରେ

ସାଧନେ ବଞ୍ଚିଲେ ପଞ୍ଚସ୍ତରୀ ଯୁଗ ପରିଯନ୍ତେ ।୨୭୯।

କହନ୍ତେ ନ ସରଇ ୟେ ଚାରିପୁତ୍ରଂକର କଥା

ସେହି ବନେ ଆସିଣ ସେ ନିୟଡ଼େ ବିହଡ଼ନ୍ତା ।୨୮୦।

ରୁଦ୍ରବସୁଂକର ହୋଇଲା ଚାରି ଯେ ଅପତୀ

ମୃତ୍ତି ଧୃତ୍ତି ଶ୍ରୃତ୍ତି ୟେ ଆବର ସ୍ୱତୀ ।୨୮୧।

ୟେହାଂକର ନନ୍ଦନ ଯେ ଆପାପୀ ୟେକଦଣ୍ଡୀ

ୟେହି ସେ ସ୍ରିଜିଲେ ଅଜପା ବେଦକାଣ୍ଡି ।୨୮୨।

ୟେହାଂକର ନନ୍ଦନ ଯେ ଅରୁଣ ଉଲ୍ଲୋଳ

ବାଳୁତଖେଡ଼େ ସେ ପିଇଲେ ସିନ୍ଧୁଜଳ ।୨୮୩।

ବାବୁ ମହାବ୍ରହ୍ମ ପୁରୁଷ ଯେ ୟେହାଂକର ଧାତା

ନିରାକାର ବୋଧିଣ ୟେ ହୋଇଲା ବିହନ୍ତା ।୨୮୪।

ୟେହାଂକର ନନ୍ଦନ ଇଚ୍ଛାଯେ ବୀରଧୂକ୍ଷ

ୟେହାଂକର ନନ୍ଦନ ବୀରପାକ୍ଷ ।୨୮୫।

ୟେହାଂକର ନନ୍ଦନ ହୋଇଲା ଯମନିକ ଦକ୍ଷ

ୟେହାଂକର ନନ୍ଦନ ଯେ ଜଳଣକ ଦକ୍ଷ ।୨୮୬।

ଜଳଣକ ଦକ୍ଷର ନନ୍ଦନ ରଣମାଳି

ରଣମାଳିର ନନ୍ଦନ ସୋମବାହୁକ ମହାବଳୀ ।୨୮୭।

ସୋମବାହୁର ନନ୍ଦନ ସାମଦୀର୍ଘ ନୃପତି

ୟେହାଂକର ନନ୍ଦନ ଯେ ହରଯାତି ସରଯାତି ।୨୮୮।

ସରଯାତିର ମହିମା ଶୁଣ ହୋ ଯୁଝେଷ୍ଠି

ସପତ ସମୋଦ୍ରେ ୟେ କଲା ୟେକବାଟି ।୨୮୯।

ଚାଲନ୍ତେ ଚରଣ ୟେହାର ନ ବୁଡ଼ଇ ଜଳେ

ମୃତୁ ବଞ୍ଚାଇଲା ରାଜ ଧାରମିକ ପୁଣ୍ୟବଳେ ।୨୯୦।

ସେ ସରଜାତିର ନ୍ନଦନ ଅନନ୍ତ ଶ୍ରୀକୃଷ୍ଣ

ଜୟନ୍ତିକ ବୋଲିକରି ତାହାର ନନ୍ଦନ ବଳିଷ୍ଠ ।୨୯୧।

ଜୟନ୍ତିକର ନନ୍ଦନ ମୁହିଂ ସେ ରଇବ୍ରତ

ଧାରମିକ ପଣେ ମୁଂ ପାରକଲି ଯୁଗ ସାତ ।୨୯୨।

ଧାରମିକ ପଣରେ ମୁହିଂ ବଞ୍ଚୁଥାଇ ଯୁଗ

ସାଧଇ ଯୋଗବିଦ୍ୟା ଅଲେଖ ଯୋଗ ମାରଗ ।୨୯୩।

ମୋତେ ଦୋହିତାୟେକ ଦିଲା ଭୂବୀବାହନ ନୃପତି

ସେ କନ୍ୟାର ନାମ ହାଦେ ଅଟଇ ଯେ ପୃଥୀ ।୨୯୪।

ତାହାର ତହୁଂ ହୋୟେ କନ୍ୟାୟେ ଉତପତ୍ତି

ସେ ଦୋହିତାର ନାମ ମୁଂ ଦିଲଇଂ ରେବତୀ ।୨୯୫।

ଆହୋ ମହାରାଜା କକଡ଼ା ମାସ ଯେ ପୌର୍ଣ୍ଣମୀର ଦିନ

ଭୂବିବାର ଶ୍ରବଣା ନକ୍ଷତ୍ର ବିଦ୍ୟମାନ ।୨୯୬।

ସମ୍ପୂର୍ଣ୍ଣ ରାତ୍ର ଯେ ହୋଇଅଛି ବତିଶ ଦଣ୍ଡ

ପାଦେଣ କୁମାରୀ ଯେ ପଡ଼ିଲା ଭୂଅଖଣ୍ଡ ।୨୯୭।

ଚନ୍ଦ୍ରକିରଣ ଜାଣି ବିରାଜେ ସର୍ବଗୁଣ

ସରୂପେ ଶତଶ୍ରିୟାର ଚଉରାଶି ଲକ୍ଷଣ ।୨୯୮।

ବଡ଼ାଇ ଆଶ୍ରିଜ ସେ ଅଟଇ ନନ୍ଦିନୀ

ଜନ୍ମ ହୋଇବା ମାତ୍ରକେ ସେ ରାବଇ ବେଦଧୁନି ।୨୯୯।

ଋକୁବେଦ ଆଧ୍ୟାନ ସେ କରଇ କୁମାରୀ

ମାତାର କ୍ଷୀର ସେହି ନ କରି ଆଧାରି ।୩୦୦।

ସତ୍ୟଯୁଗ ବହି ଲକ୍ଷେକ ବରଷ ଗଲା

ବାଳୁତ ବାବହୁଂ ସେ ଯୁବାବସ୍ଥା ନୋହିଲା ।୩୦୧।

ମହାବ୍ରହ୍ମଂ ବାକ୍ୟହୁଂ ଆଧାରେ ନାହିଂ ଇଚ୍ଛା

ଶୁକ୍ଳାମ୍ବର ପୁରୁଷକଇଂ କରଇ ମନୋବାଞ୍ଛା ।୩୦୨।

ଦିନେକ ପୁଚ୍ଛାକଲି କୋଳେଣ ବସାଇ

କାହାକଇଂ ପ୍ରଦାନ ଗୋ କରିବି ମହାମାଈ ।୩୦୩।

ମୋହୋର ବଚନେ ସେ ବାରତା ମୋତେ ପୁଚ୍ଛି

ଭୁବି ଭୁବନ ଭିତରେ ମୋତେ ସ୍ୱାମୀ କାହିଂ ଅଛି ।୩୦୪।

ତୁହି ମୋତେ ଭ୍ରାନ୍ତି କିଂପେ କରୁ ହୋ ପ୍ରଜାପତି

ମୋହୋର ସ୍ୱାମୀକି ଦେଖିଲେ ମୁଂ ହୋଇବି ରଜୋବତୀ ।୩୦୫।

ତାହାର ଉପଲୟେ ମୁଂ ଗଲଇଂ ଅମର ସରଗେ

ଯଶୋବନ୍ତୀପୁରେ ମିଳିଲି ପିତାମହର ଆଗେ ।୩୦୬।

ପିତାମହର ସନ୍ଧ୍ୟା ସୁମରିବାର କାଳେ

ମୁହିଂ ଉଭା ହୋଇଅଛି ଆସ୍ତାନର ତଳେ ।୩୦୭।

ନିତ୍ୟକର୍ମ ସାରିଣ ଯେ ଦେବ ବେଦପତି

ତାହାଂକର ଭୁବନ ଯେ ନାହିଂ ଦିବାରାତି |୩୦୮|

କିଞ୍ଚିତ ଅବଲୋକନେ ମୋତେ ଚାହିଁଲେ ଦେବସ୍ଵାମୀ

ଆସ୍ତାନର ତଳେ ମୁଂ ଶୁତିଲି ପରିଣାମି |୩୦୯|

ଧାତା ବୋଇଲେ ମୋତେ ତୋର ଲୋଡ଼ା କିସ ଅରଥେ

ମୁଂ ବୋଇଲି କ୍ଷଣେ ଅବଧାନ ହୋଇବା ଜଗତର ତାତେ |୩୧୦|

ଦୋହିତା ଗୋଟିୟେ ଜନ୍ମିଲା ତା ନାମ ଯେ ରେବତୀ

ଶୁକ୍ଳାମ୍ଵର ପୁରୁଷକଇଂ ସେ ଚିନ୍ତଇ ଅନୁବରତି |୩୧୧|

ଶୁକ୍ଳାମ୍ଵର ବଂଶେ ଜାତ କେଉଂ ନୃପତି ପ୍ରବର

ତାହାକଇଂ ପ୍ରଦାନ କରିବି ଦୋହିତା ମୋହୋର |୩୧୨|

ପିତାମହ ବୋଇଲେ ତୁ ଯେ ଅଇଲୁ ଆମ୍ଭର ତହିଂ

ତୁନୀ ହୋଇ ଉଭା ହୋଇଲୁ ଆମ୍ଭନ୍ତ ନ କହି |୩୧୩|

ସତ୍ୟଯୁଗେ ସତର ଲକ୍ଷ ଅଠାଇଶ ଯୁଗ ଗଲା

ତ୍ରେତୟା ଯୁଗ ବାରଲକ୍ଷ ଛୟାଳୋଇ ସହସ୍ର ବରଷ ସରିଲା |୩୧୪|

ତୁ ଯେତେବେଳେ ଆସି ଦ୍ରଶନ କଲୁ ମୁକୁ

ଦୁଇଯୁଗ ଗଲାନି ସେ ମୃତୁ ମଣ୍ଡଳକୁ |୩୧୫|

ଆମ୍ଭନ୍ତ ସେ ଲିତାକର ଅରଧ ହୋଇଅଛି

ଯେଉଂମାନଂକୁ ବରି ଲୋଡ଼ୁ ସେମାନେ ନୋହନ୍ତି କିଛି |୩୧୬|

ସେ ଦୋହିତାର ପୁନ୍ୟ ଅଛଇ ଯାହାର ହୋଇବ ଭାରିଯା

ଯାହାକଇଂ ପ୍ରଦାନ କରିବୁ ଶୁଣସି ମହାରାଜା |୩୧୭|

ମଥୁରାନଗ୍ର ବୋଲି ଯମୁନାନଦୀ ତଟେ

ଗୋପପୁର କୁଞ୍ଜବନ ବସଇ ସହିଂର ନିକଟେ |୩୧୮|

ନନ୍ଦ ବୋଲି କରିଣ ତହିଂର ମହାଖୁଡ଼

ଅଶିପଦ୍ମ ଗାଈ ତାର ଗୋପେ ସେ ଅଟଇ ଠାକୁର |୩୧୯|

ଷୋଳସହସ୍ର ଗୋପାଳଂକର ଗାଈମାନ

ପଞ୍ଚକୋଶ ମାଡ଼ିଣ ସେ ଚରନ୍ତି ଗୋଧନ |୩୨୦|

ପ୍ରଳୟ ଉତ୍ତରୁଣୀ ଆଦିମାତା କପିଳା

କପିଳା ତହୁଂ ଉତପତ୍ତି ହୋଇଲା ବଉଳା |୩୨୧|

ବଉଳାର ତହୁଂ ଜାତ ହୋଇଲା ଅବନୀ

ୟେହାଂକର ଦୋହିତା ଆଦି ଯେ ଅଶ୍ଵନୀ |୩୨୨|

ଅଶ୍ଵନୀର ଦୋହିତା ହୋଇଲା ସୁରଭି

ସୁରଭିର ତହୁଂ ଉପୁଜିଲା ନନ୍ଦିନୀ ମହାଦେବୀ |୩୨୩|

ଆହୋ ରଇବ୍ରତ କ୍ଷୀରସମୋଦ୍ର ଚଉବିଂଶ ଲକ୍ଷ ଯୋଜନ

କ୍ଷୁଧାୟେ ନନ୍ଦିନୀ ତାହା କଲାକ ଆପ୍ୟାନ |୩୨୪|

ସେ ନନ୍ଦିନୀର ଦୋହିତା କୃତ୍ତିକା ନାମ ବୋଲି

ୟେହାର ତହୁଂ ଉପୁଜିଲେ ଅଶିପଦ୍ମ ଗାଈପଲ୍ଲୀ |୩୨୫|

କୃତ୍ତିକାର ଜ୍ୟେଷ୍ଠ ଦୋହିତା ଅଟଇ ରୋହିଣୀ

ୟେହାର ତହୁଂ ଉପୁଜିଲେ ଜେନା ପୃଥୁନା ନାମେ ତାର ବେନି ଯେ ଭୟେଣୀ |୩୨୬|

ରୋହିଣୀ ବୋଲିକରି ଯେଉଂଣ ଗାଈଗୋଟି

କ୍ଷୀର ସମୋଦ୍ର ୟେହାର ତହୁଂ ହୋଇଲାକ ବୃଷ୍ଟି |୩୨୭|

ଯୁଗାନ୍ତ କଳପୀ ସେ ନ ଜାଣଇ ରାତ୍ରଦିବା

ପ୍ରଳୟ ହୋଇଲେ ବୋଲଇ ଦିବସେକ ଗଲା ଅବା |୩୨୮|

ସଂକ୍ରିଷେଣ ପରବତ ଯେ ଯମୁନା ନଦୀ କୂଳେ

ରୋହିଣୀ ଗାଈର ଜଳ ଆଧାର କରିବାର ବେଳେ |୩୨୯|

ଜଳ ଉପୁଚିଆଈ ଆସଇ ୟେକବିନ୍ଦୁ

ଶୁଦ୍ଧ ସଷ୍ଟିକ ପ୍ରାୟେ ଦିଶଇ ଜାଣି କି ଇନ୍ଦୁ |୩୩୦|

ପାଣି ପିଅନ୍ତେ ସେ ପଶିଲା ଦେବୀର ଗରଭେ

ନ ପାଇଣ ଉଦ୍ଦେଶ ସେ ରହିଲା ରୋହିଣୀ କୁଚ୍ଛ ଠାବେ |୩୩୧|

ଭ୍ରମଇ ନନ୍ଦନ ଯେ ଗଭୀର ହୃଦ କମଳେ

ଧାତିକାରେ ବାହାର ସେ ହୋଇଲା ବାମଡ଼ୋଳେ |୩୩୨|

ଶୁକ୍ଳାମ୍ଵର ଶରୀର ନିରିମଳ ତେଜ ଜାଣି

ପୁତ୍ର ଦେଖି ପ୍ରାଣତ୍ୟାଜ ହୋଇଲା ରୋହିଣୀ |୩୩୩|

ଶୁଭ୍ର ସୁନ୍ଦର ସୁଲକ୍ଷଣ ସପତଫେଣୀ ମାଥେ

ମେଦିନୀ ଦଲଦଲିତ ସେ କୁମର ପାଦଘାତେ |୩୩୪|

ନୟନ କଟାକ୍ଷେ ଯେ ପଳାଇଲେ ଗୋରୁପଲ

ସୁତକଇଂ ଆବୋରି ରହିଲା ସେ ଅଣାକରା ବଇଲ |୩୩୫|

ଦେଖୁଂ ଦେଖୁଂ କୁମରର ବିକାଶିଲା ସରୂପ ଡୋଳା ବେନି

ଦେଖିଣ ଦିନକର ନାଥ ତେଜଗଲା ହାନି |୩୩୬|

ଦକ୍ଷିଣ ନୟନ ବିରାଜଇ ସୂର୍ଯ୍ୟ ବାମ ନୟନ ଶଶୀ

ବାଳୁତ ନନ୍ଦନର ବେନି ଲୋଚନ ପରକାଶି |୩୩୭|

ଗୋପେ ଗୋରୁ ବିହଡ଼ନ୍ତି ଧାଇଂଲେକ ନନ୍ଦ

କୁମାରକଇଂ ଦେଖି ନନ୍ଦରାୟେ ହୋଇଲେ ସାନନ୍ଦ |୩୩୮|

ଅଦଭୂତ ନନ୍ଦନ ୟେହା କେହୁ ଯେ ପ୍ରସବି

ଦେଖିଲେ ମୃତୁଗତି ହୋଇଛି ସେ ରୋହିଣୀ ନାମେ ଗାଭୀ |୩୩୯|

ଆକାଶର ବାଣୀ ଯେ ଶୁଭଇ ଗଗନୁ

ସମ୍ଭାଳ ହୋ ମହାଖୁଡ଼ ୟେ ନୋହଇ କାହାର ତନୁ |୩୪୦|

ଅଦଭୂତ ବାଣୀ ଯହୁଂ ଶୁଣିଲା ନନ୍ଦ ମହାଖୁଡ଼େ

ସେ ବାଳୁତ ନନ୍ଦନକଇଂ ଧରି ଲୋଡ଼ଇ କୋଡ଼େ |୩୪୧|

ବାଳୁତ ନନ୍ଦନ ଗୋଟି ସେ ଅଟଇ ମହାଗୁରୁ

କାହାର ଦର୍ପେ ତୋଳି ପାରଇ ସେ ମେରୁ |୩୪୨|

ନୟନେଣ ଚାହାନ୍ତେ ସେ ନନ୍ଦଗଲେ ମୃଚ୍ଛା

ଉଠି ବସିଲା କୁମାର ଆପଣାର ଇଚ୍ଛା |୩୪୩|

ଅମୃତ ଦୃଷ୍ଟିରେ ସେ ଚାହିଂଲେ କୁମରମଣି

ସାଷ୍ଟମ ହୋଇ ଉଠିଲେ ନନ୍ଦ ଯେ ରୋହିଣୀ |୩୪୪|

ଗୋଗୋଷ୍ଠି ଖେଳଇ ସେ ନ ଯାଇ କାହା ପୁରେ

ସନ୍ନିଧ୍ୟେ ଖଟିଛନ୍ତି ଯଶୋଦା ନନ୍ଦ ମହାଖୁଡ଼େ |୩୪୫|

ରୋହିଣୀ ବୋଇଲେ ମୋତେ ସଂକଟୁ କଲୁ ଉଦ୍ଧାରଣ

ତେଣୁ ତୋହୋର ନାମଗୋଟି ଆଝଠୁଂ ହୋଉ ସକ୍ରିଷେଣ |୩୪୬|

ନନ୍ଦ ବୋଇଲା ତୁ ମହାବଳୀ ପୁରୁଷ ଉତ୍ତମ

ଗୋଗୋଷ୍ଠ ମଧ୍ୟରେ ଜନମ ନାମ ତୋର ହେଉ ବଳରାମ |୩୪୭|

ଯଶୋବନ୍ତୀ ବୋଇଲେ ତୋର ନିକଳଂକ ଶରୀର

ମୁହିଂ ତୋହୋର ନାମଗୋଟି ଦିଲି ନୀଳାମ୍ଵର |୩୪୮|

ଗୋପଳୁଣୀ ମାନେ ବୋଇଲେ ଉଜ୍ଜ୍ଵଳ ଶୁଦ୍ଧକାମ

ସେନେହେ ବୋଇଲେ କାମପାଳ ହୋଉ ତୋର ନାମ |୩୪୯|

କଳାନ୍ତକ ବୋଲି ୟେକ ମଣ୍ଡଳ ଆଧିପତି

ଲଂଗଳେକ ଘେନି ଆସି ମିଳିଲା ବଳରାମ କତି |୩୫୦|

ପଞ୍ଚବକ୍ର ଦେଖିଣ ସେହୁ କୁମାର ହରଷେ

ସେ ଲଂଗଳ ବଳରାମ ଧଇଲେ ହରଷେ |୩୫୧|

ନରସିଂଘ ପାଦ ଭାବେ ସେ ପରବତେ ଅଛି ଥମ୍ଭ

ତାହା ରୋଷେ ଉପାଡ଼ି ଧଇଲେ ବଳଦେବ |୩୫୨|

ବାମେଣ ସମର୍ଥକ ବଜ୍ରମଂଗଳ ଡାହାଣେ ସଉନନ୍ଦ

ଗୋଗୋଷ୍ଠେ ଖେଡ଼ନ୍ତି ସେ ଦେବ ରାମଚନ୍ଦ୍ର |୩୫୩|

ତୁ ହୋ ରଇବ୍ରତକ ୟେବେ ଯାଅସି ବହନ

ବଳରାମକଇଂ ରେବତୀକି କରଯା ପ୍ରଦାନ |୩୫୪|

ରଇବ୍ରତର ବୋଇଲା ସ୍ଵାମୀ ଶୁଣ ହୋଇଲାଂକ ବଡ଼ାଇ ଆଶ୍ରିଜ

ଅଜଭୂତେ କାହୁଂ ଉପୁଚିଆଇଲା ସେହୁ ବୀଜ |୩୫୫|

ରୋହିଣୀ ଉଦରେ ସେ ରହିଲା କେମନ୍ତେ

ସୃଷ୍ଟି କରତାନାଥ କହିବା ହୋଉ ମୋତେ |୩୫୬|

ଶୁଣ ହୋ ରଇବ୍ରତକ ବୋଲନ୍ତି ବିରଞ୍ଚି

ପୂର୍ବରୁ ଭକତ ବାକ୍ୟେ ନିରାକାର ଯାହା ସଞ୍ଚି |୩୫୭|

ଶ୍ରୀକୃଷ୍ଣ ଉତପତ୍ତି ଲଭିଲେ ମାନୁଷର ଯୋନି

ତେବେ ସେ ଦୁରନ୍ତାକ ବଳେ ନୁଆରିବେ ତାହା କଇଂ ଚିହ୍ନି |୩୫୮|

ମୁନି ବୋଇଲେ ମନୁଷ୍ୟେ ତାହା ବୁଝିବେ କିଞ୍ଚିତ ପରାୟେ

ନାରାୟଣ ତାହାଂକୁ ଧଂସିବେ ଉପାୟେ |୩୫୯|

ନିରାକାର ବୋଲିଣ ସେ ଯେବଣ ପୁରୁଷ

ସେ ମହାତମା ଅଟଇ ନିରାଲମ୍ଵ ପୁରୁଷ |୩୬୦|

ନୀରର ବିନ୍ଦୁରୁ ଯେ ଫେଣର ସମ୍ଭବ

ସେ ଫେଣରୁ ସମ୍ଭୁତ ହୋଇଲାକ ହାଦେ ଡିମ୍ଵ |୩୬୧|

ସେ ଅବ୍ୟୟ ଡିମ୍ଵରୁ ଯେ ଉପୁଜିଲା ନିରାକାର

ଅବିଶ୍ରାନ୍ତେ ଖେଳ ତାର ଜଳର ଭିତର |୩୬୨|

କାଳ ଅନରୂପ ଯୁଗ ଉଦ୍ଧାରଣେ

ନାନା ରୂପ ସେ ଧରଇ କ୍ଷଣେ କ୍ଷଣେ |୩୬୩|

ସେ ନିରାକାର ପୁରୁଷ ଜଳେ ଖେଡ଼ୁଥିଲା

ଇଚ୍ଛା ଉଦେକରି ରୋହିଣୀ ଗର୍ଭେ ସେ ପଶିଲା |୩୬୪|

ଯେ ତୋହୋର ଦୋହିତା ନାମ ଯେ ରେବତୀ

ମହାମାୟା ଅବତାର ସେ ଅନାଦି ଶକତି |୩୬୫|

ନିରାକାର ନରହରି ପୁରୁଷ ତାହାର ଉଦରେ

ତହୁଂ ଉତପତ୍ତି ହୋଇଲେ ବ୍ରହ୍ମା ବିଷ୍ଣୁ ମହେଶ୍ଵରେ |୩୬୬|

ସେ ଆଦି ଅପର୍ଣ୍ଣା ମନେ ଯେହୁ ଇଚ୍ଛା

ଜାତ ଅନ୍ତ କରାଇ ଯେ ମନେଣ ଯାହା ବାଞ୍ଛା |୩୬୭|

ମାତାହିଂ ହୋଅଇ କ୍ଷଣେ ଭାର୍ଯା ସେ ହୋଅଇ

କ୍ଷଣକେ କାଳିକାରୂପ କ୍ଷଣେ ଅଗ୍ନିରୂପେ ଦହି |୩୬୮|

ଅନାଦି ମାହେଶ୍ଵରୀ ନିରଂଜନ ଦୀକ୍ଷା

ଶୁକ୍ଳାମ୍ଵର ପୁରୁଷକଇଂ ସେ କରିବ ଯେ ଇଚ୍ଛା |୩୬୯|

ପାଇଲା ବଲ୍ଲଭ ୟେବେ ମନର ହିଆଳି

ସେ ସଂକ୍ରିଷେଣକୁ ପ୍ରଦାନ କର ଯା ତୋହୋର ଦୁଲାଳୀ |୩୭୦|

ରଇବ୍ରତ ବୋଇଲା ସ୍ଵାମୀ ନାଗେ ଛନ୍ତି ତାର ମାଥେ

ଫୁଫୁକାର ଶବଦ ସେ କରନ୍ତି ନିରତେ |୩୭୧|

ୟେ ମୋହୋର ନନ୍ଦିନୀ ଯେ ଅବଳା ଯୁଗତେ

ବାଳୁତ ନନ୍ଦିନୀକିଂ ମୁଂ ଦେବଇଂ କେମନ୍ତେ |୩୭୨|

ସନ୍ନିଧକଇଂ ଗଲେ ସେ ରତିରଂଗ କାଳେ

ନ ପୁଣ ଦୋହିତାକଇଂ ମୋର ଡଂସନ୍ତି ମହାବ୍ୟାଳେ |୩୭୩|

ଶୁଣ ହୋ ରଇବ୍ରତ ବଦୟନ୍ତି ଆଦିଗୁରୁ

ସେ ସପତ ଫଣାକଇଂ ତୁ କିମ୍ପେ ଭୟକରୁ |୩୭୪|

ବିରାଳଚନ୍ଦ୍ର ମଣିକର୍ଣ୍ଣିକା ରୂଦ୍ର ଶତ ଅବଦ

ୟେ ସପତ ମନୁୟେ ସଞ୍ଚରନ୍ତି ଯୁଗ ଅବଦ |୩୭୫|

ୟେହାଂକର ଉତପତ୍ତି ନ ଜାଣନ୍ତି କେହି

ୟେ ସପତ ମନୁ ପୁରୁଷେ ହୋଇଲେ ଜଳଶାୟୀ |୩୭୬|

ସମୟେକ ଗଲେ ସେହି ସାର ବଇକୁଣ୍ଠେ

ଯାଇଣ ଭେଟିଲେ ପାତାଳ ବାସୀଂକ ନିକଟେ |୩୭୭|

ମହାପ୍ରଳୟେ ନିର୍ଣ୍ଣେ ହୋଅନ୍ତି ବୃନ୍ଦାଅର୍କେ

ଜଳେ ବିହଡ଼ନ୍ତି ସେ ସପତ ନାଗଲୋକେ |୩୭୮|

ଦେବତାୟେ ନିନ୍ନେ ହୁଅନ୍ତି ସେ ଜଳେ ଥାନ୍ତି ଅହୀ

ପରମ ନିରାକୁଳ ଉଡ଼ଂଶ ଶୂନ୍ୟଦେହୀ |୩୭୯|

ଯେଉଂଣ ବଇକୁଣ୍ଠ ଅଣାକାର ପୁରୁଷ ଗୁରୁ

ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ପବନ କେହି ପଶିତ ନୁଆରୁ |୩୮୦|

ସେ ଭୁବନକଇଂ ଦେଖିବାକୁ ୟେ ହୋଇଲା ସକତା

ଦେଖିଲେ ବିଷ୍ଣୁ ଭୁବନ ଅଭୟେ ବଳବନ୍ତା |୩୮୧|

କୁମ୍ଭେକ ନାମେଣ ତହିଂ ଅଛଇ ଗରୁଡ଼

ଅଶି ଅଶି ଯୋଜନ ବିସ୍ତାର ତା ବେନି ପଛର ନାହୁଡ଼ |୩୮୨|

ସେ ଗରୁଡ଼ ବାହାର ହୋଇଲା ଯେତେବେଳେ

ଭୟେଣ ସମ୍ଭାଇଲେ ଅହିୟେ ପାତାଳର ଜଳେ |୩୮୩|

ସେ ନିରଞ୍ଜନ ପୁରୁଷ ତହିଂ ଜଳଶୟନ କରି

ଭୟେଣ ଶରଣ ଯାଇଂ ପଶିଲେ ତାହାଂକରି |୩୮୪|

ସେ ସପତ ମନୁ ସର୍ପକଇଂ ଦେଖିଣ ନୀଳାମ୍ଵର

ବୋଇଲେ କେବଣ ପୁଣ୍ୟେ ତୁମ୍ଭେ ଅଇଲ ସେତେଦୂର |୩୮୫|

ଭୋ ସ୍ଵାମୀ ଆମ୍ଭନ୍ତ କଟାଳୁଅଛି ଖଗେଶ୍ଵର

ଶରଣ ରକ୍ଷଣ ନାଥ ଆମ୍ଭନ୍ତ ବାରେ ରକ୍ଷାକର |୩୮୬|

ଶୁଣିଣ ପରମାନନ୍ଦ ମନେ କଲେ ବଡ଼ ଦୟା

ସେ ସପତ ମନୁ ସର୍ପେ ଗୋପ୍ୟାନେ କଲେ ନିଜ କାୟା |୩୮୭|

ସେ ସପତକଇଂ ସଂହରିଲେ ଅଭୟେ କାୟେ ଜାଣି

ମଉଳି ଉଦେକଲେ ସେ ସପତ ଯେ ଫେଣୀ |୩୮୮|

ରାମର ଶରୀର ୟେ ଅଟଇ ଅଭିନ୍ନ

ଦେଖିଣ ଶାନ୍ତି ଭଜିଲେ ବନିତା ନନ୍ଦନ |୩୮୯|

ତୁ ଯେ ପୁଚ୍ଛାକଲୁ ହୋ ରଇବ୍ରତର ରାୟେ

ସେ ସପତ ମନୁ ପୁରୁଷ ଯେ ନୀଳାମ୍ଵର କାୟେ |୩୯୦|

ତୁ ଯେବେ ବଡ଼ ଭାଗ୍ୟ ଅର୍ଜିଲୁ ନରପତି

ସେ ବଳରାମକଇଂ ପ୍ରଦାନ କରଯା ରେବତୀ |୩୯୧|

ବିନୟଭାବ ହୋଇଣ ରଇବ୍ରତ ପିତାଂକୁ ବୋଇଲେ

ସେ କାମପାଳର ମାତାପିତା କେଟି ହୋଇଲେ |୩୯୨|

ଧାତାୟେ ବୋଇଲେ ସେ ପୂର୍ବର ବରଦାୟେ

ନନ୍ଦ ଯଶୋଦାୟେ ହୋଇଲେ ଯେ ପିତାମାୟେ |୩୯୩|

ରଇବ୍ରତ ବୋଇଲେ ସ୍ଵାମୀ ଭେଟ କାହିଂ ପୂର୍ବେ

ୟେହାର ସନ୍ଧିକଥା ମୋତେ କହିବା ଦେବ ୟେବେ |୩୯୪|

ବଦୟନ୍ତି ବେଦବର ମହାମନ୍ତ୍ର ଦୀକ୍ଷାଗୁରୁ

ଶୁଣ ହୋ ରଇବତ ତୁ ଯାହା ପୁଚ୍ଛାକରୁ |୩୯୫|

ସପତମ ଅବତାରେ ଶ୍ରୀରାମ ମୂରତି

ଇକ୍ଷ୍ଵାକୁରୁ ବଂଶେ ଦଶରଥ ରାଜାଘରେ ହେଲେ ଉତପତ୍ତି |୩୯୬|

ରାବଣକଇଂ ବଧ ସେ କରିବା ନିମନ୍ତେ

କଳିକାଳ ପୁରୁଷ ସେ ପେଷିଲେ ବନସ୍ତେ |୩୯୭|

ତେର ବରଷ ଉତ୍ତାରେ ଦଣ୍ଡକା ଅରଣ୍ୟୁ

ଜାନକୀଂକି ହରିନେଲା ବିଶ୍ରବାର ତନୁ |୩୯୮|

ଶ୍ରୀରାମ ଉଦ୍ଦେଶେ ନ କଲା କିଛି ଶଂକା

ସୀତାଂକୁ ଗୋପ୍ୟକରି ଥୋଇଲା ନେଇ ଲଂକା |୩୯୯|

ସୀତାକଇଂ ଖୋଜନ୍ତେଣ ଶ୍ରୀରାମ କ୍ଷୁଧାର୍ଥୀ

ଗୋଧନ ପଲ ଗୋଟିୟେ ଠାବକଲେ ସଉମିତ୍ରୀ |୪୦୦|

ବିଭୋକ୍ଷିତ ହୋଇଣ ସେ ମାଗନ୍ତେଣ କ୍ଷୀର

ମୋର ମୋର ବୋଲିଣ ଲକ୍ଷ୍ମଣକଇଂ ବୋଲନ୍ତି ଗଉଡ଼ |୪୦୧|

ଦଇବେଣ ଅନ୍ଧ ସେ ଯେ ନାହିଂ ତାର ଚଚ୍ଛୁ

ବୋଇଲା ଦୁଧ ଯେବେ ଦେବା କିସ ଧନ ଆଣିଅଛୁ |୪୦୨|

ମହାଯଗ୍ୟଂ ଜାତ ଅମୂଲ୍ୟ ରତ୍ନମୁଦି

ଲକ୍ଷ୍ମଣ ବୋଇଲେ ବିସରିଣ ପ୍ରବୋଧି |୪୦୩|

ଘେନ ରେ ଗୋପାଳ ୟେ ଅମୂଲ୍ୟ ରତ୍ନ ମୁଦିଗୋଟି

ୟେହା ନେଇ ଆମ୍ଭନ୍ତ ଦିଅ ଦୁଧଫୁଟି |୪୦୪|

ମୁଦି ଘେନିକରିଣ ତିନିକରକ ଦୁଧ ଦିଲେ

କ୍ଷୁଧା ତେଜି ଶ୍ରୀରାମ ଉଷତ ହୋଇଲେ |୪୦୫|

ପଞ୍ଚକୋଟି ରତ୍ନ ଯେଉଂଣ ମୁଦିରେ ଅଛି ଲାଗି

ମୂର୍ଖ ଗଉଡ଼ାୟେ ଲୋଡ଼ନ୍ତି ତାହା ଭାଂଗି |୪୦୬|

ନାସିକାୟେ ଶୁଘଂନ୍ତି ନୁହଇ ତ ଗଂଧ

ଚୋବାଇଣ ବୋଲନ୍ତି ନାହିଂ ତା ୟେଥେ ସ୍ଵାଦ |୪୦୭|

କର୍ଣ୍ଣର କତିରେ ଯେ ବାଛନ୍ତି ତାହା ନେଇ

ଶବଦ ନାହିଂ ବୋଲି ତାହା ହାଦେ ଦିଲେ ଫୋପଡ଼ାଇ |୪୦୮|

କେ ବୋଲଇ ଶରୀର ଯେ ନିର୍ମଳ ଦିଶଇ

ପାଣିକି ଫିଙ୍ଗିଦିଅ ୟେଥେ କିଛି କାର୍ଯ୍ୟ ନାହିଂ |୪୦୯|

ଅଂଧ ଗୋପାଳ ଭାରିଯା ନାମ ଯଶୋବନ୍ତୀ

ଯତ୍ନ କରି ତାହା ଥୋଇଲାକ ମହାସତୀ |୪୧୦|

ଶରୀର ସୁସ୍ଥକରି ଶ୍ରୀରାମ ଭୁଞ୍ଜିଲେକ ଦୁଧ

ଅମୂଲ୍ୟ ରତ୍ନମୁଦିକି ନ କଲେ କିଛି ସଧ |୪୧୧|

ଲକ୍ଷ୍ମଣ ବୋଇଲେ ସ୍ଵାମୀ ୟେ ଗୋପାଳ ମୋଢ଼ାୟେ

ମହୀମର୍ଦ୍ଦନ ମଣିକି ଦିଲେ କ୍ଷୀର ଫୁଟିୟେ |୪୧୨|

ଶ୍ରୀରାମ ବୋଇଲେ ବାବୁ ଯାଇକିନା ସେ ଆୟେ

ସେ କ୍ଷୀର ପରସାଦୁଂ ପାଇଲୁ ଆମ୍ଭେ କାୟେ |୪୧୩|

ଲକ୍ଷ୍ମଣକଇଂ ବୁଝାଇ ଚଳିଲେ ରଘୁବତ୍ସି

ସେ ରତ୍ନମୁଦିକି ଅବଧାନ ନ କଲେ ରାମ କିଛି |୪୧୪|

ଆହେ ରାବଣକଇଂ ବଧକରି ବାହୁଡ଼ିବାର ବେଳେ

ବାହୁଡ଼ି ଭେଟିଲେ ରାମ ସେହି ସେ ଗୋପାଳେ |୪୧୫|

ମାନନୀ ନଦୀତୀରେ ରାମ ସଂଧ୍ୟା ସୁମରନ୍ତି

ଲକ୍ଷ୍ମଣ ଆଗ୍ୟାଂ ଦିଲେ ସୁଗ୍ରୀବର ନୃପତିଂକି |୪୧୬|

କପିଳବନ୍ତ ଘେନି ଚଳ ହୋ ଦଣ୍ଡସାଇଂ

ୟେ ଗୋଧନ ପଲଯାକ ଘେନି ଅଯୋଧ୍ୟାକଇଂ ଓଡ଼ାଇଂ |୪୧୭|

ଲକ୍ଷ୍ମଣ ବଚନେ ସୁଗ୍ରୀବର ଦଣ୍ଡ ଘେନି

ଗୋକୁଳ ଗୋଗୋଷ୍ଠକୁ ବେଢ଼ିଲେ ଗୋଲଂକା ସଇନି |୪୧୮|

ଓଡ଼ାବନ୍ତେ ଗୋକୁଳ କଲେ ବହୁତ ଦ୍ଵନ୍ଦ

ମହାଗୋଳ ଦେଖିଣ ଯେ ବୋଇଲା ଶ୍ରୀରାମଚନ୍ଦ୍ର |୪୧୯|

ଲକ୍ଷ୍ମଣ ବୋଇଲେ ସ୍ଵାମୀ ଅଂଧ ଯେ ଗୋପାଳ ପଲ

ତିନିକରକ ଦୁଧକୁ ଘେନିଅଛ ରତ୍ନ ଯେ ଅମୂଲ୍ୟ |୪୨୦|

ଶ୍ରୀରାମ ଚନ୍ଦ୍ର ହସିଲେ ଲକ୍ଷ୍ମଣ ବଚନେ

ତୋହୋର ବୁଦ୍ଧିରେ ଉପୁଗାର କରିବେ କି ଜନେ |୪୨୧|

ସେ କ୍ଷୀର ଫୁଟିକ ଯେବେ ନ ଦିଅନ୍ତା ତେତେବେଳେ

ସେ ସମ୍ପଦମାନ କାହିଂ ମୁଂ ଅରଜନ୍ତି ୟେତେବେଳେ |୪୨୨|

ଯାଅ ଯା ବାବୁ ହନୁମନ୍ତ ଗୋପାଳନ୍ତ ଆଣ ରାଇ

ସୁଖେଣ ଥାଆନ୍ତୁ ସେ ବନେ ଗୋଧନ ପଲ ଚରାଇ |୪୨୩|

ସ୍ଵାମୀର ବଚନେ ସେ ଚଳିଲା ମାରୁତି

ଓହୋକୁଳ ଦ୍ଵନ୍ଦ ଯେ ହନୁମନ୍ତ ନିବର୍ତ୍ତି |୪୨୪|

ହନୁମନ୍ତ ବୋଇଲା ଆହୋ ଅନ୍ଧଗୋପାଳ ତୁ ଠାକୁରଂକୁ କରିବୁ ଦ୍ରଶନ

ସ୍ଵାମୀଂକ ଆଗ୍ୟାଂ ତୋତେ ତୁ ଆସସି ବହନ |୪୨୫|

ଅନ୍ଧଗୋପାଳ ବୋଇଲା ସେ କେବଣ ଶ୍ରୀରାମ

ବାଳିକି ନିଶୋଧନ କଲା ସପତଶାଳା ଛେଦନ |୪୨୬|

ଅନ୍ଧଗୋପାଳ ସାନନ୍ଦ ହୋଇଲା ତାହା ଶୁଣି

ଲକ୍ଷେଭାର ଯୋଗାଡ଼ିଲା କ୍ଷୀର ଅଧାମ ଲବଣୀ |୪୨୭|

ହନୁମନ୍ତ କର ଧରି ଆସଇ ସେ ଗୋପାଳ ଅନ୍ଧ

ବୋଇଲା ନିକଟ ହୋଇଲେ ମୋତେ ଦେଖାଇବୁ ରଘୁକୁଳଚନ୍ଦ୍ର |୪୨୮|

ଆହୋ ଅନ୍ଧଗୋପାଳ ପ୍ରଳମ୍ଵ ବେଗେ କର

ତୋତେ ଅବଧାନ ହୋଇଛନ୍ତି କୋଦଣ୍ଡ ଚାପଧର |୪୨୯|

ଅନ୍ଧ ବୋଇଲାକ ସ୍ଵାମୀ କଇଚ୍ଛା ଜଗଜ୍ଜେଠୀ

ତ୍ରଇଲୋକ ବନ୍ଦନ ନାଥ ତୋର ନାମଗୋଟି |୪୩୦|

ଶୂରବର ସୁନ୍ଦର ନାଥ ଭଗତ ମଚ୍ଛଳା

ମହୀ ଉଦ୍ଧାରଣ ପୁରୁଷ ତୁ ପ୍ରସନ୍ନେ ସର୍ବକଳା |୪୩୧|

ରାଜୀବଲୋଚନ ସ୍ଵାମୀ ଶ୍ରୀରାମ ଗୋବିନ୍ଦ

ଶତସସ୍ରଦଣ୍ଡ ପ୍ରଳମ୍ଵ ହୋଇଲାକ ଅନ୍ଧ |୪୩୨|

ଦୁଖୀଜନ ଉଦ୍ଧାରଣ ନାଥ କେଉଂଣ କତି ଅଛୁ

ବେନିଭୂଜେ ଦରାଦଣ୍ଡନ୍ତେ ଦିଶିଲା ବେନି ଚଛୁ |୪୩୩|

ସୋମ ସତ୍ୟଯୁଗେ ସେ ଅନ୍ଧଗୋପାଳ ଅନ୍ଧ ହୋଇଥିଲା

ଶ୍ରୀରାମ ଦ୍ରଶନେ ତା ଅନ୍ଧପଟଳ ଫିଟିଲା |୪୩୪|

ପଞ୍ଚସ୍ତରୀ ଯୁଗେ ସେ ପାଇଲା ଚଛୁଦାନ

କରୁଣାକର ନାଥ ଯେ ହୋଇଲେ ପ୍ରସନ୍ନ |୪୩୫|

ଯାବତ ଜୀବନ ତାବତ ଥିବ ସର୍ବସଞ୍ଚା

ପରଲୋକ ବଂଧୁ ତୁ ପ୍ରଳୟ କାଳ ବଞ୍ଚା |୪୩୬|

ତ୍ରଇଲୋକ୍ୟ ବନ୍ଦନ ନାଥ ଯାହାର ନାମଗୋଟି

ପ୍ରସନ୍ନେଣ ଗୋପାଳର ଅନ୍ଧପଟଳ ଗଲାଫିଟି |୪୩୭|

ଶତେ ସହସ୍ର ଦଣ୍ଡ ପ୍ରଳମ୍ଵ କରଇ ଗୋପାଳ

ଦେଖଇ ରାମ ଲକ୍ଷ୍ମଣ ସୀତା ହରିରୁକ୍ଷ ବଳ |୪୩୮|

ଅନ୍ଧପଟଳ ଫିଟନ୍ତେ ଯେହ୍ନେ ସାନନ୍ଦ ହ୍ଵନ୍ତି ପ୍ରାଣୀ

ସଂସାର ଅନ୍ଧପଟଳ ଫିଟୁ ଶ୍ରୀରାମ ନାମ ଶୁଣି |୪୩୯|

ପୁଣ୍ୟତୋୟା ସାଗର ଯେ ରାମାୟଣ ବାଣୀ

ଧନ ସଂପଦ ଲଭ ଜନେ ସଦବାକ୍ୟ ଶୁଣି |୪୪୦|

କିଛୁହୁଂ ପ୍ରସନ୍ନ ମୋତେ ଅଭୟେ ହିଂଗୁଳା

ଝଂଖେରପୁର ବାସିନୀ ଶ୍ରୀଚଣ୍ଡୀ ସାରୋଳା |୪୪୧|

ବାଳୁତ ରୂପେ ଯାହାର ଖେଳ ମେରୁସ୍ଥଳେ

ଅଭୟେ କାନ୍ତାନୀ ଧ୍ଵଂସିଲା କଳିକାଳେ |୪୪୨|

ମମଶାପ୍ୟ ଉଦ୍ଧାରିଲା ଯେ ସୁଗ୍ୟାନ ଭାବି

ସର୍ବମଙ୍ଗଳା କରନ୍ତା ଶ୍ରୀସାରୋଳା ଚଣ୍ଡୀ ଦେବୀ |୪୪୩|

ହେ ବଧୁଜନମାନେ ହୃଦଗତ କର ଚିନ୍ତା

ଯମଦଣ୍ଡ ଖଣ୍ଡଣ କରିବେ ଅଭୟେ ବରଦାତା |୪୪୪|

ପୂର୍ବଜନ୍ମ ଶାପରୁ ମୁଂ ଜନ୍ମିଲି ଶୂଦ୍ରଯୋନି

ତେଣୁକରି ଭାବିଲା ଯେ ସାରୋଳା ଦାସ ମୁନି |୪୪୫|

ଶ୍ରୀରାମଚନ୍ଦ୍ର ବୋଇଲେ ହୋ ଜୀବନ ତୋର ସାଧୁ ସାଧୁ

ଯେ ରାମ ଅବତାରକୁ ତୁହି ସେ ପ୍ରାଣବଂଧୁ |୪୪୬|

ତୁ ଯେବେ ମୁଦି ଘେନି ନ ଦ୍ୟନ୍ତୁ କ୍ଷୀର ଫୁଟି

କାହୁଂ ଉଦେ ହୁଅନ୍ତା ଶ୍ରୀରାମ ନାମଗୋଟି |୪୪୭|

ତୋହୋର ଉପୁଗାର ମୁଂ କହିବି କିସ ହୃଦେ

ଦଶରଥ ରାଜା ତୋତେ ନୁହନ୍ତି ସମ ହାଦେ |୪୪୮|

ଆଜହୁଂ ତୁହି ସେ ଅଟୁ ମୋହୋର ଧର୍ମ ପିତା

ୟେ ତୋହୋର ଘରଣୀ ମୋହୋର ନିଜ ମାତା |୪୪୯|

ତୋହୋର କ୍ଷୀର ଭକ୍ଷି ମୁଂ ହୋଇଲି ମହାବଳା

କିଞ୍ଚିତ ମାତ୍ରକେ ମୁଂ ବିନ୍ଧିଲି ସପ୍ତଶାଳା |୪୫୦|

ଲକ୍ଷେକ ସିଂଘର ପ୍ରାକର୍ମ ଅଟଇ ଯେଉଂଣ ବାଳୀ

ତୋହୋର ପ୍ରାସାଦେଣ ମୁଂ ତାହାକଇଂ ମର୍ଦ୍ଦିଲି |୪୫୧|

ତୋହୋର ପରସାଦେ ମୁଂ ବାନ୍ଧିଲଇଂ ବାରାନିଧି

ରାକ୍ଷସବଳ ଧଂସିଲି ତୋହୋର ଦୁଧ ମୋତେ ପରମ ମଉଷଧି |୪୫୨|

ତୋହୋର ପ୍ରସନ୍ନେ ପ୍ରାପତ ମୋତେ ସୀତା ମହାସତୀ

ବାହୁଡ଼ି ଅଯୋଧ୍ୟାରେ ମୁଂ ହୋଇବି ୟେକଛତ୍ରୀ |୪୫୩|

କହୁଂ କହୁଂ ସାନନ୍ଦେ କମ୍ପିଲେ ଶ୍ରୀରାମ

ଅନ୍ଧ ଗୋପାଳକଇଂ କରି ଲୋଡ଼ନ୍ତି ପ୍ରଣାମ |୪୫୪|

ଆମ୍ଭେ ବିଚାରିଲୁ ଶ୍ରୀରାମ ହୃଦକଥା

ଆକାଶରୁ ବାଣୀ ଦିଲେ ସକଳ ଦେବତା |୪୫୫|

ତୁ ଯେବେ ପ୍ରଣପତ୍ୟ ହୋଇ ଲୋଡ଼ୁ ରଘୁପତି

ପିତାମହ ସମାନେ ଯେବେ ଧଇଲୁ ହୃଦଗତି |୪୫୬|

ଦ୍ଵାପର ଯୁଗରେ ତୁ କହ୍ନା ଅବତାରେ

ୟେ ନନ୍ଦ ଗୋପାଳ ନାମ ହୋଇଥିବ ଗୋପପୁରେ |୪୫୭|

ବସୁଦେବ ତୋତେ ପାଲଟ କରିବେ କଂସ ଡରେ

ଗୋଗୋଷ୍ଠେ ବଢ଼ିବୁ ତୁ ଗୋପାଳଂକ ମେଳରେ |୪୫୮|

ୟେ ନନ୍ଦ ମହାଖୁଡ଼ ହୋଇବ ତୋର ପିତା

ୟେହାର ଭାରିଯା ଯଶୋବନ୍ତୀ ହୋଇବ ତୋର ମାତା |୪୫୯|

କ୍ଷୀରପାନେ ଯେବେ ତୋର ୟେତେକ ପିରତୀ

ଅନେକ ଗୋରସ ଭୋଜ ତୁ କରିଥିବୁ ନିତି ନିତି |୪୬୦|

ତୁ ଯେ ବୋଇଲୁ ମୁହିଂ ତୋହୋର ପ୍ରସନ୍ନେ ପାଇଲି ସୀତା

ଅବିଚ୍ଛନ୍ନେ ରମଣ କରତୁ ଷୋଳ ସହସ୍ର ବନିତା |୪୬୧|

ଶୁଣ ହୋ ରଇବ୍ରତ ବଦୟନ୍ତି ବେଦବର

ୟେତେ କଥା ହୋଇଲାନି ତୋର ସ୍ଵର୍ଗକଇଂ ଅଇଲାର |୪୬୨|

ରୁଦ୍ର ହେଲେ ଅବତାର ସଂକ୍ରିଷଣ ସରୂପ

ତୁ ଯାହା ପୁଚ୍ଛା କଲୁ ତା କହିଲୁ ସଞ୍ଚେପ |୪୬୩|

ଶୁଣିଣ ଅନେକ ସାନନ୍ଦ ହୋଇଲା ରଇବ୍ରତକ ନୃପତି

ଆକାଶ ତେଜିଣ ରାଜା ଅଇଲା ତତକ୍ଷଣାନ୍ତି |୪୬୪|

ରେବତୀକଇଂ ଘେନି ସେ ଗଲାକ ଗୋଗୋଷ୍ଠେ

ଦେଖଇ ଗୋପନଗ୍ର ଯମୁନା ନଦୀ ତଟେ |୪୬୫|

ପଞ୍ଚୁକ୍ରୋଶ ମାଡ଼ିଣ ଯେ ନଗ୍ରର ଆୟତ୍ତନ

ସ୍ଵର୍ଗରେ ଇନ୍ଦ୍ରପ୍ରାୟ ବିହଡ଼ନ୍ତି ଗୋପାଳମାନ |୪୬୬|

ଶ୍ରୀବଳରାମଂକ ସରୂପ ଯେ ଦେଖିଲାକ ରଇବ୍ରତ

ସୁବେଳେ ପ୍ରଦାନ ନେଇ କଲାକ ଦୁହିତ |୪୬୭|

ଶୁଣ ବାବୁ ଧର୍ମରାଜା ପାଣ୍ଡବ ଯୁଝେଷ୍ଠି

ଶ୍ରୀବଳରାମକଇଂ ଦିଲଇଂ ମୁଂ ରେବତୀ କନ୍ୟାଗୋଟି |୪୬୮|

କନ୍ୟା ସମର୍ପିଲି ୟେହି ରଇବ୍ରତ ପର୍ବତେ

ମହାଯୋଗନିଦ୍ରା ମୁଂ ବଞ୍ଚିଲି କାଳୟେତେ |୪୬୯|

ରେବତୀଂକ ପିଅର ବଳରାମଂକ ଶ୍ଵଶୁରାନ୍ତ

ଧର୍ମର ନନ୍ଦନ ଶୁଣି ହୋଇଲେ ବିନୟ ଭଗତ |୪୭୦-୧୧୦୬୫|

 

Unknown

ଭୀମର ବନରେ ବିହାର ଓ
କାଳଞ୍ଚି ରାକ୍ଷସୀ ସହିତ ଗନ୍ଧର୍ବ ବିବାହ

ରଇବ୍ରତ ପର୍ବତୁଂ ଚଳିଲେ ପଞ୍ଚୁବୀରେ

ପ୍ରବେଶ ହୋଇଲେ ଯାଇଂ କାଳଞ୍ଚି ବନସ୍ତରେ |୧|

ବହଇ ଧବଳାଂଗୀ କାଳନ୍ଦୀ ନାମେ ନଦୀ

ଦକ୍ଷିଣ ଭାଗେ ଶରଣଭଦ୍ରା ନଦୀ ଭେଦି |୨|

କାଳନ୍ଦ ନଦୀ ତୀରେ କାଳେବର ନାମେ ବନ

ୟେଥେ ସେ ଉତପତ୍ତି ହୋଇଲା କାଳ ଯେ ଦମନ |୩|

କାଳଞ୍ଚି ବୋଲିକରି ୟେକଇ ଅପକ୍ଷରୀ

କାଳଚକ୍ର ବିପ୍ରତୁଲେ ସେ ହୋଇଲା ରତକାରୀ |୪|

କୋପେଣ ଶାପ ସେ ବିହିଲେ ବାସବ

ପରଦାରେଣୀ ତୁ ହୋଅସି ଠାବେ ଠାବ |୫|

ତାହାର ବଂଶେଣ କାଳଞ୍ଚି ନାମେଣ ରାକ୍ଷସୀ

କାଳେବର ପରବତ ପରେ ସେହୁ ଅଛି ବସି |୬|

ଭୀମସେନ ଯାଉଅଛି ବେଣ୍ଟ ଆହାରେ

ଦେଖିଲା ଯୁବତୀ ଯେ ମାନିନୀ ଅବତାରେ |୭|

ଅନଂଗ ଅବତାର ଦିଶଇ ମାରୁତି

ଭଜିଲା ରାକ୍ଷସୀ ଚିତ୍ତକଲା ଭ୍ରାନ୍ତି |୮|

ସର୍ବ ଅଂଳକାର ଭୂଷଣ ତାର କାୟେ

ଦେଖିଣ ମୋହିତ ହୋଇଲା ପବନ ତନୟେ |୯|

ଭୀମସେନ ବୋଇଲା ଆୟି ତୁ କାହାର କତି

କେ ତୋହୋର ପିତାମାତା ତୁ କାହାର ଯୁବତୀ |୧୦|

ଅନଂଗ ଦର୍ପ ଧଂସିନୀ ଗୋ ତୋହୋର ତେଜ ପରକାଶି

ୟେ ରୂପ ଯଉବନ ଘେନି ତୋର କିମର୍ଥେ ବନବାସୀ |୧୧|

ଶୁଣ ହୋ ବୀରବର ବୋଲଇ ଶୁଭ୍ରକେଶୀ

ଯହିଂର ନିମନ୍ତେ ମୁଂ ହୋଇଲି ବନବାସୀ |୧୨|

ବୋଲଇ ରାକ୍ଷସୀ ମୟେଶ୍ଵର ନନ୍ଦନ ଅମୟେସ୍ଵର ବୋଲି

ତାହାର ପୁତ୍ର ଜଟାସୁର ମୁଂ ତାହାର ଦୋହିତା ହୋଇଲି |୧୩|

କେଶୀଦାନବ ଯେ ଅଟଇ ମୋର ଭାଇ

ବିଭା ନୋହିଲି ମୁହିଂ ଇଚ୍ଛାବର ନ ଗାଇ |୧୪|

ତୋତେ ଦେଖିଣ ଯେ ବଳିଲାକ ମୋର ମତି

ମୁହିଂ ତୋହୋର ଭାରିଯା ହୋଇଲି ତୁ ମୋହୋର ନିଜପତି |୧୫|

ଚାଲ ଚାଲ ସ୍ଵାମୀ ତୋର ଆଶ୍ରମକଇଂ ଯିବା

ବେଭାର ଯୁଗତେ ନାଥ ହୋଅସି ମୋତ ବିଭା |୧୬|

ଭୀମସେନ ବୋଲଇ ମୋହୋର ଭାରିଯା ଦ୍ରୋପତୀ

ତାହାର ବ୍ୟତ୍ରକେ ମୋର ନ ବଳେ ଆନେ ମତି |୧୭|

ଅସୁରୀକି ବାକ୍ୟ କହି ବାହୁଡ଼ାଇ ବ୍ରିକୋଦର

ପଛେଣ ଦାନବୀ ଯୋ ଗୋଡ଼ାଇ ସଂଗତର |୧୮|

ଯୁଝେଷ୍ଠି ଦ୍ରୋପତୀ ଯେ ଆସ୍ତାନେ ଛନ୍ତି ବସି

ଭୀମସେନ ସନ୍ନିଧ୍ୟେ ହୋୟେ ଆସି |୧୯|

ପଛେଣ ଗୋଡ଼ାଇ ଅଛଇ ସେହୁ ଦୁରାପାତୀ

ଯୁଝେଷ୍ଠି ପୁଚ୍ଛା କଲେ ବାବୁ ୟେ କାହାର ଯୁବତୀ |୨୦|

ଭୀମସେନ ବୋଇଲା ୟେ ବନର ଅଧିକାରୀ

ଜଟାସୁର ଦାନବ ଦେବ ପିଅର ୟେହାରି |୨୧|

ନାମ ସଂକେତ ୟେହାର ଅଟଇ କାଳଞ୍ଚି

ମୋତେ ଦେଖିଣ ଦେବ ୟେ ଗୋଡ଼ାଇ ଆସୁଅଛି |୨୨|

ଯୁଝେଷ୍ଠି ବୋଇଲେ ୟେ ଯେବେ ବନର ଅଧିକାରୀ

ଥାଉ ୟେବେ ୟେ ବନସ୍ତେ ଇଚ୍ଛାୟେ ବିହରି |୨୩|

ୟେମନ୍ତର ସମୟେ ଅର୍ଜୁନ ନକୁଳ ସହଦେବ

ମୃଗଭାର ଘେନିଣ ଯାଇଂ ବିଜୟେ ଠାବ |୨୪|

କାଳଞ୍ଚି ବୋଇଲା ତୁମ୍ଭେ ପାଞ୍ଚେ କି କି ହୋଅ

ଭୀମସେନ ବୋଇଲା ଆମ୍ଭେ ୟେକ ପୁଅର ପଞ୍ଚପୁଅ |୨୫|

ରାକ୍ଷସୀ ବୋଇଲା ମୁହିଂ ତୁମ୍ଭର କଥା ପରମୁଖେ ଅଛି ଶୁଣି

ପାଞ୍ଚକରି ହୋଇ କି ତୁମ୍ଭର ୟେକଇ ଘରଣୀ |୨୬|

ଲାଜ ସଂକୋଚ କିପେଂ ନ ପାଅ ଅଭିମାନ

ୟେଡ଼େ ଧାର୍ମିକ ହୋଇ ଗୋଳକୁଣ୍ଡେ ନିଅ ଦିନ |୨୭|

ଚାରିଭ୍ରାଥ ଘେନି ଭୋଗ୍ୟକର ତୁ ମହାତ୍ମାଣୀ

ମୁହିଂ ସେ ଜଣକର ବାଭିୟେ ହୋଇକିନା ଘରଣୀ |୨୮|

ପାଞ୍ଚେହେଂ ବସିଛନ୍ତି ମଉନବ୍ରତ ହୋଇ

ଦ୍ରୋପତୀ ଭୟେକଲେ ଅସୁରୀ ମୁଖ ଚାହିଂ |୨୯|

ଭୀମସେନ ବୋଇଲା ହୋ କାହାର ଇଚ୍ଛା ଅଛି

କ୍ଷଣେକ ବିଚାରି କହିବୁ ରହ ଗୋ କାଳଞ୍ଚି |୩୦|

ଭୀମ ବୋଇଲା ମୁହିଂ ୟେହାକୁ ପାରଇ ଅବା ଗଚ୍ଛି

ହିଡ଼ିମ୍ଵକୀ ରାକ୍ଷସୀ ଯେ ଭାରିଯା ମୋର ଅଛି |୩୧|

ଆହୋ ପରମ ପଣ୍ଡିତ ସୁନ୍ଦର ତୁ ଅଟୁରେ ବିବତ୍ସ

ଦଇବେ ଯେ ମିଳିଲା ଯେବେ ୟେହାକୁହିଂ ଗଚ୍ଛ |୩୨|

ଅର୍ଜୁନ ବୋଇଲା ମୋର ସୁଭଦ୍ରା ଘରଣୀ

ଯାହାର ଭ୍ରାଥ ଅସୁରକୁଳ ନିଶୋଧନ ଦେବ ଚକ୍ରପାଣି |୩୩|

ଜଳେ ଅନେଳେ କି ହୋୟେ ୟେକବାଟ

ଅସୁରୀ ତୁଲେ କି ମୋହୋର ସଙ୍ଗ ଭେଟ |୩୪|

ଭୀମସେନ ବୋଇଲା ତୁ ଶୁଣସି ନକୁଳ

ୟେ ମାଈ ଝିଅ ଗୋଟିକ ତୁ ନେଇଣ ସମ୍ଭାଳ |୩୫|

ନକୁଳ ବୋଇଲା ମୁହିଂ ଅଟଇ ପରମ ଯତି

ୟେକା ଭାରିଯାଉଂ ମୋର ଆନେ ନାହିଂ ମତି |୩୬|

ଭୀମସେନ ବୋଇଲା ବାବୁ ଶୁଣରେ ସହଦେବ

ଆମ୍ଭନ୍ତ ଆଶ୍ରେ କରି ୟେ କି ନିଷ୍ଫଳ ହୋଇବ |୩୭|

ସହଦେବ ବୋଇଲେ ମୋର ଦ୍ରେପତୀ ବଲ୍ଲଭୀ

ତାହା ତହୁଂ ଆନ ମୋର ନାହିଂଟି ସମ୍ଭବି |୩୮|

ତିନିଂକରି ନାଶି ଯେ ଶୁଣିଣ ବ୍ରିକୋଦର

ବିନୟ ଭାବେ ପୁଚ୍ଛାକଲେ ଯେ ଯୁଝେଷ୍ଠି ଛାମୁର |୩୯|

ସ୍ଵାମୀ ବଂଶେ ନିକଳଂକ ୟେ ଜଟାସୁର ଦୁଲାଳୀ

ତୁମ୍ଭେ ଦେବ ପାରିବକି ୟେହାକୁ ସମ୍ଭାଳି |୪୦|

ଯୁଝେଷ୍ଠି ହେଠମାଥ ଭୀମର ବଚନ ଶୁଣି

କୋପେ ଭୀମସେନକୁ ପ୍ରତିବାକ୍ୟ ଦିଅନ୍ତି ଦ୍ରୋପତ ଦୁଲଣୀ |୪୧|

ତୁହୋ ଭୀମସେନ ଅଚୁ ବଡ଼ ମନ୍ଦ

ଯାବତ କାଳେ ତୋ ତହୁଂ ସେ ଉପୁଜଇ ଦ୍ଵନ୍ଦ |୪୨|

ଅସୁରୀ ଗୋଟାୟେକ ତୁ ଆଣିଲୁ ଯାଇଂ କାହୁଂ

ସୁସ୍ଥ ହୋଇଅଛୁଂ ୟେବେ ଅସୁସ୍ଥ କରାଉ |୪୩|

କର୍ମେ ଯେବେ ପାଇଲୁ ତୁହି ସେ ଘେନିଅଛୁ

ଚନ୍ଦନ ବୃକ୍ଷକୁ କିଂପେ କାଳସର୍ପ ଆଣିଅଛୁ |୪୪|

କହୁଂ କହୁଂ କୋପଭର ହୋଇଲେ ପାଞ୍ଚାଳୀ

ଅନେର ଭ୍ରଚ୍ଛନା କରି ଭୀମକଇଂ ଦିଲେ ଗାଳି |୪୫|

ଭୀମସେନ ବୋଇଲା ତୁ ଲୋ ଯାଅ ଯା କାଳଞ୍ଚି

ତୋହୋର ଯୋଗେ ମୁଂ ୟେବେ ୟେଡ଼େ ଅପଛାତି ପାଉଅଛି |୪୬|

ଅସୁରୀ ବୋଇଲା ମୁଂ ଆବର କାହିଂକି ଯିବି

ତୁମ୍ଭ ତହୁଂ ଗୁଣବନ୍ତ ବଳବନ୍ତ ବଲ୍ଲଭ କାହୁଂ ମୁଂ ପାଇବି |୪୭|

ତୁମ୍ଭେ ଅବା ପେଲି ପକାଅ ଲୋଡ଼ ମୋତେ

ପ୍ରାପତ ନିଧି ମୁହିଂ ଛାଡ଼ିବି କେମନ୍ତେ |୪୮|

ଦ୍ରୋପତୀଂକି ବୋଲଇ ତୁ ଗୋ ତିରୀଜନ୍ମ ହୋଇ

ତିରୀଂକର ବେଦନା ନ ଜାଣୁ କିସ ପାଇଂ |୪୯|

ସ୍ଵାମୀର ବିହୁନେ ମୁହିଂ ହୋଇଛି ବଡ଼ଦୁଖୀ

ଦୟା କିଂପେ ନ ବସଇ ଗୋ ମୋହୋର କଷ୍ଟ ଦେଖି |୫୦|

ଦ୍ରୋପତୀ ବୋଇଲା ତୁ ଗୋ ଅସୁରୀ ନିଲକ୍ଷଣୀ

ସୁଜନେ ସମ୍ଭୋଗ ଇଚ୍ଛାକରୁ ତୁ ନ ଜାଣି |୫୧|

ଦ୍ରୋପତୀ ବଚନେ ଯେ ବଢ଼ିଲା ତାର କୋପ

ଯଷ୍ଠି ପ୍ରହାରେ ଯେହ୍ନେ ଗର୍ଜଇ କାଳସର୍ପ |୫୨|

ୟେକ ସ୍ତିରୀକି ତୋହୋର ଅଛଇ ପଞ୍ଚୁପତି

ଅଭ୍ୟାଗତ ପଡ଼ିଲେ ଗୋ ସମ୍ଭାଳିବା ନା ଯୁଗତି |୫୩|

ୟେହିକ୍ଷଣି ମୁହିଂ ଭକ୍ଷପାନ କରିବଇଂ ତୋତେ

ୟେହୁ ପାଞ୍ଚ ପୁରୁଷ ହୋଇବାକୁ ମୋତେ |୫୪|

ୟେଡ଼େ ବୋଲି କାୟା ବଢ଼ାଇଲା ଜଞ୍ଜାଳୀ

ତୁଣ୍ଡ ବିସ୍ତାରିଲା ସେ ସହସ୍ର ଯୋଜନ ଅଗୁଳି |୫୫|

ଯୋଜନେ ଯୋଜନେ ବେନିବାହା ବଢ଼ାଇ କାମରୂପୀ

ଦ୍ରୋପତୀ ଉପରକୁ ଦାନବୀ ପଡ଼ିଲାକ କ୍ଷେପି |୫୬|

ଅସୁରୀ ଗୋଡ଼ାବନ୍ତେ ପଳାବନ୍ତୀ ଦ୍ରୋପତୀ

ଭୟେଣ ଲୁଚିଲେ ଦେବୀ ଯୁଝେଷ୍ଠିଂକ ପଛକତି |୫୭|

ଯୁଝେଷ୍ଠିଂକି ଦୁରାପାତୀ ପକାଇଲା ପେଲି

ଦ୍ରୋପତୀ ବୋଇଲେ ରଖ ରଖ ଧନୁର୍ଜୟେ ତୋହୋର ଶରଣ ମୁଂ ଗଲି |୫୮|

ଧାଇଂଣ ଦ୍ରୋପତୀଂକି ଯେ ଅର୍ଜୁନ କଲା କୋଳ

ଆମ୍ଭନ୍ତ ଭେଟିଲୁ ଯେବେ ଆୟି ତୋର କାର୍ଯ୍ୟ ହୋଇବ ସୁଫଳ |୫୯|

ୟେମନ୍ତ ନାଶକରି ତୁ ଅର୍ଜିବୁ କେଉଂଣ

ଦେବା ପତିଦାନ ତୋତେ ଆମ୍ଭର ବୋଲ ଶୁଣ |୬୦|

ଅର୍ଜୁନ ବଚନେ ସେ ବୋଲଇ ଦୁରାପାତୀ

ଧର୍ମ ବିଚାରେ ଯେବେ ୟେହେନ୍ନେକ ପ୍ରକୃତି |୬୧|

ପୁରୁଷ କପଳେ ହୀନ ତୁମ୍ଭେ ଅଟ ପାଞ୍ଚଭାଇ

ୟେକା ଭାରିଯାଉଂ ତୁମ୍ଭର ଆନ ଇଚ୍ଛା ନାହିଂ |୬୨|

ୟେହକଇଂ ଭକ୍ଷିଲେ ହୋଇବି ମୁଂ ୟେକା ଘରଣୀ

ତୁମ୍ଭେ ପାଞ୍ଚହେଂ ହୋଇବ ମୋର ପ୍ରାଣମଣି |୬୩|

ମୁହିଂ ଯେତେକ ବିଦ୍ୟାକରି ଅଛଇ ଅଭ୍ୟାସ

ମୋ ତହୁଂ ଆନ କେହୁ ନ ଜାଣେ ରତିରସ |୬୪|

ଚଉଷଠୀ ବନ୍ଧ ବିଦ୍ୟା ବାସ୍ତରୀ ରତି ରଂଗକ୍ରୀଡ଼ା

ଅତିଅନ୍ତ ଭାବ ମୁଂ ଜାଣଇଂ ରସଖେଡ଼ା |୬୫|

ୟେମନ୍ତ କରି ତୁମ୍ଭନ୍ତ କରାଇବି ରତି

ମୋତେ ତେଜି କିମ୍ପା ତୁମ୍ଭେ ଯିବ ଆନର କତି |୬୬|

ସ୍ତମ୍ଭନ ମୋହନ ଅଞ୍ଜନ ଦଶ ଉଚ୍ଚାଟଣ

ପ୍ରେମ କୂତୁହୋଳ ଯେ ମାରଣ ଜାରଣ |୬୭|

ନିରୁତାନ୍ତ କରି ଯେବେ କରାଇବି ରମଣୀ

ଶତେ ପୁରୁଷ ହୋଇଲେ କି ପାରିବେ ମୋତେ ଜିଣି |୬୮|

ପଞ୍ଚଭ୍ରଥା ଆବୋରି ଲୋଡ଼େ ତୋର ଗର୍ବ

ବିଭୋକ୍ଷିତ ହୋଇ କହିଲି ମୋତେ ଜଣେକହିଂ ନ ଦେବ |୬୯|

ବିନୟଭାବ ହୋଇଣ ଯେ ବଦୟନ୍ତି ପାଞ୍ଚାଳୀ

ଶାନ୍ତି ଭଜ ମାତ ଗୋ ନ ଦେବା ମୋତ ଗାଳି |୭୦|

ତୋହୋର ବିକଟ ରୂପ ଦେଖି ମୁହିଂ ଭୟେକରି

ସବୁହୁଂ ବଳବନ୍ତା ଭୀମସେନକଇଂ ତୋତେ ଦିଲି |୭୧|

ଶୁଣିଣ ସାନନ୍ଦ ଯେ ଜଟା ସୁରର ଦୋହିତା

ପ୍ରଜାପତିର ଲେଖନ ମୋତେ ସେହି ଯେ ପ୍ରାପତା |୭୨|

ଦ୍ରୋପତୀ ବିଚାରନ୍ତି ଯେ ଭୀମସେନର ଡରେ

ଭୟେଣ ଲୁଚଇ ଯାଇଂ ଅଗ୍ନିର ଭିତରେ |୭୩|

ଦ୍ରୋପତୀ ବୋଇଲେ ତୁମ୍ଭେ ଭୀମସେନେ ନେଲେ

କାହାରି ହଂସିକା ନାହିଂ ୟେ ଚାରି ଭାଇରେ |୭୪|

ୟେ ଯେବେ ଆଣିଲା ରାକ୍ଷସୀ ୟେହାକଇଂ ଖାଉ

ମରୁ ଦୁରାନ୍ତକ ଶଲ ମୋର ଯାଉ |୭୫|

ଗନ୍ଧର୍ବ ଯୋଗେ ବିଭା ହୋଇଲା ପାବନୀ

କାଳିମେଘା ପରବତକୁ ଚଳଇ ତାକୁ ଘେନି |୭୬|

ୟେକାନ୍ତେ ଦ୍ରୋପତୀ ବୋଇଲେ ତୁ ଯେବେ ମୋହୋର ବଲ୍ଲଭ

ଭାଂଜିଣ ଚୂରକରି ତୁ ୟେହାର ମତ୍ତଗର୍ବ |୭୭|

ପାଞ୍ଚାଳୀ ବଚନ ଅଲିଘିଂତ ଶିରାଗ୍ରତେ

ରାକ୍ଷସୀକି ଘେନି ପଶିଲା କାଳି ମେଘା ପରବତେ |୭୮|

ଶୃଂଗାର ରଞ୍ଚିଲା ଭୀମ ଯେ ଦାନବୀର ତୁଲେ

ସୂର୍ଯ୍ୟ ବେଳେ କାମ ଦୃଢ଼କରି ଥକାଇଲେ |୭୯|

ପବନ ଭଂଜାଇଲା ନେଇ ସେ ପାଟଣା ଶ୍ରୀହଟ୍ଟେ

ଧାତୁଲାଇ ଟେକିଲା ସେ ଶୁଶୁମନା ଉଲଟେ |୮୦|

ଅନର୍ଗଳ କୋଠକି ନେଇ ସେ ବୁଡ଼ାଇଲା ଇନ୍ଦୁ

ବ୍ରହ୍ମଘରେ ଭେଦିଣ ଯେ ନ ଟଳିଲା ବିନ୍ଦୁ |୮୧|

କ୍ରମେଣ କରି କଷଣ ଟେକଇ ଅପର୍ଣ୍ଣା

ଚିତ୍ତ ନିବର୍ତ୍ତାଇ ଭାବ ନ ପାଇଲା ସେହ୍ନା |୮୨|

ବାମ ଚରଣ କନିଷ୍ଠ ଆଂଗୁଳିରେ କାମ ଛନ୍ଦି

ତ୍ରିଗୁଣ ଥକାଇଲା ପବନ ମେଳ ବାନ୍ଧି |୮୩|

କାମେନୀ କଳଂକ ଛଡ଼ାଇଲା ନେଇ ଦୂରେ

ଥନ ଦନ୍ତ ରେଖନାକ ଟାଳିଲା କଟି ଚାପିଲା ଗଭୀରେ |୮୪|

ମନ ବଚନ କର୍ତ୍ତବ୍ୟେ ତଲୟେ ଉପେଖି

ଚେତନା ପୁରୁଷକଇଂ ସେ ସନ୍ନିଧ୍ୟେ ନ ଦେଖି |୮୫|

ଅଭାବ କାମ ସେ ଯେ ଅଣାକାର ନାମ

ଉଜାଣି ପବନ ସେ ଶୃଂଗାର ଅବିଶ୍ରାମ |୮୬|

ମହାରତି ଶାହାସ୍ରେ ଜିତା ସେ ପାଣ୍ଡବ ବୀର ଭୀମ

ତିରୀଲିଂଗ ଗର୍ବେ କରି ଟେକିଲା ମହାତମ |୮୭|

ପୟାଣ ବୁଡ଼ାଇଲା ମୟାଣ ବର୍ଣ୍ଣ ନାହିଂ

ଶଶୀଘରେ ପବନ ହାଦେ ଥକାଇବି ଅବା କାହିଂ |୮୮|

ତପନ ଉଦ୍ଦାନ ସେ କଲାକ ପାବେନି

ଢଳିଲା ନିରାକୁଳେ ସେ ବୁଡ଼ିଲା କାମିନୀ |୮୯|

ଅସକତ ମନୁଆ ଯେ କିଛୁଥିଲା ଆଶ

ପବନ ନ ପାଇଣ ସେ ହୋଇଲା ନିରାଶ |୯୦|

ବାହୁଡ଼ି ବିଜେ କଲା ଯୋଗବଳେ ବାଞ୍ଛା

ଡାକଇ ସୁନ୍ଦରୀ ଭୋଳାନାଥ କର ମୋତେ ରକ୍ଷା |୯୧|

ଦୁସହ ସମରେ ମୋତେ ଜିଣିଲା ରାଉତ

ରଜ ଢାଳିଲା ସୁନ୍ଦରୀ ହୋଇଲା ଅସକତ |୯୨|

ଆଧାରେ ଶୃଙ୍ଗାର ଯେ ଅତ୍ରିପୁତି ଭୀମା

ସମରେ ଅତ୍ରିପୁତି ଅଟଇ ଗାରିମା |୯୩|

ଶୃଂଗାର ସମରେ ଯେ ତାକୁ ହାରିଲା ସୁନ୍ଦରୀ

ଛାଡ଼ ଛାଡ଼ ବୋଲିଣ ସେ ଶରଣ ଫୁକାରି |୯୪|

ଦୁଗୁଣ ପ୍ରତଗ୍ୟାଂ ସେ ପାଣ୍ଡବ ପାବନି

କରଇ ରତିରସ ଗାଢ଼ କରି ଘେନି |୯୫|

ଆକ୍ରୋଷି ଧାତୁ ଯେ ନ ଛାଡ଼ଇ ପାବନି

ନ ସରଇ ଶୃଂଗାର ସେ ପ୍ରସରେ ରୟଣି |୯୬|

ଉଦୟେ ଦିନକର ସେ ଗଗନ ବିହାରୀ

ଅସାଷ୍ଟମ ହୋଇଣ ସେ ଢଳିଲା ସୁନ୍ଦରୀ |୯୭|

ସମସ୍ୟା ନ ଫିଟଇ ଶରୀର ହୋଇଲା କାଲ

ଶରଣ ନ ରଖଇ ସେ ଭାରଥ କୁଳ ମଲ୍ଲ |୯୮|

ପରର ପରଜା ନ ସହେ ଗାଢ଼ରୋଷେ କଦାଚିତେ

ସେ ଶୃଙ୍ଗାର ଯେ ଆଦିତ୍ୟ ଗଲେ ଅସ୍ତେ |୯୯|

ଅଗ୍ନି ବୃଷ୍ଟି ହୋଇଲା ଗଲାକ ଭଗମୁଖେ

ଭୀମସେନ ଡାକ ଦିଅଇ ସମସ୍ୟା ନାହିଂ ମୁଖେ |୧୦୦|

ଦୁଇ ଦିବସ ଦୁଇରାତ୍ର ହୋଇଲା ୟେକଇ ଶୃଙ୍ଗାର

ନିଜଆତ୍ମା ଛାଡ଼ିଲା ସେ ଅସୁରୀ ଶରୀର |୧୦୧|

ପ୍ରାଣ ବିସର୍ଜନ ଯହୁଂ ହୋଇଲା କାମିନୀ

କାଳନ୍ଦୀ ନଦୀରେ ତାହା ମେଲିଲା ପାବେନି |୧୦୨|

ଗଙ୍ଗାୟେ ସ୍ରାହାନ ସାରି ପ୍ରବେଶ ଆଶ୍ରମେ

ଦ୍ରୋପତୀ ପଚାରିଲେ ଭାରିଯା ତୁମ୍ଭର କେମନ୍ତ କଲ
ହୋ ଭୀମେ |୧୦୩|

ବୋଲଇ ଭୀମସେନ କଲଇଂ ଶୃଙ୍ଗାର ମୁଂ ପ୍ରତଗ୍ୟାଂ ତାର ଦେଖି

ପିଣ୍ଡ ଛାଡ଼ି ପ୍ରାଣ ତାର ଗଲା ସଞ୍ଜୀବନୀ ପୁରୀକି |୧୦୪|

କାଳଞ୍ଚି ବିଦାରିଣ କାଳେବର ବନଷଣ୍ଡା

ଅନର୍ଗଳ ବୀରବର ଚେତନା ବିଖଣ୍ଡା |୧୦୫|

ହେ ବୁଧଜନେ ୟେ ଆରଣ୍ୟକ ପର୍ବ ଶୁଣ

ୟେ ବିଧିରେ ସାଧି ପାରିଲେ ଗିରିଂକର ଦର୍ପ ଜିଣ |୧୦୬|

କିଛୁହିଂ ସାଧିବି ମୁଂ ଦେବୀ ପ୍ରସନ୍ନ ହୋଇଲେ

ଶୂଦ୍ରମୁନି ସାରୋଳା ଦାସେ ରତି ଶାହାସ୍ରେ ବୋଇଲେ |୧୦୭|

ଜୟ ତୁ କାମସେଣୀ କାମରୂପୀ କାମାକ୍ଷୀ

ୟେ ଦୁରାପଦ ପ୍ରତଗ୍ୟାଂକୁ ତୁହି ସେ ମୋର ସାକ୍ଷୀ |୧୦୮|

ନୋହଇ ପଣ୍ଡିତ ମୁଂ ନ ଜାଣଇଂ ଶାସ୍ର

ସାଧନେ ବୋଧନେ ଯେ ଭାବଇଂ ହୃଦଗତ |୧୦୯|

ଅଭୟେ ଅପର୍ଣ୍ଣା ଯେ ଜଙ୍ଖେରପୁରବାସୀ

ଯମଦଣ୍ଡ ଖଣ୍ଡଣ କରି ମୋତେ ତବ ଭୁବନ ଦେସି |୧୧୦|

ଶିବର ସିଂହଦ୍ଵାରେ ଦ୍ଵାରପାଳ ମୁହିଂ ପୂର୍ବେ

କିଞ୍ଚିତ ପାତକେ ମୁଂ ମାନବେ ଜନ୍ମ ୟେବେ |୧୧୧|

କିଛୁଂ ବୟସେଣ ମୁଂ ପାଇଲି ଚେତନା

ହୃଦଗତେ ବିକାଶି ଉଦେକ କାମନା |୧୧୨|

ତାମସ ପ୍ରକୃତି ଅନ୍ତର କରି ମନେ ଭାବେ

ଇତି ଶ୍ରୀ ମହାଭାରତ ଆରଣ୍ୟକ ପର୍ବ ବଞ୍ଚାଇଲି ପରସ୍ତାବେ |୧୧୩|

ଶ୍ରୀ ମହାଭାରଥ ୟେ ଅମୃତ ରସ କଥା

ସଂସାର ବୋଧେନ ୟେ ପୁରାଣ ସଂହିତା |୧୧୪|

ନୀଳେନ୍ଦ୍ରୀ ସରୋବରେ ଯେହ୍ନେ ଶତଦଳ ପଦ୍ମ ଫୁଟି

ଅନୁକୂଳ କାଳେ ଯେହ୍ନେ ଇନ୍ଦ୍ର କରଇ ବୃଷ୍ଟି |୧୧୫|

ଶ୍ରବଣେ ଶୁଣିଣ ଯେ ହୃଦେ କରଇ ଗଣ୍ଠି

ଯମ ପାଶ ଛେଦନ ଯେ ସାଧନ ପୁଣ୍ୟଗୋଟି |୧୧୬|

ବଧିର ଜଡ଼ା ଯେ ଅନ୍ଧ ଅପୁତ୍ରିକ

ଶୁଣନ୍ତେ ମୋକ୍ଷ ଗତି ଫିଟିବ ରୋଗ ଶୋକ |୧୧୭|

ଶ୍ରୀଚଣ୍ଡୀ ସାରୋଳା ଦାସ ବାକ୍ୟ ଯେ ପ୍ରକାଶ

ବଦୟନ୍ତି ସାରୋଳା ଦାସ ଶ୍ରୀ ଚଣ୍ଡୀର ନିଜ ଦାସ |୧୧୮- ୧୧୧୮୩|

 

ଦୁର୍ଭାସା ଚରିତ

ୟେଥୁ ଅନନ୍ତରେ ଶୁଣ ହୋ ଯୁଗପତି

ପାଣ୍ଡବନ୍ତ ପ୍ରମାଦ ଚିନ୍ତିଲା କୁରୁପତି |୧|

ଶକୁନିକୁ ଘେନି ରାଜା ଭାଳଇ ୟେକାନ୍ତେ

ବନବାସେ ପାଣ୍ଡବେ ନାଶଯିବେ କେମନ୍ତେ |୨|

ଶକୁନି ବୋଇଲା ରାଜା ଶୁଣ ଦ୍ରିଯୋଧନ

ଉପାୟେ ଅଛି ପାଣ୍ଡବଂକୁ କରିବା ନିଧନ |୩|

ଆପଣେ ନା ମାରି ପରହାଥେ ମରାଇବା

ସୋଦର ବଧ ଦୋଷ ଯେମନ୍ତେ ନ ଲାଗିବା |୪|

ୟେକାନ୍ତେ ବସିଣ ଭାଳନ୍ତି ଦ୍ରିଯୋଧନ ଶକୁନି

ଶୁଣ ହୋ ଯୁଗପତି କହନ୍ତି ଅଗସ୍ତି ମହାମୁନି |୫|

ଯେଉଂଦିନୁ ପାଣ୍ଡବେ ବନବାସ ଗଲେ

ଅନ୍ୟେ ଝିଂଘାସ ତାକୁ ଦ୍ରିଯୋଧନ କରାଇଲେ |୬|

କୂଟ କପଟ ମନ୍ତ୍ରୀ ଶକୁନି ବୋଲାଇ

ବନବାସେ ପାଣ୍ଡବେ ଅଛନ୍ତି ଦୁଖ ସହି |୭|

ଅଗ୍ୟାଂତ ବନବାସେ ଗୋପ୍ୟାନ ହୋଇବେ

ଆରବଳେ ପାଣ୍ଡବଂକୁ ଝିଘାଂସି କର କୁରୁଦେବେ |୮|

ୟେମନ୍ତେ ବସିଣ ଭାବନ୍ତେଣ ବେନି

ପ୍ରବେଶ ହୋଇଲେ ଆସି ଦୃଭାସା ମହାମୁନି |୯|

ଦଶ ସହସ୍ର ଶିଷ୍ୟ ଅଛନ୍ତି ସଙ୍ଗତରେ

ପ୍ରବେଶ ହୋଇଲେ ଯାଇ ଦ୍ରିଯୋଧନ ସଭାରେ |୧୦|

ଦେଖିଣ ଦ୍ରିଯୋଧନ ଆସ୍ତାନୁ ଉଠିଲା

ପ୍ରଣମ୍ୟ ହୋଇଣ ନେଇ ଆସ୍ତାନେ ବସାଇଲା |୧୧|

ଧୂପ ଦୀପ ଆବର ଗନ୍ଧପୁଷ୍ୟ ନେଇ

ଷଡ଼ଅର୍ଘ୍ୟ ପୂଜା ସେ କଲେ କୁରୁସାଇଂ |୧୨|

କୃଷ୍ଣାଜିନ ଛାଲ ସେ ଦିଲେ ଶିଷ୍ୟଗଣଂକୁ ପୁଣ

ବସିଲେ ଶିଷ୍ୟଗଣ ହୋଇଣ ତୋଷମନ |୧୩|

କୁଶଳ ବାରତା ଯେ ପଚାରନ୍ତି ତପଚାରି

ସୁଖେ ରାଜ୍ୟ କରୁଅଛୁ ନା ଦଣ୍ଡଧାରୀ |୧୪|

ପାତ୍ର ମନ୍ତ୍ରୀଗଣେ ଅଛନ୍ତି ଆଗ୍ୟାଂରେ ଅନୁବ୍ରତେ

ଦେଶାଉରେ ବାରତା ଜଣାଉଛନ୍ତି ନିତ୍ୟେ |୧୫|

ସୁବିଧାନେ ରାଜ୍ୟେ କରୁଅଛୁ ନା ଦଣ୍ଡଧାରୀ

ଛାମୁରେ ଖଟିଛନ୍ତି ନା ପାରିଦଣ୍ଡ ଆଦିକରି |୧୬|

ସମସ୍ତ କୁଶଳ ଯେ ବୋଇଲା ରାଜନ

ଯେବେ ସୁଦୟା ମୋତେ କଲ ମହାମୁନ୍ୟ |୧୭|

ସୂପକାରକୁ ରାଇ ଆଗ୍ୟାଂ ଦିଲେ ଦଣ୍ଡଧାରୀ

ଷଡ଼ରସ ବ୍ୟଞ୍ଜନ ପାକ ନିର୍ଭାକରି |୧୮|

ଆଗ୍ୟାଂପାଇ ସୂପକାର ବହନ ହୋଇ ଗଲା

ଯେ ବିଧି ବିଧାନେ ପାକ ସମ୍ପାଦିଲା |୧୯|

ସ୍ରାହାନ ନିତ୍ୟକର୍ମ ସାରିଣ ମହଋଷି

ଶିଷ୍ୟଗଣନ୍ତ ଘେନି ଭୋଜନ ସ୍ତାନେ ବସି |୨୦|

ଭୁଞ୍ଜିଣ ତ୍ରିପୁତି ଯେ ହୋଇଲେ ତପଚାରୀ

ଆଚମନ ସାରିଣ ତାମ୍ଵୁଳ ଭୋଜନ କରି |୨୧|

ସୁସ୍ତ ହୋଇଣ ଯେ ବସିଲେ ମହାମୁନି

ବହୁତ କଲ୍ୟାଣ କଲେ ମାନଗୋବିନ୍ଦଂକୁ ପୁଣି |୨୨|

ଯାଉଅଛୁ ଆମ୍ଭେ ଶୁଣ ହୋ କୁରୁପତି

ସମୟେକ ଆସୁ ସିନା କ୍ଷମେଣ ଥାଅ ବ୍ରତି |୨୩|

ବହୁତ ବିନୟ ହୋଇ ବୋଇଲେ ରାଜନ

ଦିନଚାରି ମୋର ପୁରେ ରହିବା ମହାଶୂନ୍ୟ |୨୪|

ପବିତ୍ର ହୋଇବ ୟେ ମୋହୋର ପୁରଗୋଟି

ଯେବେ ଅନୁଗ୍ରହ କରି ଅଇଲ ତପନିଷ୍ଠି |୨୫|

ଶୁଣିଣ ମହାମୁନି ହୋଇଲେ ହରଷ

ରହିଲେ ସଙ୍ଗତେ ଘେନି ଦଶ ସହସ୍ର ଶିଷ୍ୟ |୨୬|

ଅନେକ ଭଗତି ଭାବ ଯେ ହୋଇଲେ କୁରୁପତି

ରାଜାର ଭଗତି ଦେଖି ରହିଲେ ମହାଯତି |୨୭|

ୟେକାନ୍ତେ ଶକୁନି କହିଲା ରାଜାର ଆଗର

ପାଣ୍ଡବଂକ ତହିଂକି ପେଶିବା ଦୃଭାସା ମୁନିବର |୨୮|

ସତ୍ୟବନ୍ତ ଅଟଇ ଯେ ଯୁଝେଷ୍ଠି ନୃପତି

ଅଠାଅଶି ସହସ୍ର ଋଷିଂକି ଭୋଜନ ଦିଅଇ ନିତି |୨୯|

ଫଳମୂଳ ଆହାରେ ସେ ବଞ୍ଚୁଥାନ୍ତି ଦିନ

ଦୃଭାସାଂକୁ ପେଶି ତାହାଂକୁ କରାଇବା କଷଣ |୩୦|

ଭୋଜନ ଅନ୍ତେ ପ୍ରବେଶ ହୁଅନ୍ତି ମୁନିବର

ଦଶ ସହସ୍ର ଶିଷ୍ୟନ୍ତ ଘେନିଣ ସଙ୍ଗତର |୩୧|

ଯୁଝେଷ୍ଠି ଦେବଂକୁ ମାଗନ୍ତୁ ସେ ଭିକ୍ଷା

ଦୟାବନ୍ତ ନୃପତି ସେ ଧର୍ମେଣ ବଡ଼ କକ୍ଷା |୩୨|

ସତ୍ୟକଲେ ଯୁଝେଷ୍ଠି ଯେ ଦେଇ ନୁଆରିବ

ଦୃଭାସାଂକ କୋପେ ସେ ସଂପଡେ ନାଶ ଯିବ ।୩୩।

ସୋଦର ମାରନ୍ତେ ବହୁତ ଦୋଷ ଅରଜିବା

ଉପାୟେ କରିଣ ପରହାଥେ ମରାଇବା ।୩୪।

ଶୁଣିଣ ସାନନ୍ଦ ହୋଇଲେ ମାନ ଚକ୍ରବର୍ତୀ

ଧନ୍ୟ ଧନ୍ୟ ମାମୁଂ ହେ ଶକୁନି ମହାମନ୍ତ୍ରୀ ।୩୫।

ଶକୁନିକି ଘେନିଣ ବାହାର କୁରୁପତି

ଦୃଭାସାଂକ ଛାମୁରେ ପ୍ରବେଶ ତଡ଼ତି ।୩୬।

ସମସ୍ତ ସଞ୍ଚପିଣ କହିଲା ରାଜନ

ଯେବେ ଅନୁଗ୍ରହ କରିବ ମହାମୁନ୍ୟ ।୩୭।

ସୁଦୟା କରି ଯେବେ ଅଇଲ ତପନିଷ୍ଠ

ମୋହୋର ବଇରି ଯେ ଅଟଇ ଯୁଝେଷ୍ଠି ।୩୮।

ବନବାସେ ଅଛନ୍ତି ଯେ ପାଣ୍ଡବ ପାଞ୍ଚଜଣ

ବନବାସେ ତାହାଂକୁ କରଯା କଷଣ ।୩୯।

ସତ୍ୟବନ୍ତ ପୁରୁଷ ଯେ ଅଟନ୍ତି ଯୁଝେଷ୍ଠି

ତାହାଂକୁ ଭିକ୍ଷା ପ୍ରକାଶ କର ତପନିଷ୍ଠି ।୪୦।

ଅଠାଶି ସହସ୍ର ଋଷି ଆବର ପାଣ୍ଡବ ଦ୍ରୋପତି

ୟେହାଂକ ଭୋଜନ ଅନ୍ତେ ଭିକ୍ଷା ପ୍ରକାଶ ମହାଯତି ।୪୧।

ୟେମନ୍ତ ସମୟେ ତାକୁ ନ ମିଳଇ ଅନ୍ନ

ୟେମନ୍ତ ସମୟ ଜାଣି ଭିକ୍ଷା ପ୍ରକାଶ ବହନ ।୪୨।

ମୋତେ ସଦୟ ଯେବେ ଅଛଇ ମହାମୁନି

ପାଣ୍ଡବନ୍ତ କଷଣ ଦିଅ ସିଷ୍ୟଗଣନ୍ତ ଘେନି ।୪୩।

ଶୁଣିଣ ସାନନ୍ଦ ଯେ ହୋଇଲେ ମହଋଷି

ଯୁଝେଷ୍ଠିଂକ ପାଶକୁ ଚଳିଲେ ସଙ୍ଗେ ଘେନି ଦଶ ସହସ୍ର ଶିଷି ।୪୪।

ଯୁଝେଷ୍ଠିଂକ ପାଶେ ଯାଇଂ ହୋଇଲେ ପରବେଶ

ଦେଖିଣ ଧର୍ମରାୟେ ଯେ ହୋଇଲେ ହରଷ ।୪୫।

ଆସନ ଅର୍ଘ୍ୟ ଦେଇଣ କଲେ ପାଦପୂଜା

ଆନନ୍ଦେ କୃତ କୃତ ହୋଇଲେ ଯୁଝେଷ୍ଠି ମହାରାଜା ।୪୬।

ଦୃଭାସା ବୋଇଲେ ଭିକ୍ଷା କରିବୁ ଯୁଝେଷ୍ଠି

ଶୁଣିଣ ଧର୍ମରାୟେ ମନେ ମହାତୁଷ୍ଟି ।୪୭।

କଷଣ କରିବାକୁ ଯାଇଛନ୍ତି ଋଷି

ୟେହା ଜାଣି ନୁଆରିଲେ ପଣ୍ଡୁରାଜାର ଶିଷି ।୪୮।

ଯହିଂ ଧର୍ମ ତହିଂ ଜାଣ ପଡ଼ଇ କଷଣ

ଦୃଭାସାଂକ ବଚନେ ଯୁଝେଷ୍ଠି ସମ୍ମତ କଲେ ପୁଣ ।୪୯।

ଶିଷ୍ୟନ୍ତ ଘେନି ଋଷି ଗଲେ ନିତ୍ୟକର୍ମେ

ନକୁଳକଇଂ ହକାରି ବୋଇଲେ ଦେବ ଧର୍ମେ ।୫୦।

ଆରେ ବାବୁ ନକୁଳ ଦ୍ରୋପତୀକି କହ ଯାଇଂ

ଦୃଭାସା ଭିକ୍ଷା କରିବେ ସଙ୍ଗତେ ଶିଷ୍ୟନ୍ତ ନେଇ ।୫୧।

ଶୁଣିଣ ନକୁଳ ଯେ ବହନ ହୋଇ ଗଲା

ଦ୍ରୋପତୀଂକି ଯାଇଂଣ ସେ ସନ୍ଦେଶ କହିଲା ।୫୨।

ଶୁଣିଣ ଦ୍ରୋପତୀ ଯେ ହୋଇଲେ ଥମ୍ଭୀଭୂତ

ଭାଣ୍ଡରେ କିଛି ନାହିଂ ସରିଲାନି ସମସ୍ତ ।୫୩।

ଭୋଜନ ସାରିଣ ମୁଂ ଧୋଇଲିନି କୁଢ଼ୋଇ

ଅନ୍ନ ବ୍ୟଞ୍ଜନ ଆଦି ଫଳ ମୂଳ ନାହିଂ ।୫୪।

ଠାକୁରଂକ ଆଗେ ଯାଇ କହିଲା ନକୁଳ

ଅନ୍ନହିଂ ବ୍ୟଞ୍ଜନ ଠାରୁ ନାହିଂ ଫଳମୂଳ ।୫୫।

ଭୋଜନ ସାରିଣ କୁଢୋଇ ଧୋଇଲେନି

ଥମ୍ଭୀଭୂତ ହୋଇଲେ ଯୁଝେଷ୍ଠି ନୃପମଣି ।୫୬।

ଆକୁଳେ ଯୁଝେଷ୍ଠିଂକି ନ ଫୁରିଲା କିଛି

ମନେଣ ବିସୋରି ବସିଲେ ଧର୍ମବତ୍ସି ।୫୭।

ଆରେ ବାବୁ ନକୁଳ କରିବା କେମନ୍ତ

କିସ ଭିକ୍ଷା ଦେବା ହୋ ଦୃଭାସା ତପୋବନ୍ତ ।୫୮।

ୟେହିକ୍ଷଣି ଆସିବେ ଶିଷ୍ୟଗଣନ୍ତ ଘେନି

ଦୃଭାସା କୋପକଲେ କି ବ୍ରତିବା ଆଉ ପୁଣି ।୫୯।

ଧର୍ମ ଧର୍ମ ସୁମରି ବସିଲେ ରାୟେ ମନ

କଷଣ ଉପରେ କଷଣ ବିହିଲେ ଆପଣ ।୬୦।

ଆକୁଳେ ଯୁଝେଷ୍ଠିଂକି ନ ଫୁରଇ କିଛି

ନକୁଳ ମୁଖ ଚାହିଂ କହନ୍ତି ଧର୍ମବତ୍ସି ।୬୧।

ସହଦେବକୁ ବାବୁରେ ହକାରିଆଣ ଯାଇଂ

ଦଶଦିଗ ଅନ୍ଧାର ଯେ ନ ଦିଶେ ବନଭୂଇଂ ।୬୨।

ହୃଦଗତେ ଚିନ୍ତିଲେ ଯେ ଦେବ ନାରାୟଣ

ସର୍ବଦା ଆମ୍ଭେ ନାଥ ତୋହୋର ଶରଣ ।୬୩।

ୟେ କଷଣୁ ଉଦ୍ଧର ହେ ଦେବ ଦାମୋଦର

ସୁମରନ୍ତେ ଆସନ କମ୍ପିଲା ଚକ୍ରଧର ।୬୪।

ଅନ୍ତର୍ଯ୍ୟାମୀ ନାଥ ଅନ୍ତର୍ଗତ କଥା ଜାଣି

ବଇନେତ୍ର ବାହାନେ ବିଜୟେ ଚକ୍ରପାଣି ।୬୫।

ପବନୁଂ ବେଗେ ହୋଇ ଗମଇଂ ପଚ୍ଛୀବର

ପ୍ରବେଶ ହୋଇଲେ ଯାଇଂ ଯୁଝେଷଅଠିଂକ ଛାମୁର ।୬୬।

ଗରୁଡ଼ ପିଠିରୁ ଓହ୍ଲାଇ ଦେବ ନାରାୟଣ

ଯୁଝେଷ୍ଠିଂକ ପାଦତଳେ ହୋଇଲେ ପ୍ରଣମ୍ୟ ।୬୭।

ଉଠିଣ କେଶବ ଯେ ବୋଲନ୍ତି ବଚନ

କ୍ଷୁଧା ଲାଗିଲା କିଛୁ କରିବା ଭୋଜନ ।୬୮।

କ୍ଷୁଧା ତୃଷାରେ ଯେ ଆକୁଳ ହୋୟେ କାୟେ

ଶୀଘ୍ର କିଛି ଆଣିଦିଅ ବୋଲନ୍ତି ଦେବରାୟେ ।୬୯।

ୟେହା ଶୁଣି ଧର୍ମସୁତ ପଡ଼ିଲେକ ଢଳି

ସହଦେବକୁ ସୁମରଣା କଲେକ ବନମାଳୀ ।୭୦।

ଧାତିକାରେ ସହଦେବ ହୋଇଲେ ପ୍ରବେଶ

ସହଦେବକଇଂ ଚାହିଂ ବୋଲନ୍ତି ହୃଷୀକେଶ ।୭୧।

ଦ୍ରୋପତୀଂକି ରେ ବାବୁ ଶୀଘ୍ରେ କହ ଯାଇଂ

ଭୋଜନ କରିବାକୁ ବୋଲୁଛନ୍ତି ଲକ୍ଷ୍ମୀସାଇଂ ।୭୨।

କ୍ଷୁଧା ତୃଷାରେ ଯେ ଅସମ୍ଭାଳ ଦେହ

ବହନ ଯାଇଣ ତୁ ଦ୍ରୋପତୀଂକି କହ ।୭୩।

ଶୁଣିଣ ସହଦେବ ବହନ ହୋଇ ଗଲା

ଦ୍ରୋପତୀଂକି ୟେସନ ସମସ୍ୟା କହିଲା ।୭୪।

ଶୁଣିଣ ଦ୍ରୋପତୀ ସେ ହୋଇଲେ କାତର

ସମସ୍ତ ସରିଲାନି କିଛି ନାହିଂ ଭାଣ୍ଡର ।୭୫।

ନାରାୟଣଂକ ଅଗ୍ରତେ ସହଦେବ କହିଲା

କୁଢ଼ୋଇରେ କିଛି ନାହିଂ ସମସ୍ତ ସରିଗଲା ।୭୬।

ୟେହା ଶୁଣି ଜଗନ୍ନାଥେ ଆପଣେ ଚଳିଗଲେ

ଅନ୍ତପୁରେ ଦ୍ରୋପତୀଂକ ଛାମୁରେ ମିଳିଲେ ।୭୭।

କହନ୍ତି ଜଗନ୍ନାଥେ ଶୁଣ ଜିଘ୍ନସେନୀ

କିଛୁ ଆଣ ଭୋଜନ କରିବାକ ପୁଣି ।୭୮।

କ୍ଷୁଧାଭରେ ଅଶକତ ହୋଉଅଛି ଦେହ

ଯାହା ଅଛି ତାହା ତୁମ୍ଭେ ବେଗେ ଆଣିଦିଅ ।୭୯।

ଜଗନ୍ନାଥଂକୁ ବୋଲନ୍ତି ଦ୍ରୋପତୀ ବାରତ

ଭୋଜନ ସାରି କୁଢୋଇ ଧୋଇଲିନି ପ୍ରତ୍ୟକ୍ଷ ।୮୦।

ପାକ ପଚନ ମୁଂ କରନ୍ତି ୟେହିକ୍ଷଣି

ଭଣ୍ଡାରେ ଆର କିଛୁ ନାହିଂ ନାରାୟଣ ।୮୧।

ବୋଲନ୍ତି କେଶବ ଯେ ଆଣି ଦେଖା ଭାଣ୍ଡ

ଯିସ ଧିବ ଭୁଞ୍ଜି ତ୍ରିପୁତି କରିବାକ ପିଣ୍ଡ ।୮୨।

ଶ୍ରୀକୃଷ୍ଣଂକ ବଚନେ ଯେ ଚଳିଲେ ଦ୍ରୋପତୀ

ପାକଭାଣ୍ଡ ଆଣିଣ ଯେ ଦେଖାଇଲେ ଶ୍ରୀପତି ।୮୩।

ନିରେଖି ଭାଣ୍ଡକୁ ଚାହିଂଲେକ ନାରାୟଣ

ଦେଖିଲେ ଭାଣ୍ଡ ଲାଗିଛି ଶାକ ବ୍ୟଞ୍ଜନ ପୁଣ ।୮୪।

କର ପ୍ରସାରି ତାହା ମାଗିଲେ ଶ୍ରୀହରି

ଲାଗିଛି ବ୍ୟଞ୍ଜନ ଦିଅ ଦ୍ରୋପତ କୁମାରୀ ।୮୫।

ନାରାୟଣ ଆକୁଳ ଦେଖି ଦ୍ରୋପତୀ ତାହା ଦିଲେ

ଭୁଞ୍ଜିଣ ସନ୍ତୋଷ ସେ ଶ୍ରୀହରି ହୋଇଲେ ।୮୬।

ଧନ୍ୟ ସେ ପରମ ସାଧବୀ ଦ୍ରୋପତୀ ଦୁହିତୀ

ଶାକପତ୍ର ଭୁଞ୍ଜିଣ ଯେ ସନ୍ତୋଷ ଶ୍ରୀପତି ।୮୭।

ଶୁଣ ହୋ ମନୁରାୟେ ବଦୟନ୍ତି ଅଗସ୍ତି

ଅନ୍ତର୍ଯ୍ୟାମୀ ନାଥ ସେ ସକଳ ଭୂତେ ଥିତି ।୮୮।

ଯହୁଂ ସେ ତ୍ରିପୁତି ହୋଇଲେ ନାରାୟଣ

ସମସ୍ତ ଜୀବଜନ୍ତୁ ତ୍ରିପୁତି ହୋଇଲେକ ପୁଣ ।୮୯।

ନିତ୍ୟକର୍ମେ ଯାଇଥିଲେ ଦୃଭାସା ମହାଋଷି

ନ ଭୁଞ୍ଜି ପେଟ ପୁରିଲା ନୁଆରିଲେ ଉଠି ବସି ।୯୦।

ଶିଷ୍ୟଗଣମାନେ ଯେ ଚଳି ନୁଆରିଲେ

ବିନା ଭୋଜନେ ଉଦର ପୂରିଲା ବୋଇଲେ ।୯୧।

ଶିଷ୍ୟଗଣନ୍ତ ଚାହିଂ ବୋଲନ୍ତି ତପଚାରୀ

ବିଭୋଜନେ ଆମ୍ଭେ ଯେ ଚଳି ନୁଆରି ।୯୨।

ସମସ୍ତ ଶିଷ୍ୟ ବୋଇଲେ ୟେ ଅଟଇ ଦୁର୍ଘଟ

ଉଦର ପୂରିଣ ଯେ ରୁଦ୍ଧଇ କଣ୍ଠତଟ ।୯୩।

ଦୃଭାସାୟେ ବୋଇଲେ ଚାଲ ବହନ ହୋଇଯିବା

ଯେ ଯିସ ପାର ତାହା ଭୋଜନ କରିବା ।୯୪।

ସମସ୍ତ ଶିଷ୍ୟମାନେ ବୋଲନ୍ତି ଉତ୍ତର

କିସ ଭୁଞ୍ଜିବା ଆଉ ପୁରିଲାନି ଉଦର ।୯୫।

ୟେହାଶୁଣି ଦୃଭାସାୟେ ହୋଇଲେ ମଉନ

ବିଚାର କରନ୍ତି ସେ ଆପଣେ ମନେ ମନ ।୯୬।

ଆମ୍ଭେ ଯୋଗୁ ଯୁଝେଷ୍ଠି ଯେ ପାକ କଲେ ନିର୍ଭା

ଯେ ଯିସ ପାର ତାହା ଭୋଜନ କରିବା ।୯୭।

ୟେତେକ କଷଣେ ତାକୁ ଭିକ୍ଷା ପ୍ରକାଶିଲୁ

ଦଶ ସହସ୍ର ତଣଂକୁ ପାକ ପଚନ କରାଇଲୁ ।୯୮।

ନ ଭୁଞ୍ଜିଲେ ପ୍ରାଣେହିଂ ମାରିବ ଆମ୍ଭଂକୁ

ୟେମନ୍ତ କହିଲେ ଶିଷ୍ୟଗଣମାନଂକୁ ।୯୯।

ୟେତେ ବିତାରିଣ ଦୃଭାସା ମହାଋଷି

ସଙ୍ଗତେ ଘେନିଣ ଦଶ ସହସ୍ର ଯେ ଶିଷି ।୧୦୦।

ନିଜ ଆଶ୍ରମକଇଂ ଚଳିଗଲେ ଦେବ

ଅନ୍ତର୍ଯ୍ୟାମୀ ନାଥ ତାହା ଜାଣିଲେ ବାସୁଦେବ ।୧୦୧।

ସହଦେବ କଇଂ ଘେନିଣ ଦେବ ଦାମୋଦର

ପ୍ରବେଶ ହୋଇଲେ ଯାଇଂ ଯୁଝେଷ୍ଠିଂକ ସନ୍ନିଧ୍ୟର ।୧୦୨।

ଆସନେ ନେଇଣ ବସାଇଲେ ଧର୍ମସୁତ

ଅନ୍ତରେ ବଇକୁଲ୍ୟ ବାହ୍ୟେ ମଉନ ଯେ ବ୍ରତ ।୧୦୩।

ବଦୟନ୍ତି ଶ୍ରୀକୃଷ୍ଣ ଯେ ଶୁଣିମା ଧର୍ମଦେବ

କିସ ଅର୍ଥେ ଚିନ୍ତାକଲ କେବଣହିଂ ଭାବ ।୧୦୪।

ଶୁଣିଣ ଯୁଝେଷ୍ଠି ଦେବ ହୋଇଲେ ମଉନ

ଆତ୍ମା ବଇକୁଲ୍ୟେ କହି ନୁଆରନ୍ତି ବଚନ ।୧୦୫।

ସହଦେବ ମୁଖ ଚାହିଂ ବୋଲନ୍ତି ଦାମୋଦର

କହ ହେ ମନ୍ତ୍ରୀବର ୟେ କେବଣ ପ୍ରକାର ।୧୦୬।

ୟେସନେକ ସମୟେ ବାସବି ବ୍ରିକୋଦର

ପ୍ରବେଶ ହୋଇଲେ ଆସି ନାରାୟଣ ଛାମୁର ।୧୦୭।

କରପତ୍ର ଯୋଡ଼ିଣ କହଇ ସହଦେବ

ସାବଧାନ ହୋଇଣ ଶୁଣିମା ୟେହାର ପ୍ରସ୍ତାବ ।୧୦୮।

ବନବାସେ ଆମ୍ଭନ୍ତ କଷଣ ଦେବାଅର୍ଥେ

ମନରେ ବିଚାର କଲାକ କୁରୁନାଥେ ।୧୦୯।

ଶକୁନିକୁ ଘେନିଣ ଭାଳନ୍ତି କୁରୁପତି

ୟେସନ ସମୟେ ଆସି ମିଳିଲେ ଦୃଭାସା ମହାଯତି ।୧୧୦।

ଅନେକ ଭଗତି ହୋଇଣକୁରୁନାଥ

ଦିନାଚାରି ରଖିଲା ହସ୍ତିନା ପ୍ରଶସ୍ତ ।୧୧୧।

ଶକୁନି ମନ୍ତ୍ରୀ ଯହୁଂ କହିଲା ଯେତେ ବାଳୀକି

ଦୃଭାସାଂକୁ ପେଷିଲା ଦେବ ଆମ୍ଭର ତହିଂକି ।୧୧୨।

ଦୃଭାସା ଅଇଲେ ଘେନି ଦଶ ସହସ୍ର ଶିଷ୍ୟ

କଷଣ ଦେବେ ବୋଲି ବୋଇଲେ ଭିକ୍ଷା ଦିଅ ଧର୍ମଶିଷ୍ୟ ।୧୧୩।

କପଟ କଥା ଦେବ ମଣିତ ନୁଆରିଲେ

ହଉ ବୋଲିଣ ଦେବ ସନମତ କଲେ ।୧୧୪।

ଦୃଭାସାୟେ ନଦୀକି ଗଲେ ସ୍ରାହାନ ସାରି

ଆଗ୍ୟାଂଦିଲେ ଦେବ ନକୁଳକଇଂ ହକାରି ।୧୧୫।

ଦ୍ରୋପତୀଂକି ନକୁଳ କହଇ ତଡ଼ତି

ଦଶ ସହସ୍ର ଶିଷ୍ୟ ଘେନି ଭିକ୍ଷା କରିବେ ଦୃଭାସା ମହାଯତି ।୧୧୬।

ନକୁଳ କହନ୍ତେ ଦ୍ରୋପତୀ ନାସ୍ତିକଲେ ଯହୁଂ

ମନେ ଚିନ୍ତା ଦେବ ଲାଗିଲାକ ତହୁଂ ।୧୧୭।

ବଇକୁଲ୍ୟେ ଦିଶଦିଶ ଦିଶିଲା ଅସୁନ୍ଦର

ଧ୍ୟାନେଣ ଜଗନ୍ନାଥଂକୁ ଚିନ୍ତିଲେ ଅପାର ।୧୧୮।

ଅନ୍ୟର୍ଯାମୀ ନାଥ ତାହା ଅନ୍ତରେ ଜାଣିଲେ

ବହନ ଆସି ଦେବ ପ୍ରବେଶ ହୋଇଲେ ।୧୧୯।

କ୍ଷୁଧାରେ ଭୋଜନ ଦେବ ମାଗିଲେକ ଯହୁଂ

ଦୁସହ କଷଣ ଦୁଖ ହୋଇଲାକ ତହୁଂ ।୧୨୦।

ମନ ବୁଦ୍ଧି ହରାଇ ଦେବ ଚିନ୍ତାରେ ରହିଲେ

ଦ୍ରୋପତୀଂକ ଛାମୁକୁ ନାରାୟଣ ବିଜେକଲେ ।୧୨୧।

କ୍ଷୁଧାରେ ଭୋଜନ ଯହୁଂ ମାଗିଲେ ଶ୍ରୀପତି

ନାହିଂ ବୋଲି ନାସ୍ତି କଲେକ ଦ୍ରୋପତୀ ।୧୨୨।

ଶ୍ରୀକୃଷ୍ଣ ବୋଇଲେ ଦେଖାଅ ପାକଭାଣ୍ଡ

ଅଳପ ଭୋଜନେ ଗୋ ତୋଷ କରିବୁ ପିଣ୍ଡ ।୧୨୩।

ପାକଭାଣ୍ଡ ଘେନି ଦେଖାଇଲେ ଯିଘ୍ନସେନୀ

ବ୍ୟଞ୍ଜନ ଭାଣ୍ଡରେ ଶାକ ଭୁଞ୍ଜିଲେ ଚକ୍ରପାଣି ।୧୨୪।

ଭୁଞ୍ଜିଣ ସନ୍ତୋଷ ହୋଇଲେ ଦେବ ଯହୁଂ

ଅଭୋଜନେ ଦୃଭାସାୟେ ତ୍ରିପୁତି ହେଲେ ତହୁଂ ।୧୨୫।

ଶିଷ୍ୟଗଣନ୍ତ ଚାହିଂ ବୋଇଲେ ବଚନ

କିସ ଭୁଞ୍ଜିବା ଯାଇଂ ଯୁଝେଷ୍ଠି ଛାମୁରେଣ ।୧୨୬।

ଦୁଷ୍ଟ ଭାଇ ତାହାର ଅଟଇ ଯେ ଭୀମା

ନ ଭୁଞ୍ଜିଲେ ପ୍ରାଣେ ସେ ମାରିବ ମହାତମା ।୧୨୭।

ଭୟେଣ ମୁନିବର ନିଜ ଆଶ୍ରମକୁ ଗଲେ

ଅନ୍ତର୍ଯ୍ୟାମୀ ନାଥ ତାହା ଅନ୍ତରେ ଜାଣିଲେ ।୧୨୮।

ଛାମୁରେ ଆସି ପ୍ରବେଶ ହୋଇଲେ ନାରାୟଣ

ୟେତେ କଷଣ ଦିଲେ ଶକୁନି କୁରୁରାଣ ।୧୨୯।

ଶୁଣିଣ ହରଷ ଯେ ହେଲେ ଧର୍ମସୁତ

ୟେ କଷଣୁଂ ମୋତେ ଉଦ୍ଧରିଲୁ ଜଗନ୍ନାଥ ।୧୩୦।

ଦୃଭାସା କୋପକୁ ମୁହିଂ ହୁଅନ୍ତି କି ଭାଜନ

ତବ ପ୍ରସାଦେ କାରଣ ପାଇଲି ଜନାର୍ଦ୍ଦନ ।୧୩୧।

ମେରୁ ଆଶ୍ରେ ଯେହ୍ନେ ଅଛଇ ବସୁନ୍ଧରୀ

ମହତ ଆଶ୍ରେ ଥିଲେ ନିଚୟେ କଷ୍ଟୁଂଫେରି ।୧୩୨।

ହର ଆଶ୍ରିତେ ଚନ୍ଦ୍ର ଅଛଇ ଯେସନେ

ତବ ଆଶ୍ରିତେ ପାଣ୍ଡବେ ଅଛନ୍ତି ସର୍ବଦିନେ ।୧୩୩।

ଶୁଣିଣ ପରମ ସାନନ୍ଦ ହୋଇଲେ ନାରାୟଣ

ବଇନେତ୍ର ବାହାନେ ବିଜୟେ ଦ୍ୱାରିକା ଭୁବନ ।୧୩୪।

ପାଣ୍ଡବ ପାଞ୍ଚଜଣ ଦ୍ରୋପତୀ ସହିତେ

ନିଚିନ୍ତେ ରହିଲେ ମନେ ଚିନ୍ତି ଜଗନ୍ନାଥେ ।୧୩୫।

ଜୟ ଜୟ ଜଗନ୍ନାଥ ଜଗତ ହିତକାରୀ

ଜୟ ଜୟ ଜଗନ୍ନାଥ ଶରଣ ଜନ ଉଦ୍ଧାରୀ ।୧୩୬।

ଜୟ ଜୟ ଜଗନ୍ନାଥ ଭଗତ ଭାବଗ୍ରାହୀ

ଜୟ ଜୟ ଜଗନ୍ନାଥ କ୍ଷୀରୋଦ୍ର ଅନନ୍ତଶାହୀ ।୧୩୭।

ଜୟ ଜୟ ଜଗନ୍ନାଥ ଭକ୍ତଜନ ଉଦ୍ଧାରଣ

ଜୟ ଜୟ ଜଗନ୍ନାଥ ଦୁଷ୍ଟ ନିବାରଣ ।୧୩୮।

ଜୟ ଜୟ ଜଗନ୍ନାଥ ରାକ୍ଷସ କୁଳ ଗଞ୍ଜା

ଜୟ ଜୟ ଜଗନ୍ନାଥ ପିତାମହ ଦର୍ପଗଞ୍ଜା ।୧୩୯।

ଦୁଖୀଜନ ସୋଦର ନାଥ ନାମ ଜଗନ୍ନାଥ

ତବ ପାଦେ ଲୁଳୁ ଶୂଦ୍ରମୁନି ସାରୋଳା ମାଥ ।୧୪୦-୧୧୩୨୩।

 

ନକୁଳର ସତ୍ୟନିଷ୍ଠା ଦର୍ଶନେ ରେବା ଦୈତ୍ୟର ପୁରସ୍କାର ଏବଂ
ବତ୍ସାହରଣ ଦୋଷେ ବ୍ରହ୍ମାଙ୍କ ଅପୂଜ୍ୟ ଅଭିଷାପ

ତୁଳମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ

ମୂଳା ନକ୍ଷତ୍ର ଅଟଇ ପୁଣି ସେ ଦିନରେ ।୧।

ଧୃତି ନାମେ ଯୋଗ ବିଷ୍ଟି ନାମରେ କରଣ

ମେଷରାଶିକୁ ନବମ ଘରେ ଅଛି ପୁଣ ।୨।

ଯୁଝେଷ୍ଠି ଦେବ ପଚାରିଲେ ଶୁଣ ହୋ ସହଦେବ

ଆବର ବନବାସ ଆମ୍ଭର କେତେ ଦିବସ ହୋଇବ ।୩।

କର ଯୁଗଳକଇଂ ଚାହିଂ ସହଦେବ କହଇ ସରୂପ

ସ୍ୱାମୀ ଦ୍ୱାଦଶ ବରଷକୁ କହିବି ଛାଡ଼ିଣ କରି ଗୋପ୍ୟ ।୪।

ସ୍ମାରଣ କରାୟେ ଆଦ୍ୟଦିନ ବନବାସ

କନ୍ୟାମାସ କୃଷ୍ଣପକ୍ଷ ଭୃଗୁବାର ଦିବସ ।୫।

ତନୁ ମନୁ ଅଗ୍ନି ଯେ ପ୍ରମାଥି ଜଳଦ

ଉଦାସୀନ ଧୃବ ହରି ଶରଣ ସାନୁମାନ ଆଦ୍ୟ ।୬।

ଦଶ ବରଷକୁ ସମ୍ପୂର୍ଣ୍ଣ ହୋଇଲାନି ୟେମନ୍ତେ

ଆବର ବେନି ବରଷ ହୋଇବ ଲେଖନ୍ତେ ।୭।

ବରଷକେ ଦଶଦିନ ହୁଅଇ ବର୍ଦ୍ଧୁତ

ଦଶ ବରଷକୁ ୟେହିମତେ ହୁୟେ ଦିବସେ ଶତ ।୮।

ତିନିମାସ ଦଶଦିନ ହେବ ବିଧିମତେ

ୟେଥିରେ ସନ୍ଦେହ ମାତ୍ର ନାହିଂ ଯେ କିଞ୍ଚିତେ ।୯।

କୂଟ କପଟ ମନ୍ତ୍ରୀ ଅଟଇ ଶକୁନି

ଧର୍ମ ନ ଶୁଣଇ ଛିଦ୍ରକଥା ସେହୁ ଘେନି ।୧୦।

କାଳେ ନ ବଞ୍ଚିବଟି ତୁମ୍ଭେ ତାହାର ବଚନ

ଦ୍ୱାଦଶ ବରଷକୁ ହୋଇବଟି ବଢ଼ା ବିଶଶତେ ଦିନ ।୧୧।

ଯୁଝେଷ୍ଠି ଦେବ ବୋଇଲେ ତୁ ମୋର ପଣ୍ଡିତ ସାନଭାଇ

ଯୁଗତ ବୋଲକୁ ଆମ୍ଭେ ବଞ୍ଚିବୁଂ ଆର କାହିଂ ।୧୨।

ବାବୁ କପଟ କୂଟ ହୋଇଲେ ତାହା ନିବାରଇ ଦଇବ

ଆପାଦ କର୍ମ ବାବୁରେ ଆଉ କେତେକାଳ ଥିବ ।୧୩।

ହୋଉ କିନା ବିଳମ୍ୱ ପଛେ ଯେମନ୍ତ ତାହା ଶୁଝଇ

ମୋହୋର ବିଚାରେ ବନବାସ ଭଲଇଂ ବୁଝାଇ ।୧୪।

ରାଜ୍ୟଭାର ବାବୁରେ ଅଟଇ ବଡ଼ାଇ ଜଞ୍ଜାଳ

ଧର୍ମ ନ ଗୋଡ଼ାଇ ଯେ ପାତକ ଚିରକାଳ ।୧୫।

ରାଗ ମୋହ ଦ୍ୱନ୍ଦ ଯେ ବହୁତର ଚିନ୍ତା

ହତ୍ୟା ବିବାଦୀ ଦଣ୍ଡ ନ ଯାଇ ଗଣିତା ।୧୬।

ସହଦେବ ବୋଇଲେ ସ୍ୱାମୀ ଅଟଇ ଯୁଗତ

ସୋଦର ହୋଇ ବିଚାର ନ କଲା ୟେମନ୍ତ ।୧୭।

ଶକୁନି ବିଚାରେ ପଶିଲାଟି ମାନ ଯେ ଗୋବିନ୍ଦ

ନ ଜାଣଇ ଚରିତ ଯତନେ କରଇ ଦ୍ୱନ୍ଦ ।୧୮।

ୟେ ମୂଢ଼ରାଜା ଅଟଇ ଧୃତରାଷ୍ଟ୍ରି

କାଳେ ଫଳିବ ନାହିଂ କି ଦେବ ୟେଥିର ଅରିଷ୍ଟି ।୧୯।

ତହୁଂଣ ବିଜେକରି ଗଲେ ପାଣ୍ଡବ ପଞ୍ଚୁବୀରେ

ଋଷିଗଣନ୍ତ ସର୍ବ ଘେନିଣ ସଙ୍ଗତରେ ।୨୦।

ବିହଡ଼ନ୍ତି ପଣ୍ଡୁର ନନ୍ଦନ କୁତୂହଳେ

ବିଜୟେ ଧର୍ମନନ୍ଦନ ରେବାନଦୀ କୂଳେ ।୨୧।

ରେବାସୁର ବୋଲିକରି ୟେକଇ ଦାନବ

ଦେବଋଷି ରାଜଋଷିରେ ବଡ଼ାଇ ଅଭାବ ।୨୨।

ଋଷିମାନନ୍ତ ପାଇଲେ ମାରି କରଇ ଭୋଜ

କଳପି ମାସଂ ଖାଇ ବ୍ରତଇ ଅଇଶୂର୍ଯ୍ୟ ।୨୩।

ତାହାର ଭୟେ କେହି ତହିଂକି ନୁଆରନ୍ତି ଗମି

ନିତି ଦିବସେ ସେ ଶତେ ଯୋଜନ ଯାୟେ ବିକ୍ରମି ।୨୪।

ଗୋପାଳକ ନାମେ ସତ୍ୟଯୁଗେ ବଇବ ନାମେ ହର

ସର୍ବପାପ ମୋଚନ କଲେ ସେ ରେବାତୀର୍ଥର ।୨୫।

ତ୍ରିପୁର ଅଂଶେଣ ଯେ ଅମ୍ୱା ନାମେ ଦଇତ

ୟେହାକଇଂ ବଧକଲା ଅଞ୍ଜନାର ସୁତ ।୨୬।

ଅମ୍ୱାର ନନ୍ଦନ ଯେ ପ୍ରଳମ୍ୱାସୁର ବୀର

ପ୍ରଳମ୍ୱାର ନନ୍ଦନ କାଳନଉମୀ ଅସୁର ।୨୭।

କାଳନଉମୀର ପୁତ୍ର ଶମ୍ଭୁନାମେ ଦଇତ୍ୟ

କେଶୀ ବୋଲିକରିଣ ୟେହାର ନିଜ ପୁତ୍ର ।୨୮।

କେଶୀର ପୁତ୍ର ଅଟଇ ଧୂମ୍ର ଯେ ଲୋଚନ

ୟେହାର ପୁତ୍ର ହୋଇଲା କାଳବିମୋଚନ ।୨୯।

କାଳବିମୋଚନର ପୁତ୍ର ବୀର ଭକ୍ଷଶ୍ରବା

ୟେହାର ପୁତ୍ର ନାମ ହୋଇଲା ବୀର ରେବା ।୩୦।

ସର୍ବଦା ଆବୋରି ଥାଇ ସେ ରେବା ନାମ ତୀର୍ଥେ

ଦେବତା ଋଷି ମାନବେ ପଶି ନୁଆରନ୍ତି ୟେଥେ ।୩୧।

ସେ ବନେ ପ୍ରବେଶ ଯାଇଂ ପଣ୍ଡୁର ନନ୍ଦନେ

ବିହଡ଼ନ୍ତି ପାଣ୍ଡବେ ଯେ ନବପଲ୍ଲଭ ବନେ ।୩୨।

ଆମ୍ୱ ପଣସ କଦଳୀ ଯେ ନଟୀକାଳ ଫଳ

ପାଚିଣ ପଂକୁଫଳ ପଡ଼ୁଛନ୍ତି ତଳ ।୩୩।

ଯାହା ଇଚ୍ଛାକରି ତାହା ତହିଂ ପାଇ

ରେବାସୁର ଭୟେ ତହିଂ ପଶନ୍ତା ନାହିଂ କେହି ।୩୪।

ବହଇ ସେ ରେବାନଦୀ ଉତ୍ତର ବାହନୀ

ଈଶାନ କୋଣେ ଅଛଇ ବଟ ଯେ ଭବାନୀ ।୩୫।

ସେ ବଟର ତଳେ ବସିଅଛନ୍ତି ପଞ୍ଚୁବୀରେ

ସେ ମଧୁବନ ତୋଟା ଦେଖି ପଚାରଇ ବ୍ରିକୋଦରେ ।୩୬।

ସ୍ୱାମୀ ଅଠାଇଣମାସ ଯେ ଅଛଇ ବନବାସ

ୟେହି ସ୍ତାନୁଂ ସ୍ୱାମୀ ଆମ୍ଭେ ନ ଯିବା ଆନ ଦେଶ ।୩୭।

ଯୁଝେଷ୍ଠିଦେବ ବୋଇଲେ ହୋ ପିତୁକାର୍ଯ୍ୟ ଅର୍ଥୀ

ଗଣ୍ଡା ଗୋଟିୟେ ବାବୁ ଲୋଡ଼ ରେ ବନସ୍ତର ଭକତି ।୩୮।

ପଛିମେ ବ୍ରିକୋଦର ଉତ୍ତର ଫାଲଗୁନି

ପୂର୍ବେ ସହଦେବ ଦକ୍ଷିଣେ କୁମାର ଅଶ୍ୱିନୀ ।୩୯।

ଗଣ୍ଡାଜୀବ ନିମନ୍ତେ କିରାତ ରୂପ ଧରି

ଧାମଣା କାଠରେ ଧନୁ କଣ୍ଟା ବାୟେଂଶର ଗୁଣକରି ।୪୦।

ମଥାରେ ମଜୂର ଝାଲି କଣ୍ଠେଣ ଗୁଞ୍ଜମାଳି

କଟିରେଣ ବାଳପୁଞ୍ଜି ଗୋପୀଚନ୍ଦନ ଅଙ୍ଗେ ସାମଳି ।୪୧।

ଗନ୍ଧନୀ ଟୋପର ବନ୍ଧାନୀ କୁଂକୁମର ରେଖା

ଫିରିକି ନାରାଜ କୋଠାର ଶିଖୀପୁଚ୍ଛ ଶିଖା ।୪୨।

ୟେସନେକ ସରୂପେ କିରାତ ରୂପ ଧରି

ପାଣିଘାଟ ଜଗନ୍ତି ଖେଦନ୍ତି ବନ ହେରି ।୪୩।

ୟେମନ୍ତର ସମୟେ ସେ ରେବାସୁର ରାକ୍ଷସେ

ନଦୀକୂଳେ ବସିଅଛି ମନର ହରଷେ ।୪୪।

ଦକ୍ଷିଣ ଅରଣ୍ୟେ ଯେ ବିହଡ଼ଇ ନକୁଳ

ରେବାସୁରକୁ ଭେଟିଲା ସେ ନଦୀର କୂଳ ।୪୫।

କୁରୁଳି ରାବ କରିଣ ଆସଇ ନକୁଳ ଚଳି

ବିଚାରଇ ଦୁରାନ୍ତକ ମୋତେ ମିଳିଲା ନରବଳି ।୪୬।

ଅନେକ କାଳରୁ ମୁହିଂ ବିହଡ଼ଇ ୟେ ବନସ୍ତେ

ସୁଭୋଜନ ପ୍ରାପତ ହୋଇଲାକ ଆଶି ମୋତେ ।୪୭।

ଅନେକ ଅଳଂକାର ଆଭରଣ ଅଛଇ ତାର କାୟେ

ନକୁଳକଇଂ ଭେଟିଲା ଅସୁରକୁଳ ରାୟେ ।୪୮।

ନକୁଳକଇଂ ବୋଇଲା ହୋ ବୋବିଦିଅ କିସ ଅର୍ଥେ

ନକୁଳ ବୋଇଲା ମୁହିଂ ଗଣ୍ଡାଜୀବ ଲୋଡ଼ଇ ମୋହୋର
ପିତୃକାର୍ଯ୍ୟ ଅର୍ଥେ ।୪୯।

ସେ ଦାନବ ବୋଇଲା ୟେ ବନେ ଗଣ୍ଡା ନାହିଂ

ତୁ ମୋର ରକ୍ଷପାନ ଗଣ୍ଡା ପାଇବୁ ଆର କାହିଂ ।୫୦।

ମୁହିଂ ରେବାସୁର ଧୂମ୍ରଲୋଚନର ପଣନାତି

ମୋହୋର ଭୟେ ଦେବତା ଋଷିୟେ ପଶି ନୁଆରନ୍ତି ୟେଥି ।୫୧

ନକୁଳ ବୋଇଲା ମୋର ପିତୃକାର୍ଯ୍ୟ କାଲି

ଗଣ୍ଡାଜୀବ ନେମାକୁ ମୁଂ ୟେଥକୁ ଅଇଲି ।୫୨।

ଗଣ୍ଡା ଗୋଟିୟେ ନେଇ ମୋର ସ୍ୱାମୀ ଆଗରେଣ ଦେଇ

ପରଦିନ ଆସିବି ମୁଂ ସତ୍ୟ କହିଲଇଂ ।୫୩।

ତୁ ହୋ ରେବାସୁର ୟେହି ଠାବରେ ଥାଅ ବସି

ପରଦିନ ବେଳ ପ୍ରହରେକେ ମୁଂ ମିଳିବି ୟେଥେଂ ଆସି ।୫୪।

ନରମାନୁଷ ରେ ତୁମ୍ଭେ ମୋହୋର ନିଜ ଭକ୍ଷ

ସମ୍ପୂର୍ଣ୍ଣ ଆଧାର ମୋତେ ମିଳିଲା ପ୍ରତକ୍ଷ ।୫୫।

ପରଦିନ ବେଳ ପ୍ରହର ଯାୟେ ବାଟ ଚାହିଂଥିବି ତୁକୁ

ଆଜହୁଂ ଆହାର ତୁ ହୋଇଲୁ ଜାଣ ମୁକୁ ।୫୬।

ଆସ ଆସ ତୋତେ ଦେଖାଇବା ଗଣ୍ଡାଚର ଭୂମି

ଯାନ୍ତେଣ ଦେଖିଲା ଆସୁଛନ୍ତି ଭ୍ରମି ।୫୭।

ଆଗେଣ କୁମାର ନେଇ ଜାଲଫାଶ ଛନ୍ଦି

ବେନିଗୋଟି ଗଣ୍ଡା ଯେ ଫାଶ କରି ବାନ୍ଧି ।୫୮।

ଚଳଇ କୁମାର ଯେ ଗଣ୍ଡାଭାର ଘେନିକରି

ଯୁଝେଷ୍ଠିଂକ ଛାମୁରେ ପ୍ରଳମ୍ୱ ବେନିକରି ଯୋଡ଼ି ।୫୯।

ଅର୍ଜୁନ ଆଣିଲା ଯେ ଚାରିଗୋଟି ଗଣ୍ଡା

ବେନିଗୋଟି ଗଣ୍ଡା ଆଣିଲା ଭୀମ ପରଚଣ୍ଡା ।୬୦।

ଭାରେକ ଘେନିଣ ସେ ଯେ ଅଇଲା ସହଦେବ

ନିଖର୍ବ ବନସ୍ତେ ଥିଲେ ବହୁତ ଜୀବ ।୬୧।

ତୁଳମାସ ପଞ୍ଚମୀ ଯେ ପୁଣି ଗୁରୁବାର

ପିତୃକାର୍ଯ୍ୟ ସାରିଲେ ସେ ଦେବ ଯୁଝେଷ୍ଠିର ।୬୨।

ଋଷିମାନଂକୁ ନିମନ୍ତ୍ରଣ ଦିଲେ ଗଣ୍ଡାମାଂସ ଭୋଜି

କାମ୍ୟଶ୍ରାଦ୍ଧ ଅର୍ଥେ ଋଷିମାନେ ଭୁଞ୍ଜ ଶାନ୍ତି ଭଜି ।୬୩।

ବହୁତ କଲ୍ୟାଣ ସେ କଲେ ସର୍ବ ତପୋନିଷ୍ଠି

ଆୟିଷ୍ୟ ଆରୋଗ୍ୟ ହୋଉ ତୋହୋର ଖଣ୍ଡଣ ହୋଉ ଅରିଷ୍ଟି ।୬୪।

ଆମ୍ଭର ଆଷ୍ୟ ଘେନିକରି ତୁମ୍ଭେ ହାଦେ ବ୍ରତ

ପଞ୍ଚୁ କଟକରେ ତୁମ୍ଭେ ହୋଅସି ନରନାଥ ।୬୫।

ୟେକାଙ୍ଗେ ରାଜ୍ୟ ଭୋଗକର ତୁ ଧର୍ମସୁତ

ଆମ୍ଭର କଲ୍ୟାଣେ ତୋର ଆପାଦ ହୋଉ ହତ ।୬୬।

ଶତ୍ରୁ ନିପାତନ ରାଜା ହୋଉ ଯେ ତୋହୋରି

ପଞ୍ଚୁ କଟକରେ ତୁମ୍ଭେ ହୋଅସି ଦଣ୍ଡଧାରୀ ।୬୭।

ମୁନିମାନେ ପାଣ୍ଡବନ୍ତ କଲେ ଯେ କଲ୍ୟାଣ

ନକୁଳ କହିଲା ଯେ ଯୁଝେଷ୍ଠି ଦେବଂକ ଆଗେଣ ।୬୮।

ଭୀମ ଅର୍ଜୁନ ସହଦେବ ଦ୍ରୋପତୀ ସର୍ବଋଷି

ଧଉମ୍ୟ ପୁରୋହିତ ମାରକଣ୍ଡେ ଛନ୍ତି ବସି ।୬୯।

ନକୁଳ ବୋଇଲା ସ୍ୱାମୀ ମୁଂ ବନେ ବିହଡ଼ନ୍ତେ

ରେବାସୁର ଦାନବ ଯେ ଭେଟିଲାକ ମୋତେ ।୭୦।

ବୋଇଲା ମୋର ଜନ୍ତୁମାନ ମୋହୋର ହାଦେ ଭକ୍ଷ

ଯତନେ ଯାହା ଲୋଡ଼ଇ ତାହା ମିଳିଲା ପ୍ରତକ୍ଷ ।୭୧।

ମୁହିଂ ବୋଇଲି ବାବୁ ନାଶ ତୁ ନ କର ମୋତେ

ପିତୃକାର୍ଯ୍ୟ ସାରି ମୁଂ ଭୋଜନ ହୋଇବି ତୋତେ ।୭୨।

ସ୍ୱାମୀ ବଡ଼ାଇ ଧାର୍ମିକ ସେ ଅଟଇ ବଳିଷ୍ଠ

ମୋହୋର ଯିବା ଯାୟେଂ ସେ ଚାହୁଂଥିବ ବାଟ ।୭୩।

ସ୍ୱାମୀ ମୁହିଂ ୟେବେ ଯିବଇଂ ସେ ରାକ୍ଷସ ତହିଂକି

ମୋତେ ସେ ଭୋଜନ ଦେବ କରିବ ନାହିଂକି ।୭୪।

ସ୍ୱାମୀ ଯୁଗତେ ଦାନବ ସେ ଅଟଇ ନିଶାଚର

ପିତୃକାର୍ଯ୍ୟ ବୋଲନ୍ତେଣ ସେ ଛାଡ଼ିଲା ଅସୁର ।୭୫।

ସତ୍ୟକୁ ପାଳନ କଲା ଦାନବ ମାତ୍ରେକ ହୋଇ

ମୁହିଂ କିମ୍ପେ ସତ୍ୟଭଗ୍ନ ହୋଇବି ଗୋସାଇଂ ।୭୬।

ମୁହିଂ ଅବା କେମନ୍ତ ନ ଯିବି ତାର ତହିଂ

ସ୍ୱାମୀ ବିଶ୍ୱାସଘାତକ ଲୋକକୁ କାହିଂ ଠାବ ନାହିଂ ।୭୭।

ସ୍ୱାମୀ ବାଚା ବିଚଳିତଟି ଯେବଣ ପୁରୁଷା

ଅସାର୍ଥୁକ ଅଟଇ ଯେ ତାହାର ମନୀଷା ।୭୮।

ଯୁଝେଷ୍ଠିଦେବ ତହୁଂ ବଚନ ପରକାଶି

ଅସୁରେ ତୋହୋର କିମ୍ପେ ୟେତେକ ବିଶ୍ୱାସୀ ।୭୯।

ନୋହୋଇ ନୋହୋଇ ନକୁଳ ରେ ନୋହୋଇ ୟେ କଥା

ବାବୁ ଉପାୟେ କରି କ୍ଷତ୍ରୀଂକର ଜୀଇଂବା ସର୍ବଥା ।୮୦।

ତୁ ମୋହୋର ସୋହୋଦ୍ର ରେ ବାଳୁତ ସୁବୁଦ୍ଧି

ତରି ଅଇଲୁରେ ବାବୁ କାର୍ଯ୍ୟକଲୁ ସିଦ୍ଧି ।୮୧।

ବାବୁ ନାନା ଧର୍ମ ଅରଜି ୟେ ଶରୀର ନିମନ୍ତେ

ଶରୀର ନାଶ ଗଲେ ଧର୍ମ କିସ ଅର୍ଥେ ।୮୨।

ନକୁଳ କହଇ ବ୍ୟାସେ କହିଲେ ଶାହାସ୍ର ଯୋଗେ

ସ୍ୱାମୀ ଗଉତମଂକ ଶିଷ୍ୟ ଅଟନ୍ତି ଉତ୍ତଙ୍ଗେ ।୮୩।

ଶୁଖିଲା କାଠଭାର ଆଣନ୍ତେ ଭେଟିଲା ସଉଦାସ

ସେ ବୋଇଲା ବ୍ରହ୍ମାଣ୍ଡ ତୁ ହୁଅସି ମୋର ଗ୍ରାସ ।୮୪।

ଉତ୍ତଙ୍ଗ ବୋଇଲା ମୁଂ କାଠଭାର ଥୋଇ

ୟେହକ୍ଷଣି ଆସିବଇଂ ଗୁରୁଂକୁ ମୋର କହି ।୮୫।

ଗୁରୁଂକୁ କହି ସେ ଉତ୍ତଙ୍ଗ ପୁଣି ବାହୁଡ଼ି ଅଇଲା

ସେ ସଉଦାସ ରାଜା ତାକୁ ପ୍ରସନ୍ନ ହୋଇଲା ।୮୬।

ଯୁଝେଷ୍ଠି ବୋଇଲେ ସେ କାଳର ଅନୁସାରେ

ସତ୍ୟଯୁଗେ ଯାହା ବୋଲି ସେ ହୋଅଇ ସରୂପେ ।୮୭।

ନକୁଳ ବୋଇଲା ସ୍ୱାମୀ ମୁଂ ତାହା ତୁଲେ ସତ୍ୟକଲି

ଆଶା ଦେଖାଇଣ ମୁଂ ଯେ ଭଣ୍ଡିଣ ଅଇଲି ।୮୮।

ଯୁଝେଷ୍ଠି ଦେବେ ବୋଇଲେ ପୋଡ଼ୁ ପୋଡ଼ୁ ତାର ଆଶା

ଅଗ୍ୟାନ ପାପ ବୁଦ୍ଧିକି କରୁ ତୁ ଭରସା ।୮୯।

ନକୁଳ ବୋଇଲାକ ଛାମୁରେ ପରିଣାମି

ଆଗ୍ୟାଂ ଦେବା ମୋତେ ମୁଂ ଅବଶ୍ୟ ଯିବଇଂ ଦେବ ସ୍ୱାମୀ ।୯୦।

ଅର୍ଜୁନ ବୋଇଲୋ ସ୍ୱାମୀ ନ ବାର ୟେହାକୁ

ଧର୍ମଥିଲେ ପାର ହୋଇବ ପଶିଲେ ପରମାଦକୁ ।୯୧।

ପରମ କଲ୍ୟାଣ ହୋଉ ବୋଇଲେ ଯୁଝେଷ୍ଠି

ଅସୁର ନାଶି ପାର ହୋଇଆସ ମୋହୋର ଭାଇଗୋଟି ।୯୨।

ବାବୁ ମୃତୁକାଳେ ମାଦ୍ରୀଦେବୀ ସମର୍ପି ଗଲେ ମୋତେ

ମୁଂ ୟେବେ ଦେଖୁ ଦଏଖୁ ମୂର୍ଚ୍ଛିବି କେମନ୍ତେ ।୯୩।

ତୋତେ ମୂର୍ଚ୍ଛି ନୁଆରଇ ଯୁଝେଷ୍ଠି ଦେବ ବୋଇଲେ

ଆରେ ଭୀମସେନ ତୁ ଯାଅ ନକୁଳର ତୁଲେ ।୯୪।

ଧର୍ମନନ୍ଦନର ଆଗ୍ୟାଂ ଶିରରେ ନିବେଶି

ନକୁଳକଇଂ ଘେନି ବୀର ବ୍ରିକୋଦର ଆସି ।୯୫।

ରେବାନଦୀ କୂଳେ ପଞ୍ଚସ୍ତରୀ ଜୁଣ

ଭେଟିଲେ ରେବାସୁରକଇଂ ଘୋର ଯେ କାନନ ।୯୬।

ଭୀମସେନ ଗୋପ୍ୟ ହୋଇଲା ଅନୁସର ପରବତେ

ବୋଇଲା ଯାଅ ଯାଅ ନକୁଳରେ କିସ କରଇ ଦାନବ ତୋତେ ।୯୭।

ତୋତେ ଲଂଘିତେ ଲୋଡ଼ିଲେ ଗାଢ଼େ ଦେବୁ ବୋବି

ଧାତିକାରେ ଯାଇଂଣ ମୁଂ ଅସୁର ମାରିବି ।୯୮।

ନକୁଳ ବୋଇଲେ ସ୍ୱାମୀ ଯେସନେ ତୋହୋର ଇଚ୍ଛା

ମୁହିଂତ ଅସୁରର ପୂରୋଇବି ମନୋବାଞ୍ଛା ।୯୯।

ରେବା ଅସୁର ସାନ୍ନିଧ୍ୟେ ପ୍ରବେଶ ମଦନାବତୀର ବଳା

ମହା ସାନନ୍ଦେ ସେ ତେଜ ଅନର୍ଗଳା ।୧୦୦।

ନକୁଳ ବୋଇଲା ବାବୁ ପାଇଲୁଂ ବଡ଼ କ୍ଷୁଧା

ମାୟା ମୋହ ବଞ୍ଚିବାକୁ ମୁହାଂସ ବଡ଼ କ୍ଷୁଧା ।୧୦୧।

କର ଯା ସ୍ରାହାନ ହୋ ଭକ୍ଷକର ମୋର ମାଂସ

ଦେଖି ତାକୁ ରେବାସୁର ହୋଇଲା ଦ୍ରହାସ ।୧୦୨।

ଦନ୍ତ ଧାପନ ସାରି କଲା ନିତ୍ୟକର୍ମ

ବଡ଼ାଇ ସଂକଟ ତ ପଡ଼ିଲା ଭୋ ଧର୍ମ ।୧୦୩।

ଗଲାର ମନିଷ୍ୟ ତ ଅଇଲା ବାହୁଡ଼ି

କିସ ଅରଜିବି ମୁଂ ୟେହାକଇଂ ନାଶକରି ।୧୦୪।

ଅସୁର ବୋଇଲା ଆହୋ ମହାତମା ଉପାୟେ କରିଗଲୁ

ଦେଖୁଂ ଦେଖ ମରଣ ଭୂମିକୁ କିମ୍ପେ ତୁ ଅଇଲୁ ।୧୦୫।

ନକୁଳ ବୋଇଲା ମୁଂ ତୋତେ ଦେଖାଇ ଗଲି ଆଶା

ମୁହିଂ ଅବା କେବଣ ବାଗେ କରିବି ନିରାଶା ।୧୦୬।

ନକୁଳକୁ କୋଳକରି ଦାନବ ମୁଖେ ଦିଲା ଚୁମ୍ୱ

ବାଳୁତ ବୟସେ ତୋର ୟେତେବଡ଼ ଦମ୍ଭ ।୧୦୭।

ଆସ ଆସ ମହାତମା ମୁଂ ହୋଇଲି ତ୍ରିପୁତି

ଅମୂଲ୍ୟ ରତ୍ନମାନ ତାହାକଇଂ ଦିଲାକ ଦତ୍ୟପତି ।୧୦୮।

ମଣି ମୁକୁଟ ରତ୍ନ ସୀମନ୍ତିନୀ କର୍ଣ୍ଣାଞ୍ଚଳ

ହୃଦଭୂଷଣ ପଦକ ବାହୁଟି କଂକଣ ନିଆଳ ।୧୦୯।

ତାଡ଼ ଗୁମ୍ଫା ସରଳ କଚଟି ବିଦମୁଦି

ମୁକୁତଧାଲି ମାଥେ ପାଦେ ନୂପୁରୁ ସିଦ୍ଧି ।୧୧୦।

ୟେସନେକ ସମ୍ପଦ କରି ଅସୁରେଶ୍ୱର ସ୍ୱାମୀ

ନକୁଳ ପାଦେ ସେ ହୋଇଲା ପରିଣାମି ।୧୧୧।

ତୁ ମୋର ବାନ୍ଧବ ରେ ପ୍ରାଣରୁ ଅଭିନ୍ନ

ସତ୍ୟ ସତ୍ୟ ବାକ୍ୟ ମୋହୋର ତୋ ତହୁଂ ନାହିଂ ଆନ ।୧୧୨।

ପୁଣ ପୁଣ ସମୟେକ ତୁ ବାବୁ ହୋ ଆସିବୁଟି ୟେଥ

ଧର୍ମହିଂ ସାକ୍ଷ ଆଜହୁଂ ତୁମ୍ଭନ୍ତ ହୋଇଲି ମଇତ୍ର ।୧୧୩।

କାର୍ଯ୍ୟକାଳେ ମଇତ୍ର ତୁ ଆସିବୁ ମୋର ତହିଂକି

ଅନେଇ ଧର୍ମ ଭଣ୍ଡାର ଦେବ ମୋର ସତ୍ୟବାକି ।୧୧୪।

ଦାରାକ୍ଷ ଫଳ ଭୁଞ୍ଜାଇ ବହୁତ ଗଉରବେ

ଥୋକାୟେ ଦୂରେ ନେଇ ଛାଡ଼ିଲା ପ୍ରିୟଭାବେ ।୧୧୫।

ବାହୁଡ଼ାଇ ରେବାସୁରେ ଆପଣା ଭୁବନେ

ନକୁଳ ମିଳିଲା ଯାଇଂ ଭୀମସେନର ସନ୍ନିଧ୍ୟାନେ ।୧୧୬।

ଚଳଇ ଭୀମସେନ ନକୁଳକଇଂ ଘେନି

ଦେଖିଣ ଆଶ୍ରିଜ ଯେ ହୋଇଲେ ସର୍ବମୁନି ।୧୧୭।

ଉଠିଣ ଧନୁର୍ଜୟେ କଲାକ କୋଳାଗ୍ରତ

ସତ ଥିଲେ ଧର୍ମ ହାଦେ ହୋଅଇ ଉଦିତ ।୧୧୮।

ଯାବତ ଚରିତ ନକୁଳ କହଇ ଯୁଝେଷ୍ଠିଂକି

ଅନେକ ସାନନ୍ଦ ହୋଇଲେ ଭ୍ରଥକଇଂ ଦେଖି ।୧୧୯।

ରେବା ତୀର୍ଥଗୋଟି ଜିଣି ଚଳିଲେ ପଞ୍ଚୁବୀରେ

ଅଠାଶି ସହସ୍ର ଋଷି ଅଛନ୍ତି ସଙ୍ଗତରେ ।୧୨୦।

ଭ୍ରମଣ କରୁଛନ୍ତି ଗହନ ବନସ୍ତରେ

ଜଗନ୍ନାଥ ସୁମରନ୍ତି ଯୁଝେଷ୍ଠଇ ଠାକୁରେ ।୧୨୧।

ଜୟତୁ ନାରାୟଣ ଭଗବାନ ମୂରତି

ଅଷ୍ଟଗୁଣ ଲୋକେ ତୁ ବଳାଇଲୁ ପୀରତି ।୧୨୨।

ଅପରଚେ ପରଚେ ବାନ୍ଧବନାଥ ତୁହି ସେ କରତା

ସର୍ବ ଶୟନ ନାଥ ତୁ ଜଗୁଜନ ଚିନ୍ତା ।୧୨୩।

ସର୍ବବର୍ଣ୍ଣ ୟେକତ୍ୱ କରି ଶରୀର ସମ୍ଭାଳି

ତେଣୁ ସେ ନାମ ତୋହୋର ବହିଲୁ ବନମାଳୀ ।୧୨୪।

ଧର୍ମ ବାସନା ନାଥ ଦୁରାନ୍ତକ ଦୋଷହର

ନାଶକର ଦଣ୍ଡେ ମୋତେ କେଳଶ ନ କର ।୧୨୫।

ବହୁତ ବିକୃତମୟେ ସଂସାର ଜନ ଛନ୍ଦ

ମାୟାମୋହେ ପଡ଼ିଣ ମୁଂ ହୋଇଲଂଇ ଅନ୍ଧ ।୧୨୬।

ନିରାକାର ପୁରୁଷ ସେ ନିରିଦ୍ୱନ୍ଦବାସୀ

ୟେ ମାୟା ମୋହ ସଂସାରୁ ମୋତେ କରିବା ଉଦାସୀ ।୧୨୭।

ତୁଳୁସାର ବଲ୍ଲଭ ଚରଣ ମୋର ହୃଦେ

ଶୂଦ୍ରମୁନି ସାରୋଳା ଦାସ ଶ୍ରୀନାରାୟଣ ପଦ୍ମପାଦେ ।୧୨୮।

ଜୟତୁ ଦଧିବାବନ ଶଙ୍ଖ ଶରଦ ପଦ୍ମମୁଖ

କାମିନୀ କାମନା ପୂର୍ଣ୍ଣ ମୁନି ମାନ ରଖ ।୧୨୯।

ଶଙ୍ଖ ଚକ୍ର ଗଦା ଶାରଙ୍ଗ ଧନୁ ଦଣ୍ଡପାଣି

ଶିରେ କିରୀଟୀ ମୁକୁଟ ଦେବଦତ୍ତ ଶଙ୍ଖବାଣୀ ।୧୩୦।

ଶିରରେ ଅହିବର ସପତ କୁଣ୍ଡଳୀ

ଇକ୍ଷୁ ରୟଣ ନୟନ ଭାବଇ ଧବଳୀ ।୧୩୧।

ଗହନ କନ୍ଦରବାସୀ ମାଳତୀ ବିହରି

ମାଳତୀର ବଲ୍ଲଭ ୟେ ମାୟାରୂପ ଧରି ।୧୩୨।

ଶିରରେ ଶୋଭିତ ଯେ ତାଳୁକା ଚୂଳଗୋଟି

ବିହଡ଼ନ୍ତି ମକରନ୍ଦେ ପାଦୁଂ କମଳ ଫୁଟି ।୧୩୩।

ଆରକତ ବେନି ଲୋଚନ ନୀଳେନ୍ଦୀ ପୁଷ୍ୟବର୍ଣ୍ଣା

ବେଣୁ ବାୟେଂଶୀ ସୁସ୍ୱରେ ମୋହିଲୁ ଗୋପାଙ୍ଗନା ବରାଙ୍ଗନା ।୧୩୪।

ତୁଳ ଶୁକଳ ପଞ୍ଚମୀ ଯେ ପୁଣି ଗୁରୁବାର

ପିତୃକାର୍ଯ୍ୟ ଶେଷକଲେ ଦେବ ଯୁଝେଷ୍ଠିର ।୧୩୫।

ଅନେକ ଅଳଂକାର ଅଲେଖ ଯୋଗାଡ଼ ଘେନିଣ ରାଧିକା

ଯମୁନା ସ୍ରାହାନେ ସେ ଗବନ ରାଧିକା ୟେକା ।୧୩୬।

ପନ୍ଥ ଉନ୍ୟେଷନ୍ତି ହରି ରାଧିକା ନିମନ୍ତେ

ଯାଆନ୍ତେଣ ଦେଖଇଲେ ସେ ପୁଷ୍ୟେକ ଦୁହିତେ ।୧୩୭।

ସ୍ରାହାନେ ସାରିଣ ସେ ଯେ ବାହୁଡ଼ନ୍ତି ରାଧେ

ବତ୍ସାନ୍ତ ଛାଡ଼ିଣ ଯାଇଂ ଭେଟିଲେ ଗୋବିନ୍ଦେ ।୧୩୮।

ବୋଇଲେ ମୁହିଂ ଯାହା ବିଚାରୁଥିଲି ହୃଦଗତେ

ପୁଷ୍ୟେକ ନନ୍ଦନୀ ଗୋ ପ୍ରସନ୍ନ ହୋଅ ମୋତେ ।୧୩୯।

ଅନେକ ବିନୋୟୀ ଯହୁଂ ହୋଇଲେ ବନମାଳୀ

ସୁବେଳେ ପ୍ରସନ୍ନ ହୋଇଲେକ ଚନ୍ଦ୍ରାବଳୀ ।୧୪୦।

ରାଧା ମାଧବ ବେନି ବିଜେ କୁଞ୍ଜଲତା ତଳେ

ବହଇ ମଳୟାନିଳ ବସନ୍ତ ଶୟନେ ।୧୪୧।

ରାଧା ମାଧବର ଯେ ଶୃଙ୍ଗାର ପ୍ରତୋଷେ

ବଢ଼ିଲା ଅନଙ୍ଗରସ ପ୍ରେମର ଲାଳସେ ।୧୪୨।

ଶ୍ରୀକୃଷ୍ଣ ପୀରତି ଭାବେ ବଢ଼ିଲା କାମଜିତା

ସ୍ୱାମୀର ଭଗତି ସେ ଛାଡ଼ିଲା ବନିତା ।୧୪୩।

ବିଧାତା ବିଚାରିଲେ ୟେ ନ ମାରିବ କଂସକୁ

ଅନୁବ୍ରତେ ବଢ଼ିଲା ୟେ ଶୃଙ୍ଗାର ରସକୁ ।୧୪୪।

ଧାତୁବାଦ ପୁରୁଷ ୟେହେନ୍ନେକ ବୋଲି

କମଣ୍ଡଳେ ଭରି ବ୍ରହ୍ମା ହରିନେଲେ ବତ୍ସାପଲ୍ଲୀ ।୧୪୫।

ବେନିଜନେ ୟେକଭାବ ନ ସରିଲା ରତି

ବେଳ ଅସ୍ତ ଗଲାନି ପଛିମ ମୂରତି ।୧୪୬।

ଗୋଗୋଷ୍ଠର ମଧ୍ୟେ ଆସି ହାବୋଡ଼ିଲେ ଗୋକୁଳେ

ବତ୍ସାନ୍ତ ନ ପାଇ ହମ୍ୱାରାବ କରନ୍ତି ଦେଖିଲେ ଗୋପାଳେ ।୧୪୭।

ଶୃଙ୍ଗାର ସାରି ରାଧିକା ବିଜୟେ ନିଜ ପୁରେ

ବତ୍ସାନ୍ତ ଲୋଡ଼ନ୍ତି ହରି ଯମୁନା ନଦୀ କୂଳେ ।୧୪୮।

ଧବଳୀ ବଉଳୀ କାଳୀ କସ୍ତୁରୀ ଶାମଳୀ

ନ ପାଇଣ ଚଉକତି ଲୋଡ଼ନ୍ତି ବନମାଳୀ ।୧୪୯।

ବୃକ୍ଷର ଉପରେ ଯେ ଗୋପାଳମାନେ ଉଠି

ଉଚ୍ଚସ୍ୱରେ ହାକ ଦିଅନ୍ତି କହ୍ନାଇ ନାମଗୋଟି ।୧୫୦।

ବତ୍ସାନ୍ତ ନ ଦେଖିଣ ସେ ଧାଇଂଲାକ ନନ୍ଦ

ବୃକ୍ଷେ ଚଢ଼ି ହାକ ଦିଅନ୍ତି ଗୋବିନ୍ଦ ଗୋବିନ୍ଦ ।୧୫୧।

ଧାମନ୍ତି ଗୋପାଳ ଯେ ଲୋଡ଼ନ୍ତି ଚଉକତି

କେ ହାକଇ ମାଧବ ରେ କେ ହାକେ ଶ୍ରୀପତି ।୧୫୨।

କେ ବୋଇଲେ ହରି କେ ହାକଇ ଜଗନ୍ନାଥ

କେ ବୋଲଇ କେଶବ କେ ବୋଲଇ ଗୋପୀନାଥ ।୧୫୩।

କେ ହାକଇ ଅନନ୍ତ କେ ବୋଲଇ ଅଚୂତ

କେ ବୋଲଇ ଶ୍ରୀଧର କେ ବୋଲଇ ଜଗଭୂତ ।୧୫୪।

କେ ବୋଲଇ କହ୍ନାଇ କେ ବୋଲଇ ଦାମୋଦର

ବତ୍ସାନ୍ତ ବେଗକରି ଆଣରେ ଗୋଗୋଷ୍ଠର ।୧୫୫।

ଗାଈଂକର ହମ୍ୱାରବ ଗୋପାଳଂକ ହାକ

ଧାମନ୍ତି ମହାଖୁଡ଼େ ପାଇଣ ବିମୁଖ ।୧୫୬।

କୁଞ୍ଜବନେ ବତ୍ସାନ୍ତ ନ ପାଇଲେ ଲୋଡ଼ି

ଘରକୁ ଗଲେ ବୋଲି ଅବା ଧାମନ୍ତି ଖରକରି ।୧୫୭।

ନନ୍ଦ ମହାଖୁଡ଼ ଲୋଡି ଆସନ୍ତି ଅତି ବେଗେ

ଆସନ୍ତେ କେଶବ ଯେ ପଡ଼ିଲେ ନନ୍ଦ ଆଗେ ।୧୫୮।

ବୋଇଲେ ବତ୍ସାପଲ ୟେବେ କାହିଂ ଛାଡ଼ି ଗଲୁରେ କହ୍ନା

ଦଣ୍ଡେ ତୁହି ନ ଛାତୁରେ ୟେ କୁଞ୍ଜବନ ଯମୁନା ।୧୫୯।

ମାଧବ ବୋଇଲେ ତାତ ନିରୁତାନ୍ତ ବଇଶାଖ ମାସ

ନିଦ୍ରା ଘାରିଲା ଦେହ ବଡ଼ାଇ ଆଳସ ।୧୬୦।

ଚଉକତି ଲୋଡ଼ିଲି ମୁଂ ବତ୍ସାନ୍ତ ଯେଉଂଠି

ରାଗେ ନନ୍ଦ ଧଇଲେ କେଶବ ଚୂଳଗୋଟି ।୧୬୧।

ରାତ୍ର ପାହିଲେ କଂସେ ମୁଂ ନିଯୋଗ ଦିଅଇ

ଲକ୍ଷେକ ବାର ଦୁଧ ନେଇ ନିତ୍ୟେ ମୁଂ ଖଟଇ ।୧୬୨।

ବଚ୍ଛାପଲ୍ଲୀ ମୋହୋର ତୁ ହରାଇଲୁ କାହିଂ

ଚୂଳ ଧରି ନନ୍ଦ ନିବିଡ଼େ ଝିଂକିଣ ବୁଲାଇ ।୧୬୩।

ତେନ୍ତୁଳି ବୃକ୍ଷରୁ ନନ୍ଦ ଧଇଲା ୟେକଛାଟେ

କେଶବର ବଚନେ ସେ ହୋଇଲାକ ଆଣ୍ଟେ ।୧୬୪।

ଗାଲେଣ ଚାପୋଡ଼େ ସେ କଲାକ ପ୍ରହାର

ଶ୍ରୀମୁଖରୁ ରୋଧିର ଯେ ହୋଇଲା ବାହାର ।୧୬୫।

ଭୂମିରୁ ଉପାଡ଼ନ୍ତେ ସେ ଆବର ବୃକ୍ଷଗୋଟି

ତୁ ବଜ୍ରହୁଅ ବୋଲି ହରି କଲେ ଦୃଷ୍ଟି ।୧୬୬।

ଗୋପାଳଂକ ହାକ ଶୁଣି ନନ୍ଦର କୋପ ବଢ଼ି

ନାତେକ ମାଇଲେ ନନ୍ଦ ପଡ଼ିଲେ ମୁଖମାଡ଼ି ।୧୬୭।

ନଟିକାଳ ବୃକ୍ଷରୁ ସେ ଖଡ଼ିକା ଲୋଚିୟେ

ପାଞ୍ଚବେଳ ପ୍ରହାର କଲା ସେ ଶ୍ରୀହରିର କାୟେ ।୧୬୮।

କୋମଳ ଶରୀରେ ବାଜି ବହିଲାକ ଶ୍ରୋଣି

କଷ୍ଠୋର ଦେଖିଣ ବ୍ରହ୍ମା ବତ୍ସାନ୍ତ ଦିଲେ ଆଣି ।୧୬୯।

ହମ୍ୱାରବ କରିଣ ଯେ ଧାମନ୍ତି ସର୍ବ ବଚ୍ଛା

ଆବୋରିଲେ ମାତାନ୍ତ ଯେ ଯାହାର ଇଚ୍ଛା ।୧୭୦।

ବତ୍ସାନ୍ତ ଦେଖିଣ ନନ୍ଦ ଧାଇଂଲେ ତେଣିକି

ବ୍ରହ୍ମା କୋଳକରିଣ ଧଇଲେ ଶ୍ରୀହରିଂକି ।୧୭୧।

ଅସାଷ୍ଟମେ ନାରାୟଣ ଶୋଣିତ ବହେ ମୁଖେ

ଲେଉଟି ଚାହିଂଲେ ହରି ବିଜେ ଚତୁର୍ମୁଖେ ।୧୭୨।

ବିଧାତା ମୁଖ ଚାହିଂ ବୋଇଲେ ଗୋବିନ୍ଦ

ଆହୋ ବେଦବର ତୁ ଅଟୁ ୟେଡ଼େ ମନ୍ଦ ।୧୭୩।

ଯଦ୍ୟପି ବତ୍ସାନ୍ତ ତୁ ହୋ ହରିଲୁ କୁତୂହୋଳେ

ଧାତିକାରେ ନ ଦିଲୁ ତୁ କିଂପେ ନନ୍ଦର କଟାଳେ ।୧୭୪।

ତୋହୋର ବଚନେ ମୁହିଂ ଜନ୍ମିଲଇଂ ମଞ୍ଚ

କାଳେ କରାଇଲୁ ମୋତେ ଲୋଡ଼େ ପରପଞ୍ଚ ।୧୭୫।

କହୁଂ କହୁଂ କେଶବ ଯେ ବ୍ରହ୍ମାକୁ ଶାପ୍ୟଦିଲେ ରାଗେ

ବୋଇଲେ ତୁହୋ ବ୍ରହ୍ମା ଅପୂଜ୍ୟକ ହୁଅ ମଧ୍ୟସ୍ୱର୍ଗେ ।୧୭୬।

ନାରାୟଣ କୋପ ଦେଖି ବ୍ରହ୍ମା ପଳାଇଲା ଡରେ

ରହି ନୁଆରିଲା ଧାତା କେଶବ ଛାମୁରେ ।୧୭୭।

କଉତୁକ ପୁରୁଷ ତୁ ସର୍ବକଥା ସହୁ

ଜନ ଆଦରଣେ କରି ଜନାର୍ଦ୍ଦନ ନାମ ବହୁ ।୧୭୮।

ସ୍ୱାମୀ ଆପଣେ ବଢ଼ାଇଲୁ ବାଳୁତ କୁତୂହୋଳା

ଅନିର୍ଯାପ ଶୃଙ୍ଗାର ତୁ କଲୁ ମହାଖଳା ।୧୭୯।

କଉତୁକେ ନ ମାନିତୀ ଗଉରୋବୀ

ତବ କଲାକର୍ମ ୟେବେ ସମସ୍ତେ ୟେଥି ଭାବି ।୧୮୦।

ମନ ବଚନ କର୍ତ୍ତବେ ଦାରାହରଣ ଦୋଷ

ୟେ ପାପ ଖଣ୍ଡଣ ମୋତେ କରିବା ହୃଷୀକେଶ ।୧୮୧।

ବଢ଼ିଲି ମୂର୍ଖପଣେ ମୁଂ ନ ଜାଣଇ କିଛି

ୟେଥିପାଇଂ ପ୍ରତିକାର ମୁଂ ମାଗଇ ଶ୍ରୀବଚ୍ଛି ।୧୮୨।

ଅଭ୍ୟର୍ଥ ହୋଇ ଶ୍ରୀ ପୁରୁଷୋତ୍ତମ ଚରଣେ ସେବି

ଶ୍ରୀ ଜଗନ୍ନାଥଂକ ଚରଣେ ଶରଣ ଶୂଦ୍ରମୁନି ସାରୋଳା ଦାସ କବି ।୧୮୩-୧୧୫୦୬।

 

Unknown

ସତୀସ୍ତ୍ରୀର ଉପାଖ୍ୟାନ

ୟେଥୁ ଅନନ୍ତରେ ବଇବସୁତ ମନୁ ରାଜା

ବ୍ରହ୍ମାଂକ ନନ୍ଦନ ଚରଣେ କଲେ ଦିବ୍ୟପୂଜା ।୧।

ମୁହିଂ ତୁମ୍ଭ ଦାସର ଦାସ ଭୃତ୍ୟର ଭୃତ୍ୟ ମୁନି

ପ୍ରଳୟ ଉତ୍ତାରଣ ତୁ ଧାର୍ମିକ ମହାଗ୍ୟାନୀ ।୨।

ଶ୍ରୀବିଷ୍ଣୁ ପୁରାଣ କଥୟନ୍ତି ଜନହିତେ

ଅଥବା ସମ୍ୱୋଧନା ଶ୍ଳୋକବାକ୍ୟ ହିତେ ।୩।

ଆରଣ୍ୟକ ବନବାସ ଅନ୍ତରେ ଦ୍ୱାଦଶ ବରଷ ପୁରି

ନଗଲେ କି ପାଣ୍ଡବ ହସ୍ତିନା ନଗରୀ ।୪।

ଆହୋ ମନୁ ପୁରୁଷ ଯାହା ତୁହି ଅଛୁ ପୁଚ୍ଛି

କାହୁଂ ଯିବେ ଅଗ୍ୟାଂତବାସ ବରଷେ ତେରଦିନ ଅଛି ।୫।

ପିତାମହଂକର ଆଗ୍ୟାଂ ଯେ ଅଛଇ ଆକାଶେ

ଗୋପ୍ୟାନକର୍ମ ହୋଇବ ସେ ଅଗ୍ୟାଂତ ବନବାସେ ।୬।

କୁମ୍ଭମାସ କୃଷ୍ଣପକ୍ଷ ଚଉଠୀର ଦିନ

ଅର୍କବାର ହସ୍ତା ନକ୍ଷ୍ତର ଯେ ବିଦ୍ୟମାନ ।୭।

ବିଷ୍ଟ ନାମେ କରଣ ଗଣ୍ଡ ନାମେ ଯୋଗ

ଆଦିହୁଂ ସେଦିନୁଂ ବନବାସ ବାରବରଷ ଯେ ଭୋଗ ।୮।

ଅସକନ୍ଦ ବନେ ବସିଣ ଅଛନ୍ତି ପାଞ୍ଚଭାଇ

ବ୍ୟାସେ ଧଉମ୍ୟ ପୁରୋହିତେ ଅଛନ୍ତି ମାତ୍ର ସାହି ।୯।

ମାରକଣ୍ଡ ଉଦ୍ଦାଳକେ ଅଗସ୍ତି ପଉଲସ୍ତ୍ୟେ

ବାଲମ୍ୱିକ ଦୃଭାସା ବଶିଷ୍ଠେ ବିଶ୍ୱାମିତ୍ରେ ।୧୦।

ଅସକନ୍ଦ ଗୋପାଳତହୁଂ ବହୁତ କ୍ଷୀର ଆଣି

ଛେନା ଅଧାମ ସର ଦଧି ଗୁଟିକା ଲବଣୀ ।୧୧।

ଗଣ୍ଡା ହରିଣ ଯେ କନ୍ଦମୂଳ ଦାରାକ୍ଷ

ଆମ୍ୱ ପଣସ କଦଳୀ ମହୁଲ ସୁଭକ୍ଷ ।୧୨।

ଋଷିମାନନ୍ତ ସେ ସନ୍ତୋଷେ ଦିଅନ୍ତି ଯେ ଭୋଜା

ପାଦେ ପ୍ରଣପତ୍ୟ ହୋଇଣ ଶ୍ରୁତି ବୋଇଲେ ଧର୍ମରାଜା ।୧୩।

ତୁମ୍ଭନ୍ତ ସେବାକଲି ମୁହିଂ ଦ୍ୱାଦଶବରଷ

ଅନେକ ତୀର୍ଥ କଲାଇଂ ମୁଂ ମନର ହରଷ ।୧୪।

ଅନେକ ତୀର୍ଥେ କଲଇଂ ପିତୃକାର୍ଯ୍ୟ

ପାପାବାଧା କର୍ମଣ ମୋତେ ଘୋଟିଲା ଆସି ଆଜ ।୧୫।

ସ୍ୱାମୀ ତୁମ୍ଭେ ସମୟେକେ ୟେବେ ଯିବା ଅନ୍ୟଦେଶେ

ମୁହିଂ ଗୋପ୍ୟାନ ହୋଇବଇଂ ଅଗ୍ୟାଂତ ବନବାସେ ।୧୬।

କ୍ରୋଧେ ଗଦ ଗଦ ହୋଇ କହନ୍ତି ଧର୍ମରାୟେ ଶିଷି

ଦେଖିଣ କ୍ରୋଧିତ ହୋଇଲେ ସକଳ ମହଋଷି ।୧୭।

ସମ୍ୱୋଧନା କଥା ହାଦେ କହନ୍ତି ଲୋମେଶେ

ବାବୁ ଅଗ୍ୟାଂତେ ତୁମ୍ଭେ ବଞ୍ଚିବ କେଉଣହିଂ ଦେଶେ ।୧୮।

ଆମ୍ଭର କଲ୍ୟାଣେ ଗୋପ୍ୟହୋଅ କୁରୁସାନୁ

ତୁହି ସବୁନ୍ତି ଚିହ୍ନିବୁ ତୋତେ କେହି ଯେ ଚିହ୍ନି ।୧୯।

ଯେବେ ଆମ୍ଭର ଶାହାସ୍ର ମନ୍ତ୍ର ଅଟଇଟି ସତ

ୟେ ଆମ୍ଭର ଆଶିଷ ତୁକୁ ହୋଉ ପରାପତ ।୨୦।

ଅନେକ ସାନନ୍ଦ ଆମ୍ଭେ ହୋଇଥାଇଂ ତୋତେ ଦେଖି

ଅନେକ ଦାନବ ମାରି ଆମ୍ଭ ତପ ରଖି ।୨୧।

ମାରକଣ୍ଡ ବୋଇଲେ ମାଗୋ ଶୁଣସି ପାଞ୍ଚାଳୀ

ସ୍ତିରୀଲିଙ୍ଗ କଷଣଟି ଗୋ ଝିଂଘାସ ଅଗୁଳି ।୨୨।

ଶୁଣ ଗୋ ମହାସ୍ୱତୀ କହଇ ତୋର ଆଗେ

ବ୍ରହ୍ମରାକ୍ଷସ ବୋଲିକରି ୟେକଇ ସତ୍ୟଯୁଗେ ।୨୩।

ବଇତରଣୀ ନଦୀକୂଳେ ରୁଦ୍ରପୁର ବୋଲିକରି ୟେକଇ ଶାସନେ

ବାଉନସସ୍ର ତହିଂ ବସନ୍ତି ମହାଜନେ ।୨୪।

ବାଉନସସ୍ର ତହିଂ ୟେକଇ ଲିଙ୍ଗ କାଶୀ

ଅନନ୍ତ ନାଭି ସେ ପ୍ରତକ୍ଷେ ବାଣରାଶୀ ।୨୫।

ସେ ନଗ୍ର ପଛିମଭାଗେ ଉତ୍ତର କଇଛାଡ଼େ

କଉଶିକ ବୋଲିକରି ୟେକଇ ଦିଜବରେ ।୨୬।

ଧାର୍ମିକ ବିବେକ ସେ ପୁରାଣେ ନିରିଜିତା

ଚତୁର୍ବେଦ ଶାହାସ୍ରେ ତାକୁ କେ ନାହିଂ ଜିଣନ୍ତା ।୨୭।

ଯାଗଯଗ୍ୟଂ କର୍ମେଣ ସେ ମହା ବ୍ରହ୍ମବେତ୍ତା

ପରସ୍ତିରୀ ଶୃଙ୍ଗାରେ ଯେ ଅଧର୍ମ ପ୍ରକୃତ୍ୟା ।୨୮।

ଯେଉଂଣ ବ୍ରାହ୍ମଣ ଅଷ୍ଟାଦଶ ପୁରାଣ ଶାହାସ୍ରେ ମହାଭିଗ୍ୟଂ

ଧୂର୍ତ୍ତି ଚତୁରୀ ନାରୀ ବେଶ୍ୟାୟେଣ ସଙ୍ଗ ।୨୯।

ସେ ବ୍ରାହ୍ମଣ ଭାରିଯାର ନାମ ଅଟେ ସତ୍ୟା

ପରମ ମାହେଶ୍ୱରୀ ସେ ଅଟଇ ପତିବ୍ରତା ।୩୦।

କଉଶିକ ବ୍ରାହ୍ମଣହୁଂ ତାହାର ଆନେ ନାହିଂ ମତି

ସ୍ତିରୀକୂଳେ ସାଧବୀ ସେ ପରମ ମହାସତୀ ।୩୧।

ବ୍ରାହ୍ମଣର ଅଧର୍ମ ଦେଖି ନଗ୍ରଜନମାନେ

ସେ ସତୀକି ହରି ଲୋଡ଼ନ୍ତି ସେ ଚପଳ ଜନମାନେ ।୩୨।

ଦୂତିକା ପ୍ରେଷଣେ ଚଳନ୍ତି ବହୁତ ଯେ ଦ୍ରବ୍ୟ

ୟେକାବେଳେ ଆମ୍ଭନ୍ତ ସେ ହୋଉ ପ୍ରିୟଭାବ ।୩୩।

ଚଳଇ ନାଗରୀ ସେ ପରେଣ ପ୍ରେଷକାରୀ

କଉଶୁକ ପଣ୍ଡାଂକ ନଗ୍ରେଣ ବେଦପଢ଼ି ।୩୪।

ନାଗରୀ ପ୍ରବେଶ ଯାଇଂ ସେ ସତୀର ସନ୍ନିଧାନେ

ଆଡ଼ଖୋଷା ଖୋଷି ଚାହେଂ ବଂକିମା ନୟନେ ।୩୫।

ଗାଲେଣ ହଳଦୀ ପାଦେ ଅଳତା ରେଖାବଳୀ

ରଂଜକ ଆଂଗୋଛ ପିନ୍ଧି ପଶୁ ତଇଳ ମୁଖେ ଶାମଳୀ ।୩୬।

ଅଣ୍ଟିରେ କଉଡ଼ି କାଖେ ଖଟୁଳି ଖଣ୍ଡେ

ସେ ସତୀକି ଦେଖି ବୋଲଇ ବସିବା ୟେଥି ଦଣ୍ଡେ ।୩୭।

ଓଳିଗି ଶୁତି ବୋଇଲା ଆଗୋ ପଣ୍ଡିଆଣୀୟେ

ବିଶ୍ୱାସ କଥାୟେ ତୁମ୍ଭକୁ ପଚାରଇ ସନ୍ଦେହେ ।୩୮।

ପଣ୍ଡାୟେ ତୁମ୍ଭର ମହାମନ୍ତ୍ର ବେଦବର

ପରସ୍ତୀରୀ ପ୍ରସଙ୍ଗେ ପୁଣ ଅଟନ୍ତି ବଡ଼ ଖର ।୩୯।

ୟେ ତୁମ୍ଭର ବୟସତ ସମ୍ପୂର୍ଣ୍ଣ ରୂପବନ୍ତୀ

ତୁମ୍ଭନ୍ତ ଉପେକ୍ଷି କିଂପେ ଆନେ ଭଜନ୍ତି ପାପ ପରକୃତି ।୪୦।

ତାହାଂକର ୟେ ଅନୀତି ତୁମ୍ଭେ କିସ କର

ତୁମ୍ଭେ ପରିଯୋଗ ନୋହ କିଂପେ ଆନ ସଙ୍ଗତର ।୪୧।

ୟେ ନଗ୍ର ବ୍ରାହ୍ମଣମାନଂକ ଉପରେଣ ସେ ରାଜା

କାମଦେବ ଚଇନି ଗୋ ତାହାଂକର ଆତ୍ମାଜା ।୪୨।

ସେ ତୁମ୍ଭନ୍ତ ଦେଖିଲେ ଗୋ ସ୍ରାହାନର କାଳେ

ମୁକୁଇଂ ରାଇଣ ସେ ପଚାରିଲେ ସକଳେ ।୪୩।

ବଡ଼ଲୋକର ପୁଅ ଗୋ ସେ ସୁନ୍ଦର ବଳବନ୍ତା

ତିରିଶ ବରଷ ବୟସ ସେ ଶୃଙ୍ଗାରେଣ ଶକତା ।୪୪।

ଯିବା କି ଆମ୍ଭେ ଗୋ ମୋହୋର ଘରଯାୟେ

ଯତ୍ନକରି ଦେଇଛନ୍ତି ଗୋ ଅଳଂକାର ଗୁଡ଼ାୟେ ।୪୫।

ୟେହା ଆଭରଣକର ତୁମ୍ଭେ ପାଅ ପାଦପୂଜା

ଅପାର ଦ୍ରବ୍ୟ ଗୋ ବଢ଼ାଇବା ଭଲ ଭୋଜା ।୪୬।

ପାଣିଦ୍ରବ୍ୟ ଘଟଣ ଯହୁଂ ଦେଖାଇଲା ଦୂତୀ

କୋପେଣ ପ୍ରତିଉତ୍ତର ସେ କଲେକ ମହାସ୍ୱତୀ ।୪୭।

ଆଇଷ କ୍ଷୀନ୍ନ ହୋଇଲାନି ୟେ ତୋହୋର ଶରୀର

ୟେତେ ବୟସରେ କହୁଂ ଅନୀତି ଆଚାର ।୪୮।

ମୁହିଂ ପତିବ୍ରତା ଗୋ ଯେ ନ ଛୁଅଇଂ ଆନ

କଉଶିକ ବ୍ରାହ୍ମଣ ମୋହୋର ଦେବତା ସମାନ ।୪୯।

ଆଲୋ ପାପିଷ୍ଠା ଦୋଚାରୁଣୀ ତୁ ବହନ ହୋଇ ପଳା

ଅନ୍ୟ ସ୍ତିରୀକି ନେଇ ୟେ ଧନଦେଇ ବଳା ।୫୦।

ୟେକସ୍ତିରୀକି ଆନ ପୁରୁଷ ଭିଆଇଲେ

ବେଶ୍ୟାହୋଇ ମୁଖରେ ରେତ କରାଇ ପୁରାଣ ପଣ୍ଡାୟେ ଆସନ୍ତି କହିଲେ ।୫୧।

ଅନେକ ଭ୍ରଚ୍ଛନା କରି ଦେବୀ ଦିଲେ ଗାଳି

ପୁଣି ପୁଣି ପ୍ରତିଉତ୍ତର ସେ ଦିଅଇ ଜଂଜାଳୀ ।୫୨।

ବିଣ୍ଡା କୁରୁଳି ଦେଇଣ ବେଢ଼ି ପାତିଲାକ ବୋବି

ପଳାବଇ ଦୂତୀ ତହୁଂ ଅନେକ ପ୍ରାଭବି ।୫୩।

ୟେହିମତି ତା ତହିଂକି ପେଷିଲେ ଅନେକ ଦୂତୀ

ଧନେଣ ବଶ ନୋହିଲା ତାହାର ପରକୃତି ।୫୪।

ମାନୁଷ୍ୟେ ବଶ୍ୟ ସେ ନୋହିଲାକ ଯହୁଂ

ବିହନ୍ତା ପୁରୁଷମାନେ କଷଣ କଲେ ତହୁଂ ।୫୫।

ଥାପିତ ଧନମାନ ହରିଲେ ଉଦାସୀ

ଗଉରୋବ ଭାଜିଲା ସେ ହୋଇଲା ଭିକ୍ଷାବାସୀ ।୫୬।

ତନୁ କ୍ଷୀଣ ବ୍ରହ୍ମାଣ ଯେ ଅନ୍ନର ଅଭାବେ

ଭିକ୍ଷାହିଂ ନ ମିଳିଲା ଦଇବ କଷଣ ଭାବେ ।୫୭।

ସ୍ୱତୀକି ଦୂତ ପେଷନ୍ତି ଦଇବତ ପୁରୁଷେ

କିଂପେ ମହାତ୍ମଣୀ ମରୁ ପତି ଆଶେ ।୫୮।

କାହାରିହିଂ ବଚନ ସେ ନ କରଇ ପତିବ୍ରତା

କଉଶିକ ଦରିଦ୍ର ବ୍ରହ୍ମାଣହୁଂ ନାହିଂ ଆନ ଭ୍ରଥା ।୫୯।

ସେ ସ୍ୱତୀର ବ୍ରତ ନାଶ କରିବାର ବୁଦ୍ଧି

କଉଶିକ ବ୍ରାହ୍ମଣ ଦେହେ କରାଇଲେ ଗଳୁତ କୁଷ୍ଠବ୍ୟାଧି ।୬୦।

କ୍ଷୋଭେ ରୋଗ ଯହୁଂ ହୋଇଲା ପ୍ରବଳଇ

ରକତ ପୂଜ ଦୁର୍ଗନ୍ଧ ଅନୁବ୍ରତେ ଗଳଇ ।୬୧।

ତପତ ଜଳ ଘେନି ସ୍ୱତୀ ପଖାଳଇ ତାର କାୟେ

ସେ ଦୁର୍ଗନ୍ଧ ମଣଇ ଯେ କ୍ରପୂର ବାସ ପ୍ରାୟେ ।୬୨।

କୋମଳ ପତ୍ର ପାଡ଼ି ସେ ବ୍ରାହ୍ମଣକଇଂ ଶୁଆଇ

ନଗ୍ରେ ପଶିଣ ସେ ଭିକ୍ଷା ଆଣଇ ।୬୩।

ତହିଂକି ପଡ଼ିଲା ହାଦେ ଦଇବର କଷଣ

ପଞ୍ଚୁଗ୍ରାସ ମାଗିଣ ସେ ନ ପାଇ ତଣ୍ଡୁଳ ୟେକମାଣ ।୬୪।

ଯାନ୍ତେଣ ସୁନ୍ଦରୀ ଅନ୍ୟ ନଗ୍ରେ ଭିକ୍ଷା ମାଗି

କାମଦେବ ପରାୟେକ ହୋଇ ପୁରୁଷେ ବାଟେ ଥାନ୍ତି ଜଗି ।୬୫।

ଆଗୋ ତିରୀ ରତ୍ନକାନ୍ତି ଯେ ୟେ ତୋହୋର ବୟସ

ୟେ ନବ-ଯଉବନ କିଂପେ କରୁଅଛୁଂ ନାଶ ।୬୬।

କୁଷ୍ଠିଆ ବ୍ରାହ୍ମଣଛାର କି ତୋହୋର ନିଜ ପତି

ଦୁର୍ଗନ୍ଧରେ ଯାଇ ନୋହୋଇ ତାର କତି ।୬୭।

ସୁଖେ ଯିବାଦିନ କିଂପାଇ ହୋଉ ଦୁଖୀ

ଶରଧା ନ ବଳଇ କି ଆମ୍ଭର ରୂପଦେଖି ।୬୮।

ସେ କୁଷ୍ଠବ୍ୟାଧି ବ୍ରାହ୍ମଣକଇଂ ଆଜହୁଂ କର ପରିତେଜ୍ୟା

ୟେ ରତ୍ନମାନ ବିଳସୀ ଗୋ ଆମ୍ଭର ହୋଅସି ଭାରିଯା ।୬୯।

ଦାସୀନେତ ପାଟବସ୍ର ଝୀନ ପତନୀ

ୟେହା ପରିହରଣ କର ଗନ୍ଧପୁଷ୍ୟ ଘେନି ।୭୦।

ଗୋଡ଼ାଇ ବୋଲନ୍ତି ସେ ଆଗ ଓଗାଳିନ୍ତି ପୁଣପୁଣି

ବଧିର ନ ଶୁଣଇ ଯେହ୍ନେ କମ୍ଭୁର ଶବଦ ବାଣୀ ।୭୧।

ସ୍ୱତୀ ବୋଇଲେ ହୋ ତୁମ୍ଭେ ଦୁଷ୍ଟେ ବଡ଼ ପାପୀ

ପାପେ ବର୍ଧୁତ ତୁମ୍ଭେ ହୋଉଅଛ ଅଦ୍ୟାପି ।୭୨।

ହୀନ ଆଚାର ପୁରୁଷେ ତୁମ୍ଭେ ଯତ ସତ ଲୋଡ଼ ଭୁଞ୍ଜ

ତପୀଲୋକନ୍ତ ତୁମ୍ଭେ ଦୁର୍ବିଦ୍ଧି କହି ଗଞ୍ଜ ।୭୩।

କୋପେଣ ବୋଇଲେ ସେ ବିହନ୍ତା ପୁରୁଷେ

ବଳାତ୍କାର କଲେ କେହୁ ଅଛି ତୋର ପାଶେ ।୭୪।

କେଶଧରି ୟେହିକ୍ଷଣି ନେମୁଂ ଅନ୍ତରୀଚ୍ଛେ

କେଉଂଣ ପାତକ ଲାଗିବ ଲାଗୁ ଆସି ପଛେ ।୭୫।

ନାରାୟଣ ବାଳୁତ ରୂପେ ଯେ ଭ୍ରଥ ଖଣ୍ଡ ଭ୍ରମି

ଗଉରୋବ ମାନିତୀ ସ୍ତିରୀନ୍ତ ଯେ ସବୁନ୍ତିହିଂ ରମି ।୭୬।

ଆପଣେ ହରଣ କଲା ୟେଥେଂ ଶ୍ରୀବନ୍ତ ପୁରୁଷ

ୟେ ଭୂମିରେ ଚଉବିଂଶ ଜୁଣ ପରିଯନ୍ତେ ନ ଲାଗଇ ପରସ୍ତିରୀ ହରଣ ଦୋଷ ।୭୭।

ସ୍ୱତୀ ବୋଇଲେ ପାପକୁ ଭୟେ ନ କରନ୍ତି ଦୁଷ୍ଟଜନ

ମୋତେ ନଛୁଅଂ ବୋଲି ତୁମ୍ଭଂନ୍ତ ତୋତେ ପୁରରବାଂକର ରାଣ ।୭୮।

ବିହନ୍ତା ପୁରୁଷେ ଶୁଣି କଲେ ମନେ ଭୟେ

ସେହିଠାରେ ଧାତିକାରେ ହେଲେ ଅନ୍ତର୍ଦ୍ଧାୟେ ।୭୯।

ଶୁଣ ଗୋ ଦ୍ରୋପତୀ ପତିଭକ୍ତାଂକ ମହିମାଂ

ସେ ସ୍ୱତୀର ଶାପକୁ ଡରିଲେ ବେଦବ୍ରହ୍ମା ।୮୦।

ଦ୍ରୋପତୀ ଦେବୀ ବୋଇଲେ ଶୁଣ ସୁଦେବ ସୁନୁ

କାଳେ କେମନ୍ତ ହୋଇଲା ସେ କଉଶିକ ବ୍ରାହ୍ମଣର ତନୁ ।୮୧।

ବଦୟନ୍ତି ମାରକଣ୍ଡେ ତୁହୋ ଶୁଣସି ଅପର୍ଣ୍ଣା

ସ୍ୱତୀର ବ୍ରତକୁ ଅଟଇ ଧର୍ମର କଷଣ ସିନା ।୮୨।

ମୀନମାସ ଶୁକ୍ଲପକ୍ଷ ସୋମବାର ଚଉଠୀ

ଦ୍ୱିଜା ନାମେ ନକ୍ଷତ୍ର ଯେ ବେଳ ନବଘଟି ।୮୩।

ସର୍ବ ଅଳଂକାର ବେଶ ହୋଇଣ ସେ ନାଚେଣୀ ଗାୟେଣୀ

ସେ ବେଶ୍ୟାମାନେ ଯାଉଛନ୍ତି ଧୂପ ଯେ ଖଟଣି ।୮୪।

ତାହାନ୍ତ ଦେଖି ହସିଲା ସେ କଉଶିକ ବ୍ରାହ୍ମଣ

ୟେମାନନ୍ତ କେତେ ମୁଂ କରିନାହିଂ କି ରମଣ ।୮୫।

ସ୍ୱତୀ ବୋଇଲେ ସ୍ୱାମୀ କିମର୍ଥେ ତୁମ୍ଭନ୍ତ ହାସୀ

ବ୍ରାହ୍ମଣ ବୋଇଲା ତୁ ଗୋ ଶୁଣ ଶୁଭ୍ରକେଶୀ ।୮୬।

ବେଶ୍ୟାମାନେ ଯାଆନ୍ତେଣ ମୁହିଂ ହେଲି ଖୁସି

ପୂର୍ବକଥାମାନ ୟେହାଂକର ମନେଣ ପରକାଶି ।୮୭।

ଯେବେ ବେଶ୍ୟାକଇଂ ନାଥ କଲ ତୁମ୍ଭେ ଇଚ୍ଛା

ନେଇ ସମର୍ପଇ ମୁଂ ପୂରାଅ ମନୋବାଞ୍ଛା ।୮୮।

ବ୍ରାହ୍ମଣ ବୋଇଲା ସତ୍ୟା ତୁ ୟେତେକ ଅଗୟାନ ବାଇ

ମୋ ଦୁର୍ଗନ୍ଧେ ଖଣ୍ଡେ ଦୂରେ ଜନେତ ନ ଯାଇ ।୮୯।

ସେ ସତୀ ବୋଇଲା ସେ ମୋହୋର ବଚନକୁ

ଅତ୍ୟନ୍ତ ଭଗତେ ନାଥ ଆଦର କରିବେ ତୁକୁ ।୯୦।

ଧୂପ ଖଟଣି ସାରିଣ ବାହୁଡ଼ାଇ ମେଖଳିକା

ତନୁ ମୋହିନୀ ଯେ ଅମ୍ୱିକା ଚିତ୍ରରେଖା ।୯୧।

ସତୀ ବୋଇଲା ମୋର ଗଳୁତ କୋଷ୍ଠିଆ ବ୍ରାହ୍ମଣ

ତୁମ୍ଭନ୍ତ ଇଚ୍ଛାକଲା ଗୋ ସେ ପୂର୍ବର ରମଣ ।୯୨।

ମେଖଳିକା ବେଶ୍ୟା ବୋଇଲା ଗୋ ଆୟି ତୋହୋର ଆଗ୍ୟାଂକୁ

ଦେବଇଂ ଅଙ୍ଗଭୋଗ ଘେନିଆସ ମୋର ଭୁବନକୁ ।୯୩।

ସମ୍ମତ କରାଇ ସ୍ୱତୀ ଗଲା ନିଜ ବାସ

ସେ କୋଷ୍ଠିଆ ବ୍ରାହ୍ମଣକଇଂ କରାଇ ସୁବେଶ ।୯୪।

ମହାଘୋର ଅନ୍ଧାର ରାତ୍ର ଯେ ଘୋର ବରଷଣ

କାନ୍ଧରେ ବସାଇ ସତୀ ବେଶ୍ୟାଘରକୁ ନିଅଇ ବ୍ରାହ୍ମଣ ।୯୫।

ବଇତରଣୀ ନଦୀ ଯେ ପଛିମ କରଛାଡ଼ ତଟେ

ମାଣ୍ଡବ୍ୟ ମହଋଷି ଶୂଳେ ବସିଛନ୍ତି ତହିଂ ନିକଟେ ।୯୬।

ଗୋକର୍ଣ୍ଣିକା ତୀର୍ଥେ ମୀନ ଗୋଟିୟେ ଶୂଳଦେଇ ମାଇଲେକ ପୂର୍ବେ

ତଦଦୋଷେ ଶୂଳରେ ସେ ମାଡ଼ି ବସିଛନ୍ତି ୟେବେ ।୯୭।

ଅନ୍ଧାର କାଳେ ସୁନ୍ଦରୀ ଗମଇ ବେଗି ବେଗି

ସେ ବ୍ରାହ୍ମଣ ଚରଣ ମାଣ୍ଡବ୍ୟ ଋଷିଶିରେ ଲାଗି ।୯୮।

କୋପେଣ ମହାତମା ଚେତିଣ ଧାତିକାରେ

ବୋଇଲେ ଶୂଳେ ବସିଲାର ଚାଳଇ ମୋତେ କେରେ ।୯୯।

ପୁରୁଷ ହୋଇ ଯେବେଟି ଚାଲିଲୁ ଅନମିତେ

ଶିରଛେଦନ ହୋଉ ଆଦିତ୍ୟ ଉଦେ ମାତ୍ରେ ।୧୦୦।

ତିରୀ ଯେବେ ଚାଳିଲା ମୋର ଶୂଳ

ନାସା ଛେଦନ ତାର ହୋଉ ପ୍ରାତକଳ ।୧୦୧।

ୟେସନେକ ଶାପ୍ୟ ଯହୁଂ ଦିଲେକ ମାଣ୍ଡବ୍ୟ

ପତିଭରତା ବୋଇଲା ନାଥ କାହିଂକି ଆର ଯିବ ।୧୦୨।

ବଞ୍ଚିପାରି ଟିକି ୟେ ମହାତମାର ବୋଲେ

ସ୍ୱାମୀ ଯେବେ ଶିର ଛେଦନ ହୋଇବ ରୟେଣୀ ପାହିଲେ ।୧୦୩।

ଭ୍ରଥାନ୍ତ ଆରୋହୀ ତହିଂ ସୂର୍ଯ୍ୟକଇଂ କଲା ତୁସ୍ତି

ଉଦେ ଆଜ ନୋହିବୁ ତୁ ଛାୟାଦେବୀର ପତି ।୧୦୪।

ମୁହିଂ ଯେବେ ସ୍ୱାମୀରେ ଅଟଇ ପତିବ୍ରତା

ଉଦୟେ ନୋହନ୍ତୁ ସେ କରତାର ଦେବତା ।୧୦୫।

ଯଦ୍ୟପି ହୋଇବୁ ଉଦେ ମୋହୋର ବୋଲ ପରିତ୍ୟାଗି

ମୋହୋର ସ୍ୱାମୀ ପ୍ରାୟେ ତୁ ହୁଅ କୋଷ୍ଠ ରୋଗୀ ।୧୦୬।

ଶାପ୍ୟ ପାଇଣ ସ୍ୱତୀ ନିଜପୁର ଗଲା

ଦିନକର ନାଥ ଆଉ ଉଦୟେ ନୋହିଲେ ।୧୦୭।

ସପତ ଦିବସ ସପତ ରାତ୍ର ଉଦୟେ ନୋହିଲେ

ନିତ୍ୟକର୍ମମାନ ନୋହୋଇ ସ୍ୱତୀର ଯେ ବୋଲେ ।୧୦୮।

ବ୍ରହ୍ମା ଈଶ୍ୱର ଯେ ବାସେବ କୁବେର

ବୋଇଲେ ଉଦେ କିଂପେ ନୋହିଲୁ କରତାର ।୧୦୯।

ଆଦିତ୍ୟ ବୋଇଲେ ପତିବ୍ରତାର ଶାପ୍ୟେ

ମୁହିଂ ଉଦେ ହୋଇ ନୁଆରିଇ ସତୀର ମହାକୋପେ ।୧୧୦।

ଦିଗପାଳମାନନ୍ତ ସଙ୍ଗତେ ଘେନି ଦେବ ଧାତା

ଆସିଣ ମିଳିଲେ ଯହିଂ ଅଛଇ ପତିବ୍ରତା ।୧୧୧।

ବ୍ରହ୍ମାୟେ ବୋଇଲେ ଆଦିତ୍ୟଂକୁ କିଂପେ କୋପକଲୁ ମାୟେ

ସଚରାଚର ନାଶ ଯାଉଛିଟି ଆଦିତ୍ୟ ଅଣ ଉଦୟେ ।୧୨୨।

ସ୍ୱତୀ ବୋଇଲେ ସେ ଉଦେ ନୋହୁକିନା ଦିନା

ସ୍ୱାମୀ ତେବେ ନାଶଯିବ ମୋହୋର ଧର୍ମନିନା ।୧୧୩।

ବ୍ରହ୍ମାୟେ ବୋଇଲେ ମାଗୋ ଉଦେହୋଉ କରତାର

ଶିର ପଛକେ ଚ୍ଛଦେନ ହୋଉ ତୋହୋର ସ୍ୱାମୀର ।୧୨୪।

ତୁ ତାହା ପିଣ୍ଡ ଘେନି ଦହନ ହୋଅ ଅଗ୍ନି

ନିକଳଂକ କରି ଯାତ କରିବୁ ପତିପତ୍ନୀବେନି ।୧୧୫।

ସ୍ୱତୀ ବୋଇଲା ଉଦେ ହୋଅ ଦିନମଣି

ଦିଶିଲା କମଳଲୋଚନ ପ୍ରସର ହୋଇଲା ରୟେଣୀ ।୧୧୬।

କଉଶିକ ବ୍ରାହ୍ମଣ ଯେ ଶିରଚ୍ଛେଦନ ଗଲା

ସେ ଋଷିର ଶାପ୍ୟ ଦ୍ରୋପତୀ ଗୋ ଚକ୍ରହୁଂ ବଳିଲା ।୧୧୭।

ଚିତା ଆରୋପିଣ ତହିଂ କଲେକ ଦିଗପାଳେ

ସ୍ୱାମୀର ପିଣ୍ଡ ଘେନି ସ୍ୱତୀ ପଶିଲା ଅନଳେ ।୧୧୮।

ଅଶ୍ୱମେଧ ଘୃତ ଘେନି ଦହନ କଲେ କାୟେ

ସେ ପାଉଂଶ ଗୁଡ଼ାକ ବେନି ଲୋଚିକରି ଘେନିଲେ ଦେବତାୟେ ।୧୧୯।

ତିରୀୟେକ ପୁରୁଷେକ କଲେ ବେନି ଯେ ପିତୁଳୀ

ମୃତୁ ସଞ୍ଜୀବନୀ ମନ୍ତ୍ରୀ ଅମୃତ ଦେଇ ତୋଳି ।୧୨୦।

ଚେତନା ପାଇ ଉଠିଲେ ଯେହ୍ନେ ନିଦ୍ରାଗତ ପ୍ରାଣୀ ଜାଣି

ସେହିମତେ ଉଠି ବସିଲେ ବ୍ରାହ୍ମଣ ବ୍ରାହ୍ମଣୀ ।୧୨୧।

କାମଦେବ ଜାଣି ସେ ବ୍ରାହ୍ମଣ ଅବତରି

ରମ୍ଭାଉଂ ସୁନ୍ଦର ସେ ପତିବ୍ରତା ତିରୀ ।୧୨୨।

ଦେବତାୟେ ବିମାନେ ବସାଇ ଆଣିଲେ ଆକାଶେ

ନକ୍ଷତ୍ର ହୋଇ ଉଦୟେ ହୋଇଲେ ସେ ସପ୍ତଋଷିଂକର ପାଶେ ।୧୨୩।

ଶୁଣ ଗୋ ପାଞ୍ଚାଳୀ ବଦୟନ୍ତି ମାରକଣ୍ଡେ

ପତିବ୍ରତା ହୋଇଲେ ଗୋ ପୁଣ୍ୟ ହୋଅଇ ୟେଡ଼େ ।୧୨୪।

ଶୁଣ ଗୋ ପାଞ୍ଚାଳୀ ପତିବ୍ରତାର କଥା

ସ୍ୱାମୀର ଭଗତି ହୋଇଲେ ୟେସନେକ ପୁଣ୍ୟ ଯଥା ।୧୨୫।

ଅନୀତି ସଂସାର ୟେ ବିଚାର ନୋହେ କିଛି

ନାଶକର ଦେବତା ଯେ ଅନେକ ଦୋଷ ବାଛି ।୧୨୬।

ସ୍ୱାମୀ ସେବାହୁଂ ସ୍ତିରୀଂକି ନ ଦିଶଇ ଆନ ପୁଣ୍ୟ

ୟେହି ସେ ମୋକ୍ଷଗତି ଧର୍ମତିରୀଂକ କାରଣ ।୧୨୭।

ସ୍ୱାମୀ ଦେବ ଧର୍ମ ସ୍ୱାମୀ ଯେ ଦେବତା

ସ୍ୱାମୀ ଅଟେ ନାରାୟଣ ସ୍ୱାମୀ ଯେ ତୀର୍ଥଯାତ୍ରା ।୧୨୮।

ତେଜ ହୋ ପରଦାରା ସଂସାର ମୋହଦ୍ୱନ୍ଦେ

ହରଇ ସର୍ବଦୋଷ ପତିଭଗତି ପରସାଦେ ।୧୨୯।

ଆଦିଅନ୍ତ କିଛି ନାହିଂ ବୟସ ମତ୍ତଗର୍ବ ମଧ୍ୟେ

ୟେଣୁ ସେ ପାପ ବର୍ଧୁତ ହୋଅଇ ଲୁବୁଧେ ।୧୩୦।

ବୟସ ସରିଲେ ସେ ବିଚାର ନୋହେ କିଛି

କିଞ୍ଚିତ ଦୋଷରେ ଗୋ ବହୁତ ପାପ ଅଛି ।୧୩୧।

ମଧ୍ୟ ବୟସ ଖଣ୍ଡକ ବିଚାର କର ପୁଣ

ନୁଜ ପ୍ରଭୁ ପ୍ରସାଦେ ଗୋ ଉପୁଜଇ କାରଣ ।୧୩୨।

ତୁମ୍ଭେ ବୋଲ ୟେହା ଅବା ବଞ୍ଚିବା କେମନ୍ତେ

ପତିଭକ୍ତା ତିରୀଂକ କଥା ବିଚାର ହୃଦଗତେ ।୧୩୩।

ଗ୍ୟାଂନ ନ ବୁଡ଼ାଇ ଗୋ ଶାହାସ୍ର କଥା ଶୁଣ

ସଂସାର ସାଗରୁ ତରିବାକୁଟି ନାବ ୟେ ଶ୍ରୀ ବିଷ୍ଣୁ ପୁରାଣ ।୧୩୪।

ସୁସ୍ତିରୀ ସୁବୁଦ୍ଧି ଯେ ଅଟନ୍ତି ଗୁଣବନ୍ତୀ

ଅନୀତି ସଂସାରୁ ସେ ପାବନ୍ତି ସଦଗତି ।୧୩୫।

ଶ୍ରୀ ମହାଭାରଥ ଆରଣ୍ୟକ ପର୍ବ କଥା

ଶୂଦ୍ରମୁନି ସାରୋଳା ଦାସ କହିଲେ ପତିବ୍ରତା ତିରୀର ବାରତା ।୧୩୬-୧୧୬୪୨।

 

ତ୍ରିପୁରମୋହିନୀ ହରଣ ଓ ମେରୁଶୂଳ ବଧ କଥା

ଯାହା ସେ କହିଲେ ସତ୍ୟବତୀର ଶିଶି

ସାତକଳ୍ପ ବଞ୍ଚାଇଲେ ମାରକଣ୍ଡ ମହଋଷି ।୧।

ପ୍ରସ୍ତାବ ବାକ୍ୟେଣ ଯାହା କହିଲେ ବିଧଆନେ

ଦୌପତୀଂକି କହିଲେ ସେ ପତିବ୍ରତା ଆଚ୍ଛାନେ ।୨।

ମାଗୋ ତୁ ମହାସତୀ ପ୍ରସନ୍ନ ଅପର୍ଣ୍ଣା

ସତୀ ସାଧବୀ ତୁ ଅଭୟେ ବରାଙ୍ଗନା ।୩।

ଅଗିର ମଧ୍ୟୁ ଯେବଣ ଦେବୀ ଅବତରି

ପଞ୍ଚ ଇନ୍ଦ୍ରି ମୋହିନୀ ଗୋ ତୁ ଅଟୁ ପରମ ଯୋଗେଶ୍ୱରୀ ।୪।

ଯେମନ୍ତେ ଗୋପ୍ୟାନେ ଗୋ ଦିନ ହୋଅଇଟି ପାରି

ୟେହେନ୍ନେକ କରି ତୁମ୍ଭେ ଚିତ୍ତରେ ଥିବ ଧରି ।୫।

ଦ୍ରୋପତୀ ପ୍ରତିଉତ୍ତର ଦିଲେ ମାରକଣ୍ଡ ବାକ୍ୟ ଶୁଣି

ପାଣ୍ଡବହୁଂ ଭଗତି ମୋର ନାହିଂ ଆନେ ବାଣୀ ।୬।

ପାଣ୍ଡବେ ଯେ ଜଗତ୍‌ଗୁରୁ ମୁହିଂ ଗୁରୁପତ୍ନୀ

ମୋତେ ଯେ ଇଚ୍ଛିବ ସେ ହେବ ଖଣ୍ଡ ତିନି ।୭।

କଲ୍ୟାଣ କରିଣ ଯେ ସମସ୍ତ ମହଋଷି

ଭୀମସେନ ଆଦିକରି ତିଆରନ୍ତି ବସି ।୮।

ବାଭିୟେ ଚାରିହେଂ ଗୋପ୍ୟ ହୋଇ ପାରନ୍ତିନି ଭଲେ

ବିକୃତ ନୋହିବୁ ତୁମ୍ଭେ କାହାରିହିଂ ବୋଲେ ।୯।

କର୍ମର ବିପାଳ ଯେବେ ପଡ଼ିବ ସମୟେ

ସଂହରିବ ବଳବୀର୍ଯ୍ୟ ସଂବତ୍ସର ଯାୟେ ।୧୦।

ବ୍ରତମାନ ଆଚରି ଗୋପ୍ୟାନେ ବଞ୍ଚୁଥିବ ଦିନ

ପ୍ରଥମେ ଆଶିଷ ଦିଲେ ସମସ୍ତ ଋଷିମାନ ।୧୧।

ବାବୁ ଯୁଝେଷ୍ଟି ଆମ୍ଭେ ଯାଉଛୁଂ ତୀର୍ଥସ୍ତାନେ

ତୋର ବିହୁନେ ସଂବତ୍ସରେ ଆମ୍ଭେ ବଞ୍ଚିବୁ କେସନେ ।୧୨।

ଆଷ୍ୟ ଆରୋଗ୍ୟ ହୋଇ ବର୍ଦ୍ଧୁତ ହୋଇବ ଯଥା

ପଞ୍ଚ କଟକ ପ୍ରାପ୍ତି ତୋତେ ହୋଉ ଯେ ସର୍ବଥା ।୧୩।

ଆରୋଗ୍ୟ କଲ୍ୟାଣ କଲେ ଋଷିମାନେ

ଚଳିଲେ ବାଳଖିଲ୍ୟା ଯେ ଯାହା ଆଶ୍ରମେ ।୧୪।

ତୁଲେ ରହିଲେ ବ୍ୟାସ ମାରକଣ୍ଡ ବଶିଷ୍ଠ

ଅଗସ୍ତି ପଉଲସ୍ତି ବାଲମୀକ ଲୋମଶ ତପନିଷ୍ଠ ।୧୫।

ପାଣ୍ଡବ ପଞ୍ଚାଣ ସମସ୍ତ ମହାମୁନି

ସନ୍ନିଧ୍ୟେ ପାଞ୍ଚାଳୀ ବିଜେ ଜିଘ୍ନସେନୀ ।୧୬।

ଯୁଝେଷ୍ଠି ଦେବ ବୋଇଲେ ଶୁଣ ଫାଲଗୁନି

ହରିଂକି ସଂକେତ ସୁମରଣା ତୁ କରହୋ ବହନି ।୧୭।

ଅନେକ ଶଉଚବନ୍ତେ ସେ ବାସବର ବଳା

ନାରାୟଂଣକୁ ସୁମରଣା କଲା ଶୁଭ ବେଳା ।୧୮।

ଅର୍ଜୁନ ସୁମରନ୍ତେଣ ଯେ କମ୍ପିଲା ଆସନ

ଜାଣିଲେ ହୃଦଗତେ ଶ୍ରୀ ମଧୁସୂଦନ ।୧୯।

ଅଗ୍ୟାଂତ ବନବାସ ଯେ ଜାଣିଲେ ନିକଟେ

ବିଜେ ନାରାୟଣ ଖଗେଶ୍ୱର ପୃଷ୍ଠେ ।୨୦।

ବିନତା ନନ୍ଦନ ଗମଇ ଆକାଶେ

ପ୍ରବେଶ ନାରାୟଣ ଯୁଝେଷ୍ଠି ଦେବଂକ ପାଶେ ।୨୧।

ଶ୍ରୀ ବସୁଦେବ ଯେ ଯୁଝେଷ୍ଠି ଦେବଂକୁ ଦେଖି

ଗରୁଡ଼ ପିଠିରେ କୃଷ୍ଣ ଆସନ ଉପେକ୍ଷି ।୨୨।

ସନ୍ନିଧେ କେଶବ ହୋଇଲେ ପରିଣାମି

ଉଠି କୋଳାଗ୍ରତ କଲେକ ଯୁଝେଷ୍ଠି ଦେବସ୍ୱାମୀ ।୨୩।

ଯୁଝେଷ୍ଠି ପଚାରିଲେ କୁଶଳ ଟିକି ବଳରାମେ

ଦ୍ୱାରିକାରେ ସମସ୍ତେ ଅଛନ୍ତିନା କ୍ଷଣେ ।୨୪।

ଗୋବିନ୍ଦେ ବୋଇଲେ ଶୁଣିମା ଦେବ ଧର୍ମ

ସ୍ୱାମୀ ତୋହୋର ପରସାଦେ ସମସ୍ତେ ଅଛନ୍ତି କ୍ଷମ ।୨୫।

ତୁ ଦେବ ମହାରାଜା ଅଟୁ ଧର୍ମ ଯୁଝେଷ୍ଠି

ଅନୁବ୍ରତେ ଭାବୁଥାଇ ତବ ନାମଗୋଟି ।୨୬।

ବ୍ୟାସେ ବୋଇଲେ ତୋହୋରେ ଚିନ୍ତା ନ କଲେ

ୟେଡ଼େ ବଡ଼ ଦୁର୍ଗତିରୁ ଅରଣ୍ୟେ କେମନ୍ତେ ବଞ୍ଚିଲେ ।୨୭।

ସର୍ବଭୂତ ନାଥ ତୁ ସୟଳ ପ୍ରତିପାଳି

ସର୍ବଜନ ଚିନ୍ତା ତୋର ନାମ ବନମାଳୀ ।୨୮।

ବ୍ୟାସେ ବୋଇଲେ ହରି ୟେ ବଞ୍ଚିଲେ ଅରଣ୍ୟ

ଆବର ଅଛି ବଢ଼ା ବରଷେ ତେରଦିନେ ।୨୯।

ବିଶାଶାୟେ ଦିନ ଯେ ହୋଇବ ଲେଖନ୍ତେ

ଅରଣ୍ୟେ ବଞ୍ଚିବେଟି ଚାତୁର୍ମାସ୍ୟା ପରିଯନ୍ତେ ।୩୦।

ୟେତେକ ସରିଲେ ଯେ ହୋଇବ ଅଗ୍ୟାଂତ

ତେଣୁକରି ସୁମରଣା କଲେ ଧର୍ମସୁତ ।୩୧।

କୂଟ କପଟ ମନ୍ତ୍ରୀ ଶକୁନି ମନ୍ଦବୁଦ୍ଧି

ବଢ଼ାଦିନ ଲେଖିକରି ପାରଇ ବିରୋଧି ।୩୨।

ୟେ ପୁଣ ଧର୍ମନ୍ତ ନ ଛାଡ଼ିବ ଯୁଗତେ

ପୁଣିହିଂ ବନବାସ ହୋଇବ ଲେଖନ୍ତେ ।୩୩।

ଯୁଝେଷ୍ଠି ଦେବେ ବୋଇଲେ ୟେକଥା ଅଟଇଟି ସତ

ୟେହୁ ଅରଣ୍ୟକଇଂ ମୁଂ ପୁଣ ବୁଝୁଅଛି ସୁସ୍ଥ ।୩୪।

ବ୍ୟାସ ମାରକଣ୍ଡ ଯୁଝେଷ୍ଠି ତିନିଜଣ ଘେନି

ୟେକାନ୍ତେ ବସି ଭାଳନ୍ତି ନାରାୟଣ ଦେବସ୍ୱାମୀ ।୩୫।

ଅଗସ୍ତି ବାଲମୀକି ଯେ ବଶିଷ୍ଠ ଲୋମଶ

ୟେ ସପ୍ତଋଷିଂକି ରାଇ ବୋଲନ୍ତି ଋଷିକେଶ ।୩୬।

ମୁହିଂ ତୁମ୍ଭନ୍ତ ପଚାରଇ କଥାର ବିଧାନ

ପାଣ୍ଡବେ ଗୋପ୍ୟ ହୋଇବେ କେବଣହିଂ ଥାନ ।୩୭।

ମାରକଣ୍ଡେ ବୋଇଲେ ଉତ୍ତର ହେମବନ୍ତେ

ତହିଂକି ଆତାଗମନ ନାହିଂ ଉତ୍ତର ହେମବନ୍ତେ

ତହିଂକି ଆତାଗମନ ନାହିଂ ଶତେଜୁଣ ପରିଯନ୍ତେ ।୩୮।

ଆବର ଥାନେକ ଅଛି ରଣଥମ୍ୱ ଗତେ

କାର୍ତ୍ତିକବୀର୍ଯ୍ୟ ସଞ୍ଚିଲା ଅଟଇ ସେହୁ ଦୃଢ଼େ ।୩୯।

ବିଜୟେ ମାହେଶ୍ୱରୀ ତହିଂ ପ୍ରସନ୍ନେ ହିଙ୍ଗୁଳା

ଯୋଗିନୀ ବୃନ୍ଦ ଘେନିଣ ଖେଳଇ ମହାଖଳା ।୪୦।

ତାହାର ତହିଂକି ଭୟେ ଲୋକେ ନାହିଂ ଯାୟେ

ଗୋସାମଣିକି ତ୍ରିପୁତି କରି ରୁହାଇବା ସେଇଠାୟେ ।୪୧।

ଅଗସ୍ତି ବୋଇଲେ ଦକ୍ଷିଣ କୋଶଳ କୋଣେ

ୟେ ଗୋପ୍ୟ ହୋଇପାରନ୍ତି ଜେନାବଳୀ ପାଟଣେ ।୪୨।

ଶୁଣିଣ ପ୍ରତିଉତ୍ତର ଯେ ଦିଲେକ ବଶିଷ୍ଠେ

ଭଲ ଗୋପ୍ୟଥାନ ଅଛି ଯେ ମନ୍ଦର ନିକଟେ ।୪୩।

ମନ୍ଦର ଗନ୍ଧମାର୍ଦ୍ଦନ ଲୋକାକୋକି ଗିରି ପିଢ଼ା

ମଧ୍ୟେ ରାଜ୍ୟ କରଇ ସେ ମେରୁଶୂଳ ମହାବୀରା ।୪୪।

ରଥ ଗଜ ଅଶ୍ୱ ତାର ନାହିଂ ସନ୍ୟ ଥାଠ

ସହସ୍ରେକ କନ୍ୟା ଘେନି ଥାଇ ସେ ଦ୍ରପିଷ୍ଠ ।୪୫।

ତାହାକଇଂ ବଧ ଯେ କରିପାରଇ ରଣେ

ଗୋପ୍ୟାନ ହୋଇ ପାରିବ ସେ ମଲେ ୟେକଜଣେ ।୪୬।

ଅମର ପୁରକଇଂ ସେ ମେରୁଶୂଳ ଦିୟେ ଧାଡ଼ି

ଅନୁବ୍ରତେ ଥାଇ ସେ ସମ୍ପାଦି ପିଠି ଚଢ଼ି ।୪୭।

ଧନୁଗଦା ଖଡ଼ଗ ସେ ନ ଧରଇ ହାଥେ

କୋଦାଳ ଆୟୁଧ ସେ ଧରିଥାଇ ଅନୁବ୍ରତେ ।୪୮।

ଯୁଝେଷ୍ଠି ଦେବ ପୁଚ୍ଛାକଲେ ବଶିଷ୍ଠ ମହଋଷି

ମେରୁଶୂଳ ବୋଲିକରି ସେ ଅଟଇ କେବଣ ବଂଶୀ ।୪୯।

ବଶିଷ୍ଠେ ବୋଇଲେ ହୋ ଅନନ୍ତ ଦତ୍ୟ ପୁତ୍ର

ସିଂଘନାଦ ବୋଲିକରି ପୂର୍ବରେ ଦଇତ ।୫୦।

ବଜ୍ରଶୂଳ ବୋଲିକରି ତାହାର କୁମର

ଯୋଦ୍ଧାପଣେ ସମନାହିଂ ତାକୁ ମଧ୍ୟପୁର ।୫୧।

ବଜ୍ରଶୂଳ ପୁତ୍ରନାମ କୃତାନ୍ତକ ଶୂଳ ବୋଲି

ରେବାଶୂଳ ବୋଲିକରି ତା ପୁତ୍ର କହିଲି ।୫୨।

ରେବାଶୂଳ ପୁତ୍ର ନାମ ଅଟେ ଡାକେଶ୍ୱର ଶୂଳ

ଡାକେଶ୍ୱରର ପୁତ୍ର ନାମ ନିର୍ଘାତେକ ଶୂଳ ।୫୩।

ତାହାର କୁମର ପୁଣି ଅଟେ ଅର୍ଥଶୂଳ

ଅର୍ଥଶୂଳ ପୁତ୍ର ନାମ ଦିଲା ଜପାସୁର ।୫୪।

ତାହାର ତହୁଂ ଜାତ ପୁଣ ହେଲା ଜପାଶୂଳ

ଜପାଶୂଳର କୁମର ହୋଇଲାକ ରୂପାଶୂଳ ।୫୫।

ଦାନବାଶୂଳ ବୋଲି ତାରା ବଳିଷ୍ଠ ପୁତ୍ରଇଂ

ୟେହାର ନନ୍ଦନ ଯେ ମହାଶୂଳ କହି ।୫୬।

ମହାଶୂଳର ନନ୍ଦନ ବଜ୍ରାଙ୍ଗଶୂଳ ବୋଲି

ବିକ୍ରମଶୂଳ ତାହାର ନନ୍ଦନ କହିଲି ।୫୭।

ବିକ୍ରମଶୂଳର ପୁତ୍ର ମହୀଶୂଳ ବୋଲି

ୟେକସରେ ବୁଲୁଥାଇ ରାଜ୍ୟ ମହୀଆଳି ।୫୮।

ବିରୂପ ସତ୍ୟଯୁଗେ ସେ ବିରଞ୍ଚିକି ସେବିଲା

ଜଗୁଜିତା ପୁତ୍ରେକ ହୋଉ ବର ସେ ମାଗିଲା ।୫୯।

ଭୋଳେଣ ପ୍ରସନ୍ନ ହେଲେ ସେ ବିରଞ୍ଚି ଦଇବତ

ଯାଅରେ ମହୀଶୂଳ ତୋହୋର ହୋଉ ୟେକପୁତ୍ର ।୬୦।

ସଦୟ କରିଣ ବର ଦିଲେକ ବିରଞ୍ଚି

ତହୁଂ ସେ ପୁତ୍ରେକ ତାହାର ହୋଇଲା ଉତପତ୍ତି ।୬୧।

ସେ ପୁତ୍ରଗୋଟି ଅଟଇ ମହା ବଳବାନ

ମେରୁଶୂଳ ବୋଲିକରି ତାହାର ଯେ ନାମ ।୬୨।

ସେ ମେରୁଶୂଳ ଭାରିଯାର ନାମ କାତ୍ୟାୟନୀ

ତାହାର ଦୋହିତାୟେ ଉପୁଜିଲା ତ୍ରିଭୁବନ ମୋହିନୀ ।୬୩।

ତାହାର ସାରିକ୍ଷେ ନ ପାଇଲା ରାୟେ ବର

ଯତନକରି ନୃପତି ରୁହାଇଲା ମେଢ଼ର ।୬୪।

ପାଞ୍ଚକ୍ରୋଶ ଆୟତନ ପାଞ୍ଚତାଳ ଉଚ୍ଛର୍ଗ

ତହିଂ ଥାଇ ଚାହିଂଲେ ଅମର ସ୍ୱର୍ଗ ।୬୫।

ସେ ଭୁବନେ ଥୋଇଲେ ନେଇ ସେ ତ୍ରିଭୁବନ ମୋହିନୀକି

ୟେକସରେ ଥାଇ ସେ କେହି ନ ଯାଇ ତାହାର ତହିଂକି ।୬୬।

ଶୁଣିଣ ଯୁଝେଷ୍ଠି ଦେବ ହୋଇଲେ ହରଷ

ୟେଥୁ ଅନନ୍ତରେ ଯେ ଶୁଣିମା ଆନରସ ।୬୭।

କାର୍ତ୍ତିକ ଶୁକଳ ଯେ ଦଶମୀ ଗୁରୁବାର

ଶ୍ରବଣା ନାମେ ନକ୍ଷତ୍ର ଭୋଗ ସେ ଦିନର ।୬୮।

ବାଳବ ନାମେ କରଣ ଶୂଳ ନାମେ ଯୋଗ

ତୁଳ ସଂକ୍ରାନ୍ତିକି ବିଂଶଦିନ ଭୋଗ ।୬୯।

ୟେହି ତିଥିଦିନେ ବିଜେ ଦୃଭାସା ମହଋଷି

ମେଢ଼େ ତ୍ରିଭୁବନ ମୋହିନୀକି ଭେଟିଲେକ ଆସି ।୭୦।

ବହୁତ କଲ୍ୟାଣ ଆଶିଷ ତାକୁ କଲେକ ଦୃଭାସା

ବୋଇଲେ ଆୟି ଗୋ ସିଦ୍ଧ ହେଉ ତୋହୋର ମନୀଷା ।୭୧।

ଶୁଣିଣ ବୋଇଲା ସେ ତ୍ରିଭୁବନ ମୋହିନୀ

ମୋତେ ବର ଗୋଟିୟେ ଠାବକର କିନା ଦୃଭାସା ମହାମୁନି ।୭୨।

କନ୍ୟାର ବଚନେ ସେ ପଉଲସ୍ତ୍ୟର ବାଳ

ଆଧାରିରୁ କାଢ଼ିଲେ ମୁନି ଚିତ୍ର ଯେ ପଟଳ ।୭୩।

କନ୍ୟାର ଅଗ୍ରତେ ଦେଖାଇଲେ ତପନିଷ୍ଠି

ବୋଇଲେ ମାତା ୟେହାର ପାର୍ବତୀ ପିତା ଯେ ଧୂରୁଜଟି ।୭୪।

ଆବର କାମକଇଂ ଦହନ କରିଣ ୟେହା ଈଶ୍ୱର କଲେ ଜାୟେ

ପ୍ରତକ୍ଷେ ସୁନ୍ଦର ୟେ ଅନଙ୍ଗ ତେଜ ପ୍ରାୟେ ।୭୫।

ମହା ଅନଳ ଭେଦି ଉତପତ୍ତି ୟେ କୁମାର

ଜନ୍ମହୋଇ ମାଇଲା ୟେହୁ ତାଡ଼କା ଅସୁର ।୭୬।

ହଟକେଶ୍ୱର ବିବାଦେ କାର୍ତ୍ତିକ ଦର୍ପଧ୍ୱଂସା

ପ୍ରସନ୍ନେ ସଦାନନ୍ଦ ପୂରୋଇ ମନୀଷା ।୭୭।

ଛଡ଼ବଦନ ଦ୍ୱାଦଶ ଭୂଜ ଦ୍ୱାଦଶ ଯେ ନେତ୍ର

ୟେକଦୃଷ୍ଟିକେ ଦେଖଇ କୋଟିୟେ ଯୋଜନ ପରିଯନ୍ତ ।୭୮।

ଶୂରବନ୍ତ ଗୁଣବନ୍ତ ଧାର୍ମିକ ପଣ୍ଡିତ ପରମଯୋଗୀ

ମନୁକଳ୍ପ ବଞ୍ଚନ୍ତା ପ୍ରଳୟାନ୍ତକ ଭୋଗୀ ।୭୯।

ଅନେକ ପୁଣ୍ୟ ଯେବେ ତୁ କରଇଅଛୁ ପୂର୍ବେ

ମହାରୁଦ୍ର ପୁରୁଷ ପ୍ରାପତ ହୋଇବ ୟେବେ ।୮୦।

ପ୍ରଶୁ କୁଠାର ଯେ ପିନାକୀ ନାମେ ଧନୁ

ଶୂଳ ଶକତି ଧାରଣ ଅଭୟେ କୁରୁଶାନୁ ।୮୧।

ରଣ ସୋହୋଡ଼ ପୁରୁଷ ସାଂଗ୍ରାମେ ଜଗୁଜିତା

ଈଶ୍ୱରୁଂଶତେଗୁଣ ଅଟଇ ବଳବନ୍ତା ।୮୨।

ବିରହୀତା କନ୍ୟା ସେ ମଦନ ଆରତେ

ଭୋ ମହାତମା ସେ ପୁରୁଶକଇଂ ଭେଟାଇବ ମୋତେ ।୮୩।

ଦୃଭାସା ବୋଇଲେ ଯେବେ ଇଚ୍ଛା ତୋର ତ୍ରିଭୁବନ ମୋହିନୀ

ୟେହି ସପତ ଦିବସ ମଧ୍ୟେ ମୁଂ ଆସିବଇଂ ତାହାକଇଂ ଘେନି ।୮୪।

ତେଜିଲି ପିତାମାତା ମୁନି ତୋହୋରେ ଶରଣ

ଭଗତଜନ ମଚ୍ଛଳ ତୁମ୍ଭେ ତାହା ବହନ କରିଆଣ ।୮୫।

ଦୃଭାସାୟେ ବୋଇଲେ ଆୟି ଆମ୍ଭେ ପର ଦୁଖେ ଦୁଖୀ

ତୁ ଅନେକ ଭୋଗ ଭୁଞ୍ଜିବୁ ଗୋ ଶରଦ ଚନ୍ଦ୍ରମୁଖୀ ।୮୬।

ଚଳନ୍ତି ଦୃଭାସାୟେ ମୋହିନୀକି ୟେହା କହି

କାର୍ତ୍ତିକେଶ୍ୱରକୁ ଆଣିତେ ବେଗେ ଯାଇଂ ।୮୭।

ୟେଥୁଅନ୍ତେ ବଶିଷ୍ଠେ ଯେ ଧର୍ମଂକ ଆଗର

ବୁଝାଇଣ କହନ୍ତି ଯେ ସକଳ ସମାଚାର ।୮୮।

ବଶିଷ୍ଠେ ବୋଇଲେ ଈଶ୍ୱର ବନ୍ଧୁବଳ

ପାଣ୍ଡବଂକ ବଳେ କି ସେ ମରଇ ମେରୁଶୂଳ ।୮୯।

ଯୁଝେଷ୍ଠିଦେବ ବୋଇଲେ ବାବୁ ଶୁଣରେ ସହଦେବ

ଈଶ୍ୱର ମେରୁଶୂଳକର କି ହୋଇବ ବନ୍ଧୁଭାବ ।୯୦।

ସହଦେବ ବୋଇଲେ ଦେବ ହୋଇବ ବହୁତ କଥା

ଅର୍ଜୁନ ଠାକୁରଂକ ହାଥେ ତାହାର ମୃତୁ ଯଥା ।୯୧।

ମାରକଣ୍ଡ ବୋଇଲେ ସହଦେବ ମନ୍ତ୍ରୀ ବଚନ ଶୁଣି

ଅନ୍ୟ ଅନ୍ତର କଥା ୟେଥି ହୋଇବ କି ପୁଣି ।୯୨।

ସହଦେବ ବୋଇଲେ ଦେବ ଶୁଣିମା ମଧୁରିପୁ

ବହୁତ ଦ୍ୱନ୍ଦ୍ୱ ଯେ ହୋଇବ ୟେହି ପରସ୍ତାପୁ ।୯୩।

ଦୃଭାସା ଗଲେ ତ୍ରିଭୁବନ ମୋହିନୀ ଚିତ୍ରପଟ ଘେନି

ମନ୍ଦର ପର୍ବତେ ଭେଟିଲେ ନାରଦ ମହାମୁନି ।୯୪।

ଦୃଭାସା ନାରଦ ବସିଲେ ୟେକମେଳେ

ନାରଦଂକୁ କହିଲେ ମୁନି କଥା କୁତୂହଳେ ।୯୫।

ମେରୁଶୂଳ ଦୋହିତା ଯେ ତ୍ରିଭୁବନ ମୋହିନୀ

ତାହାକୁ ବର ନିମନ୍ତେ ଆସିବ କାର୍ତ୍ତିକେଶ୍ୱର ଘେନି ।୯୬।

ନାରଦେ ବୋଇଲେ ତୁମ୍ଭେ କଲ ହୀନକାର୍ଯ୍ୟ

ସେ କଥା ନିଫଳ ହୋଇବ ପାଇବ ବଡ଼ଲାଜ ।୯୭।

ଚିତ୍ରପଟ ଦେଖାଇ ତୁମ୍ଭେ ଭଣ୍ଡିଲ ବାଳୁତ କୁମାରୀ

ସେ ତ୍ରିଭୁବନ ମୋହିନୀକି କାର୍ତ୍ତିକେଶ୍ୱରର ମନର ହୀଆଳି ।୯୮।

ଭିତରେ ଲୁଚାଇ ଦେଖାଇଲା ଗୁଣନିଧି

ପାଦରେ ଗଳର ତାର ଗଳୁତ କୃଷ୍ଠ ବ୍ୟାଧି ।୯୯।

ହାତମାଳ କଂକାଳ କଉପୁନିବାସୀ

ଉଡ଼ଙ୍ଗ ଭୂଷଣ ସେ ପରପଞ୍ଚ ତପୁସୀ ।୧୦୦।

ଛଡ଼ମୁଖ ବାରଭୁଜ ଦ୍ୱାଦଶ ଯେ ନେତ୍ର

ୟେକଥା ଦେଖିଲେ କି କରିବ ସନମତ ।୧୦୧।

ଦୃଭାସା ବୋଇଲେ ନାରଦେ ହୋ ନ କହ ୟେମନ୍ତ ବାଣୀ

ସେ କନ୍ୟା ମନ କରିଛି ଆମ୍ଭର ବୋଲି ଶୁଣି ।୧୦୨।

ଦୃଭାସାୟେ ତେଣେ କପିଳାସ ସ୍ୱର୍ଗ ଗଲେ

ୟେଣେ ନାରଦେ ବେଗେ ଯାଇଂ କନ୍ୟାକୁ ଭେଟିଲେ ।୧୦୩।

ଧାତିକାରେ ବିଜୟେ ନାରଦ ମହାନୁନି

ଦେଖିଣ ପାଦାଅର୍ଘ ଦିଲା ତ୍ରିଭୁବନ ମୋହିନୀ ।୧୦୪।

ଅନେକ ଭଗତି ସେ ଯେ ମେରୁଶୂଳର କୁମାରୀ

ବୋଇଲେ ପ୍ରସନ୍ନ ମୋତେ ହୋଇବା ବ୍ରହ୍ମଚାରୀ ।୧୦୫।

ପିଅର ମୋ ମେରୁଶୂଳ ଦୁରାନ୍ତକ ଦେବା

ପ୍ରଦାନ ନକଲା ମୋତେ ହୋଇଲି ଆସି ଯୁବା ।୧୦୬।

ତିନିପୁରେ ପ୍ରବେଶ ତୁମ୍ଭେ ଅଟ ତପନିଷ୍ଠି

ମୋହୋର ସାରିକ୍ଷେ ତୁମ୍ଭେ ଆଣ ବରଗୋଟି ।୧୦୭।

ନାରଦେ ବୋଇଲେ ଆୟିତୁ ଆମ୍ଭରେ ଭଗତି

ତ୍ରଇଲୋକ୍ୟ ସୁନ୍ଦର ତୋତେ ଆଣିଦେବି ନିଜପତି ।୧୦୮।

ପଦ୍ମନର ଚିତ୍ରପଟଳ ଅଲେଖ ଲେଖନ

କନ୍ୟାର ଅଗ୍ରତେ ତାହା ଦିଖାଇଲେ ତପୋଧନ ।୧୦୯।

ପ୍ରତକ୍ଷେ ଅନଙ୍ଗ ସେ ସାରିକ୍ଷେ ମୟାଣ

ଦେଖିଣ ସୁନ୍ଦରୀର ଢଳିଲା ପଞ୍ଚୁପ୍ରାଣ ।୧୧୦।

ଅଗୁଣିତ ପୁରୁଷ ସେ ସହସ୍ରାଗୁଣେ କଳା

ମନସିଜ ମୋହୋନ ସେ ଲକ୍ଷ୍ମୀ ନାରାୟଣଂକର ବଳା ।୧୧୧।

ସ୍ତମ୍ଭନ ମୋହନ ମାଦନ ବଶ ଉଚ୍ଚାଟନ ପଞ୍ଚୁଶର

ପୁଷ୍ପଧନୁ ପୁଣ୍ୟବାଣ ଘେନି ନିଜକର ।୧୧୨।

ପୁଷ୍ୟବିମାନ ଆରୋହିଣ ପୁଷ୍ୟଚାପ ପାଣି

ପୁଣ ପୁଣ ପ୍ରଳମ୍ୱିତ ହୋଇଲା ବିରହିଣୀ ।୧୧୩।

ଭୋ ମୁନି ନାରଦେ ତୋତେ ଶତେ ସହସ୍ର ଦଇନି

ୟେ ମୋହୋର ସ୍ୱାମୀକି ଆସ ବେଗେ ଘେନି ।୧୧୪।

ଦୃଭାସାୟେ ଯାଇଛନ୍ତି କାର୍ତ୍ତିକେଶ୍ୱରକଇଂ ଆଣି

ମୁହିଂ ତାହାଂକୁ ଉପେକ୍ଷିଲି ଦୃଢ଼ବ୍ରତ ଜାଣି ।୧୧୫।

ନାରଦେ ବୋଇଲେ ଆୟି ଦକ୍ଷିଣ ଦ୍ୱାରିକା

ଅଶି ସହସ୍ର ଯୋଜନ କ୍ଷୀରୋଦ୍ରଶ୍ରାହୀ ୟେକା ।୧୧୬।

ପଦ୍ମନର ଚିତ୍ରପଟ ମୁନିୟେ ଦେଇଯିବା ମୁକୁ

ଆଜହୁଂ ଖଟିଣଥିବି ମୁହିଂ ଯେ ତାହାଂକୁ ।୧୧୭।

କହିଣ ନାରଦ ଗଲେ ଆକାଶ ପୁର ଭ୍ରମି

ମନପବନ ଦଣ୍ଡ ଆରୋହି ସେ ଦ୍ୱାରିକାପୁର ଗମି ।୧୧୮।

ସହଦେବ ବୋଇଲା ଦେବ ଶୁଣିମା ଧର୍ମରାୟେ

ୟେହିକ୍ଷଣି ନାରଦେ ପଦ୍ମନ ତହିଂକି ବିଜୟେ ।୧୧୯।

ତ୍ରିଭୁବନ ମୋହିନୀର ଚିତ୍ର ଯେ ପଟଳ

ପଦ୍ମନକଇଂ ଦେଖାବନ୍ତି ବ୍ରହ୍ମାଂକ ଦୁଲାଳ ।୧୨୦।

ସହଦେବର ବଚନେ ହସିଲେ ଚକ୍ରଧାରୀ

ଆସିବ ଟିକି ପଦ୍ମନ ସେ ଶମ୍ୱର ଅଇରି ।୧୨୧।

ସହଦେବ ବୋଇଲେ ସ୍ୱାମୀ ବିଜୟେ ପୁଷ୍ୟରଥେ

ୟେହିକ୍ଷଣି ବିଜେ କରିବେ ମନୁମଥେ ନାରଦ ସଙ୍ଗତେ ।୧୨୨।

ବ୍ରହ୍ମାର ନନ୍ଦନ ଯେ ପଦ୍ମନକଇଂ ପରକାଶି

ବାବୁ ତୁହି ସେ ବିଳସନ୍ତା ପବିତ୍ର ଗରୁହଂସୀ ।୧୨୩।

ଦୃଭାସାୟେ ଯାଇଛନ୍ତି ଆଣି କାର୍ତ୍ତିକେଶ୍ୱରଂକୁ

ସମ୍ପୋଡ଼େ ସୁନ୍ଦରୀ ସେ ଇଚ୍ଛାକଲା ତୁକୁ ।୧୨୪।

ପଦ୍ମନ ବୋଇଲା ମୁନି ହେ ଯିବାକ ୟେହିକ୍ଷଣ

ଆଜକ ବିଶ୍ରାମ କରି ଆସନ୍ତୁ ନାରାୟଣ ।୧୨୫।

ନାରଦେ ବୋଇଲେ ତୁ ୟେତେ ବିଳମ୍ୱ କହୁ

କାର୍ତ୍ତିକେଶ୍ୱର ଅଇଲେ ତୋତେ ପ୍ରାପତ ହୋଇବ କାହୁଂ ।୧୨୬।

ବାବୁ ତିନିଭୁବନ ମଧ୍ୟେ ସେ କନ୍ୟାକୁ ନାହିଂ ସମସରି

ରୂପଗୁଣ ତାହାର ନାହିଂ ପଟାନ୍ତରି ।୧୨୭।

ଆଂକୁଚିତ କବେରୀ ଚିକୁର ଅଙ୍ଗଭାରି

ପ୍ରଳମ୍ୱ ଖୋପା ବିସ୍ତୀର୍ଣ୍ଣ ଦିଶଇ ସୁନ୍ଦରୀ ।୧୨୮।

କୁସୁମ ନ ଘେନଇ ସେ ଗରୁହେବ ଗଭା ବୋଲି

କେଶବାସ ସୁଗନ୍ଧକୁ ମଧୁକରେ ଭୁଲି ।୧୨୯।

ରସାଣ ପ୍ରତିମା ପ୍ରାୟେ ଲଲାଟ ରେଖ ପାଟି

କୁଞ୍ଚିତ ରୋମାବଳୀ ଲୀଳା ରେଖାଗୋଟି ।୧୩୦।

ଲଲାଟ ତଳେ ଯେ ଭ୍ରୁଭଙ୍ଗୀ ରୋମ ରଞ୍ଚି

କାମଦେବର ଧୁନି କି ଥୋଇଛି ନେଇ ସଞ୍ଚି ।୧୩୧।

ସେ ଧନୁ କି ଆମଞ୍ଚନ ନୟନ ତୀଖବାଣ

କିଞ୍ଚିତେ ଚାହିଂଲେ ପୁରୁଷ ତୁଟଇ ନିଜପ୍ରାଣ ।୧୩୨।

ଯଦ୍ୟପି ପାଷାଣ ହୋଇବ ବଜ୍ରଘୋଟି

ଅପାଙ୍ଗ ଚାହାନ୍ତେ ସେହୁ ଯିବ ଫୁଟି ।୧୩୩।

ହତ୍ୟା ଅପବାଦକୁ ଭୟେକରି ବାଳୀ

ତେଣୁକରି ବଦନ ସେ ନ ଚାହଂଇ ତୋଳି ।୧୩୪।

ଘଟଣ ତିଲଫୁଲ ପ୍ରାୟେ ଅଟେ ତାର ନାସା

ହସି ବଚନ କହିଲେ ବ୍ରତିବ କେବଣ ପୁରୁଷା ।୧୩୫।

ନାସାର ପବନ ଯେ କରଇ ପରକାଶ

ମୃଗଲାଭି କସ୍ତୁରୀ ପ୍ରାୟେ ଗନ୍ଧବାସ ।୧୩୬।

ପଂକୁ ବିମ୍ୱଫଳ ଜାଣି ଚଳନ୍ତି ବେନିଗୋଟି

ବିଘଂସିତ ମଞ୍ଜୁଳ ୟେହ୍ନେ ଦ୍ରଶନ ବେନିଗୋଟି ।୧୩୭।

ବଚନେ ଭଷନ୍ତେ ନ ରହିବେ ପିକଜନ୍ତୁ

ଛାଡ଼ିଲେକ ନିଜସ୍ତାନ ଅକାଳେଣ ମୃତୁ ।୧୩୮।

ମୁନିଜନମାନେ ମଧ୍ୟ ନ ଧରନ୍ତି ହୃଦେ

ଭାଞ୍ଜିଲାକ ଜଗତପ ତାହାର ପରସାଦେ ।୧୩୯।

ପବନ ବିକାରେ ଚଳନ୍ତି ବେନି ଯେ ଶ୍ରବଣେ

ଭାର ହୋଇବ ବୋଲି ନ ବହଇ କଣୟ ଘଟଣେ ।୧୪୦।

ନିବନ୍ଧ କୁଳ ଜାଣି ହିରଣ୍ୟ ଗଣ୍ଡସ୍ଥଳ

ଗଭୀର ନାଭି କଣ୍ଠତଟ ସୁସଞ୍ଚ ସରଳ ।୧୪୧।

ବିସ୍ତାର ହୃଦୟ ଜାନୁ ରମ୍ଭାବୃକ୍ଷ ପ୍ରାୟେ

ନିବିଡ଼ ପ୍ରଳମ୍ୱ ଭୁଜ ବେନିଗୋଟି ବାହେ ।୧୪୨।

କୁମୁଦ ମୃଣାଳ ଯେହ୍ନେ ଶୀତଳ ସୁସଞ୍ଚ

ନୋହୋଇ ସଂକୀର୍ଣ୍ଣ ସେ ଯେ ନୋହୋଇ ବଡ଼ ଉଚ୍ଚ ।୧୪୩।

ଢଳିତ କଣୟ ଯେହ୍ନେ ବେନି କରସ୍ଥଳୀ

ସ୍ୱଭାବ ସାରିକ୍ଷ ଯେହ୍ନେ ଅୟେଂଳା ପୁଷ୍ପାଞ୍ଜଳୀ ।୧୪୪।

ସୁଗଠିତ ସୁବର୍ଣ୍ଣ ଯେହ୍ନେ ବଳିତ ଅଙ୍ଗୁଳି

ଶୁଦ୍ଧ ମର୍କତ ପ୍ରାୟେକ ନଖରେଖ ଝଳି ।୧୪୫।

ସୁସଞ୍ଚ ମଝା ଯେ କରିଅରି ପରାୟେ

କୁଞ୍ଜ ଶ୍ରୀଫଳ ପ୍ରାୟେ କୁଚ ଶୋଭାପାୟେ ।୧୪୬।

ଝଲକପତ୍ର ପ୍ରାୟେ କନ୍ୟାର କର୍ଣ୍ଣ କୁକ୍ଷି

ଅତୁଲ୍ୟ ଶୋଭା ତାହାର ସର୍ବଗୁଣ ଗଚ୍ଛି ।୧୪୭।

ସୁରଭି ପାଖୁଡ଼ା ପ୍ରାୟେ ଦିଶଇ ତାର ପିଠି

ହେମ ଅଞ୍ଚଳ ପ୍ରାୟେ ଢଳିତ ଦେହଗୋଟି ।୧୪୮।

ଅଳପ ବିସ୍ତାର ଯେହ୍ନେ ତୁଳିତ ବେନିଯାନୁ

ଦେଖି ପୁରୁଷମାନେ ଧରିବେ କାହୁଂ ତନୁ ।୧୪୯।

କଣୟ ସ୍ତମ୍ଭ ଯେହ୍ନେ ଓଲଟ ରାମ କଦଳୀ

କଟି ପରିଯନ୍ତେ ଭେଦିଲା ରୋମାବଳୀ ।୧୫୦।

ସୁରଭି ପୁଷ୍ପପ୍ରାୟେ ପାଦ ତଳପା କାନ୍ତି

ସୁସଞ୍ଚ ପୋୟେଳା କି ଅଙ୍ଗୁଳି ବିରାଜନ୍ତି ।୧୫୧।

ତରାଟ ପାଖୁଡ଼ା ପ୍ରାୟେକ ଦିଶଇ ନଖରେଖ

ପାଦେ ପଦ୍ମଚିହ୍ନ ତାର ତଳିପାର ଶିଖ ।୧୫୨।

ଶଙ୍ଖନିଧି ପଦ୍ମନିଧି ଶୋଭିତ ବେନିକରେ

ପାଣିଦ୍ରବ୍ୟ ହୋଇଭ କର ଲାଗିଲେ ପଥରେ ।୧୫୩।

ଅଳିକୁଳ ଆମୋଦିନୀ ଚିକୁର ଅଟେ ବାମା

ପ୍ରତକ୍ଷେ ପଦ୍ମିନୀ ସେ ସ୍ତିରୀକୁଳ ଉତ୍ତମା ।୧୫୪।

ଅତିଅନ୍ତ ଘନ ଯେ ଥନ ବେନିଶୋଭା

ଅନଙ୍ଗ ଭଣ୍ଡାର କୁନ୍ଦନ କରି ଥୋଇଅଛି ଅବା ।୧୫୫।

ତ୍ରଭୁବନ ମୋହଇ ତାର ଥନ ବେନି ଦେଖନ୍ତେ

ବସ୍ର ଢାଂକିଅଛି ସେ ସଂସାର ଜନହିତେ ।୧୫୬।

ସଂପୂର୍ଣ୍ଣ ଚନ୍ଦ୍ରମା ଯେ ପଟାନ୍ତର ବଦନକୁ

ତାହାର ମୁଖନିନ୍ଦା କରଇ ଚନ୍ଦ୍ର ଦେବତାଂକୁ ।୧୫୭।

ୟେକାଦିନେ କଳେ ସେ ଯେ ଚନ୍ଦ୍ରମା ସମ୍ପୂର୍ଣ୍ଣ

ପ୍ରଜାପତିର ଶାପ୍ୟେ ତନୁ ତାର କ୍ଷୀଣ ।୧୫୮।

ବଦନ କଳଂକ ସେ ବହିଲାକ ଶଶୀ

ତାହାର ବଦନ ଗୋଟି ଅଟଇ ନିର୍ଦ୍ଦୋଷୀ ।୧୫୯।

ସମସ୍ତ ଗୁଣେ ଲକ୍ଷଣ ସେ ଅଟଇ ଗୁଣବନ୍ତୀ

ଅବଶ୍ୟ ଗୁଣିକ ସେ କଲାକ ପ୍ରଜାପତି ।୧୬୦।

ହୃଦୟ ବିସ୍ତାର ତାହାର ଅତିଅନ୍ତ ପରିମଳ

ତଥି ଉପରକୁ ଭାରା ଅଟେ କୁଚ ଯେ ଯୁଗଳ ।୧୬୧।

ୟେ ମହାଭାରାକଇଂ ଯେ ମଝା ତାର କ୍ଷୀନ୍ନ

ନ ପୁଣ ତୁଟଇ ସେହୁ ବାତ ବିଘାତେଣ ।୧୬୨।

କେତେକାଳ ବସି ତାକୁ ସ୍ରିଜିଲା ବିଧାତା

ତାର ନିମନ୍ତେ ଛାଡ଼ିଲା ନବସୃଷ୍ଟି ଚିନ୍ତା ।୧୬୩।

ଅତିକ୍ଷୀଣ ମଝା ତାର ପଡ଼ିଲେ ଯିବ ତୁଟି

ପୁଣି କେତେକାଳେ ଧାତା ସ୍ରିଜିବ ସେ ପ୍ରତିମା ଗୋଟି ।୧୬୪।

ଶରଦ ଶିଶିର ହେମନ୍ତ ବସନ୍ତ ବରଷା

ଗ୍ରୀଷ୍ମ ୟେ ଷଡ଼ଋତୁ ଭୋଗକରେ ବାରମାସା ।୧୬୫।

ହେମ ଶିଶିରେ ଯେ ତପତ ତାର କାୟେ

ବସନ୍ତ ଗ୍ରୀଷ୍ମେ ଯେ ମଳୟାନିଳ ପ୍ରାୟେ ।୧୬୬।

ବରଷା ଶରଦେ ତାର ବାଳଅର୍କ ତେଜ

ତୋତେହେଂ ପ୍ରାପତ ସେ ହୋଇବ ମନସିଜ ।୧୬୭।

ସେ ସ୍ତିରୀ ନାୟିକା ତୁ ପୁରୁଷ ରତ୍ନକାନ୍ତି

ଅରଣ୍ୟେ ଭାବକଲା ଯେହ୍ନେ ମଧୁକର ମାଳତୀ ।୧୬୮।

ବାବୁ ଦ୍ୱାରିକାକୁ ଅଳଂକାର ଯୁଗତେ ଅଟଇ ସେହି

ତେନ୍ୟାୟୁଂ ପ୍ରଦ୍ୟୁମ୍ନ ହୋ ବେଗେ ଅଇଲୁ ତୋତେ କହି ।୧୬୯।

ବିଶେଷେ ବିରହୀତା ତୋତେ ସେ ପଶିଲା ଶରଣ

ସେ ସ୍ତିରୀ ନାୟିକାକୁ ତୁ ବହନ କରି ଆଣ ।୧୭୦।

ନାରଦେ କହିଲେ ତାର ରୂପଗୁଣ ଯେତେ

ସଞ୍ଚପି କହନ୍ତେ ନ ସରଇ ଦିବାରାତ୍ରେ ।୧୭୧।

ଲେଖନ୍ତେ ଘଟଣ ସେ ସୁସଞ୍ଚ କାମିନୀ

ପରିଜାୟେ ନାମ ବହିଲା ତ୍ରିପୁରମୋହିନୀ ।୧୭୧।

ଶୁଣିଣ ଆରତ ହୋଇଲେ ପୁରୁଷ ମନ୍ମଥ

କାମୋଦ ସାରଥିକି ବୋଇଲା ସାଜ ମୋର ରଥ ।୧୭୩।

ପଞ୍ଚଶର ନାରାଜ କରେଣ ପୁଷ୍ୟଧନୁ

ପୁଷ୍ୟକ ରଥେ ଆରୋହଣ କଲା ଶ୍ରୀକୃଷ୍ଣର ତନୁ ।୧୭୪।

କାମୋଦ ସାରଥି ଯେ ଆକାଶେ ରଥ ବାହି

ଆଗେ କଳହପ୍ରିୟ ମୁନି ବାଟ ଯେ କଢ଼ାଇ ।୧୭୫।

ପଞ୍ଚଶିରା ପର୍ବତେ ବିଜୟେ ଦେବହରି

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ଆଦିକରି ।୧୭୬।

ନାରାୟଣଂକ ଅଗ୍ରତେ ସହଦେବ କହିଲା

ନାରଦଂକ ତୁଲେ ଦେଖ ସେ ପଦ୍ମନ ବିଜେକଲା ।୧୭୭।

ଯେତେଦୁରୁଂ ଯୁଝେଷ୍ଠିଂକର ଦିଶିଲା ଆସନ

ପୁଷ୍ୟେକ ରଥ ତେଜ୍ୟାକଲାକ ବୀର ଯେ ପଦ୍ମନ ।୧୭୮।

ଯୁଝେଷ୍ଠିଂକ ପାଦପଦ୍ମେ ପଦ୍ମନ ପରିଣାମି

କୋଳକରି ଧରି ମୁଖେ ଚୁମ୍ୱନ ଦିଲେ ଯୁଝେଷ୍ଠି ଦେବସ୍ୱାମୀ ।୧୭୯।

ଗୋବିନ୍ଦେ ପ୍ରଶଂସିଲେ ସାଧୁରେ ସହଦେବ

ଧନ୍ୟ ତୁ ପରମ ପଣ୍ଡିତ ଗତ ଆଗତ ଜାଣୁ ସର୍ବ ।୧୮୦।

ନାରଦେ ବୋଇଲେ ତୁମ୍ଭେ ଶୁଣ ଜଗୁପାଳ

ବଜ୍ରଗିରିଦେଶ ରାଜା ଅଟେ ମେରରୁଶୂଳ ।୧୮୧।

ତାହାର ଦୋହିତା ନାମ ତ୍ରିଭୁବନମୋହିନୀ

ତାହାର ନିମନ୍ତେ ଆମ୍ଭେ ପଦ୍ମନକଇଂ ଯାଉଅଛୁଂ ଘେନି ।୧୮୨।

କାର୍ତ୍ତିକେଶ୍ୱରଂକୁ ଆଣି ଯାଇଛନ୍ତି ଦୃଭାସା

ମୀନକେତନକଇଂ ସୁନ୍ଦରୀ ବଢ଼ାଇଛି ମନୀଷା ।୧୮୩।

ଯାଚିଲାର କନ୍ୟା ପ୍ରାପତ ହୋଇଲାର ନିଧି

ସୁସଙ୍ଗ ସୁଫଳ ସୁବେଳ ସୁଜନ ସୁବୁଦ୍ଧି ।୧୮୪।

ନିୟତ ତପୀ ପଣ୍ଡିତ ତୀର୍ଥ ପ୍ରାପତ ଧର୍ମ ମଇତ୍ର

ପ୍ରସନ୍ନ ଦେବତା ଯେ ସୁପୁଣ୍ୟେ ପ୍ରାପତ ।୧୮୫।

ସୁବିଧାନ ଭୂମି ସୁଲକ୍ଷଣୀ ଯେ ଭାରିଯା

ପଣ୍ଡିତ ଭିଗ୍ୟଂଲୋକେ ୟେହା ନ କରନ୍ତି ପରିତେଜ୍ୟା ।୧୮୬।

ଗୋବିନ୍ଦେ ବୋଇଲେ ୟେହା ଅଟଇ ଯୁଗତ

ଆମ୍ଭେହେଂ ଯିବୁ ଯୁଝେଷ୍ଠି ଠାକୁରଂକ ସହିତ ।୧୮୭।

ଜଗନ୍ନାଥେ ବୋଇଲେ ମୁନି ହେ ପଦ୍ମନକୁ ଘେନିଯାଅ

ସେ କନ୍ୟାର ତୁଲେ ୟେହାକୁ ମେଳ ଯେ କରାଅ ।୧୮୮।

ଯେମନ୍ତେ ପଦ୍ମନକୁ ଭଜାଇ ସେ କନ୍ୟା ୟେକା

ମାହୀନ୍ଦ୍ରବେଳେ ନେଇ ପଦ୍ମନକୁ ସେ କନ୍ୟାକଇଂ ଦେଖା ।୧୮୯।

କାର୍ତ୍ତିକେଶ୍ୱର ଘେନି ଯେବେ ଆସିବେ ସଦାନନ୍ଦ

ତାହଂକର ତୁଲେ ପଦ୍ମନରେ ନକରିବ ଦ୍ୱନ୍ଦ ।୧୯୦।

କନ୍ୟାକଇଂ ଘେନି ତୁମ୍ଭେ ଆସ ଅପସରି

ଆମ୍ଭେ ସମର କରିବୁ ଅର୍ଜୁନକୁ ଘେନିକରି ।୧୯୧।

ୟେସନେକ ଆଗ୍ୟାଂ ପାଇଣ ମହାମୁନି

ଚଳିଲେ ଅନ୍ତରୀଚ୍ଛେ ପଦ୍ମନକଇଂ ଘେନି ।୧୯୨।

ଦୃଭାସାୟେ ଗଲେ ୟେଣେ କପିଳାସ ପୁରେ

ପ୍ରବେଶ ହୋଇଲେ ଯାଇଂ କାର୍ତ୍ତିକେଶ୍ୱର ସନ୍ନିଧ୍ୟରେ ।୧୯୩।

ବାବୁ ମେରୁଶୂଳର ଦୋହିତା ତ୍ରିଭୁବନ ମୋହିନୀ

ନାହିଂ ନୋହିବ ପଟାବନ୍ତର ସ୍ୱର୍ଗମଞ୍ଚ ପାତାଳ ପୁରତିନି ।୧୯୪।

ଦଇବେ ଅନ୍ତରସ୍ଥାନେ ସେ ଅସହର ଭୂମି

ଅସୁର ଭୟେ ତହିଂକି କେହି ନୁଆରନ୍ତି ଗମି ।୧୯୫।

ତୋତେ ସେ ବହୁତ ଇଚ୍ଛା କଲାକ ସୁନ୍ଦରୀ

ଉଠ ହୋ କାର୍ତ୍ତିକେଶ୍ୱର ଚାଲ ଯିବା ବେଗେ ବିଜେକରି ।୧୯୬।

ତୁ ଯେ ଆମ୍ଭନ୍ତ ବାବୁ ସଦାକରୁ ମାନନା

ତେଣୁକରି ତୋତେ ଆମ୍ଭେ ଭିଆଇଲୁ ବରାଙ୍ଗନା ।୧୯୭।

ଦୃଭାସାଂକ ବଚନେ କୁମାର ଅତିବେଗେ

ପ୍ରଣପତ୍ୟ ହୋଇ କହିଲେ ସଦାଶିବଂକର ଆଗେ ।୧୯୮।

ସ୍ୱାମୀ ବଜ୍ରଗିରି ଦେଶର ମେରୁଶୁଳ ନୃପମଣି

ତାହାର ନନ୍ଦିନୀ ନାମ ତ୍ରିଭୁବନ ମୋହିନୀ ।୧୯୯।

ଭୋ ଦେବ ଦୃଭାସାଂକ ଆଗେ ସେ କହିଲା ସନ୍ଦେଶ

ବୋଇଲା କାର୍ତ୍ତିକେଶ୍ୱରକଇଂ ମୁନି ହେ ବେଗେ ଘେନିଆସ ।୨୦୦।

କାର୍ତ୍ତିକେଶ୍ୱର ବୋଇଲା ସ୍ୱାମୀ ଯାଚିଲାର କନ୍ୟା ଯେ ରଞ୍ଚିଲା ଭୋଜନ

ୟେହା ଉପେକ୍ଷା କରନ୍ତି ଅପଣ୍ଡିତ ଜନ ।୨୦୧।

ଈଶ୍ୱରେ ବୋଇଲେ ତୁମ୍ଭେ ଯାଅ ଯା ଦୃଭାସା

କନ୍ୟାକଇଂ ଘେନି ତୁମ୍ଭେ ବହନ ଘେନିଆସ ।୨୦୨।

ଶୁଣିଣ କୁମାର ଯେ ସାନନ୍ଦ ହୋଇଲାକ ମନେ

ବିଜୟେ ଈଶାନସୁତ ମୟୁର ବାହାନେ ।୨୦୩।

ୟେକା କୁମାର ସଙ୍ଗେ ଦୃଭାସା ମହଋଷି

ଅନ୍ତରୀଚ୍ଛ ଭୁବନେ ବିଜେକଲେ ଆସି ।୨୦୪।

କାର୍ତ୍ତିକେଶ୍ୱର ବୋଇଲେ ମୁନି ହେ ମେରୁଶୁଳ ତହିଂକି ଚାଲିଯିବା

ରାଜାକଇଂ ଜଣାଇଂ କନ୍ୟାକଇଂ ପ୍ରଦାନ ହୋଇବା ।୨୦୫।

ଯଦ୍ୟପି ନ ଜାଣିମା ରାଜା ମେରୁଶୂଳ

ଚଉର୍ଯ୍ୟକର୍ମ ପ୍ରାୟେ ହୋଇବନା ବଳ ।୨୦୬।

କୁମର ଘେନିକରି ଦୃଭାସ୍ୟା ମହାଋଷି

ମେରୁଶୂଳ ନୃପତିର ପୁରେ ଯାଇଂ ପଶି ।୨୦୭।

କାର୍ତ୍ତିକେଶ୍ୱରକଇଂ ବାହାର ଦ୍ୱାରେ ରୁହାଇ

ମେରୁଶୁଳକଇଂ ମୁନି ଜଣାଇଲେ ଯାଇଂ ।୨୦୮।

ବାବୁ ୟେ ତୋହୋର ଦୋହିତା ଯେ ତ୍ରିଭୁବନ ମୋହିନୀ

ତାହର ନିମନ୍ତେ ଆମ୍ଭେ କାର୍ତ୍ତିକେଶ୍ୱରକଇଂ ଅଇଲୁ ଯେ ଘେନି ।୨୦୯।

ଶୁଣିଣ ସାନନ୍ଦ ସେ ଯେ ମେରୁଶୂଳ ରାଜା

ଦୃଭାସ୍ୟା ମହଋଷିଂକି ସେ କଲାକ ପାଦପୂଜା ।୨୧୦।

ବଡ଼ାକଥା ୟେ ତ କହିଲ ତପୋନିଷ୍ଠି

ପୂର୍ବର ପୁଣ୍ୟେ ମୁହିଂ ଦୁତୀରୁଦ୍ରକଇଂ ଭେଟି ।୨୧୧।

ଅତିଅନ୍ତ ପୁଣ୍ୟ ମୁହିଂ କରିଥିଲି ପୂର୍ବେ

କାର୍ତ୍ତିକେଶ୍ୱର ପ୍ରାୟେ ଜାମାତା ପ୍ରାପତ ହେଲି ୟେବେ ।୨୧୨।

ଦୋହିତାର ମୋହୋର ଅଟଇ ଯେ ପୂର୍ବଭାଗ୍ୟ

ପୂଣ୍ୟନିଧି ପ୍ରାପତ ହୋଇଲା ଆସି ହୋଇଲାକ ମୋର ଆଗ ।୨୧୩।

ପୁରେଣ ଉତ୍ସବ ସେ କରାଇଲା ମେରୁଶୂଳ

ବିଭାର ଯୋଗାଡ଼ ଭିଆଇଲାକ ସକଳ ।୨୧୪।

ଆପଣେ ବିଜୟେ ତହିଂକି କଲାକ ନୃପତି

ଯାଇଂ ଦେଖିଲା କାର୍ତ୍ତିକେଶ୍ୱର ମହୀଯତି ।୨୧୫।

ପାଦଧଉଚ ଅର୍ଘ୍ୟପୂଜା ବିଧିମାନନ୍ତ ଦେଇ

ନବରେ ବିଜୟେ ଯେ କରାଇଲା ରାଜା ନେଇ ।୨୧୬।

ସନ୍ନିଧ୍ୟ୍ୟକୁ ହକାରିଲା ଲକ୍ଷେକ ପୋଇଲି

ତାହାଂକ ମଧ୍ୟ୍ୟେ ମୁଖ୍ୟପାନ ମାତାଙ୍ଗୀ ବୋଲି ମୁଦୁସୁଲୀ ।୨୧୭।

ଅଲେଖ ଯୋଗାଡ଼ ଘେନି ଯାଅରେ ମାତାଙ୍ଗୀ

ଦୋହିତାକୁ ବେଶ ବେଶନ କରାଇଆଣ ବେଗି ।୨୧୮।

ଧାମନ୍ତି ଚତୁରୀୟେ ସେ ମେଢ଼ର ଭିତରେ

ମାଗୋ ଦିଅ ଆମ୍ଭନ୍ତ ବଧାଇ ଅନେକ ସମ୍ଭରେ ।୨୧୯।

ମାଗୋ ଦୂତୀ ଈଶ୍ୱର ଅଟନ୍ତି ଯେବଣ କାର୍ତ୍ତିକକୁମର

ତାରକା ବିଧ୍ୱଂସନ ସେ ତାକୁ ନାହିଂ ପଟାନ୍ତର ।୨୨୦।

ସେ ତୋତେ କାଲି ଯେ ହୋଇବ ଗୋ ବିଭା

ତୋହୋର ସାଦ୍ରିଶ୍ୟେ ସେ ଦିଶିଲାକ ମହାଶୋଭା ।୨୨୧।

ବେଢ଼ଣ ମାଜଣା ତାକୁ କରାବନ୍ତି ବାଳୀ

ପଦ୍ମନ ଉନ୍ୟେଷ ବାଳୀ ହୃଗତେ ଭାଳି ।୨୨୨।

କହି ଯେ ଗଲେ ମୋତେ କହଳପ୍ରିୟ ମୁନି

ମୀନକେତନ ସ୍ୱାମୀକି ମୋର ନଇଲେ ତ ଘେନି ।୨୨୩।

କାର୍ତ୍ତିକେଶ୍ୱରକଇଂ ନାହିଂ ମୋର ଇଛା

ଷଡ଼ଗୋଟା ବଦନ ଶରୀରେ ତାର ସଞ୍ଚା ।୨୨୪।

ୟେକଇ ବଦନ ମୋର ତ୍ରିଭୁବନ ମୋହିନୀ

ଶରୀର ଖଣ୍ଡ ଖଣ୍ଡ କରିବ ଷଡ଼ବଦନ ଘେନି ।୨୨୫।

ହେ ଦୁର୍ଗେ ନାରାୟଣୀ ଗୋ ପୂରାଅ ମନୀଷା

ନାରଦଂକ ବଚନକୁ କଲଇଂ ମୁହିଂ ଆଶା ।୨୨୬।

ତାହାଂକୁ ଆଶକରି କାର୍ତ୍ତିକେଶ୍ୱରଂକୁ ଭାଞ୍ଜିଲେ

କେହୁଣସି କତି ନୋହିବି ପଦ୍ମନ ନଇଲେ ।୨୨୭।

ୟେତେବୋଲି ଆତଙ୍ଗ ଯେ ମେରୁଶୂଳ ଜେମା

ମନେ ଚିନ୍ତାକଲା ଦେବୀ ମୋତେ ଉମା ।୨୨୮।

ଜୟତୁ ମାତାଙ୍ଗୀ ଗୋ ଭବାନୀ କାମକ୍ଷୀ କାମସେଣା

ଜୟତୁ ଜୟ ପ୍ରଜାପତିର ଦୁଲଣା ।୨୨୯।

ଶୁମ୍ଭ ନିଶୁମ୍ଭ ମୋହିନୀ ଗୋ ଅଟୁ ମହାମାୟେ

ବୀରଘଣ୍ଟ ଚାମର ତୁ କଲୁ ମାତ କ୍ଷୟେ । ୨୩୦।

କାନ୍ତିମାଳା ଦଇତକୁ ମର୍ଦ୍ଧିଲୁ ପାଦେ ତୁହି

କାତ୍ୟାୟିନୀ ନାମ ଗୋ ବହିଲୁ ମହାମାୟୀ ।୨୩୧।

ଜୟତୁ ମାତଙ୍ଗୀ ଗୋ ହିମଗିରିବାସୀ

ତୀରୀକୁଳ ମଣ୍ଡଣି ଗୋ ମଦନର ଫାସୀ ।୨୩୨।

ସହସ୍ରେ ଭୁଜ ଯେ ବିକାଶିଲା ଅନଳୁ

ବାଳୁତ ଖେଡ଼କାଳେ ଗୋ ବାରନିଧି କଲୁ ଚଳୁ ।୨୩୩।

ମାଗୋ ନାରଦଂକ ବଚନେ ମୁଂ ପ୍ରତିଆଶ କଲି

ସପନ ନିଧିକି ମୁଂ ପଣନ୍ତ ପସାରିଲି ।୨୩୪।

କାଳେ ଅପ୍ରାପତ ମୋତେ ହୋଉଛି ଗୋ ମାୟେ

କି ଅବା ବାଟେ ମୁନିଂକି ପଡ଼ିଲା ଅପଚୟେ ।୨୩୫।

ତୁ ମୋତେ ପ୍ରସନ୍ନ ଗୋ ହୁଅସି କାମକ୍ଷୀ

ସ୍ତିରୀଲିଙ୍ଗ ବେଦନାକୁ ଗୋ ହୋଅ ମୋତେ ସାକ୍ଷୀ ।୨୩୬।

ସଜନ୍ନ ତାରିଣୀ ମାଗୋ ସୟଶଜନ ଚିନ୍ତା

ଜୟତୁ କାମସେଣୀ କାମକଷ୍ଟ ଉଦ୍ଧରନ୍ତା ।୨୩୭।

ବଶ୍ୟ ଉଚ୍ଚାଟନ ସ୍ତମ୍ଭନ ମୋହନ ଗୋଟିକ ଅଞ୍ଜନ

ତୁହି ସେ ଜାଣୁ ମାଗୋ ସମସ୍ତ ବିଧାନ ।୨୩୮।

ଗୋବିନ୍ଦର ନନ୍ଦନ ଯେ ପଦ୍ମନ ମୋର ବର

ତାଂକୁ ବିନୁ ଆନଚିତ୍ତେ ନ ବଳଇ ମୋର ।୨୩୯।

ଅଲେଖ ମଣ୍ଡଣି ଗୋ ସର୍ବମଙ୍ଗଳେ

ଶୂଦ୍ରମୁନି ସାରୋଳା ଦାସ ଶତଦଣ୍ଡ ପ୍ରଳମ୍ବ ତବ ପଦ୍ମପାଦ ତଳେ ।୨୪୦।

ବହୁତ ବିନୟୀ ହୋଇ ବୋଇଲା ଯହୁଂ ମେରୁଶୂଳର ଦୁଲାଳୀ

ପଦ୍ମନହୁଂ ଆନେ ମନେ ନ ଭାଳଇ ହିଆଳୀ ।୨୪୧।

ମାର୍ଗଶିର ମାସ କୃଷ୍ଣପକ୍ଷ ଯେ ଚଉଠୀ

ବୃହସ୍ପତିବାର ପୁନର୍ବସୁ ନକ୍ଷତ୍ର ଯେ ଘଟି ।୨୪୨।

ବାଣିଜ୍ୟ ନାମେ କରଣ ଶୁଭନାମେ ଯୋଗ

ବିଭାକଇଂ ଅନକୂଳ କରନ୍ତି ବେଗ ବେଗ ।୨୪୩।

ଚତୁର୍ଥ ଦଣ୍ଡ ଥାଉଂ ପ୍ରବେଶ ମୀନଲଗ୍ନ ବେଳା

ପାପଗ୍ରହ ନାହିଂଯେ ନକର ତୁମ୍ଭେ ହେଳା ।୨୪୪।

ପରବେଶ ହୋଇଣ ଯେ କାର୍ତ୍ତିକ ମହାଯତି

ସ୍ୱୀକାର ବରଣ ସେ କରଇ ନୃପତି ।୨୪୫।

ଆପଣେ ପୁରୋହିତ ମହର୍ଷି ଦୃଭାସା

କାର୍ତ୍ତିକେଶ୍ୱର ତ୍ରିଭୁବନ ମୋହିନୀ ଯେମନ୍ତେ ପୂରୋଇ ମନୀଷା ।୨୪୬।

ଶୁଭ ଅନକୂଳେ ଯେ ଧଇଲେ ତପନିଷ୍ଠି

ମଙ୍ଗଳକର୍ମ ସାରିଲେ ବେଳ ତେର ଘଟିରେ ଟି ।୨୪୭।

ସମରାଜ୍ୟ ଲୋକେ ସର୍ବେ ଅନେକ ପ୍ରଶଂସି

କନ୍ୟାକଇଂ ଅହିଂଗ୍ୟ ସ୍ତାନେ ନିଅ ବୋଲି କହିଲେ ଦୃଭାସା ମହଋଷି ।୨୪୮।

ସୁବର୍ଣ୍ଣ ହାନ୍ଦୋଳାରେ ବିଜୟେ ଭାବିନୀ

କରେ ଦୀପାବଳି ଘେନି ମଙ୍ଗଳ ଗାବନ୍ତି କାମିନୀ ।୨୪୯।

ଉଡ଼ନ୍ତି ପାଟଛତ୍ର ଆଲମ୍ବ ପଞ୍ଚୁଲକ୍ଷୀ

ବହୁତ ସମ୍ଭରରେ ବିଜୟେ ଶଶିମୁଖୀ ।୨୫୦।

ବୀରତୁର ଟମକ ଢୋଲ ନିଶାଣ ବାଜଇ ଦାଉଣ୍ଡି

କୁତୂହୋଳେ ବିହଡ଼ନ୍ତି ମତୁଆଳ ନାଟଖଣ୍ଡି ।୨୫୧।

ମନ୍ଦରପର୍ବତ ଉପରେ ବିଜୟେ କାମାକ୍ଷୀ

ଚଳଇ ସୁନ୍ଦରୀ ଯେ ଗୋସାମଣିଂକି ଦେଖି ।୨୫୨।

ଯାଆନ୍ତେଣ ସୁନ୍ଦରୀ ଯେ ରବି ଅସ୍ତଗଲା

ଅନେକ ଦିହୁଡ଼ି ମାଳହୁଳା ସେ ଲାଗିଲା ।୨୫୩।

ପ୍ରଥମ ଦଣ୍ଡେ ଯେ ପ୍ରବେଶ ହୋଇଲାଲ ରାତି

ଦେଉଳ ଭିତରେ ସେ ପଶିଲା ମହାସତୀ ।୨୫୪।

ଦିବ୍ୟବେଶ ଅଳଂକାର ଉପରେଣ ଝୀନବାସ

ଶ୍ରୀକରେ ରତ୍ନ ଆତଞ୍ଜାନି ଘେନି ଅଷ୍ଚରତ୍ନ କୋଶ ।୨୫୫।

କାମସେଣା ଦେବୀକଂର ଛାମୁରେଣ ଥୋଇ

ଶୁତିଲା ସୁନ୍ଦରୀ ଯେ ଦଣ୍ଡ ପ୍ରଳମ୍ବିତ ହୋଇ ।୨୫୬।

ବୋଇଲା ମାତା ଗୋ ପ୍ରସନ୍ନ ହୁଅସି ଅଭୟେ

ଭଗତ ମଚ୍ଛଳ ମାଗୋ ପ୍ରସନ୍ନ ବରଦାୟେ ।୨୫୭।

ମନ କମନା ନିମନ୍ତେ ମୁହିଂ ତୋତେ ଖଟି

ବାୟେଞ୍ଛା ପ୍ରାପତ କରଇ ଗୋ ତ୍ରିଗୁଣ ଗୁଣ ହେଟି ।୨୫୮।

ଯାବତ ଜୀବେ ମାତ ଗୋ ଆଇତବ ଚିନ୍ତା

ତ୍ରିଭୁବନ ମୋହିନୀ ଗୋ ବାଞ୍ଛିତ ଫଳଦାତା ।୨୫୯।

ଯଦ୍ୟପି କାର୍ତ୍ତିକେଶ୍ୱରେ ବରିଲେ ମୋହୋର ପିଅର

ଗୋବିନ୍ଦର ନନ୍ଦନ ଗୋ ବଲ୍ଲଭ ହେଉ ମୋର ।୨୬୦।

ବ୍ରହ୍ମକୁ ଲୟେକର ଚିନ୍ତଇ ଯେହ୍ନେ ଯୋଗୀ

ମୁହିଂ ଦେବୀ ଇଚ୍ଛାକଲି ଗୋ ସମସ୍ତ ପରିତ୍ୟାଗୀ ।୨୬୧।

ମମ ବିନୟେ ଭଗତି ଘେନ ଶୀଘ୍ରଗତି

ପ୍ରସନ୍ନେ ଅପର୍ଣ୍ଣା ଗୋ ମୋତେ ହୋଅସି ବରଦାତ୍ରୀ ।୨୬୨।

ସୁରବର ସୁନ୍ଦରୀ ଗୋ ଶରଣ ଉଦ୍ଧାରିଣୀ

ମୁହିଂ ତୋହୋରେ ଶରଣ ମୋତେ ଉଦ୍ଧର ଗୋସାମଣି ।୨୬୩।

ବହୁତ ଅଜୟେ ଗୋ ଯାହାକୁ ସୁମରନ୍ତେ ବିପଦ ହୋୟେ ଖଣ୍ଡି

ଭଗତଜନ ମଚ୍ଛଳୀ ମୋ ଶରଣ ମଣ୍ଡଳ ଚଣ୍ଡୀ ।୨୬୪।

ତବ ପଦ୍ମପାଦେ ମାଗୋ ମୋହୋର ଭଗତି ଅନୁବ୍ରତେ

ଶ୍ରୀକୃଷ୍ଣ ନନ୍ଦନ ମୀନକେତନକଇଂ ବରଦାନ ଦେବା ମୋତେ ।୨୬୫।

ୟେ କାମକଷ୍ଟରୁ ମୋତେ ଉଦ୍ଧର କାମସେଣା

ମୟାଣ ବାଣେ ମୋତେ ନକର ଗଞ୍ଜଣା ।୨୬୬।

ବଦୟନ୍ତି ଅଗସ୍ତି ବଇବସୁତ ମନୁ ଶୁଣ

ପ୍ରାପତ ସୁନ୍ଦରୀକି ଶୁଭ ଯଏ ଶଂକୁନ୍ୟ ।୨୬୭।

ମନାସନ୍ତେ ବାମନୟନ ତାର ଘନଘନ ଫୁରି

ଈଶାନ କୋଣେ ଶୁଭିଲା ସେ ଝିଟିପିଟି ରଡ଼ି ।୨୬୮।

ଆଗେଣ ଫୁରିଲା ଯେ ଶଙ୍ଖଚିଲ ବାଣୀ

ଉତ୍ତରେ ପୁରୁଷେକ ଛିଂକିଲାକ ପୁଣଇ ।୨୬୯।

ବାମଜାନୁ ତାହାର କମ୍ପଇ ଥରହର

ଶଂକୁନ୍ୟମାନ ଗୁଣି ବାଳୀ ହରଷ ମନର ।୨୭୦।

ଦେଖିଲା ଦେବୀଂକର ବଦନ ଦରହାସୀ

ଶୂନ୍ୟେ ଶୁଭିଲା ଯାଅ ତୁ ସୁନ୍ଦରୀ ପଦ୍ମନ ଭାରିଯା ହୁଅସି ।୨୭୧।

ୟେସନେକ ଭାବେଣ ସେ ପାଇଲା ପ୍ରାର୍ଥନା

ଦେଉଳୁଂ ବାହର ସେ ହୋଇଲା ବରାଙ୍ଗନା ।୨୭୨।

ଦ୍ୱାରେଣ ବିଜୟେ ଯେ ତ୍ରିଭୁବନ ମୋହିନୀ

ଦେଖିଲା ନାରଦେ ପଦ୍ମନକୁ ଆସୁଛନ୍ତି ଘେନି ।୨୭୩।

ନାରେଦ ବୋଇଲେ ଗୋ ଶୁଣ ଶୁଭ୍ରକେଶୀ

ୟେ ସେ ମୀନକେତନ ବରଣମାଳା ଦେସି ।୨୭୪।

ବାଳକାଳେ ଧ୍ୱଂସିଲା ୟେ ସୟମ୍ବର ପୁରୀ

ମାୟାବତୀର ବଲ୍ଲଭ ୟେ ପୁଷ୍ୟ ଚାପଧାରୀ ।୨୭୫।

ବେନି ନୟନ ଭେଦିଲା ପଦ୍ମନ ରୂପ ଦେଖି

ଭୟେଣ ସଂକୋଚେ ସେ ଲଜ୍ଜାକୁ ଉପେକ୍ଷି ।୨୭୬।

ହା ହା ନାଥ ବୋଲି ଆରତେ ଶୁଭ୍ରକେଶୀ

ବେନିଭୁଜେ କୋଳକରି କଟିମେଖଳାକୁ ଜାନୁ ଭିଡ଼ି ବସି ।୨୭୭।

କଣୟ ଲିଙ୍ଗେ ଯେସନେ ମାରଗମେଖଳି

ପଦ୍ମନ ଶରୀରକୁ ତେସନ ଦିଶିଲାକ ବାଳୀ ।୨୭୮।

କନ୍ୟାର ରୂପଗୁଣ ପଦ୍ମନ ବୀର ଉପଲେଖି

ନାରଦକଇଂ ବହୁତ ବିନୋପଇ ଶଶୀମୁଖୀ ।୨୭୯।

ମାଳାଗୋଟି କଣ୍ଠେନେଇ ଲମ୍ବାଇଲା ସୁନ୍ଦରୀ

ରଥେ ନେଇ ପଦ୍ମନ ବସାଇଲା କୋଳାଗ୍ରତ କରି ।୨୮୦।

ପ୍ରଥମ ପ୍ରବେଶ ଯେ ବେନିଘଡ଼ି ରାତି

ଦେଖୁଂ ଦେଖୁଂ ବିମାନ ହୋଇଲା ଉର୍ଦ୍ଧ୍ୱଗତି ।୨୮୧।

ହାନ୍ଦୋଳ ଅଛି ଯେ ତହିଂ କନ୍ୟା ପୁଣ ନାହିଂ

କିମ୍ଭୁତ ମାୟା ହେଲା ୟେଥୁ କନ୍ୟା ଗଲା କାହିଂ ।୨୮୨।

କନ୍ୟାର ରୂପଗୁଣ ଦେଖି ଅବା ହରିଲେ ଗନ୍ଧର୍ବେ

ଅଥବା କାମାକ୍ଷୀ ଦେବୀ ଭକ୍ଷିଲାକ ଲୋଭେ ।୨୮୩।

ମେରୁଶୂଳ ଅଗ୍ରତେ କହିଲେ ଚାର ଯାଇଂ

ଅହିଗ୍ୟଂ ସ୍ତାନୁଂ ଦେବ କନ୍ୟାଗଲା କାହିଂ ।୨୮୪।

ଶୁଣିଣ ସେ ଅସୁରେଶ୍ୱରକୁ ନ ଫୁରଇ କିଛି

ଅଦଭୂତେ କେ ନେଲାରେ ସମସ୍ତ ଅଛ ରକ୍ଷୀ ।୨୮୫।

ଅସୁର ଭୁବନେ ଶୁଭଇ ଅତିଗୋଳ

ମଥାରୁ କୁମାର କାଢ଼ି ପକାଇଲା ଲୋଳ ।୨୮୬।

ବୋଲଇ କେରେ ଅଦଭୁତେ ହରିଲା ମୋହ ଯୁବତୀ

ରାଗେଣ କାର୍ତ୍ତିକେଶ୍ୱର ଘେନିଲା ଶୂଳ ଯେ ଶକତି ।୨୮୭।

କାମାକ୍ଷୀ ଦେବୀଂକର ଦେଉଳ ଭିତରେ

ଲୋଡ଼ନ୍ତି ଚଉକତି ବେଢ଼ିଣ ସମ୍ଭରେ ।୨୮୮।

ନାରଦେ ବୋଇଲେ ବାବୁ ଶୁଣ ହୋ ଅନଙ୍ଗ

କନ୍ୟା ଘେନି ଚଳଯାସି ଶ୍ରୀକୃଷ୍ଣର ସଙ୍ଗ ।୨୮୯।

କେମନ୍ତେ ଚରିତ ଉପୁଜଇ ମେରୁଶୂଳ ପୁରେ

ଦେଖିବା କଉତୁକ ଆମ୍ଭେ ରହିଣ ୟେହିଠାବରେ ।୨୯୦।

ପଦ୍ମନ ପଠିଆଇ ବାହୁଡ଼ିଲେ ତପୋନିଷ୍ଠି

କାମାକ୍ଷୀ ଦେବୀଂକର ଦେଉଳ ସନ୍ନିଧ୍ୟରେ ଯାଇଂ ଭେଟି ।୨୯୧।

ଦୃଭାସାଂକୁ ଦେଖି ପୁଚ୍ଛାକଲେ କଳି ଯେ କତର

ହଜିଲା ଦ୍ରବ୍ୟ ପରାୟେତ କିସ ତୁମ୍ଭେ ଲୋଡ଼ ।୨୯୨।

ଦୃଭାସାୟେ ବୋଇଲେ ଆକାଶ ଗଙ୍ଗାର ନିକଟେ

ତୁମ୍ଭନ୍ତ ଆମ୍ଭେ ଯାହା କହିଥିଲୁଂ ଯାଉଂ ଯାଉଂ ବାଟେ ।୨୯୩।

ମେରୁଶୂଳର ଦୋହିତା ତ୍ରିଭୁବନ ମୋହିନୀ

ତାହା ନିମନ୍ତେ ଅଇଲୁ ଆମ୍ଭେ କାର୍ତ୍ତିକେଶ୍ୱରକଇଂ ଘେନି ।୨୯୪।

ବିଭାରକାଳ ଯେ ଅହିଗ୍ୟେଂ ଗଲାକ କୁମାରୀ

କିମ୍ଭୁତ ମାୟା ଆମ୍ଭେ ଜାଣିତ ନୁଆରି ।୨୯୫।

ୟେହିଠାରେ ଅଛନ୍ତି ଯେ ଅନେକ ଦୂତମାନେ

କେହି ନ ଦେଖିଲେ ସେ କନ୍ୟା କେଣେ ଗଲା ଅନ୍ତର୍ଦ୍ଧାନେ ।୨୯୬।

ନାରଦେ ବୋଇଲେ ତୁମ୍ଭେ କିଛିହିଂ ନଜାଣ

ଜାତକ ଯାତ୍ରାଯୋଗେ ତୁମ୍ଭେ ଅନକୂଳ ନ ଗଣ ।୨୯୭।

କାର୍ତ୍ତିକେଶ୍ୱର ଯେ କୃର୍ତ୍ତିକା ବୃଷରାଶି

ବୃହସ୍ପତି ଅଷ୍ଟମେ ବିଭାଯୋଗ ନୁଆସି ।୨୯୮।

ଅହିଗ୍ୟୁଂ ଆସନ୍ତେ ଯେ ରାଜାର କୁମାରୀ

ଦିଗବିଜେ କରଇ ଯେ କୁମାର ଶୟମ୍ବର ଅଇରି ।୨୯୯।

କାମାକ୍ଷୀ ଦେବୀଂକି ସେ ଦେଖିବା ନିମନ୍ତେ

ଦେଉଳ ଭିତେର ପଶିଲା ବୀର ମନୁମଥେ ।୩୦୦।

ତ୍ରିଭୁବନ ମୋହିନୀ ପଦ୍ମନର ହୁଅନ୍ତେ ଭେଟାଭେଟି

ପଦ୍ମନର କଣ୍ଠେ ଲମ୍ବାଇଲା ସୁନ୍ଦରୀ ବରଣମାଳା ଗୋଟି ।୩୦୧।

ବୋଇଲା ଭୋ ନାଥ ମୁଂ ତୋହୋରେ ଶରଣ

ୟେ କାମକଷ୍ଟରୁ ମୋତେ ଉଦ୍ଧାର ମୟାଣ ।୩୦୨।

ତୁ ମୋହୋର ବଲ୍ଲଭ ହୋ ମୁଂ ତୋହୋରେ କଲାଇଂ ବରଣ ।୩୦୩।

ବିଶେଷରେ ପଦ୍ମନ ବାଳୁତ ଭାବମତି

କନ୍ୟାକଇଂ ଘେନିଣ ଗଲାକ ତତକ୍ଷଣାନ୍ତି ।୩୦୪।

ସଙ୍ଗେ ଥାଠ ସଇନ୍ୟ ନାହିଂ ସର୍ବେ ୟେକା

ଆମ୍ଭେ ଦେଖି ଅଇଲୁଂ କନ୍ୟା ଘେନି ଗଲାନି ଦ୍ୱାରିକା ।୩୦୫।

ତାହାରେ ତାହାରେ ଯେ ପ୍ରିୟଭାବ ଅଛି

ଅନିଚାର ଲଗ୍ନ ନୋହିଲା କାର୍ଯ୍ୟ କିଛି ।୩୦୬।

ନାରଦ ବଚନେ କାର୍ତ୍ତିକ ଉଠିଲା ଗଳଗାଜି

ଆଜ ସେ ଦ୍ୱାରିକା ପୁର ମୁଂ ପକାଇବି ଭାଞ୍ଜି ।୩୦୭।

ନାରଦ ବୋଇଲେ ୟେ ଅଟଇ ଅବିଚାର

ତୋହୋରେ କନ୍ୟା ନେମାକୁ ଆନେ ଦର୍ପ କାହାର ।୩୦୮।

ନିଳେନ୍ଦୀ କନ୍ୟା ହରଣ ପ୍ରାୟେ ହେଲା ବାବୁ

ଶ୍ରୀକୃଷ୍ଣ ନନ୍ଦନକୁ ଯେ ତୁ ମାରିଥିଲୁ ସବୁ ।୩୦୯।

ସେ କଥା ପାଶୋରି କି ଗଲା ତାର ମନୁଂ

ୟେବେ ତୋ ଭାରିଯାକୁ ପଦ୍ମନ ହରିଲା ଜାଣୁଂ ଜାଣୁଂ ।୩୧୦।

ୟେକ ଭାରିଯା ତୋହୋର ଆନନ୍ଦାନନ୍ଦ ନେଲା

ୟେବେ ତ୍ରିଭୁବନ ମୋହିନୀକି ପଦ୍ମନ ହରିଲା ।୩୧୧।

ଧିକ ଧିକ କାର୍ତ୍ତିକ ତୋର ଷଡ଼ ଯେ ବଦନ

ଈଶ୍ୱର ନନ୍ଦନ ତୁ ତୋର ନାରୀ ହରିନିୟେ ଆନ ।୩୧୨।

ତାରକା ନିଶୋଧନ ତୁ ଅନ୍ଧେକ ଦର୍ପଗଞ୍ଜା

ଶଉଦାସ ନିଶୋଧନ ତ୍ରିପୁର ବଳଗଞ୍ଜା ।୩୧୩।

ଅଗ୍ୟାନେ ବାଳୁତପଣେ ପଦ୍ମନ କଲାକ ୟେଡ଼େ କୃତ୍ୟ

ନାରାୟଣ ଦେଖନ୍ତେ ୟେହା କେ ସହିବାର ଯୁଗତ ।୩୧୪।

ପୁଣି ବୋଇଲେ ତୋତେ ବୋଲିବାନା କିସ

ବିଭା ହୋଇଲା କନ୍ୟା ତୋତେ କଲାକ ଅବିଶ୍ୱାସ ।୩୧୫।

ସାମାନ୍ୟ କଥା ସିନା ଶୁଣିବାକୁ ବଡ଼ ଲଜ୍ଜା

ବିଭା ହୋଇଲା ଠାବରୁ ଆନ ନେଲା ତୋ ଭାରିଯା ।୩୧୬।

ୟେତେ ବୋଲି ଟହ ଟହ ହସିଲେ ମହାମୁନି

ୟେଡେ ବିଡ଼ମ୍ବଣ କଲା ସେ ମେରୁଶୂଳର ନନ୍ଦନୀ ।୩୧୭।

ତ୍ରଇଲୋକ୍ୟେ କାର୍ତ୍ତିକ ତୋତେ ହୋଇଲା ୟେଡ଼େ ଲାଜ

କି ବୋଲି ବୋଲିବେ ତୋତେ ଦେବାଧି ଦେବରାଜ ।୩୧୮।

ନାରଦଂକ ଝିଂଘାସ ବହୁତ ବୋଲ ଶୁଣି

କୋପେଣ କୁମାର ଯେ ଉଠିଲା ଶିରଝୁଣି ।୩୧୯।

କୋପେ କୋହାବଇ ସେ ପ୍ରତାପୀ ମେରୁଶୂଳ

ଧାଇଂଲେ ବେନିୟେ ତୁଲେ ନାହିଂ ସନ୍ୟବଳ ।୩୨୦।

ପଦ୍ମନ ଯେ ଗଲା ତ୍ରିଭୁବନ ମୋହିନୀକଇଂ ଘେନି

ବଳାଙ୍ଗୀ ନଦୀକୂଳେ ଭେଟିଲା ହରି ଅର୍ଜୁନ ବେନି ।୩୨୧।

କନ୍ୟାକୁ ଘେନିଣ ଯେ ମାୟାବତୀର ବଲ୍ଲଭ

ପାଦ ପୂଜାକଲା ସେ ପାଥବ ପଦ୍ମନାଭ ।୩୨୨।

କନ୍ୟାକୁ ଦେଖି ଦେବ କରନ୍ତି ଧନି ଧନି

ବାବୁରେ ଦ୍ୱାରିକା ମଣ୍ଡଣି ୟେ ଅଇଲୁ କନ୍ୟା ଘେନି ।୩୨୩।

ବଧୂଂକୁ ଘେନିଯାଅ ବାବୁ ଦ୍ୱାରିକା ଭୁବନକୁ

ଅସୁର ଥାଠ ପଲାଣିରେ ଆମ୍ଭେ ଓଗାଳୁଂ ସିନା ତାହାଂକୁ ।୩୨୪।

ଅନେକ କଲ୍ୟାଣ ବାଞ୍ଛା କଲେକ ଚକ୍ରଧାରୀ

କନ୍ୟା ଘେନି ପଦ୍ମନ ଗଲା ଦ୍ୱାରାବତୀ ପୁରୀ ।୩୨୫।

ମଳୟା ପର୍ବତେ ହରି ଅର୍ଜୁନ ଛନ୍ତି ରହି

କାର୍ତ୍ତିକ ମେରୁଶୂଳ ଦୁହେଂ ଆସୁଛନ୍ତି ବାହି ।୩୨୬।

କାର୍ତ୍ତିକ ଚଢ଼ିଅଛି ମୟୂର ପଚ୍ଛୀ ଗୋଟି

ମେରୁଶୂଳ ବିଜୟେ ସଂପାତି ପଚ୍ଛୀର ପିଠି ।୩୨୭।

କାର୍ତ୍ତିକ କରେ ଧରିଅଛି ଅମୋହ ଶକତି ଶୂଳ

କୋଦାଳ ଆୟୁଧ ଯେ ଧରିଛି ମେରୁଶୂଳ ।୩୨୮।

ମନ୍ଦର ବିଝଂଗିରି ଦୁହେଂ କି ଆସୁଛନ୍ତି ଉଠି

ଦେଖନ୍ତି ପର୍ବତେ ଥାଇଂ ଶ୍ରୀକୃଷ୍ଣ ଯେ କିରୀଟୀ ।୩୨୯।

ବଇନେତ୍ର ପିଠିରେ ବିଜୟେ ଦେବ ଯେ ଗୋବିନ୍ଦେ

ମୟୂର ଦେଖି ଗରୁଡ଼ କଲା ଘୋରନାଦେ ।୩୩୦।

ଦେଖିଣ ମୟୂର ଯେ ଯୋଜନେକ ଅପସରି

ମେରୁଶୂଳ ରହିଲା କରେ କୋଦାଳ ଆୟୁଧ ଧରି ।୩୩୧।

ସନ୍ଧ୍ୟା ଅବକାଶେ ଯେହ୍ନେ ଦିଶନ୍ତି ପର୍ବତେ

ମେରୁଶୂଳ ଦେହ ଯେ ଦିଶଇ ସେହିମତେ ।୩୩୨।

ସମ୍ପାତି ବାହାନେ ସେ ଚମ୍ପାଇ ମେରୁଶୂଳ

ନାରାୟଣଂକ ଅଗ୍ରତେ ସେ ବୁଲାଇ କୋଦାଳ ।୩୩୩।

ନାରଦେ ବୋଇଲେ ତୁହୋ ଶୁଣସି ଦଇତା

ୟେହାର ପୁତ୍ର ହରିଲାଟି ତୋହୋର ଦୋହିତା ।୩୩୪।

ଶୁଣିଣ କୋହାନଳ ସେ ଅସୁର ମେରୁଶୂଳ

ଗିରିବର ଉପାଡ଼ିଣ ସେ ଧଇଲା କରସ୍ତଳ ।୩୩୫।

ଗଦାବର ପ୍ରାୟେକରି କୋପେଣ ବୁଲାଇ

ନାରାୟଣ ଉପରେ ପ୍ରହାରିଲା ନେଇ ।୩୩୬।

ଗିରି ପଡ଼ନ୍ତେ ପଚ୍ଛୀ ପାତିଲା ଖଗେଶ୍ୱର

ପକ୍ଷୀରେ ପର୍ବତ ପଡ଼ି ହୋଇଲା ଶତେଚୂର ।୩୩୭।

ନିର୍ଘାତ ଶରେକ ଯେ ପେଷିଲା ଫାଲଗୁନି

ମେରୁଶୂଳ ଉପରକୁ ଶସ୍ର ବିନ୍ଧଇ କରେ ଘେନି ।୩୩୮।

ନାରାଜ ପଡ଼ନ୍ତେ ଯେ ଦେଖିଲା ମେରୁଶୂଳ

ଅର୍ଜୁନ ନାରାଜକୁ ପାତିଲା ବକ୍ଷସ୍ତଳ ।୩୩୯।

ବକ୍ଷସ୍ଥଳେ ନାରାଜ ପଡ଼ି ହୋଇଲା ଶତଚୂନା

ବଜ୍ରଅଙ୍ଗ ଶରୀର ନାହିଂ ତାର ସେହ୍ନା ।୩୪୦।

ଦେଖିଣ ଅସୁର ଯେ ବୁଲାଇ କୋଦାଳ

ଅର୍ଜୁନ ଉପରେ ନେଇ ପିଟିଲା କୋହାନଳ ।୩୪୧।

ଶସ୍ର ପଡ଼ନ୍ତେ ଅର୍ଜୁନ ଶରୀରେ ନ ଭେଦି

ପାଶୁପତ୍ର ନାରାଜେ ବାସେବୀ ତାହା ଛେଦି ।୩୪୨।

କୋପେ ମେରୁଶୂଳା ଆରେକ କୋଦାଳ ପ୍ରହାରିଲା

ମଳୟାଗିରି ପର୍ବତ କୋପେ ତାଡ଼ିଣ ଧଇଲା ।୩୪୩।

ସେ ପର୍ବତେ ଉପରେ ଛନ୍ତି ଜଗନ୍ନାଥ ଫାଲଗୁନି

ଗରୁଡ଼ ସହିତେଣ ଅଛନ୍ତି ଜଣତିନି ।୩୪୪।

କୋଦାଳ ଘେନିଣ ସେ ଦୁରାନ୍ତକ ରାକ୍ଷସ ପ୍ରତ୍ୟକ୍ଷ

କୁରାଳଚକ୍ର ପ୍ରାୟେ ବୁଲାଇ ଅନ୍ତରୀକ୍ଷ ।୩୪୫।

ବୁଲାଇଣ ଫିଙ୍ଗି ଦିଲାକ ଦୁରାନ୍ତେ

ପଞ୍ଚଯୋଜନ ଅନ୍ତେ ପଡ଼ିଲେ କୃଷ୍ଣ ପାର୍ଥେ ।୩୪୬।

ପର୍ବତ ସହିତେ ଆବର ପଚ୍ଛୀବର

ପଡ଼ିଣ ଗିରିବର ହୋଇଲା ଶତେଚୂର ।୩୪୭।

ବିନତାର ନନ୍ଦନ ଯେ ଅତିବେଗେ ଉଡ଼ି

ମେରୁଶୂଳ ଅଗ୍ରତେ ଦିଲା ଘୋରରଡ଼ି ।୩୪୮।

ପୁଣ ପୁଣ ପ୍ରହାର ଯେ କରାଇ ମେରୁଶୂଳ

ଗରୁଡ଼ ପିଠିରେ ନେଇ ପିଟିଲା କୋଦାଳ ।୩୪୯।

ଦେଖିକରି ବଇନେତ୍ର ପାତିଲାକ ଥଣ୍ଟ

ବେନିଖଣ୍ଡ ହୋଇ ଭାଜିଲା କୋଦାଳର ବେଣ୍ଟ ।୩୫୦।

ଶୂନ୍ୟହାଥ ହୋଇକରି କୋପେଣ ଦୁରାନ୍ତ

ଗରୁଡ଼ ଉପରେ ନେଇ ପ୍ରହାରିଲା ବଜ୍ରମୁଥ ।୩୫୧।

ଦେଖିଣ ନାରାଜ ଯେ ବିନ୍ଧିଲା ଫାଲଗୁନି

ସେ ଶହସ୍ର ଅସୁର କରେ ଧାଇଂ ଘେନି ।୩୫୨।

ପୁଣି ଫାଲଗୁନି ଯେ ପର୍ବତା ଶସ୍ର ମାରି

ମେରୁଶୂଳ ଉପରେ ହୋଇଲାକ ଚୂରି ।୩୫୩।

ପର୍ବତ ବିଅର୍ଥ ଦେଖନ୍ତେ ପାଣ୍ଡବ ପଞ୍ଚାଣ

ଧାତିକାରେ ଅର୍ଜୁନ ବିନ୍ଧିଲା ଅଗ୍ନିବାଣ ।୩୫୪।

ଦେଖିଣ ମେରୁଶୂଳ ତୁଣ୍ଡ ଯେ ବିସ୍ତାରି

ସେ ମହା ଅନଳଶର ଦାନବ ଗର୍ଭରେ ସଂଘରି ।୩୫୫।

ସମର କରନ୍ତେଣ ଆଦିତ୍ୟ ଅସ୍ତଗଲା

ବାହୁଡ଼ି ମେରୁଶୂଳ ନିଜ କଟକେ ମିଳିଲା ।୩୫୬।

କୋଦାଳ ଆୟୁଧ ଭାଞ୍ଜିଥିଲାକ ତାହାର

ଲୋହଗିରି ପର୍ବତ ଉପାଡ଼ିଲା ମହାବୀର ।୩୫୭।

ଯୋଜନେକ ଆୟେତନ ପଞ୍ଚଯୋଜନ ଯେ ସ୍ଥଳୀ

ସେ କୋଦାଳ ଆୟୁଧରେ ବେଣ୍ଟ ଦିଲା ଭରି ।୩୫୮।

ପୁଣ ମୟୂର ଆରୋହିଣ କାର୍ତ୍ତିକେଶ୍ୱର ଯତି

ମେରୁଶୂଳ ସନ୍ନିଧ୍ୟେ ସେ ମିଳିଲେ ତଡ଼ତି ।୩୫୯।

ମେରୁଶୂଳ ବୋଇଲେ ସ୍ୱାମୀ ଦୁତୀ ଯେ ଈଶ୍ୱର

ତାହାକୁ ସମାନ ଯେ ନୋହେ ତୋ ସମର ।୩୬୦।

ସମରେ ନ ଘୁଞ୍ଚିଲେ ସେ ମୋହୋର ଶରଘାତେ

ଶରୀର କମ୍ପଇ ମୋର ତାଂକ ଶର ବିଘାତେ ।୩୬୧।

କାର୍ତ୍ତିକେଶ୍ୱର ବୋଇଲା ଶୁଣସି ମହାରାଜ

ଉଭା ହୋଇଣ ସମର ଦେଖ ମୋହୋର ଆଜ ।୩୬୨।

ପୁଣ ସମରେ ସଜ ହୋଇଲେ କାର୍ତ୍ତିକେ ମେରୁଶୂଳ

ହରି ଅର୍ଜୁନ ଅଛନ୍ତି ତମାଳ ତରୁ ବୃକ୍ଷତଳ ।୩୬୩।

ଅର୍ଜୁନ ବୋଇଲେ ସ୍ୱାମୀ କାର୍ତ୍ତିକ ତୁଲେ ଯୁଝ

ମେରୁଶୂଳର ତୁଲେ ସମର ମୋର ବୁଝ ।୩୬୪।

ବିଜୟେ ନାରାୟଣ ଯେ ଖଗେବର ପିଠି

ମେରୁଶୂଳ ତୁଲେ ସେ ସମର କିରୀଟୀ ।୩୬୫।

ଗର୍ଜିଣ ବଇନେତ୍ର ଯେ କଲା ପକ୍ଷଘାତ

କାର୍ତ୍ତିକେଶ୍ୱରକଇଂ ଘେନି ମୟୂର ପଡ଼ିଲା ଯୋଜନ ସାତ ।୩୬୬।

ବାହାନ ତେଜ୍ୟା କରିଣ ସଦାନନ୍ଦର ବଚ୍ଛି

ଦଣ୍ଡ କୋଦଣ୍ଡ ଘେନି ସମରେ ଆସି ପଶି ।୩୬୭।

ୟେକା ପାଦକରେ ଯେ ଶତେ ଯୋଜନ କ୍ଷେପି

ଛଡ଼ଶିର ଦ୍ୱାଦଶଭୂଜ ଅଭୟେ କାମରୂପୀ ।୩୬୮।

ଶିକ୍ଳାମ୍ୱର ଶରୀର ଶୁଦ୍ଧ ସଷ୍ଟିକ ପରାୟେ

ବିକଟ ବକ୍ରନେତ୍ର ଜମ୍ୱୁପଟଳ ସୁର୍ଯ୍ୟତେଜ ଶୋହେ ।୩୬୯।

ଶ୍ରୀଭୁଜେ ଶୋଭାବନ ପରଶୁ କୋଠାର ମୁଦୁଗର

ପିନାକ ପଶୁପତ୍ର ପରିଘ ହାଥେ ଅସିବର ।୩୭୦।

ବୀରବେଶ ଅଳଂକାର ସଦାନନ୍ଦ ଯେ ବଳା

ତାରକା ନିଶୋଧନ କ୍ଷତ୍ରିୟ ଅଚାର୍ଗଳା ।୩୭୧।

ଆଦିତ୍ୟ ପ୍ରଦୋଷେ ଯେହ୍ନେ ଦିଶନ୍ତି ଗିରିବର

ସେହି ସାଦୃଶେ ଦିଶଇ ୟେକକନ୍ଧ ଷଡ଼ଶିର ।୩୭୨।

କାର୍ତ୍ତିକ ପ୍ରତିଉତ୍ତର ନାରାୟଣ ଅଗ୍ରତେ

ଆଦିହିଂ ଦୃଭାସାୟେ କନ୍ୟା ବରିଲେକ ମୋତେ ।୩୭୩।

ପାପପୁଣ୍ୟ ଦୁଇ ଗ୍ୟାନକରେ କିଛିହିଂ ନ ବିଚାରି

ଅହିଗ୍ୟଂ ସ୍ଥାନରୁ ରେ କନ୍ୟା ନେଲ ଚୋରିକରି ।୩୭୪।

ଶିଶୁପାଳ ବିଭାକାଳେ ଯେହ୍ନେ ହରି ଆଣିଲୁ ରୁକ୍ମଣୀ

ପୁତ୍ରକଇଂ ସେହିମତି କରାଇଲୁ ଚକ୍ରପାଣି ।୩୭୫।

ବେଳେ ବେଳେ ତୁମ୍ଭେମାନେ କର ଯେ ଚଉର୍ଯ୍ୟ

ଚଉର୍ଯ୍ୟପଣ କର୍ମ ତୁମ୍ଭର ଜାଣିମାକ ଆଜ ।୩୭୬।

ଗୋଳକୁଣ୍ଡା ପାଣ୍ଡବେ ଯେ ୟେ ତୋହୋର ସଖା

ଆଜ କେହୁ ରକ୍ଷାକରି ପାରି ତୋହୋର ଦ୍ୱାରିକା ।୩୭୭।

ଜୀବନେ କାର୍ଯ୍ୟ ଯେବେ ଅଛଇ ତୁମ୍ଭର

ବହନକରି କନ୍ୟାଗୋଟିକି ଦିଅସି ମୋହୋର ।୩୭୮।

ଯଦ୍ୟପି କନ୍ୟାଗୋଟି ମୋର ନ ଦେବଟି ଅବା

କୃଷ୍ଣ ପାଣ୍ଡବେ କେ ରକ୍ଷା କରିଯେ ପାରିବା ।୩୭୯।

କାର୍ତ୍ତିକେ ପ୍ରତିଉତ୍ତରେ ବୋଲନ୍ତି ବାସୁଦେବେ

ଅପାର ଦୁର୍ଧର୍ଷ ବଚନ ରେ ତୁ ବୋଲୁ ମତ୍ତଗର୍ବେ ।୩୮୦।

ଉନୁମତି କନ୍ୟା ଯୁବା ବୟସ ତିରୀ

ନ ବେଦନ୍ତି ପରାପର ୟେ ହୁଅନ୍ତି ଇଚ୍ଛାୟେଣ ବରି ।୩୮୧।

ତୁମ୍ଭେ ତପୋଧନୀ ନିରାକାର ଦୀକ୍ଷା

ତିରୀଲିଙ୍ଗ ବିଳସନେ ତୁମ୍ଭର କିସ ଇଚ୍ଛା ।୩୮୨।

ମାଗିବ ପଞ୍ଚୁଭିକ୍ଷା ସାଧିବ ଯୋଗପଦ

ନ ଇଚ୍ଛିବ ଶୃଙ୍ଗାର ଯେ ଯୋଗ ପରମାଦ ।୩୮୩।

ନାରାୟଣ ମୁଖେ ୟେସନେକ ବାକ୍ୟ ଶୁଣି

କୋପେଣ ଗର୍ଜଇ କୁମାର କାଳସର୍ପ ଜାଣି ।୩୮୪।

ବାତେ କଦଳୀପତ୍ର ଜାଣି କମ୍ପଇ ତାର ଅଙ୍ଗ

ନାରାଜ ପୂରୋଇଲା ସେ ପିନାକ ଶାରଙ୍ଗ ।୩୮୫।

ଅନଳତେଜ ପ୍ରାୟେ ନାରାଜ ତୀକ୍ଷମୁନା

ସହସ ନାରାଜ ପେଷିଲା ହରିର ବଜ୍ରସେହ୍ନା ।୩୮୬।

ପୃଥିବୀ ଦିଶିଲା ଯେ ଉଲୁକାପାତ ମୟେ

କମ୍ପନ୍ତି ଦିଗପାଳେ ଯେ ଯୁଗାନ୍ତକ କାଳପ୍ରାୟେ ।୩୮୭।

କାର୍ତ୍ତିକେଶ୍ୱର ଶରଘାତ ନାରାୟଣ ଦେଖି

ସହସ୍ରଂକ ତେଜେ ହରି ବୁଜିଲେ ବେନି ଆଖି ।୩୮୮।

ଦେଖିଣ ଖଗେଶ୍ୱର ପାତିଲା ପକ୍ଷୀଲଟା

ପଡ଼ିଣ ନାରାଜମାନ ହୋଇଲେ ଭଗନସ୍ତା ।୩୮୯।

କାର୍ତ୍ତିକ ସମର ଦେଖି ବଦୟନ୍ତି ଶ୍ରୀବତ୍ସି

ବହୁତ ଦ୍ୱନ୍ଦ ହୋଇଲେ ନୋହିବ କାର୍ଯ୍ୟ କିଛି ।୩୯୦।

ଦୃଭାସାୟେ ଥିଲେ କାର୍ତ୍ତିକେଶ୍ୱର ତୁଲେ

କପିଳାସ କନ୍ଦରେ ଯାଇଂ ସଦାନନ୍ଦଂକୁ କହିଲେ ।୩୯୧।

ସ୍ୱାମୀ ଆମ୍ଭନ୍ତ ରାଇ କାର୍ତ୍ତିକେଶ୍ୱରକଇଂ ବରିଲା କୁମାରୀ

ପଦ୍ମନ ଚିତ୍ରପଟ ନାରଦେ ତେଣେ କରି ।୩୯୨।

ବିରହିତା ବାମା ସେହୁ ମଦନେ ଆରତି

ପଦ୍ମନକୁ ଦେଖି ବାଳୀ ବଳାଇଲା ମତି ।୩୯୩।

କାର୍ତ୍ତିକେଶ୍ୱର ତେଣେ ବିଭାକୁ ଅଛି ବସି

ଅହିଗ୍ୟଂ ସ୍ଥାନୁଂ ପଦ୍ମନ କନ୍ୟାକୁ ମିଳିଲାକ ଆଶି ।୩୯୪।

ପଦ୍ମନକୁ ବରିଲା ସେ ତ୍ରିଭୁବନ ମୋହିନୀ

କରେଣ ସୁନ୍ଦରୀ ଯେ ମାଳାୟେକ ଘେନି ।୩୯୫।

କନ୍ୟା ଘେନି ପଦ୍ମନ ଦ୍ୱାରିକାକୁ ଗଲେ

ମେରୁଶୂଳ କାର୍ତ୍ତିକେଶ୍ୱର ଦୁହେଂ ପଛେ ଗୋଡ଼ାଇଲେ ।୩୯୬।

ପାଣ୍ଡବନ୍ତ ଘେନି ହରି ବସିଥିଲେ ବାଟେ

ବଳାଙ୍ଗୀ ନଦୀତୀର ଉତ୍ତର ଆଡ଼ତଟେ ।୩୯୭।

ଗରୁଡ଼ ପଚ୍ଛୀଘାତେ ମୟୂର ଗଲା ଉଡ଼ି

ମୂର୍ଚ୍ଛାଗତ ହୋଇଣ ସେ ସାତ ଯୋଜନରେ ପଡ଼ି ।୩୯୮।

ୟେମନ୍ତେ ଅପ୍ରାଂଜୟେ ପାଇଲେ ବେଳ ତିନି

ମେରୁଶୂଳ ତୁଲେ ରଣ କରଇ ଫାଲଗୁନି ।୩୯୯।

ଦୃଭାସାଂକ ବଚନେ ସେ ନନ୍ଦୀ ମହାକାଳ

ପ୍ରଚଣ୍ଡ ଚଣ୍ଡ ବିଣାୟେକ ଟିଣାୟେକ କ୍ଷେତ୍ରପାଳ ।୪୦୦।

ମହାବଳବନ୍ତା ସେ ରୁଦ୍ର ଯେ ଭୂକୁଟୀ

ଶିବଗଣମାନେ ଗର୍ଜନ୍ତି ଚତୁର୍ଦ୍ଦଶ କୋଟି ।୪୦୧।

କରେଣ ତୀକ୍ଷ ତ୍ରିଶୂଳେ ତ୍ରାଣ ଯେ ପିନାକ

ମେଦିନୀ ଉଛୁଳଇ ଯେ ବାହିନୀ ଶବ୍ଦ ଡାକ ।୪୦୨।

ରୁଦ୍ରଗଣମାନେ ଯେ ହୋଇଲେ ବୀରସଜ

ଦେଖି ପରମ ସାନନ୍ଦ ହୋଇଲେ ପ୍ରଭୁ ଦେବରାଜ ।୪୦୩।

ବିଜୟେ ମହେଶ୍ୱର ଯେ ବୃଷଭର ପିଠି

ଅନ୍ତରୀଚ୍ଛେ ଡମ୍ୱରୁ ବାଜଇ ନବକୋଟି ।୪୦୪।

କପିଳାସ କନ୍ଦର କରିଣ ଦେବ ତେଜ୍ୟା

ସମର ସନ୍ନିଧ୍ୟେଣ ବିଜୟେ ଦେବରାଜା ।୪୦୫।

ବୃଷଭ ଆରୋହଣ ମହେଶ୍ୱରକଇଂ ଦେଖି

ଧାତିକାରେ ଜଗନ୍ନାଥ ଗରୁଡ଼ ଉପେକ୍ଷି ।୪୦୬।

ଶିବଗଣନ୍ତ ଘେନିଣ ବିଜୟେ ସୁଢଳେ

ଶ୍ରୀକୃଷ୍ଣ ପ୍ରଣପତ୍ୟ ବୃଷଭ ପାଦତଳେ ।୪୦୭।

ଦେଖିଣ ସାନନ୍ଦ ଦେବ ଯେ ଈଶାନ

ଜିତ ମହାପ୍ରସାଦ ହୋ ଉଠ ଉଠ ଜନାର୍ଦ୍ଦନ ।୪୦୮।

ସଦାଶିବର ବଚନେ ଶ୍ରୀଜଗନ୍ନାଥେ ଉଠି

ଅନ୍ତରେ ଗୋବିନ୍ଦ ଯେ ରହିଲେ ପୁରମେଣ୍ଟି ।୪୦୯।

ପଦ୍ମନ ଗଲେ ଯେ ଦ୍ୱାରିକା ଭୁବନେ

ଦେଖିଣ ସାନନ୍ଦ ୟେ ଯଦୁବୀରମାନେ ।୪୧୦।

ବତିଶ ସହସ୍ର କନ୍ୟା କରେ ଘେନିଣ ଅର୍ଘ୍ୟସ୍ଥାଳୀ

ବରକନ୍ୟା ବନ୍ଦାପନା କରନ୍ତି ସର୍ବେ ମିଳି ।୪୧୧।

ନାରଦେ କହିଲେ ଯାଇଂ ଶୁଣ ହୋ ବଳରାମ

ମେରୁଶୂଳ ତୁଲେ ବହୁତ ହୋଉଛି ସାଂଗ୍ରାମ ।୪୧୨।

କାର୍ତ୍ତିକେଶ୍ୱର ନିମନ୍ତ ଅଭିମାନ କରି

ଆପଣେ ବିଜେ ଦେବ କଲେ ତ୍ରିପୁରାରି ।୪୧୩।

ଚଉଦକୋଟି ଯେ ଭ୍ରୁକୁଟୀଗଣନ୍ତ ଘେନି

ସର୍ବେ ୟେକା ଅଛନ୍ତି ସେ କୃଷ୍ଣ ଫାଲଗୁନି ।୪୧୪।

ଆସ୍ତାନ ଉପରୁ ଡେଇଂଣ ପଡ଼ିଲେ ଦେବରାଜ

ଧାଅଂରେ ଯଦୁବୀରେ ଦଣ୍ଡ ବେଗେ ସାଜ ।୪୧୫।

ଶ୍ରୀଭୁଜେ ଶୋଭାବନ ସମରର୍ଥକ ସଉନନ୍ଦ ମୂଷଳ

ପାଦଗତି ଧାମନ୍ତି ଦେବ କାମପାଳ ।୪୧୬।

ତାଳଧ୍ୱଜ ରଥ ସାଜି ଦାରୁକ ସାରଥି

ଅହିବ୍ରତେକ ଶାର୍ଦ୍ଦୁଳ ଯୋଚିଣ ଧାମନ୍ତି ରାମଂକ ପଛକତି ।୪୧୭।

ଯଦୁବଂଶ ଭୋଜବଂଶ ହଇହୟ ବଂଶ କୁରୁବଳ ବଂଶ

ଆରତେ ଯୋଦ୍ଧାୟେ ଚଢ଼ି ନୁଆରନ୍ତି ବାରାଶ ।୪୧୮।

ସମର୍ଥକ ହଳ ବୁଲାଇ ଧାମନ୍ତି ଦେବ ହଳୀ

ଆଦିତ୍ୟ ଗୋପ୍ୟଗଲେ ଚରଣର ଧୂଳି ।୪୧୯।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

ମେରୁଶୂଳ ସଙ୍ଗେ ଯୁଦ୍ଧ ପଞ୍ଚଇ ପାଣ୍ଡବ ।୪୨୦।

ବଚନେ ସମାର୍ଜନା କରନ୍ତି ଜଗନ୍ନାଥେ

ସଦାନନ୍ଦ ସ୍ୱାମୀଂକି ତୋଷନ୍ତି ଅନେକ ମତେ ।୪୨୧।

ପରମ ଶାନ୍ତି ବଚନ କହାନ୍ତି କାପାଳୀ

ୟେମନ୍ତର ସମୟେ ବିଜେକଲେ ଦେବ ହଳୀ ।୪୨୨।

କୋଟିୟେ ସିଂଘର ପ୍ରାକ୍ରମ ଯେବଣ ବଳରାମ

ତିନିପଦ୍ମ ଭାରା ପରି ସଉନନ୍ଦ ବହଇ ଅବିଶ୍ରାମ ।୪୨୩।

ରେ ରେ କାର ଶବଦେ ରାମ ଦିଲେ ୟେକଡାକେ

ତ୍ରିଭୁବନ କମ୍ପିଲା ତ୍ରିସିଲେ ବୃନ୍ଦଅର୍କେ ।୪୨୪।

ଅଇରାବ୍ରତ ଆରୋହୀ ବିଜୟେ ଦେବ ସୁନାଶୀର

ମହାଶାନ୍ତି ବଚନେ ଭଜିଲେ ଶ୍ରୀ ବଳରାମଂକ ପୟର ।୪୨୫।

ଯୁଝେଷ୍ଠି ଦେବେ ପ୍ରଣପତ୍ୟ ହୋଇଲେ ବଳରାମ

ସ୍ୱାମୀ ହରିହର ସମର ୟେବେ ହୋଉଅଛି ସାମ୍ୟ ।୪୨୬।

ତୁ ୟେବେ କୋପ ସଂହରଣ କର ଦେବହଳୀ

ଶାନ୍ତି ଭଜିଲେନି ରୁଦ୍ର ନ କଲେ କିଛି କଳି ।୪୨୭।

ବହୁତ ବିନୋୟୀ ସେ ବଦୟନ୍ତି ଧର୍ମରାୟେ

ଶାନ୍ତିକରି ବଳରାମଂକୁ ବସାଇଲେ ସେହିଠାୟେ ।୪୨୮।

ନାରାୟଣଂକ ଅଗ୍ରତେ ବଦୟନ୍ତି ନୃପାଳୀ

ଦୃଭାସାଂକ ଅଗ୍ରତେ କାର୍ତ୍ତିକେୟକୁ ବରିଲାକ ବାଳୀ ।୪୨୯।

ତୁମ୍ଭର ପୁତ୍ରକୁ ପଠିଆଇ ତାହାକୁ ନିଆଇଲୁ ବନମାଳୀ

ୟେହେନେକ ଅନିର୍ଯ୍ୟାପ କିମ୍ପେ କରିଲୁ ତୋହୋ ଭଳି ।୪୩୦।

ଗୋବିନ୍ଦେ ବୋଇଲା ସ୍ୱାମୀ ନ କହିବାକ ମୋତେ

ସେ କନ୍ୟା ନାରଦଂକୁ ପଠିଆଇଲା ପଦ୍ମନ ନିମନ୍ତେ ।୪୩୧।

ସ୍ୱାମୀ ମୁହିଂ ଯେବେ ହାଦେ ଜାଣିଥାନ୍ତି ୟେଥିର ତଦନ୍ତ

ୟେତେକ ଚରିତ କିମ୍ପା ହୁଅନ୍ତା ବିଶ୍ୱନାଥ ।୪୩୨।

ସ୍ୱାମୀ ୟେବେହେଂ ସମର୍ପଣ କରନ୍ତି ସେ କନ୍ୟା

ବରଣମାଳା ଦେଇ ହୋଇଲାନି ବରାଙ୍ଗନା ।୪୩୩।

ଜ୍ୟେଷ୍ଠ କାର୍ତ୍ତିକେଶ୍ୱର କନିଷ୍ଠ ପଦ୍ମନ

ବିଚାରି ପରମେଶ ଦେବ କୋପ କରିବା ସମ୍ୟ ।୪୩୪।

ନାରାୟଣ ଶତସହସ୍ର ଦଣ୍ଡ ପ୍ରଣମିତ

ବିଚାରିଣ କୋପ ଦେବ କରିବା ବିଶ୍ୱନାଥ ।୪୩୫।

ପ୍ରବୋଧ ବାକ୍ୟ ଯେ କହନ୍ତି ବନମାଳୀ

ଶୁଣିଣ ସାନନ୍ଦ ଯେ ହୋଇଲେ ଦେବଶୂଳୀ ।୪୩୬।

କାର୍ତ୍ତିକେଶ୍ୱରକୁ ଦେବ ଧଇଲେକ କୋଳେ

ବୃଷଭ ପିଠିରେ ନେଇ ବସାଇଲେ ସୁଢୋଳେ ।୪୩୭।

ବାବୁ ବିରହୀତା କନ୍ୟା ସେହୁ କଲାକ ବଡ଼ମନ୍ଦ

ଆମ୍ଭେ ହରିହର ୟେକଆତ୍ମା କରିବା କିଂପେ ଦ୍ୱନ୍ଦ ।୪୩୮।

ଛାର ପାମେରୀ ସେ ତିରୀ ନିଲକ୍ଷଣୀ

କାର୍ତ୍ତିକକୁ ସମ୍ୱୋଧନା କରନ୍ତି ଶୂଳପାଣି ।୪୩୯।

ଭ୍ରୂକୁଟିଗଣନ୍ତ ଘେନି ଦେବ ଯେ ଈଶାନ

କପିଳାସ ସ୍ୱର୍ଗେ ଦେବ ବିଜୟେ ତ୍ରିଲୋଚନ ।୪୪୦।

ଆରମ୍ଭେ ଥିଲା ସେ ମେରୁଶୂଳର ମୂରତି

ମୂଷଳ ବୁଲାଇ ସେ ଧାଇଂଲେ ହଳପତି ।୪୪୧।

ବଜ୍ରହଳ ବୁଲାଇ ପ୍ରହାରିଲେ କୋପେ

ଅସୁର ବଞ୍ଚାଇଲା ତାହା ପ୍ରତଗ୍ୟାଂ ମହାଦର୍ପେ ।୪୪୨।

ସମରେ ଅନିର୍ବାରଣ ସେ ମହୀଶୂଳର ନାତି

ମୂଷଳ ପଡ଼ନ୍ତେ ତାର ଦୁଗୁଣ ତେଜ କାନ୍ତି ।୪୪୩।

ପୁଣ ପୁଣ ପ୍ରହାର କଲେ ରାମ ବଜ୍ରହଳେ

ନିର୍ଘାତ ଜାଣି ପଡ଼ିଲା ମେରୁଶୂଳ ବକ୍ଷସ୍ଥଳେ ।୪୪୪।

ଝଣାନ୍ତି ପ୍ରହାରେ ଯେ ଉଠିଲା ବହନି

ଦେଖିଣ ବିସରିଲେ ଦେବ ହଳପାଣି ।୪୪୫।

ରେ ରେ କାର ଶବଦେ ଧାମଇଂ ମେରୁଶୂଳ

ବଳରାମଂକ ଉପରେ ନେଇ ପିଟିଲା କୋଦାଳ ।୪୪୬।

ମନ୍ଦର ଗିରି ଜାଣି ଅଙ୍ଗେ ଆସି ପଡ଼ି

ଦେଖିଣ ଘୁଞ୍ଚିଲେ ଯେ ଦେବ ହଳଧାରୀ ।୪୪୭।

ପୁଣି ଧାମନ୍ତେ ସେ କୋପେ ବୀର ମେରୁଶୂଳ

ଅର୍ଜୁନ ବଳରାମ ହୋଇଲେ ୟେକମେଳ ।୪୪୮।

ପୁଣି ମହାତେଜ ଅସୁର ଧଇଲା କୋଦାଳ

ଶ୍ରୀଭୁଜେ ଚକ୍ରଘେନି ଓଗାଳିଲେ ଦେବକୀର ବାଳ ।୪୪୯।

କଉମୋଦକୀ ଗଦାଦେବ କୋପେଣ ବୁଲାଇ

ମେରୁଶୂଳ ଉପରେ ଯେ ପିଟିଲେ ମନ ନିଠିଆଇ ।୪୫୦।

ଦେଖିଣ ଦୁରାନ୍ତକ ପାତିଲା ବାମହାଥ

ପଡ଼ିଣ ଗଦାବର ହୋଇଲା ବିଅର୍ଥ ।୪୫୧।

କୋପେଣ କେଶବ ଯେ ସୁଦ୍ରିଶେଣ ଚକ୍ରଧାରୀ

ମେରୁଶୂଳ ଉପରେ ପ୍ରହାର କଲେକ ଦେବହରି ।୪୫୨।

ଚକ୍ର ପଡ଼ନ୍ତେଣ ଦେଖିଲା ମେରୁଶୂଳ

ନୋହୋଇ ନୋହଇ ବୋଲି ପାତିଲା ବକ୍ଷସ୍ଥଳ ।୪୫୩।

ସେ ସୁଦ୍ରଶେଣ ଚକ୍ର ଯେ ପଡ଼ିଲା ଦତ୍ୟକାୟେ

ଝଲକିଲା ବହନି ଲଂକା ଦହନ ପରାୟେ ।୪୫୪।

ପୁଣ କୋଦାଳ ଆୟୁଧ ବୁଲାଇ ଦୁରାନ୍ତ

ନାରାୟଣ ଉପରେ ନେଇ ପିଟିଲା ବଜ୍ରଘାତ ।୪୫୫।

ଅସୁରେଶ୍ୱର ଯହୁଂ କୋଦାଳ ଶର ପ୍ରହାର କରି

ଦେଖିଣ ନାରାୟଣ ରହିଲେ ଅପସରି ।୪୫୬।

ନାରାୟଣ ବିଅର୍ଥେ ସେ ପଣ୍ଡୁର ତନୟେ

ଆରେ ରହ ରହ ବୋଲି ଧାଇଂଲା ଧନୁର୍ଜୟେ ।୪୫୭।

ଅନିବାରମ ଶର ଭେଦିଲା ତାର ସେହ୍ନା

ଦତ୍ୟର ଦେହେ ପଡ଼ି ଶହସ୍ରେ ହୋଇଲେ ଶତଚୂନା ।୪୫୮।

ମନଭେଦୀ ନାରାଜ ବିନ୍ଧିଲା ଧନୁର୍ଜୟେ

ମେରୁଶୂଳ ଶରୀର ହୋଇଲା ଶସ୍ତ୍ରମୟେ ।୪୫୯।

ରୋମେକ ଶତେ ନାରାଜ ଯାଇଂ ପଡ଼ି

ଖଣ୍ଡଗିରି ପ୍ରାୟେ ହୋଇ ରୋମେ ରେମକେ ରୁଧିର ଗଳି ।୪୬୦।

ଅବିଚ୍ଛନେ ନାରାଜ ବିନ୍ଧଇ ବିବଚ୍ଛ

ଘାୟେଣ ବଧ ସେହୁ ନୋହିଲା ରାକ୍ଷସ ।୪୬୧।

ଗୋବିନ୍ଦ ପୁଚ୍ଛାକଲେ ସହଦେବର ଆଗେ

ୟେ ଦୁରାନ୍ତେକ ନାଶଯାଇ କେବଣହିଂ ବାଗେ ।୪୬୨।

ସହଦେବ ବୋଇଲେ ଦେବ ବ୍ରହ୍ମାଂକର ବରଦାୟେ

କେଉଂଣସି ଶସ୍ରଭେଦ ନୋହିବ ତାର କାୟେ ।୪୬୩।

ସ୍ୱାମୀ ଯେବଣ କାଳେ ପିତାଂକୁ ୟେ ମାଗିଅଛି ବର

ୟେକା ଘଡ଼ିକେ ମୁଂ ଭ୍ରମିବି ତିନିପୁର ।୪୬୪।

ବ୍ରହ୍ମା ଈଶ୍ୱର ଯେ ଇନ୍ଦ୍ର ଦେବହରି

ଚାରିହେଂ ସମରେ ଯେ ନୋହିବେ ମୋତେ ସରି ।୪୬୫।

ମନୁଷ୍ୟ ଛାର ବୋଲି ନ ମାଗିଲା ବର

ଚାରି ଦିଗପାଳେ ଯେବେ ମାନୁଷ୍ୟେ ହେବେ ଅବତାର ।୪୬୬।

ତେବେ ସେ ପ୍ରାଣତ୍ୟାଜ ହୋଇବ ମେରୁଶୂଳ

ଗୋବିନ୍ଦେ ବୋଇଲେ ୟେ ତ ହୋଇଲା ନିଷ୍ଫଳ ।୪୬୭।

ଯୁଝେଷ୍ଠି ଦେବ ଆଶ୍ରିଜ ଯେ ସହଦେବ ବଚନେ

ଚାରି ଦେବତାୟେ ତ ନୋହିବେ ୟେକଜଣେ ।୪୬୮।

ଅଥବା ସେ ଜନମ ହୋଇବ କେତେକାଳେ

ତେବେ ସେ ପ୍ରାଣତ୍ୟାଜ ହୋଇବ ମେରୁଶୂଳେ ।୪୬୯।

ଆରେ ବାବୁ ଭୀମସେନ ଯାଅ ଯା ବହନ

ଘୁଞ୍ଚାଇ କରି ଘେନିଆସ ମୋ ଅର୍ଜୁନ ।୪୭୦।

ସହଦେବ ବୋଇଲା ସ୍ୱାମୀ ନୁହଇ ୟେମନ୍ତ

ଚାରି ଦିଗପାଳେ ୟେକା ହୋଇ ଅର୍ଜୁନ ହୋଇଅଛି ଜାତ ।୪୭୧।

ସ୍ୱାମୀ ବ୍ରହ୍ମାଂକର ଶିର ଯେ ଈଶ୍ୱର ବିଭୂତି

ବାସୁଦେବ ରୁଧିର ବୀର୍ଯ୍ୟଦାତା ସୁରପତି ।୪୭୨।

ବ୍ରହ୍ମାଂକର ମୁଣ୍ଡ ଈଶ୍ୱର ମୋଡ଼ିଲେ ଯେତେବେଳେ

ତହୁଂ ବ୍ରହ୍ମରାକ୍ଷସ ଜନ୍ମି ଗୋଡ଼ାଇଲା ସୁଢଳେ ।୪୭୩।

ବ୍ରହ୍ମ କପାଳ ଯେ ହର କରେ ଲାଗିଅଛି

ଈଶ୍ୱରେ ବୋଇଲେ ଶରଣ ରଖ ହେ ଶ୍ରୀବଚ୍ଛି ।୪୭୪।

ଈଶ୍ୱର ବିକଳେ ହରି ଚକ୍ର ଘେନି ବାମହସ୍ତ

ଦକ୍ଷିଣ ଭୁଜରେ ହରି କଲେକ ଶସ୍ରଘାତ ।୪୭୫।

ସେ ରୁଧିର ପଡ଼ିଲା ଯାଇଂ ବ୍ରହ୍ମାର କପାଳେ

ଈଶ୍ୱରେ ବିଭୂତି ତହିଂ ମେଦିଲେ କୁତୂହୋଳେ ।୪୭୬।

ତହିଂରୁ ଅଦଭୁତେ ପୁରୁଷେକ ହୋଇଲାକ ଜାତ

ତାହାର ନାମଗୋଟି ଯେ ହରି ଦିଲେକ ପ୍ରଶସ୍ତ ।୪୭୭।

ଶସ୍ର ନାମେ ଧାତାର ତହୁଂ ହେଲା ଜାୟେ

ସେ ଦୁହିଂକି ସମର କରାଇଲେ ଦେବରାୟେ ।୪୭୮।

ୟେମନ୍ତେ ସହସ୍ରେ ବରଷ ବେନିଂକ ସମର ହୋଇଲା

କେହି ନ ଜିଣିଲା ସମରେ କେହୁ ତ ନ ହାରିଲା ।୪୭୯।

ତେଣୁ ସମର ରୁହାଇଲେ ଦେବ ବିଷ୍ଣୁନାଥ

ଦ୍ୱାପର ଯୁଗେ ତୁମ୍ଭେ ମାନୁଷ୍ୟେ ହୋଅ ଜାତ ।୪୮୦।

ବ୍ରହ୍ମାର ରୁଧିରେ ଯେ ହୋଇଲା ଉତପନ୍ନ

ଆଦିତ୍ୟେ ସଂହରିଲେ ଦ୍ୱାପରେ ମାନବେ ଜାତ କର୍ଣ୍ଣ ।୪୮୧।

ହରିହର ବ୍ରହ୍ମା ଶରୀରୁ ଯେବଣ ପୁରୁଷ ଉତପନ୍ନ

ବାସବେ ସଂହରିଲେ ସେ ଦ୍ୱାପରେ ଜାତ ଅରଜୁନ ।୪୮୨।

ସହଦେବ ବୋଇଲେ ତୁମ୍ଭେ ଶୁଣ ଦେବସ୍ୱାମୀ

ଚାରି ଦିଗପାଳଟି ୟେ ୟେକା ବୀର ଫାଲଗୁନି ।୪୮୩।

ଆବର ଉତପତ୍ତି ଯେ ମାନୁଷ୍ୟର ଗର୍ଭେ

ତେବେ ମେରୁଶୂଳ ବଧ ଜାଣ ହୋଇବାକ ୟେବେ ।୪୮୪।

ଶୁଣିଣ ପରମ ସାନନ୍ଦ ହୋଇଲେ ଯୁଝେଷ୍ଠି

ୟେସନେକ ସମ୍ପଦ ମୋହୋର ସୋହୋଦ୍ର ଭାଇଗୋଟି ।୪୮୫।

ଅନେକ ସମର ସେ କରଇ ମେରୁଶୂଳ

ସମରେ ନିର୍ଭୟା ସେ ବାସବର ବାଳ ।୪୮୬।

ରାତ୍ର ଦିବସେଣ ସେ ସମର ଅବିଶ୍ରାମ

ସାତଦିନ ପରଯନ୍ତେ ସମର ଉତକର୍ମ ।୪୮୭।

ନୀଳବାଣ ଭୁଜବାଣ ବୋଲିଣ ଯେବଣ ବାଣ ବେନି

କଷ୍ଠୋରେ ବସାଇଲେ ଗୁଣରେ ତାହା ପାଣ୍ଡବ ଫାଲଗୁନି ।୪୮୮।

ଅନନ୍ତ ରୁଦ୍ର ଅବତାର ସେ ଅଟନ୍ତି ବେନିବାଣ

ବିନ୍ଧନ୍ତେଣ ଅବଶ୍ୟ ସେ ଘେନନ୍ତି ପରାଣ ।୪୮୯।

ଯାହାକଇଂ ପେଷିବେ ସେ ନାଶ କରିବଟି ସଞ୍ଚୟେ

ତାହାକଇଂ ପେଷିଲା ସେ ପାଣ୍ଡବ ଧନୁର୍ଜୟେ ।୪୯୦।

ଅର୍ଜୁନ ଆଗ୍ୟାଂ ଦିଲା ସେ ଯାଅ ବାଣ ବେନି

ଅସୁର ଦୁରାନ୍ତକକୁ ପକାଅ ତୁମ୍ଭେ ଛିନ୍ନି ।୪୯୧।

ପଞ୍ଚୁକୋଟି କିରଣ ଦୁଇ ସହସ୍ର ଜ୍ୟୋତି

ବିନ୍ଧନ୍ତେଣ କମ୍ପିଲା ସେ ଆକାଶ ବସୁମତୀ ।୪୯୨।

ନାରାଜ ଆସନ୍ତେଣ ସେ ଲୁଚିଲେ ଦିଗପାଳେ

ଶୂନ୍ୟ ପୁରୁଷେ ରହି ନୁଆରିଲେ ଗଗନ ମଣ୍ଡଳେ ।୪୯୩।

ଆଦିତ୍ୟ ଦେବତା ଯେ ଯାଇଂ ମେରୁ ଉହାଡ଼େ ଲୁଚିଲେ

ପବନ ଦେବତା ସହିତେ କେହି ରହି ନୁଆରିଲେ ।୪୯୪।

ଭୟେ ନିଶାଚର ସେ କୋଦାଳ ଆୟୁଧ ପାତି

କୋଦଳା ଦହିଜ୍ୟ ହୋଇଲା ନୀଳବାଣ ଭୁଜବାଣ ଜ୍ୟୋତି ।୪୯୫।

ଶୂନ୍ୟହସ୍ତ ହୋଇଲା ସେ ଦାନବ ମେରୁଶୂଳ

ବେନିମୁଥ ଉଞ୍ଚାଇଣ ଧାମଇଂ ମହାବଳ ।୪୯୬।

ନୀଳବାଣ ପଡ଼ିଲା ଯାଇଂ ଦୈତ୍ୟ ନାଭିସ୍ଥଳେ

ଭୁଜବାଣ ପଡ଼ିଲା ଯାଇଂ ତାହାର କଣ୍ଠତଳେ ।୪୯୭।

ତିନିଖଣ୍ଡ ହୋଇ ଅସୁର କାୟେ ଛିଡ଼ି

ଖଣ୍ଡକେ ବିଂଝମାଳ ଜାଣି ପଡ଼ିଲା ଭୂମି ମାଡ଼ି ।୪୯୮।

ଅନେକ ଉଶ୍ୱାସ ତହୁଂ ହୋଇଲା ମେଦିନୀ

ସାଧୁ ସାଧୁ ଅର୍ଜୁନ ବୋଲି ଶୁଭିଲାକ ଧୁନି ।୪୯୯।

କୋଦାଳ ବୁଲାଇ ଦଇତ ବିଶ୍ୱରୁପେ କଲେ

ବସୁଧା ମୁଖରୁ ରୁଧିର ବହଇ ଉଞ୍ଚାଇଲେ ।୫୦୦।

ୟେତେ ଭାରା ଉଶ୍ୱାସ କଲୁ ଫାଲଗୁନି

ମାନବେ ଜାତ ହୋଇ ମହିମାଂ ତୋର ଧନି ।୫୦୧।

ବ୍ରହ୍ମା ରୁଦ୍ର ଇନ୍ଦ୍ର ସମସ୍ତେ ଯାହାକଇଂ ହାରି

ପୁଣିହିଂ ରୋଳେ ହାରିଲେ ବଳରାମ ହରି ।୫୦୨।

ତୋହୋର ସାଂଗ୍ରାମେ ପ୍ରାଣ ହାରିଲାକ ସେହି

କ୍ଷତୀବୃତ୍ତ ପ୍ରତଗ୍ୟାଂ ସାଧୁ ତୁମ୍ଭ ଦେହି ।୫୦୩।

ଅନେକ ସାନନ୍ଦ ଯେ ହୋଇଲେ ଦେବ ଆଖଣ୍ଡଳେ ।୫୦୪।

ତୁହି ସେ ଭାରା ଭର କରନ୍ତା ଉଶ୍ୱାସ

ତୋହୋରେ ରକ୍ଷାଗଲା ପାତାଳ ମଞ୍ଚ ଆକାଶ ।୫୦୫।

ଜୟତୁ ରୁଦ୍ର ଅବତାର ଦେବ ବଳରାମ

ନୀଳଋଚୀର ନୀଳାମ୍ବର ଉଦିତ କାମପାଳ ନାମ ।୫୦୬।

ମଉଳି ମୁକୁଟ ଯାର ସପତଫେଣି କୁଣ୍ଡଳୀ

ଅଦଭୂତେ ଅବତାର ପ୍ରସନ୍ନେ ଧବଳୀ ।୫୦୭।

ଜଳେ ସ୍ଥଳେ ଅନଳେ ଦେବ ଆନ ନାହିଂ କେହି

ପୃଥୀ ଆପ ତେଜ ବାଇବ ଆକାଶ ଦେବ ତୁହି ।୫୦୮।

ସଚରାଚର ମେଦିନୀ ତୁହି ସେ ଦହନ୍ତା

ଅଣାକାର ପୁରୁଷ ତୋର ନାହିଂ ପିତାମାତା ।୫୦୯।

ସଉନିଧି ମଣ୍ଡଳ ଅଲେଖ ପୁର ବାସୀ

ଅକାମ ପୁରୁଷ ଅନୁସାରେ ଯେ ଉଦାସୀ ।୫୧୦।

ନମସ୍ତେ ନମସ୍ତେ ଦେବ ହଳମୂଷଳ ପାଣି

କୋଟିଗଳ୍ପ ବଞ୍ଚାଇଲୁ ସ୍ୱାମୀ ଶିରେ ସପତଫେଣୀ ।୫୧୧।

ଶ୍ୱେତ ପୀତ ଲୋହିତ କୁଂକୁମ ନୀଳବର୍ଣ

ଶ୍ରୀକୃଷ୍ଣର ଜ୍ୟେଷ୍ଠ ସୋଦର ଶଙ୍ଖର ବର୍ଣ୍ଣ ଚିହ୍ନ ।୫୧୨।

ଦିଗମ୍ବର ନାଥ ଦେବ ତେଜ ଅନର୍ଗଳା

ଉନ୍ମତ୍ତ କାଦମ୍ବରୀ ପାନେ ରସମତି ଭୋଳା ।୫୧୩।

ଅମ୍ବା କଦମ୍ବା ପ୍ରଳମ୍ବା ମୁଷ୍ଟି କନ୍ଦର୍ପ ଧ୍ୱଂସି

ଯାମଳା ଅର୍ଜୁନ ଯେ ଚାରୁଣର ହତ କେଶୀ ।୫୧୪।

ଭାବଗ୍ରାହୀ ନାଥ କଇଚ୍ଛା ଜଗଜ୍ଜେଠୀ

ହୃଦଗତେ ବିଘଂସୁ ମୋର ତବ ନାମଗୋଟି ।୫୧୫।

ଶ୍ରୀ ଉତ୍ତରାଂକରୁ ତୀର୍ଥେ ଅଦଭୂତେ ତୋର କାୟେ

କପିଳାସ ଦର୍ପ ଧ୍ୱଂସନ ନାଥ ତୁ ପୁରୁଷ ଅଭୟେ ।୫୧୬।

ଦୂରାପଦ ଦୁଷୁକୃତ ସଂସାର ଜନବାସୀ

ୟେ ଭବ ସଂସାର ପଡ଼ି ଯାଇଅଛି ଭାସି ।୫୧୭।

ଶ୍ରୀ କାମ ନାମ ମୋହର ଶରୀରକୁ ବଜ୍ର ସେନ୍‌ହା

କାରଣକଇଂ ଭାବ ଅଭାବଗୋଟି ମୋତେ ନେଇ ଚିନ୍‌ହା ।୫୧୮।

ଲୋଭ ମୋହ ସଂସାର ୟେ କୁଟୁମ୍ବ ରଞ୍ଚନା

କ୍ଷଣ କ୍ଷଣକେ ଅନୀତି ୟେ ଜଳବିମ୍ବ ପ୍ରାୟେ ସିନା ।୫୧୯।

ସ୍ୱାମୀ ଦେଖୁ ଦେଖୁ ବଣା ହୋଇ ପଡ଼ିଲି ଜଞ୍ଜାଳେ

ୟେ କ୍ରୋଧୁଂ ନାରାୟଣ ମୋତେ ଉଦ୍ଧାର ୟେତେବେଳେ ।୫୨୦।

ଅଦଭୂତେ ଦିଜବର ବେଦପୁର ବାସୀ

ଆକାଶର ବାରତା ମୋତେ କହିଲାକ ଆସି ।୫୨୧।

ଶୁଣିଣ କୁଟୁମ୍ବ ଜଞ୍ଜାଳକୁ ମୋତେ ଲାଗିଲା ମହାଭୟେ

ଛାଡ଼ିଲି ସର୍ବଚିନ୍ତା ହୋଇଲା କ୍ରୋଧମୟେ ।୫୨୨।

ଷାଠିୟେ ଲକ୍ଷେ ପୂରାଣକୁ ଯେ ହୋଇବ ବକତା

ନାଶକର ଭୟରୁ ତୁହି ସେ ଉଦ୍ଧରନ୍ତା ।୫୨୩।

ଅଭୟେ କାନ୍ତାନି ଗୋ ପ୍ରସନ୍ନ ହିଙ୍ଗୁଳା

ଅକାମ ବାସିନୀ ମାଗୋ ଶ୍ରୀସିଦ୍ଧ ସାରୋଳା ।୫୨୪।

ଲେଖନ ପଠନ ଯହୁଂ କୁଟୁମ୍ବର ବିକଳେ

ସେ ମହାଦେବୀ ବିଜୟେ ଗଗନ ମଣ୍ଡଳେ ।୫୨୫।

ଆକାଶୁଂ ଆଣିଦିଲେ ମୋତେ ସିଦ୍ଧ ପୁରାଣ ପୋଥି

ଦେଖାଇଲା ସରୂପ ସେ ଛଡ଼ାଇଲା ମନଭ୍ରାନ୍ତି ।୫୨୬।

ଶବଦ କହିଲା ମୋର କୁଟୁମ୍ବ ପରି ମୁଖେ

ଛାଡ଼ିମେଲ ମନଭ୍ରାନ୍ତି ୟେକେ ଲେଖନ କର ସୁଖେ ।୫୨୭।

ମମ ହାଥେ ଦିଲେ ଆଣି ଲେଖନ ଗୋଟିୟେ

ୟେହା ଘେନି ଯାହା କହିବୁ ଯେ ହୋଇବ ଶାସ୍ତ୍ରମୟେ ।୫୨୮।

ନ ପଢ଼ି ପଣ୍ଡିତ ମୁଂ ନ ଜାଣି ଶାସ୍ତ୍ରବାଣୀ

ବହୁତ ଅନ୍ୟାଚାର ଛଡ଼ାଇ ମୋତେ ଆଣି ।୫୨୯।

ଅଭଗତେ ପ୍ରସନ୍ନ ମୋତେ ହୋଇଲେ କାତ୍ୟାୟିନୀ

ଆପଣେ ବସି କହିଲେ ବାଳୁତ ଭାବ ଘେନି ।୫୩୦।

ତେଣୁ ମୁହିଂ ଅଗ୍ୟାନେ ପଶିଲି ଅଗାଦ ସାଗର

ହେ ବୁଧଜନ ମୋତେ ନୋହଇ ଗୋଚର ।୫୩୧।

ସ୍ୱୟେଂ ଯାହା ମୋତେ କହି ଦିଅନ୍ତି ସାରୋଳା

ସୁରଭି ମାଳା ପ୍ରାୟେ ମମହୃଦେ ହାରା ।୫୩୨।

ଯେବଣ ଭାରଥ ୟେ ଦେବଗଣେ ଅସଂଖ୍ୟ

ଅଗାଧ ଜଳକଇଂ ଭେଳା ମୁନିଂକର ଦିବ୍ୟବାକ୍ୟ।୫୩୩।

ଶ୍ରୀ ମହାଭାରଥ ୟେ ଆରଣ୍ୟକପର୍ବ ବାଣୀ

ଆଗ୍ୟାଂୟେ ଶାହାସ୍ତ୍ର ଯେ ଘଟଣ କଲ ଆଣି ।୫୩୪।

ଶ୍ରୀ ଚଣ୍ଡୀ ସାରୋଳା ଚରଣେ ପ୍ରଣପତ୍ୟ ନିତ୍ୟେ

ଶୁଦ୍ରମୁନି ସାରୋଳା ଦାସ ପୁରାଣ ସଙ୍ଗତେ।୫୩୫।

ଶୁଣିମା ସୁଗ୍ୟଂଜନେ ଶ୍ରୀ ମହାଭାରଥ

ଯମ କାଳ ବଞ୍ଚାଇ ଶୁଣନ୍ତେ ଯେହୁ ଗ୍ରନ୍ଥ ।୫୩୬।

ସରସ୍ୱତୀ ସ୍ରାହାନେ ଯେହ୍ନେ ଛାଡ଼ଇ କଳୁଷ ଓଚ୍ଛ

ପ୍ରତ୍ୟକ୍ଷେ ପ୍ରାପତ ହୋଅଇ ଧର୍ମ ଅର୍ଥ କାମ ମୋକ୍ଷ ।୫୩୭।

ଧନ ସନ୍ତାନ ବର୍ଦ୍ଧୁତ ହୋଅଇ ଆରଣ୍ୟକପର୍ବ ଶୁଣନ୍ତେ

ଆଷ୍ୟ ବର୍ଦ୍ଧୁତ ହୋଅଇ ଆପାଦ ଖଣ୍ଡେ ନିତ୍ୟେ ।୫୩୮।

ତ୍ରିବେଣୀ ସ୍ନାହାନେ ଯେ ୟେ ନିର୍ମଳ ହୋୟେ ପାତ୍ର

ବିନାଶଇ ପାତେକ କୁଟୁମ୍ବ ହୋଅଇ ବର୍ଦ୍ଧୁତ ।୫୩୯।

ଯାହା ସେ କହିଲେ ଅଗସ୍ତି ବ୍ରହ୍ମବେତ୍ତା

ଯୁଗାନ୍ତକେ ପୁରୁଷେ ବଇବସୁତ ମନୁଶ୍ରୋତା ।୫୪୦।

ପିଣ୍ଡ ପ୍ରାଣ ୟେତେକ ହୋଇବାର ନିମନ୍ତେ

ମନଗତି ପାଇଲା ଚଇତନ କହନ୍ତେ ।୫୪୧।

ସବ୍ୟେ ଅସବ୍ୟେ ସେ କହଇ ଯେଉଂ ବାଣୀ

କଉତୁକେ ଆପଣେ ଭାରଥ ସ୍ରିଜିଲେ ଚକ୍ରପାଣୀ ।୫୪୨।

ଶ୍ରୀ ପୁରୁଷୋତ୍ତମ ନାଥ ନାମ ହୃଦଗତେ

କଳିକାଳ ଧ୍ୱଂସିଲା ନୀଳ ସୁନ୍ଦର ପର୍ବତେ ।୫୪୩।

ମଉଦଧି ଉତ୍ତର ଶ୍ୱେତଗଙ୍ଗା ତଳେ କଳପବଟ ନିକଟେ

ତହିଂ ମମ ଆତ୍ମା ଲୁଳୁ ନମତୁଷ୍ଟେ ଶ୍ରୀ ଜଗନ୍ନାଥ ପାଦ ପୁଟେ ।୫୪୪।

ତୁଳୁସାର ବଲ୍ଲଭ ଚରଣ ନିତ୍ୟେ ଭାବେ

ଶୁଦ୍ରମୁନି ସାରୋଳା ଦାସ ରୁଦ୍ରଗଣ ପୂର୍ବେ ।୫୪୫-୧୨୧୮୭।